Unknown

 

 

 

 

 

 

 

 

କଥାଗୁଚ୍ଛ

(ପ୍ରଥମ ଖଣ୍ଡ)

ଅନ୍ନଦାଶଙ୍କର ରାୟ

ନିର୍ବାଚନ-ଗ୍ରନ୍ଥନ-ଅନୁବାଦ

ଜୟା ରାୟ ଓ ଅମିତାଭ ରାୟ

 

ଭୂମିକା

 

ଓଡ଼ିଆ-ସାହିତ୍ୟ-ପ୍ରେମୀଙ୍କ ପାଖରେ ଅନ୍ନଦାଶଙ୍କରଙ୍କ ପରିଚୟ ଅନାବଶ୍ୟକ । ବିଂଶ ଶତକର ଦ୍ଵିତୀୟ ଦଶାଙ୍କରେ ସେ ନିରଳସ ଭାବରେ ଓଡ଼ିଆ ସାହିତ୍ୟ ସୃଷ୍ଟି କରୁଥିଲେ ମଧ୍ୟ ତାହାପରେ ଚାକିରି ସୂତ୍ରରେ ତାଙ୍କୁ ଅବିଭକ୍ତ ବଙ୍ଗଳା ଦେଶରେ ରହିବାକୁ ପଡ଼ିଲା, ଏବଂ ଭାରତ ବିଭାଗ ପରେ ପଶ୍ଚିମ ବଙ୍ଗଳାରେ । ଦୁଇ ଡଙ୍ଗାରେ ପାଦ ରଖି ନଈ ପାରିହେବା ଯେପରି ଅସାଧ୍ୟ କାମ, ସେହିପରି ଦୁଇ ଭାଷାରେ ମୌଳିକ ରଚନା ସୃଷ୍ଟିକରି ବିଦଗ୍ଧ ପାଠକ-ପାଠିକାମାନଙ୍କ ଦରବାରରେ ବରମାଲ୍ୟ ପାଇବା । ଏହା ଛଡ଼ା ସାହିତ୍ୟସରସ୍ଵତୀଙ୍କର ସେବକମାନଙ୍କୁ ମନେରଖିବାକୁ ପଡ଼େ ଯେ ବାଗ୍‌ଦେବୀ ନିରଙ୍କୁଶ ଆନୁଗତ୍ୟ ପସନ୍ଦ କରନ୍ତି । ଜଣେ ଉଚ୍ଚପଦସ୍ଥ ଆଇ. ସି. ଏସ୍. ଅଫିସରଙ୍କର ନିଜର ବୋଲି କିଛି ସମୟ ନଥାଏ କହିଲେ ଚଳେ । ସେଇ ବିରଳ ସମୟ ଟିକକ ଦୁଇ ଭାଷାର ସାହିତ୍ୟ ରଚନା ଭିତରେ ବାଣ୍ଟିବାକୁ ଗଲେ ସିଦ୍ଧି ସୁଦୂର ପରିହତ ହୁଏ-। ସୁତରାଂ ବାଧ୍ୟହୋଇ ଅନ୍ନଦାଶଙ୍କର ଗୋଟିଏ ମାତ୍ର ଭାଷାରେ ସାହିତ୍ୟ ରଚନାର ବେଦନାଦାୟକ ସିଦ୍ଧାନ୍ତ ନେଲେ ଏବଂ ବଙ୍ଗଳା ଦେଶରେ ରହିଲେ ବୋଲି ବଙ୍ଗଳା ଭାଷାରେ ଲେଖିବାକୁ ଲାଗିଲେ-। ଓଡ଼ିଆ ଭାଷାରେ ମୌଳିକ ସାହିତ୍ୟ ରଚନା ରୁଦ୍ଧ ହେବା ପରେ ପଚାଶ ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି-। ଦୁଇ ପ୍ରଜନ୍ମ ପରେ ସାହିତ୍ୟିକ ଅନ୍ନଦାଶଙ୍କରଙ୍କ ସ୍ମୃତି ବର୍ତ୍ତମାନ ଯୁଗର ଓଡ଼ିଆ-ସାହିତ୍ୟ-ପ୍ରେମୀଙ୍କ ପାଖରେ ଅସ୍ପଷ୍ଟ ହୋଇପଡ଼ିଥିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଯେଉଁ ଓଡ଼ିଆ ଭାଷାରେ ସାହିତ୍ୟଚର୍ଚ୍ଚା କରି ଅନ୍ନଦାଶଙ୍କର ଯଶସ୍ଵୀ ହୋଇଥିଲେ ସେଇ ଓଡ଼ିଆ ଭାଷାର ସୁଧୀ ପାଠକ-ପାଠିକାମାନଙ୍କୁ ଅନ୍ନଦାଶଙ୍କରଙ୍କର ବଙ୍ଗଳା ରଚନାର କିଛି ନମୁନା ଭାଷାନ୍ତରିତ କରି ପରିବେଷଣ କରିବା ଆମର ଉଦ୍ଦେଶ୍ୟ । ଏହା କରିବାକୁ ଯାଇ ଆମେ ତାଙ୍କର ଲେଖନଶୈଳୀ ଓ ବାକ୍ୟ ବିନ୍ୟାସକୁ ଯଥାସମ୍ଭବ ମୂଳଗତ ଅବିକୃତ ଆଦି ରୂପରେ ରଖିଛୁ । ମନୋଯୋଗୀ ପାଠକ-ପାଠିକାମାନେ ଏହିଥିରୁ ଗୋଟିଏ ଧାରଣା କରିପାରିବେ ଯେ କାହିଁକି ସେ ଆଜି ବଙ୍ଗଳା ସାହିତ୍ୟର ଅନ୍ୟତମ ସାର୍ଥକ ଔପନ୍ୟାସିକ, ଗଳ୍ପକାର ତଥା ପ୍ରାବନ୍ଧିକ । ଭ୍ରମଣ କାହାଣୀରେ ସେ ସିଦ୍ଧହସ୍ତ । କବିତା ତାଙ୍କର ମାନସସୁନ୍ଦରୀ । ସବୁ ପ୍ରକାର ରଚନାର ନମୁନା ଦେବା ଏହି କ୍ଷୁଦ୍ର ପୁସ୍ତକର ଉଦ୍ଦେଶ୍ୟ ନୁହେଁ । ତାଙ୍କର ଲେଖନୀରୁ ବାହାରିଥିବା ପ୍ରଥମ ପର୍ବର ଦଶଟି କ୍ଷୁଦ୍ରଗଳ୍ପ ଏଠାରେ ଏକତ୍ର କରାଗଲା । ସମୟକାଳ ୧୯୩୩ ଠାରୁ ୧୯୫୩ । ଗଳ୍ପଗୁଡ଼ିକ ରଚନା କାଳରୁ କ୍ରମାନୁସାରେ ଗୁନ୍ଥାଗଲା ।

ଅନ୍ନଦାଶଙ୍କରଙ୍କ ରଚିତ ବଙ୍ଗଳା କ୍ଷୁଦ୍ରଗଳ୍ପ ସଂଖ୍ୟା ମୋଟ ୮୭ । ତାଙ୍କର ପ୍ରଥମ ପର୍ବର ବଙ୍ଗଳା କ୍ଷୁଦ୍ରଗଳ୍ପ ଗୁଡ଼ିକ ତିନିଖଣ୍ଡରେ ପ୍ରକାଶ ପାଇଥିଲା । ନାମ–‘ପ୍ରକୃତିର ପରିହାସ’, ‘ମନପବନ’ ଏବଂ ‘ଯୌବନଜ୍ଵାଳା’ । ଏହି ତିନିଖଣ୍ଡ ବହି ପରେ ଏକତ୍ର କରି ଗୋଟିଏ ସଂକଳନ ରୂପରେ ପ୍ରକାଶ ପାଇଲା । ନାମ ହେଲା ‘ଗଳ୍ପ’ । ଦ୍ଵିତୀୟ ପର୍ବର କ୍ଷୁଦ୍ରଗଳ୍ପ ବହିର ନାମଗୁଡ଼ିକ ହେଲା–‘କାମିନୀ କାଞ୍ଚନ’ ‘ରୂପେର ଦାୟ’, ‘ମୀନପିଆସୀ’, ‘ବର’ ଏବଂ ‘ଜନ୍ମଦିନେ’ । ବର୍ତ୍ତମାନ ଏଗୁଡ଼ିକ ଅଲଗା ଅଲଗା ମିଳେନାହିଁ । ଏହି ପାଞ୍ଚଖଣ୍ଡ ବହିର ସମ୍ମିଳିତ ସଂକଳନର ନାମ-‘କଥା’ । ତୃତୀୟ ପର୍ବର କ୍ଷୁଦ୍ରଗଳ୍ପମାନ ଅଲଗା ଅଲଗା ସଂକଳନରେ ଆଦୌ ପ୍ରକାଶ ପାଇନାହିଁ । ସବୁ ଗୁଡ଼ିକ ଗୋଟିଏ ମାତ୍ର ସଂକଳନରେ ଗ୍ରଥିତ ହୋଇଛି । ନାମ ରଖାଯାଇଛି-‘କାହିନୀ’ । ଆମର ଭାଷାନ୍ତରିତ ଦଶଟି କ୍ଷୁଦ୍ରଗଳ୍ପ ଯେ ଖଣ୍ଡଗୁଡ଼ିକରୁ ଆହରଣ କରାଯାଇଛି ସେଗୁଡ଼ିକର ନାମ ହେଲା–‘ପ୍ରକୃତିର ପରିହାସ’, ‘ମନପବନ’, ‘ଯୌବନଜ୍ଵାଳା’ ଏବଂ ‘କାମିନୀକାଞ୍ଚନ’ । ଏହି ଗ୍ରନ୍ଥର ଶେଷ ଭାଗରେ ଲେଖକ ରଚିତ ଆତ୍ମଜୀବନୀମୂଳକ ପ୍ରବନ୍ଧ ‘ନିଜ କଥା’ର ଅନୁବାଦ ଟିପ୍‌ଣୀସହ ସନ୍ନିବେଶିତ ହେଲା । ଏହି ପ୍ରବନ୍ଧଟି ବଙ୍ଗଳା ଭଷାରେ ଲେଖା ହୋଇଥିଲା ୧୯୪୭ ମସିହାରେ । ଲେଖକ ସମ୍ବନ୍ଧରେ ଜ୍ଞାତବ୍ୟ ସବୁକଥା ସ୍ଥାନାଭାବରେ ଥରକରେ ଶେଷ ନକରି “କଥା ଗୁଚ୍ଛ’’ର ଦ୍ଵିତୀୟ ଭାଗ ପାଇଁ କିଛି ରଖିଦେଲୁଁ ।

ଏହି ବହିର ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ଯଥାଯଥ ଏବଂ ଅମୂଲ୍ୟ ଉପଦେଶମାନ ଦେଇ ଆମର ପରମ ପୁଜନୀୟା ଶ୍ରୀମତୀ ଚିନ୍ମୟୀ ଖଣ୍ଡାୟୀ ବିଶେଷ ଉପକାର ସାଧନ କରିଛନ୍ତି । ତାଙ୍କୁ ଆମର ବିନମ୍ର ପ୍ରଣାମ । ପାଣ୍ଡୁଲିପି ପ୍ରସଙ୍ଗରେ ଅଧ୍ୟାପିକା ସୁଖଲତା ପ୍ରଧାନ ଏବଂ ଅଧ୍ୟାପିକା ଶରତ୍‌ କୁମାରୀ ମିଶ୍ରଙ୍କ ଅକୁଣ୍ଠ ସାହାଯ୍ୟ ମଧ୍ୟ କୃତଜ୍ଞ ଚିତ୍ତରେ ସୁର୍ତ୍ତବ୍ୟ । ବହୁ ସାବଧାନତା ସତ୍ତ୍ୱେ ଏହି ଗ୍ରନ୍ଥର ପ୍ରଥମ ୪୮ ପୃଷ୍ଠା ଭିତରେ କିଛି ଛପା ଭୁଲ୍ ରହିଗଲା । ସହୃଦୟ ପାଠକ-ପାଠିକାମାନଙ୍କ ପାଖରେ ଏଥିପାଇଁ କ୍ଷମାପ୍ରାର୍ଥୀ । ଆମର ପ୍ରଧାନ ସହାୟ ଶ୍ରୀ ଅଭିରାମ ମହାପାତ୍ର ସ୍ଵୟଂ । ତାଙ୍କ ଆଗ୍ରହ ଓ ଉଦ୍ୟୋଗରେ ଏହି ଗ୍ରନ୍ଥ ପ୍ରକାଶ ପାଉଛି । ଆମେମାନେ କୃତଜ୍ଞ ।

ଗଭୀର ପରିତାପର କଥା, ଆମର ପରମ ଆଦରଣୀୟା ଜ୍ୟେଷ୍ଠା କନ୍ୟା ଏବଂ ସ୍ଥାନୀୟ ଶୈଳବାଳା ମହିଳା କଲେଜର ବିଜ୍ଞାନ ଶାଖାର ଛାତ୍ରୀ କଲ୍ୟାଣୀୟା ଶତରୂପା ଅକସ୍ମାତ କଟକ ମେଡ଼ିକାଲ କଲେଜରେ ଚିକିତ୍ସା ବିଭ୍ରାଟରେ ତା ୨୫ । ୧ । ୧୯୮୨ ରିଖରେ ପ୍ରାଣବଳୀ ଦେଇଥିବାରୁ ପୂର୍ଣ୍ଣାଙ୍ଗ ବହି ଆକାରରେ ଏହି ପୋଥିଖଣ୍ଡିକ ଦେଖିପାରିଲାନାହିଁ । ପ୍ରୁଫ୍ ସଂଶୋଧନ ବ୍ୟାପାରରେ ସେ ଆମକୁ ଅଶେଷ ସାହାଯ୍ୟ କରିଯାଇଛି । ଏ ଦୁଃଖ ରହିଗଲା ।

ଜୟା ରାୟ

ଅମିତାଭ ରାୟ

ପ୍ରଧାନ ଅଧ୍ୟାପିକା

ନୂଆ କଲୋନୀ

ବଙ୍ଗଳା ବିଭାଗ

ଶେଖ୍ ବଜାର, କଟକ-୮

ରାଭେନ୍‌ଶ’ କଲେଜ, କଟକ-୩

ତା ୯-୩-୧୯୮୨ ରିଖ ଦୋଳପୂର୍ଣ୍ଣିମୀ

 

ସୂଚୀପତ୍ର

 

୧.

ଉପଯାଚିକା

୧୯୩୩

୨.

ଚାରି ଦଉଡ଼ିକଟା

୧୯୪୩

୩.

ହାସନସଖୀ

୧୯୪୫

୪.

ରୂପଦର୍ଶନ

୧୯୪୬

୫.

ଯୌବନଜ୍ୱାଳା

୧୯୫୦

୬.

କାମିନୀ କାଞ୍ଚନ

୧୯୫୦

୭.

ହାତର ଲକ୍ଷ୍ମୀ ପାଦରେ ଠେଲି

୧୯୫୧

୮.

ଲ୍ୟାଭେଣ୍ଡର

୧୯୫୨

୯.

ଅଭିମନ୍ୟୁର ବ୍ୟୂହ

୧୯୫୨

୧୦.

ରାଣୀ ପସନ୍ଦ

୧୯୫୩

୧୧.

ନିଜ କଥା

୧୯୪୭

Image

 

ଉପଯାଚିକା

 

ବାପା ଲେଖିଥିଲେ ସନ୍ଧ୍ୟା ଗାଡ଼ିରେ ପହଞ୍ଚିବେ ବୋଲି । ତରବରରେ ବଂଲୋଟାକୁ ନୈଷ୍ଠିକ ହିନ୍ଦୁ ଆବାସରେ ପରିଣତ କରିବାରେ ମୋ’ପରି ଏକଲା ମଣିଷର ସାମାନ୍ୟ ପରିଶ୍ରମ ହୋଇନଥିଲା । ଅବଶେଷରେ ଷ୍ଟେସନକୁ ଯାଇ ଦେଖିଲି ସେ ଆସିନାହାନ୍ତି । ଭାବିଲି ହୁଏତ ଟ୍ରେନ ମିସ୍ କରିଛନ୍ତି, ପାହାନ୍ତା ଗାଡ଼ିରେ ଆସିବେ । ତାଙ୍କ ପାଇଁ ହିନ୍ଦୁ ଦୋକାନରୁ ଜଳଖିଆ ଅଣାଇ ସାଇତି ରଖିଲି-ଯଦ୍ୟପି ଜିନିଷଗୁଡ଼ିକ ଉପରେ ମୋର ନିଜର ବୈଲାତିକ ବିରାଗ ମୋଟରୁ ନଥିଲା-

 

ପାହାନ୍ତା ଗାଡ଼ି ପାଇଁ ରାତି ଥାଉ ଥାଉ ଉଠିବାକୁ ପଡ଼େ । ଏତେଟା ପିତୃଭକ୍ତି ମୋ’ପରି ନିଦ୍ରାବିଳାସୀ ଲୋକ ଦେହରେ ଯାଏନାହିଁ । ପଠାଇଲ ମୋ ଚପରାଶିକୁ । ବାପାଙ୍କ ନାମଟା ପଚାଶଥର ମୁଖସ୍ଥ କରାଇଲି । ଚେହେରାଟା ବାକ୍ୟରେ ଆଙ୍କି କାନଧରି ଦେଖାଇଲି । ‘‘ରବିନାଶବାବୁ ନୁହନ୍ତି, ଅବିନାଶବାବୁ-ମନେରହିଲା ?”

 

‘‘ଜୀ ହଜୁର !”

 

ଟିକିଏ ଡେରିରେ ମୋ ନିଦ ଭାଙ୍ଗିଲା । ବାପା କ’ଣ ମନେକରୁଥିବେ କେଜାଣି ! ଡିଆଁଟେ ମାରି ଉଠିପଡ଼ିଲି । ବାପା କାହାନ୍ତି ?

 

ଚପରାଶି ଗୋଟିଏ ସଲାମ୍ ବଜାଇ ଦାନ୍ତ ବାହାର କରି ହସି କହିଲା, ‘‘ହଜୁର୍ ଆସିଛନ୍ତି-।”

 

ଦେଖା ନ ପାଇ ପଚାରିଲି, ‘‘ସେ କେଉଁଠି ?”

 

‘‘ସେଇ ଯେ ସେ ଗଛତଳେ ବିଡ଼ି ଟାଣୁଛନ୍ତି ।”

 

କ-ଅ-ଣ ? ମୋର ସାତ୍ତ୍ୱିକ ନିରାମିଷାଣୀ ବାପା ବୁଢ଼ା ବୟସରେ ବିଡ଼ି ଟାଣୁଛନ୍ତି ? ଦେଖିଲି କିଏ ଗୋଟେ ଟୋକା ଗଛଆଡ଼କୁ ମୁହଁକରି ଲୁଚାଇ ବିଡ଼ି ଟାଣୁଛି ।

 

“ହତଭାଗା ! କ’ଣ ନାଁ ଧରି ଡାକିଥିଲୁ ? ସେ ଲୋକଟା କ’ଣ ମୋ ବାପା ବୟସର ?”

 

‘‘ହଜୁର, ‘ରବିବାବୁ’ ‘ରବିବାବୁ’ କହି କେତେ ଡାକିଲି । କେହି ଉତ୍ତର ନ ଦେଲେ ମୁଁ କ’ଣ କରିବି ? ଇଏ ପଚାରିଲେ–ବୋସ୍ ସାହେବଙ୍କ କୋଠି ଜାଣ ସର୍ଦ୍ଦାର ? ମୁଁ ଭାବିଲି ଇଏ ହଜୁରଙ୍କର୍‌...”

 

“ଚୋପ୍ ରହୋ ଶୂଅର୍‌ ।”

 

ଚପରାଶି ଦୁଇପାଦ ପଛକୁ ଯାଇ ଦୁଇ ହାତ ଯୋଡ଼ିଲା ।

 

ଗଛମୂଳର ଟୋକାଟି ସାହେବୀ କଣ୍ଠ ଶୁଣି ଚମକିପଡ଼ି ବିଡ଼ିଟା ଫୋପାଡ଼ିଦେଲା । ଚୋରା ଚାହାଣିରେ ଦେଖିଲା ସାହେବ ସ୍ଵୟଂ । ଧୀରେ ଧୀରେ ଆଗେଇଆସି କହିଲା, “ଗୁଡ଼୍ ମର୍ଣ୍ଣିଙ୍ଗ ସାର୍ ! ଚିହ୍ନିପାରୁଛନ୍ତି ?”

 

ଗାଲ ଓ ବେକରେ ମାଂସ ନାହିଁ, ମୁଣ୍ଡରେ ପ୍ରଚଣ୍ଡ ଟେରି, ସିନ୍ଥି ମୂଳରେ ଏକ ମଣ୍ଡଳ । କଞ୍ଚା ବାଉଁଶ ପରି ଲମ୍ବା ଲହକା ଗଢ଼ଣ । ଅଣ୍ଟା ଦୁର୍ବଳ । ମୁଁ ଯେତେବେଳଯାଏଁ ଭାବୁଥାଏ କିଏ ଇଏ, ସେ ସେତେବେଳଯାଏଁ ମଇଳା କାଢ଼ି ହସିବାକୁ ଚେଷ୍ଟା କରୁଥାଏ, କିନ୍ତୁ ସାହସ ପାଉନଥାଏ-

 

“ଆରେ, ଇଏ ଯେ ବୃନ୍ଦାବନ !” ମୁଁ ଖୁସିରେ କହିଲି, “ବୃନ୍ଦାବନ...ନୁହେଁ ?”

 

“ମନେରଖିଛୁ ଦେଖୁଚି ।”

 

“ବୃନ୍ଦାବନ-ବୁରୁନ୍ଦା-ତୁ ହଠାତ୍ କେଉଁଠୁ ଆସିଲୁ ? ଆ...ଆ ।”

 

ବୃନ୍ଦାବନ ମୋତେ ‘ଆପଣ’ ଛାଡ଼ି ‘ତୁମେ’ କହିବ କି ନାହିଁ ଠିକ୍ କରିନପାରି ବୁଲେଇ କହିଲା, “ଏହି ବଂଲୋରେ ରହିବାକୁ ପଡ଼େ ?”

 

“ହଁ ! ଇଏ ଫେର୍ ଗୋଟିଏ ବଂଲୋ । ଦେଖୁଛୁ ତ ଏଥିରେ ନାଁ ଅଛି ଲାଇଟ୍, ନାଁ ଅଛି ଫ୍ୟାନ୍ । ତୁ ମୁହଁହାତ ଧୋଇ ତିଆର ହୋଇପଡ଼, ବୃନ୍ଦାବନ ! ଆଗେ କିଛି ଖାଇ ପରେ ଅନ୍ୟ କଥା-।”

 

ବୃନ୍ଦାବନ-ବୁରୁନ୍ଦା-ମୋର ପିଲାଦିନର ସାଙ୍ଗ । ଥାର୍ଡ଼ କ୍ଲାସରୁ ବିଦାୟ ନେଇ କେଉଁଆଡ଼େ ଚାଲିଗଲା । ପରେ ଶୁଣିଲି ସେ ରେଳବାଇ କଣ୍ଟ୍ରାକ୍ଟର ହୋଇ ବେଶ୍ ରୋଜଗାର କରୁଛି । ମୁଁ ପଢ଼େ କଲେଜରେ, ହାତରେ ଗୋଟିଏ ପଇସା ରହେନି, ବୃତ୍ତି ଯାହା ପାଏ ସେଥିରେ ପେଟଭରି ଖାଇବାକୁ ମଧ୍ୟ ମିଳେନା । ଆଉ ବୃନ୍ଦାବନ ଦୁଇ ହାତରେ ଟଙ୍କା ବିଞ୍ଚୁଚି । ବଡ଼, ମଝିଆ, ସାନମଝିଆ ଓ ଛୋଟ ସାହେବମାନଙ୍କୁ ଲାଞ୍ଚ ଖୁଆଉଛି କେତେ ।

 

ତା’ପରେ ଚକ ବୁଲୁଛି । ଇଏ ସେହି ବୃନ୍ଦାବନ ଓ ଇଏ ସେଇ ଲଳିତ ।

 

ରାତିରେ ସାଇତି ଯେପରିକି ବାଲ୍ୟକାଳକୁ ଫେରିଗଲା । କେତେବେଳେ ଏକସମୟରେ ‘ଆପଣ’ ଛାଡ଼ି ‘ତୁମେ’ ଛାଡ଼ି ‘ତୁ’ ଧରିଲା । କହିଲା, “ବଢ଼ିଆ ଅଛୁ ତୁ ଲଳିତ ! ତୋର ଭାଇ ସାର୍ଥକ ଜୀବନ । ଦରମା ପାଉ ଅଢ଼େଇଶ...”

 

“ଅଢ଼େଇଶ’ ତ ନେଟିଭ୍‌ମାନଙ୍କର ଦରମା । ମୋର ଦରମା ହେଲା ସାଢ଼େ ତିନିଶହ ।

 

“ସା-ଢ଼େ-ତି-ନି-ଶ-ହ ଟଙ୍କା ! ଆରମ୍ଭରୁ ଏତେ ! ଉଠି ଉଠି କେତେ ଉଚ୍ଚକୁ ଉଠିବୁ କିଏ ଜାଣେ ? ତା’ପରେ ପାଇବୁ ପେନ୍‌ସନ୍ । ନିଶ୍ଚୟ କିଛି ଉପୁରି ପାଉଣା ବି ଅଛି ।” -ଏହା କହି ସେ ଗୋଟିଏ ଆଖିବୁଜି ଜିଭ କାମୁଡ଼ିଲା ।

 

ମୁଁ ଚୁପ୍ ହୋଇ ରହିଲି ।

 

ସେ ବକର ବକର କରୁ କରୁ ପ୍ରଶ୍ରୟ ପାଇ କହିବସିଲା, “ବାହା ଯେ ହୋଇନୁ, ତା’ ତ ଦେଖିବାକୁ ପାଉଛି । କାହିଁକି କହିଲୁ ? ବିଲାତରୁ ଗୋଟିଏ ଆଣିପାରିଲୁନି ?”

 

ମୁଁ ଏହିଠାରୁ ଭଦ୍ର ଭାଷାର ପ୍ରଶ୍ନ ଆଶା କରିନାହିଁ । ରେଳବାଇ କଣ୍ଟ୍ରାକ୍ଟର ଆଉ କେତେ ଭଦ୍ର ହେବ ? ହସରେଖା ଟାଣି କହିଲି, “ବିଲାତି ମେମ୍‍ସାହେବ ତୋତେ ଏପରି ଅଭ୍ୟର୍ଥନା କରନ୍ତେ ବୋଲି ତୋର ବିଶ୍ଵାସ ହୁଏ ?”

 

ବୃନ୍ଦାବନ ଟିକେ ଡରିଗଲା । କହିଲା, “ଦେଖିବୁ ଭାଇ, କେବେହେଲେ ମେମ୍ ବାହା ହେବୁନାହିଁ, ଯଦି ସାଙ୍ଗସାଥୀ ଆଉ କୁଟୁମ୍ବଙ୍କ ପ୍ରତି ତୋର ବିନ୍ଦୁମାତ୍ର ମମତା ଥାଏ । (ଲକ୍ଷ୍ୟକରି) ସିଗାର-ନାଁ କ’ଣ ? Corona ? ଦେଖିବି ଗୋଟିଏ ଓଠରେ ଲଗାଇ ?”

 

“ନିଶ୍ଚୟ, ନିଶ୍ଚୟ ।”

 

ବୃନ୍ଦାବନ କାଶୁ କାଶୁ କହିଲା, “ଆମେ ଅବଶ୍ୟ ବିଲାତଫେରନ୍ତା ନୋହୁଁ । ତେବେ ଖାସ୍ ବିଲାତୀ ନ ହେଉ, ଏ ଦେଶୀ-ଯା’କୁ କହନ୍ତି ଫିରିଙ୍ଗୀ-ମେମ୍ ଆମେ ମଧ୍ୟ...(ଖକ୍ ଖକ୍)...ଆମେ ମଧ୍ୟ...ଆଚ୍ଛା, ତୁ ସେ ଦେଶରେ ଲବ୍ କରିଛୁ ?”

 

ମୁଁ ରହସ୍ୟ କରି କହିଲି, “ବାହା ହେବାକୁ ମନାକଲୁ...ବାହା ନ ହେଲେ love କରିବି କେମିତି ? ବାହା ପରେ ନାଁ love ?”

 

“ନାଁ-ରେ” ବୃନ୍ଦାବନ ସିଗାର ଟାଣିବାକୁ ଯାଇ କାଶି କାଶି ଥକିଯାଇ କହିଲା, “ସେପରି ଲବ୍ କଥା କହିନି । ସେ ତ ସ୍ଵର୍ଗୀୟ ପ୍ରେମ । ହିନ୍ଦୁ ସତୀ ଛଡ଼ା ଆଉ କାହା ପାଖରେ ସେ ପ୍ରେମ ପାଇବୁ ? ଗୋଟିଏ ଭଲ ଦେଖି ବାହାହୋଇପଡ଼ । ଡେରି କରୁଛୁ କାହିଁକି ? କହିଲେ ମୁଁ ପାତ୍ରୀ ବୁଝିବି ।”

 

“ନାଁ”-ମୁଁ ତା’ର ଆନ୍ତରିକତା ଲକ୍ଷ୍ୟକରି ଗମ୍ଭୀର ମୁହଁରେ ଥଟ୍ଟାକଲି । “ସେ ସବୁ ପାତ୍ରୀଫାତ୍ରୀ ମୋତେ ପୋଷେଇବ ନାହିଁ । ବାହାହେଲା ମାତ୍ରକେ ଧାତ୍ରୀ ଦରକାର ହେବ । ପିଲା ହେଲେ ରୂପ ଯୌବନ ଯିବ ।”

 

ବୃନ୍ଦାବନ ସିଗାର କାଢ଼ି ବିଡ଼ି ଆଁଟିଏ କରି କହିଲା, “ତେବେ ?”

 

“ତେବେ ?” ମୁଁ ଟିକିଏ ଇତସ୍ତତଃ କରି କହିଲି, “ସେତେବେଳେ ସେଇ ତ ରକ୍ଷିତା ରଖିବାକୁ ହେବ, ବର୍ତ୍ତମାନଠୁଁ ରଖିଲେ ଦୋଷ କ’ଣ ?”

 

ସେ କ’ଣ ମନେପକାଇ ହସିଦେଲା । କହିଲା, ଯାଃ !”

 

“ସତରେ ।”

 

“ଯାଃ ।”

 

“ବିଶ୍ଵାସ ହେଉନି ? କାହିଁକି, ଏଥିରେ ନୂତନତ୍ଵ କ’ଣ ଅଛି ?”

 

‘‘ରାମଃ ରାମଃ ରାମଃ ! ଅବିନାଶ କକେଇଙ୍କ ପୁଅ ନାଁ ତୁ ? କମର୍ସ ପାସ୍ କରଛୁ ନାଁ-?” ସେ ରୀତିମତ ଉତ୍ତେଜିତ ହୋଇଉଠିଲା । ସଗର୍ବେ କହିଲା, ‘‘ଲବ୍‌ ଆମେ ମଧ୍ୟ କରିଛୁ-ତା’ ସେ ଖାସ୍ ବିଲାତୀ ମେମ୍ ସାଥିରେ ନ ହେଉ ପଛକେ । ବିଶ୍ୱାସ ହେଉନି ନାଁ କ’ଣ ? କିପରି ହେବ-? ଆମେ ତ ବିଲାତ ବି ଯାଇନୁ, ପାସ୍ ବି କରିନୁ । କିନ୍ତୁ କିଏ କହିବ ଯେ ମୁଁ ପିତୃପିତାମହଙ୍କର ପିଣ୍ଡଦାନ ପାଇଁ, ସନାତନ ହିନ୍ଦୁ କାୟସ୍ଥର କୁଳରକ୍ଷା ପାଇଁ, କନ୍ୟାଦାୟଗ୍ରସ୍ତଙ୍କ ଉଦ୍ଧାର ପାଇଁ ବାହା ହେବାକୁ ପଶ୍ଚାତ୍‌ପଦ ହୋଇଛି ! ଆରେ, ଗୋଟିଏ କାହିଁକି, ଦଶଟା ବାହା ହେବି । ମୁଁ ଯେ ପୁରୁଷ-!” ଏହା କହି ସେ ତା’ର ଶୀର୍ଣ୍ଣ ନିଶକୁ ଆଙ୍ଗୁଠିରେ ଆଉଁସିଦେଲା, ମୋଡ଼ିବାକୁ ମଧ୍ୟ ଚେଷ୍ଟାକଲା-

 

ସେହି ପୁରୁଷୋତ୍ତମ ସାଙ୍ଗରେ କ’ଣ ନେଇ ଆଲୋଚନା କରିବି ? କହିଲି, “ଏଇ ଯାଃ ! ତୁ ବାହା ହୋଇଛୁ କି ନାହିଁ ପଚାରିବାକୁ ଭୁଲିଗଲି ।”

 

‘‘ଭୁଲିଯିବୁ ତ ! ଆମେ ତ ଅଫିସର୍, ନୋହୁଁ-ଆମେ କିରାଣି ।”

 

“କାହିଁକିରେ ? ତୁ ନାଁ ଆସାନସୋଲ୍‌ଠାରେ କଣ୍ଟ୍ରାକ୍ଟରି କରୁଥିଲୁ ?”

 

‘‘ସେହି କଣ୍ଟ୍ରାକ୍ଟରି ମୋର କାଳ ହେଲା । ତୁ ବିଶ୍ଵାସ କରିବୁନି ଲଳିତ ! ଗୋଟାକ ସାଙ୍ଗରେ ଲବ୍ ହେଲେ ପଲେ ଆସି ଘେରାଉ କରନ୍ତି । ସେମାନଙ୍କୁ ଉପହାର ଦେଉ ଦେଉ ଦେଣା ହେଇଗଲା ବହୁତ । ତା’ପରେ ସେଇ ଖରାପ ରୋଗ...”

 

ମୋର ହାଲୁକ ଶୁଖିଗଲା । ଏହି ଲୋକ ସାଙ୍ଗରେ ଏକା ଟେବୁଲରେ ଖାଉଛି !

 

‘‘ସେହ କୁତ୍ସିତ ରୋଗରେ ବର୍ଷେ କାଳ ଭୋଗି ଭୋଗି କଙ୍କାଳସାର ହୋଇଗଲି । ଦେଖ ନାଁ କିପରି ହାଡ଼ ପଞ୍ଜରା ବାହାରିଛି ! କୌଣସିଥିରେ କିଛି ହେଲାନାହିଁ । ଶେଷରେ….”

 

ମୁଁ ଦମ୍ ଛାଡ଼ି କହିଲି, ‘‘ଛାଡ଼ିଛି ତା’ହେଲେ ?”

 

‘‘ଛାଡ଼ିବନି ପୁଣି ?” ବୃନ୍ଦାବନ ମନଖୋଲା ହସ ହସି କହିଲା । ଅବଶ୍ୟ ତା’ର ମନ ବୋଲି କୌଣସି ପଦାର୍ଥ ନଥିଲା । ‘‘ଛାଡ଼ିବନି ତ ହିନ୍ଦୁ ଧର୍ମ ମିଥ୍ୟା । ଭୁଜଙ୍ଗେଶ୍ଵର ଶିବଙ୍କ ନାଁ ଶୁଣିଲୁ ?”

 

‘‘ନା ।”

 

‘‘ସେ ସବୁ ତୋ ପରି ସାହେବମାନଙ୍କର ନ ଶୁଣିବା କଥା । ତେବେ ବଡ଼ ବଡ଼ ଫିରଙ୍ଗି ସାହେବ, ଟମି ସାହେବ ମଧ୍ୟ ବାବା ଭୁଜଙ୍ଗେଶ୍ଵରଙ୍କ ପାଦରେ ମାନସିକ କରି କୃପା ପାଇଛନ୍ତି । ଯାହାହେଉ, ସେଇ ଭୁଜଙ୍ଗେଶ୍ଵରଙ୍କ ପାଦରେ ଅଧ୍ୟା ଦେଇ ପଡ଼ିଲି-‘ତୁ ମୋତେ ନ ବଞ୍ଚାଇଲେ କିଏ ବଞ୍ଚାଇବ ବାବା ? ବଞ୍ଚାଇ ଦେ, ବଞ୍ଚାଇ ଦେ ।’ ସାତ ଦିନ ବେଳକୁ ବାବା ମୁହଁ ଟେକି ଚାହିଁଲେ । ସ୍ଵପ୍ନାଇଲେ, ‘ଯା ତୁ ବାହାହୁଅ, ଗୋଟିଏ ଲକ୍ଷ୍ମୀମତୀ ଝିଅ ଦେଖି । ନିଜର ସ୍ତ୍ରୀ ସହବାସରେ ମନକୁ ମନ ଭଲହୋଇଯିବୁ ।”

 

ମୁଁ ହସିବି ନାଁ ରାଗିବି ଠିକ୍ କରିନପାରି ଆଖିକୁ ଲୁହ ଆସିଗଲା । କେଉଁ ଲକ୍ଷ୍ମୀମତୀ ଝିଅର ଜୀବନ ବ୍ୟର୍ଥ କଲା ଏ ମୂଢ଼ ?

 

ବୃନ୍ଦାବନ ଦର୍ପଭରେ କହିଲା, ‘‘ହିନ୍ଦୁ ଧର୍ମର କିବା ମହିମା ! ବାହାହେଲି ବାରବର୍ଷ ବୟସର ଅନାଘ୍ରାତ କୁସୁମ । ଆଉ ଦେଖୁ ଦେଖୁ ରୋଗ ଗଲା ଛାଡ଼ି-ଶିବସ୍ତ୍ର ରଜା ଶରୀରରୁ ଯେପରିକି ଶନି ବାହାରିଗଲା ।”

 

‘‘କିନ୍ତୁ”, ମୁଁ କହିଲି, ‘‘ତୋ ଶରୀରରୁ ଯାଇ ସେ ତୋର ସ୍ତ୍ରୀଙ୍କର ଶରୀରରେ ଆଶ୍ରୟ କଲେ କି ନାହିଁ ସମ୍ବାଦ ନେଇଛୁ ?”

 

ବୃନ୍ଦାବନ ଟେବୁଲ ଉପରୁ ନ୍ୟାପ୍‌କିନଟା ଉଠାଇନେଇ ଆଖି ପୋଛିଲା । ରୁଦ୍ଧ କଣ୍ଠରେ କହିଲା, ‘‘ସତୀ ଲକ୍ଷ୍ମୀ ଅଇହରାଣୀ । ତାଙ୍କର ଆୟୁ ପୁରିଯାଇଥିଲା । ସେ ସ୍ଵାମୀଙ୍କ ପାଦରେ ମୁଣ୍ଡ ରଖି ଜୀର୍ଣ୍ଣବସ୍ତ୍ର ତ୍ୟାଗକଲେ ?’

 

ମୁଁ ବ୍ୟଙ୍ଗ କରି କହିଲି, ‘‘ତା’ପରେ ତୁ ବୋଧହୁଏ ଆଉ ଗୋଟିଏ ନବୀନ ବସ୍ତ୍ର ସଂଗ୍ରହକଲୁ ?”

 

‘‘ସଂଗ୍ରହ କରିବାକୁ ପଡ଼େନିରେ-ମନକୁ ଆସିଯାଏ । ଭଦ୍ରଲୋକର ବୟସ୍କା କନ୍ୟା । ବାହା ନ ହେଲେ ଜାତି ଯିବ । ମା’ କହିଲେ ଉଦ୍ଧାରକର । ମୁଁ ବି ଦେଖିଲି ଯେ ବାହା ନ ହେଲେ ମୁଁ ପୁଣି ଖରାପ ହୋଇଯିବି ।”

 

ବାଲ୍ୟସଖାକୁ ନେଇ ବୁଲି ବାହାରିଲି । ମୋତେ ଏତେ ହସମାଡ଼ୁଥାଏ ଯେ ତା’ର ଗୋଟିଏ ନିଷ୍କାସନର ଉପାୟ ନ କଲେ ହୁଏତ ଘରେ ବସି.. ଅପଘାତରେ ମରିବି ।

 

“ଦେଖି ବୃନ୍ଦାବନ”, ମୁଁ ଧୀରେ ଧୀରେ ପ୍ରସଙ୍ଗ ଉତ୍‌ଥାପନ କଲି-“ଦେଖିଲୁ ତ ମୋର ବବୁଚୀକୁ । ନାଁ ଦେଶୀ ନାଁ ବିଲାତି କୌଣସି ରୋଷେଇ ଭଲଭାବରେ ଜାଣେନା । ଏ ଦେଶରେ ଯାହାକୁ ସାହେବୀଖାନା କହନ୍ତି-ମୁଁ ଭାଇ ସେ ଜିନିଷ ବରଦାସ୍ତ କରିପାରେ ନାହିଁ । ତା’ ଅପେକ୍ଷା ପୂରାପୂରି ଦେଶୀ ଖାନା ଭଲ ।”

 

‘ତା’ହେଲେ,”’ ବୃନ୍ଦାବନ ପ୍ରସ୍ତାବ କଲା, ‘‘ଗୋଟିଏ ପୂଜାରୀ ରଖିପାରୁ ।”

 

‘‘ପୂଜାରୀ ନୁହେଁ, ପୂଜାରୀ ନୁହେଁ–ଗୋଟିଏ ପୂଜାରୁଣୀ ପାଇଲେ ରଖନ୍ତି ।”

 

ବୃନ୍ଦାବନ ଥମକିପଡ଼ି ଠିଆହେଲା । ‘‘କ’ଣ ? କ’ଣ ପାଇଲେ ରଖିବୁ ?”

 

‘‘ପାଚିକା ।”

 

‘‘ଯାଃ ।”

 

‘‘କାହିଁକିରେ ?”

 

‘‘ଯାଃ ! ଥଟ୍ଟା କରୁଛୁ ।”

 

‘‘ସତ କହୁଛି, ଯାହା ହାତରେ ଖାଇଲେ ବେଶ୍ ଗୋଟିଏ ସୁମଧୁର ପରିତୃପ୍ତି ହେବ, ଯିଏ ମୋତେ ଅନ୍ନ ସହିତ ଅମୃତ ପରିବେଷଣ କରିବ, ସେ ନିଶ୍ଚୟ ମେସ୍‌ର ରୋଷେଇଆ ନୁହେଁ । ଉଃ, ସେ କି ଦୁର୍ଭୋଗ !”

 

‘‘ତଥାପି”… । ବୃନ୍ଦାବନ କହିଲା, ‘‘ଯାଃ !’’

 

ମୁଁ କହିଲି, ‘‘ଯାହା କହ ପଛକେ, ସୁନ୍ଦରୀ ସୁନବୀନା ପାଚିକାଟିଏ ପାଇଲେ ମୁଁ ବୋଖାରା ଓ ସମରକନ୍ଦ ଛାଡ଼ିଦେବାକୁ ରାଜିଅଛି । ଅଧିକିନ୍ତୁ ଶହେଟଙ୍କା ଦରମା ।”

 

“ଶ-ହେ-ଟ-ଙ୍କା ! ମା’ରାଣ !”

 

‘‘କାହିଁକି ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?”

 

‘'ନାଁ–କିଛି ମାତ୍ର ନାହିଁ । ମୋର ନିଜ ଦରମା ଯେତେବେଳେ ହେଉଛି ମାତ୍ର ପଞ୍ଚସ୍ତରି ଟଙ୍କା... ।”

 

ମୁଁ ଲଜ୍ଜିତ ହେଲି । ମାତ୍ର ଥାଡ଼ କ୍ଳାସ ପର୍ଯ୍ୟନ୍ତ ଯାହାର ବିଦ୍ୟା ତା’ ଉପରେ ମା’ ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି କହିବାକୁ ପଡ଼ିବ ।

 

ବୃନ୍ଦାବନ କହିଲା, ‘‘ଖାଲି ପାଚିକା ହେଲେ ଚଳିବନାହିଁ, ସୁନ୍ଦରୀ ଓ ସୁ-ସୁ-” “ସୁନବୀନା-।”

 

“ସୁନବୀନା ମଧ୍ୟ ହେବା ଦରକାର ?”

 

‘‘ତା’ ନ ହେଲେ ଖାଇବା ପରି ଗୋଟିଏ ମାମୁଲି ଘଟଣା ଏସଥେଟିକ୍ ଆନନ୍ଦରେ ଭରପୂର ହେବ କିପରି ?’’

 

“ବୁଝିଲି ।”

 

ମୁଁ ଭାବିଲି ବୃନ୍ଦାବନ ଏସଥେଟିକ୍ କଥାଟିର ଅର୍ଥ ବୁଝିଲା । ତା’–‘‘ନୁହେଁ ।

 

‘‘ବୁଝିଲି ତୋର ଅଭିସନ୍ଧ ।” ବୃନ୍ଦାବନ ରହସ୍ୟ କରି ହସିଲା ।

 

ଯାହାହେଉ, କଷ୍ଟ କରି ବୁଝାଇବାକୁ ହେଲାନାହିଁ । କହିଲି, ‘‘ଅଛି ସେପରି କେହି ‌ଝିଅ ତୋର ଜଣାଶୁଣା !”

 

‘‘ନାହିଁ ଫେର୍ !” ବୃନ୍ଦାବନ କହିଲା ମୋ ପ୍ରତି ଆଡ଼ଆଖିରେ ଚାହିଁ ।

 

‘‘ତେବେ”, ମୁଁ ଭାରି ଅଧୈର୍ଯ୍ୟ ହୋଇପଡ଼ି କହିଲି, ‘‘ତୁ କଲିକତାରେ ପହଞ୍ଚି ସାଙ୍ଗେ ସାଙ୍ଗେ ତାକୁ ପଠାଇଦେବୁ ଏଠାକୁ । ଖାଇବା ପିଇବାରେ ଅକଥନୀୟ ଅସୁବିଧା ହେଉଛି ।”

 

‘‘ବୁଝିଲି ।” ସେ ଦୁଷ୍ଟ-ହସ ହସିଲା । କହିଲା, ‘‘ଭାବିଥିଲି ବିଲାତଫେରନ୍ତା କମର୍ସ ପାସ୍‌ ଯେତେବେଳେ, ସେତେବେଳେ ଲୋକଟା ସଚ୍ଚରିତ୍ର ।”’

 

“କିନ୍ତୁ ଦେଖିଲାବେଳକୁ ଲୋକଟା ସୁବିଧାବାଦୀ ।’’

 

ଆମେ ଗୋଟିଏ ବରଗଛ ତଳେ ଚୌତରା ଉପରେ ବିଶ୍ରାମ କଲୁ ।

 

ବୃନ୍ଦାବନ ଆରମ୍ଭକଲା, ‘‘ଗୋଟିଏ ଝିଅ ପିଲାକୁ ଜାଣେ, ନାଁ ସୁବର୍ଣ୍ଣ । ଯେମିତି ନାଁ, ସେମିତି ରୂପ । ଦେବୀପ୍ରତିମା ପରି ଦ୍ୟୁତି I ଚାହିଁଲେ ଆଖି ଝଲସିଯାଏ ।”

 

‘‘କୁମାରୀ ନାଁ ବିଧବା ?”

 

“ସଧବା ।”

 

ମୁଁ ସତକୁସତ ନିରାଶ ହେଲି । କହିଲି, ‘‘ତା’ହେଲେ ଥାଉ ।”

 

“ଶୁଣ ଆଗେ ସବୁଟା । ସଧବା ହଁ, ମାତ୍ର ସ୍ଵାମୀଙ୍କ ସାଥିରେ ସମ୍ପର୍କ ନାହିଁ । ପୁଣି ଯାଃ-ତୋତେ ଫେର୍ ଡରାଇଦେବାକୁ ପଡ଼ୁଛି–ସ୍ଵାମୀର କୁତ୍ସିତ ରୋଗ ।”

 

ମୁଁ ବିବର୍ଣ୍ଣ ମୁହଁ ବିକୃତ କଲି । ବୃନ୍ଦାବନ ପୂର୍ତ୍ତି କରି କହିଲା, ‘‘ସେ ବଡ଼ ମଜା କଥା । ଯାଇଥିଲା ଢାକା ନା ଚାଟଗାଁ । ନେଇଆସିଲା ଗୋଡ଼ ହାତରେ ଫୋଟକା । କହିଲା ଷ୍ଟିମାର୍‌ରେ ବୟଲର ଛୁଆଁ ଲାଗି ସେପରି ହୋଇଛି । ସୁବର୍ଣ୍ଣ ବିଶ୍ଵାସ କଲା । ସେତେବେଳକୁ ତା’ର ବୟସ ଆଉ କେତେ ହେବ-ବୋଧହୁଏ ବାର କି ତେର । ଏପରି ସେବା କଲା ଯେ, ସେବା ଯାହାକୁ କହନ୍ତି-। କିନ୍ତୁ ଏତେ ସେବା ସତ୍ତ୍ଵେ ବୟଲର ଫୋଟକା ଛାଡ଼େନାଁ । କ୍ରମେ କ୍ରମେ ସାରା ଦେହରେ ଫୋଟକା ବ୍ୟାପିଗଲା । ହରିପଦ କଲିକତା ସହରରେ ଷୋହଳଟି କୋଠାର ମାଲିକ । ଚିକିତ୍ସା ଯାହା କରେଇଲା ତା’ ମୋ ପରି କଣ୍ଟ୍ରାକ୍ଟରର ସାଧ୍ୟସୀମା ‌ବାହାରେ । କେହି ତାକୁ ଭୁଜଙ୍ଗେଶ୍ୱରଙ୍କର ପରାମର୍ଶ ଦେଇନାହାନ୍ତି । ସେଥିପାଇଁ ସେ ସ୍ତ୍ରୀକୁ ସଯତ୍ନେ ଦୂରରେ ରଖିଚି-। ସ୍ପର୍ଶ କରିନି । ଏପରି ମୂର୍ଖ ।”

 

ମୁଁ ମନେ ମନେ କହିଲି, “ଧନ୍ୟ ।”

 

“ସ୍ତ୍ରୀର ଯେତେବେଳେ ଭୋଗର ବୟସ ପୂର୍ଣ୍ଣ ହେଲା, ସ୍ଵାମୀକୁ ଅକ୍ଷମ ଦେଖି କ୍ରମଶଃ‌ ତା’ର ଘୃଣା ଆସିଲା । ସେବା ତ କିଛି କମ୍ କରିନାହିଁ-ଏତେ ସେବାର ପୁରସ୍କାର କ’ଣ ହେଲା ? କେତେଗୁଡ଼ିଏ ନାଟକ ନଭେଲ ପଢ଼ି ଏହା ହେଲ ତା’ର ପ୍ରଶ୍ନ । ସେ ଦିନେ ଗଙ୍ଗାସ୍ନାନ କରିବାକୁ ଯାଇ ହଜିଗଲା ।”

 

ମୁଁ କହିଲି–“ନାଟକ ନଭେଲ–ପଢ଼ିବାର ପରିଣାମ ?”

 

“ତା’ ନୁହେଁ ଆଉ କ’ଣ ?” –ବୃନ୍ଦାବନ ଉତ୍ତେଜନାର ସହିତ କହିଲା, “ଘରେ ଘରେ ଝିଅପିଲାମାନେ ତା’ହେଲେ ନଷ୍ଟ ହେଉଛନ୍ତି କାହିଁକି ? ମୁଁ ତ ସ୍ତ୍ରୀଙ୍କ ହାତରୁ ଦେବାପରି, ବହି ଖଣ୍ଡିଏ ବି ଦେଖିଲିନାହିଁ । ଏପରି କି ସ୍ତ୍ରୀଲୋକଙ୍କର ଲେଖା ବହି ମଧ୍ୟ ନୁହେଁ ।”

 

“ତୁ ଗୋଟିଏ କାମ କର” –ମୁଁ ପ୍ରସ୍ତାବ କଲି, “ସ୍ତ୍ରୀ ନୁହେଁ ପୁରୁଷ ନୁହେଁ ଏପରି କୌଣସି ଲୋକର ବହି କିଣି ଦେ । ଘରର ବୋହୂ, ଘରେ ରହିବ ।”

 

ବୃନ୍ଦାବନ ପରିହାସର ମର୍ମ ନ ବୁଝି କହିଲା, “ସେଇଆ ଭଲ । ତୋ ପାଖରୁ ଗୋଟିଏ ଲିଷ୍ଟ ଲେଖିନେବି, ଲଳିତ ! ଦେଖ, ତୋ ନୂଆବୋଉ ପ୍ରତି ତୋର ଗୋଟିଏ ଦାୟିତ୍ଵ ଅଛି ।”

 

ମୁଁ ମନେ ମନେ ଗୋଟିଏ ଚିଠା ଛକି ପକାଇଲି ।

 

କହିଲି, ‘‘ତା’ ପର ସୁବର୍ଣ୍ଣର କ’ଣ ହେଲା କହ ?”

 

“କ’ଣ ଆଉ ହେବ, କାଶୀରୁ ଧରାହୋଇ ଆସିଲା । ସାହିପଡ଼ୋଶୀମାନେ ତାକୁ କେତେ ବୁଝାଇଲେ, କେତେ ମିଠା ବଚନ ଶୁଣେଇଲେ । ତା’ର ସେହି ଏକା ଉତ୍ତର-‘ମୁଁ ବ୍ରହ୍ମଚାରିଣୀ ହୋଇପାରିବି ନାହିଁ । ଆପଣମାନେ କିଏ କିଏ ବ୍ରହ୍ମଚାରୀ ଶୁଣେ ?” ସେତେବେଳେ ଆମେ ସମସ୍ତେ ଲାଜରେ ସେ ଯାହା ଘରକୁ ପଳାଇଗଲୁ ।”

 

“ଆଉ ସୁବର୍ଣ୍ଣ ?”

 

“ସୁବର୍ଣ୍ଣକୁ ପଠାଇଦିଆଗଲା ତା’ ମାମୁଘରକୁ । ତା’ର ବାପା ନାହାନ୍ତି । ମା’ ରହନ୍ତି ସେଇଠି । ମାତ୍ର ନାଟକ ନଭେଲ କ’ଣ ସହଜ କନିଷ ! ମାମୁ ପୁଅ ଭାଇ-ଭଉଣୀରେ ଯଦି ପ୍ରେମ ନ ହେଲା, ତେବେ ଆଉ ପ୍ରଗତି ହେଲା କ’ଣ ? ଖବର ପାଇ ମାଈଁ ସୁବର୍ଣ୍ଣକୁ ତା’ ସ୍ଵାମୀ ଘରକୁ ପଠାଇଦେଲେ । ଏହା ଭିତରେ ହରିପଦର ଜୀବନରେ ଧିକ୍‌କାର ଆସିଥାଏ । ମୁଁ ତାକୁ ଭୁଜଙ୍ଗେଶ୍ୱରଙ୍କ ଠିକଣା ଦେଇଛି । ସ୍ଵପ୍ନ ସେ ଦେଖିଆସିଛି ଏକାବେଳକେ ମୋ ପରି । ଏପଟେ ସୁବର୍ଣ୍ଣ ସିନେମାଦେଖାରେ ମାତିଛି । ସ୍ଵାମୀର ଭଲକଥା ତାକୁ ମନ୍ଦ ଲାଗେ । ସେ କହେ ‘ନାଁ-ଭୋଗ ଚାହେଁ ବୋଲି ରୋଗ ଚାହେଁନା । ଶୁଣିଲୁ ତ ?"

 

ମୁଁ ଟିକିଏ ପୂର୍ବରୁ ସ୍ଵାମୀକୁ ଧନ୍ୟ କହିଥିଲି । ଏଥର ସ୍ତ୍ରୀକୁ କହିଲି, “ଧନ୍ୟ ।”

 

“ଧନ୍ୟ ? ଧନ୍ୟ କହିବୁ ତୁ ସେଇ ଆବଧ୍ୟ ଅସତୀ ସ୍ତ୍ରୀକୁ ?”

 

“ଯାହାହେଉ ତୁ ବର୍ତ୍ତମାନ ତା’ର କାହାଣୀଟା ଶେଷ କର ।”

 

“ଶେଷ ?” ବୃନ୍ଦାବନ ପ୍ରଫୁଲ୍ଲ ହୋଇ କହିଲା, ‘‘ଆମେମାନେ ହରିପଦକୁ ଆଉଥରେ ଜାକଜମକରେ ବାହାଦେଲୁ । ଏଇତ ସେଦିନର କଥା ! ଏଇନେ ବି ଉଦ୍‌ଗାର ଉଠୁଛି ସେଦିନର ସେଇ ଗୁରୁ ଭୋଜନର । ହଁ, ଖୁଆଇବା ଜାଣେ ହରିପଦ ।”

 

“କିନ୍ତୁ ସୁବର୍ଣ୍ଣର କ’ଣ ହେଲା ?”

 

ବୃନ୍ଦାବନ ବିରକ୍ତିମିଶା ସ୍ଵରରେ କହିଲା, ‘‘କ’ଣ ଆଉ ହବ ଶୁଣେ ? ହିନ୍ଦୁ ନାରୀର ସ୍ଵାମୀଛଡ଼ା ଆଉ ଅନ୍ୟ ଗତି ଅଛି ? ଦେଖିବୁ ଦି’ଦିନ ପରେ ସବୁ ଠିକ୍ ହୋଇଯିବ ।”

 

ମୁଁ ଭରସା ପାଇ ପଚାରିଲି, ‘‘ସବୁ ଠିକ୍ ହୋଇଯାଇନି ତା’ହେଲେ ?”

 

‘‘ନାଁ । ମଝିରେ ମଝିରେ ମୋ ଘରକୁ ଆସି ଅନର୍ଥ କରେ–ବୃନ୍ଦାବନବାବୁ, ମୋର ଆପଣ ଗୋଟିଏ ଉପାୟ କରନ୍ତୁ । ନହେଲେ ବେଶ୍ୟା ହୋଇଯିବ ।”

 

“ବେଶ୍ ତ…ତୁ ଗୋଟାଏ ଉପାୟ କରୁନୁ କାହିଁକି ?”

 

ବୃନ୍ଦାବନ ଦୁଇ ହାତ ଯୋଡ଼ି ମୁଣ୍ଡରେ ଲଗାଇ କହିଲା, ‘‘ଏକରେ ବ୍ରାହ୍ମଣୀ, ସେଥିରେ ପୁଣି ପରସ୍ତ୍ରୀ ।”

 

ଫେରିବା ବାଟରେ ମୁଁ କହିଲି, ‘‘ବୃନ୍ଦାବନ, ମୋତେ ସତ କରି କହିଲୁ ସୁବର୍ଣ୍ଣର ସେ ରୋଗ ନାହଁ ?”

 

“ଯେତେଦୂର ଜାଣେ ନାହିଁ ।”

 

‘‘କିନ୍ତୁ ମୁଁ ଚାହେଁ ଠିକ୍ ଜାଣିବାକୁ ।”

 

“ଠିକ୍ ଜାଣେନାଁ ।”

 

‘‘ତା’ହେଲେ ତାକୁ ଡାକ୍ତରୀ ପରୀକ୍ଷା କରାଇବାକୁ ହେବ । ପାରିବୁ ଏ ଭାର “ନେଇ ?”

 

କିଏ ? ମୁଁ ?”-ବୃନ୍ଦାବନର ମୁହଁ ଶୁଖି ଏତେ ଟିକେ ହୋଇଗଲା ।

 

‘‘ହଁ ରେ, ତୁ । ମୁଁ ତ କଲିକତା ଯାଉନି-ଯାଉଛୁ ତୁ ।”

 

‘‘ବା’ରେ ।”

 

‘‘ବା’ରେ ନୁହେଁ ‘‘ପାରିବୁ କି ନାହିଁ କହ ?”

 

‘‘ରହ, ଭାବି ଦେଖେଁ ।”

 

“ଭାବିବାର କିଛି ନାହଁ । ସୁବର୍ଣ୍ଣର ସ୍ଵାମୀ ତାକୁ ଛାଡ଼ପତ୍ର ଦେଇଛି କି ନାହିଁ ?”

 

“ଛାଡ଼ିଦେବାପରି ।”

 

‘‘କେତେ ତା’ର ବୟସ ? ସାବାଳିକା ?”

 

‘‘ଉଣେଇଶି କୋଡ଼ିଏ ।”’

 

‘‘ତେବେ ଆଉ କ’ଣ…ତାକୁ କହିବୁ ପୁଣି ହଜିଯିବାକୁ ।”

 

ବୃନ୍ଦାବନ କହିଲା, ‘‘ସତକୁସତ ହରିପଦ ମଧ୍ୟ ସେଇଆ ଚାହେଁ । କଳଙ୍କର ଆଉ ବାକି ରହିଲା କ’ଣ ? ବେଶ୍ୟା ହେଲେ ଷୋହଳ କଲା ପୂର୍ଣ୍ଣ ହେବ । କଲିକତା ସହରରେ ହରିପଦ ବିଚରାର ମୁହଁ ଦେଖେଇବାର ରାସ୍ତା ରହିବନି । ତା’ର ସାଙ୍ଗସାଥୀଙ୍କ ମଧ୍ୟରୁ ହୁଏତ କେହି କେହି ଯିବାଆସିବା କରିବେ ।”

 

‘‘ପ୍ରତିବେଶୀମାନଙ୍କ ମଧ୍ୟରୁ ବି ?”

 

“ହଁ, ପ୍ରତିବେଶୀମାନଙ୍କ ମଧ୍ୟରୁ ବି ।”

 

‘‘କ’ଣ କହୁଛୁ...ସେଇ ସବୁ ବ୍ରହ୍ମଚର୍ଯ୍ୟବାଲାଙ୍କ ମଧ୍ୟରୁ ବି ?”

 

“କାହିଁକି ନୁହେଁ ? ପୁରୁଷର ପୁଣି ସତୀତ୍ଵ !”

 

ମୁଁ ରାଗରେ ପ୍ରାୟ ପାଗଳ ହୋଇଗଲି । କହିଲି, ‘‘ସମସ୍ତେ ତା’ହେଲେ ଶାଗୁଣା ପରି ଚାହିଁବସିଛନ୍ତି କେବେ ସେ ଝିଅ ମରିବ !”

 

ବୃନ୍ଦାବନ ଶିହରିଉଠି କହିଲା, ‘‘ଦୁର୍ଗା ଦୁର୍ଗା ! ଏତେ ରୂପ, ଏମନ୍ତ ଯୌବନ, …ମରିବ !”

 

‘‘ବେଶ୍ୟା ହୋଇଯିବାଟାକୁ ମୁଁ ମନୁଷ୍ୟତ୍ଵର ମରଣ କହେ ।”

 

‘‘ସେ ସବୁ....” ବୃନ୍ଦାବନ ପ୍ରତ୍ୟୟର ସହିତ କହିଲା, ‘‘ଭଗବାନଙ୍କ ହାତରେ । ବେଶ୍ୟା ନ ଥିଲେ ପାପୀ ନ ଥାନ୍ତେ । ଆଉ ପାପୀ ନ ଥିଲେ ଭଗବାନ କାହାକୁ ତାରିବେ !”

 

ଏହିପରି ଯାହାର ଯୁକ୍ତି ତାହା ସହିତ ତର୍କ ବୃଥା । ମୁଁ ଚୁପ୍‌କରି ଭାବିଚାଲିଲି ସୁବର୍ଣ୍ଣର ସମସ୍ୟା । ସେ ଯଦି ବେଶ୍ୟା ହୋଇଯାଏ ତେବେ ଠିକ୍ ଯେଉଁ ରୋଗଟାକୁ ଏଡ଼ିବାକୁ ଚାହୁଁଛି, ସେଇ ରୋଗରେ ମରିବ । ଅଥଚ ପୂର୍ଣ୍ଣବୟସରେ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବା ମଧ୍ୟ ପ୍ରକାରାନ୍ତରରେ ନପୁଂସକତ୍ଵ, କ୍ଲୀବତ୍ଵ । ତାହା ମଧ୍ୟ ବେଶ୍ୟାବୃତ୍ତି ପରି ଅବମାନବିକ ।

 

ହଠାତ୍ କିପରି ଯେ ସେଣ୍ଟିମେଣ୍ଟାଲ୍ ବୋଧକଲି-ମନେହେଲା ପୁରୁଷ ହୋଇ ଜନ୍ମ ହୋଇଛି କାହିଁକି-ଯଦି ନାରୀକୁ ରକ୍ଷା କରି ନ ପାରିଲି I ସମାଜରେ ଯାହାକୁ ନୀତି କୁହନ୍ତି ତା’ ଉପରେ ମଧ୍ୟ ଆଉ ଗୋଟିଏ ନୀତି ଅଛି । ସେ ନୀତି ବୀରର । ସେ ନୀତି ଯେଉଁମାନେ ମାନନ୍ତି ସେମାନେ ହିଁ ଦିନେ ହୁଅନ୍ତୁ ସମାଜର ନମସ୍ୟ ।

 

ପରିହାସର ପରିଣାମ ଏଇଆ ହେଲା ଯେ ବୃନ୍ଦାବନକୁ ମୁଁ ଟିକିଏ ଜୋର୍ ଦେଇ କହିଲି, ‘‘ତୁ ତାକୁ ପଠାଇଦେ, ମୁଁ ନିଜେ ତାକୁ ଡାକ୍ତରୀ ପରୀକ୍ଷା କରାଇନେବି ।”

 

ବୃନ୍ଦାବନ ଚାଲୁ ଚାଲୁ ସ୍ତମ୍ଭିତ ହୋଇଗଲା । କହିଲା, ‘‘ଯେଉଁ ପାଇଁ ତୋ ପାଖକୁ ଆସିଛି, ସେଟା ଏଥର ଖୋଲି କହେ । ମୋର ବଡ଼ସାହେବଙ୍କୁ ଖଣ୍ଡେ ଚିଠି ଲେଖି ମୋ ପାଇଁ ସୁପାରିସ କରିବାକୁ ହେବ । ଦେଢ଼ଶହ ଟଙ୍କାର ଗୋଟିଏ ଭାକାନ୍‌ସି ହୋଇଥିବାରୁ ଦେଢ଼ଶହ ମାଇଲ୍ ଦୌଡ଼ି ଆସିବାକୁ ପଡ଼ିଲା ।”

 

“କିନ୍ତୁ ...” ମୁଁ ଆପତ୍ତି କଲି, ‘‘ତୋ ବଡ଼ସାହେବକୁ ମୁଁ ଚିହ୍ନେନା । ସେ କ’ଣ ମୋତେ ଚିହ୍ନନ୍ତି ?”

 

‘‘ହେଲା ହେଲା,” ବୃନ୍ଦାବନ ମୋ ପିଠି ଥାପୁଡ଼େଇ କହିଲା, ‘‘ତୋତେ ନ ଚିହ୍ନିପାରନ୍ତୁ, ତୋର ବ୍ୟାଙ୍କ ଚାକିରିକୁ ଚିହ୍ନିଥିବେ । ଆଜି…ବୁଝିଲୁ...ଖରାବେଳ ଗାଡ଼ିରେ ଫେରିବି ।”

 

ବୃନ୍ଦାବନ ଚାଲିଯିବାର ମାସେ ଖଣ୍ଡେ ପରର କଥା । ଭୁଲିଯାଇଥିଲି କ’ଣ ତାକୁ କହିଛି-। ସାମାଦ ହାତରେ ବଢ଼ିଆ ଖାଇପିଇ ସୁଖରେ ଅଛି । ବାପା ଆସି ବାହାଘର ପାଇଁ ସାଧ୍ୟସାଧନା କରି ଗଲେ । ରାଜି ହୋଇନି । ମୁଁ ଇକନମିକ୍‌ସର ଛାତ୍ର-ମୁଁ କ’ଣ ଏ ଆୟରେ ବାହା ହେବି-? ବିବାହ ଅର୍ଥ ଯଦି ବାର୍ଥ କଣ୍ଟ୍ରୋଲ ହୁଅନ୍ତା, ତେବେ ସେଟା ହୁଅନ୍ତା ଉତ୍ତମ ପ୍ରସ୍ତାବ; କିନ୍ତୁ ଆମର ଶ୍ରୀମତୀମାନେ ଯେ ମାତୃତ୍ଵରୁ ଅଲଗା କରି ପତ୍ନୀତ୍ଵ ପସନ୍ଦ କରନ୍ତି ନାହିଁ ।

 

ଏହିପରି ସମୟରେ ଦିନେ ରାତିରେ କ୍ଲବ୍‌ରୁ ଫେରି ବସିବାଘର ଦୁଆରମୁହଁରେ କାବା ହେଇ ଠିଆହେଲି ।

 

କିଏ ସେ ନାରୀ ?

 

ବ୍ୟାଚେଲର ଘରେ ନାରୀ ଯେପରିକ ବିଧବା ହାଣ୍ଡିରେ ମାଛ । ଲୋକେ କ’ଣ କହିବେ-? ମୁଁ ଯେ ଜଣେ ରେସ୍‌ପେକ୍‌ଟେବଲ୍, ଜେଣ୍ଟଲମ୍ୟାନ୍...କ୍ଲବ୍‌ର ମେମ୍ବର ।

 

ମା’ ଧରଣୀ ଦ୍ଵିଧା ହେଲେନାହିଁ । ମୋ ଦେହ ଝାଳରେ ଭାସିଗଲା । ମୁଁ ଠିଆହେବି କି ପଳେଇବି ସେ ବିଷୟରେ ପଦ୍ମଦ୍ଵୟ ମଧ୍ୟରେ ମତଦ୍ଵୈଧ ଲକ୍ଷିତ ହେଲା । ଏଣେ ମୋ ଆଖିଗଲା ଅଟକି ।

 

କି ରୂପ ! ପେଟ୍ରୋମେକ୍‌ସ ବତି ଆଲୁଅରେ ସେ ଟିପୟ ଉପରେ ନଇଁପଡ଼ି ଖଣ୍ଡିଏ ବିଲାତୀ ପତ୍ରିକାର ଛବି ଦେଖୁଥାଏ–ନିବିଷ୍ଟ ଭାବରେ । କଠିନ ସଂଯମ ତା’ର ତନୁକୁବାନ୍ଧି ରଖିଛି । ନ ହେଲେ ବୋଧହୁଏ ତାହା ଦଶ ଦିଗକୁ ଉଛୁଳି ପଡ଼ିଥାନ୍ତା । ମିଳେଇ ଯାଇଥାନ୍ତା । ଯେପରିକି ଗୋଟିଏ ପୂର୍ଣ୍ଣ ପ୍ରସ୍ଫୁଟିତ ସ୍ଵର୍ଣ୍ଣଗୋଲାପ ।

 

ମାତ୍ର କିଏ ସେ ? ମୋ ଘରେ କାହିଁକି ?

 

ମୁଁ ଯେ ଠିଆହୋଇ ରହିଛି, ତାହା ସେ ଅନୁଭବ କଲା । ଆସନରୁ ଉଠି ମୋଆଡ଼େ ଚାହିଁଲା । କିଛି କହିଲା ନାହିଁ । ମାତ୍ର ଯେପରି କି ଇଙ୍ଗିତଦ୍ଵାରା ମୋତେ ଜଣାଇଲା, ଆସିପାରନ୍ତି ।

 

ମୁଁ ଆକୃଷ୍ଟ ପରି ଭିତରକୁ ଯାଇ ଟିକିଏ ଦୂରରେ ବସିଲି । ସେ ବି ବସିଲା ସତ, ମାତ୍ର ମୋଆଡ଼େ ଅନାଇଁ ରହିଲା-ଯେପରିକି ମୋତେ ଆଖିଦ୍ଵାରା ଯାଞ୍ଚ କରିନେଲା । ମୋତେ ତା’ରି ପସନ୍ଦ ହେଲା କି ନାହିଁ ଜାଣିପାରିଲି ନାହିଁ, ଜାଣିବାର ଇଚ୍ଛା ହେଉଥାଏ । ମୁଁ ଯେପରି ଗୋଟିଏ ବିବାହଯୋଗ୍ୟ ବାଳିକା, ଆଉ ସେ ବିବାହୋଦ୍ୟତ ପୁରୁଷ ।

 

ମୋତେ ଭାରି ଆସ୍ଵସ୍ତି ବୋଧହେଲା । କିଛି ପଦେ କହିବା ଉଚିତ । କିନ୍ତୁ ସ୍ଵପ୍ନରେ ଯେପରି କଥା କହି ହୁଏନା, ଏହା ବି ସେହିପରି । ବଚନ ପ୍ରବୃତ୍ତି ଦୁର୍ବାର ହେଲେ ସ୍ଵପ୍ନଟି ଯିବ ଭାଙ୍ଗି-। ଆଉ ଏପରି ସ୍ଵପ୍ନ ଭାଙ୍ଗୁ ସେଥିରେ ମୋର ଆଗ୍ରହ ନ ଥିଲା ।

 

ମୁଁ ତା’ର ପରୀକ୍ଷମାଣ ଦୃଷ୍ଟିର ଲକ୍ଷ୍ୟହୋଇ ନଜରବନ୍ଦୀ ହେଲି ମୋ ନିଜ ଗୃହରେ । ବୋଧହୁଏ ଏପରି ଭାବରେ ରାତି ବିତିଯାଇଥାନ୍ତା; କିନ୍ତୁ ମୋର ପ୍ରଭୁଭକ୍ତ ବେୟାରା ତାହା ହେବାକୁ ଦେବ କାହିଁକି ? ସେ ଆସି ପଚାରିଲା, ‘‘କୌଣସି ପାନୀୟ ଆଣି ଦେବାକୁ ହେବ କି ?”

 

ମୁଁ ଚମକିଉଠିଲି-ଯେପରି କି ଧପଡ଼ିଗଲି । କହିଲି, ‘‘ଉଃ…ହଁ...ମୋ ପାଇଁ ଛୋଟ ପେଗ୍-। ଆଉ...ଆପଣ ଅବଶ୍ୟ ଚାହା ପିଇବେ !”

 

ସେ କଠିନ ଭାବରେ କହିଲେ, ‘‘ଚାହା କରି ପିଆଇବା ପାଇଁ ମୁଁ ଆସିଛି; ଚାହା ପିଇବାକୁ ନୁହେଁ ।”

 

ମୋର ହଠାତ୍ ସ୍ମରଣ ହେଲା-ଏ କ’ଣ ସେଇ... ?

 

ପାଟି ଫିଟାଇ ପଚାରିଲି ।

 

ସେ ସପ୍ରତିଭ ଭାବରେ କହିଲେ, “‘ମୁଁ ହିଁ ସୁବର୍ଣ୍ଣ ।”

 

ସେତେବେଳକୁ ମୁଁ ଯେ କି ଲଜ୍ଜାରେ ପଡ଼ିଲି ତାହା କେହି ଅନୁମାନ କରିପାରିବେ ନାହିଁ-। ସୁବର୍ଣ୍ଣ ନିଶ୍ଚିତ ଜାଣେ କେଉଁଥିପାଇଁ ତାକୁ ମୋର ଦରକାର । ଜଣେ ପୂର୍ଣ୍ଣବୟସ୍କା ଭଦ୍ର ନାରୀ ମୋ ସମ୍ବନ୍ଧରେ ନ ଜାଣେ କ’ଣ ଭାବିଲେ ! ତାହା ଜାଣି ମଧ୍ୟ ସେ ଯେ ଆସିଲେ–ଛି-ଛି, କେଡ଼େ ନିର୍ଲଜ୍ଜୀ ସେ !

 

ମୁଁ ତା’ର ଆଖିରେ ଆଖିପକାଇବାକୁ ଯାଇ ଥରିଉଠୁଥିଲି । ଭଦ୍ରାମି କରି କହିଲି, “ନାଁ ନାଁ, ତା’ କ’ଣ ହୁଏ । ଆପଣ କାହିଁକି ଚାହା କରିବାକୁ ଯିବେ ?”

 

ଘନ ପକ୍ଷ୍ମର ପର୍ଦ୍ଦା ଘୁଞ୍ଚାଇ ତା’ର ଉଜ୍ଜ୍ୱଳ ତୀବ୍ର ଚାହାଣି ମୋ ଆଖିଉପରେ ଟର୍ଚ୍ଚ ବତି ପରି ପଡ଼ିଲା । ସେ କହିଲେ, ‘‘ବିଶ୍ଵାସ କରନ୍ତୁ, ମୋର କୌଣସି ରୋଗ ନାହିଁ ।”

 

ମୁଁ ବିଶେଷ ଅପ୍ରସ୍ତୁତ ହୋଇ କହିଲି, ମ..ମ..ମୁଁ ତା’ ...ତା’ ...ତାହା ମିନ୍ କରିନାହିଁ । କିଛି ମ...ମ ମନେକରିବେ ନାହିଁ ।” ଏହା କହି ଏକ ହେକୁଟି ..

 

ସେ ତହୁଁ କହିଲେ, ‘‘ ଅନୁମତି ଦେଲେ ମୁଁ ଚାହା କରି ଆଣନ୍ତି ।”

 

ମୁଁ କହିଲି, ‘‘ନାଁ, ନାଁ, ସୁବର୍ଣ୍ଣ ଦେବି ! ମୋର ଲୋକମାନେ ଥାଉ ଥାଉ ଆପଣ କାହିଁକି କଷ୍ଟ କରିବେ ?”

 

ସେ କ୍ଷୁଣ୍ଣ ହେଲେ । କହିଲେ, ‘‘ତେବେ ମୁଁ କେଉଁ ଅଧିକାରରେ ଏଠାରେ ରହିବି ?”

 

ସତକୁସତ ମୁଁ ବୁଝିପାରେନା ଲୋକେ କିପରି ଅପରିଚିତ ଝିଅକୁ ବାହାହୁଅନ୍ତି । ମୋର ପାପୀ ମନ କହେ, ସେଟା ଭାଣ୍ଡାମି । ଅର୍ଥାତ୍ କାମ-ପ୍ରବୃତ୍ତି ପାଇଁ ପ୍ରତ୍ୟେକଙ୍କ ମନରେ ଯେଉଁ ଧିକକାର ଅଛି, ସେଇ ଧିକ୍‌କାରଟାକୁ ମନ୍ତ୍ର ପଢ଼ି ଶୋଧନ କରିନେଲେ-ନିଜକୁ ଓ ଅପରକୁ ବଞ୍ଚନା କରିବାକୁ ଆଉ ବାଧେନା ସେତେବେଳେ ସେ ତ କାମ–ପ୍ରଭୃତ୍ତି ନୁହେଁ, ସେ ଧର୍ମସାଧନା, ବଂଶରକ୍ଷା, କଠୋର କର୍ତ୍ତବ୍ୟ ଇତ୍ୟାଦି । ସେତେବେଳେ ଅପରିଚିତା ନାରୀ ଦେହରେ ହାତ ଦେବାପାଇଁ ଅନୁମତିର ଦରକାର ହୁଏନା…ମନ୍ତ୍ରଟା ହିଁ ତ ଅନୁମତି !

 

ତେବେ ୟାକୁ ଯଦି ବାହାହେବାର ଉପାୟ ଥାନ୍ତା, ମୁଁ ବାହାହୁଅନ୍ତି । ଭଣ୍ଡାମି ନ କରି, ମନକୁ ଆଖି ନଠାରି ଏହି ଦେବୀପ୍ରତିମା ପରି ନାଗକୁ ଶଯ୍ୟାର ଅଂଶ ଦେବାକୁ ମୋର ଯେଉଁ ଲଜ୍ଜା, ଯେଉଁ ପୁଲକ, ଯେଉଁ ଦୁଃସାହସ, ତା’ ମୋ ପରି ବାଜେ ଲୋକକୁ ସାଜେନା; ତା’ ଅର୍ଜୁନ ପରି ବୀରପକ୍ଷରେ ଶୋଭନୀୟ ।

 

ନାଁ, ମୁଁ ବୀର ନୁହେଁ । ବୃନ୍ଦାବନ ଆଗରେ ବୀରପଣ ଜାହିର ନକରିଥିଲେ ଭଲ ହୋଇଥାନ୍ତା ।

 

ମୋତେ ନିର୍ବାକ୍ ଦେଖି ସେ କହିଲେ, ‘‘ତା’ହେଲେ ଏଠାରେ ମୋର ସ୍ଥାନ ହେବନାହିଁ-?”

 

ଏହାର ଉତ୍ତର କ’ଣ ଦେବି ଯେ ! ‘ନା’ କହିଲେ କଥା ଛିଣ୍ଡିଯାଏ; ଅଥଚ ସେ ଚାଲିଯାଉ ଏ କଥା କ’ଣ ମୁଁ ମୁହଁ ଫିଟାଇ କହିପାରେ ? ବିଲାତରୁ ଆସିବା ଦିନଠାରୁ ମୁଁ ସ୍ତ୍ରୀଜାତି ସଙ୍ଗରେ ମନଖୋଲି ଦୁଇପଦ କଥା କହିବାର ସୁଯୋଗ ପାଇନି, ମାମୁଲି ଆଦବ୍-କାଇଦା ସମ୍ଭାଳୁ ସମ୍ଭାଳୁ ଜାନ୍ ଖତମ୍ । ଆଉ ଏ ଦେଶରେ ଏପରି ନାରୀ-ଦୁର୍ଭିକ୍ଷ ସେ ବୁଢ଼ି ମେମ୍ ଓ ଥନ୍ତଳ ଇଙ୍ଗ-ବଙ୍ଗିନୀ ଛଡ଼ା ଆଉ କାହା ସାଙ୍ଗରେ ମିଳାମିଶା କରିବାର ସୁଯୋଗ ନାହିଁ । ଏଇ ଝିଅଟି ଯଦି ଦେଢ଼ଶ’ ମାଇଲ ଦୂରରୁ ଆସିଛି, ତେବେ ଏହା ସାଙ୍ଗରେ ଦେଢ଼ଘଣ୍ଟା ଆଳାପ କରିବନି କିପରି ?

 

‘‘ଦେଖନ୍ତୁ” । ...ମୁଁ ଆରମ୍ଭ କଲି, କିନ୍ତୁ ଅଗ୍ରସର ହୋଇପାରିଲିନି ।

 

ସେ ଅତିଷ୍ଠ ବୋଧ କରୁଥିଲା ବୋଲି ମୋର ହୃଦ୍‌ବୋଧ ହେଲା-‘ଦେଖନ୍ତୁ, ଆପଣଙ୍କୁ ବୃନ୍ଦାବନ କ’ଣ ଜଣାଇଛି…”

 

“ବୃନ୍ଦାବନବାବୁ ଏତିକି ମାତ୍ର ଜଣାଇଛନ୍ତି ଯେ ଆପଣଙ୍କର ଜଣେ ପାଚିକା ଦରକାର । ମୁଁ ବ୍ରାହ୍ମଣକନ୍ୟା, ବୋଧହୁଏ ମନ୍ଦ ରାନ୍ଧେନା । ତେବେ ବିଲାତି ରୋଷେଇ କଥା ଅଲଗା ।”

 

ଏଥର ମୁଁ ଗୋଟିଏ ଆଳ ପାଇଲି । କହିଲି, ‘ସେଟା ହିଁ ମୋ ପକ୍ଷରେ ଅସଲ । ମୁଁ....ବୁଝିପାରୁଛନ୍ତି...ଏକାବେଳକେ ବିଶୁଦ୍ଧ ବିଲାତଫେରନ୍ତା । ଗୋରୁ ଛଡ଼ା ବିଶେଷ କିଛି ଖାଏନା-।”

 

ସେ ଅବିଚଳିତ ସ୍ଵରରେ କହିଲେ, ‘‘ଯଦି କେହି ଶିଖେଇଦିଏ ତେବେ ସେଇଆ ରାନ୍ଧି ଖୁଆଇବି ।’’

 

ମୁଁ ଡରିଗଲି । କହିଲି, ‘‘ତାପରେ...ଦେଖନ୍ତୁ...ଖାଇବା ସବୁ ନୁହେଁ, ପିଇବା ମଧ୍ୟ ଅଛି । ସେ ସବୁ ବିଷୟରେ… ବୁଝିଲେ ନା.. ମୁଁ ଏକାବେଳକେ ପୁରୁଣାକାଳିଆ ବିଲାତଫେରନ୍ତା ।”

 

ସେ କହିଲେ, ‘‘କହିଦେଲେ ତା’ ମଧ୍ୟ ପାରିବି ।’’

 

ଏହା ପରେ ମୁଁ ଆଉ କ’ଣ କହିପାରେ ? ତେବେ ଯେତେପ୍ରକାର ଡର ଦେଖେଇ ହୁଏ, ଦେଖେଇଲି । କହିଲି, ‘‘ଭୟଙ୍କର ବଦ୍‌ରାଗୀ ମଣିଷ ମୁଁ । ଚାବୁକ ନେଇ ଯାହାକୁ ପାଖରେ ପାଏ ତାକୁ ମାରେ । ତାହା ନ ହେଲେ ପୁଣି ମୋର ନିଦ ହୁଏନି ।’’

 

ଏତେ ସମୟ ପରେ ସେ ଟିକିଏ ମୁରୁକି ହସିଲେ । କହିଲେ, ‘‘ଭଲହେଲା ଏବେ ଦି’ ଚାରି ପାହାର ମାରିବେ ।”

 

ମୁଁ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ କହିଲି, ‘‘ଦରମା…ଦରମା କିନ୍ତୁ ମୁଁ ଦେଇପାରିବିନି । ପାଚିକା ଦରକାର ବୋଲି ପାଚକଟାକୁ ଛାଡ଼ିଦେବି, ଏ କଥା ତ କହିନି ! ତାକୁ ତା’ର ଦରମା ନ ଦେଲେ ସେ କ’ଣ ଆପଣଙ୍କୁ ବିଲାତୀ ରୋଷେଇ ଶିଖେଇବ ? ଏହା ଉପରେ ଆପଣଙ୍କୁ ଯେ ଦରମା ଦେବି-ବୁଝିଲେ–ମୋ ଦରମାରୁ ବଞ୍ଚିଲେ ସିନା ଦେବି ? ଖାଇବା–ପିଇବାରେ ସବୁ ଉଡ଼ାଇଦିଏ ।”

 

‘‘ଆଚ୍ଛା, ମୁଁ ବିନା ଦରମାରେ ଚାକିରି ସ୍ଵୀକାର କରୁଛି ।”

 

ମୋର ଇଚ୍ଛାହେଲା କହିବାକୁ–ସୁବର୍ଣ୍ଣ, ତୁମକୁ ମୁଁ ମୁଣ୍ଡରେ ବସେଇ ରଖିବି । ମୋର ସର୍ବସ୍ଵ ତୁମର । କିନ୍ତୁ ମୋତେ ଲଜ୍ଜା ଲାଗିଲା ତା’ ସହିତ ରହିବା କଥା ଭାବି ଭଗବାନଙ୍କୁ ଧନ୍ୟବାଦ, ମୁଁ ସେଣ୍ଟିମେଣ୍ଟାଲ ହୋଇ ସର୍ବନାଶ ଘଟାଇନାହିଁ ।

 

ମୁଁ ଚୁପ୍ କରି ରହିଲି ବହୁ ସମୟ ।

 

ସେ ଉଠିଆସି ଗୋଡ଼ତଳେ ପଡ଼ି କହିଲେ, ‘‘ବିଶ୍ୱାସ କରନ୍ତୁ...ମୋର ସେଇ ରୋଗ ନାହିଁ । ତା’ର ଆଖି ସଜଳ । ସେ ଯେ କି ରମଣୀୟ ଦିଶୁଥିଲା । ମୁଁ ମୁଗ୍‌ଧ ହୋଇ ନିରୀକ୍ଷଣ କଲି-। ଗୋଡ଼ ଘୁଞ୍ଚାଇ ନେବାକୁ ଭୁଲିଗଲି । ତାକୁ ହାତ ଧରି ଉଠାଇବାକୁ ମୋର ସାହସ ହେଉନଥିଲା-

 

ହୃଦୟକୁ ଦମ୍ଭ କରି କହିଲି, ‘‘ମାତ୍ର ଆପଣ ଯେ ପରସ୍ତ୍ରୀ ।”

 

ସେ ମୁଣ୍ଡ ହଲାଇ କହିଲେ, “ନାଁ ! ମୁଁ ଆପଣଙ୍କର ହିଁ ସ୍ତ୍ରୀ । ତା’ର ଅଶ୍ରୁ ବାଧା ମାନିଲା ନାହିଁ । ବୋଧହୁଏ ସାରା ଦିନ ଅନାହାରରେ କଟିଛି-ଟ୍ରେନ୍‌ରେ । ସେ ମୋର ପଦଶ୍ଚୁମ୍ୱନ କଲେ ।

 

ଏତେ କଠିନତା ଭିତରେ ଏତେ କୋମଳତା ଥିଲା ! କିନ୍ତୁ ଏ କି ରୋମାନ୍‌ସ ? ମୁଁ ତ ଆର୍ଟିଷ୍ଟ ନୁହେଁ, ସଙ୍ଗୀତକଳାନିଧି ନୁହେଁ, ମୁଁ କାମିକା ଲୋକ, ବ୍ୟାଙ୍କ ଚାକିରିଆ । ତାହା ମଧ୍ୟ ବୃନ୍ଦାବନ ଯେଡ଼େ ବଡ଼ ମନେକରିଥିଲା ସେତେ ବଡ଼-ଅର୍ଥାତ୍ ଏଜେଣ୍ଟ ନୁହେଁ । ମୁଁ କ’ଣ ରୋମାନ୍‌ସ ଯୋଗ୍ୟ ?

 

ସାମାଦ ଯେତେବେଳେ ଚାହା ନେଇ ଆସିଲା ସେ ସେତେବେଳକୁ ତରବର ହୋଇ ପାଦ ଛାଡ଼ି କାନି ସମ୍ଭାଳି ନିଜ ଚୌକିରେ ଯାଇ ବସିଲା । ସାମାଦଟା କ’ଣ ଯେ ମନେକଲା-ଅତିରିକ୍ତ ଗମ୍ଭୀର ଭାବରେ ଚାହା ରଖିଦେଇ ଦୁଇଜଣଙ୍କୁ ସଲାମ୍‌ କଲା । ଯାଉ ଯାଉ ହସାହସି କଲା ବୋଧହୁଏ… ଶୁକଦେଓରାମ ବେୟାରାକୁ ଦେଖି ଆଡ଼ଆଖିରେ । ବେୟାରା ମଧ୍ୟ ଜୋର୍‌ ସୋର୍‌ ଯୋତା ପାଲିସ୍‌ କରୁଥିଲା ବାରଣ୍ଡାରେ ।

 

ମୁଁ କହିଲି, “ସୁବର୍ଣ୍ଣ, ତୁମେ ବଡ଼ ଦୁଃଖିନୀ । କିନ୍ତୁ ତୁମର ଦୁଃଖ ଦୂର କରିବା ମୋର ଅସାଧ୍ୟ । ଦୁଇଦିନ ପରେ ତୁମେ ଚାହିଁବ ମା’ ହେବାକୁ । ମୁଁ କିପରି ତା’ ସମର୍ଥନ କରବି ?”

 

ସେ କହିଲେ, “ସେ ଅନେକ ପରର କଥା…ମୁଁ ସେ କଥା ଭାବିନି ।”

 

ମୁଁ ହସି କହିଲି, ‘‘ତୁମେ ନ ଭାବିଲେ ମଧ୍ୟ ପ୍ରକୃତି ଭାବିବେ । ତାଙ୍କ ନିୟମ ଅବ୍ୟର୍ଥ ।”

 

ସେ ତେବେ ବି କହିଲେ, ‘‘ଯାହା ହେବାର ତାହା ହେବ । ଏତେ ଭାବିବାର ଅଛି କ’ଣ-? ସଂସାରରେ କିଏ କ’ଣ ମା’ ହେଉନାହାନ୍ତି ?”

 

“କିନ୍ତୁ ସମାଜ ଯେ ତୁମ ସନ୍ତାନକୁ ଅସମ୍ମାନ କରିବ !"

 

"ଆପଣ ଥାଉ ଥାଉ ?”

 

“ମୁଁ ବା କି ଛାର୍‌ ! ମୋ’ଠାରୁ ଯେଉଁମାନେ ସବୁ ବିଷୟରେ ବଡ଼, ସେମାନେ ମଧ୍ୟ ଏପରି ସନ୍ତାନର ଜନକ ହେବା ଭୟରେ ଊର୍ଦ୍ଧ୍ଵଶ୍ଵାସ ।”

 

ସେ ବୋଧହୁଏ ବିଶ୍ୱାସ କଲେ ନାହିଁ । ଏପରି ଗୋଟିଏ ସହଜ ବିଷୟରେ ଏତେ ଡରିବାର ଅଛି କ’ଣ ? ସେ ଆନମନା ହୋଇ କ’ଣ ଚିନ୍ତା କରୁଥିଲେ । ଚାହା ପିଇଲେ ନାହିଁ ।

 

‘‘ଚାହା ପିଅ, ଚାହା ପିଅ”, ମୁଁ” ଟିକିଏ ଖୋସାମଦି ସ୍ଵରରେ କହିଲି…‘‘ତା’ପରେ ମୁଁ ତୁମକୁ ଟ୍ରେନରେ ବସେଇଦେଇ ଆସିବି ।”

 

ସେ ରାଗିଉଠି କହିଲେ, ‘‘ଚାହା ପିଇବାକୁ ମୁଁ ଆସିନାହଁ ।” ଉଠିପଡ଼ି କହିଲେ, ‘‘ଆଉ ଟ୍ରେନରେ ଚଢ଼ିବା ଓହ୍ଲେଇବା ମୁଁ ଜାଣେ ।”

 

ତା’ର ଦୁଇ ବର୍ଷ ପରେ ବୃନ୍ଦାବନ ସହିତ ମୋର ପୁଣି ଦେଖା । ଦୁଇ ଚାରିପଦ କଥା ପରେ ପଚାରିଲି, ‘‘ଭଲକଥା, ସୁବର୍ଣ୍ଣର ଖବର କ’ଣ ?”

 

ସେ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ସୁବର୍ଣ୍ଣ !” ତା’ପରେ ହସିଦେଇ କହିଲା, “ଓଃ ! ତୋର ସେଇ ପାଚିକା ସୁବର୍ଣ୍ଣ ?”

 

ମୁଁ ଅନୁତାପର ସହିତ ଲଜ୍ଜା ମିଶ୍ରିତ ସ୍ଵରରେ କହିଲି, ‘‘ହଁ ମୋର ସେହି ଉପଯାଚିକା ସୁବର୍ଣ୍ଣ ।”

 

‘‘ତା’ ନାଁ ଏବେ ଆଉ ସୁବର୍ଣ୍ଣ ନୁହେଁ-ତା’ ନାଁ ଫରଜନ୍ଦ ଉନ୍ନେସା । ତା’ ସ୍ଵାମୀ ଜଣେ ପେଶବାରୀ ଫଳବାଲା, ଅବଦେଲ କାଦେର୍‌ । ତା’ର ଗୋଟିଏ ପୁଅ ହୋଇଛି, ଜୁଲଫିକର୍‌ । ବିବି ଏବେ ଘୋର ପର୍ଦ୍ଦାନସୀନ ।…ଛି, ଛି, ଶେଷକୁ ପଠାଣ ହୋଇଗଲା !”

Image

 

Unknown

ଚାରିଦଉଡ଼ିକଟା

 

ସେହି ସବୁ ସୁନ୍ଦର ପିଲାମାନେ ଆଜି କେଉଁଠି, ଯେଉଁମାନଙ୍କୁ ନେଇ ମୋର କୈଶୋର ସୁନ୍ଦର ହୋଇଥିଲା । ମଝିରେ ମଝିରେ ଭାବେ ଆଉ ମନ ଘାଣ୍ଟି ହୁଏ ।

 

ଜଣେ ମନେପଡ଼େ । ତା’ର ନାମ ସୁକୁମାର । ଗୌରବର୍ଣ୍ଣ, ସୁଠାମ ତନୁ । ଟିକିଏ ହେଲେ ଅନାବଶ୍ୟକ ମେଦ ନାହିଁ, ଅଥଚ ପ୍ରତି ଅଙ୍ଗରେ ଲାଳିତ୍ୟ । ଚନ୍ଦ୍ର ପଛରେ ଯେପରି ରାହୁ, ସେପରି ଚନ୍ଦ୍ର ବଦନିଆ ପିଲାମାନଙ୍କ ପଛରେ ରାହୁଗୋଠ ବୁଲୁଥିଲେ । ସେମାନଙ୍କର କାମନାର ଭାଷା ଯେପରି ଅଶ୍ଳୀଳ, ସେହିପରି ସ୍ଥୂଳ । ସେମାନଙ୍କର ସ୍ଥୂଳହସ୍ତାବଲେପନରେ ସୁକୁର ଦେହ ଆଞ୍ଚୁଡ଼ି ହୋଇଯାଉଥିଲା । ତା’ ଦେଖି ଯେଉଁମାନଙ୍କୁ ବାଧୁଥିଲା ସେମାନଙ୍କ ଭିତରୁ ଆମେ କେତେଜଣ ମିଶି ଗୋଟାଏ ଦେହରକ୍ଷୀ ବାହିନୀ ଗଢ଼ିଥିଲୁ । ଆମର କାମ ଥିଲା ତା’କୁ ଘରୁ ଇସ୍କୁଲରେ ଓ ଇସ୍କୁଲରୁ ନେଇ ଘରେ ପହଞ୍ଚାଇଦେବା । ଆମେ ନିଃସ୍ଵାର୍ଥପର ନ ଥିଲୁ । ଯେ ରକ୍ଷକ, ସେଇ ଭକ୍ଷକ । ସୁକୁ ସେ କଥା ଜାଣିଥିଲା, ସେଥିପାଇଁ ଆମମାନଙ୍କୁ ପ୍ରଶ୍ରୟ ଦେଉନଥିଲା-। ସେଥିପାଇଁ ମୋର ଅଭିମାନ ଥିଲା । ହେବ ନାହିଁ ? ରାହୁମାନଙ୍କ ଭିତରୁ ଜଣେ ମୋର ଡାହାଣ ହାତ ଏମିତି ମୋଡ଼ି ଦେଇଥିଲା ଯେ ଆଉ ଟିକିଏ ହେଲେ ହାତଟା ଯାଇଥାନ୍ତା । ଯାହା ପାଇଁ କରେ ଚୋରି, ସେଇ କହେ ଚୋର !

 

କ୍ୱଚିତ୍‌ ତାକୁ ଏକଲା ପାଉଥିଲି । ପାଇଲେ ମୋର ବୁକୁଭରା ମହୁ ତା’କାନରେ ଢାଳିବାକୁ ବ୍ୟଗ୍ରହେଉଥିଲି । ମାତ୍ର ତା’ ପୂର୍ବରୁ ସେ ମୁହଁ ଫେରେଇ ଅଚିହ୍ନା ପରି ଚାଲିଯାଉଥିଲା । ସେ ଯେ ମୋର ପ୍ରକୃତ ପରିଚୟ ଜାଣିଲାନାହିଁ, ଏ କଥା ଭାବି ମୋ ଆଖିକୁ ଲୁହ ଆସୁଥିଲା । ସମୟ ଅସମୟରେ ସେଇଥିପାଇଁ ତାଙ୍କ ଘର ଆଖପାଖରେ ବୁଲୁଥିଲି । ଭିତରେ ପଶିବାକୁ ଭରସା ହେଉନଥିଲା । କାରଣ ସକୁ ଦିନେ ମୋତେ କହିଥିଲା, ତୁ ଆମ ଘରକୁ ଏତେଥର ଆସିବୁନି, ଖୋକନ୍‌ ।”

 

ସେତେବେଳେ ଠିକ୍‌ ବୁଝିପାରିନଥିଲି କାହିଁକି ଏ ରୂଢ଼ତା । ପରେ ବୁଝିଛି ସେଟା ରୂଢ଼ତା ନୁହେଁ । ସୁକୁର ବାପା ମଫସଲକୁ ଗଲେ ତା’ ମା’ ସାଙ୍ଗରେ ତା’ ଜେଜେମା’ଙ୍କର କଳି ଲାଗୁଥିଲା । ଖୋସା ଆଉ ମୁକୁଳା ବାଳର ଏହି ବଚସା ଶୁଣି ସାହିର ଲୋକ ଜମା ହେଉଥିଲେ ତାମସା ଦେଖିବାକୁ । ଏଥିରେ ସୁକୁର ମୁଣ୍ଡ କଟିଯାଉଥିଲା । ତା’ ବାପା ଯେତେବେଳେ ଫେରୁଥିଲେ, ମା’ କଥାରେ କାନ ଦେଉନଥିଲେ, ଜେଜେମା’ଙ୍କ କଥା ବିଶ୍ଵାସ କରୁଥିଲେ । ମା’କୁ ଦେଉଥିଲେ ମାଡ଼ । ତା’ ଦେଖି ସୁକୁର ଭାଇଭଉଣୀମାନେ ବାପାଙ୍କ ଗୋଡ଼ତଳେ ପଡ଼ୁଥିଲେ । କିନ୍ତୁ ସୁକୁ ଏତେ ଲାଜକୁଳା ଯେ ଲୁଚିକରି କାନ୍ଦୁଥିଲା । ପ୍ରତିଥର ମା’ ଘୋଷଣା କରୁଥିଲେ ଯେ ସେ ବାପଘରକୁ ଯାଉଛନ୍ତି । ବାକ୍‌ସ ବିଛଣା ନେଇ ସତକୁସତ ବାହାର ବାରଣ୍ଡାରେ ଠିଆ ହେଉଥିଲେ । ରାଇଜର ଲୋକେ ରୁଣ୍ଡ ହେଉଥିଲେ ତାଙ୍କୁ ଦେଖିବାକୁ ଓ ତାଙ୍କ ସାଙ୍ଗରେ ଆଳାପ କରିବାକୁ । ଏଥିରେ ସୁକୁର ବାପାଙ୍କର ମୁଣ୍ଡ ତଳକୁ ହେଉଥାଏ, ସୁକୁର ମଧ୍ୟ । ଚାକର ଆସି କହୁଥିଲା,‘‘ମା’, ଖଣ୍ଡେ ମଧ୍ୟ ଘୋଡ଼ାଗାଡ଼ି ମିଳିଲାନି ।’’ ତାହା ଶୁଣି ଦାସୀ କହୁଥିଲା, ‘‘ଆଉ ଗୋଟେ ଦିନ ରହିଯାଅ ମା’-କଥା ରଖ ।’’ ସେଦିନ ପରି ମା’ଙ୍କ ଯିବା ସ୍ଥଗିତ ରହୁଥିଲା । ପ୍ରତି ମାସରେ ଏ ଘଟଣା । ଦୁଇଜଣଯାକ ସମାନ ମୁଖରା, ଯେପରି ମା’ ସେହିପରି ଜେଜେମା’ । ଦିନେ ସୁକୁର ମା’ ଏପରି ମାଡ଼ଖାଇଲେ ଯେ ଗାଡ଼ି ଅଭାବରେ ପଛଘୁଞ୍ଚା ଦେଲେନାହିଁ, ଦୁନିଆ-ଲୋକଙ୍କ ଆଖି ଆଗ ଦେଇ ଓଢ଼ଣା ଟାଣି ବାଟକୁ ବାହାରିପଡ଼ିଲେ ଓ ପାଦରେ ଚାଲି ରେଳଷ୍ଟେସନକୁ ଗଲେ ।

 

ସୁକୁର ଭାଇ-ଭଉଣୀମାନେ ଲାଜରେ ତାଙ୍କର ସଙ୍ଗୀ ହେଲେନାହିଁ, କିନ୍ତୁ ସବୁଠାରୁ ଲାଜକୁଲା ଯେ ସୁକୁ, ସେଇ ତାଙ୍କ ହାତଧରି ବାଟ ଦେଖାଇବାର ଭାର ନେଲା । କାର୍ଯ୍ୟଟା ସୁକୁ-ମା’ ଭଲ କଲେନାହିଁ । ସୁକୁର ବାପାଙ୍କ ମୁଣ୍ଡ ତଳକୁ ହେଲା । ସେ ସେଇ ତଳ ହୋଇଥିବା ମୁଣ୍ଡଉପରେ ମୁକୁଟ ପିନ୍ଧି ପ୍ରତିଶୋଧ ନେଲେ । ଖବରଟା ଯେତେବେଳେ ସୁକୁ-ମା’ଙ୍କ କାନକୁ ଗଲା ସେ କୂଅକୁ ଡେଇଁପଡ଼ିବାକୁ ଗଲେ । ସମସ୍ତେ ମିଶି ତାଙ୍କୁ ଧରିଆଣି ଘରେ ବନ୍ଦ କରି ରଖିଲେ । ସେଇଦିନଠାରୁ ସେ ନଜରବନ୍ଦୀ ।

 

ମାମୁଁମାନେ ସୁକୁକୁ ଇସ୍କୁଲରେ ଦେଇଥିଲେ; କିନ୍ତୁ ସେ ସ୍କୁଲକୁ ଯିବା ନାଁ କରି ସେଇ ଯେ ବାହାରୁଥିଲା, ଫେରୁଥିଲା ଘଡ଼ିଏ ରାତି କରି । କେହି ତାକୁ ଗାଳିମନ୍ଦ କରିବାକୁ ସାହସ କରୁନଥିଲେ, କାଳେ ସେ ଜୀବନ ହାରିଦେବ । ଶିବପୁର ହାଟର ତିନି ପଟେ ନଈ । ଯେଉଁଆଡ଼େ ମନ ଗଲେ ବି ନଈକୂଳରେ ଗୋଡ଼ ଅଟକିଯିବ । ସୁକୁ ଗୋଡ଼ ଲମ୍ବେଇ ବସେ, ଦେହ ଛାଡ଼ିଦିଏ । କେତେ ଡଙ୍ଗା ସ୍ରୋତ ମୁହଁରେ ଭାସୁଛି, ଉଜାଣି ଆସୁଛି । କେଉଁଟାରେ ଚାଉଳ ବସ୍ତା, କେଉଁଟାରେ ନୂଆ ହାଣ୍ଡି ଆଟିକା, କେଉଁଟାରେ ଖୁରୁଡ଼ୁ ନଡ଼ିଆ । ଛପର ଚାରି କୋଣରେ ମହାକାଳ ଫଳ ଝୁଲୁଛି-। ଛପର ଉପରେ ହୁକା ଝୁଲୁଛି । ଡଙ୍ଗା ଦେହରେ କେତେ ପ୍ରକାର ଚିତ୍ର, ଚିତ୍ରର ପୁଣି କେତେ ପ୍ରକାର ବର୍ଣ୍ଣ । ଡଙ୍ଗା ମଧ୍ୟ କେତେ ପ୍ରକାରର । କେଉଟଙ୍କର ହୁଲି ଡଙ୍ଗା, ବାରମାସିଆମାନଙ୍କର ନୌକା, ମାଲ ବୋଝେଇ ଡଙ୍ଗା, ଆହୁରି କେତେ କ’ଣ ! ବଙ୍ଗଳାର ପ୍ରାଣ ନଦୀ, ନଦୀର ପ୍ରାଣ ଡଙ୍ଗା, ଡଙ୍ଗାର ପ୍ରାଣ ମାଝି, ମାଝିର ପ୍ରାଣ ଗୀତ । ସୁକୁ ଏକାଗ୍ର ଲୟରେ ଗୀତ ଶୁଣେ, ଆଉ ଗୁଣୁଗୁଣୁ ହୋଇ ସୁର୍‌ ସାଧେ । ଏଥିରେ ହିଁ ତା’ର ଶାନ୍ତ, ଏହାହିଁ ତା’ର ସାନ୍ତ୍ୱନା ।

 

ଦିନେ ଗୁଡ଼ାଏ ଲୋକ ଯାଉଥିଲେ ମେଲାଣ ଦେଖି ରଘୁନାଥପୁରରେ ରାମନବମୀ ମେଲଣ । ତା’ ବୋଲି କେବଳ ରମାୟତ୍‌ ବୈଷ୍ଣବମାନେ ନୁହଁନ୍ତି, ନିମାୟତ୍‌ ବୈଷ୍ଣବମାନେ ମଧ୍ୟ ଆସନ୍ତି I ନାନା ଦୂରଦେଶରୁ ଜମାହୁଅନ୍ତି ଆଉଲ, ବାଉଲ, ଦରବେଶମାନେ ମଧ୍ୟ । ଦଳେ କୀର୍ତ୍ତିନିଆ ଗୀତ ବୋଲିବାକୁ ଯାଉଛନ୍ତି ଦେଖି ସୁକୁ ମଧ୍ୟ ତାଙ୍କ ଡଙ୍ଗାରେ ଉଠିବସିଲା । ମେଲଣକୁ ଯାଇ ସେ ଦଳ ଛାଡ଼ି ଗଲାନାହିଁ, ସେ ଯଦିବା ଛାଡ଼ିବାକୁ ଚାହେଁ ଦଳର ଲୋକେ ଛାଡ଼ନ୍ତିନାହିଁ । ସେମାନେ ଗୋଟିଏ ଗଛମୂଳ ଦେଖି ଆସ୍ଥାନ ଜମେଇଲେ । ସେଠାରେ ନଳା କାଟି ବଡ଼ ବଡ଼ ହାଣ୍ଡି ବସେଇଦେଲେ । ପରିବା କାଟିବାକୁ ବସିଲେ ଦଳର ମାଇପିମାନେ । କହିବାକୁ ଭୁଲିଯାଇଛି, ଦଳର ମୁରବି ଯେ ସେ ପୁରୁଷ ନୁହଁନ୍ତି, ନାରୀ । ତାଙ୍କ ନାଁ ହରିଦାସୀ । ହରିଦାସୀ ନାଁ ଶୁଣି ସୁକୁ ଧରିନେଇଥିଲା ହିନ୍ଦୁ । ଆପଣମାନେ ମଧ୍ୟ ସେହି ଭୁଲ୍ କରିପାରନ୍ତି । ସେଥିପାଇଁ କହିରଖେ ସେ ମୁସଲମାନ ଦରବେଶ । ତାଙ୍କ ଦଳର ପୁରୁଷମାନଙ୍କର ନାଁ ଶୁଣି ଜଣାପଡ଼େନା ପଠାଣ ନା ହିନ୍ଦୁ । ଇସବ-ଶା’ ମଧ୍ୟ ଅଛି, ପୁଣି ମନୁ-ଶା’ ମଧ୍ୟ ଅଛି । ସୁକୁ ଧରିନେଇଥିଲା ସେମାନେ ସମସ୍ତେ ହିନ୍ଦୁ । ସେଥିପାଇଁ ଆହାର ସମ୍ବନ୍ଧରେ ଦ୍ଵିଧା କରିନି । କେବଳ ପିଇବାବେଳେ ‘ପାନି’ କଥାଟା ଶୁଣି ଟିକିଏ ଧୋକାଲାଗିଥିଲା ।

 

ହରିଦାସୀମାନେ ମଉଳ କରି ରାନ୍ଧନ୍ତି, ବାଢ଼ନ୍ତି, ଖାଆନ୍ତି, ଆଉ ଗୀତ ବୋଲନ୍ତି । ସୁକୁ ମଧ୍ୟ ତାଙ୍କ ଭାଗୁଆଳି । ତା’ କଣ୍ଠ ଶୁଣି ହରିଦାସୀ ତାକୁ ପାଖକୁ ଡାକିନେଇ କହିଲେ, ‘‘ତୋର ହେବ !” ଏତେଦିନ ଜୀବନ ବିସ୍ଵାଦ ଲାଗୁଥିଲା, ଏତେଦିନରେ ସ୍ଵାଦ ଫେରିଲା । ସୁକୁ ଆଖିରେ ପୃଥିବୀର ରୂପ ଗଲା ବଦଳି । ଯୁଆଡ଼େ ଚାହେଁ ଦେଖେ ରୂପର ସମୁଦ୍ର । କାନରେ ଲହଡ଼ି ତୋଳେ ହରିଦାସୀର କଣ୍ଠଧ୍ଵନି–

 

“ଏମନ୍ତ ଭାବି-ନଈରେ ସଖୀ ବୁଡ଼ ଦେଲିନି,

ବୁଡ଼ ଦେବି ଦେବି ଭାବି ଭାବି ମରଣଭୟରେ ପାରିଲିନି ।”

 

ମେଲଣ ଭାଙ୍ଗିଲା । ସୁକୁର ମଧ୍ୟ ଡର ଭାଙ୍ଗିଲା I ମାମୁଁମାନେ ଯଦି ତଡ଼ିଦିଅନ୍ତି,ତେବେ ତା’ର ଆଶ୍ରୟର ଅଭାବ ହେବନି । ସେତେବେଳ ଯାଏଁ ସେ ଜାଣିନଥିଲା ଯେ ସେମାନେ ପଠାଣ । ଜାଣିଲା ଶିବପୁର ହାଟରେ-ଅନ୍ୟମାନଙ୍କ ମୁହଁରୁ । ସେତେବେଳେ ତା’ର ଆହୁରି ଗୋଟିଏ ଡର ଭାଙ୍ଗିଲା-ଜାତିର ଡର । ସେ ମନେ ମନେ କହିଲା, ମୋର ଜାତି ଯେତେବେଳେ ଯାଇଛି, ସେତେବେଳେ ଦୁଃଖ କରି ବା ହେବ କ’ଣ ? ଯାହାର ଜାତି ନାହିଁ ତା’ର ସବୁ ଜାତି ସ୍ଵଜାତି । ସେମାନେ ମୋର ଆପଣାର ଲୋକ, ମୁଁ ମଧ୍ୟ ତାଙ୍କର ।

 

ଅନୁମତି ନ ନେଇ ମେଲଣକୁ ଯିବା, ସେଠାରେ ପଠାଣର ଭାତ ଖାଇବା, ଏ ସବୁ ଅପରାଧର ମାର୍ଜନା ନାହିଁ । ମାମୁଁମାନେ ମାରିଲେନି, ଗାଳିଦେଲେନି; କିନ୍ତୁ ଥାଳି ବାସନ ଅଲଗା କରିଦେଲେ । ସେସବୁ ମାଜିବାକୁ ହେଲା ସୁକୁକୁ । ସେଥିରେ ତା’ର ଆପତ୍ତି ନଥିଲା । ବରଂ ଦେଖାଗଲା ସେଥିରେ ତା’ର ଉତ୍ସାହ । ମାଈଁମାନଙ୍କଠାରୁ ସିଧା ମାଗିନେଇ ସେ ଆପେ ଆପେ ଆରମ୍ଭ କରିଦେଲା ରୋଷେଇ । କଦଳୀପତ୍ର କାଟିଆଣି ଗୋଟିଏ କୋଣରେ ବସି ଖାଏ । କେହି ପାଖକୁ ଗଲେ ସବିନୟରେ କହେ, ‘‘ଛୁଅନା, ଛୁଅନା, ଜାତିଯିବ ।” ତା’ ଦଶା ଦେଖି ତା’ ମା’ ଦି’ବେଳା କାନ୍ଦନ୍ତି । ଗୋଟିଏ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ନକଲେ ନୁହେଁ । ମାମୁଁମାନେ ସ୍ଵୀକାର କଲେ । ତା’ ଶୁଣି ସୁକୁ ଅଡ଼ିବସିଲା । କହିଲା,‘‘ପଠାଣ ଭାତ ଆହୁରି କେତେଥର ଖାଇବାକୁ ପଡ଼ିବ କିଏ ଜାଣେ ? କେତେଥର ପ୍ରାୟଶ୍ଚିତ୍ତ କରିବି ? ଗୋବର କ’ଣ ଏଡ଼େ ମିଠା ଯେ ବାରମ୍ବାର ଖାଇବାକୁ ଭଲଲାଗିବ !”

 

ମାମୁଁ ଘରୁ ଚିଠି ଗଲା ବାବାଙ୍କ ପାଖକୁ । ଏହା ଭିତରେ ସାବତମା’ଙ୍କୁ ହୋଇଥିଲା ଯକ୍ଷ୍ମା । ତାଙ୍କୁ ନେଇ ଘରସଂସାର କରିବା ଅସମ୍ଭବ ହୋଇଉଠୁଥିଲା । ସୁକୁ ବାପା ଗୋଟିଏ ଆଳ ଖୋଜୁଥିଲେ ସୁକୁ-ମା’ଙ୍କୁ ଫେରାଇଆଣିବାକୁ । ଚିଠି ପାଇ ଆପେ ହାଜରହେଲେ । ସୁକୁକୁ କୋଳକୁ ଟାଣିନେଇ କହିଲେ, ‘‘ଚାଲ ମୋ ସାଙ୍ଗରେ ।”’ ସ୍ତ୍ରୀଙ୍କୁ କହିଲେ,‘‘ଯାହା ହେବାର ହୋଇଯାଇଛି । ଆଉ ତୁମକୁ ଛାଡ଼ି ରହିପାରୁନି । ଆସ ମୋ ସାଙ୍ଗରେ ।’’

 

ସୁକୁର ଘରେ ପୁଣି ଆନନ୍ଦର ହାଟ ବସିଲା । ଆମେ, ତା’ ପୁରୁଣା ସାଙ୍ଗମାନେ ତାଙ୍କ ଘରେ ରାତିଦିନ ଗହଳ କଲୁ । ଏଥର ସେ ଆମକୁ ମନାକରେନି, କଲେ ମଧ୍ୟ ଆମେ ମାନନ୍ତୁ ନାହିଁ-। ଏ କହେ-ମୋ ସୁକୁ-ସେ କହେ ମୋ ସୁକୁ-ଯେପରିକି ସୁକୁ ସମସ୍ତଙ୍କର ଏକାନ୍ତ ଆପଣାର-। ତା’ ବାପା ଯଦି ତାକୁ ଇସ୍କୁଲରେ ଭର୍ତ୍ତି କରିଦେଇ ନଥାନ୍ତେ ତେବେ ଆମେ ରୋଜ ରୋଜ ଇସ୍କୁଲ ବନ୍ଦକରି ବିପଦରେ ପଡ଼ିଥାଆନ୍ତୁ ।

 

ଶିବପୁର ହାଟର ସେଇ ଯେ ଅଭ୍ୟାସ, ସୁକୁ ସେ ଅଭ୍ୟାସ ଛାଡ଼ିପାରିଲାନି । କେତେବେଳେ ମନେପଡ଼ିଲେ କ୍ଳାସରୁ ପଳାଏ, ଆମେ ଅନେଇଁ ଦେଖୁ ସେ ନାହିଁ । ଆମର ମହକୁମା ସହରରେ ନଈ ଅଛି ନିଶ୍ଚୟ, କିନ୍ତୁ ନଈ କୂଳରେ ଘନ ବସତି । ସୁକୁର ସେଥିରେ ଅରୂଚି-। ସେ ଯାଏ ବାଉଲ ଦରବେଶ ବୈଷ୍ଣବମାନଙ୍କ ସନ୍ଧାନରେ । ଫକୀର ଦେଖିଲାମାତ୍ରେ ସଙ୍ଗ ନିଏ-। ତାଙ୍କ ସାଙ୍ଗରେ ବୁଲାବୁଲି କରି ସନ୍ଧ୍ୟାପରେ ଘରକୁ ଫେରେ । ଆମେ ସେତେବେଳଯାଏଁ ତା’ ପାଇଁ ଭାବି ଆକୁଳ । ତା’ ଖବର ନେବାପାଇଁ ଜଣେ ଜଣେ ଗୋଟିଏ ଗୋଟିଏ ଦିଗକୁ ଯା’ନ୍ତି ପାଇଲେ ମଧ୍ୟ ତା’ ପାଖରୁ ଉତ୍ତର ମିଳେନା; ଯେପରିକି ଆମେମାନେ ତା’ର ଆପଣା ଲୋକ ନୋହୁଁ-। ଯେତେ ରାଇଜର ଫେରାର ଆସାମୀ ଭେକ ନେଇଛନ୍ତି ବୋଲି ସେମାନେ ହୋଇଛନ୍ତି ତା’ର ଅପଣାର । ସୁକୁ ଯେ ସେମାନଙ୍କଠାରେ କି ମହୁ ପାଏ, ଆମେ ତା’ ବୁଝୁନା । ଯେତେ ସବୁ ସିନ୍ଧିଆଳ,ଚୋର ଆଉ ପକ୍‌କା ଚୋରଣୀ ଗୃହସ୍ଥ ଘରେ ଗୀତ ଗାଇ ବୁଲନ୍ତି, କାହାର କ’ଣ ସମ୍ପତ୍ତି ଅଛି ସେଇ ଖବର ଜାଣିବାକୁ । ତା’ପରେ ଦିନେ ରାତିଅଧରେ ଗୃହସ୍ଥଙ୍କର ସର୍ବସ୍ଵ ଚୋରିଯାଏ ।

 

ସୁକୁକୁ ଆମେ ସାବଧାନ କରିଦେଉ ଯେକୌଣସି ଦିନ ଚୋର ବୋଲି ସନ୍ଦେହ କରି ପୁଲିସ ତା’କୁ ହାତକଡ଼ା ପିନ୍ଧାଇବେ । ସେ କହେ, ‘‘ସନ୍ଦେହ ଦୂରହେଲେ ଖୋଲି ମଧ୍ୟ ଦେବ ।” ଆମେ କହୁ, ‘‘ମାତ୍ର କଳଙ୍କ ତ ଲିଭିବନି–ମୁହଁ ଦେଖେଇବୁ କେମିତି ?” ସେ କହେ, ‘‘ସେମାନେ ଦେଖାନ୍ତି ଯେମିତି ।” ସେମାନେ ଅର୍ଥ ବାଉଲ ବୈଷ୍ଣବମାନେ ।

 

ସୁକୁ ପାଇଁ ଆମର ଲଜ୍ଜାର ସୀମା ରହିଲା ନାହିଁ । ଦେଖାଗଲା ଆମେମାନେ ତା’ଠାରୁ ଅଧିକ ଲାଜକୁଳା । ତା’ ସାଙ୍ଗରେ ମିଶିବାକୁ ଆମକୁ ସଂକୋଚ ବୋଧହେଲା । ପ୍ରକାଶ୍ୟରେ ମିଳାମିଶା ବନ୍ଦ ହୋଇଆସିଲା, ଗୋପନରେ ମିଳାମିଶା ଚାଲିଥାଏ ।

 

ହେଡ଼ମାଷ୍ଟରବାବୁ ଥିଲେ ସୁକୁର ବାପାଙ୍କ ବନ୍ଧୁ । ସେ ପରାମର୍ଶ ଦେଲେ ତାକୁ ବୋଡ଼ିଂରେ ରଖିବା ପାଇଁ । ତା’ ବାପା ଦିନେ ତାକୁ ବୋଡ଼ିଂରେ ରଖି ଆସିଲେ । ତା’ର ସେଥିରେ ଆପତ୍ତି ନାହିଁ; ବରଂ ଛତିଶ ପାଟକ ସାଙ୍ଗରେ ଏକାଧାଡ଼ିରେ ବସି ଖାଇବାର ଆଶା । ଆମେ କିନ୍ତୁ ହତାଶ ହେଲୁ । ବୋଡ଼ିଂ ପାଖରେ ହେଡ଼ମାଷ୍ଟରବାବୁଙ୍କର କୋଠି । ତାଙ୍କ ଆଖିରେ ଧୂଳି ପକାଇ ଯେ ସୁକୁ ପାଖକୁ ଯା-ଆସ କରିବୁ, ସେ ସାହସ ନ ଥିଲା ।

 

କିଛି ଦିନ ପରେ ଗୋଟିଏ ମଜାର ଘଟଣା ଘଟିଲା । ହେଡ଼ମାଷ୍ଟର ମହାଶୟ ଦିନେ ସୁକର୍ଣ୍ଣରେ ଶୁଣିଲେ ଦୁଇଟି ବାଳଖିଲ୍ୟ ବାଳକ ଫୁର୍ତ୍ତିରେ ଗୀତ ବୋଲୁଛନ୍ତି...

 

“ଯଉବନ ଜ୍ଵାଳା ବଡ଼ ଜ୍ୱାଳା ସହିତ ନ ପାରେ

ଯଉବନ ଜ୍ଵାଳା ତ୍ୟଜ୍ୟ କରି ଏ ଜୀବନ ହାରେ

ଦୁଃଖରେ ଯଉବନ ତ ପ୍ରାଣର ବୈରୀ ।”

 

ହେଡ଼ମାଷ୍ଟ୍ରେ ଦୁଇ ହାତରେ ଦୁଇଜଣଙ୍କ କାନ ଧରି ଟାଣି ଉଠାଇଲେ । ଅନ୍ତରୀକ୍ଷରେ ଦୋଦୁଲ୍ୟମାନ ସେ ଦୁଇଟି ପ୍ରାଣୀ ଅବିଳମ୍ବେ ସ୍ଵୀକାର କଲେ ଯେ, ସୁକୁ ହିଁ ସେମାନଙ୍କୁ ସେ ଗୀତ ଶିଖେଇଛି । ସେତେବେଳେ ସେ ସୁକୁକୁ ତଲବ କଲେ । ସୁକୁ କହିଲା, ‘‘ସୁବୁ ସତ । ଦୋଷ ସେମାନଙ୍କର ନୁହେଁ, ମୋର ।”

 

ହେଡ଼ମାଷ୍ଟ୍ରେ କହିଲେ, “ଗୋଲ୍ଲାରେ ଯଦି ଯିବାକୁ ପଡ଼େ, ତେବେ ସଦଳବଳେ କାହିଁକି-? ତୁମେ ଏକେଲା ଯାଅ ।” ଏତିକି କହି ଗୋଟିଏ ଗାଡ଼ି ଡାକି ତାକୁ ଘରକୁ ପଠାଇଦେଲେ-

 

ସେ ବି ବଞ୍ଚିଲା, ଆମେ ମଧ୍ୟ ବଞ୍ଚିଲୁ । ତା’ ବାପା କିନ୍ତୁ ତାକୁ ନେଇ ମୁସ୍‌କିଲରେ ପଡ଼ିଲେ । ଘରେ ବନ୍ଦ କରି ରଖିଲେ ପଢ଼ାପଢ଼ି ନଷ୍ଟ । ସ୍କୁଲ ଯିବାକୁ ହେଲେ ସେ ବାଟ ଭୁଲିଯାଏ । ଯେଉଁମାନଙ୍କ ‘ପାଖରେ ପାଠ ପଢ଼େ, ସେମାନେ ମାଷ୍ଟର ନୁହଁନ୍ତି, ବାଉଲ ଫକୀର । କିଛି ଦିନ ପାଇଁ ସେ ନିଜେ ତାକୁ ବିଦ୍ୟାଳୟରେ ପହଞ୍ଚାଇ ଦେଇ ଆସିଲେ । ସେଠାରେ ତା’ ଉପରେ କଡ଼ା ପହରର ବନ୍ଦୋବସ୍ତ ହେଲା । କିନ୍ତୁ ସେ ଅଙ୍କ ଖାତାରେ ଇତିହାସ ଓ ଇତିହାସ ଖାତାରେ ସଂସ୍କୃତ ଲେଖି ଶିକ୍ଷକମାନଙ୍କୁ ଉତ୍ତ୍ୟକ୍ତ କରିପକାଇଲା । ଏଇଟା ଯେ ତା’ର ଇଚ୍ଛାକୃତ, ତା’ ନୁହେଁ । ସେ ନିଜେ ମଧ୍ୟ ବୁଝିପାରେନା କାହିଁକି ଏପରି ହୁଏ । ଅସଲରେ ତା’ ମନ ନଥିଲା ପାଠରେ ।

ସୁକୁର ମା’ ତା’ ବାପାଙ୍କୁ କହିଲେ, ‘‘ଜାଣେ ମୋ କଥା ହସି ଉଡ଼େଇ ଦେବ । କିନ୍ତୁ ସେକାଳରେ କର୍ତ୍ତମାନେ ଏପରି ସ୍ଥଳରେ ଘରଣୀମାନଙ୍କ ଉପଦେଶ ନେଉଥିଲେ ।”

‘‘ଶୁଣେ ତୁମର ଉପଦେଶଟା କ’ଣ ?”

‘‘ମୋର ଜେଜେ ବାହାହୋଇଥିଲେ ଷୋହଳ ବର୍ଷ ବୟସରେ । ସୁକୁର ବୟସ ପନ୍ଦର ହେଲେ ମଧ୍ୟ ତା’ର ଯେପରି ବଢ଼ିଲା ଗଢ଼ଣ...”

ସୁକୁର ବାପା ହସି ଉଡ଼ାଇଦେଲେ ।

ମାଟ୍ରିକ୍‌ରେ ସୁକୁ ଫେଲ୍‌ ହେଲା । ମୁଁ ପାଶ୍‌ । ବାଧ୍ୟହୋଇ ମୋତେ ବଡ଼ ସହରକୁ ଯିବାକୁ ପଡ଼ିଲା । ଭର୍ତ୍ତି ହେଲି କଲେଜରେ । ଚିଠି ଲେଖି ସୁକୁର ଜବାବ ମିଳେନା । ତା’ ସାଙ୍ଗରେ ଦେଖାହେଉଥିଲା ଛୁଟିରେ ।

ଦିନକୁ ଦିନ ବ୍ୟବଧାନ ବଢ଼ିଚାଲିଲା । ମୁଁ ଯଦି କହେ ‘‘ତୁ’’, ସୁକୁ କହେ ‘‘ତୁମେ” । ମୋର କଷ୍ଟ ହୁଏ । ଡାକିଲେ ଆସେ, ନ ଡାକିଲେ ପଚାରେନା । ଗଲେ ଦେଖାଦିଏ; ମାତ୍ର ମନ ଖୋଲି କଥା କହେନା । ଦିନେ ମୁଁ କୁଣ୍ଠିତ ଭାବରେ କହୁଥିଲି, “ସୁକୁ, ମୁଁ କ’ଣ ତୋର ପର ?” ସେ ଉତ୍ତର ଦେଇଥିଲା, ‘‘ତା’ ନୁହେଁ । ମୁଁ ହେଲି ଫେଲ ମାର୍କା ପିଲା । ଆଉ ତୁମେ….”

ମୁଁ ତା’ ମୁହଁ କଥା ଛଡ଼େଇନେଇ କହିଲି, ‘‘ତୋ ପାଇଁ ମୋର ସବୁବେଳେ ଦୁଃଖ ହୁଏ-।”

‘‘କିନ୍ତୁ ମୁଁ ତ ମନେକରେ ମୋ ପରି ସୁଖୀ ଆଉ କେହି କାହିଁ । ଯେଉଁଠାକୁ ଯାଏ ସେଠାରେ ମୋର ଘର, ସେଠାରେ ମୋର ନିଜର ଲୋକ ।”’

ବାଉଲ ଫକୀର ଦରବେଶମାନଙ୍କୁ ସେ କହୁଥିଲା ଆପଣାଲୋକ । ସେମାନେବି ତାକୁ ଦଳକୁ ଟାଣୁଥିଲେ । ଗୁଣ ଚିହ୍ନେ ଗୁଣିଆ । ଆମ ଆଖିରେ ସୁକୁ ଗୋଟିଏ ଫେଲ୍‌ ମାରିଥିବା ପିଲା, ତା’ର ପରକାଳଟି ଜଳଜଳ ଦେଖାଯାଉଛି । ସେମାନଙ୍କ ଆଖିରେ ସୁକୁ ଜଣେ ଭକ୍ତ-ଗୁରୁଙ୍କ କୃପା ହେଲେ ଦିନେ ପରମାର୍ଥ ପାଇବ । ଆମମାନଙ୍କର ହିତାକାଂକ୍ଷା ଅପେକ୍ଷା ସେମାନଙ୍କର ହିତାକାଂକ୍ଷା ଥିଲା ତା’ର ପସନ୍ଦ ।

ହଜାର ହେଲେବି ମୁଁ ତା’ର ପୁରୁଣା ସାଙ୍ଗ । ବୋଧହୁଏ ତା’ଠାରୁ ବେଶି, ସୁକୁ ସେଟା ଜାଣେ, ସେଥିପାଇଁ ମୋତେ ଯେତେ କଥା କହୁଥିଲା ଆଉ କାହାକୁ ସେତେ ନୁହେଁ । ତା’କୁ ଦେଇ କଥା କୁହାଇବା ଗୋଟିଏ ତପସ୍ୟା । ଗୀତ ବୋଲିବାକୁ କହିଲେ ଡେରିକରେନା, କିନ୍ତୁ ମନକଥା କହିବାକୁ କହିଲେ ଦଶଥର ବୁଲାଏ ।

ସୁକୁ ନିଜକୁ ସବୁଠାରୁ ସୁଖୀବୋଲି ଦାବି କଲେ ମଧ୍ୟ ମୋର ଅଜଣା ନ ଥିଲା ଯେ ତା’ ଭିତରେ ଭିତରେ ନିଆଁ ଜଳୁଛି, ଆଉ ସେ ନିଆଁରେ ପୋଡ଼ି ସେ ପାଉଁଶ ହେଉଛି । କାହାକୁ ଯେ ସେ ଭଲପାଇଛି, କିଏ ଯେ ସେହି ଭାଗ୍ୟବତୀ ତା’ ମୋତେ ଜାଣିବାକୁ ଦିଏନାଁ । ମୁଁ ଅବଶ୍ୟ ଅନୁମାନ କରୁଥିଲି, ମାତ୍ର ପରେ ବୁଝିପାରିଲି ସେ ସବୁ ଅନୁମାନ ଭୁଲ୍‌ ।

 

ନାୟିକା-ସାଧନ ବୋଲି ତାଙ୍କର ଏକପ୍ରକାର ସାଧନା ଅଛି । ସୁକୁ ନେଇଥିଲା ସେଇ ସାଧନା । ପ୍ରତି ନାରୀ ଭିତରେ ରାଧାଶକ୍ତି ସୁପ୍ତ ରହିଛି । ସେଇ ଶକ୍ତି ଯେତେବେଳେ ଜାଗିଉଠିବ ସେତେବେଳେ ପ୍ରତି ନାରୀ ହିଁ ରାଧା । ଯେକୌଣସି ନାରୀକୁ ଅବଲମ୍ବନ କରି ରାଧା ତତ୍ତ୍ୱରେ ପହଞ୍ଚିହୁଏ । କିନ୍ତୁ ସେ ନାରୀର ସମ୍ମତି ମିଳିବା ଦରକାର । ସୁକୁ ଜଣକର ସମ୍ମତି ପାଇଛି‌ ଏଇଠି ତା’ର ଗର୍ବ । ଏଇଥିପାଇଁ ସେ କହେ ତା’ ପରି ସୁଖୀ ଆଉ କେହି ନୁହନ୍ତି । ଅଥଚ ତା’ପରି ଦୁଃଖୀ ଆଉ କେହି ନାହାନ୍ତି । ଭଦ୍ର ଘରର ପିଲା ଛୋଟଲୋକଙ୍କ ସାଙ୍ଗରେ ଖାଏ ପିଏ, ଗାଏ ବଜାଏ, ଉଠାବସା କରେ । ସେ ଡଙ୍ଗା ବୋହିବା, ଶଗଡ଼ ଚଳେଇବା, ଘର ଛପର କରିବା ଦେଖାଗଲା । ତା’ର ବାପା ଗଣ୍ୟମାନ୍ୟ ଲୋକ । ତା’ଙ୍କ ମୁଣ୍ଡ ତଳକୁ ହେଲା । ସେ କିଛି କହିପାରନ୍ତିନି ଏହା ଭାବି ଯେ, ଏହା ଭିତରେ ତାଙ୍କ ପଛ ଭାର୍ଯ୍ୟାଙ୍କର ମୃତ୍ୟୁ ହୋଇଛି, ପୁଅକୁ ଶାସନ କଲେ ଯଦି ପୁଣି ବଡ଼ଭାର୍ଯ୍ୟା ବାପଘରକୁ ଯା’ନ୍ତି ତେବେ ଆଉ ଥରେ ମୁକୁଟ ପିନ୍ଧିଲାପରି ବଳ ବା ବୟସ ତାଙ୍କର ନାହିଁ । ମୁହଁରେ କହନ୍ତି, “ସେଟାକୁ ତ୍ୟଜ୍ୟପୁତ୍ର କରିବାକୁ ହେବ ଦେଖିପାରୁଛି ।” କିନ୍ତୁ ଭଲକରି ଜାଣନ୍ତି ଯେ ସୁକୁ ତାଙ୍କ ସମ୍ପତ୍ତି ପାଇଁ ଲାଳାୟିତ ନୁହେଁ । ସୁକୁ-ମା’ ତାକୁ ଗାଳିଦିଅନ୍ତି, କିନ୍ତୁ ଗାଳିଦେଲେ ସୁକୁ ବାହାରେ ରାତି କଟାଏ । ସେତେବେଳେ ସେ ନିଜେ ତାକୁ ଆଣିବାକୁ ଲୋକ ପଠାନ୍ତି ।

 

ମଜନୁ ଫକୀର ତା’ ଗୁରୁ । ଗୁରୁଙ୍କ ଭକ୍ତି ଓ ସୁକୁର ପ୍ରତ୍ୟୁକ୍ତି କେତେକଟା ଏହି ପ୍ରକାର…

 

“ବାପ, କାନ୍ଦି କାନ୍ଦି ଜୀବନ ଗଲା । ଯଦି ସୁଖ ଆଶା ରଖିଥାଅ, ତେବେ ମୋ ପାଖକୁ ଆସନାଁ । ମୁଁ ତୁମକୁ ସୁଖର ବାଟ ଦେଖେଇ ପାରିବିନି ।”

 

“ମୁଁ ଆଖିଲୁହରେ ମଣିଷ ହୋଇଛି କାନ୍ଦିବାକୁ କ’ଣ ଡରେ ?”

 

‘‘ସାରା ଜନ୍ମ କାନ୍ଦିବାକୁ ରାଜିଅଛ ?”

 

“ଅଛି ।”

 

“ମୋତେ ଦୋଷ ଦେବନି ?"

 

ନାଁ । ହଜୁର ।”

 

‘‘ତେବେ ତୁମେ ସୁଖ ସନ୍ଧାନ ଛାଡ଼ି ରାଧା-ସନ୍ଧାନକୁ ଯାଅ । ସେ ଯଦି ସୁଖ ଦିଏ ନେବ ଯଦି ଦୁଃଖ ଦିଏ ନେବ । କେଉଁଥିରେ ନାଁ କହିବନି । ତା’ ଛଳନାର ଅନ୍ତ ନାହିଁ । ସେଥିପାଇଁ ତୁମକୁ କହେ କାନ୍ଦିଣ ଜନମ ଗଲାରେ ମୋର କାନ୍ଦିଣ ଜନମ ଗଲା ।”

 

ସୁକୁ ସେହି ଯେ ଫେଲ୍ ହେଲା, ତା’ପରେ ଆଉ ପରୀକ୍ଷା ଦେଲାନି । ତା’ ପଢ଼ାପଢ଼ି ସେଇଠି ବନ୍ଦହେଲା । କିନ୍ତୁ ତା’ ସତ୍ତ୍ଵେ ତାକୁ ପରୀକ୍ଷା ଦେବାକୁ ପଡ଼ିଲା; ସେ ପରୀକ୍ଷା ମାତ୍ର ଜଣକ ପାଖରେ । ସେ ଜଣେ ତା’ର ନାୟିକା । ତା’ ଗୁରୁ ହିଁ ସେମାନଙ୍କର ପରିଚୟ କରେଇ ଦେଇଥିଲେ, ଏ ଟିକକ ମୁଁ ଜାଣେ, ଏହାଠୁଁ ବେଶି ଜାଣେନା । ଆଉ ଯାହା ଜାଣେ ତା’ ଲୋକପରମ୍ପରାରେ ଶୁଣା, ଲୋକ କଥାକୁ ମୁଁ ବିଶ୍ଵାସ କରେନା, ଯଦିଚ ଲାଟିନ ଭାଷାରେ ପ୍ରବାଦ ଅଛି ଲୋକଙ୍କ କଥା ହିଁ ଭଗବାନଙ୍କ କଥା ।

 

ଥରେ ଛୁଟିରେ ଘରକୁ ଆସି ଶୁଣେ ସୁକୁ ନିରୁଦ୍ଦିଷ୍ଟ । ଲୋକେ କୁହାକୁହି ହେଉଛନ୍ତି ସାରୀ ବୈଷ୍ଣବୀ ତାକୁ ଭୁଲାଇ ନେଇଯାଇଛି । ଝିଅପିଲା କୁଆଡ଼େ ପ୍ରଥମେ ଥିଲା ମୋଦକ ଘର ବୋହୁ । ଅଳ୍ପ ବୟସରେ ବିଧବା ହେଲା ପରେ ଜଣେ ବୈଷ୍ଣବଙ୍କ ସାଙ୍ଗରେ ବୃନ୍ଦାବନକୁ ଗଲା, ସେଠାରେ କିଛି କାଳ ରହି ଚାଲାକ ଚତୁର ହେଲା । ବୈଷ୍ଣବ ଜଣଙ୍କର କୃଷ୍ଣପ୍ରାପ୍ତ ଘଟିବାରୁ ଦେଶକୁ ଫେରିସାରି ତାଙ୍କର ବୟଷ-ସମ୍ପତ୍ତି ଭୋଗ ଦଖଲ କଲେ । ତା’ପରଠାରୁ ସୁନ୍ଦର ପୁଅ ପିଲା ଦେଖିଲେ ସେ ଭୁଲେଇ ନେଇଯାଏ, ସର୍ବନାଶ କରି ଛାଡ଼ିଦିଏ । ଗୁଣ ଭିତରେ ସେ ଗୀତ ବୋଲି ଅସାଧାରଣ । ଗୀତ ଗାଇ ପ୍ରାଣ ମୋହିନିଏ । ପୁଅମାନଙ୍କର ଅଭିଭାବକମାନଙ୍କ ଶେଷକୁ ହାକିମଙ୍କପାଖକୁ ଦରଖାସ୍ତ କଲେ । ସେତେବେଳେ ଜାଗା ବିକି ବୈଷ୍ଣବୀ ଦିନେ ନିଖୋଜ ହେଲା । ତା’ ସାଙ୍ଗରେ ସୁକୁ ମଧ୍ୟ । ସୁକୁ-ବାପା ଥାନା ପୁଲିସ କଲେ, କାଗଜରେ ବିଜ୍ଞାପନ ଦେଲେ-କେଉଁଥିରେ କିଛି ହେଲାନି । ତା’ ମା’ କାତର ହୋଇପଡ଼ିଲେ ।

 

ସୁକୁର ବାପା କହିଲେ, ‘‘ଖୋକନ, ତୁମେ ତ ବେଶ୍‌ ପାସ୍‌ କଲ, ବୃତ୍ତି ପାଇଲ, ମୋ ପୁଅଟି କାହିଁକି ଏପରି ଉଚ୍ଛନ୍ନ ହେଲା ? ଛି-ଛି, ଗୋଟିଏ ନଷ୍ଟା ସ୍ତ୍ରୀଲୋକର...” ସେ ମୁଣ୍ଡ ତଳକୁ କଲେ । ରୁମାଲରେ ଆଖି ପୋଛିଲେ ।

 

ସୁକୁ-ମା’ କହିଲେ, ‘‘ସେ ପୁଅ ମା’ ସାଙ୍ଗରେ ବନବାସୀ ହୁଏ ସେ କ’ଣ ସେପରି ପିଲା-? ମୋ ମନ କହୁଛି ସୁକୁ ମୋର କୌଣସି କୁକର୍ମ କରିନି । ତା’ର ସବୁ ଟିକକ ସୁ । କିନ୍ତୁ କାହିଁକି ମୋତେ କହି ନ ଗଲା ? ଆଉ କ’ଣ ଫେରିବ !”

 

ପରବର୍ତ୍ତୀ କାଳରେ ସୁକୁ ମୁହଁରୁ ପ୍ରକୃତ ବିବରଣ ଶୁଣିଥିଲି-ସବୁ ମନେ ନାହିଁ, ଯେତକ ମନେଅଛି ଲେଖୁଛି । ସୁକୁ, ଏ ଲେଖା ଯଦି କେଉଁଦିନ ତୁମ ଆଖିରେ ପଡ଼େ, ଯଦି ଏଥିରେ କୌଣସି ଭୁଲଭାଲ ଥାଏ, ତେବେ ମାଫ୍ କରିଦେବ ।

 

ତା’ ନାଁ ସାରୀ, ସେଥିପାଇଁ ସୁକୁକୁ ସେ ଶୁକ ବୋଲି ଡାକୁଥିଲା । ଶୁକ ଦେଖିବାକୁ ସୁନ୍ଦର, ସାରୀ ସେପରି ନୁହେଁ । କିନ୍ତୁ ସାରିଆ ରସଧାରିଆ, ଶୁକ ଶୁଖିଲା କାଠ । ବୃନ୍ଦାବନରେ ଥାଉ ଥାଉ ସାରୀ ହିନ୍ଦୀ କହିବାକୁ ଶିଖିଥିଲା, ଯାତ୍ରୀମାନଙ୍କ ସଙ୍ଗରେ ମିଶି ଦି’ ଚାରି ପଦ ଇଂଲିଶ କଥା ମଧ୍ୟ । ହିନ୍ଦୀ ଓ ବଙ୍ଗଳା ଗୀତ ଯେତେବେଳେ ଯେଉଁଟା ଶୁଣୁଥିଲା ସେ ସବୁ କଣ୍ଠସ୍ଥ କରୁଥିଲା-। ଏପରି ଗୋଟିଏ ଗାୟିକା ନାୟିକା ପାଇ ସୁକୁ ଧନ୍ୟ ମଣିଥିଲା । ସାରୀ ଓ ଶୁକ ପରି ଦି’ଜଣ ଦି’ଜଣଙ୍କର ଓଠରେ ଓଠ ରଖି ଗୀତସୁଧା ପାନ କରୁଥିଲେ । ସୁକୁ ମଧ୍ୟ ଜାଣିଥିଲା କେତେ ବାଉଲ ଫକୀରଙ୍କ ଗୀତ-ସାରୀକୁ ଶୁଣାଏ ।

 

ସୁକୁ ପରି ଆହୁରି ଅନେକ ଆସୁଥିଲେ ସାରୀ ପାଖକୁ, ସେମାନେ ମଧ୍ୟ ଆଶା କରୁଥିଲେ ସାରୀ ତାଙ୍କୁ ଆଦର କରିବ । କରୁଥିଲା ଆଦର, ମାତ୍ର ସେ ଆଦର ନିତାନ୍ତ ମୌଖିକ । ରସକଥା କହି ସାରୀ ତାଙ୍କୁ ଭୁଲାଏ-ଯା’କୁ କହନ୍ତି ସର୍ବନାଶ, ସେଟା ଅତିରଞ୍ଜିତ । ଏପରିକି ସୁକୁ ପାଇଁ ମଧ୍ୟ ।

 

ସାରୀ ନାଁରେ ଯେଉଁମାନେ ନାଲିସ୍‌ କରିଥିଲେ, ସେମାନଙ୍କର ଲୋଭ ଥିଲା ଜମି ଖଣ୍ଡିକ ଉପରେ । କାହାରି କାହାରି ଲାଳସା ଥିଲା ନାରୀ ପ୍ରତି । ହତାଶ ଲୋଭୀଙ୍କ ଦଳ ଅଭିଭାବକମାନଙ୍କୁ ସାମନାରେ ରଖି ହାକିମଙ୍କ ଇଜଲାସରେ ଆସି ଠିଆହେଲେ । ସେତେବେଳେ ସାରୀକୁ ସମ୍ପତ୍ତି-ମାୟା ଛାଡ଼ି, ସହର ଛାଡ଼ି ଯିବାକୁ ପଡ଼ିଲା । ସୁକୁ ପରି ଆଉ ଯେଉଁମାନେ ଆସୁଥିଲେ, ସେମାନେ ସେହି ଦୁର୍ଦ୍ଦିନରେ ତାହାର ସହାୟ ହେଲେ ନାହିଁ; ଯେ ତାହାର ବାଟ ଦେଖିଲେ । କିନ୍ତୁ ସୁକୁ ତାକୁ ଛାଡ଼ିଲା ନାହିଁ ! ହାତରେ ହାତ ରଖି କହିଲା, “ଦିନେ ମା’ ସାଙ୍ଗରେ ଯାଇଥିଲି, ଆଜି ତୋ ସାଙ୍ଗରେ ଯିବି ।”

 

ସାରୀ କହିଲା, ‘‘ମୁଁ କ’ଣ ତୋର ମା’ ?"

 

ସୁକୁ କହିଲା, ‘‘ମା’ଙ୍କୁ ଯେମିତି ଭଲପାଉଥିଲି, ତୋତେ ସେମିତି ଭଲପାଏ ।”

 

ସାରୀ ରସେଇ କହିଲା, ‘‘ସେମିତି ?”

 

ସୁକୁ ଅପ୍ରସ୍ତୁତ ହୋଇ କହିଲା, ‘‘ଦୂର୍ ! ସେମିତି ମାନେ କ’ଣ ସେମିତି ?"

 

‘‘ତେବେ କେମିତି ? ” ସାରୀ ରଙ୍ଗକଲା ।

 

“ଏମିତି…” କହି ସୁକୁ ବୁଝେଇଦେଲା ।

 

ସେତେବେଳେ ସେମାନେ ପରସ୍ପରର କାନରେ ମୁହଁ ରଖି ଏକାସାଙ୍ଗରେ ଗୀତା ଧରିଲେ …

 

“ଆଶା କରି ବାନ୍ଧିଲି ବସା

ସେ ଆଶା ହେଲା ନିରାଶା,

ମନର ଆଶା ।

ହେ ଦରଦୀ, ତୋ ମନରେ କ’ଣ ଥିଲା ଏଇ ବାସନା ।”

ତା’ପରେ ରାତି ଥାଉ ଥାଉ ବାଟକୁ ବାହାରିପଡ଼ିଲେ ।

ସାରୀର ଜଣେ ସଖୀ ଥିଲା, ବିନୋଦା ଗଉଡ଼ୁଣୀ । ଗାଁରେ ତା’ ଘର । ସାରୀ ଓ ଶୁକ ସେଇଠି ନୀଡ଼ ରଚିଲେ ।

ବିନୋଦା କହେ, ‘‘ ସଖୀ, ତୋ ସାଙ୍ଗରେ କ’ଣ ତାକୁ ମାନେ ! ସେ ଯେ ଛୋଟ ଭାଇ ବୟସର !”

ସାରୀ କହେ, ‘‘ଗୋପାଳ ମଧ୍ୟ ଥିଲେ ଗୋପୀମାନଙ୍କର ସାନ ଭାଇ ବୟସର…କାହାରି କାହାରି କୋଡ଼ପୋଛା ପୁଅ ବୟସର ।”

ବିନୋଦା ମୁହଁ ବଙ୍କାଇ କହେ, ‘‘ମରୁନୁ…କାହା ସାଙ୍ଗେ କାହାର ତୁଳନା ।”

ସାରୀ ମୁଣ୍ଡ ହଲେଇ କହେ, ‘ଯାହା କହିଲୁ ! ତୋ’ ବର ସାଙ୍ଗରେ ମୋ ବରର ତୁଳନା-!”

ଅସଲ କଥା, ସାରୀର ବୟସ ଏତେ ବେଶି ନୁହେଁ, ସେଟା ବିନୋଦାର ଅତିରଞ୍ଜିତ୍‌ । ବିନି ମନରେ କ’ଣ ଥିଲା ତା’ କିଛି ଦିନ ପରେ ବୁଝାଗଲା । ସେ ଚାହିଁଥିଲା ତା’ ଦିଅର ସାଙ୍ଗରେ ସାରୀ କଣ୍ଠି ବଦଳକରୁ ।

 

ସାରୀ ସେ ପ୍ରସ୍ତାବ କାନକୁ ନେଲାନାହିଁ; ଫଳରେ ବିନୋଦାର ଆଶ୍ରୟ ଦିନକୁ ଦିନ ପିତା ହୋଇଉଠିଲା । ଦିନେ ଶୁକ-ସାରୀ ନୀଡ଼ ଭାଙ୍ଗି ଉଡ଼ିଗଲେ ।

 

ଏଥର ସେମାନେ ଗଲେ ସୁକୁର ଚିହ୍ନା ଜଣେ ଦରବେଶ ଘରକୁ । ଆହାର ସମ୍ବନ୍ଧରେ ସୁକୁର ବାଛବିଚାର ନ ଥିଲା; ସାରୀର ଥିଲା । ସେମାନେ ଅଲଗା ରାନ୍ଧି ଖାଉଥିଲେ, କେବଳ ଫଟିକଚାନ୍ଦଙ୍କ ଆଖଡ଼ାରେ ରହୁଥିଲେ ।

 

ଦରବେଶ ଅତି ସଜ୍ଜନ । ତାଙ୍କ ପାଖକୁ ଯେଉଁମାନେ ଆସନ୍ତି, ସେମାନେ ଭଲଲୋକ । କିନ୍ତୁ କିଏ ଜାଣେ କାହିଁକି ସାରୀ ମନରେ ସନ୍ଦେହ ହେଲା, ସୁକୁ ସେଠାକାର ଜଣେ ନାରୀର ପ୍ରୀତିମୁଗ୍‌ଧ । ସୁକୁ ସୁପୁରୁଷ ବୋଲି ସାରୀ ତା’କୁ ସଯତ୍ନେ ପହରାଦିଏ । ଅନ୍ୟ ନାରୀ ସାଙ୍ଗରେ କଥା କହିବାର ଦେଖିଲେ ତୀକ୍ଷ୍‌ଣ ତୀକ୍ଷ୍‌ଣ ବାକ୍ୟବାଣ ମାରେ ।

 

ସେତେବେଳେ ସୁକୁ ହଁ ଅନୁନୟ କଲା, ‘‘ଚାଲ, ଏଠାରୁ ଯିବା ।”

 

ସାରୀ ଅଭିମାନ ସ୍ଵରରେ କହିଲା, ‘‘କାହିଁକି ମୁଁ କ’ଣ ଯିବାକୁ କହିଛି ?”

 

“ନାଁ ତୁ କହିବୁ କାହିଁକି-ମୁଁ ହଁ କହୁଛି । ଗୋଟାଏ ଜାଗାରେ ବେଶି ଦିନ ରହିଲେ ମାୟା ଆସିଯାଏ । ସେଟା କ’ଣ ଭଲ !”

 

“କାହା ଉପରେ ମାୟା ? ଜାଗା ନା ମଣିଷ ?”

 

ଏହା ନେଇ କଥା କଟାକଟି କରିବାକୁ ସୁକୁର ମନ ବଳେନି । ସେ ବିନା ପ୍ରତିବାଦରେ ସ୍ଵୀକାର କରେ ଯେ ସେ ଦୁର୍ବଳ । ସେତେବେଳେ ସାରୀ ସାନନ୍ଦରେ ତା’କୁ ଧରାଦିଏ ।

 

ଏମିତି କରି ସେମାନେ କେତେ ଗାଁ ବୁଲିଲେ । ବୁଲି ବୁଲି ତାଙ୍କ ପୁଞ୍ଜି ଆସିଲା ସରି । କାହା ପାଖରେ ସେମାନେ କିଛି ମାଗନ୍ତିନି, ପାଆନ୍ତିନି; ନେଲେ ବଡ଼ ଜୋର୍ ଚାଉଳଗଣ୍ଡେ, ଆଳୁଟା, ଜାଳେଣି କାଠଟା ନିଅନ୍ତି । ସାରୀ ସୌଖିନ ସ୍ତ୍ରୀଲୋକ, ହାଟ କି ମେଲଣକୁ ଗଲେ ତା’ର କିଛି ଖର୍ଚ୍ଚ ହୋଇଯାଏ । ପୁଞ୍ଜିରେ ହାତ ପଡ଼େ ।

 

ସାରୀ କହେ, “ଚାଲ ସହରକୁ ଯିବା ।”

 

ସୁକୁ କହେ, ‘‘ସହରକୁ !” କହିପାରେନାଁ ଯେ ସହରରେ ଆତ୍ମଗୋପନର ସୁବିଧା ନାହିଁ, ଲୋକେ ବଂଶ-ପରିଚୟ ପଚାରିବେ; ପରିଚୟ ଦେଲେ କେହି ନା କେହି ଚିହ୍ନିବେ ସେ କାହାର କୁଳତିଳକ ।

 

ଯେ ସହରକୁ ସେମାନେ ଗଲେ ସେଟା ଉତ୍ତର-ବଂଗର ଗୋଟିଏ ମହକୁମା ସହର । ପଶ୍ଚିମାଞ୍ଚଳ ପରି ସେଠାରେ ଟମ୍‌ଟମ୍ ବା ଏକ୍‌କା ଗାଡ଼ି ଗଲେ । ଟମ୍‌ଟମ୍ ବାଲାମାନେ ପଶ୍ଚିମା ଦୋସାଦ ।

 

ଟମ୍‌ଟମ୍‌ ମହଲ୍ଲାର ଗୋଟେପଟେ ପଶୁଡାକ୍ତରଖାନା । ଡାକ୍ତରଟି ପଶୁ ଚିକିତ୍ସାରେ ଯେତେ ନା ପାରଦର୍ଶୀ ତା’ଠାରୁ ଅଧିକ ଓସ୍ତାଦ ଗୀତ-ବାଦ୍ୟ ଓ ଥିଏଟର କରିବାରେ । ସୁକୁର ଚେହେରା ଦେଖି ଓ ତା’ ଗୀତ ଶୁଣି ସେ ତା’କୁ ତାଙ୍କର ପିଲାଙ୍କର ମାଷ୍ଟର ରଖିଲେ । ମାସ ଗୋଟେ ଦୁଇଟା ପରେ ଯେତେବେଳେ ପଶୁମାନଙ୍କର ଡ୍ରେସର୍ ଚାକିରି ଖାଲିହେଲା ସେତେବେଳେ ସେ ସାମୟିକ ଭାବରେ ସୁକୁକୁ ହିଁ ଚାକିରି ଦେଲେ ।

ସୁକୁର ସାରା ଦିନର କାମ ହେଲା ଟମ୍‌ଟମ୍‍ର ଘୋଡ଼ା, ଚାଷୀମାନଙ୍କର ଗୋରୁ ଓ ବାବୁମାନଙ୍କର କୁକୁରର ଘା ପରିଷ୍କାର କରି ଔଷଧ ଲଗାଇବା ଓ ବ୍ୟାଣ୍ଡେଜ ବାନ୍ଧିବା । ବିଚରାମାନଙ୍କର କରୁଣ ଚିତ୍କାରରେ ତା’ କାନ ତାବଦା ହୋଇଯାଇ ତା’ ପ୍ରାଣ ପଳାଇବାକୁ ଆଗଭର ହୁଏ । କିନ୍ତୁ ପଳାଇବ କେଉଁଠିକି ? ସେ ଯାହା ରୋଜଗାର କରେ ତାହା ଦେଇ ସାରୀ ସଂସାର ଚଳାଏ । ମଝିରେ ମଝିରେ ଗୃହସ୍ଥଙ୍କ ଘରେ ଗୀତ ବୋଲି ସାରୀ କିଛି ପାଏ । ତା’ ଦେଇ କିଣା ହୁଏ ସୌଖିନ ଜିନିଷମାନ ।

ବେଶ୍ ଚାଲିଥିଲା…କିନ୍ତୁ ହଠାତ୍ ଦିନେ ଡାକ୍ତରବାବୁଙ୍କର ବଦଳି ହୁକୁମ ଆସିଲା । ତାଙ୍କର ଇଚ୍ଛାଥିଲା ସୁକୁକୁ ସାଙ୍ଗରେ ନେବାକୁ; ମାତ୍ର ସୁକୁ ତ ଏକଲା ନୁହେଁ ! ଅଗତ୍ୟା ସୁକୁର ଯିବା ହେଲାନି । ତାଙ୍କ ଜାଗାରେ ଯେ ଆସିଲେ ସେ ଗୀତ-ବାଦ୍ୟର ଯମ; ସୁକୁ ପାଖରୁ କାମ ଆଦାୟ କରିବାକୁ ଯାଇ ଦେଖିଲେ ସେ ଅନାଡ଼ୀ । ତାଙ୍କର ଗୋଟିଏ ଶଳା ବେକାର ବସିଥିଲା, ସୁତରାଂ ପଦେ କଥାରେ ସୁକୁର ଚାକିରି ଗଲା ।

ଏହା ଭିତରେ ଟମ୍‌ଟମ୍‌ ବାଲାଙ୍କ ସାଙ୍ଗରେ ତା’ର ଜଣାଶୁଣା ହୋଇଥିଲା । ସେମାନେ ତା’ ପାଇଁ ଦଳବଦ୍ଧ ହୋଇ ଦରବାର କଲେ । ସେଥିରେ କୌଣସି ଫଳ ହେଲା ନାହିଁ; କାରଣ ସୁକୁର ନାଁ ଥିଲା ଯୋଗ୍ୟତା, ନାଁ ଅଭିଜ୍ଞତା, ନାଁ ମୁରବିଜୋର୍ । ଖାଲି ଥିଲା ଦୁର୍ନାମ । ସେତେବେଳେ ଟମ୍‌ଟମ୍‌ ବାଲାମାନେ କହିଲେ, ଆମେମାନେ ଚାନ୍ଦା ଭେଦା କରି ତୁମକୁ ଖୁଆଇବୁ, ତୁମେ ଆମକୁ ଗୀତ ବୋଲି ଶୁଣେଇବ ।

 

ଦିନେ ଦେଖାଗଲା ସୁକୁ ଟମ୍‌ଟମ୍‌ ମହଲ୍ଲାର ସଭାଗାୟକ ହୋଇଛି । ତା’ ସିଭାସଦ୍ ହାଡ଼ି-ମୋଚି-ଡୋମ ଦୋସାଦ-କେଉଟ-ମାଳୀ ପ୍ରଭୃତି ଇଂରାଜୀ-ଶିକ୍ଷା-ବଞ୍ଚିତ ଜନଗଣ । ସୁକୁ ଖାଲି ଗାଏନା, ଗୀତ ଧରେଇଦିଏ । ଛତିଶ ଜାତିର ଐକ୍ୟତାନ ସଙ୍ଗୀତରେ ପଲ୍ଲୀ ମୁଖରିତ ହୁଏ । ଆଖଡ଼ା ଚାଲେ ରାତି ଗୋଟାଏ ପର୍ଯ୍ୟନ୍ତ, ତା’ପର ସୁକୁ ବସାକୁ ଫେରି ସାରୀ ପାଦରେ ଅଜାଡ଼ିଦିଏ ଅଧଲା ପଇସା ଦୋପଇସା ।

 

ସୁକୁ ତା’ର ପରିଚୟ ଗୋପନ କରିଥିଲା । ଭାବିଥିଲା କେହି ତା’କୁ ଚିହ୍ନିବେନି । କିନ୍ତୁ ଟମ୍‌ଟମ୍‌ ମହଲ୍ଳାର ସଭାକବି ହେବା ପରେ ସେ ଏତେ ଦୂର ଖ୍ୟାତନାମା ହେଲା ଯେ ତିରିଶ ପଇଁତିରିଶ ମାଇଲ ଦୂରରୁ ତା’ ପାଇଁ ନିମନ୍ତ୍ରଣ ଆସିବାକୁ ଲାଗିଲା । ଏଠାରେ ସେଠାରେ ନିମନ୍ତ୍ରଣ ରକ୍ଷା କରୁ କରୁ ସେ ଧରାପଡ଼ିଗଲା । ଖବରଟା କ୍ରମେ ତା’ ବାପାଙ୍କ କାନକୁ ଗଲା । ବାପା ଆସିଲେନି, କକା ଆସିଲେ ତା’କୁ ନେବାକୁ ।

 

କକା ପହଞ୍ଚିବା ମାତ୍ରକେ ସହରର ଗଣ୍ୟମାନ୍ୟ ଲୋକଙ୍କ ପାଖରେ ଗାଇବୁଲିଲେ ପୁତୁରାର କୀର୍ତ୍ତି । ଗଣ୍ୟମାନ୍ୟମାନେ ଥରିଉଠିଲେ । ଛିଃ…ଛିଃ…ସ୍ତ୍ରୀଲୋକ ନେଇ ପଳେଇଛି…ସେଥିରେ ଦୁଃଖ ନାହିଁ; ମାତ୍ର ଛୋଟଲୋକଙ୍କ ସାଙ୍ଗରେ ଛୋଟଲୋକ ହେଇଛି...ଛିଃ…ଛିଃ ।

 

ସୁକୁ କକାଙ୍କ କଥା ଶୁଣିଲା ନାହିଁ । ଭଲପିଲା ହେଲା ନାହିଁ । ସେ ଅନେକ ପ୍ରକାରେ ବୁଝାଇଲେ, ଲୋଭ ଦେଖାଇଲେ, ଭୟ ଦେଖାଇଲେ । ଯିବାବେଳେ ଏପରି ଗୋଟିଏ ଚାଲ୍ ଖେଳିଗଲେ ଯାହାପାଇଁ ସୁକୁକୁ ତୁଷ ନିଆଁରେ ଜଳିବାକୁ ହେଲା ।

 

ସାରୀର ଭାରୀ ଗହଣା ସଉକ । କିନ୍ତୁ ଟଙ୍କା କାହିଁ ଯେ ଗହଣା ଗଢ଼େଇବ ? ଖାଇବାକୁ ତ ନିଅଣ୍ଟ । ସାରୀ ବୁଝେ ସବୁ, ମାତ୍ର ରହି ରହି ଅବୁଝାପଣ କରେ । ସୁକୁ ମନରେ ଆଘାତ ପାଏ, ବ୍ୟଥାର ବ୍ୟଥୀ ବୋଲି ଦି’ଗୁଣ ବାଧେ । ଗୀତର ପ୍ରଲେପ ଦେଇ ବୁକୁର ବେଦନା ଢାଙ୍କିରଖେ । ଦିନ କଟେ ।

 

ଦିନେ ଟମ୍‌ଟମ୍‌ ବାଲାଙ୍କ ସଭାରୁ ସୁକୁ ସହଳ ସହଳ ଛୁଟିପାଇଲା । ସାରୀ ଯେ ତାକୁ ଦେଖି କେତେ ଖୁସି ହେବ ଏ କଥା ଭାବୁ ଭାବୁ ବସାକୁ ଫେରିଲା । ବସାକୁ ଫେରି ତା’ ମନରେ ଟିକିଏ ସନ୍ଦେହ ହେଲା । ସେ କବାଟ ଠେଲି ଦେଖିଲା ଭିତରୁ ବନ୍ଦ । ଡାକିଲା–‘‘ସାରୀ ! ଏ ସାରୀ-!”

 

ମିନିଟ ପାଞ୍ଚସାତ ଡକାଡକି ପରେ କବାଟ ଯଦିବା ଖୋଲିଲା…କେଉଁଠି ସାରୀ । ସାରୀ ବଦଳରେ କିଏ ଜଣେ ଘରୁ ବାହାରିଆସିଲା ଏବଂ ଓଢ଼ଣାରେ ମୁହଁ ଲୁଚାଇ ଡଗଡଗ ହୋଇ ଚାଲିଗଲା । ଚାଲିଟା ନାରୀସୁଲଭ ନୁହେଁ ମୋଟରୁ । ସୁକୁ ଭାଙ୍ଗିପଡ଼ିଲା ।

 

ତା’ର ମନେହେଲା ସେ ମରିଯିବ, ବଞ୍ଚିବନି । ମୁର୍ଦ୍ଦାର ପରି କେତେ ବେଳ ଯାଏଁ ପଡ଼ିରହିଲା ଜାଣେନାଁ । ଯେତେବେଳେ ଜ୍ଞାନ ହେଲା, ଦେଖିଲା ସାରୀ ଧରଥର ହୋଇ ଥରୁଛି । ଥରି ଥରି ତା’ ଗୋଡ଼ ଛୁଇଁବାକୁ ଚେଷ୍ଟା କରୁଛି; କିନ୍ତୁ ସାହସ ପାଉନି । ସୁକୁ ଗୋଡ଼ ଘୁଞ୍ଚାଇନେଇ ଉଠିବସିଲା ।

 

ସେ ଗୋଟିଏ ରାତି ! ଦୁଇଜଣଙ୍କ ଭିତରୁ କାହାରି ଆଖିରେ ମଧ୍ୟ ନିଦ ନାହିଁ, ଆହାରରେ ରୁଚି ନାହିଁ । ସୁକୁ ଭିତରେ ଛାତିଫଟା କାନ୍ଦଣା । କିନ୍ତୁ ଦି’ଜଣ ଯାକ ସ୍ତବ୍‌ଧ, ନିଶ୍ଚଳ ।

 

ତହିଁ ଆରଦିନ ସାରୀ ପ୍ରଥମେ କଥା କହିଲା…‘‘ତାହେଲେ ଏବେ ତୁମେ କ’ଣ କରିବ-?”

 

ସାରୀ ତା’କୁ ଏହି ପ୍ରଥମ କରି ‘ତୁମେ’ କହିଲା ।

 

ସୁକୁ ବୁଝିପାରିଲାନି । ଜିଜ୍ଞାସୁ ନେତ୍ରରେ ଚାହିଁଲା ।

 

“ଘରକୁ ଫେରିଯିବ ନାଁ ଏଠାରେ ରହିବ ?”

 

ସୁକୁ ଚିନ୍ତା କରି କହିଲା, ‘‘ଯେଉଁଠାରେ ତୁମେ, ସେଇଠି ମୋର ଘର ।”

 

“କିନ୍ତୁ ଦେଖିଲନି ମୁଁ ଯେ ବେଶ୍ୟା ।''

 

“ତୁମେ କିଏ ସେ କଥା ଜାଣିଲେ ତ ସବୁ ଜାଣିଲି । ତୁମେ କିଏ ସେ କଥା ତ ଜାଣିବାକୁ ଚାହେଁନି ।”

 

“ମୁଁ କିଏ ?”

 

“ତୁମେ ରାଧା ।”

 

ଏହି ଉତ୍ତର ଶୁଣି ସାରୀ ସ୍ତମ୍ଭିତ ହେଲା । ଏଥର ଭାଙ୍ଗିପଡ଼ିବା ପାଳି ତା’ର । ସେ ଏପରି କାନ୍ଦ କାନ୍ଦିଲା ଯେ ସୁକୁର ମନେହେଲା ତା’ର ସର୍ବସ୍ଵ ଚୋରି ହୋଇଯାଇଛି । ଅଥଚ ସେତେବେଳକୁ ତା’ ବେକରେ ଦୋହଲୁଥାଏ ଗୋଟିଏ ସୁନା-ମାଳି, ସଦ୍ୟନିର୍ମିତ ।

 

କକାଙ୍କର ଏ ଚାଲ ବ୍ୟର୍ଥହେଲା । କିନ୍ତୁ ସାରୀ ନାଁରେ ଯେ ସବୁ କଥା ରଟିଲା ତା’ କାନରେ ଶୁଣି ହେବନି । ସୁକୁ ପକ୍ଷରେ ମୁହଁ ଦେଖେଇବା କଷ୍ଟକର ହେଲା…କିନ୍ତୁ ନିରୁପାୟ । ଟମ୍‌ଟମ୍‌ ମହଲ୍ଲାର ପରିହାସ ସେ ଦେହକୁ ନିଏନାଁ, ଛୋଟଲୋକଙ୍କର ରସିକତା ମୁଣ୍ଡପାତି ସହିଯାଏ ।

 

ଏମିତି କରି ତାଙ୍କର ବେଶିଦିନ ଚଳି ନ ଥାନ୍ତା । ଦୈବକୁ ସେ ସହରକୁ ଆସିଲେ ଜଣେ ଇଓରୋପୀୟ ପର୍ଯ୍ୟଟକ, ତାଙ୍କ ସାଙ୍ଗରେ ଗୀତ ରେକର୍ଡ଼ କରିବାର ଯନ୍ତ୍ର । ସେ ଭାରତର ବିଭିନ୍ନ ପ୍ରଦେଶର ଲୋକସଙ୍ଗୀତ ସଂଗ୍ରହ କରୁଥିଲେ । ତାଙ୍କ ସାମନାକୁ ସାରୀ ଓ ସୁକ ଉଭୟଙ୍କୁ ଡାକରାପଡ଼ିଲା । ସାରୀର କଣ୍ଠ ତାଙ୍କୁ ଏତେ ଭଲଲାଗିଲା ଯେ ସେ ତା’ର ସାତ ଆଠଟା ଗୀତ ରେକର୍ଡ଼ କଲେ । ତା’ ପରେ ସେ ସବୁ ରେକର୍ଡ଼ କଲିକତାର ବନ୍ଧୁ ମହଲରେ ବଜାଇ ଶୁଣାଇଲେ । ତାଙ୍କ ବନ୍ଧୁମାନଙ୍କ ଭିତରେ ଜଣେଥିଲା ରେକର୍ଡ଼ ବ୍ୟବସାୟୀ । ସେ ସିଧାସଳଖ ସାରୀକୁ ଲେଖିଲେ କଲିକତା ଆସିବାକୁ ।

 

ସାରୀ ଆସିଲା; ତା’ ସଙ୍ଗୀତ ରେକର୍ଡ଼ ହେଲା । ସେ ସବୁ ଗୀତର ଆଶାତୀତ ଆଦର ହେଲା । ସାହେବମାନଙ୍କର ସାର୍ଟିଫିକେଟ ନ ହେଲେ ଏ ଦେଶରେ ବଙ୍ଗଳା ବହି ମଧ୍ୟ ବିକ୍ରି ହୁଏନାଁ-। ସାରୀର ବରାଦକୁ ଜୁଟିଲା ସାହେବ ମହଲର ସୁପାରିସ୍ । ରେକର୍ଡ଼ ପରେ ରେକର୍ଡ଼ କରାଇ ସାରୀ ସ୍ୱନାମଧନ୍ୟା ହେଲା । ସେତେବେଳେ ତାକୁ ବସା ଉଠାଇ ଆଣିବାକୁ ପଡ଼ିଲା କଲକତାକୁ-। କହିବା ବାହୁଲ୍ୟ, ସୁକୁ ରହିଲା ସାଙ୍ଗରେ । ତା’ ଗୀତ କିନ୍ତୁ କେହି ରେକର୍ଡ଼ କରିବାକୁ ଖୋଜନ୍ତି ନାହିଁ, ସାହେବଙ୍କର ସୁପାରିସ ନାହିଁ ।

 

ତା’ ପରେ ସାରୀ ପଡ଼ିଲା ଜଣେ ଫିଲ୍ମ ବ୍ୟବସାୟୀଙ୍କ ସୁନଜରରେ । ତା’ ରୂପରେ ମାଦକତା ନ ଥିଲା, କିନ୍ତୁ ରସର ଔଜ୍ଜ୍ଵଲ୍ୟ ଥିଲା । ତାକୁ ଭଲକରି ମେକ୍‌ଅପ୍ କଲେ ସେ ଲୋଭନୀୟ ଦେଖାଯାଏ । ଯେଉଁମାନେ ଫିଲ୍ମ ଦେଖିବାକୁ ଯାଆନ୍ତି ସେମାନେ ଲୋଭନକୁ ଶୋଭନ ବୋଲି ଭୁଲ୍ କରନ୍ତି । ସେ ଭୁଲ୍‍ର ପୂରା ସୁଯୋଗ ପାଇଲା ସାରୀ । ଡିରେକ୍ଟର ତାକୁ ପରାମର୍ଶ ଦେଲେ ଫିଲ୍ମ ଗୀତ ଶିଖିବାକୁ । ଲୋକସଙ୍ଗୀତ ଛାଡ଼ି ସେ ‘ଆଧୁନିକ ଗୀତ’ ଶିଖିଲା । କଣ୍ଠ-କୃପାରୁ ସେ ସେଥିରେ ମଧ୍ୟ ନାଁ କଲା । ଧୀରେ ଧୀରେ ସାରୀ ତାରା ହୋଇ ଜଳିଲା । ଚାରି ପାଞ୍ଚ ବର୍ଷ ପରେ ଯେଉଁମାନେ ତା’ ଫିଲ୍ମ ଦେଖିଲେ ସେମାନେ ଜାଣିଲେନି ତା’ର ଅତୀତର ଇତିହାସ ।

 

ଶେଷକୁ ଏକ ଶୁଭଲଗ୍ନରେ ସାରୀର ବିବାହ ହୋଇଗଲା କଲିକତାର ଏକ ଅଭିଜାତ ପରିବାରରେ । କେହି ଆଶ୍ଚର୍ଯ୍ୟ ହେଲେନି; କାରଣ ସାରୀର ଆୟ ସେତେବେଳକୁ ହଜାର ପାଖାପାଖି ।

 

ଏ ଘଟଣାର ମାସ କେତେଟା ପରେ ମୁଁ ଚେଞ୍ଜରୁ ଫେରୁଛି । ଟ୍ରେନ୍‌ରେ ଭୀଷଣ ଭିଡ଼ । କେଉଁଠାରେ ଗୋଟିଏ ମଧ୍ୟ ବର୍ଥ ଖାଲି ନାହିଁ । କେତେଥର ବୁଲାବୁଲି କରି ମୁଁ ପ୍ରାୟ ଚେଷ୍ଟା ଛାଡ଼ିଦେଇଛି, ଏମିତି ସମୟରେ ଗୋଟିଏ ସର୍ଭେଣ୍ଟ କ୍ୟାମେରାରୁ ଯେପରି କିଏ ଡାକିଲା, ‘‘ଖୋକା-? ଖୋକା ନାଁ ?" ମୁଁ ପଛକୁ ବୁଲି ଦେଖେ ସୁକୁ ।

 

ତା’ ଦେହରେ ଗୈରିକ ଆଲଖାଲ୍ଲା, ମୁଣ୍ଡରେ ଲମ୍ବ ଲମ୍ବ ବାଳ, ମୁହଁରେ ଗୁଡ଼ାଏ ନିଶ ଦାଢ଼ି, ବେକରେ ଗୋଟାଏ କଳା କାଠ କି କଳା କାଚମାଳୀ । ଫିଟ୍‌ଫାଟ୍‌ ବେୟାରା ଚପରାସୀମାନଙ୍କର ଗହଣରେ ସେ ନିହାତି ବେମାନାନ । ହାତରେ ଗୋଟିଏ ଏକତାରା ଥିଲା । ସେଟା ବଜେଇ ମୋଟା କଣ୍ଠରେ ଗୀତ ବୋଲୁଥିଲା ଟିକିଏ ଆଗରୁ–

 

“ପ୍ରେମ କର ମନ ପ୍ରେମ ତତ୍ତ୍ଵ ଜାଣି

ପ୍ରେମ କରିବା କି ସହଜ କଥାରେ

ଗୁରୁ କର ଚିହ୍ନି ।”

 

ମୋତେ ମୁହଁ ବୁଲେଇବାର ଦେଖି ସୁକୁ କ୍ୟାମେରାରୁ ଓହ୍ଲାଇଲା । ଓହ୍ଲାଇ ପ୍ରଶ୍ନ ପଚାରିଲା, ‘‘କ’ଣ ହେଲା ? ଜାଗା ମିଳୁନି ?”

 

ମୁଁ କହିଲି, ‘‘ଏତେ ରାତିରେ କିଏ ମୋ ପାଇଁ ଜାଗା ଛାଡ଼ିବ ?”

 

ସେ ମୋତେ ଟାଣିନେଇ ଚାଲିଲା ଫାଷ୍ଟ କ୍ଳାସକୁ, ଯଦିଓ ମୋର ଟିକେଟ୍ ସେକେଣ୍ଡ କ୍ଳାସର । କବାଟରେ ଧକ୍‌କା ମାରି କହିଲା, ‘‘ଓ ସାରୀ, ଥରେ ଖୋଲିବ ?”

 

ସାରୀ ବଦଳରେ ସାରୀର ସ୍ଵାମୀ କବାଟ ଖୋଲିଲେ । ସେତେବେଳେ ସୁକୁ ମୋର ପରିଚୟ ଦେଇ କହିଲା, ‘ଟିକିଏ କଷ୍ଟ କରିବାକୁ ହେବ ୟାଙ୍କ ପାଇଁ ମୋର ବାଲ୍ୟବନ୍ଧୁ ।’

 

ଭଦ୍ରଲୋକଙ୍କ ମୁହଁରେ ପାଇପ୍, ହାତରେ ଡିଟେକ୍‌ଟିଭ ନଭେଲ ଓ ଦେହରେ ସିଲ୍‌କର ସ୍କିପିଙ୍ଗ୍ ସ୍ୟୁଟ୍ । ଭଦ୍ରମହିଳାଙ୍କ ଦେହରେ ମଧ୍ୟ ସେଇଆ, ଅଧିକନ୍ତୁ ରଙ୍ଗଦାର ଡ୍ରେସିଂ ଗାଉନ୍ । ସେମାନେ ବୋଧହୁଏ ଶୋଇବାର ଉଦ୍ୟୋଗ କରୁଥିଲେ ।

 

ସେ ରାତିରେ ଆଉ କଥାବାର୍ତ୍ତା ହେଲାନି । ମୁଁ ଉପର ବର୍ଥରେ ସସଂକୋଚରେ ଘାଲେଇ କରି ପଡ଼ିରହିଲି । ମୋଟରୁ ନିଦ ଆସିଲାନି । ପାହାନ୍ତାକୁ ଆସାନସୋଲ୍‌ ଷ୍ଟେସନରେ ସୁକୁ ଆସି ମୋର ଖବର ନେଲା । ତା’ ସାଙ୍ଗରେ ପ୍ଲାଟଫର୍‌ମରେ ଟହଲୁ ଟହଲୁ ତା’ କାହାଣୀ ଶୁଣିଲି । ବାକିତକ ବର୍ଦ୍ଧମାନ ଆଉ ବ୍ୟାଣ୍ଡେଲରେ ।

 

ହାବଡ଼ାରେ ଶେଷଦେଖା । ବିଦାୟ ପୂର୍ବରୁ ସୁକୁକୁ ପଚାରିଥିଲି, ‘‘ତୋ ପୌରୁଷ ବିଦ୍ରୋହୀ ହୁଏନା ? ତୋର ଆତ୍ମସମ୍ମାନ ନାହିଁ ?”

 

ସୁକୁ ଉତ୍ତର ଦେଇଥିଲା, ‘‘ସେ ଯେ ରାଧା ।”

Image

 

ହାସନ ସଖୀ

 

କ୍ଳାସର ଯେଉଁମାନେ ନାମଜାଦା ଗୁଣ୍ଡାପିଲା, ପଢ଼ା କହିପାରନ୍ତିନାହିଁ, ବେଞ୍ଚ ଉପରେ ଠିଆହୁଅନ୍ତି, ସେମାନେ ବସନ୍ତି ସବା ପଛଧାଡ଼ିରେ । ଦିନେ ସେମାନଙ୍କର ରାଜା ସୂର୍ଯ୍ୟମୋହନ ଆସି ମୋତେ କହିଲା, ‘‘ଆଜିଠାରୁ ତୁମେ ହେଲ ଆମର ମନ୍ତ୍ରୀ । ଆମ ସାଙ୍ଗରେ ବସିବ, ଖାତା ଦେଖେଇବ, ପ୍ରମ୍ପଟ୍ କରିବ । କଅଣ ରାଜି ?”

 

ମୁଁ ନବାଗତ । ମୋର ପିଲାଦିନର ସ୍କୁଲରୁ ନାଁ କଟାଇ ପୁରୀ ଜିଲାସ୍କୁଲରେ ଭର୍ତ୍ତି ହୋଇଛି । କାହାକୁ ଚିହ୍ନେନି କହିଲେ ହୁଏତ ଭୁଲ କୁହାହେବ; କାରଣ ମୋର ଏକ ଦୂରସମ୍ପର୍କିତ ବଡ଼ଭାଇ ମୋର ସହପାଠୀ । ତା’ର ପାଖରେ ବସେ ଓ ତା’ସାଙ୍ଗରେ ବୁଲେ । ଏପରି ଯେ ମୁଁ, ସେଇ ମୋତେ ପୁଣି ମନ୍ତ୍ରୀ ମନୋନୟନ କଲେ ସେକେଣ୍ଡ୍ କ୍ଲାସର ଛୋଟଲାଟ ସୂର୍ଯ୍ୟମୋହନ ଛୋଟରାୟ ।

 

ଶୁଣିଥିଲି ସେମାନଙ୍କର ଅସାଧ୍ୟ କାମ କିଛି ନାହିଁ । ଫୁଟବଲ ଖେଳ ସମୟରେ ଫାଉଲ୍ କରି ଗୋଡ଼ ଭାଙ୍ଗିଦେବା ସେମାନଙ୍କର ନିତ୍ୟକର୍ମ । ସଂଧ୍ୟା ଅନ୍ଧାରରେ ଗୋଡ଼କୁ ଗୋଡ଼ ଛନ୍ଦି ପକାଇଦେଇ ଗଳି ଭିତରେ ଅଦୃଶ୍ୟ ହେବା ସେମାନଙ୍କର ଅଭ୍ୟାସ । ଯଦ୍ୟପି ମୋର ଫୁଟ୍‌ବଲ୍‌ ଖେଳର ସଉକ ନ ଥିଲା, ସମୁଦ୍ର କୂଳରୁ ବସାକୁ ଫେରିବା ସମୟରେ ପ୍ରାୟ ଅନ୍ଧାର ହୋଇଯାଉଥିଲା । ବସା ଥିଲା ଗଳି ଭିତରେ; ସୁତରାଂ ଡରର କାରଣ ଥିଲା । ମୁଁ ଆଉ ବଚସା ନ କରି ପଛଧାଡ଼ିରେ ମୁହଁ ଲୁଚାଇଲି । ଏ ଘଟଣା ଯେ କେହି ଲକ୍ଷ୍ୟକରିବେ ମୁଁ ସେତେ ଦୂର ଭାବିନଥିଲି । ମୁଁ ଅପରିଚିତ ନଗଣ୍ୟ ଛାତ୍ର, କିଏ ବା ଚିହ୍ନେ ମୋତେ ? କିନ୍ତୁ ଦିନ କେତେଟା ପରେ ଆମର ଇଂରେଜୀ ସାର୍, କେଶବବାବୁ ମୋତେ ଅଯାଚିତ ଅପମାନ କରି କହିଲେ ଯେ ମୁଁ ଖରାପ ପିଲାମାନଙ୍କ ଭିତରେ ଜଣେ । ତା’ପରେ କ’ଣ ମନେପକାଇ ମୋତେ ପାଖକୁ ଡାକିନେଇ କହିଲେ, ‘‘If you want to be a good boy, follow my Nilu.”

 

କେଶବ ବାବୁଙ୍କ ପୁଅ ନିଳାଦ୍ରୀ ପଢ଼ୁଥିଲା ଆମରି କ୍ଲାସରେ, ବସୁଥିଲା ସାମନା ଧାଡ଼ିରେ । ସତକୁସତ ଭଲପିଲା; ଫାଷ୍ଟ ସେକେଣ୍ଡ ହୁଏ । ମୁଁ ତା’ ସାଙ୍ଗରେ ପରିଚୟ ଚେଷ୍ଟା କରିନଥିଲି, ସେ ବି ମୋ ସାଙ୍ଗରେ ନୁହେଁ । ମୁଁ ଲାଜକୁଳା, ସେ ଅହଂକାରୀ । ଅନ୍ତତଃ ଲୋକେ ସେଇଆ କହୁଥିଲେ । ତା’ର ବାପା ଯେତେବେଳେ ଏତେ ପିଲାଙ୍କ ଗହଣରେ ମୋତେ ଅପମାନ କରିଗଲେ, ସେତେବେଳେ ମୋର ବି ମାନ ରକ୍ଷା ପାଇଁ ତାଙ୍କର କଥାଗୁଡ଼ିକର ଅନ୍ୟ ଅର୍ଥ କଲି । ମୋର ଦୁଷ୍ଟ ପିଲାଙ୍କର ଦଳଟିକୁ ମନ୍ତ୍ରଣା ଦେଲି, ‘‘ଆହେ, ମାଷ୍ଟ୍ରେ କ’ଣ କରିବାକୁ କହିଲେ ଶୁଣିଲ ତ ! ନୀଲୁକୁ ଫଲୋ କରିବାକୁ ହେବ-ତା’ ଅର୍ଥ ନୀଲୁ ଯେତେବେଳେ ଯେଉଁଆଡ଼େ ଯିବ ତୁମେମାନେ ମଧ୍ୟ ସେତେବେଳେ ସେଇଆଡ଼େ ଯିବ । ମାତ୍ର ଖବରଦାର-ନୀଲୁ ଯେପରି ଜାଣିନପାରେ ।’’

 

ସେଦିନଠାରୁ ଆମର ମନ୍ତ୍ର ହେଲା, ନୀଲୁକୁ ଫଲୋ କରିବା । ଆମେ ସେଟା ଉପରେ ବଦ୍‌ମାସି ଫଳେଇ କରି ତା’ର ଉଚ୍ଚାରଣ କଲୁ-ଫଲ୍‌ଲୋ ମାଇଁ ନୀଲ୍‌ଲୋ ।

 

ସେତେବେଳେ ଲକ୍ଷ୍ୟ ନ ଥିଲା ଏହାର ପରିଣାମ କ’ଣ ହୋଇପାରେ । ଦିନେ ଆମ ଦଳର ଦୀନକୃଷ୍ଣ ଆସି ମୋ କାନରେ କହିଲା ‘‘ଜାଣୁ, ସେ କେଉଁଠିକି ଯାଏ ?”

 

‘‘କେଉଁଠିକି ?”

 

“କାହା ଆଗରେ କହିବୁନି । ସମୁଦ୍ରକୂଳରେ ଗୋଟିଏ ଛୋଟ ଦିମହଲା କୋଠା ଅଛି, ଚକ୍ରତୀର୍ଥଆଡ଼େ । ସେଠାରେ ରୋଜ ଉପରବେଳା ଯାଇ ନୀଲୁ କେଉଁମାନଙ୍କ ସାଙ୍ଗରେ ଆଡ଼୍‌ଡ଼ା ମାରେ, ଶୁଣିବୁ ?"

 

“କେଉଁମାନଙ୍କ ସାଙ୍ଗରେ ?”

 

‘‘ଝିଅପିଲାମାନଙ୍କ ସାଙ୍ଗରେ ।”

 

ଡିଟେକ୍‌ଟିଭ ବହି ପଢ଼ି ମଧ୍ୟ ମୁଁ ଏତେ ରୋମାଞ୍ଚିତ ହୋଇନଥିଲି । ସେଦିନ ମୋର ଇଚ୍ଛା ହେଉଥାଏ ଦୁନିଆର ଲୋକଙ୍କୁ ଡାକି କହିବାକୁ-ଆହା ! ନୀଲୁ କେମିତି ଭଲପିଲା ଦେଖିଲେ ତ ଆପଣମାନେ ! ଫଲ୍‌ଲୋ ମାଇ ନୀଲ୍‌ଲୋ ।

 

ଝିଅପିଲାମାନଙ୍କର ଉଲ୍ଲେଖ ଶୁଣି ମୁଁ ମୋର ମୁହଁଟିକୁ ଯଥାସାଧ୍ୟ ସାଧୁ ସନ୍ଥମାନଙ୍କ ପରି କରି କହିଲି, ‘‘ଆମେମାନେ ଦୁଷ୍ଟ ପିଲା ମାନୁଛୁ, ମାତ୍ର ବଜାରୀ ନୋହୁଁ । ଆମ୍ଭମାନଙ୍କର ଆଦର୍ଶ ସ୍ଵାମୀ ବିବେକାନନ୍ଦ । ଆମ୍ଭେମାନେ କ’ଣ ଝିଅପିଲାଙ୍କ ସାଙ୍ଗରେ ମିଶିପାରୁ ?”

 

ଦୀନୁ କହିଲା, ‘‘ମିଳାମିଶା ଦୂରେ ଥାଉ, ତାଙ୍କ ପାଖକୁ ଯିବାକୁ ହିଁ ମୋର ଛାତି ଧଡ଼ପଡ଼ କରେ । ଗୋଟିଏ ଝିଅପିଲା ଯେଉଁ ମୁହୂର୍ତ୍ତରେ ତଳକୁ ଓହ୍ଲାଇଲା, ମୁଁ ଦେଲି ଲମ୍ବ ଦୌଡ଼ । ନୀଲୁର ଯାହା କହ ପଛକେ ସାହସ ଅଛି ।”

 

ମୁଁ ସେଦିନ ଆବିଷ୍କାର କଲି ଯେ ଆମେ ଦୁହେଁ ସମାନ ଭଣ୍ଡ-ଯେପରି ମୁଁ, ସେପରି ଦୀନୁ । ଅସଲରେ ଆମେ ନୀଲୁର ଅନୁସରଣ କରିପାରିଲେ ବଞ୍ଚିଯାଆନ୍ତୁ । ଦୁନିଆ ଲୋକଙ୍କ ଆଖିରେ ଧୂଳିଦେଇ ଆମେ ଦୁଇ ଭଣ୍ଡ ସନ୍ନ୍ୟାସୀ ନୀଲୁର ପିଛାକଲୁ । ଛାତି ଧଡ଼ପଡ଼ ହେଉଥିଲା ଦୁଇଜଣଙ୍କର ହିଁ; ମାତ୍ର ଝିଅପିଲାଙ୍କ ପାଇଁ ନୁହେଁ, ସେମାନଙ୍କର ଅଭିଭାବକମାନଙ୍କ ଡରରେ । ମୁହଁରେ ଫୁଟାଣି କରୁଥିଲୁ, ‘‘ନୀଲୁଟାକୁ ଧରେଇଦେବାକୁ ହେବ ।" କିନ୍ତୁ ଅନ୍ତରାତ୍ମା ଜାଣନ୍ତି ଯାହା ମନେ ମନେ କହୁଥିଲୁ-" ଯଦି ଧରାପଡ଼ୁ, ତେବେ ?” ତେବେ ସିଧା ଦୌଡ଼ ।

 

କୋଠାଟିର ନାଁ ‘ଊର୍ମିମୁଖର’ । ଛୋଟ ଦିମହଲା କୋଠା । ହାଲୁକା ନୀଳ ବର୍ଣ୍ଣ । ସମୁଦ୍ର ପବନରେ ଥିଲା ସାଗରର ସ୍ଵନନ । କୋଠାଟି ସାର୍ଥକନାମା ।

 

ଆମେ ସେ ଘର ପାଖରେ ଶାମୁକା ଗୋଟେଇବା, ବାଲିରେ ଗାତ ଖୋଳିବା ଆରମ୍ଭ କରିଦେଲୁ କେତୋଟି ଅଚିହ୍ନା ଶିଶୁଙ୍କ ସାଙ୍ଗରେ ବନ୍ଧୁତାକରି । ନଜର ରଖିଲୁ ନୀଲୁ ଉପରେ । ନୀଲୁ ଯେତେବେଳେ ଉପର ମହଲାରେ ପହଞ୍ଚିଲା ସେତେବେଳେ ହସର ଲହରୀ ଉଠିଲା-ତାକୁ ଦେଖି କିମ୍ବା ତା’ ପୋଷାକ ଦେଖି କି ଆଉ କ’ଣ ଦେଖି ଠିକ୍ ବୁଝିହେଲାନାହିଁ । ନୀଲୁ ବି ସେ ହସରେ ଯୋଗଦେଲା । ଆମ କାନକୁ ଆସୁଥାଏ…ହା ହା, ହୋ ହୋ, ହି ହି ।

 

ନୀଲୁଟା ଯେ ଏପରି ମାଙ୍କଡ଼ କିଏ ଜାଣିଥିଲା ? ଝିଅପିଲାମାନଙ୍କ ସାଙ୍ଗରେ ସମାନରେ ତାଳ ଦିଏ । କେତେବେଳେ ହସେ, କେତେବେଳେ ଗୀତ ବୋଲେ, ବା ଚିଡ଼ାଚିଡ଼ି କରେ । ଆମେ ଶୁଣିଲୁ ସେମାନେ ତାକୁ ‘ଭୁତୁମ’ ବୋଲି ଡାକୁଛନ୍ତି । ଆହା, ନାଁ’ର କି ଶ୍ରୀ ! ଭୁତୁମ ! ନୀଲୁର କିନ୍ତୁ ସେଇଥିରେ ଆନନ୍ଦ । ସେ ପେଚାପରି ଆବାଜ ଦେଉଛି … ହୁମ୍…ହୁମ୍…ହୁମ୍...

 

ଦୀନୁ କହିଲା, ‘‘ଖାଉ ଖାଉ ଆବାଜ ଦେଉଛି ବୋଲି ଏପରି ଶୁଣାଯାଉଛି ।”

 

ମୁଁ କହିଲି, ‘‘ବୁଝିଲି, ଖାଇବା ଲୋଭରେ ଟୋକା ରୋଜ ଏପଟକୁ ଆସେ ।”

 

ନୀଲୁ ଯେ ଜଣେ ଭାଗ୍ୟବାନ୍ ପୁରୁଷ ଏ ବିଷୟରେ ଆମର ଦ୍ୱିମତ ନ ଥିଲା । କେଜାଣି କି ଭଲ ମନ୍ଦ ଖାଏ, ଆମେ ତ ପାଉନା । ଏତେଗୁଡ଼ିଏ ଝିଅପିଲା ମିଶି ରାନ୍ଧିବାଢ଼ି ଖୁଆନ୍ତି । ହୁଏତ ଚପ୍ କଟ୍‌ଲେଟ, ଅଣ୍ଡା ଅମଲେଟ୍ । କଅଣ କୁହନ୍ତି ତ ତାକୁ ? ହଁ, ପୁଡିଂ । ହୁଏତ ଚକୋଲେଟ୍, ଟଫି, ଲଜେନ୍‌ସ ଖାଇବାକୁ ଦିଅନ୍ତି, ଆଇସ୍‌କ୍ରିମ ଲେମେନେଡ଼୍ ସୀରପ୍ ।

 

ଆମେ ସ୍ଥିର କଲୁ ନୀଲୁର ବାପାଙ୍କୁ ଜଣାଇବାକୁ ହେବ ଯେ ସେ କୁସଙ୍ଗରେ ମିଶୁଛି । ଆମ ଦଳର ଟାଇଗର ଉପରେ ସେ ଭାରି ପଡ଼ିଲା । ତା’ପରି ତୁଣ୍ଡ ଅଲଗା ବେହିଆ ଖୁବ୍ କମ୍ ଦେଖାଯାଆନ୍ତି । ଉପରେ ପଡ଼ି କଳି କରେ, କୁତ୍ସିତ ଗାଳିମନ୍ଦ କରେ । ତା’ ମୁହଁରେ କିଛି ଅଟକେନା, ଗୁରୁ ଲଘୁ ଜ୍ଞାନ ନାହିଁ ।

 

ଟାଇଗର୍ ଦିନେ ସାର୍‌ଙ୍କର ଗୋଡ଼ ମାଡ଼ିପକେଇ ଦେଖେଇ ଦେଖେଇ ପାଦଧୂଳି ନେଲା । ତା’ ପରେ କହିଲା, ‘‘ଏଣିକି ନୀଲୁର ବି ପାଦଧୂଳି ନେବି ସାର୍ ! ସେ ଆମମାନଙ୍କଠାରୁ ବହୁ ଉଚ୍ଚରେ ।”

 

‘‘କାହିଁକିରେ ?”

 

“ସେ ଗଛଡାଳରେ ବିଚରଣ କରେ, ନାଁ ତା’ର ଭୁତୁମ । ଗୋଟିଏ ନୁହେଁ, ଦୁଇଟି ନୁହେଁ-ଅନେକଗୁଡ଼ିଏ ପେଚୀ ତା’ର ସହଚାରିଣୀ ।”

 

ବଙ୍ଗଳା ରୂପକଥାର ଗୋଟିଏ ବିଖ୍ୟାତ ଚରିତ୍ର-ଛଦ୍ମବେଶୀ ରାଜପୁତ୍ର ‘ଭୁତୁମ’ ଯେ କି ପେଚାବେଶରେ ଥିଲେ ।

 

ମାଷ୍ଟ୍ରେ ତ ହତବାକ୍ ! ତା’ପରେ ଟାଇଗର୍‌ର କାନଟା ନିଜ ମୁହଁ ପାଖକୁ ଟାଣିନେଇ କହିଲେ, “ଭଲକରି ଖବର ବୁଝିଲେ ଜାଣିବୁ ଯେ ନୀଲୁ ଯାଏ ଗୋଟିଏ ରୁଗ୍‌ଣା ଝିଅକୁ ଟିକିଏ ଆନନ୍ଦ ଦେବାକୁ । ଝିଅଟିର ଯକ୍ଷ୍ମା, ବଞ୍ଚିବ କି ନାହିଁ ସନ୍ଦେହ । ସହଚାରିଣୀ ଯେଉଁମାନଙ୍କୁ କହୁଛୁ, ସେମାନଙ୍କର ବି ସେହି କର୍ତ୍ତବ୍ୟ । ସହଚର ବି ଅଛନ୍ତି । ସମସ୍ତେ ଭଦ୍ରଘରର ପୁଅ, ଭଦ୍ରଘରର ଝିଅ-ତୋ ପରି ଇତର ନୁହନ୍ତି ।”

 

ଏହାପରେ ମୁଁ ଯାଚିକରି ନୀଲୁ ସାଙ୍ଗରେ ଆଳାପ କଲି । ସେ ଗୋଟିଏ ଯକ୍ଷ୍ମା ରୋଗୀକୁ ଟିକିଏ ଆନନ୍ଦ ଦେବାକୁ ଯାଏ, ଭୂତୁମ ସାଜେ, ଲୋକ ହସାଏ-ଏଥିରେ ମୁଁ ତା’ର ମହତ୍ଵର ପରିଚୟ ପାଇଲି । ତା’କୁ ସବୁ ଖୋଲି କହିଲି, କ୍ଷମା ମାଗିଲି । ନିଜ ଦଳ ଛାଡ଼ି ତା’ପାଖରେ ସାମନା ଧାଡ଼ିରେ ବସିବାକୁ ଆରମ୍ଭକଲି । ଏହା ଭିତରେ ସେ ବି ପାଇଛି ମୋର ବିଦ୍ୟାର ପରିଚୟ । ସାର୍‌ ମୋର ଖାତା ଦେଖି ତାକୁ କୁଆଡ଼େ କହିଛନ୍ତି ଯେ ଟୋକାର ଷ୍ଟାଇଲ୍ ଅଛି ।

 

ଅବଶେଷରେ ସେଇ ଅନିବାର୍ଯ୍ୟ ଦିନଟି ଆସିଲା-ଯେଉଁଦିନ ନୀଲୁ ମୋତେ ତାକୁ ଅନୁସରଣ କରିବାକୁ କହିଲା ‘ଊର୍ମିମୁଖର’ର ଉପର ମହଲାକୁ । ସେଠାରେ ଗୋଟିଏ ଇଜିଚେୟାର ପକା ହୋଇଥାଏ । ସେଥିରେ ଆଉଜି ବସିଥିଲା ଅବା ଶୋଇଥିଲା ଆମରି ବୟସର ଗୋଟିଏ ବିଷଣ୍ଣ ରୁଗ୍‌ଣା ଝିଅ । ନୀଲୁ କହିଲା, “ଇଏ ମୋର ହାସନ ସଖୀ...” (୧) ଟିକିଏ ହସିଦେଲା…,”ଆଉ ମୁଁ ଏହାର ଭୂତୁମ୍ ।”

 

“ତୁମର ନାଁ’ କ’ଣ ବୁଦ୍ଧୁ ?” (୨) ପ୍ରଥମ ଆଳାପରେ ପ୍ରଶ୍ନକଲା ଝିଅଟି । ମୁଁ କହିବାକୁ ଯାଉଥିଲି ମୋର ନାଁ; ମାତ୍ର ନୀଲୁ ଆଖିମାରିଦେଲା । ସେତେବେଳକୁ ମୁଁ ଉତ୍ତର କଲି, ‘ହଁ ଭଉଣୀ, ମୋ ନାଁ ବୁଦ୍ଧୁ ।” ସେ ଯେତେବେଳେ ମୋତେ ତୁମେ କହିଲା, ମୁଁ ବି ତାକୁ ତୁମେ ନ କହନ୍ତି କାହିଁକି-? ପଚାରିଲି, “ତୁମେ କ’ଣ ‘ଜେଜେମାଙ୍କ ମୁଣି’ ପଢ଼ିବାକୁ ଭଲପାଅ ?"

 

ଭଲପାଏ…ସବୁଠାରୁ ଭଲପାଏ କିରଣମାଳା କାହାଣୀ । ମୁଁ ଯେପରିକି କିରଣମାଳା, ଆଉ ତୁମେ ଦୁହେଁ ଯେପରି ଅରୁଣ ବରୁଣ । ତୁମେ ଏକ ମସ୍ତବଡ଼ ନଅର ତିଆରି କଲ ମର୍ମର ପଥରର; ଆଉ ମୁଁ ତାକୁ ସଜାଇଲି ଯେତେ ରାଜ୍ୟର ମଣିମାଣିକ୍ୟ ଦେଇ ।

 

(୧) ‘ହାସନ ସଖୀ’ ଏଠାରେ ‘ସଦାହମୁହଁ ସଖୀ’ ଅର୍ଥରେ ବ୍ୟବହୃତ ହୋଇଛି । ନାମକରଣରେ ରୂପକଥାର ସ୍ୱାଦ ଅଛି ।

 

(୨) ଯେଉଁ ବିଖ୍ୟାତ ରୂପକଥାରେ ‘ଭୂତୁମ୍’ ହେଉଛି ପେଚା-ଛଦ୍ମବେଶଧାରୀ ରାଜପୁତ୍ର, ସେହି ରୂପକଥାରେ ହିଁ ‘ବୁଦ୍ଧୁ’ ହେଉଛି ପାତିମାଙ୍କଡ଼ ଛଦ୍ମବେଶଧାରୀ ପରମଉପକାରୀ ବନ୍ଧ ମାତ୍ର ପୁତ୍ର ।

 

(୩) ବହିଟିର ପ୍ରକୃତ ବଙ୍ଗଳା ନାମ ‘ଠାକୁମାର ଝୂଲି’ ଅର୍ଥାତ୍ ‘ଜେଜେମାଙ୍କର ମୁଣି’ ।

 

ତଥାପି କଅଣ ଗୋଟିଏ ଅଭାବ । ସେଥିପାଇଁ ତୁମ ଦୁହିଁଙ୍କୁ ଡାକି କହିଲି, ଯାଅ ନେଇଆସ ସେଇ ସୁନା ପକ୍ଷୀ, ଆଉ ମୁକ୍ତା-ଝର-ପାଣି ।”

 

ଝିଅଟିର ଅସଲ ନାଁ ଚମ୍ପା । ବେଳଥିଲା ଯେତେବେଳେ ତା’ ଦେହରଙ୍ଗ ଚମ୍ପାଫୁଲ ପରି ଥିଲା, ବର୍ତ୍ତମାନ ଶୁଖି କଳା ହୋଇଆସୁଛି ।’ ମୁହଁରେ ଏକପ୍ରକାର ମାଦକତା ବା ମଦିରତା । ନିଶା ଲାଗେ ତା’ ସାଙ୍ଗରେ କିଛି ସମୟ ରହିଲେ । ଦେଖିବାକୁ ଯେ ସେ ଖୁବ୍ ସୁନ୍ଦରୀ ତା’ ନୁହେଁ; କିନ୍ତୁ ବିଭୋର ହୋଇ କଥା ଯେତେବେଳେ କହେ, ସେତେବେଳେ ତା’ମନର ସୌନ୍ଦର୍ଯ୍ୟ ଆସି ତନୁର ସୌନ୍ଦର୍ଯ୍ୟ ହୁଏ ।

 

ସେଦିନ ତାଙ୍କ ଘରୁ ଯେତେବେଳେ ଫେରିଲୁ, ସେତେବେଳେ ମୋ ଆଖିରେ ଲୋତକ-। ନୀଲୁ ଲକ୍ଷ୍ୟ କଲା । କହିଲା, “କିରେ, କାନ୍ଦୁଛୁ ?

 

“କାନ୍ଦିବିନି ତ ଆଉ କ’ଣ ହସିବି ? ମୁଁ କ’ଣ ତୋ ପରି ପଥର ?”

 

“ମୁଁ ଯେ ହସେ, ସେଇଟା ମୁଁ ପଥର ବୋଲି ନୁହେଁ-ହସେ ତାକୁ ହସେଇବା ପାଇଁ ।”

 

“ତାକୁ ହସେଇବାକୁ ଇଚ୍ଛାକଲେ ମଧ୍ୟ ମୁଁ ହସିପାରିବିନି । ଇଏ କ’ଣ ହସ କଥା ଯେ-ଗୋଟିଏ ସୁନ୍ଦର ଫୁଲ ଦିନକୁ ଦିନ ମଉଳିଯାଉଛି ! ହେ ଭଗବାନ, କାହିଁକି ଆମକୁ ଏତେ ଅକ୍ଷମ କରି ସୃଷ୍ଟି କଲ ? କାହିଁକି, କାହିଁକି; ଆଗୋ ଥରେହେଲେ କହିଦିଅ କାହିଁକି ଆମେ ପାରିବୁନି ତା’କୁ ମୁକ୍ତା-ଝର-ପାଣି ଦେଇ ବଞ୍ଚେଇବାକୁ ।”

 

ନୀଲୁ ଖାଲି କହିଲା, “ମାନୁଛି…ତୋର ଷ୍ଟାଇଲ ଅଛି ।’’

 

ବର୍ତ୍ତମାନ ମୁଁ ଯେପରି ଜଣେ ହାସ୍ୟରସିକ, ସେତେବେଳେ ସେପରି ନ ଥିଲି । ସେତେବେଳେ ଥିଲି ଉଚ୍ଛ୍ୱାସ-ପରାୟଣ ଓ ଅରସିକ । ସେଇ ଯେ ସେଦିନ ଫେରିଲି ଆଉ ସେଆଡ଼େ ମାଡ଼ିଲିନାହିଁ । ନୀଲୁ ଡାକିଲେ ଆଖିଲୁହ ପୋଛେ । କହେ ‘ଯେଉଁଦିନ ପାରିବି ତାକୁ ମୁକ୍ତା-ଝର-ପାଣି ଆଣିଦେଇ, ସେଦିନ ଯିବି-ତା’ ପୂର୍ବରୁ ନୁହେଁ ।”

 

ନୀଲୁ ହସେଇ ହସେଇ କହେ, “ବୁଝିଲି…ପ୍ରଥମ ଦର୍ଶନରେ ହିଁ ପ୍ରେମ । ଦ୍ୱିତୀୟ ଦର୍ଶନର ଆବଶ୍ୟକ ହୁଅନ୍ତା ବାହାଘର ଆଶା ଥିଲେ ।”

 

ମୁଁ ତାକୁ ଗୋଡ଼ାଇଯାଏ । ଭାବେ, ନୀଲୁଟା ଏପରି ନିଦା ପଥର !

 

ପୁରୀରେ ଆଉ କିଛି ଦିନ ରହିଥିଲେ ହୁଏତ ଫେର୍‌ ଯାଇଥାନ୍ତି, କିନ୍ତୁ ଯେଉଁ କାରଣରୁ ହେଉ ପଛକେ ମୋତେ ପୁଣି ନାଁ ଲେଖେଇବାକୁ ପଡ଼ିଲା ମୋର ପିଲାଦିନର ସ୍କୁଲରେ । ପୁରୀରୁ ବିଦାୟ ନେଲି ଅକାଳରେ ।

 

ପ୍ରାୟ ଚାରିବର୍ଷ ପରେ ପାଟ୍‌ନା କଲେଜର ଉତ୍ତରରେ ଗଙ୍ଗାକୂଳରେ ବୁଲୁଛି, ଏପରି ସମୟରେ ନୀଲୁ ସହିତ ମୁହାଁମୁହିଁ । ଶୁଣିଲି ସେ ପାଟନା ଇଞ୍ଜିନିରିଂ ସ୍କୁଲରେ ପଢ଼େ, ଓଭରସିଅର ହୋଇ ବାହାରିବ । ତା’ର ବାପା ହଠାତ୍ ମରିଗଲେ, ସେଥିପାଇଁ କଲେଜରେ ପଢ଼ିବାର ବାସନା ଥିଲେ ମଧ୍ୟ କ୍ଷମତା ନ ଥିଲା ।

 

ନୀଲୁ କହିଲା, “ତୋ ଚେହେରାରେ ବିଶେଷ ପରିବର୍ତ୍ତନ କିଛି ଦେଖୁନି । ତୋର ସ୍ଵଭାବଟି କ’ଣ ସେହିପରି ଅଛି ? କଥାକଥାକୁ କାନ୍ଦ ?”

 

“ତୋ ଦେହ ତ ବେଶ୍ ଖୋଟ୍ଟା ପରି ହୋଇଛି । ସ୍ଵାଭାବଟି କ’ଣ ସେହିପରି ଅଛି ? କଥାକଥାକୁ ହସ ?”

 

ଏଥିରୁ ହାସନ ସଖୀ ପ୍ରସଙ୍ଗ । ନୀଲୁ କହିଲା, “ବଞ୍ଚିରହିଛି-ତା’ଠାରୁ ବଡ଼ କଥା ଭଲ ଅଛି । ବାହାଘର କଥାବାର୍ତ୍ତା ଚାଲିଛି ।”

 

“କହୁଛୁ କ’ଣ ? ଏତେ ଦୂର !” ଆଶ୍ଚର୍ଯ୍ୟ ହେଲି, “ମୁଁ ଭାବୁଛି ଏ ଅସମ୍ଭବ ସମ୍ଭବ ହେଲା କିପରି ? କିଏ ତାକୁ ଆଣିଦେଲା ମୁକ୍ତା-ଝର-ପାଣି ? ନୀଲୁ, ତୁ ନାଁ ଆଉ କିଏ ?”

 

ନୀଲୁ ମୋତେ ହଷ୍ଟେଲ୍‌କୁ ଧରିନେଇଗଲା । ଖାଇବାକୁ ଦେଲା ପାଟନାର ଅମୃତ ଆଉ ପଲ୍ଲୀ ଅଞ୍ଚଳର ଠେକୁଆ । ଯାହାହେଉ ଛତୁ ଆଉ ଲଙ୍କାମରିଚ ଖାଇବାକୁ ଦେଇନି, ସେତିକି ଯଥେଷ୍ଟ । ସେ ନିଜେ କୁଆଡ଼େ ସେଇସବୁ ଖାଇ ଚେହେରା ବାଗେଇଛି । ପାଖରେ କେଉଁ ଏକ ମହାବୀରଜୀଙ୍କ ଜାଗାଘରେ ଡନ୍‌ ପକାଏ, ପହଁରେ ଗଙ୍ଗାରେ ।

 

ସେ କଦାପି ‌ସ୍ଵୀକାର କଲାନାହିଁ ଯେ ତା’ର ସଖୀ ଭଲ ହୋଇଉଠିଲା, ତା’ର ଆନନ୍ଦ ରସାୟନରେ । କହିଲା, ଦୁଇବର୍ଷରୁ ଊର୍ଦ୍ଧ୍ୱ ତଥ୍ୟ ମୁଁ ପାଟନାରେ, ଚମ୍ପା ଦେଓଘରରେ । ଛୁଟି ସମୟରେ ଅଳ୍ପ କେତେଦିନ ପାଇଁ ସାକ୍ଷାତ ହୁଏ । ସୁତରାଂ ମୋର କୃତିତ୍ଵ କେତେ ଟିକେ । ଜାଣେନା ଆଉ କେହି ଅଛି ନା ନାହିଁ ସେଠାରେ ।

 

ପାଟନାରେ ନୀଲୁର ପଢ଼ାପଢ଼ି ସରିଗଲା ମୋ ଆଗରେ । ଯିବାବେଳେ ସେ ମୋତେ ଖବର ଦେଇଗଲେ ଯେ ଚମ୍ପାର ବାହାଘର ହୋଇଗଲା କଲିକତାର ଜଣେ ଡାକ୍ତରଙ୍କ ସାଙ୍ଗରେ । କହିଲା, “ଓଃ ! କି ଚିନ୍ତା ମୋର ନ ଥିଲା ତା’ ପାଇଁ ! ଡାକ୍ତର ଶୁଣି ଦେହରେ ପ୍ରାଣ ପଶିଲା । ସେ ବଞ୍ଚିବ ବହୁଦିନ । ଚିରଦିନ ବଞ୍ଚିବ ସେ । ଡାକ୍ତର ଠିକ୍ ବଞ୍ଚେଇବ ତାକୁ । ତୋତେ ବୋଧହୁଏ କହିନି ଯେ ଡାକ୍ତର ଜଣକ ପ୍ରବୀଣ ଓ ପ୍ରସିଦ୍ଧ-ହଁ ଦୋବେହି ।”

 

ମୁଁ କହିଲି, “ନୀଲୁ ମୁକ୍ତା-ଝର-ପାଣି ଡାକ୍ତରଖାନାରେ ମିଳେନାଁ । ମଣିଷକୁ ଯେ ବଞ୍ଚାଏ ସେ ଡାକ୍ତର ନୁହେଁ । ମୁଁ ନିଶ୍ଚିନ୍ତ ହୋଇଥାଆନ୍ତି ଯଦି ତୋ ସାଙ୍ଗରେ ତା’ର ବାହାଘର ହୋଇଥାନ୍ତା । ହସୁଛୁ ଯେ ? ମାନୁଛି ତୋର ଅର୍ଥ ନାହିଁ; କିନ୍ତୁ ପ୍ରେମ ତ ଅଛି ! ତୁ କେଉଁଥିରେ ଅଯୋଗ୍ୟ ଶୁଣେ ?’’

 

“ଶଙ୍କର’’...ନୀଲୁ ମୋର ହାତ ଦୁଇଟି ଧରି ମୋ ଆଖିରେ ଆଖିପକାଇ କହିଲା, “ତୁ ବିଦ୍ଵାନ୍, ତୁ କବି-ମାତ୍ର ବିଦଗ୍‌ଧ ନୋହୁଁ । କେବେ ଭଲପାଇଛୁ କି ନାଁ ସନ୍ଦେହ । ଯଦି, କେବେ ପ୍ରେମ କରୁ, ତା’ହେଲେ ଦେଖିବୁ ପ୍ରେମ ଦୁଇ ପ୍ରକାରର । ସଖା ସହିତ ସଖୀର, ପ୍ରିୟ ସହିତ ପ୍ରିୟାର । ଚମ୍ପା ସହିତ ମୋର ପ୍ରେମ ଦ୍ଵିତୀୟ ପର୍ଯ୍ୟାୟର ନୁହେଁ, କେଉଁଦିନ ନ ଥିଲା, ତୁ ଭୁଲ୍ ବୁଝିଥିଲୁ ।”

 

“ବୁଝିଲି ।” ମୁଁ ଯେପରିକି ଗୋଟିଏ ବଡ଼ ଆବିଷ୍କାର କଲି । “ତୁମେମାନେ ଥିଲ ଏକ ହିସାବରେ ଭାଇଭଉଣୀ । କଅଣ ଠିକ୍ ଧରିଛ ନାଁ ନାହିଁ ???

 

“ନା, ଠିକ୍ ନୁହେଁ, ବେଠିକ୍ । ଭାଈଭଉଣୀର ପ୍ରେମ ଅନ୍ୟ ଜାତୀୟ । ଚମ୍ପାକୁ ମୁଁ ଭଉଣୀ ବୋଲି ଭାବିପାରେନାଁ । ସେ ମୋର ସଖୀ, ସହୀ, ସହେଲୀ । ଏଇ ଯେପରି ତୋ ସାଙ୍ଗରେ ମୋର ସଖ୍ୟ, ସେପରି ତା’ ସାଙ୍ଗରେ । ତୁ କ’ଣ ମୋର ଭାଇ ? ଭାଇ ପାଖରେ କ’ଣ ସବୁ କଥା ଖୋଲି କହିହୁଏ ? ତୁ ମୋର ସାଙ୍ଗ, ସେଥିପାଇଁ ତୋ ପାଖରେ ମୋର ଲୁଚେଇବାର କିଛି ନାହିଁ-ସେମିତି ଚମ୍ପା ପାଖରେ ।”

 

“କାଳିଦାସ ତ ଗୃହିଣୀକୁ ହିଁ ସଖୀ କହିଯାଇଛନ୍ତି । ତେବେ ଚମ୍ପା କାହିଁକି ତୋର ଗୃହିଣୀ ହୋଇପାରିନଥାନ୍ତା ? ମୋତେ କହ ।” ମୁଁ ମାଡ଼ିବସିଲି ।

 

“ଗୃହିଣୀ ହୁଏତ ସଖୀ ହୋଇପାରେ, ମାତ୍ର ସଖୀ ଗୃହିଣୀ ହୋଇନପାରେ । କେହି ଯଦି ଜୋର କରି ଆମର ବାହା ଦେଇଥାନ୍ତେ ତା’ହେଲେ ବି ଆମେମାନେ ସ୍ୱାମୀ-ସ୍ତ୍ରୀ ହୋଇନଥାଆନ୍ତୁ । ତା’ହେଲେ ଆମର ଓଠର ହସ ଆଖିରେ ମିଳେଇଯାଆନ୍ତା ।”

 

ପାଞ୍ଚ-ଛ ବର୍ଷ ପରେ ମୁଁ ବିଲାତରୁ ଫେରିଛି, ଅଛି କଲିକତାର ଏକ ବିଖ୍ୟାତ ହୋଟେଲରେ । ସେମାନେ ମୋ ନାଁ ଖବରକାଗଜରେ ଛାପିଦେଇଛନ୍ତି; ଫଳରେ ଅନେକେ ଦୟାକରି ଆସୁଛନ୍ତି ମୋତେ ଦେଖିବାକୁ । ବେୟାରା ପୁଳେ କାର୍ଡ଼ ନେଇଆସିଲା । ତା’ ଭିତରେ ଗୋଟାକରେ ଛପାଥିଲା ‘ନୀଳାଦ୍ରିନାଥ ଗୁପ୍ତ । ମାର୍ଟିନ୍ ଏଣ୍ଡ କୋମ୍ପାନୀ ।’ କାଳେ ଚିହ୍ନି ନ ପାରେ ସେଥିପାଇଁ ହାତରେ ଲେଖିଥିଲା “ନୀଲୁ” ।

 

ନୀଲୁ ! ମୋର ବାଲ୍ୟବନ୍ଧୁ ନୀଲୁ ! ସେଇ ନୀଲୁ କଲିକତାରେ-ମାର୍ଟିନ ଏଣ୍ଡ କୋମ୍ପାନୀରେ ! ନୀଲୁକୁ ହିଁ ଅଭ୍ୟର୍ଥନା କଲି ସର୍ବପ୍ରଥମେ ।

 

ହାଫସାର୍ଟ, ହାଫ୍ ପ୍ୟାଣ୍ଟ ପିନ୍ଧା ଏକ ଲୌହମାନବ ମୋ’ ସହିତ ହ୍ୟାଣ୍ଡସେକ କଲେ ନାଁ ପଞ୍ଝା ଲଢ଼ିଲେ ! ମୁଁ ଥରିଉଠି କହିଲି, “ଆଃ, ଛାଡ଼ି ଦେ ଭାଇ ! କାଟୁଚି ।”

 

“ହଁ ! ବଙ୍ଗଳା ମନେଅଛି । ମୁଁ ପରୀକ୍ଷା କରି ଦେଖୁଥିଲି ବଙ୍ଗଳା ବାହାରି ପଡ଼ିବ ନାଁ ଇଂରାଜୀ ।”

 

ଶୁଣିଲି ଚାକିରିରେ ଖୁବ୍‌ ଉନ୍ନତି କରିଛି, ଦରମା ପାଉଛି ଇଞ୍ଜିନିୟରଙ୍କ ସମାନ । କହିଲା, “ସମୟ ଏକାବେଳକେ ମିଳେନି । ଏଇ ଯେ ତୋତେ ଦେଖିବାକୁ ଆସିଲି ବହୁ କଷ୍ଟରେ । ଚମ୍ପାଘରେ ତୋର ନିମନ୍ତ୍ରଣ । ମୁଁ ତୋତେ ଡ୍ରାଇଭ୍ କରି ନେଇଯିବି ସନ୍ଧ୍ୟା ପରେ । ପ୍ରସ୍ତୁତ ହୋଇ ରହିବୁ । ନାଁ ନାଁ, ଅନ୍ୟ ଏନ୍‌ଗେଜମେଣ୍ଟ ଅଛି-ସେ କଥା ଶୁଣିବିନି । କ୍ୟାନ୍‌ସେଲ୍ ଇଟ୍ । ଚମ୍ପା ଏକାବେଳକେ ଅଧୈର୍ଯ୍ୟ ହୋଇଉଠିଛି ତୋତେ ଦେଖିବାପାଇଁ । ଓଃ, କେତେ କାଳ ପରେ ! ତୁ କିନ୍ତୁ ସେହିପରି ଅଛୁ । ତୋର ସ୍ୱଭାବଟି କ’ଣ ସେହିପରି ଅଛି ?”

 

ମୁଁ ଜାଣିବାକୁ ଚାହିଁଲି ଚମ୍ପା କିପରି ଅଛି, ବାହାଘର ସୁଖର ହୋଇଛି ନା ନାହିଁ, ପୁଅଝିଅ କେତୋଟି, ନୀଲୁ ମଧ୍ୟ ବାହା ହୋଇଛି କି ନାହିଁ ଇତ୍ୟାଦି । ଉତ୍ତର ପାଇଲି, ନୀଲୁର ସ୍ତ୍ରୀ ଚମ୍ପା ସହିତ ଏତେ ମିଳାମିଶା ପସନ୍ଦ କରନ୍ତି ନାହିଁ, ସେଥିପାଇଁ ଚମ୍ପା ସହିତ ନୀଲୁର କ୍ଵଚିତ୍ ସାକ୍ଷାତ୍‌ ହୁଏ-। ଏପଟେ ପୁଣି ଡାକ୍ତରସାହେବଙ୍କର ମଧ୍ୟ ସେଇ ମନୋଭାବ, ସେ ବି ନୀଲୁକୁ ପ୍ରଶୟ ଦିଅନ୍ତିନାହିଁ-। ଏସବୁ ବାଧାବିଘ୍ନ ସତ୍ତ୍ୱେ ବି ସେମାନଙ୍କର ବନ୍ଧୁ ଅବିକଳ ସେହିପରି ଅଛି । ନୀଲୁର ଗୋଟିଏ ପୁଅ, ଚମ୍ପାର ସନ୍ତାନ ହୋଇନାହିଁ ।

 

ନୀଲୁ ଏକନିଃଶ୍ଵାସରେ ଉତ୍ତର ଦେଇ ଏକ ଦୌଡ଼ରେ ପ୍ରସ୍ଥାନ କଲା । ସମୟ କାହିଁ ? ସନ୍ଧ୍ୟା ପରେ କଥା ରଖିଲା । ତା’ ନିଜ ମୋଟରରେ ମୋତେ ପହଞ୍ଚାଇ ଦେଲା ଥିଏଟର୍‌ ରୋଡ଼ରେ-। ଡକ୍ଟର ସେନ୍ ମୋତେ ସାଦର ସମ୍ଭାଷଣ କରି ତାଙ୍କ ସ୍ତ୍ରୀଙ୍କ ପାଖକୁ ନେଇଗଲେ । ତାଙ୍କ ସ୍ତ୍ରୀଙ୍କ ପାଖରେ ଥିଲେ ଆଉ କେତୋଟି ତରୁଣୀ । ଶୁଣିଲି ସେମାନେ ସମସ୍ତେ ମିସ୍‌-କିଏ ସେ ଘରର, କିଏ ପଡ଼ିଶା ଘରର । ଏଠାରେ ଘର ଅର୍ଥ ଫ୍ଲାଟ୍ । କିନ୍ତୁ ମୋର ନଜର ନ ଥିଲା କାହା ପ୍ରତି-। ମୋର ଦୃଷ୍ଟି ଆଚ୍ଛନ୍ନ କରି ରଖିଥିଲା ଚମ୍ପା-ଆମର ହାସନ ସଖୀ-ଆମର କିରଣମାଳା-ଆମର ହଜିଯାଇଥିବା କୈଶୋର ।

 

ଚମ୍ପାର ଦେହବର୍ଣ୍ଣ ପୁଣି ଚମ୍ପାଫୁଲ ପରି ହୋଇଛି । ଭରନ୍ତ ଦେହ, ସୁଠାମ ଗଠନ । ଖାଲି ତା’ର ଆଖି ଦୁଇଟିରେ କେତେ ଯୁଗର କ୍ଳାନ୍ତି, କେତେ କାଳର ନିରାଶା ।

 

“ତା’ହେଲେ ବୁଦ୍ଧୁ...ତୁମକୁ ବୁଦ୍ଧୁ କହି ଡାକିଲେ କ୍ଷମା କରିବ ତ ? ତୁମେ କହିବି ନା ଆପଣ କହିବି ?’ ସେ ହସିଲା । କି ତନ୍ମୟ ହସ । ସେ ଯେତେବେଳେ ଯାହା କହେ, ଯାହା କରେ, ତନ୍ମୟ ହୋଇ କହେ, ତନ୍ମୟ ହୋଇ କରେ ।

 

“ବୁଦ୍ଧୁ କହିପାର, ବରୁଣ କହିପାର, ଯା କହିବାକୁ ତୁମର ମନ ଚାହେଁ, ଯା କହିଲେ ତୁମେ ରୂପକଥାର ଆସ୍ଵାଦନ ପାଅ ।” ମୁଁ ଆଶ୍ୱାସନା ଦେଲି । “ନା ଆପଣ କାହିଁକି ? ଆପଣ କେବେ ହେଲି ? ସେହି ପ୍ରଥମ ଦିନଠାରୁ ତ ତୁମେ ।”

 

“ତୁମେ ଏତେ ଦେଶ ଦେଖିଲ, ଏତେ ରାଜ୍ୟ ବୁଲିଲ, ଠିକ୍ ରୂପକଥାର ରାଜପୁତ୍ର ପରି…କାହିଁ, ତୁମର ରାଜକନ୍ୟା କାହିଁ ?”‘ ସେ ସେହିପରି ହସିଲା ।

 

“ରାଜକନ୍ୟା ଏବେ ମଧ୍ୟ ନିଦରେ ଶୋଇଛି । ସୁନାଖଡ଼ିକା ଖୋଜି ପାଇନି ।”

 

“ମାତ୍ର ରୁପା ଖଡ଼ିକାର ସନ୍ଧାନ ତ ପାଇଛି ?”

 

“ତା’ ପାଇଛି, କିନ୍ତୁ ରୁପା ଖଡ଼ିକା ଛୁଆଁଇଲେ ତ ତା’ର ହୋସ୍‌ ଆସିବନି । ଯାର ହୋସ୍ ଆସିବନି, ତାକୁ ନେଇ ମୁଁ କ’ଣ କରିବି ? ମୋର ଅନ୍ୟ କାମ ଅଛି, ହାସନ୍ ! ମୁଁ ଜଣେ କବି ।”

 

ଏପରି କେତେଟା କଥାବାର୍ତ୍ତା । ସବୁ ସାଙ୍କେତିକ ଭାଷାରେ । ସେ ବୁଝିଲା ଯେ ମୁଁ ତା’ର ନଣନ୍ଦମାନଙ୍କ ଭିତରୁ କାହାକୁ ବା ତା’ର ପ୍ରତିବେଶିନୀମାନଙ୍କ ଭିତରୁ କାହାକୁ ବାହା ହେବିନାହିଁ । ଟିକିଏ କ୍ଷୁଣ୍ଣ ହେଲା । ତା’ର ଆଶା ଥିଲା ସେମାନଙ୍କ ଭିତରୁ କାହାକୁ ବାହା ହୋଇ ମୁଁ ତା’ ସାଙ୍ଗରେ ସାମାଜିକ ସମ୍ପର୍କ ଯୋଡ଼ିବି, ତା’ହେଲେ ଦେଖା ସାକ୍ଷାତ ସୁଗମ ହେବ । କିନ୍ତୁ ମୁଁ ନୀଲୁର ଦୃଷ୍ଟାନ୍ତ ଦେଲି । ବିଭାଘର ପରେ ସବୁ ନାରୀ ସମାନ । କିଏ ହେଲେ ତା’ର ସ୍ଵାମୀକୁ ସ୍ଵାଧୀନତା ଦେବନାହିଁ ସଖୀ ସାଙ୍ଗରେ ମିଳାମିଶା କରିବାକୁ, ନିଜ ଭଉଣୀ ହେଲେ ବି ନୁହେଁ, ଭାଉଜ ହେଲେ ବି ନୁହେଁ ।

 

ଡିନର୍‌ ଟେବୁଲରେ ମୁଁ ଥିଲି ତା’ର ଡାହାଣ ପଟେ । ଖାଉ ଖାଉ କଥା କହୁଥିଲି ସାଙ୍କେତିକ ଭାଷାରେ । ଡିନର୍‌ ପରେ ଅନ୍ୟାନ୍ୟ ଝିଅମାନଙ୍କ ପ୍ରତି ମନୋଯୋଗ ଦେବାକୁ ପଡ଼ିଲା-। ହାସନ୍ ସେଥିରେ ଖୁସି ହେଲା ନାହିଁ, ନୀଲୁକୁ ନେଇ ବସିଲା ତାସ ଖେଳିବାକୁ-। ମୋ କାନକୁ ଆସିଲା, “ଦେଖୁଛି ବୁଦ୍ଧୁ ଏକ ନମ୍ବର ଫ୍ଲାର୍ଟ । ବାହାହେବନି ଜଣକୁ ବି ମାତ୍ର ସମସ୍ତଙ୍କ ସାଙ୍ଗରେ ରଙ୍ଗ କରିବ ହିଁ କରିବ ।”

ଡାକ୍ତରସାହେବଙ୍କ ଲକ୍ଷ୍ୟ ସଦାସର୍ବଦା ନୀଲୁ ଉପରେ; ମୋତେ ସେ ପ୍ରତିଯୋଗୀ ବୋଲି ଗଣ୍ୟ କରିନାହାନ୍ତି । ନୀଲୁ ବିଚରା ଖାଲି ଚଙ୍ଗଚଙ୍ଗ ହେଉଥାଏ । ତା’ର ଲକ୍ଷ୍ୟ ଗୋଟିଏ କାନ୍ଥଘଣ୍ଟା ଉପରେ । ଡେରି କଲେ ତା’ର ଘରବାଲୀ ରୁଷିବ । ଲୌହମାନବ ମଧ୍ୟ ତା’ ଭାର୍ଯ୍ୟାକୁ ଡରେ । ମୋତେ ଏପରି ହସମାଡ଼ୁଥାଏ ଏ କଥା ଭାବି । ମୁଁ ତାକୁ ରହସ୍ୟ କରି କହିଲି, “ଆଜି ତୋ କପାଳରେ ଛାଞ୍ଚୁଣୀ ମୁଠା ଅଛି ।”

ବିଦାୟ ବେଳାରେ ଚମ୍ପା କହିଲା, “ପୁଣି ଯେତେବେଳେ କଲିକତାକୁ ଆସିବ, ଦେଖାହେବ ତ ? ବୁଦ୍ଧୁ, ପୁଣି ଯେପରି ଦେଖାହୁଏ ।” କେଜାଣି କାହିଁକି ମୋର ଆଖି ସଜଳ ହେଲା-। ନୀଲୁ କହିଲା, “ଚାଲ୍ ତୋତେ ଛାଡ଼ିଦେଇ ଆସେ । ଇଚ୍ଛାଥିଲା ଦିନେ ମୋ ଘରକୁ ଡାକିବାକୁ; ମାତ୍ର କାଲି ସକାଳେ ମୋତେ ମଫସଲ ଯିବାକୁ ପଡ଼ୁଛି । ଆସନ୍ତା ଥର କଲିକତାକୁ ଆସିଲେ ମୋ ଘରେ ରହିବୁ ।”

ତା’ପରେ ନାନା କାରଣରେ ସେମାନଙ୍କ ସାଙ୍ଗରେ ଆଉ ସାକ୍ଷାତ୍ ହୋଇପାରିନାହିଁ । ପ୍ରାୟ ସାତବର୍ଷ ପରେ ଛୁଟିନେଇ ମିହିଜାମରେ ବିଶ୍ରାମ କରୁଛି, ଦିନେ ଠିକ୍ ଦି’ପହର ବେଳା ଗୋଟିଏ ମୋଟର ଆସି ମୋ ଦୁଆର ସାମନାରେ ଠିଆହେଲା । ଡିଁଆମାରି ଓହ୍ଲାଇଲା ଗୋଟିଏ କୁକୁର । ତାକୁ ଦେଖି ଦୌଡ଼ିଆସିଲେ ମୋର ଦୁଇପୁଅ । ଉତ୍ତେଜିତ ହୋଇ କହିଲେ, “ବାପା, ଦେଖିବ ଚାଲ କାହା ମୋଟର ଆଉ କୁକୁର ।”

 

ବାହାରି ଦେଖିଲି ସାହେବ ପୋଷାକ ପିନ୍ଧିଥିବା ଜଣେ ଭଦ୍ରଲୋକ ଓ ଫରକୋଟ ଚଢ଼େଇ ଶାଢ଼ି ପିନ୍ଧିଥିବା ଜଣେ ମହିଳା । ଆରେ, ଏ ଯେ ଆମର ନୀଲୁ, ସାଙ୍ଗରେ ତା’ର ସ୍ତ୍ରୀ ରତ୍ନାବଳୀ । ମୋର ସ୍ତ୍ରୀ ରୋଷେଇଶାଳରେ ଥିଲେ; ତାଙ୍କୁ ଏହା ଭିତରେ କୁକୁର ଆଉ ମୋଟରର ଖବର ଦିଆସରିଥିଲା, ମହିଳାଙ୍କ ଖବର ଦିଆହୋଇନଥିଲା I ମୋର ଡାକରା ଶୁଣି ସେ ବାହାରକୁ ଆସିଲେ ଓ ରହିବାର ନିମନ୍ତ୍ରଣ ଜଣାଇଲେ । ଶୁଣାଗଲା ନୀଲୁହେରିକା ଆଶାନ୍‌ସୋଲରୁ ଆସିଛନ୍ତି ଜମି କିଣିବା ପାଇଁ, ଟିକିଏ ପରେ ଆସାନ୍‌ସୋଲକୁ ଫେରିଯିବେ, ରହିବେ ନାହିଁ । ଯଦି ରୋଷେଇର ଡେରି ନ ହୁଏ, ତେବେ ଖାଇପିଇ ଯିବେ ।

 

ମୁଁ କହିଲି, “ଆମେ ଗୋଟାକ ବେଳେ ଟିଫିନ୍ ଖାଉ, ଏବେ ମଧ୍ୟ ଘଣ୍ଟାଏ ବାକି । ଚାଲ୍ ନୀଲୁ, ତୋତେ ଖଣ୍ଡିଏ ମନଲାଖି ଜମି ଦେଖେଇବି ।”

 

ନୀଲୁ ରାଜିହେଲା । ତା’ର ସ୍ତ୍ରୀ ମୋ ସ୍ତ୍ରୀଙ୍କ ସାଙ୍ଗରେ ରୋଷେଇଘରେ ପଶିଲେ । ଶୀତଦିନର ଖରାବେଳ । ପବନ ଥାଏ । ଆମେ ପାଦରେ ଚାଲି ଚାଲି ଖଣ୍ଡେବାଟ ଗଲୁଁ । ମୋଟର ଏବଂ କୁକୁର ରହିଲା ପିଲାମାନଙ୍କର ହେପାଜତରେ । ପଚାରିଲି, ‘ନୀଲୁ, ଚମ୍ପା କେମିତି ଅଛି ?”‘

 

ନୀଲୁ ଉତ୍ତର କଲା, “ସେ ଅନେକ କଥା-ଆଉଦିନେ କହିବି ।”

 

“ଆଉଦିନେ ଅର୍ଥାତ୍ ଆଉ ସାତ ଆଠ ବର୍ଷ । ତା’ ଅପେକ୍ଷା ତୁ ଯେତେ ଟିକେ ପାରୁଛୁ କହ ।”

 

“ଆଚ୍ଛା, ତେବେ ସାରାଂଶ ଟିକକ କହେ ।”

 

ବାହାଘରର ଅଳ୍ପ କେତେଦିନ ପରେ ତା’ର ସ୍ଵାମୀ ତାକୁ କହିଲେ ଅପରେସନ୍ କରିବାକୁ ହେବ । କଅଣ ପାଇଁ ଅପରେସନ୍‌, ଚମ୍ପା ଏତେ କଥା ବୁଝେନା । ମତ ନ ଦେଲେ କାଳେ ଜୀବନ ସଂଶୟ ହେବ ଭାବି ସେ ମତ ଦେଲା । ଅପରେସନ୍ ପରେ ବୁଝିପାରିଲା ଚିରଜୀବନ ପାଇଁ ବନ୍ଧ୍ୟା ହୋଇଯାଇଛି । ମନରେ ନିଦାରୁଣ ଆଘାତ ପାଇଲା । ନୀଲୁକୁ କହେ-ଆଉ ବଞ୍ଚିହେବ କ’ଣ-? କ’ଣ ହେବ ପ୍ରାଣ ରଖି, ଯଦି ପ୍ରାଣ ଦେଇ ନ ପାରିଲି । ନୀଲୁ କହେ, କେତେ ନାରୀ ବନ୍ଧ୍ୟା ହେଉଛନ୍ତି ନୈସର୍ଗିକ କାରଣରେ । ମନେକର ତୁମେ ବି ତାଙ୍କ ଭିତରେ ଜଣେ । ତୁମ ସ୍ଵାମୀଙ୍କର ଚାରି ପାଞ୍ଚଟି ପୁଅ ଝିଅ, ସେମାନେ ତୁମକୁ ମା’ଡାକନ୍ତି । ତୁମେ ତାଙ୍କୁ ପାଳନକର, ପ୍ରଭୁତ ବାତ୍ସଲ୍ୟରସ ପାଇବ ।

 

କିନ୍ତୁ କିଛିଦିନ ପରେ ଭଦ୍ରଲୋକ ତାଙ୍କର ପୁଅ-ଝିଅଙ୍କୁ ଅନ୍ୟଠାକୁ ପଠାଇଲେ । ଘରେ ରହିଲେ ତାଙ୍କର ଭାଇ ଭଉଣୀ, ଚମ୍ପାର ଦିଅର ନଣନ୍ଦ । ସେମାନଙ୍କୁ ନେଇ ଚମ୍ପାର ସମୟ ମନ୍ଦ କଟୁ ନ ଥିଲା, ମାତ୍ର ସେମାନଙ୍କ ସଙ୍ଗ ପାଇ ତା’ ହୃଦୟ ଭରିବ କେମିତି ? ସ୍ଵାମୀ ସଙ୍ଗ ପାଇବା ଦୁର୍ଲଭ, ତାଙ୍କ ବ୍ୟବସାୟର କ୍ଷତି ସେ ସହିପାରନ୍ତି ନାହିଁ, ଆଉ ପ୍ରାକ୍ଟିସ୍ ମଧ୍ୟ ତାଙ୍କର ଅସାଧାରଣ । ସେ ନୀଲୁକୁ ଚିଠି ଲେଖେ, ଫୋନ୍ କରେ, ସାଧ୍ୟସାଧନା କରେ । କିନ୍ତୁ, ନୀଲୁର କ’ଣ ଉପାୟ ଅଛି-? ତା’ର ବି ଘରେ ବାହାରେ ହାକିମ, ଏଠାରେ ଜବାବ ଦେହି, ସେଠାରେ କଇଫତ୍-। ନୀଲୁ ପରାମର୍ଶ ଦେଲା, ଚମ୍ପା ତୁମେ କୌଣସି ଗୋଟିଏ କାମ ବାଛିନିଅ । କାମ କର, କାମ କରିଯାଅ-। ପୃଥିବୀରେ ଆମେ ହୃଦୟ ଭରେଇବାକୁ ଆସି ନାହୁଁ, ଆସିଛୁ ମାଟି ଖୋଳିବାକୁ, କୋଠା ବାଡ଼େଇବାକୁ, ରାସ୍ତା ତିଆରି କରିବାକୁ, ସହର ବସେଇବାକୁ, ଭୋଗ ଉପକରଣ ଉତ୍ପାଦନ କରିବାକୁ, ଶିକ୍ଷା ବିସ୍ତାର କରିବାକୁ, ସ୍ଵାସ୍ଥ୍ୟ ବର୍ଦ୍ଧନ କରିବାକୁ, ଆନନ୍ଦ ଦେବାକୁ ଓ ପାଇବାକୁ । ଚମ୍ପା, ତୁମେ ଯେକୌଣସି ଗୋଟିଏ କାମ ବାଛିନିଅ, ତା’ହେଲେ ବଞ୍ଚିବ ।

 

ଗୋଟିଏ ଗୋଟିଏ କରି ସେ ବହୁ କାମରେ ହାତ ଲଗେଇଲା; ମାତ୍ର ଦେଉ ନ ଦେଉଣୁ ହାତ ଫେରେଇନେଲା । କହିଲା, ମୋର ନଅର କେବେ ନିର୍ମାଣ କରିବ ସେଇଆ କହ ? ଅରୁଣ ବରୁଣ କେବେ ଆଣିବ ମୁକ୍ତା-ଝର-ପାଣି, ସ୍ଵର୍ଣ୍ଣ ବର୍ଣ୍ଣ ଶୁକପକ୍ଷୀ ? ମୁଁ ଏ କୋଠାରେ ବଞ୍ଚିବିନି, ଅରୁଣ ! ମୋତେ ମୋର ନିଜ ମହଲ ଦିଅ । କେତେ ଲୋକର କୋଠା ତିଆରି କରୁଛ, ସଖୀ ପାଇଁ ଘର ତିଆରି କରିପାରନାଁ ?

 

ବାସ୍ତବରେ ଏହାର କୌଣସି ଉତ୍ତର ନାହଁ । ଇଚ୍ଛାକଲାମାତ୍ରେ ନୀଲୁ ପାରେ ହାସନକୁ ତା’ର ନିଜ ଘର ଦେଇ । ଅବଶ୍ୟ ମୁକ୍ତାଝର-ପାଣି କିମ୍ବା ସୁନା-ବରଣ ଶୁକପକ୍ଷୀ ଦେବା ତା’ ପକ୍ଷେ ସାଧ୍ୟାୟୁତ୍ତ ନୁହେଁ । ଶଙ୍କରର ମଧ୍ୟ ଅସାଧ୍ୟ । କିନ୍ତୁ ଘର ? ମନଲାଖି ଘର ଦେଇପାରିବନି ସଖୀକୁ-? ନୀଲୁ ଭାବେ, ମାତ୍ର ଉପାୟ ଖୋଜି ପାଏନା । ମନଲାଖି ଗୋଟିଏ ଘର ଅର୍ଥ କେତେ କାଳର ସଞ୍ଚୟ । ସ୍ତ୍ରୀକୁ ବଞ୍ଚିତ କରି ସଖୀକୁ ଦେବ ତା’ର ସଞ୍ଚୟ ! ଏ କ’ଣ ହୋଇପାରେ ? ରତ୍ନା କ’ଣ ଭାବିବ ! ସମାଜ କ’ଣ ମନେକରିବ ! ନୀଲୁ ପଛେଇଯାଏ । ସତ୍ୟ କରିପାରେନା-। ଚମ୍ପା ଏକାବେଳକେ ଅବୁଝା । ସେ ମଣିଷ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର କୋଠା ତିଆରି କରୁଛି, ସେ ମଣିଷ ପାଞ୍ଚ ସାତ ହଜାର ଟଙ୍କାର ଖଣ୍ଡେ ଘର ତିଆରି କରିପାରନ୍ତା ନାହିଁ ? ତା’ର କ’ଣ ଟଙ୍କାର ଅଭାବ ! ଆଉ ଦେଓଘର ତ ଶସ୍ତା ।

 

ଡାକ୍ତରଙ୍କର ଟଙ୍କାର ଅଭାବ ନାହିଁ । ଚମ୍ପା ଚାହିଁଲା ମାତ୍ରକେ ସାତ-ହଜାର ଟଙ୍କାର ଚେକ୍ ପାଇବ; ମାତ୍ର ଚାହିଁବ କେମିତ ? ଡାକ୍ତର କ’ଣ ଅରୁଣ ବରୁଣ, ବୁଦ୍ଧୁ ଭୂତୁମ ! ସେ ତାକୁ ଦୟାକରି ବାହା ହୋଇଛନ୍ତି, ଯତ୍ନ କରି ବଞ୍ଚାଇ ରଖିଛନ୍ତି, ପାରୁପର୍ଯ୍ୟନ୍ତ ଅବହେଳା କରନ୍ତିନାହିଁ । କିନ୍ତୁ ତାଙ୍କ ପାଖରେ କଅଣ ସଖୀ ପରି ଦାବି କରିହୁଏ ? ନାଁ ତାଙ୍କ ସାଙ୍ଗରେ ସେପରି ସମ୍ପର୍କ ନାହିଁ-। କେଉଁ ହିସାବରେ ମାଗିବ !

 

ନୀଲୁ କିଛି କଲାନାହିଁ, ପରିଣାମରେ ଚମ୍ପାର ପୁଣି ଜ୍ଵର ହେବାକୁ ଆରମ୍ଭ କଲା ଏବଂ ସେକଥା ଶୁଣି ନୀଲୁର ମନେହେଲା ସେ ହିଁ ଦାୟୀ । ସେତେବେଳେ ସେ ଦେଓଘର, ମଧୁପୁର, ଗିରିଡ଼ି ଅଞ୍ଚଳରେ ଜମି ଖୋଜିବାକୁ ଆରମ୍ଭ କରିଦେଲା ରତ୍ନାକୁ ନଜଣାଇ । ଘର ବି ତିଆରି ହେଲା ବେନାମୀରେ, ମଧୁପୁରଠାରେ । ଖର୍ଚ୍ଚ ଯାହା ପଡ଼ିଲା ଆସିଲା ବୋନସରୁ । ମାତ୍ର ପ୍ରଶ୍ନ ହେଲା ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ? ଡାକ୍ତରକୁ ବୁଝାଇବ କିଏ ସେ ମଧୁପୁର ନଗଲେ ଚମ୍ପାର ଦେହ ଭଲ ହେବନାହିଁ କିଏ ତାକୁ ବିଶ୍ଵାସ କରାଇପାରିବ ସେ ସେଠାରେ ଚମ୍ପାର ନିଜ ଘର ଅଛି ? ଚମ୍ପାର ଆତ୍ମୀମାନଙ୍କର କ’ଣ କ’ଣ ହୋଇ ଡାକରା ପଡ଼ିଲା । ସେମାନଙ୍କୁ ଜେରା କରି ଡାକ୍ତର ଜାଣିପାରିଲେ ଯେ ତାଙ୍କୁ ଧୋକା ଦିଆଯାଉଛି । ଶେଷକୁ ଗୋଟିଏ ମନୋମାଳିନ୍ୟ ଘଟିଲା । ଚମ୍ପା ଚାଲିଗଲା ମଧୁପୁର । ବର୍ଷେ ଖଣ୍ଡେ ଅପେକ୍ଷା କରି ଡାକ୍ତର ପୁଣି ବାହାହେଲେ ।

 

ଚମ୍ପା ସେ କଥା ଶୁଣି ଦୁଃଖିତ ହେଲାନାହିଁ, ବରଂ ଅଭିନନ୍ଦନ ଜଣାଇଲା । ନୀଲୁ ତ ପାଚି ଲାଲ । ଓଲୀ ବୋକୀ ନିଜର ସ୍ଵାର୍ଥ ବୁଝେନାଁ, ଆଉ ହତଭାଗା ଡାକ୍ତର ଖାଲି ଶରୀରଟା ବୁଝେ-। ମଣିଷର ଯେପରି ମନ ବୋଲି କୌଣସି ପଦାର୍ଥ ନାହିଁ; କିନ୍ତୁ ନୀଲୁର ଆଖି କପାଳ ଉପରକୁ ଉଠିଲା ଯେତେବେଳେ ଚମ୍ପା ଲେଖିଲା, ମୁଁ ଏକେଲା ରହିଲେ ମରିଯିବି । ଅରୁଣ ବରୁଣ, ତୁମେମାନେ ମଧ୍ୟ ଏଠାକୁ ଆସ । ପୁଣି ଆମେ ହସିବୁ, ଗପିବୁ, ଗୀତ ବୋଲିବୁ, ରାନ୍ଧିବୁ ଆଉ ଖାଇବୁ । ତୁମେମାନେ ଆଣିବ ମୁକ୍ତା-ଝରପାଣି, ଅର୍ଥାତ୍ ଅସରନ୍ତି ଜୀବନ । ତୁମେମାନେ ଆଣିବ ସ୍ଵର୍ଣ୍ଣ ବର୍ଣ୍ଣ ପକ୍ଷୀ, ସୁନେଲୀ ରଙ୍ଗର ଶୁକ, ଅର୍ଥାତ୍ ମୁଖ । ଅରୁଣ ବରୁଣ, ତୁମେମାନେ କେବେ ଆସିବ ?

 

ଥରେ ନୁହେଁ, ଦୁଇଥର ନୁହେଁ, ବାରମ୍ବାର ଆସିବାକୁ ଲାଗିଲା ଚିଠି । ନୀଲୁ ଆଉ ଚୁପ୍‌ ରହିପାରିଲା ନାହିଁ, ଗଲା ମଧୁପୁର । ଦେଖିଲା ସଖୀ ମଉଳିଯାଉଛି ଚମ୍ପାଫୁଲ ପରି । ତା’କୁ ବଞ୍ଚେଇ ରଖିବାର ଏକମାତ୍ର ପନ୍ଥା ତା’ ସାଙ୍ଗରେ ସମୟ କଟାଇବା । ମାତ୍ର ସମୟ ଯେ ବୟସରେ ସୁଲଭ ଥୁଲା, ସେ ବୟସ ଆଉ ନାହିଁ । ଏବେ ସମୟ ଅର୍ଥ ଟଙ୍କା, ଟଙ୍କା ଅର୍ଥ ଜୀବନ ଧାରଣର ଉପାୟ । ନୀଲୁ ତାକୁ ବହୁତ କିଛି ଦେଇପାରେ, ମାତ୍ର ସମୟ ଦେବ କିପରି ? ନିଜ ସ୍ତ୍ରୀକୁ ସମୟ ଦେଇପାରେନି ବୋଲି ଦି’ଓଳି ଛାଞ୍ଚୁଣି ପାହାର ବସେ-ଛାଞ୍ଚୁଣି ନୁହେଁ ବାକ୍ୟବାଣ, ଏକା କଥା । ପର ସ୍ତ୍ରୀକୁ ସମୟ ଦେବ ? ବାପଲୋ…ସମାଜ ଫଁ କରି ଉଠିବନି ? ସମାଜ କଥା ଦୂରେଥାଉ, ଘର ଲୋକଟି କଅଣ ରକ୍ଷା ରଖିବ !

 

ନୀଲୁ ବହୁ ଖର୍ଚ୍ଚ ପତ୍ର କରି ତା’ ପାଇଁ ସଙ୍ଗିନୀ ନିଯୁକ୍ତ କଲା । ବହି କିଣିଦେଲା । ଗ୍ରାମୋଫୋନ୍, ରେଡ଼ିଓ, ରିଫ୍ରିଜେରେଟର କଣିଦେଲା । ତା’ ବସିବା ଘର, ଶୋଇବା ଘର ଡିସ୍‌ଟେମ୍ପର କରାହେଲା । ମାର୍ବେଲ ପଥର ଆଣି ମେଜିଆ ପକାଇଦେଲା ।

 

ଏହା ସତ୍ତ୍ୱେ ସଖୀ କହେ, ଏଥିରେ ମୋର ହୃଦୟ ଭରିବନି । ମୁଁ ଚାହେଁ ବାନ୍ଧବ-ବାନ୍ଧବୀ । ବାନ୍ଧବୀ ସମସ୍ତେ ବାହା ହୋଇଯାଇଛନ୍ତି । କିଏ ହେଲେ ଚିଠିର ଉତ୍ତର ପର୍ଯ୍ୟନ୍ତ ଦିଅନ୍ତିନାହିଁ । ଏପରିକି, ମିନତି, ଯାହାର ସିନ୍ଥାର ସିନ୍ଦୂର ଲିଭିଯାଇଛି, ସେ ବି ମୋ ପାଖକୁ ଆସିବନି । ତୁମେ ଏକମାତ୍ର ବାନ୍ଧବ ଯେ ମୋତେ ବଞ୍ଚିବାକୁ ସାହାଯ୍ୟ କରୁଛ । ଆଉ ସମସ୍ତେ ସ୍ଵାର୍ଥପର । ଭୂତୁମ, ତୁମ ପାଖରେ ମୁଁ ଚିରଋଣୀ । ଏ ଋଣ ଜନ୍ମ ଜନ୍ମ ଧରି ମୁଁ ଶୁଝି ପାରିବିନାହିଁ । ଜନ୍ମାନ୍ତରରେ ମଧ୍ୟ ତୁମପରି ବନ୍ଧୁ, ପ୍ରାର୍ଥନୀୟ ।

 

“ତା’ପରେ ” ମୁଁ–ଏତେ ସମୟ ବାଦ୍ କଥା କହିଲି ।

 

“ତା’ପରେ ?” ନୀଲୁ ଶୁଷ୍କ-କଣ୍ଠରେ କହିଲା, “ମୁଁ ତା’ର ଆତ୍ମୀୟ-କୁଟୁମ୍ବମାନଙ୍କୁ ଅନୁନୟ ବିନୟ କଲି, ଟଙ୍କା ଯାଚିଲି, ମାତ୍ର କିଏ କାହିଁକି ରାଜିହେବ ତା’ ପାଖରେ ରହିବାକୁ ? ତାଙ୍କର ପ୍ରାଣର ମୂଲ୍ୟ ଅଛି, ସେମାନେ ସଂସାରୀ ଲୋକ, ତାଙ୍କ ଉପରେ ନିର୍ଭର କରୁଛନ୍ତି ବଡ଼ହୁ ଅସହାୟ ପ୍ରାଣୀ । ସେମାନେ କହିଲେ, “ଦିଅ ତାକୁ ପଠାଇ କୌଣସି ସାନାଟୋରିଅମକୁ । ଭାଓଆଲୀ କି ମଦନାପଲ୍ଲୀ । ଅନ୍ତତଃପକ୍ଷରେ ଯାଦବପୁର । ଆମ୍ଭେମାନେ ମଧ୍ୟ ସାହାଯ୍ୟ କରିବୁ । ବୁଝନ୍ତି ନାହିଁ ଯେ ମଧୁପୁରରେ ତା’ର ନିଜ ଘର, ତା’ର ‘ମାୟାପୁରୀ’, ସେଠାରୁ ସେ କେଉଁଠିକି ଯିବ ତ ସ୍ଵର୍ଗକୁ ।”

 

“ତା’ପରେ, ସେ କ’ଣ ଏବେ ମଧ୍ୟ ସେଇଠି ଅଛି ନା ସ୍ଵର୍ଗରେ ?”

 

“ତା’ପରେ, ମୁଁ ସବୁ ଖୋଲି କହିଲି ମୋ ସହଧର୍ମିଣୀଙ୍କୁ । କହିଲି, ସେ ଯଦି ମରିଯାଏ ତା’ହେଲେ ମୋର ଭିତରଟା । ଶୁଖିଯିବ ଖୁରୁଡ଼ି ନଡ଼ିଆ ପରି । ତୁମେ କ’ଣ ସେପରି ସ୍ଵାମୀ ନେଇ ସୁଖୀ ହୋଇପାରିବ, ରତ୍ନା ? ଯଦି ନ ହୁଅ ତେବେ ମୋତେ କ୍ଷମା କର, ମୋତେ ଅନୁମତି ଦିଅ ମଝିରେ ମଝିରେ ତା’ପାଖରେ ହାଜିରା ଦେଇ ଆସିବାର, ଅବଶ୍ୟ ମୁଁ ରହିବି ଡାକବଙ୍ଗଳାରେ । ତୁମେ ମଧ୍ୟ ଯାଇପାର ମୋ ସାଙ୍ଗରେ । ରତ୍ନା ଯେତେବେଳେ ଦେଖିଲେ ଯେ ମୋର ଭିତରର ମଣିଷଟା ମରିବାକୁ ବସିଲାଣି, ସେତେବେଳେ ଅନୁମତି ଦେଲେ; କିନ୍ତୁ ମୋ ସାଙ୍ଗରେ ଯିବାକୁ ରାଜି ହେଲେନାହିଁ । ଏପରି ବିତିଲା ଦୁଇବର୍ଷ । ସଖୀ ପୁଣି ସଜୀବ ହେଲା, ତା’ ବର୍ଣ୍ଣ ଫେରିଲା, ହସ ଫୁଟିଲା । ମନେହେଲା ତା’ର ସୁଖ ନ ଥାଉ ଦୁଃଖ ନାହିଁ । ମାତ୍ର ସେଟା ମୋର ମନର ଭୁଲ୍ । ଭିତରେ ଭିତରେ ସେ ଶୁଖିଯାଉଥିଲା ଠିକ୍ । ସଖ୍ୟର ଅଭାବରୁ ନୁହେଁ, ପ୍ରେମର ଅଭାବରୁ । ମୁଁ ତା’ର କଅଣ କରିପାରେ !

 

“ଥାଉ”, ମୁଁ ସାନ୍ତ୍ୱନା ଜଣାଇଲି, “ଯେ ଯିବାର ସେ ଯାଇଛି, ତା’ କଥା ଭାବି ମନ ଖରାପ କରନା । ତୁ ତୋର ଯଥାସାଧ୍ୟ କରିଛୁ ।”

 

“କିନ୍ତୁ ସେ ବଞ୍ଚିଛି … ହଁ ବଞ୍ଚି ଅଛି । ଭଲ ଅଛି । ସୁଖରେ ଅଛି । ସେ ପାଇଯାଇଛି ମୁକ୍ତା-ଝର-ପାଣି, ସୁନାର ଶୁକପକ୍ଷୀ ।’’

 

“କଅଣ ! ଏ ଅସମ୍ଭବ ସମ୍ଭବ ହେଲା କିପରି ? କଲା କିଏ !”

 

“ତାରି ପରି ଜଣେ ଯକ୍ଷ୍ମାରୋଗୀ । ମଧୁପୁରଠାରେ ତାଙ୍କର ଆଳାପ । ସେମାନେ ବର୍ତ୍ତମାନ ଏକାଠି ରହନ୍ତି । ମୁଁ କିଛି କହେନି । ଦେଖି ମଧ୍ୟ ଦେଖେନି, ଶୁଣି ମଧ୍ୟ ଶୁଣେନି । ଜୀବନ ବଡ଼ ନାଁ ନୀତି ବଡ଼ ? ମଣିଷ ବଡ଼ ନାଁ ସମାଜ ବଡ଼ ? ଶଙ୍କର, ତୁ କବି ଓ ସାହିତ୍ୟିକ-ତୋର କ’ଣ ମନେହୁଏ ?”

 

ଉଚ୍ଛ୍ଵାସ ମୋର କଣ୍ଠରୋଧ କରିଥିଲା । କୌଣସି ମତେ କହିଲି, “ସେମାନେ ନିରାମୟ ହୁଅନ୍ତୁ ।

 

“କଲିକତାରେ ନୀଲୁ ସାଥିରେ ପୁଣି ଦେଖାହୋଇଥିଲା ଏଇ ସେଦିନ-ରବୀନ୍ଦ୍ର ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ । ରତ୍ନା ଥିଲେ ସାଙ୍ଗରେ । କୁଶଳ ବିନିମୟ ପରେ ତାକୁ ଏକାନ୍ତକୁ ଡାକିନେଇ ପଚାରିଲି, “ସଖୀ ସମ୍ବାଦ କଅଣ ?”

 

“ଭଲ ଅଛି । ସେମାନଙ୍କ ଜୀବନ ପରିପୂଣ୍ଣ ହୋଇଛି । ସେମାନେ ଏବେ ତିନି ଚାରୋଟି ପୁଅ-ଝିଅର ମା’-ବାପ ।”

 

ମୁଁ ଚମକିପଡ଼ିଲି । “କ’ଣ କହୁଛୁ ! ହେଲା କେମିତି !”

 

‘ନୀଲୁ ହସିଦେଇ କହିଲା, ‘ହେଇନି-ରୁଗ୍‌ଣ ଦେଖି ଆଶ୍ରୟ ଦେଇଛନ୍ତି । ହାସନ୍ ସେମାନଙ୍କୁ ନିଜ ସନ୍ତାନ ପରି ସ୍ନେହରେ ପାଳୁଛି ।”

 

“ଖର୍ଚ୍ଚ ଯୋଗାଏ କିଏ ?”

 

“ଯେ ଯୋଗାଉଥିଲା ସେଇ ଯୋଗାଏ ।”

 

“ରତ୍ନା ଜାଣନ୍ତି ?”

 

“ଜାଣେ । ତାର ବି ମାତୃ-ହୃଦୟ । ଏତେଦିନକେ ତା’ର ଗ୍ଳାନି ଧୋଇ ହୋଇଯାଇଛି । ମୋତେ ଆଉ ଘରେ ବାହାରେ ସଂଗ୍ରାମ କରିବାକୁ ପଡ଼େନାହିଁ ।”

 

ମୁଁ ତା’ ହାତରେ ହାତ ରଖି କହିଲି, “ନୀଲୁ, ତୋତେ ଯଦି ଫଲୋ କରି ଜାଣନ୍ତି, ଧନ୍ୟ ହୁଅନ୍ତି । ଚମ୍ପା ସାଥିରେ ଦେଖାହେଲେ କହିବୁ, ଯେ ବଞ୍ଚାଏ ସେହି ବଞ୍ଚେ ।”

Image

 

ରୂପଦର୍ଶନ

 

ସେଦିନ ନୟନମୋହନଙ୍କ ସାଙ୍ଗରେ ବହୁକାଳ ପରେ ଦେଖା । ଆସିଥିଲେ ଗୋଟିଏ ବାହାଘରରେ ବରଯାତ୍ରୀ ହୋଇ ।

 

ମୁଁ ଥିଲି କନ୍ୟାପକ୍ଷଙ୍କର ନିମନ୍ତ୍ରିତ । ଦେଖାହେବା ମାତ୍ରେ ଦୁଇ ହାତ ଧରିପକାଇ କହିଲେ, “ମନେପଡ଼ୁଛି ?”

 

ମୁଁ ତାଙ୍କ ଦୁଇହାତ ଝାଙ୍କିଦେଇ କହିଲି, “ନା, ମନେ ପଡ଼ିବ କାହିଁକି ? ମନେ-ପଡ଼ିବାର ତ କାରଣ ନାହିଁ । ମନେପଡ଼ିବାର ତ କଥା ନୁହେଁ ।”

 

ସେ ଦୁଃଖ ପ୍ରକାଶକଲେ । “ଇଚ୍ଛାଥିଲା ତୁମ ଘରେ ଓହ୍ଲାଇବାକୁ । କିନ୍ତୁ ଜାଣତ ଯେ ବରଯାତ୍ରୀମାନେ ସ୍ଵାଧୀନ ନୁହନ୍ତି । ଆସିଛି ଗୋଟିଏ ଦଳ ସହିତ ଦଳଚର ହୋଇ । ସେଥିପାଇଁ...”

 

“ସେଥିପାଇଁ ଖଣ୍ଡେ ଚିଠି ଲେଖି ମଧ୍ୟ ଜଣେଇ ହେଲାନି ଯେ ଆସିବାର ଅଛି ମୟମନସିଂ । ନାଁ, ନୟନଭାଇ ତୁମକୁ ମୋର ମନେପଡ଼େନା । ମନେପଡ଼ିବ ଯଦି ତୁମେ ଏବେ ମଧ୍ୟ ମୋ ଘରେ ରହିବ ।”

 

“ନାଁ, ଭାଇ ! ଏ ଯାତ୍ରାରେ ନୁହେଁ । ୟା ପରେ ଯୁଦ୍ଧ କୌଣସି ଦିନ ଆସିବା ସମ୍ଭବ ହୁଏ ତ ନିଶ୍ଚୟ । ଏଥର ମୋତେ ମାଫ୍ କରିବାକୁ ହେବ-ବୁଝିଲ ?”

 

ତାଙ୍କ କଣ୍ଠ ସ୍ୱରର କାରୁଣ୍ୟ ମୋତେ ସ୍ପର୍ଶ କରିଥିଲା । ମୁଁ ତାଙ୍କୁ ବାଧ୍ୟ କଲିନାହିଁ, କେବଳ ଥରେ ଚାହା ପିଇବା ପାଇଁ ଡାକିଲି । ସେ ରାଜିହେଲେ । ପରଦିନ ଚାହା ପିଇବା ପାଇଁ ଆସି ପଚାରିଲେ, “ତୁମେ ଥରେ ମୋତେ କ’ଣ କହିଥିଲ ମନେଅଛି ?”

 

କୋଡ଼ିଏ ବର୍ଷ ପରେ ଦେଖା । କିପରି ମୋର ମନେରହିବ କ’ଣ କହିଥିଲି କେବେ । ମୁଁ ମୁଣ୍ଡ ହଲାଇ ଜଣାଇଥିଲି-ନାଁ, ମନେନାହିଁ ।

 

“କହିଥିଲ, ରୂପ ଭଗବାନ ସମସ୍ତଙ୍କୁ ଦେଇଛନ୍ତି, ଦେଖିବାର ଆଖି ଦେଇନାହାଁନ୍ତି ସମସ୍ତଙ୍କୁ । ଯେଉଁମାନଙ୍କୁ ଦେଇଛନ୍ତି ସେମାନେ ଶିଳ୍ପୀ, ସେମାନେ ସମସ୍ତଙ୍କର ରୂପମୁଗ୍‌ଧ ।”

 

“କହିଥିଲି ? କାହିଁ ? ମୋର ତ ମନେ ନାହିଁ ।”

 

“ତୁମର ମନେ ରହିବାର କାରଣ ନାହିଁ, ମୋର ମନେ ରହିବାର କାରଣ ଅଛି । ସେଥିପାଇଁ ସେଦିନ ଭାବୁଥିଲି, ତୁମ କଥା ହଁ ଅବଶେଷରେ ସତ୍ୟହେଲା, କବି ।” ସେ ମୋତେ କବି ବୋଲି ଡାକୁଥିଲେ ।

 

“କିନ୍ତୁ ସତ୍ୟ ନ ହେଲେ ହିଁ ଭଲ ହୋଇଥାନ୍ତା ।” ସେ ନିଃଶ୍ଵାସ ପକାଇ କହିଲେ । “ଏବେ ଯାହା ହେଲା ତା’ ଆହୁରି ମର୍ମାନ୍ତକ ।”

 

ମୁଁ ଜାଣିଥିଲି ନୟନ ଭାଇଙ୍କର ବାହାଘର କଥା । ଜାଣିନଥିଲି ତାହାର ପରିଣତି । ନୟନ ଭାଇଙ୍କର ବାହାଘରରେ ମୁଁ ବରଯାତ୍ରୀ ହୋଇ ଯାଇଥିଲି, କବିତା ଲେଖି ଛପାଇଥିଲି । ବୋଧହୁଏ ନୂଆ ଭାଉଜଙ୍କର ରୂପ ଦର୍ଶନ କରି ସାନ୍ତ୍ଵନା ଛଳରେ କହିଥିଲି, ରୂପ ଭଗବାନ ସମସ୍ତଙ୍କୁ ଦେଇଛନ୍ତି, ଦେଖିବାର ଆଖି ଦେଇନାହାନ୍ତି ସମସ୍ତଙ୍କୁ । ତା’ ଅର୍ଥ, ରୂପ ଭଗବାନ ସମସ୍ତଙ୍କୁ ଦେଇନାହାଁନ୍ତି, ଯାହାକୁ ଦେଇନାହାଁନ୍ତି ସେ ମଧ୍ୟ ରୂପବତୀ କବି ଆଖିରେ ।

 

ମୁଁ ତ ରିୟେଲିଷ୍ଟ ନୁହେଁ, ହେଲେ ସଫା କଥା ଶୁଣେଇ ଦେଇଥା’ନ୍ତି ନିଷ୍ଠୁର ଭାବରେ । କିନ୍ତୁ ଯାହାଙ୍କର ବିବାହ ସେ ଥିଲେ ବାସ୍ତବବାଦୀ । ରୂଢ଼ ବାସ୍ତବ ତାଙ୍କୁ କନ୍ଦେଇ ଛାଡ଼ିଲା । ବାହାଘର ପରେ ସେ ଆମ୍ଭମାନଙ୍କ ଭିତରୁ କାହା କାହା ପାଖରେ କାନ୍ଦିପକାଇ କହୁଥିଲେ, “ଭାଇ, ଏଇ ଯେ ପୋଡ଼ା କାଠ ।” ଦୀର୍ଘଶ୍ୱାସ ପକାଇ କହିଥିଲେ, “ଦାନ୍ତୁରୀ, ଚେପ୍‌ଟିନାକୀ, ସତେଅବା କରାଳୀ ।”

 

ନୟନମୋହନଙ୍କର ନିଜର ମତ ନ ଥିଲା, ସେ ଧମକ ଦେଇଥିଲେ ପ୍ରାଣ ହାରିଦେବେ; କିନ୍ତୁ ତାଙ୍କର ବଡ଼ଭାଇମାନେ ତାଙ୍କ ମା’ଙ୍କୁ ବୁଝେଇଥିଲେ ଯେ ଡିଗ୍ରୀଦାର ହାତରୁ ସମ୍ପତ୍ତି ରକ୍ଷା କରିବାକୁ ହେଲେ ଡିଗ୍ରୀଦାର କନ୍ୟାକୁ ବୋହୂ କରିବାକୁ ହେବ । ମା’ କହିଲେ, “ସମ୍ପତ୍ତି ଯଦି ଚାଲିଯାଏ କିଏ ତୋତେ ସୁନ୍ଦରୀ ଝିଅ ଦେବ ? କ’ଣ ଦେଖି ? ସେତେବେଳକୁ ତ ସେହି କାଳୀ କନ୍ୟା ବାହା ହେବାକୁ ହେବ । ଦେଖିବୁ ମୋ କଥା ଫଳିବ କି ନାହିଁ ।”

 

ଏହାର ଉତ୍ତରରେ ନୟନ ଭାଇ କହିଥିଲେ, “ତା’ କାହିଁକି ହେବ ? ମୁଁ ଯଦି ବାହା ନ ହୁଏ !”

 

“ଶୁଣ କଥା ! ଯଦି ବାହା ନ ହୁଏ ! ତା’ କ’ଣ କେବେ ହୁଏ ? ବାହା ନହେଲେ ତୋତେ ରାନ୍ଧି ଖୁଆଇବ କିଏ ?”

 

ନୟନ ଭାଇଙ୍କର ଜେଜେମା ସେତେବେଳେ ବଞ୍ଚିଥିଲେ । ସେ ହିଁ ନା ତ ନାଁ ରଖିଥିଲେ ନୟନମଣି । ନୟନମଣିଠାରୁ ବିବର୍ତ୍ତନ ସୂତ୍ରରେ ନୟନମୋହନ । ବୁଢ଼ୀ କହିଲେ, “ତୋ ବାପ ମଧ୍ୟ କହୁଥିଲା ବାହା ହେବନି, ସନ୍ନ୍ୟାସୀ ହେବ । କ’ଣ କହନ୍ତି ତାକୁ, କି ଆନନ୍ଦ-ବେବାକ୍ ଆନନ୍ଦ ! ବାପ ବାହା ନ ହେଲେ ତୁ ହୁଅନ୍ତୁ କେଉଁଠୁ ? କହ ମୋତେ ! କହ ।”

 

ଭାଉଜମାନେ କହିଲେ, “ଦେଖୁଛ ତ ଆମ ଦଶା ! ରୂପ ଥାଇ ମଧ୍ୟ ନାହିଁ, କାରଣ ରୁପା ନାହିଁ । ଗହଣା ମଧ୍ୟ ବନ୍ଧକ । ଅସଲ ଜିନିଷ ହେଲା ଟଙ୍କା । ତୁମ ଶ୍ଵଶୁରଙ୍କର ତା’ ଅଛି । ଏଭଳି ପାତ୍ରୀ ହାତଛଡ଼ା କରନ୍ତିନି । କଲେ ତୁମକୁ କହିବୁ ଲକ୍ଷ୍ମୀଛଡ଼ା ।”

 

ନୟନ ମୋହନ ଘର ଅବସ୍ଥା ଜାଣିନଥିଲେ । ଭାଉଜମାନଙ୍କ କଥାରେ ହୋସ୍ ଆସିଲା-। ସେ ଥିଲେ ରିୟେଲିଷ୍ଟ, ସେଥିପାଇଁ ଶେଷ ପର୍ଯ୍ୟନ୍ତ ମତଦେଲେ । ମାତ୍ର ଅନ୍ତରରୁ ତ ଦେଇନଥିଲେ । ଅନ୍ତର କାହିଁକି ମାନିବ ? ସେଥିପାଇଁ ବାହାଘର ବାସି ତାଙ୍କର କାନ୍ଦଣା ଏବଂ ସେହି ଉପଲକ୍ଷେ ମୋର ସାନ୍ତ୍ଵନା ବାଣୀ ।

 

ଆମେମାନେ ଯେଉଁମାନେ ତାଙ୍କର ଅନ୍ତରଙ୍ଗ ଥିଲୁ, ସେମାନେ ଜାଣିଥିଲୁ ଏ ବିବାହରେ ସେ ସୁଖୀ ହେବେ ନାହିଁ । ହେବା ସମ୍ଭବ ନୁହେଁ । କାରଣ ଆଉ ସବୁ ବିଷୟରେ ବାସ୍ତବବାଦୀ ହେଲେହେଁ ବିବାହ ସମ୍ବନ୍ଧରେ ସେ ଥିଲେ ଆଦର୍ଶବାଦୀ । ତାଙ୍କର ପରମ କାମ୍ୟ ଥିଲା ତନ୍ଵୀ ଶ୍ୟାମା ଶିଖରି ଦଶନା ପକ୍ଵ ବିମ୍ବାଧରୋଷ୍ଠୀ । କେବେ କାହାକୁ ଭଲପାଇଥିଲେ କି ନାଁ କହିପାରିବିନି, କିନ୍ତୁ ଯା’କୁ ସେ ଭଲପାଇବେ, ସେ କିପରି ହେବେ ତା’ ସେ ତାଙ୍କର ଅନ୍ତରଙ୍ଗ ମାନଙ୍କୁ ମଝିରେ ମଝିରେ ଶୁଣାଉଥିଲେ ।

 

ବାହାଘର ପରେ କିଏ ଜଣେ ରସିକତା କରି ତାଙ୍କୁ କହିଥିଲେ, “ତୁମେଇ ଜିତିଲ । ଯାହା ଚାହିଁଥିଲ ଅବିକଳ ସେଇଆ ପାଇଗଲ । ତନ୍ଵୀ ଅର୍ଥ ରୋଗା, ଶ୍ୟାମା ଅର୍ଥ କଳା, ଶିଖରିଦଶନା ଅର୍ଥ ପାହାଡ଼ ପରି ଦାନ୍ତ, ଆଉ ପକ୍ଵବିମ୍ବାଧରୋଷ୍ଠୀ ଅର୍ଥ ଫାଟିଯାଇଥିବା କଇଁଚ-କାକୁଡ଼ି ପରି ଦୁଇ ଓଠର ମଝିରେ ବହୁତ ଫାଙ୍କ ।”

 

ନୟନ ଭାଇ ବିଚରାଙ୍କର ଆଖିରୁ ଲୁହ ଗଡ଼ିପଡ଼ିଥିଲା ସେ କଥା ଶୁଣି । ତାଙ୍କର ସବୁଠାରୁ ମନରେ ଲାଗିଥିଲା ଆଉ ଜଣଙ୍କର ବକ୍ତୋକ୍ତି, “ନୟନ, ତୁମେ ଆଖିରେ ଅନ୍ଧାର ଦେଖୁଛ-।”

 

ଆମେମାନେ, ତାଙ୍କ ବନ୍ଧୁ ମାନେ ନାନା ଭବରେ ସାନ୍ତ୍ଵନା ଦେଇ ତାଙ୍କୁ ପ୍ରକୃତିସ୍ଥ କରୁ, ନ ହେଲେ ସେ ହୁଏତ ବିକୃତ ବଶତଃ କିଛି ଗୋଟାଏ କରି ବସିଥା’ନ୍ତେ । ମୁଁ ସେ ଠିକ୍ କି କଥା କହିଥିଲି ମୋର ମନେ ନ ଥିଲା । ତାଙ୍କର ମନେଥିଲା ଦେଖୁଛି ।

 

“ତୁମ କଥା ହିଁ ଅବଶେଷରେ ସତ୍ୟ ହେଲା, କବି !” ସେ କହିଲେ, “କିନ୍ତୁ ସତ୍ୟ ନ ହେଲେ ଭଲ ଥିଲା । ଏ ଯାହା ହେଲା ତ’ ଆହୁରି ମର୍ମାନ୍ତକ ।”’

 

ମୁଁ ଉତ୍କଣ୍ଠିତ ହୋଇ ପଚାରିଲି, “କ’ଣ ହେଇଛି, ନୟନ ଭାଇ ? ଖରାପ କିଛି ନୁହେଁ ତ-?”

 

“ନାଁ ଖରାପ କିଛି ନୁହେଁ । ସମୂହ କୁଶଳ ।”

 

ମୁଁ ନିଶ୍ଚିନ୍ତ ହେଲି; କିନ୍ତୁ ନିରସ୍ତ ହେଲିନାହି । ଜାଣିବାକୁ ଚାହିଁଲି, “ତା’ହେଲେ ଆହୁରି ମର୍ମାନ୍ତକ କାହିଁକି ?"

 

ସେ କହିଲେ, “ଶୁଣ ତା’ହେଲେ ।”

 

ସତ୍ୟେନ ଦତ୍ତଙ୍କର ଗୋଟିଏ ଜାପାନୀ ଭାଷାରୁ ଅନୁବାଦ ମନେପଡ଼େ–

 

“ଅତି ବଡ଼ ଅଭାଗା ମୁଁ ଯେ ଗୋଟାଏ…

ମୁଁ କିନା ପାଇଗଲି ମନିବେଗ୍‍ଟାଏ ।”

 

ବାହାଘର ପରେ ମୋର ମନୋଭାବ ଧୀରେ ଧୀରେ ହୋଇଉଠିଲା ସେହି ଜାପାନୀ ପରି । ଆଉ କିଛି ନ ପାଏ ଟଙ୍କା ମୁଣିଟାତ ପାଇଛି ! ଏତକ ବା କେତେଜଣ ପା’ନ୍ତି ? ଜୀବିକା ପାଇଁ ମୋତେ ପରର ଗୋଲାମି କରିବାକୁ ପଡ଼ିବନି, ସ୍ଵାଧୀନ ବ୍ୟବସାୟ ପାଇଁ ମୂଳଧନର ଅଭାବ ହେବନି, ବ୍ୟବସାୟ ଫେଲ୍ ମାଇଲେ ମଧ୍ୟ ସଂସାର ଅଚଳ ହେବନି, ଲକ୍ଷ୍ମୀ ହେବେ ଅଚଳା । ଏ କ’ଣ କମ୍ କଥା ! ଏତେ ଯେ ଦୁଶ୍ଚିନ୍ତା ଥିଲା-ଏମ୍.ଏ. ପାଶ୍ କଲାପରେ କରିବି କ’ଣ, କେଉଁଠି ଠାବ ପାଇବି, ସବୁ ଦୁଶ୍ଚିନ୍ତା ପାଣି ହୋଇଗଲା । ସମବୟସୀମାନଙ୍କ ଭିତରେ କେହି କେହି ଏବେ ମଧ୍ୟ ସ୍ଥିତି ପାଇନାହାନ୍ତି, ଖବର ରଖ ବୋଧହୁଏ । କୋଡ଼ିଏ ବର୍ଷ ପରେ ମଧ୍ୟ ତାଙ୍କର ଜୀବନଯାତ୍ରା ଅସ୍ଥିର । ଆଉ ମୁଁ ସବୁଆଡ଼ୁ ସଜାଡ଼ି ନେଇଛି । ସ୍ୱାସ୍ଥ୍ୟ ମୋର ଏତେ ଭଲ ଯେ ଦିନେହେଲେ ଅନିଦ୍ରା ହୁଏନା । ଆଉ ତୁମର ତ ଶୁଣିବାକୁ ପାଏ କୋଉଦିନ ସୁନିଦ୍ରା ହୁଏନା । ତୁମେ କୃପାର ପାତ୍ର । କାଳୀ କନ୍ୟା ବାହା ହୋଇଥିଲେ ଭଲ ରହିଥା’ନ୍ତ ।

 

ଜାଣତ ଆମର କିପରି ଖାନଦାନୀ ବଂଶ । ପୂର୍ବ କାଳରେ ସୁନ୍ଦରୀ ଝିଅମାନଙ୍କୁ ଆମେ ଲୁଟ୍‌କରି ବାହା ହେଉଥିଲୁ । ତା’ପରେ କୌଳିନ୍ୟ ପ୍ରଥାର ସୁଯୋଗ ନେଇ ସୁନ୍ଦରୀ କନ୍ୟା ଘରକୁ ଆଣୁଥାଉ । ବର୍ଣ୍ଣ କୌଳିନ୍ୟ ଯେତେବେଳେ ଉଠିଗଲା, ସେତେବେଳେ କାଞ୍ଚନ କୌଳିନ୍ୟ ଆମର ସେଇ କାମରେ ଲାଗିଲା । ଆମେମାନେ ପଣ ନେଉନାଁ, ଯୌତୁକ ଯତସାମାନ୍ୟ ନେଉ, ମାତ୍ର ବୋହୂ, ଆଣୁ ସୁନ୍ଦରୀ ଦେଖି । ଏହାର ବ୍ୟତିକ୍ରମ ଯେ ହେଉନଥିଲା ତାହା ନୁହେଁ । ଏପରି କେଉଁ ନିୟମ ଅଛି ଯାହାର ନିପାତନ ନାହିଁ ? କିନ୍ତୁ ତା’ ବୋଲି ମୋ ନିଜ ବେଳକୁ ବ୍ୟତିକ୍ରମ ହେବ ଏକଥା ମୁଁ କଳ୍ପନା କରିନଥିଲି । ମୋର ବଡ଼ଭାଇମାନେ ସୁନ୍ଦରୀ ବାହା ହୋଇଛନ୍ତି । ମୋର ଧାରଣା ଥିଲା ମୋର ବି ଜନ୍ମସ୍ୱତ୍ୱ ସୁନ୍ଦର ଭାର୍ଯ୍ୟା । ବାପାଙ୍କର ଯଦି ହଠାତ୍‌ ପରଲୋକ ହୋଇନଥା’ନ୍ତା, ସମ୍ପତ୍ତି ଯଦି ବନ୍ଧା ରଖିଯାଇ ନ ଥାନ୍ତେ, ତା’ହେଲେ ଏ ଅଘଟନ ଘଟନ୍ତାନି । ବଂଶର ବ୍ୟତିକ୍ରମ ହୋଇ ନାଁ ବୁଡ଼େଇ ନଥା’ନ୍ତି ।

 

ତୁମକୁ ମୁଁ ହିଂସାକରେ । ତୁମପରି ଭାଗ୍ୟବାନ ସବୁ ବନ୍ଧୁଙ୍କୁ ହିଂସାକରେ । ଯେଉଁଦିନ ତୁମର ବାହାଘର ଖବର ପଢ଼ିଲି, ବୁକୁରେ ଯେପରି କି ଶେଳ ପଶିଗଲା । କୋଡ଼ିଏ ବର୍ଷ ଅଦେଖା ବୋଲି ଆଶ୍ଚର୍ଯ୍ୟ ହେଉଛ ! ଏ ଜୀବନରେ ଦେଖାହେଲେ ଏଟା ହିଁ ଆଶ୍ଚର୍ଯ୍ୟ ! ତୁମେ ଜିତିଛ, ମୁଁ ହାରିଛି । ତୁମ ସାଙ୍ଗରେ କେଉଁ ମୁହଁରେ ଦେଖାକରନ୍ତି ? ମୋପରି ଯେଉଁମାନେ ଦୁର୍ଭାଗା ତାଙ୍କ ସାଙ୍ଗରେ ଦେଖାହୁଏ ବର୍ଷକୁ ଦୁଇ ବର୍ଷକୁ ଥରେ । କେହି କେହି ପୁଣି ଏଡ଼େ ହତଭାଗା ଯେ ସେଇ ଜାପାନୀ ବିଚାରାପରି ମନିବେଗ୍‌ଟା ଉଠାଇ ନେଇ ଦେଖେ–

 

“ଟ୍ରାମଗାଡ଼ି ଚାପା ପଡ଼ି ପୂରା ଚେପ୍‌ଟା ।”

 

ଗୋପେନକୁ ମନେଅଛି ତୁମର ? ଅବକାର ସୁପରିଣ୍ଟେଣ୍ଡେଣ୍ଟ ହୋଇଛି ବର୍ତ୍ତମାନ । ଗୋପେନ ମୋତେ ରାମପ୍ରସାଦୀ ଗୀତ ବୋଲି ଶୁଣାଉଥିଲା–“କାଲୋ ଭୁବନ ଆଲୋ ।’’ ସେମିତି ତା’ର ସଜା ପାଇଲା ସେ । ବାହାହେଲେ କାଳୀ କନ୍ୟା ସଙ୍ଗରେ । ଆଶା କରିଥିଲା ଶ୍ଵଶୁର ତାକୁ ଅଧେ ରାଜତ୍ଵ ଦେଇଯିବେ; କିନ୍ତୁ ଦ୍ୱିତୀୟ ପକ୍ଷ ବାହାହୋଇ ଦେଇଗଲେ ଆହୁରି କେତୋଟି କୃଷ୍ଣକଳିଙ୍କର ଅଭିଭାବକତ୍ଵ । ଗୋପେନ କିନ୍ତୁ ମୋତେ ବଞ୍ଚିବାର ପ୍ରେରଣା ଦେଇଥିଲା । ତା’କୁ କହେ, ଆଚ୍ଛା, କଳା ଧରିନେଲି, ଆଲୁଅ, ମାତ୍ର ଚେପ୍‌ଟା ନାକ କିପରି ସଳଖିବ ? ସେ କହୁଥିଲା, ଚୀନ ଦେଶରେ ଚେପ୍‌ଟା ନାକ ଉପରେ ତିନି ହଜାର ବର୍ଷଧରି କବିତା ଲେଖା ହୋଇଆସୁଛି । ସେ ଦେଶର ରାମପ୍ରସାଦୀ ଗୀତ କାଳୀ ଭକ୍ତିର ନୁହେଁ, ଚେପ୍‌ଟୀ ଭକ୍ତିର । ତା’ ବି ହେଲା, କିନ୍ତୁ ଦାନ୍ତମେଲା ପାଟି କ’ଣ ସହ୍ୟହୁଏ, ଯେପରିକି ଖାଇବାକୁ ଆସୁଛି । ଗୋପେନ କହୁଥିଲା, ଏହାର ଉତ୍ତର ଦେଇଯାଇଛନ୍ତି କବି ଜୟଦେବ-ବଦସି ଯଦି କିଞ୍ଚିଦପି ଦନ୍ତରୁଚି କୌମୁଦୀ । ଖାଇବାକୁ ଆସୁନାହାନ୍ତି, କହିବାକୁ ଆସୁଛନ୍ତି ଯେ ତୁମେ ମୋର ପ୍ରିୟ, ମୁଁ ତୁମର ପ୍ରିୟା । ବଚନର ଉଲ୍ଲାସରେ ଜ୍ୟୋତ୍ସ୍ନା ପରି ଫୁଟିଉଠିଛି ଦଶନ !

 

ମଣିଷର ବାହାରଟା କିଛି ନୁହେଁ, ଭିତରଟା ଅସଲ । ରୂପ କିଛି ନୁହେଁ, ଗୁଣଇ ଅସଲ । ଏକଥା ମୁଁ ଯେ କେତେ ଲୋକ ମୁହଁରେ ଶୁଣିଛି, ବିଶ୍ଵାସ କରିଛି, ମୁହଁ ଖୋଲି କହିଛି ମଧ୍ୟ; କିନ୍ତୁ ସାନ୍ତ୍ଵନା ପାଇନାହିଁ । ରୂପର ସ୍ଵାଦ କ’ଣ ଗୁଣରେ ମେଣ୍ଟେ ? ରୂପ କ୍ଷଣକାଳର, ଗୁଣି ଚିରକାଳର । ତା’ ବୋଲି କ’ଣ କ୍ଷଣପ୍ରଭାର ମୂଲ୍ୟ କିଛି କମ୍ ? ଯେତେବେଳେ ଶୁଣେ ବୋହୂଟି ବଡ଼ ଗୁଣବତୀ, ସେତେବେଳେ ଖୁସି ହେଉଥିଲି ଖୁବ୍, କିନ୍ତୁ ତା’ ଅପେକ୍ଷା ବେଶି ଖୁସୀ ହୁଅନ୍ତି ଯଦି ଶୁଣିଥା’ନ୍ତି ଆଖି ଦୁଇଟି ତ ବେଶ । ଗୁଣର ପ୍ରଶଂସା ଯେତେ ଶୁଣିଥିଲି ରୂପର ସୁଖ୍ୟାତ ତା’ର ଚଉଠର ଚଉଠେବି ନୁହେଁ । ରାଗ ଲାଗୁଥିଲା ଯେତେବେଳେ ସେମାନେ କହୁଥିଲେ ବୋହୂ ପିଲାଙ୍କର ରୂପର ପ୍ରୟୋଜନ ନାହିଁ । ରୂପର ପ୍ରୟୋଜନ କୁଆଡ଼େ ରୂପୋପଜୀବୀନୀଙ୍କର । ତେବେ ଭାଉଜମାନଙ୍କୁ ଅଣାହୋଇଥିଲା କ’ଣ ଦେଖି ? ସେମାନଙ୍କର ରୂପ ବନ୍ଦନାରେ ପଞ୍ଚମୁଖ ଯେଉଁମାନେ ସେମାନେ ହିଁ ପୁଣି ରୂପର ଅସାରତା ଘୋଷଣା କରୁଥିଲେ ଆମକୁ ଶୁଣେଇ ଶୁଣେଇ ।

 

ମଝିରେ ମଝିରେ ମନେପଡ଼ୁଥିଲା ତୁମର ଉକ୍ତି । ରୂପ ଭଗବାନ ସମସ୍ତଙ୍କୁ ଦେଇଛନ୍ତି । ସମସ୍ତଙ୍କୁ ଯଦି ଦେଇଛନ୍ତି ତେବେ କୃଷ୍ଣାକୁ ମଧ୍ୟ ଦେଇଛନ୍ତି । ତା’ହେଲେ ମୋ ଆଖିରେ ଦେଖାଯାଏନାଁ କାହିଁକି ? ଲୋକଙ୍କର ଆଖିରେ ପଡ଼େନାଁ କାହିଁକି ? ଏହାର ଉତ୍ତର, ଦେଖିବାର ଆଖି ସେ ସମସ୍ତଙ୍କୁ ଦେଇନାହାନ୍ତି । ମୋତେ ଦେଇନାହାନ୍ତି । ଲୋକମାନଙ୍କୁ ଦେଇନାହାନ୍ତି । କୃଷ୍ଣାର ରୂପ ଅଛି, ଆମର ଆଖି ନାହିଁ । ଏହା କ’ଣ ସତ ! ଅନେକ ଭାବିଛି ମାତ୍ର ସତ ବୋଲି ମାନିପାରିନି । ଧରିନେଇଛି ଏ ଗୋଟାଏ ସ୍ତୋକ ବାକ୍ୟ । ଏହା କହି ତୁମେ ମୋତେ ସାନ୍ତ୍ଵନା ଜଣାଇଛ । ସେଟା ତୁମର ବନ୍ଧୁ କୃତ୍ୟ । କିନ୍ତୁ ବନ୍ଧୁତା ନିରପେକ୍ଷ ଧ୍ରୁବ ସତ୍ୟ ନୁହେଁ । ତୁମ ବାହାଘର ପରେ ମନେହୋଇଥିଲା ତୁମେ ମୋତେ ପରିହାସ କରି ସେ କଥା କହିଥିଲ । ସେଟା ତୁମର ଶ୍ଳେଷ । କିଛିକାଳ ତୁମ ଉପରେ ବିରୂପ ଥିଲି । ତୁମକୁ ଆକ୍ରମଣ କରି ଗୋଟିଏ ପ୍ରବନ୍ଧ ଲେଖି ମାସିକ ପତ୍ରିକାକୁ ପଠାଇଥିଲି । ସେମାନେ ଛାପିଲେନି । ଭାଗ୍ୟ ଭଲ ଛାପିନାହାନ୍ତି ।

 

କ୍ରମେ ମୋର ପ୍ରତୀତି ହେଲା ଯେ ରୂପବୋଧ ଗୋଟିଏ ସଂସ୍କାର । ଜନମ ଅବଧି ମୁଁ ରୂପ ନିରୀକ୍ଷଣ କରିଛି, ସେଥିପାଇଁ ମନେହେଉଛି କୃଷ୍ଣା କୁରୂପା । ମନେକର, ଯଦି ଶିଶୁକାଳରୁ କୁରୂପ ନିରୀକ୍ଷଣ କରିଥା’ନ୍ତି ତା’ହେଲେ କ’ଣ କୃଷ୍ଣାକୁ ମନେହୁଅନ୍ତା କୁରୂପା ! ନାଁ, ତାହେଲେ ତାକୁ ମନେହୁଅନ୍ତା ଆଉ ସମସ୍ତଙ୍କର ଅନୁରୂପ । ଏହି ପ୍ରତୀତି ପରେ ମୁଁ ଏକାନ୍ମବର୍ତ୍ତୀ ପରିବାରରୁ ପୃଥକ୍ ହେବାକୁ ଚାହିଁଲି । କାହିଁକ, ସେ କଥା ଖୋଲି କହିଲ ନାହିଁ ! ଭାଉଜମାନଙ୍କର ମୁଖ ଦର୍ଶନ କରି ତା’ପରେ କୃଷ୍ଣାର ମୁଖ ଦର୍ଶନ କଲେ କୃଷ୍ଣା ନିଶ୍ଚୟ କୁରୂପା ମନେହେବ । ଏହାର ଏକମାତ୍ର ପ୍ରତିକାର ଭାଉଜମାନଙ୍କର ମୁଖ ଦର୍ଶନ ନ କରିବା । ଯେଉଁ ଘରେ କେବଳ କୃଷ୍ଣା ହିଁ ଏକମାତ୍ର ନାରୀ, ସେ ଗୃହରେ ସୁରୂପ କୁରୂପର ବୈଷମ୍ୟ ନାହିଁ । ଦେଖିଲି ମୋତେ କୃଷ୍ଣା ସେତେ ଖରାପ ଲାଗୁନି । ତା’ଆଖି ଦୁଇଟି ସତରେ ସୁନ୍ଦର । ତା’ପ୍ରୋଫାଇଲର ଫଟୋ ନେଇ ଦେଖାଗଲା ମନ୍ଦ ଦେଖାଯାଉନି । ରୂପ କହିଲେ ଆମେ କେବଳ ଗାତ୍ରବର୍ଣ୍ଣ ଆଉ ମୁଖଶ୍ରୀ ବୁଝୁ । ଏଥିରେ କିନ୍ତୁ ଅନେକଙ୍କ ପ୍ରତି ଅବିଚାର କରାହୁଏ । କୃଷ୍ଣା କ୍ଷୀଣମଧ୍ୟା, ଏଥିରେ ତା’ର ଜିତାପଟ । ସେ ସୁକେଶୀ, ଏଥିରେ ମଧ୍ୟ ତା’ର ଜିତ୍‌ । ତା’ର ତନୁରେଖା ବଙ୍କିମ ଓ ସୁମିତ, ଏଥିରେ ତା’ର ଜିତ୍‌ । ତା’ର ଗଢ଼ଣ ମାଂସଳ ନୁହେଁ, ଦୀର୍ଘାକୃତି, ଏଠାରେ ତା’ର ଜିତ୍ । ହାତ ଆଙ୍ଗୁଳି, ପାଦ, ଅପୂର୍ବ ବ୍ୟଞ୍ଜନାମୟ । ଏଥିରେ ତା’ର ଜିତ୍‌ । ଏପରି ଭାବରେ ବିଶ୍ଳେଷଣ କଲେ କୃଷ୍ଣାର ଜିତ୍‌ ଅନେକ ବିଷୟରେ; କିନ୍ତୁ ସୌନ୍ଦର୍ଯ୍ୟ ତ ବିଶ୍ଳେଷଣ କରିବା ବସ୍ତୁ ନୁହେଁ । ଆଉ ମୁଁ ନୁହେଁ ସମ୍ପୂର୍ଣ୍ଣ ନିଚ୍ଛକ ସମାଲୋଚକ । ସେ ଯଦି ମୋର ନ ହୋଇ ଅନ୍ୟର ହୁଅନ୍ତା, ମୁଁ ତା’କୁ ରୂପପରୀକ୍ଷାରେ ପାସ୍ ମାର୍କ ଦିଅନ୍ତି; କିନ୍ତୁ ସେ ମୋର ହୋଇ ଫେଲ୍ ହୋଇଛି । ଏଟାହିଁ ମର୍ମାନ୍ତକ ।

 

ଗୋଟିଏ ପୁଅ ଓ ଗୋଟିଏ ଝିଅ ହେବାପରେ ମୁଁ ବାହାର ବାରଣ୍ଡାରେ ପୃଥକ୍ ଶଯ୍ୟା ପାରିଲି । କୃଷ୍ଣା ଭାବିଥିଲା ଦି’ଦିନର ବୈରାଗ୍ୟ । ଟିକିଏ ହସିଥିଲା ମଧ୍ୟ; କିନ୍ତୁ ମାସ ପରେ ମାସ ଯାଏ, ମୋ ସଙ୍କଳ୍ପ ପରିବର୍ତ୍ତନ ହେଲାନାହିଁ । ମୋ ମନରେ କୌଣସି ଦ୍ଵନ୍ଦ୍ଵ ନ ଥିଲା, ମୁଁ ମନ ସ୍ଥିର କରିପକାଇଥିଲି । ସେପଟେ କୃଷ୍ଣା ମନରେ ଦ୍ଵନ୍ଦ୍ଵ । ସେ ଏକା ଶୋଇ ଶାନ୍ତି ପାଏନା, ଅଥଚ ମୋ ପାଖରେ ବାହାରେ ଆସି ଶୋଇବାକୁ ସାହସ ପାଏନା । ଦିନେ ଶେଷ ରାତିରେ ସେ ଆସିଲା ମୋ ପାଖକୁ । ଆସି ଲୋଟିପଡ଼ିଲା । ତା’ କଣ୍ଠରେ ଦୁର୍ଜୟ କ୍ରନ୍ଦନ । ରୁଦ୍ଧଗଳାରେ କହିଲା, “ତୁମେ କ’ଣ ଆଉ ମୋ ପାଖରେ ଶୋଇବନି ?”

 

ତା’କୁ ଅନେକ ବୁଝେଇଲି; କିନ୍ତୁ ବୃଥା ଚେଷ୍ଟା । ଶେଷକୁ ରାଗିକରି କହିଲି, “ମୁଁ କେଉଁଠାକୁ ଚାଲିଯିବି, ହିମାଳୟ କି ପଣ୍ଡିଚେରୀକୁ ।” ତା’ ଶୁଣି ସେ କାନ୍ଦ ଆକୁଳ । ପରଦିନ ଜିଦ୍ ଧରିଲା “ମୋତେ ମୋ ବାପଘରକୁ ପଠାଇଦିଅ । ଏ ଘରକୁ ଯେ ଆସନ୍ତି ସେ ଜାଣିବାକୁ ଚାହାନ୍ତି ବିଛଣା ଅଲଗା କାହିଁକି ? ଲାଜରେ ମରିଯାଏ ।” ବାପଘରୁ କେତେ ମାସ ପରେ ଆପେ ଆପେ ଫେରିଆସିଲା । ବାପଘରେ ମଧ୍ୟ ସମସ୍ତେ ଜାଣିବାକୁ ଚାହାନ୍ତି ଅଲଗା ରହିବାର କାରଣ କ’ଣ ? ଲାଜରେ ମରେ । ଫେରିଆସି ପୁଣି ସେହି ସମସ୍ୟା । ଲଜ୍ଜାରେ ମୁହଁ ଦେଖାଇପାରେନା । ଦିନେ ମୋତେ ମିନତି କରି କହିଲା, “ଅନ୍ତତଃ ଏକା ବିଛଣାରେ ଶୁଅ । ମଝିରେ ପିଲାପିଲି । ଲୋକଲଜ୍ଜାରୁ ବଞ୍ଚାଅ ।”

 

ସେଇଆ ହେଲା; କିନ୍ତୁ ଏହା ଭିତରେ ଦୁଇ ଜଣଙ୍କ ଭିତରେ ଯେ ବିଚ୍ଛେଦ ଘଟିଥିଲା, ତା’ ଆଉ ଯୋଡ଼ି ହେଲାନାହିଁ । ଯେପରିକି ଇଏ ଗୋଟିଏ ଲୋକଦେଖାଣିଆ ସେତୁବନ୍ଧ । ସମସ୍ତେ ଜାଣିଲେ ଯେ ଆମେ ଏକ ସୁଖୀ ଓ ସମ୍ଭ୍ରାନ୍ତ ଦମ୍ପତି । ଆମେ ଜାଣିଲୁ ଯେ ଆମ ମଝିରେ ଦୁସ୍ତର ବ୍ୟବଧାନ, ଅଶ୍ରୁ ଜଳର ସାଗର ।

 

ଭଗବାନଙ୍କୁ ଡାକି କେତେଥର କହିଛି, “ପ୍ରଭୁ, ତାକୁ ଦିନକ ପାଇଁ ରୂପବତୀ କର, ଦିନ ଆଲୁଅ ପରି ରୂପ ଦିଅ । ଚିତ୍ରାଙ୍ଗଦାକୁ ଦେଇଥିଲ ଏକବର୍ଷ ପାଇଁ । କୃଷ୍ଣାକୁ ଦିଅ ଗୋଟିଏ ଦିନ ପାଇଁ ।”

 

ହଠାତ୍ ଘଣ୍ଟା ଆଡ଼େ ନଜର ପଡ଼ିବାରୁ ନୟନମୋହନ ଚମକିଉଠିଲେ ।

 

“ତୁମର ସେଟା କ’ଣ ଘଡ଼ି ନା ଘୋଡ଼ା ହେ ?”

 

ମୁଁ କହିଲି, “ସେ ଘଡ଼ି ଫାଷ୍ଟ ଚାଲିଛି ।”

 

“କିନ୍ତୁ ମୁଁ ଆଉ ବେଶି ସମୟ ରହିପାରିବିନି । ମିଆଦ ସରିଆସୁଛି । ଆମେ ଆଜି ରାତି ଗାଡ଼ିରେ ଫେରୁଛୁ-ଯେଉଁଟା ଦଶଟା ବେଳେ ଛାଡ଼େ ।”

 

“ଆଉ ଗୋଟିଏ ଦିନ”, ମୁଁ ଅନୁରୋଧ କଲି, “ଏଠାରେ ରହିଯାଇପାରନ୍ତ । ତୁମର ତ ଚାକିରି ନାହିଁ ।”

 

ଏହା ପରେ ସେ କାହାଣୀର ସୂତା ଧରିଲେ ।

 

କୃଷ୍ଣା ଜାଣିଥିଲା ଯେ ତା’ର ରୂପର ଅଭାବ ମୋତେ ପ୍ରତିନିୟତ ପୀଡ଼ା ଦେଉଛି, ସେଥିପାଇଁ ସେ ପ୍ରାଣପଣ ଚେଷ୍ଟା କରୁଥିଲା ରୂପର ଅଭାବ ଗୁଣ ଦେଇ ପୂରଣ କରିବାକୁ । ଅନ୍ୟ କେହି ହେଲେ ସ୍ନୋ ପାଉଡ଼ର ମାଖି ଜୋକର ସାଜନ୍ତା; କିନ୍ତୁ ସାଜସଜ୍ଜା ଆଡ଼େ ମୋର ଶ୍ରଦ୍ଧା ନଥିଲା ବୋଲି ତା’ର ଲକ୍ଷ୍ୟ ମଧ୍ୟ ନ ଥିଲା । ତା’ର ଲକ୍ଷ୍ୟ ଥିଲା ଗୁଣ ଉପରେ । ସେ ତା’ର ଲକ୍ଷ୍ୟଭେଦ କରିଥିଲା । ତେବେ ମଧ୍ୟ ମୋର ମନ ପାଇନି ।

 

ଏହାର କାରଣ ରୂପର ଅଭାବ ଗୁଣ ଦେଇ ପୂରଣ ହୋଇନପାରେ । ରୂପର ଅଭାବ ରୂପ ଦେଇ କେବଳ ପୂରଣ କରିହୁଏ । ତା’ଯେ ପାରିଛି ସେ ଅସାଧ୍ୟ ସାଧନ କରିଛି । ଏ ଅସାଧ୍ୟ ସାଧନ କୃଷ୍ଣାର ସାଧ୍ୟ ନଥିଲା । ଅନ୍ୟ କେଉଁ ସାଧନା ଏହାର ସ୍ଥାନ ନେଇନପାରେ । ସେଥିପାଇଁ ତା’ର ଗୁଣର ସାଧନା ମୋତେ ଜିଣି ନେଇପାରିନି । ଉମାର ତପସ୍ୟା ଶିବଙ୍କ ପରି ବିରୂପାକ୍ଷଙ୍କ ପାଇଁ; ମୋପରି ସୁରୂପାକ୍ଷଙ୍କ ପାଇଁ ନୁହେଁ । ମୋର ନୟନକୁ ଯଦି ରୁଚିକର ନ ହୁଏ, ତେବେ ଦେହ ଧରାଦେବାକୁ ଚାହେନି । ଗୁଣ ଦେଇ କ’ଣ ବିକାର ଦୂର କରିହୁଏ ?

 

ମୁଁ ଯେ ବିକାର ବୋଧକରେ ସେ କଥା ତା’କୁ ମୁହଁ ଖୋଲି କହିନି । ସେ ବୁଦ୍ଧିମତୀ, ଆପେ ଆପେ ବୁଝିନେଇଥିଲା, ସେଥିପାଇଁ ଦିନେ ମୋତେ କହିଲା, “ତୁମେ ଆଉ ଗୋଟିଏ ବାହାହୁଅ, ବା ଯେଉଁଠିକୁ ଇଚ୍ଛା ହେଉଛି ଯାଅ-ଏପରି କେତେଦିନ ଚଳାଇବ !” ଏହା ଉତ୍ତରରେ ମୁଁ କହିଥିଲି, “ପରିବାରରେ ଅଶାନ୍ତି ଡାକି ଆଣିବାକୁ ଚାହେନାଁ । ଯେପରି ଚାଲୁଛି ଚାଲୁ ।”

 

ପ୍ରକୃତରେ ମୋର ଦଣ୍ଡେ ହେଲେ ଫୁରସତ ନ ଥିଲା, ଦିନରାତି କାମ ଆଉ କାମ । ହୋସିଆରୀ କାରଖାନା ଖୋଲିଥିଲି, ଦେଖାଚାହାଁ କରିବାକୁ ପଡ଼ୁଥିଲା ମୋତେ ହିଁ । ଶ୍ଲୀପିଂ ପାର୍ଟନର ମୋର ତିନିଶଳା, ୱ୍ୟାର୍କିଂ ପାର୍ଟନର ମୁଁ । କେତେବେଳେ ଖାଏ, କେତେବେଳେ ଶୁଏ ଠିକ୍‌ ନାହିଁ । ଖାଇ ଏଇତକ ଠିକ୍ ଯେ ବର୍ଷ ଶେଷକୁ ଲାଭ ଦେଖେଇବାକୁ ହେବ । ଲାଭ ଯଦି ନ ଦେଖେଇପାରେ ତେବେ ଶ୍ଵଶୁର ପୁଅମାନେ ଟଙ୍କା ଉଠାଇନେବେ । ସେତେବେଳକୁ ମୁଁ ମୂଳଧନ ପାଇବି କେଉଁଠୁ ?

 

କୃଷ୍ଣା ଯେତେବେଳେ ଉପଲବ୍‌ଧି କଲା ଯେ ତା’ର ଗୁଣର ସାଧନା ବ୍ୟର୍ଥ ହୋଇଛି, ରୂପର ସାଧନା ମଧ୍ୟ ସୁଦୂରପରାହତ, ସେତେବେଳେ ମୋତେ ଏକେଲା ରଖି ସେ ପୁଅଝିଅ ସହ ଦାର୍ଜିଲିଂ ଚାଲିଗଲା । ସେଠାରେ ସେମାନେ ପଢ଼ାପଢ଼ି କରିବେ ଓ ମଣିଷ ହେବେ । ମୁଁ ଦୁଃଖିତ ହେଲି, କିନ୍ତୁ ବାଧା ଦେଲିନାହିଁ । ତା’ର ମଧ୍ୟ ପରିବର୍ତ୍ତନ ଦରକାର । କିଏ ଜାଣେ ହୁଏତ ଶୀତ ଦେଶରେ ବାସକର ବର୍ଣ୍ଣଟା ପରସ୍ତେ ସଫା ହୋଇପାରେ ।

 

ଅକସ୍ମାତ୍ ସ୍ଵାଧୀନତା ପାଇ ମୋର ଅବସ୍ଥାଟା ହେଲା ବୈପ୍ଲବିକ-ଯେପରି ହେବାକୁ ଯାଉଛି ଭାରତର । କ’ଣ ଯେ କରେ ସ୍ଵାଧୀନତା ନେଇ, ବହୁକାଳର ସଞ୍ଚିତ କ୍ଷୁଧା ନେଇ, ବଞ୍ଚିତ ଜ୍ଵାଳା ନେଇ-କ’ଣ ଯେ କରେ ! କ’ଣ ଯେ କରେ !

 

ତୁମେ ଶୁଣି ଆଶ୍ଚର୍ଯ୍ୟ ହେବ କିଛି କଲିନାହିଁ । ତା’ର କାରଣ ଯାହା କରିବାକୁ ଯାଏ, ତାହା ମନେହୁଏ ତୁଚ୍ଛ । ମନେହୁଏ ଏପରି କିଛି କରିବା ଦରକାର, ଯାହା କେହି କେବେ କରିନାହାନ୍ତି । ଯାହା ଉଚ୍ଚାଦପି ଉଚ୍ଚ । ସେପରି କିଛିର ସନ୍ଧାନ ପାଇଲେ ସିନା ! କାବ୍ୟର ନାୟିକାମାନେ ହୋସିଆରୀ କଳ ପରିଦର୍ଶନ କରିବାକୁ ଆସିଲେ ସିନା ! ଟ୍ରୟର ହେଲେନ, ବୃନ୍ଦାବନର ରାଧା, ଇରାନ୍‌ର ଲାୟଲା, ଚିତୋରର ପଦ୍ମିନୀ-କେଉଁଠି ଦେଖାପାଇବି ଏମାନଙ୍କର ! କେହି କ’ଣ ପଥ ଭୁଲି ବକ୍ତିଆରପୁରକୁ ଆସିବେନି ?

 

ତୁମର ମନେଅଛି କି ନାଁ ଜାଣେନାଁ, କଲେଜରେ ମୋର ପ୍ରିୟ କବି ଥିଲେ ଟେନିସନ୍, ଆଉ ପ୍ରିୟ କବିତା ଥିଲା ‘ସୁନ୍ଦରୀ ନାରୀମାନଙ୍କର ସ୍ଵପ୍ନ’’ । ଅବଶ୍ୟ ଆହୁରି ପ୍ରିୟ ଥିଲେ ରବୀନ୍ଦ୍ର ନାଥ ଓ କାଳିଦାସ, କିନ୍ତୁ ଟେନିସନ୍ ଟିକିଏ ବିଶେଷ ଅର୍ଥରେ ପ୍ରିୟ । ସେଇ ‘ସୁନ୍ଦରୀ ନାରୀମାନଙ୍କ’ ପାଇଁ । ହାୟ ! ଏତେ ଯେ ତାଙ୍କର ନାଁ ଜପିଲି, ରୂପ ଧ୍ୟାନ କଲି, ତେବେ ବି ତ ସେମାନଙ୍କର କାହାରି କରୁଣା ହେଲାନାହିଁ । ମେନ୍ ଲାଇନରେ ଟ୍ରେନ୍ ଠିଆ ହେଲାମାତ୍ରେ ମୋର ମନେହେଉଥିଲା । ଏହି ଟ୍ରେନ୍‌ରେ ସେ ଆସିଛନ୍ତି, ଆସି ମୋତେ ଖୋଜୁଛନ୍ତି । ସବୁ କାମ ପକେଇ ଷ୍ଟେସନକୁ ଛୁଟିଯାଉଥିଲି, ଯାଇ ନିରାଶ ହେଉଥିଲି । ଲୋକେ କୁହାକୁହି ହେଉଥିଲେ, “ଫି ଟ୍ରେନ୍‌ରେ ୟାଙ୍କ ଜନାନା ଆସୁଛନ୍ତି । ବାୟା ହେଲେଣି ।” ମୁଁ କିନ୍ତୁ ସେ ସବୁ ଦେହକୁ ନିଏନି । ନିରାଶ ହେଲେ ମଧ୍ୟ ଯାଉଥିଲି ।

 

ଦିନେ ଷ୍ଟେସନକୁ ଯାଇ ଦେଖେ ଟ୍ରେନରୁ ଓହ୍ଲାଉଛନ୍ତି ଟ୍ରୟ ଦେଶର ହେଲନ୍ ନୁହେଁ, ବୃନ୍ଦାବନର ରାଧା ନୁହେଁ, ଦାର୍ଜିଲିଂର କୃଷ୍ଣା । ପିଲାମାନଙ୍କୁ ଦାର୍ଜିଲିଂ ବୋଡ଼ିଂ ସ୍କୁଲରେ ରଖିଆସିଛନ୍ତି-। ସେଠାରେ ସେମାନେ ସୁଖରେ ଅଛନ୍ତି । ମୋର କେଜାଣି କେତେ ଅସୁବିଧା ହେଉଥିବ ଏକଥା ଭାବି ତାଙ୍କର ଅସ୍ୱସ୍ତିବୋଧ ହେବାରୁ ଚାଲିଆସିଛନ୍ତି । ଯାହାହେଉ ମୋତେ ବଞ୍ଚେଇଲେ-। ଲୋକେ ସ୍ଵୀକାର କଲେ, ନାଁ, ବାୟା ନୁହନ୍ତି । ଆଉ ମୁଁ ମଧ୍ୟ ସ୍ଵୀକାର କଲି ଯେ ସ୍ଵାଧୀନତାର ଧକଲ ପୋଷାଏନାଁ । ତା’ ଅପେକ୍ଷା ଘରଣୀ ହାତରେ କଦଳୀ ଭଣ୍ଡାର ତରକାରୀ ମିଠା ।

 

କିନ୍ତୁ କଦଳୀଭଣ୍ଡାର ତରକାରୀ ଏଥର ମିଠା ଲାଗିଲା ନାହିଁ । ଦେଖାଗଲା, କୃଷ୍ଣା ଖାଲି ଚିଠି ଲେଖୁଛି ବସି ବସି । ଧରିନେଲି ପୁଅ ଝିଅ ପାଇଁ ଖୁବ୍ ମନ ଘାଣ୍ଟି ହେଉଛି, ଚିଠି ଲେଖି ମନଭାର ହାଲୁକା କରୁଛି; କିନ୍ତୁ ପ୍ରତିଦିନ ତା’ ନାରେ ଜଣେ ମଣିଷର ଲେଖା ଚିଠି ଲଫାଫା ବନ୍ଦ ହୋଇ ଆସିବାର ଦେଖି ସନ୍ଦେହ ହେଲା-କାହା ହାତଲେଖା ଏସବୁ ? ସ୍ତ୍ରୀଲୋକଙ୍କର ହାତର କି ନୁହେଁ । କେତେଥର ଆଗ ପଛ ହେଇ ଢୋକ ଗିଳି ପଚାରିଲି ତା’କୁ । ସେ ବିନା ବାକ୍ୟରେ ଉତ୍ତର ଦେଲା ଚିଠିଗୁଡ଼ିକ ମୋ ସାମନାରେ ରଖି ।

 

ବିସ୍ମୟ ! ବିସ୍ମୟ ଉପରେ ବିସ୍ମୟ । ଉର୍ଦ୍ଦୁଭାଷାର ଜଣେ ଉଦୀୟମାନ କବି ଦାର୍ଜିଲିଂରେ ବସି ଗଜଲ୍ ଲେଖୁଛନ୍ତି । ସାକୀ ବୋଲି ଯା’କୁ ସମ୍ବୋଧନ କରିଛନ୍ତି, ସେ ମୋର କୃଷ୍ଣା । ସାକୀ ପାଖକୁ ନିତ୍ୟ ନୂଆ ଗଜଲ ଆସୁଛି ସ୍ଵାକ୍ଷରିତ ହୋଇ । ପ୍ରେରଣାର ବି ଶେଷ ହୁଏନା, ଗଜଲ ମଧ୍ୟ ଶେଷ ହୁଏନା । କହିବା ବାହୁଲ୍ୟ ଉର୍ଦ୍ଦୁ ଆମେ ଦୁହେଁ ଜାଣିଥିଲୁ । ମୁହିଁ ଶିଖେଇଥିଲି କୃଷ୍ଣାକୁ । ସ୍ୱୟଂ ଶିଖିଥିଲି ପଠାଣ ସାଙ୍ଗମାନଙ୍କ ପାଖରୁ । ସେ ବିଦ୍ୟା ଯେ ଏହିପରି ଭାବରେ କାମରେ ଲାଗିବ, କଳ୍ପନା କରିନଥିଲି । ହତଭମ୍ବ ହେଲି । କବିଙ୍କ ନାଁରେ ହାଫିଜ ଦେଇ ଆରମ୍ଭ । ସେଥିପାଇଁ ତା’ଙ୍କୁ ହାଫିଜ ବୋଲି ଉଲ୍ଲେଖ କରୁଚି ।

 

ହାଫିଜ କୁଆଡ଼େ ପତଙ୍ଗ ପରି ରଓଶନର ରୂପମୁଗ୍‌ଧ । ରୂପରେ ଯା’ ବର୍ଣ୍ଣନା ଦେଇଛି, ତା’ ମୋ ପକ୍ଷରେ ଆବିଷ୍କାର । ଏତେ ରୂପ ଯେ ମୋ ଅଗୋଚରରେ ଥିଲା ତା’ ବିଶ୍ଵାସ କରିବା କଠିନ; କିନ୍ତୁ ବିଶ୍ଵାସ ନକରି ରହିପାରେନା । କାରଣ କବି ଯା’ ଲେଖିଛନ୍ତି ତା’ ପରିହାସ ସୁରରେ ନୁହେଁ । ତେବେ କ’ଣ ଏ କଥା ସତ ଯେ, ମୋ ଆଖିରେ ଯେ ରୂପହୀନା, ଅନ୍ୟଆଖିରେ ସେ ରୂପସୀ ? ଏହା କ’ଣ କେବେ ସତ ଯେ କୁରୂପା ବୋଲି କେହି ନାହାଁନ୍ତି, ସେଟା ଦୃଷ୍ଟି ବିଭ୍ରମ ବା ଆଖିର ଭ୍ରମ ।

 

ସେତେବେଳକୁ ମୋର ମନେପଡ଼ିଲା ତୁମର ଉକ୍ତି । ଭଗବାନ ରୂପ ସମସ୍ତଙ୍କୁ ଦେଇଛନ୍ତି, ଦେଖିବାର ଆଖି ଦେଇନାହାନ୍ତି ସମସ୍ତଙ୍କୁ । ଯେଉଁମାନଙ୍କୁ ଦେଇଛନ୍ତି, ସେମାନେହିଁ ଶିଳ୍ପୀ, ସେମାନେ ସମସ୍ତଙ୍କର ରୂପମୁଗ୍‌ଧ । ଏ ଉର୍ଦ୍ଦୁ କବି ଜଣେ ଶିଳ୍ପୀ । ଏ କବି ସେଥିପାଇଁ କୃଷ୍ଣାର ରୂପ ଦେଖି ରଓଶନ ସାଙ୍ଗରେ ତୁଳନା କରିଛନ୍ତି । ହାୟ, ମୁଁ ମଧ୍ୟ ଯଦି ଶିଳ୍ପୀ ହୋଇପାରନ୍ତି ! ମୋର ଶିଳ୍ପ ରଚନାର ଦୌଡ଼ ବକ୍ତିଆରପୁରର ଗଣେଶମାର୍କା ଗେଞ୍ଜୀ ଆଉ ହନୁମାନ ମାର୍କା ମୋଜା । ସେଇ ଆଖି ମାଧ୍ୟମରେ ଭଗବାନ ଦେଇଥିବା ରୂପ ପ୍ରତ୍ୟକ୍ଷ କରି ହୁଏନା । ଆଖି ଦୁଇଟାକୁ ବଦଳେଇ ନେବା ଦରକାର । ଭାବିଲି, ଦିନାକେତେ ହନୁମାନ ଓ ଗଣେଶଙ୍କ ଧ୍ୟାନ ଛାଡ଼ି ଗୌରୀଶଙ୍କର ଓ କାଞ୍ଚନଜଙ୍ଘା ଅବଲୋକନ କରିବି । ଘରଣୀଙ୍କୁ କହିଲି, “ଚାଲ, ଆମେ ଦାର୍ଜିଲିଂ ଯିବା-ଦେଖିଆସିବା ଟୁବ୍‌ଲୁକୁ, ଟୁଟୁକୁ ।”

 

ଆହା ! କାଞ୍ଚନଜଙ୍ଘା ଦେଖି ଦେଖି ଦୁଇ ଆଖି ତୃପ୍ତ ହୋଇଗଲା । କିପରି ତା’ର ବର୍ଣ୍ଣନା ଦେବି ମୁଁ ତ କବି ନୁହେଁ; କିନ୍ତୁ ଏକଥା ମଧ୍ୟ ମୁଁ ବୁଝିପାରେନି ଯେ କାଞ୍ଚନଜଙ୍ଘା ପରି ନାରୀ ଥାଉ ଥାଉ କୃଷ୍ଣା ପରି ନାରୀ କିପରି ବନ୍ଦନା ପାଏ ? କବିମାନଙ୍କର କ’ଣ ସତକୁସତ ସୌନ୍ଦର୍ଯ୍ୟବୋଧ ଅଛି ! ମୋର ତ ମନେହୁଏନା ।

 

ହାଫିଜକୁ ନିମନ୍ତ୍ରଣ କରିଥିଲି । ଜରିଦାର ଶେରୱାନୀ ଓ ଚୁଡ଼ିଦାର ପାଜାମା ପିନ୍ଧି ସେ ଆସିଲେ । ଶୁଣିଲି ସେ ନବାବ ଘରାନା । ମୁର୍ଶିଦାବାଦରେ ଘର । ଅନ୍ୟ ମୁହଁରେ ନିଜ ସ୍ତ୍ରୀର ରୂପ ବର୍ଣ୍ଣନା ତ ଶୁଣିନା, ତୁମେ କିପରି ବୁଝିବ ମୋ ବ୍ୟଥା । ମତେ ଯାହା ଲାଗୁଥିଲା ମୁଁ ହିଁ ଜାଣେ । ପଚାରିଲି, “ଆଚ୍ଛା, ୟେ କ’ଣ ସବୁ ସତ୍ୟ ହେ ମୋ ସ୍ତ୍ରୀଙ୍କ ଭକ୍ତ.....” ମନେଅଛି ତ ରବୀନ୍ଦ୍ରନାଥଙ୍କର ସେଇ କୌତୁକ କବିତାଟି ? “ଚିର ଭକ୍ତ”କୁ “ସ୍ତ୍ରୀଙ୍କ ଭକ୍ତ’’ କରିଛି ।

 

କବି କହିଲେ, “କାବ୍ୟର ସତ୍ୟ ଓ ଜୀବନର ସତ୍ୟ ଏକ ନୁହେଁ-ଯେମିତି ଚିତ୍ର ସତ୍ୟ ଆଉ ଫଟୋଗ୍ରାଫ୍‌ର ସତ୍ୟ ଏକ ନୁହେଁ । ଏ ବି ସତ୍ୟ, ପୁଣି ସେ ବି ସତ୍ୟ ।“

 

କୃଷ୍ଣା ସେଠାରେ ନଥିଲା, ଥିଲେ ହୁଏତ ଆଘାତ ପାଇଥାନ୍ତା । ଏହା ଭିତରେ ତା’ର ଧାରଣା ଜନ୍ମିଥିଲା ଯେ ସେ ଯଥାର୍ଥରେ ସୁନ୍ଦରୀ-ଦୁଇ ଅର୍ଥରେ-କାବ୍ୟରେ ଓ ଜୀବନରେ ।

ଘଣ୍ଟାଆଡ଼କୁ ଚାହିଁ ନୟନ ଭାଇ ଚଞ୍ଚଳ ହୋଇଉଠିଲେ । ମୁଁ ତାଙ୍କୁ ଅଭୟ ଦେଲି ଯେ ଟ୍ରେନ୍ ଧରେଇଦେବାର ଦାୟିତ୍ଵ ମୋର । ସେତେବେଳେ ସେ ପୂର୍ବାନୁବୃତ୍ତି କଲେ ।

ଦାର୍ଜିଲିଂରେ ମୋର ଆଖି ଖୋଲିଗଲା । ଦେଖିଲି କୃଷ୍ଣାର ଗାତ୍ରବର୍ଣ୍ଣ ପରସ୍ତେ ଗୋରା ହେଇନି ସତ, ମାତ୍ର ରଙ୍ଗ ଧରିଛି ଭିତରେ । ଯେପରିକି ଏତେଦିନ ପରେ ସେ ନିଜକୁ ଆବିଷ୍କାର କରିଛି । ଆବିଷ୍କାର କରିଛି ସେ ସୁନ୍ଦରୀ । ସତେଇଶ କି ଅଠେଇଶ ବର୍ଷ ବୟସରେ ଯଦି କୌଣସି ନାରୀ ପ୍ରଥମ ଆବିଷ୍କାର କରେ ସେ ସୁନ୍ଦରୀ, ତା’ହେଲେ ତା’ର ସେଇ ଆବିଷ୍କାର ତାକୁ ବିପ୍ଳବର ଆସ୍ଵାଦନ ଦିଏ । ଏ ଯେପରି ଗୋଟାଏ ଅଗଷ୍ଟ ବିପ୍ଲବ । ହିଂସାର କ୍ଷମତା ନାହିଁ ବୋଲି ଦୀର୍ଘକାଳ ଅହିଂସାର ଚର୍ଚ୍ଚା କଲାପରେ ଅକସ୍ମାତ୍ ଆବିଷ୍କାର କରାଗଲା ଯେ ଆମର ହିଂସାର କ୍ଷମତା ଅଛି । ଦେଖୁଛ ତ ଦେଶ କିପରି ରକ୍ତ ପିପାସାରେ ଅଧୀର ହୋଇଉଠିଛି ! ଯେତେବେଳ ଯାଏଁ ଗୋଟିଏ ଆଣବିକ ବୋମା କଲିକତା କି ବମ୍ବେ ଉପରେ ନ ପଡ଼ୁଛି, ସେତେବେଳ ଯାଏଁ ଏ ପିପାସାର ନିବୃତ୍ତି ନାହିଁ ।

କୃଷ୍ଣାକୁ ନେଇ ମୋର ଦଶା ହେଲେ ମହାତ୍ମାଙ୍କ ପରି । କେମିତି ତାକୁ ବୁଝେଇବି ଯେ ତା’ ଆବିଷ୍କାରଟା କାବ୍ୟର ସତ୍ୟ, ଜୀବନର ସତ୍ୟ ନୁହେଁ । ଯେ ଏକଥା ବୁଝେଇପାରନ୍ତା ସେ ହାଫିଜ । ହାଫିଜ କ୍ରମେ ଦୁର୍ଲଭ ହେଲା; କିନ୍ତୁ କ୍ଷତି ଯାହା କରିଗଲା ତା’ର ଜେରା ଚାଲିବାକୁ ଲାଗିଲା । କୃଷ୍ଣା ବିଶ୍ଵାସ କଲା ହାଫିଜର ଜବାନବନ୍ଦୀ ସଚ୍ଚା, ମୋର ଜମାନବନ୍ଦୀ ଝୁଟା । ମୁଁ ତାକୁ ଏଗାର ବର୍ଷ ହେଲା ଠକି ଆସିଛି । ମୁଁ ପ୍ରବଞ୍ଚକ । ସେ ମୋ ମୁହଁଆଡ଼କୁ ଭଲକରି ଅନାଏନି, ମୁଁ ବି କିପରି ଯେମିତି ଅପରାଧୀ ମନେକରେ ନିଜକୁ । ଏକେ ତ ଆମର ଦୈହିକ ସମ୍ପର୍କ ନଥିଲା, ମାନସିକ ସମ୍ପର୍କରେ ମଧ୍ୟ ଫାଟ ଧରିଲା ।

ଦାର୍ଜିଲିଂରୁ ସାଥିହୋଇ ଫେରିଲୁ । ମୁଁ ପ୍ରସ୍ତାବ କଲି, ସେ ଯଦି ଦାର୍ଜିଲିଂରେ ଏକେଲା ରହିବାକୁ ଚାହେଁ ତା’ହେଲେ ରହିପାରେ । ସେ ମନାକଲା । ବୋଧହୁଏ ଲୋକନିନ୍ଦା ଭୟରେ । ବକ୍ତିଆରପୁରକୁ ଫେରି ମୁଁ ମୋ କାମଦାମରେ ବୁଡ଼ିଗଲି । ଆଉ ସେ ଚାଲିଲା ଉଜାଣିରେ । ବୟସ ତା’ର ଦିନକୁ ଦିନ କମିବାକୁ ଲାଗିଲା । ଘଣ୍ଟା ପର ଘଣ୍ଟା ଠିଆହୋଇ କଟାଏ ଆଇନା ସାମନାରେ-। କେଶ ବାନ୍ଧେ, କେଶ ଖୋଲେ, ପୁଣି ବାନ୍ଧେ । ଶାଢ଼ି ପିନ୍ଧେ, ଖୋଲେ, ପୁଣି ପିନ୍ଧେ । ସାଜସଜ୍ଜାର ଜମକ ନ ଥିଲା, ଆରମ୍ଭ ହେଲା । ସ୍ନୋ ପାଉଡ଼ର ମାଖି ଜୋତା ପାଲିସ୍ ପରି ଚେହେରା ହେଲା-। ତା’ ହେଉ, ସେଥିରେ ମୋର ଆପତ୍ତି ନାହିଁ, ଯାହାର ଟଙ୍କା ଅଛି ସେ ଯଦି ଦି’ହାତରେ ଉଡ଼ାଏ ତେବେ ମୋର କ’ଣ ଯାଏଆସେ; କିନ୍ତୁ ମଝିରେ ପିଲାମାନେ ନ ଶୋଉଥିବାରୁ ସେ ଏକାବେଳକେ ମୋର କୋଳରେ ଆସି ଶୁଏ । ଆଶାକରେ ମୁଁ ତା’ର ରୂପ ଦେଖି ଭୁଲିବି । କ୍ଷଣକାଳ ପାଇଁ ଯେ ଭୁଲିନି ତା’ ନୁହେଁ, କିନ୍ତୁ ସେଟା ମୋର ନିଜର ଦୁର୍ବଳତା, ତା’ର ମାଦକତା ନୁହେଁ-। ସେ କିନ୍ତୁ ଧରିନେଲା ଯେ ତା’ ଭିତରେ ଅପୂର୍ବ ମୋହିନୀଶକ୍ତି ସଞ୍ଚାର ହୋଇଛି । ସାଙ୍ଗେ ସାଙ୍ଗେ ମୋହିନୀ ଶକ୍ତିର ଅନୁଶୀଳନରେ ରତ ହେଲା । ଏପଟେ ମୁଁ ବିକାର ବୋଧରେ ଅସ୍ଥିର । କିପରି ପରିହାର କରିବି ଭାବି କୂଳ କିନାରା ପାଏନାଁ ।

ଆଉ ଗୋଟିଏ ସନ୍ତାନ ହେଲା, ଏଟି ପୁଅ । ଖୁବ୍ ଖୁସି ହେଲୁଁ ଦୁହେଁ । ମୁଁ କହିଲି- “ଆଉ କାହିଁକି ? ଏବେଠୁ ପୂର୍ବ ଅବସ୍ଥା ବାହାଲ ହେଉ ।” ସେ କିଛି କହିଲାନି, ମୁରୁକି ହସିଦେଲା । ପୁଅ ପାଇଁ ଛୋଟ ଗୋଟାଏ ବେବୀକଟ୍ କିଣା ହେଲା । ପୁଅ ସେଇଠି ଶୁଏ । ଆଉ ମୁଁ ପ୍ରତି ରାତ୍ରିରେ ରବୀନ୍ଦ୍ର ନାଥଙ୍କର ସେଇ ଶୋଚନୀୟ ଧାଡ଼ିଗୁଡ଼ିକ ଆବୃତ୍ତି କରେ-

 

“ରେ ମୋହିନୀ, ରେ ନିଷ୍ଠୁରା, ଆରେ ରକ୍ତ ଲୋଭାତୁରା କଠୋର ସ୍ଵାମିନୀ ଦିନ ମୋର ଦେଲି ତୋତେ, ହରି ନେବୁ ଶେଷେ କିଲୋ ମୋହର ଯାମିନୀ ।”

 

ଅଗତ୍ୟା, ପଣ୍ଡିଚେରୀ କଥା କୁହାକୁହି ହେବାକୁ ପଡ଼ିଲା । ହିମାଳୟକୁ ମହାପ୍ରସ୍ଥାନ କରିପାରେ, ଆଭାସରେ ଇଙ୍ଗିତରେ ଜଣାଇଲି; କିନ୍ତୁ କିଏ ବିଶ୍ଵାସ କରିବ ସେକଥା ?

 

ମୋର ହୋସିଆରୀ ଫୁଲି ଫୁଲି ଟେକ୍‌ଷ୍ଟାଇଲ୍ ଆକାର ଧାରଣ କରିଥାଏ । କଟନ ମିଲ୍‌ର ଉଦ୍ୟୋଗ ଆୟୋଜନରେ ଜୀବନଟା ମଧୁର ହୋଇଥାଏ । ରୂପ ନ ହେଲା ପାଇନି, କିନ୍ତୁ ରୁପା ତ ପାଇଛି ଅଜସ୍ର ଅସରନ୍ତି । ରୂପର ମାୟା ମୋତେ ଧରି ରଖିପାରିବନି, କିନ୍ତୁ ରୁପାର ମାୟା-? ଦେଖାଗଲା କାମିନୀଠାରୁ କାଞ୍ଚନର ଆକର୍ଷଣ କମ୍ ନୁହେଁ । ରହିଗଲି କାଞ୍ଚନ ଲୋଭରେ, କିନ୍ତୁ କୃଷ୍ଣା ଠଉରାଇ ନେଲା କାମିନୀ ଲୋଭରେ । ତା’ ମୁହଁରେ ହସ ଆଉ ଧରୁ ନ ଥାଏ । ମୋହିନୀ ଶକ୍ତିର ଜୟ ।

 

ସେହି ଯୂପକାଠରୁ ଉଦ୍ଧାର ପାଇବାର ଉପାୟ ନାହିଁ ଦେଖି ଗୁରୁ ଡାକିଆଣି ମନ୍ତ୍ର ନେଲି ଗାର୍ହସ୍ଥ୍ୟ ସନ୍ନ୍ୟାସର । କୃଷ୍ଣାକୁ କହିଲି, “ତୁମେ ମଧ୍ୟ ନିଅ ।” ତା’ ଆଖିରୁ ନିଆଁ ଛୁଟିଲା, କ’ଣ ଯେ ହେଲା ତା’ର ଜାଣେନାଁ, ଯେତେବେଳେ ମନ ଏକା ଏକା ଘରୁ ବାହାରିଯାଏ, ସାହି ସାହି ଗଳ୍ପ କରି ବୁଲେ ଆହାର ନିଦ୍ରା ଭୁଲି । ରାତିରେ ଖୋଜାଖୋଜି କରି ଧରି ନେଇଆସେ, ବନ୍ଦ କରି ରଖେ । ଚିକିତ୍ସକଙ୍କ ପରାମର୍ଶରେ ଗୁରୁଙ୍କ ଅନୁମତି ନେଇ ସ୍ଵାମୀ-ସ୍ତ୍ରୀ ସମ୍ପର୍କ ପୁଣି ସ୍ଥାପନ କରିବାକୁ ଯାଏ । ଫଳହୁଏ ଓଲଟା । କାତର ସ୍ଵରରେ କହେ, “ତୁମେ ମୋ ବାପ ବୟସୀ, ତୁମେ ମାନନୀୟ ବୃଦ୍ଧ, ତୁମକୁ କ’ଣ ଶୋଭାପାଏ ଏ ଅଧର୍ମ !” ମୁଁ କୁଆଡ଼େ ତା’ ବାପ ବୟସୀ ! ହରି ହେ ! ମୁଁ କୁଆଡ଼େ ମାନନୀୟ ବୃଦ୍ଧ ! ପ୍ରଭୁ ହେ !

 

ନୟନଭାଇ କହୁ କହୁ କାନ୍ଦିପକାଇଲେ । କାନ୍ଦ କାନ୍ଦ ହୋଇ କହିଲେ, ସାହିର ଘରେ ଘରେ ଯାଇ ମୋ ନାଁରେ ରଟାଏ ଯେ ମୁଁ କୁଆଡ଼େ ତା’କୁ ସୁନ୍ଦରୀ ତରୁଣୀ ପାଇ ତା’ ଉପରେ ବଳପ୍ରୟୋଗ କରେ । ବୁଢ଼ା ବୟସରେ ମୋର କୁଆଡ଼େ ଭୀମରତ ଧରିଛି । ଓଃ…ହୋ…ହୋ ! ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ ଭାଇରେ ! ବେଲଡାଙ୍ଗରେ ଆମର ଦୁଇ ନମ୍ବର ମିଲଟା ତିଆର ହୋଇଗଲେ ମୁଁ ଆଖି ବୁଜିବି ।” ସମସ୍ତେ କହୁଛନ୍ତି ତାକୁ ପାଗଳାଗାରଦକୁ ପଠାଇବାକୁ । କିନ୍ତୁ ସେଇଟା ହେବ ଯଥାର୍ଥ ଅଧର୍ମ । ନାଁ, ତା’ ମୁଁ ପାରିବିନି । କିନ୍ତୁ ଏ ଜୀବନ ମଧ୍ୟ ମୋର ଅସହ୍ୟ । ମୋର ମାନ ଗଲା । ମୁଁ ଛୋଟ ହୋଇଗଲି ଲୋକଙ୍କ ଆଖିରେ ।

 

ମୁଁ ତା’ଙ୍କ ଆଖି ପୋଛିଦେଲି ଆଗକାଳ ପରି । ଏକା ହଷ୍ଟେଲ୍‌ର ଏକା ଘରେ ଆମେ ରହୁଥିଲୁ । ରାତି କଟିଯାଉଥିଲା ସୁନ୍ଦରୀ ନାରୀମାନଙ୍କର ସ୍ଵପ୍ନରେ । ନୟନଭାଇଙ୍କର ନିଶ୍ଚିତ ପ୍ରତ୍ୟୟ ଥିଲା ସୁନ୍ଦରୀ ନାରୀ ତାଙ୍କ ଭାଗ୍ୟରେ ଅବଧାରିତ । ସେଟା ତାଙ୍କର ଜନ୍ମସ୍ଵତ୍ୱ, ଜନ୍ମସ୍ଵତ୍ୱ ଖଣ୍ଡନ ହେଲା ଦେଖି କାନ୍ଦି ଆକୁଳ ହୋଇଥିଲେ କୋଡ଼ିଏ ବର୍ଷ ପୂର୍ବେ । ଆଖି ପୋଛି ଦେଇଥିଲୁ ଆମେ କେତୋଟି ବନ୍ଧୁ ।

 

ସାନ୍ତ୍ୱନା ଛଳରେ ସେଥିରେ କହିଥିଲି, ରୂପ ଭଗବାନ ସମସ୍ତଙ୍କୁ ଦେଇଛନ୍ତି, ଦେଖିବାର ଆଖି ଦେଇନାହାନ୍ତି ସମସ୍ତଙ୍କୁ । ଏଥର କହିବି କ’ଣ ? କହିବାର ଅଧିକାର ଅଛି କ’ଣ ?

Image

 

Unknown

ଯୌବନ-ଜ୍ଵାଳା

 

ଡିନର୍ ଶେଷ ହେଲାରୁ ମହିଳାମାନେ ଉଠିଗଲେ ବସିବାଘରକୁ l ମୋ ସ୍ତ୍ରୀ ଚାଲିଯାଉଛନ୍ତି ଦେଖି ଅନ୍ୟମନସ୍କଭାବରେ ମୁଁ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରୁଛି, ଏପରି ସମୟରେ ପଛପଟରୁ ମୋ କୋଟ ଧରି ଟାଣିଲେ ଗୃହକର୍ତ୍ତା ବାରିଷ୍ଟର ମୌଲିକ । କାନେ କାନେ କହିଲେ, “କଥା ଅଛି ।”

 

ମୁଁ ଥମକିପଡ଼ିଲି–“କି କଥା !”

 

ସେ ମୁହଁ ଚିପି ମୁରୁକି ହସିଲେ । କଥାଟା ଆଉ କିଛି ନୁହେଁ, ଏଟିକେଟ୍‌ର ଭୁଲ୍ । କହିବାକୁ ପଡ଼ିଲାନି ଯେ ମହିଳାମାନେ କିଛି ସମୟ ନିରୋଳାରେ ରହିବେ, ସେ ସମୟରେ ପୁରୁଷମାନଙ୍କର ଯିବା ମନା । ତାଙ୍କ ହସ ଦେଖି ଅନୁମାନ କଲି କି କଥା । ଚୋର ପରି ଚୁପ୍‌ଚାପ୍ ଫେରଆସିଲି ଖାଇବାଘରକୁ । ଗୋଟିଏ ରିଷ୍ଟ କଟିଗଲା ।

 

ଏହା ଭିତରେ ଚାରିଜଣଖଣ୍ଡେ ଅଭ୍ୟାଗତ ମିଳି ଜଟଳା ଆରମ୍ଭ କରିଦେଇଥିଲେ । ହାତରେ ପାନପାତ୍ର, ମୁହଁରେ ଚୁରୁଟ୍ । ମୋର ତ ସେସବୁ ଚଳେନା; ମୁଁ କପେ କଫି ହାତରେ ନେଇ ତାଙ୍କ ପାଖରେ ବସିପଡ଼ିଲି । ଗହଳି ଦେଖିଲେ ଗହଳି ବଢ଼େ । ଯେ ଯାହାଙ୍କର ଚୌକି ଟାଣିନେଇ ଘେରିବସିଲେ ଚାରି ୟାର୍‌ଙ୍କୁ । କେହି କେହି ଟେବୁଲକୁ ଆଉଜି ଠିଆହେଲେ ।

 

ପ୍ରଫେସର ମଣିମୋହନ ଦେ କହୁଥିଲେ ଇଞ୍ଜିନିୟର ପ୍ରଦୋଷ କୁମାର ସେନ୍‌ଙ୍କୁ–“ତୁମେ ଆସାମରୁ ଆସୁଛ । ତୁମେ ହଁ କହିପାରିବ ଅସଲରେ କ’ଣ ହୋଇଥିଲା । ଆମେ ତ ନାନା ମୁନିଙ୍କ ନାନା ମତ ଶୁଣୁଛୁ । କେହି କେହି କହୁଛନ୍ତି, ଶିକାର କରିବାକୁ ଯାଇ ଦୈବ-ଦୁର୍ଘଟଣା । କେହି କେହି କହନ୍ତି-ସିଧାସଳଖ ଆତ୍ମହତ୍ୟା ।”

 

ପ୍ରଦୋଷ ମୁଣ୍ଡ ହଲାଇଲେ–“ନା, ଆକ୍ସିଡ଼େଣ୍ଟ ନୁହେଁ ।”

 

ସମସ୍ତେ ବୁଝିପାରିଲେ ବିକଳ୍ପରେ କ’ଣ । ତେବେ ମୁହଁ ଫୁଟି ପଚାରିଲା ବୀରେଶ୍ଵର ଘୋଷାଲ, ବାରିଷ୍ଟର-“ତା’ହେଲେ କ’ଣ ?

 

-“ସୁଇସାଇଡ଼ ।”

 

“ସୁଇସାଇଡ଼ !” ଘୋଷାଲ ଉତ୍ତେଜିତ ହୋଇ କହିଲା, “ମୁଁ ବିଶ୍ଵାସ କରେନା । ସ୍ଵୟଂ ଯୁଧିଷ୍ଠିର ଆସି ହଲପ କରି କହିଲେ ମଧ୍ୟ ମୁଁ ବିଶ୍ଵାସ କରିବିନି ଯେ ବିଶ୍ଵଜିତ ଭାଇ ଆତ୍ମହତ୍ୟା କରିଛନ୍ତି । ବିଲାତି ରହଣୀକାଳରେ ମୋତେ ରକ୍ଷା କରିଥିଲା କିଏ ? କାହାକୁ ମୁଁ ବିବେକ ପରି ଡରୁଥିଲି ? ଜିତେନ୍ଦ୍ରିୟ, ଚରିତ୍ରବାନ, ସତ୍ୟନିଷ୍ଠ…”

 

ମୁଁ ବୁଝିପାରିଥିଲି ଯାହାଙ୍କ କଥା ପଡ଼ିଛି, ସେ ମୋ କଲେଜର ବିଖ୍ୟାତ ଖେଳାଳି ବିଶ୍ୱଜିତ୍ ସିଂହରାୟ । ବଙ୍ଗଳାର ରାଜପୁତ । ଛ’ଫୁଟ୍ ଉଚ୍ଚ, ସୁଶ୍ରୀ ଚେହେରା, ଲାଜୁକ ପ୍ରକୃତି । ଖୁବ୍ କମ୍ ପିଲାଙ୍କ ସାଙ୍ଗରେ ମିଶନ୍ତି । ଯେଉଁମାନଙ୍କ ସାଙ୍ଗରେ ମିଶନ୍ତି ସେମାନେ କହନ୍ତି–ମନଟା ସରଳ; ଯେଉଁମାନଙ୍କ ସାଙ୍ଗରେ ମିଶନ୍ତିନି ସେମାନେ କହନ୍ତି ମୁଣ୍ଡ ଗରମ । ମୁଁ ଥିଲି ବୟସରେ ଅନେକ ଛୋଟ, ଦୂରରୁ ଦେଖୁଥିଲି ଆଉ ଶ୍ରଦ୍ଧା କରୁଥିଲି ।

 

“କିନ୍ତୁ କଥାଟା କ’ଣ ସତ୍ୟ ?” ମୁଁ ପାଟିକରି କହିଲି ଘୋଷାଲକୁ ବାଧାଦେଇ ।

 

“ଚୁପ୍ ! ଚୁପ୍ !” ଗୃହକର୍ତ୍ତା ମୋ ପିଠିରେ ଠଣା ମାରି ସାବଧାନ କରିଦେଲେ ଯେ ଆରଘରେ ମହିଳାମାନେ ଅଛନ୍ତି ।

 

ଘୋଷାଲ ସେତେବେଳଯାଏଁ ଗୁଜ୍ ଗୁଜ୍ ହେଉଥିଲା–“କିନ୍ତୁ କାହିଁକି ? କେଉଁ ଦୁଃଖରେ ଆତ୍ମହତ୍ୟା କରିବେ ବିଶ୍ୱଜିତ୍ ଭାଇଙ୍କ ପରି ଲୋକ ? ଗୋଟିଏ ନଷ୍ଟା ସ୍ତ୍ରୀଲୋକ ପାଇଁ ?”

 

ପ୍ରଦୋଷ ଖପ୍‌କରି ଜଳିଉଠିଲେ, “ନଷ୍ଟା ସ୍ତ୍ରୀଲୋକ କାହାକୁ କହୁଛ ?”

 

“ତୁମେ ଜାଣ କାହାକୁ କହୁଛି । ସି ଇଜ୍ ଏ ବିଚ୍ ।”

 

“ଚୁପ୍ ଚୁପ୍ ।” କହି ମୌଲିକ ତାଙ୍କର ମୁହଁ ଚାପିଧରିଲେ ।

 

ପ୍ରଦୋଷ କହିଲେ, “ଯେ ବିଚ୍ ନୁହେଁ ତା’କୁ ବିଚ୍ ବୋଲି ଭୁଲ୍ କରିଥିଲା ବିଶ୍ୱଜିତ୍ । ସେଥିପାଇଁ ଏହି ଟ୍ରାଜେଡ଼ୀ । କିନ୍ତୁ ସାମନା କବାଟଗୁଡ଼ିକ ଆଉଜେଇ ଦିଆଯାଉ । ଏ ସବୁ କଥା ମହିଳାମାନଙ୍କ ପାଇଁ ନୁହେଁ ।” ଏହାକହି ପ୍ରଦୋଷ ଆଉ ଗୋଟିଏ ସିଗାରେଟ୍ ଧରାଇଲେ ।

 

ଆମେ ଯେ ଯାହା ଚୌକିରୁ ଡିଆଁମାରି ଉଠି କବାଟଗୁଡ଼ିକ ଆଉଜେଇ ଦେଇ ଆସିଲୁ । କିଏ ଜାଣେ, ମହିଳାମାନେ ଯଦି ଶୁଣିବାକୁ ପା’ନ୍ତି, ତାହେଲେ କଥା ସରିଗଲା । ଗୃହକର୍ତ୍ତା ସମସ୍ତଙ୍କୁ ଦେଇଗଲେ ଯାହାଙ୍କର ଯାହା ରୁଚି । ମୁଁ ନେଲି ଆଉ କପେ କଫି । ପ୍ରଦୋଷ କହିବାକୁ ଆରମ୍ଭ କଲେ ।

 

ଘୋଷାଲକୁ ପାପହାତରୁ ରକ୍ଷା କରିବାପାଇଁ ଥିଲେ ବିଶ୍ୱଜିତ୍; କିନ୍ତୁ ବିଶ୍ଵଜିତଙ୍କ ଭ୍ରାନ୍ତିହାତରୁ ରକ୍ଷା କରିବା ପାଇଁ ନଥିଲା ସେପରି କେହି । ବିଶ୍ୱଜିତ୍ ହେଉଛନ୍ତି ସେହି ଜାତିର ମଣିଷ, ଯେଉଁମାନେ ଇନ୍ଦ୍ର ଧନୁର ସାତଟା ରଙ୍ଗ ଦେଖିବାକୁ ପାଆନ୍ତିନାହିଁ; ଯାହାଙ୍କ ଆଖିରେ ଦୁଇଟା ମାତ୍ର ରଙ୍ଗ-ଧଳା ଆଉ କଳା । ନାରୀଙ୍କୁ ସେ ଦୁଇ ଭାଗରେ ବିଭକ୍ତ କରିଥିଲେ-ଭଲ ଆଉ ମନ୍ଦ ।

 

ଜାଣ ତ ନାରୀ କେତେ ବିଚିତ୍ର ପ୍ରକୃତିର । କୌଣସି ଦୁଇଜଣ ନାରୀଙ୍କ ପ୍ରକୃତି ଏକ ନୁହେଁ । ଏପରିକି କୌଣସି ଜଣେ ନାରୀଙ୍କର ପ୍ରକୃତି ସବୁବେଳେ ସମାନ ନୁହେଁ । ସକାଳ-ସନ୍ଧ୍ୟାରେ ଶାଢ଼ିର ରଙ୍ଗ ବଦଳାଯାଏ କାହିଁକି ଜାଣ ? –ମନର ରଙ୍ଗ ବଦଳେ । ଏହି ଆଶ୍ଚର୍ଯ୍ୟ ପ୍ରାଣୀକୁ ନେଇ ବଞ୍ଚିବାକୁ ହେଲେ ସାତ-ସାତଟା ରଙ୍ଗପାଇଁ ଆଖିଥିବା ଦରକାର । ଯେଉଁମାନେ ରଙ୍ଗକଣା, ସେମାନଙ୍କର ଉଚିତ ନୁହେଁ ବେଶି ବୟସ ପର୍ଯ୍ୟନ୍ତ ଅବିବାହିତ ରହିବା । ବିଶ୍ଵଜିତ୍‌ଙ୍କର ବାପା ତାଙ୍କୁ ବାହା ନ ଦେଇ ବିଲାତ ପଠାଇଥିଲେ ଏହି ଭରସାରେ ଯେ ବିଶ୍ୱଜିତ୍‌ଙ୍କର ନୀତିବୋଧ ନିର୍ଭରଯୋଗ୍ୟ । ସେ ଜାଣିନଥିଲେ ଯେ ସେହି ଧରଣର ପୁରୁଷମାନେ ମରନ୍ତି ସବା ଆଗରେ । ସ୍ତ୍ରୀଲୋକମାନଙ୍କୁ ସେମାନେ ଚିହ୍ନିପାରନ୍ତିନି; ଭୁଲ୍ କରନ୍ତି । ଭୁଲ୍‍ର ମାହାଶୁଲ ମୃତ୍ୟୁ ।

 

ବିଶ୍ଵଜିତ୍‌ଙ୍କର ଧାରଣା ଥିଲା ସେଇସବୁ ସ୍ତ୍ରୀଲୋକ ହିଁ ଭଲ, ଯେଉଁମାନେ ପୁରୁଷଙ୍କ ସାଙ୍ଗରେ ମିଶନ୍ତି ନାହିଁ । ଯେଉଁମାନେ ପୁରୁଷଙ୍କ ସଙ୍ଗେରେ ମିଶନ୍ତି, ସେମାନେ ଖରାପ । ଯେଉଁମାନେ ଯେତେ ବେଶି ମିଶନ୍ତି, ସମାନେ ସେତେ ବେଶି ଖରାପ । ତାଙ୍କ ଘରେ ସେମାନେ କଡ଼ା ପର୍ଦ୍ଦା‌ ମାନୁଥିଲେ । ଘରର ସ୍ତ୍ରୀଲୋକମାନଙ୍କ ବିଷୟରେ ସେମାନେ ଥିଲେ ପୂରାପୂରି ରକ୍ଷଣଶୀଳ; ଅଥଚ ବାଇନାଚ ନ ହେଲେ ତାଙ୍କ ଘରର କୌଣସି ଉତ୍ସବ ପୂର୍ତ୍ତିଙ୍ଗ ହେଉନଥିଲା । ଧଳା ଆଉ କଳା, ଭଲ ଆଉ ମନ୍ଦ, ଏହା ବାହାରେ ଯେ ଆଉ କୌଣସି ରଙ୍ଗ ବା ରୀତି ରହିପାରେ, ବିଶ୍ୱଜିତ୍‌ଙ୍କର ସେ ଶିକ୍ଷା ହୋଇନଥିଲା ଦେଶରେ ଥାଉ ଥାଉ । ବିଦେଶକୁ ଯାଇ ହୋଇପାରିଥାନ୍ତା; କିନ୍ତୁ ସେହି ଯେ କହିଲି-ସେପରି କେହିନଥିଲା ଯେ ଶିଖେଇବ ।

 

ବିଶ୍ଵଜିତ୍‌ ପାପକବଳରୁ ରକ୍ଷାପାଇଥିଲେ ତା’ ଠିକ୍ । ତିନିବର୍ଷ ବିଲାତରେ କଟେଇ ମଧ୍ୟ ସେ ମହିଳାମାନଙ୍କ ସାଙ୍ଗରେ ଖେଳିନାହାନ୍ତି, ନାଚିନାହାନ୍ତି, ଅନ୍ୟାନ୍ୟ ପୁରୁଷଙ୍କ ଆଢ଼ୁଆଳରେ କଥା କହିନାହାନ୍ତି । ମହିଳାମାନେ ପର୍ଦ୍ଦା ମାନନ୍ତିନି ବୋଲି ସେ ନିଜେ ଏକପ୍ରକାର ପର୍ଦ୍ଦା ମାନୁଥିଲେ । ସ୍ତ୍ରୀଲୋକମାନଙ୍କ ସାମନାକୁ ସାଧାରଣତଃ ବାହାରୁନଥିଲେ, ଟ୍ରାମ ବସ୍‌ ବା ଟିଉବ୍ ଟ୍ରେନରେ ଦେହକୁ ଦେହ ଲଗେଇ ବସୁ ନ ଥିଲେ, ଠିଆ ହେଉନଥିଲେ । ତାଙ୍କର କେତେଜଣ ଭକ୍ତ ଥିଲେ–ଯେମିତ ଘୋଷାଲ୍ । ସେମାନଙ୍କର କାହାରି ସାଙ୍ଗରେ ତରୁଣୀ ବାନ୍ଧବୀ ଦେଖିଲେ ସେ ତାକୁ ବୟକଟ୍ କରୁଥିଲେ । ଶେଷ ପର୍ଯ୍ୟନ୍ତ ତାଙ୍କର ଏହି ଏକମାତ୍ର ଭକ୍ତ ହିଁ ଅବଶିଷ୍ଟ ଥିଲା ଏବଂ ସେ ମଧ୍ୟ ଜଣେ ଭଣ୍ଡ । ମାଫ୍‌କର, ଘୋଷାଲ୍ ! ନ ହେଲେ ହାଟ ମଝିରେ ହାଣ୍ଡି ବାଡ଼େଇଦେବି ।

 

ଦେଶକୁ ଫେରି ବିଶ୍ଵଜିତ୍‌ ବାହା ହୋଇଥିଲେ ଚଳିଥାନ୍ତା; କିନ୍ତୁ ତାଙ୍କର ଏକ ଧନୁର୍ଭଙ୍ଗ ପଣ ଥିଲା । ଯେତେଦିନ ପର୍ଯ୍ୟନ୍ତ ସେ ନିଜ ପଇସାରେ ମଟର ନ କିଣିଛନ୍ତି, ସେତେଦିନ ସେ ନିଜକୁ ଶ୍ଵଶୁରକୁଳର ସମକକ୍ଷ ବିଚାରିବେନି; ସମକକ୍ଷ ନ ହୋଇ ପାଣି ଗ୍ରହଣ କରିବେନି । ସେ ଫରେଷ୍ଟ ସର୍ଭିସରେ ଯୋଗଦେଇ ଆସାମରେ ଚାକିରି ନେଲେ । ଚାକିରି ଆରମ୍ଭରୁ ଯେ ଦରମା ମିଳେ, ସେଥିରେ ମଧ୍ୟରେ କିଣିବା ପ୍ରଶ୍ନ ଉଠେନା । ବାହାଘର ପ୍ରସ୍ତାବ ଆସିଲେ ସେ ମଟର ଅଭାବ ଦର୍ଶେଇ ସେ ପ୍ରସ୍ତାବ ଭାଙ୍ଗିଦିଅନ୍ତି । ଅବଶ୍ୟ ଯେଉଁମାନେ ଝିଅ ଦେବାକୁ ଚାହାଁନ୍ତି, ସେମାନେ ମଟର ଦେବାକୁ ମଧ୍ୟ ରାଜି । କିନ୍ତୁ ତା’ହେଲେ ସମକକ୍ଷତାର ଗୌରବ ରହେନାଁ ।

 

ଶିକାର ସଉକ ତାଙ୍କର ପିଲାଦିନରୁ ଥିଲା । ଫରେଷ୍ଟ ଅଫିସର ହୋଇ ସେଟା ହୋଇଉଠିଲା ଏକମାତ୍ର ସଉକ । ବନଜଙ୍ଗଲ ପରିଦର୍ଶନ କରିବାକୁ ଯାଇ ସେ ଶିକାର କରି ବୁଲୁଥିଲେ ମାସକ ଭିତରେ ପନ୍ଦର କୋଡ଼ିଏ ଦିନ । ଯେତେପ୍ରକାର ଜଙ୍ଗଲ ଜୀବଜନ୍ତୁ ତାଙ୍କ ଖାପଚାରେ ପଡ଼ୁଥିଲେ, ସେମାନଙ୍କର ସହଜରେ ପରିତ୍ରାଣ ନ ଥିଲା । ନିଜେ ମଧ୍ୟ ବିପଦରେ ପଡ଼ୁଥିଲେ କେବେ କେବେ । ତାଙ୍କୁ ଦେଖିଲେ ମନେହେଉନଥିଲା ଯେ ସେ ଠିକ୍ ସାମାଜିକ ମଣିଷ; ଅଥଚ ଲୋକ ଅତି ଅମାୟିକ । ଶତ୍ରୁ କହିଲେ ସେପରି କେହିନଥିଲା ତାଙ୍କର । କାହାକୁ ମାଂସ, କାହାକୁ ଚମଡ଼ା, କାହାକୁ ଶିଙ୍ଗ ଉପହାର ଦେଇ ସେ ସମସ୍ତଙ୍କୁ ଖୁସି ରଖିଥିଲେ ।

 

ଏପରି ସମୟରେ ସେଠାକୁ ଶିକାର ସନ୍ଧାନରେ ଆସିଲେ ହାଇଦରାବାଦର ଏକ ସାମନ୍ତ ରାଜା ଓ ତାଙ୍କର ରାଣୀ । ଏମାନେ କିଛିଦିନ ଆଗରୁ ଶିଲଂରେ ବାସ କରୁଥିଲେ । ଇଉରୋପରେ ଏମାନେ ପଢ଼ାପଢ଼ି କରିଛନ୍ତି, ଇଉରୋପର ପ୍ରାକୃତିକ ଦୃଶ୍ୟ ଏମାନଙ୍କୁ ଭଲ ଲାଗୁଥିଲା । ସେ ଦୃଷ୍ଟିରୁ ଶିଲଂ ଭାରତରେ ଅଦ୍ୱିତୀୟ । ଶିକାର ଉପଲକ୍ଷ୍ୟେ ଏମାନେ ମଝିରେ ମଝିରେ ବନଜଙ୍ଗଲରେ ବୁଲନ୍ତି, ଫରେଷ୍ଟ ବଙ୍ଗଳାରେ ରହନ୍ତି । ଫରେଷ୍ଟ ଅଫିସରମାନଙ୍କର ସାହାଯ୍ୟ ନିଅନ୍ତି । ଅଫିସରମାନେ ମଧ୍ୟ ଏମାନଙ୍କର ସଙ୍ଗ ପାଇ କୃତାର୍ଥ ବୋଧ କରନ୍ତି । ହାଇଦରାବାଦର ସାମନ୍ତ ରାଜାମାନଙ୍କର ଧନର ପ୍ରସିଦ୍ଧି ଅଛି । ଅଫିସରମାନଙ୍କ କୃତଜ୍ଞତା ଜଣାଇବାକୁ ଯାଇ ଏମାନେ ବେକରୁ ମଣିମୁକ୍ତାର ହାର ଖୋଲିଦିଅନ୍ତି । ଯେଉଁମାନେ ନିଅନ୍ତି ନାହିଁ, ସେମାନେ ମଧ୍ୟ ମୁଗ୍‌ଧ ହୁଅନ୍ତି ।

 

ବିଶ୍ୱଜିତ୍ ନେଲେ ନାହିଁ, କିନ୍ତୁ ମୁଗ୍‌ଧ ହେଲେ । ରାଜା-ରାଣୀ ଦୁହେଁ ତାଙ୍କୁ ସନିର୍ବନ୍ଧ ନିମନ୍ତ୍ରଣ କଲେ, ସେ ଯେପରି, ଶିଲଂରେ ତାଙ୍କର ଅତିଥି ହୁଅନ୍ତି । ବିଶ୍ୱଜିତ୍ କେତେଥର “ନାଁ, ନାଁ, ସେ କ’ଣ ଗୋଟେ କଥା’’ ଇତ୍ୟାଦି କହିବାପରେ କେଜାଣି କିପରି ଥରେ ‘ହଉ’ କହିପକାଇଲେ । ଲୋକଟି ସତ୍ୟନିଷ୍ଠ । ‘ହଉ’ ଯେତେବେଳେ କହିଛନ୍ତି, ସେତେବେଳେ ଶିଲଂ ତାଙ୍କୁ ଯିବାକୁ ହିଁ ପଡ଼ିବ, ଛୁଟି ତାଙ୍କୁ ନେବାକୁ ହିଁ ପଡ଼ିବ, ରାଜା-ରାଜୁଡ଼ାଙ୍କର ଅତିଥି ତାଙ୍କୁ ହେବାକୁ ହିଁ ପଡ଼ିବ; ଯଦିଚ ସେ ସେମାନଙ୍କର ସମକକ୍ଷ ନୁହନ୍ତି । ସେମାନେ ତାଙ୍କୁ କ୍ଲବ୍‌କୁ ନେଇ ବଡ଼ବଡ଼ିଆଙ୍କ ସାଙ୍ଗରେ ପରିଚୟ କରାଇଦେଲେ, ଗଭର୍ଣ୍ଣମେଣ୍ଟ ହାଉସ୍‌କୁ ନେଇଗଲେ କଲ୍ କରିବା ପାଇଁ । ସେମାନେ ୟାଙ୍କର ପରିଚୟ ଦେଲେ ଏହା କହି ଯେ ବାଘଭାଲୁଙ୍କର ଏଡ଼େବଡ଼ ଶତ୍ରୁ ଆସାମ ପ୍ରଦେଶରେ ଆଉ ନାହାନ୍ତି । ଏହା ଫଳରେ ଲାଟସାହେବଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ତାଙ୍କୁ ଧରିବସିଲେ ତାଙ୍କ ପାଇଁ ଯେପରି ଶିକାର ବ୍ୟବସ୍ଥା କରାହୁଏ ।

 

ବିଶ୍ୱଜିତ୍ ଯେତେବେଳେ ଶିଲଂଠାରୁ ଫେରିଲେ, ସେତେବେଳକୁ ତାଙ୍କ ଅନ୍ତରରେ ଝଡ଼ର ତାଣ୍ଡବ । ଏକ ଏକ ସମୟରେ ତାଙ୍କର ମନେହୁଏ, କାମଟା ସେ ଭଲ କଲେନାହିଁ । ରାଜ-ଅତିଥି ହେବାପରି ଯୋଗ୍ୟତା ତାଙ୍କର ନାହିଁ । ତା’ପର ମନେହେଉଛି, ଯାହା କହ ପଛକେ, ଏପରି ସୌଭାଗ୍ୟ ଆଉ କୌଣସି ଫରେଷ୍ଟ ଅଫିସରଙ୍କର ହୋଇନି । ଲାଟ୍‌ସାହେବଙ୍କର ପ୍ରାଇଭେଟ୍‌ ସେକ୍ରେଟେରୀଙ୍କୁ ଦୁଇଟା ଖଣ୍ଡେ ବାଘ ମରାଇ ଦେଇପାରିଲେ ସ୍ଵୟଂ ଲାଟ୍‌ସାହେବ ଆସି ହାଜର ହେବେ । ତା’ପରେ ପ୍ରମୋସନ ରୋକେ କିଏ ?

 

ପ୍ରାଇଭେଟ୍ ସେକ୍ରେଟେରୀ ନିଜେ ଆସିପାରିଲେ ନାହିଁ, ଆସିଲେ ତାଙ୍କର ମେମ୍ ସାହେବ । ଆଉ କିଏ ଆସିଲେ ଶୁଣିବ ? ରାଣୀ ସାହେବା । ଏଥର ରାଜା ସାହେବ ଅନ୍ୟ କାମରେ ବ୍ୟାପୃତ ଥିଲେ । ଦୁଇ ମହିଳାଙ୍କର ପାର୍ଶ୍ଵଚର ହେଲେ ବିଶ୍ୱଜିତ୍ । ତାଙ୍କ ମୁଣ୍ଡଟା ଗଲା ବୁଲି । ଯଦିଚ ସେ ସେମାନଙ୍କର ସମକକ୍ଷ ନୁହନ୍ତି, ତେବେ ମଧ୍ୟ ସେ ହିଁ ଏକମାତ୍ର ଅଫିସର, ଯାହାଙ୍କୁ ସେମାନେ ଏହି ସମ୍ମାନର ଉପଯୁକ୍ତ ବିବେଚନା କରିଛନ୍ତି । ବିଦାୟ-କାଳରେ ଦି’ଜଣଯାକ ତାଙ୍କର ଗଗନସ୍ପର୍ଶୀ ପ୍ରଶଂସା କଲେ । ରାଣୀ ତ ସିଧାସଳଖ କହିବସିଲେ, “ଆଉ କାହାରି ସାଙ୍ଗରେ ଶିକାର କରି ମୁଁ ଏପରି ଆନନ୍ଦ ପାଇନି । ଯେତେଦିନ ଆସାମରେ ଅଛି, ସେତେଦିନ ଆଉ କାହା ସାଙ୍ଗରେ ଶିକାର କରିବି ବୋଲି ମନେହୁଏନା ।”

 

ଏସବୁ ହେଲା ସାମାଜିକତାର ଅଙ୍ଗ, କିନ୍ତୁ ବିଶ୍ୱଜିତ୍ ଲୋକଟା ଅସାମାଜିକ ତଥା ସତ୍ୟନିଷ୍ଠ । ସେଥିପାଇଁ ଅକ୍ଷରେ ଅକ୍ଷରେ ବିଶ୍ଵାସ କଲେ । ସେ ବୋଧହୁଏ ଆଶା କରିଥିଲେ ।

 

ଏହାପରେ ଲାଟ୍‌ସାହେବ ଆସିବେ ଅରଣ୍ୟ-ବିହାରରେ । ସେପରି କୌଣସି ଖବର କିନ୍ତୁ ଆସିଲାନି । କିଛିଦିନ ଆନମନା ରହି ସେ ଏକୁଟିଆ ବାହାରିପଡ଼ିଲେ ସଫର କରିବାକୁ । ମାସେକାଳ ତମ୍ବୁ କାନ୍ଧେଇ ସେ ନାନା ଦୁର୍ଗମ ସ୍ଥାନ ବୁଲିଲେ । ତା’ପରେ ସଦରକୁ ଫେରି କାବା ହୋଇଗଲେ ଯେତେବେଳେ ଦେଖିଲେ ରାଣୀ ତାଙ୍କ ପାଇଁ ସରକିଟ୍ ହାଉସରେ ଅପେକ୍ଷା କରୁଛନ୍ତି-। ଏଥର ମଧ୍ୟ ରାଜା ସମୟ ପାଇନାହାନ୍ତି । କୌଣସି ମହିଳା ମଧ୍ୟ ନାହାନ୍ତି ତାଙ୍କ ସାଙ୍ଗରେ, ଅବଶ୍ୟ ପରିଚାରିକା ଛଡ଼ା ।

 

ଏହା ଏକ ପରୀକ୍ଷା । ବିଶ୍ୱଜିତ୍ ପ୍ରଶ୍ନପତ୍ରର ଉତ୍ତର ଖୋଜି ପାଇଲେ ନାହିଁ । ଦରମା ଟଙ୍କା ଉଠାଇ, ବିଲ୍‌ ମେଣ୍ଟାଇ, ଜମିଉଠିଥିବା ଫାଇଲ୍ ସଫା କରି ଦିନ ଗୋଟିଏ ଦିଇଟା ଭିତରେ ପୁଣି ରମାନା ହେଲେ ରାଣୀଙ୍କ ସଙ୍ଗୀ ହୋଇ । ଖୁବ୍ ଯେ ତାଙ୍କୁ ଭଲ-ଲାଗୁଥିଲା, ତାହା ନୁହେଁ । ଏକେ କ୍ଳାନ୍ତ, ତା’ପରେ ସଂଦିଗ୍‌ଧ । ଯେ ମହିଳା ପରପୁରୁଷ ସାଙ୍ଗରେ ଶିକାରକୁ ଯାଏ, ସେ କ’ଣ ଶୁଦ୍ଧ ? ସେ କ’ଣ ନିଷ୍ପାପ ? ଇଏ କି ଭୀଷଣ ପରୀକ୍ଷା ତାଙ୍କ ଜୀବନରେ ? ଏହାପରେ କିଏ ସହଜରେ ବିଶ୍ଵାସ କରିବ ଯେ ସେ ନିଜେ ଅପାପବିଦ୍ଧ ! ରାଣୀଙ୍କୁ ‘ନାଁ’ କହିବା ପରି ମନର ଜୋର୍ ତାଙ୍କର ନ ଥିଲା । କହିପାରିଲେ ନାହିଁ ଯେ ପରସ୍ତ୍ରୀଙ୍କ ସାଙ୍ଗରେ ଶିକାରକୁ ଯିବା ତାଙ୍କର ବିବେକ-ବିରୁଦ୍ଧ; କିମ୍ବା ତାଙ୍କର ଦେହ ଭଲ ନାହିଁ, ଅଣ୍ଟା ଦରଜ, ଡାକ୍ତର ବିଶ୍ରାମ ନେବାକୁ କହିଛନ୍ତି-ଅଥଚ ସର୍ବଦା ନିଜକୁ ଅଶୁଚି ବୋଧକଲେ, ଅପରାଧୀ ବୋଧକଲେ ।

 

ରାଣୀ ବିଲାତରେ ପଢ଼ାଶୁଣା କରିଥିଲେ, ପୁରୁଷମାନଙ୍କ ସାଙ୍ଗରେ ମିଳାମିଶାରେ ଅଭ୍ୟସ୍ତ । ବିଶ୍ୱଜିତ୍ ବିଲାତରେ ଥିଲେ ଶୁଣି ସେ ତାଙ୍କୁ ନିଜ ସେଟ୍‌ର ଜଣେ ବୋଲି ଧରିନେଇଥିଲେ-। ଅନ୍ତରଙ୍ଗତା ଛଳରେ କେତେବେଳେ କହନ୍ତି, ‘ଡିଅର’ କ୍ୱଚିତ୍ ‘ଡାର୍ଲିଂ’ । ଏସବୁ ମୁହଁକଥା, ମନକଥା ନୁହେଁ; କିନ୍ତୁ ବିଶ୍ୱଜିତ୍‌ଙ୍କର ତ ଅଭିଜ୍ଞତା ନାହିଁ । ସେ ଭାବିଲେ ଏସବୁ ମନକଥା-। ରାଣୀ କ’ଣ ତା’ହେଲେ ତାଙ୍କ ପ୍ରେମରେ ପଡ଼ିଛନ୍ତି ? ଏକଥା କ’ଣ କେବେ ସମ୍ଭବ ? ତାଙ୍କପରି ସାମାନ୍ୟ ଲୋକଙ୍କ ସାଙ୍ଗରେ ପ୍ରେମ ? ଭାବନାରେ ପଡ଼ିଲେ ବିଶ୍ୱଜିତ୍ । ସେଆଡ଼େ ପୁଣି ପ୍ରେମ କଥାଟି ଉପରେ ତାଙ୍କର ବିରାଗ ଥାଏ । ଜିନିଷଟା ଭଲ ନୁହେଁ । ଯାହା ସାଙ୍ଗରେ ଯାହାର ବାହା ହୋଇନି, ତାହା ସାଙ୍ଗରେ ପ୍ରେମ ତ ରୀତିମତ ପାପ । ବିଶ୍ୱଜିତ୍‌ଙ୍କୁ ଏ ପାପହାତରୁ ରକ୍ଷାକରିବ କିଏ-?

 

ଏଥର ଶିକାରରୁ ସେ ଯେତେବେଳେ ଫେରିଲେ । ସେତେବେଳେ ତାଙ୍କ ଅନ୍ତରରେ ସାଗରମନ୍ଥନ ପରି ଗୋଟିଏ ଘଟଣା ଘଟୁଥାଏ । ସେ ମଧ୍ୟ ପ୍ରେମରେ ପଡ଼ିଗଲା କି ? ପରସ୍ତ୍ରୀ ସାଙ୍ଗରେ ପ୍ରେମ ! ଏହାଠାରୁ ମରଣ ଶ୍ରେୟଃ । ରାଣୀ ଚାଲିଗଲେ ବହୁ-ସଂଖ୍ୟାରେ ଜୀବଜନ୍ତୁ ମାରି-। ଜାଣିପାରିଲେ ନାହିଁ ସେ ଆଉ ଗୋଟିଏ ପ୍ରାଣୀକୁ ମଧ୍ୟ ମାରି ରଖିଗଲେ । ଏପରି ଆଲୋଡ଼ନ ସେ ଆଗରୁ ଆଉ କେବେହେଲେ ଅନୁଭବ କରିନଥିଲେ । ତାଙ୍କର ତିଳେହେଲେ ସନ୍ଦେହ ନ ଥିଲା ଯେ ସ୍ତ୍ରୀଲୋକଟି ଖରାପ; କିନ୍ତୁ ସେ ନିଜେ କେଉଁ ଭଲ ? କିପରି ସେ ତାଙ୍କର ଭାବି ସ୍ତ୍ରୀଙ୍କୁ ବୁଝାଇବେ ସେ ତାଙ୍କ ହୃଦୟରେ ଲେଶମାତ୍ର ଅନୁରାଗ ଜନ୍ମିନି । ନିଜ ଉପରେ ତାଙ୍କର ଯେ ଅଚଳ ବିଶ୍ଵାସ ଥିଲା, ଯେପରିକି ସେଇଟା ଟିକିଏ ଚହଲିଲା । ସେ କ’ଣ ସତକୁସତ ସଚ୍ଚରିତ୍ର, ନାଁ ସେ ମଧ୍ୟ ବୁଡ଼ି ବୁଡ଼ି ପାଣି ପିଅନ୍ତି ? ତାଙ୍କର କ’ଣ ଉଚିତ୍ ନ ଥିଲା ରାଣୀଙ୍କ ସାଙ୍ଗରେ ସବୁ ସମ୍ପର୍କ ତ୍ୟାଗ କରିବା ? କିନ୍ତୁ ପାରିଲେ କାହିଁ ? ରାଣୀ ସେତେବେଳେ ଜାଣିବାକୁ ଚାହିଁଲେ, “ପୁଣି କେବେ ଶିଲଂ ଆସୁଛନ୍ତି କହନ୍ତୁ”, ସେ ଉତ୍ତର ଦେଲେ, “ଆପଣମାନଙ୍କର ଅସୁବିଧା ହେବ-।” ରାଣୀ କୌତୁକରେ କହିଲେ, “ଆମେ କ’ଣ ବାଘଭାଲୁ ଯେ ଆପଣଙ୍କ ଡରରେ ଆସାମ ଛାଡ଼ି ପଳେଇବୁ-? ଓୟେଲ, ଡିୟର ! ଡୁ କମ୍ ଜଷ୍ଟ୍ ଫର୍ ଏ ଡେ ।”

 

ଅଗତ୍ୟା ଦିନକ ପାଇଁ ବିଶ୍ଵଜିତ୍‌ଙ୍କର ଶିଲଂ ଯାତ୍ରା । ଦିନକ ଜାଗାରେ ତିନିଦିନ ହେଲା, ତେବେ ମଧ୍ୟ କେହି ଛାଡ଼ିବେନି । ରାଜା ଡାକନ୍ତି ଟେନିସ ଖେଳିବାକୁ, ରାଣୀ ନେଇଯାନ୍ତି ସମାଜରେ ପରିଚିତ କରାଇବା ପାଇଁ । ଯେ ଲୋକ କେବେହେଲେ ସ୍ତ୍ରୀ ଜାତି ସାଙ୍ଗରେ ମିଶି ନାହାଁନ୍ତି, ସେ ରାଣୀଙ୍କ ସାଙ୍ଗରେ ପାଖାପାଖି ଆସନରେ ବସି ରାଣୀଙ୍କ ମଟରଚାଳନା ଦେଖନ୍ତି ଓ ମଝିରେ ମଝିରେ ଷ୍ଟିଅରିଂ ଧରନ୍ତି । ଯେ ମଣିଷ କୌଣସି ଦିନ ବଡ଼ବଡ଼ିଆଙ୍କୁ ଖୁସାମତ୍ କରିନାହାନ୍ତି, ସେଦିନ ଦି’ପହରେ ସେକ୍ରେଟେରିଏଟ୍‌କୁ ଯାଇ ଛୁଟି ପାଇଁ ଦରଖାସ୍ତ କରି ଆସନ୍ତି । ଦିନ ପନ୍ଦରଟା ଛୁଟି ନ ହେଲେ ନୁହେଁ । ସେ ମଟରଚାଳନା ଶିଖୁଛନ୍ତି । କଥାଟା ସତ । ଯେପରି ସପ୍ତ ଅଶ୍ଵତ୍‌ଥାମା ହତ ଇତି ଗଜଃ; ଅଥଚ ଏହା ମିଥ୍ୟା । ଏପରି ମିଥ୍ୟା ଯେ କହିବାକୁ ଗଲେ ସାରା ମୁହଁ ଲାଲ ପଡ଼ିଯାଏ । ଛାତି ଧଡ଼ପଡ଼ କରେ । ଆଖି ଆପଣାଛାଏଁ ନତ ହୁଏ । ଡରମାଡ଼େ, ଧରାପଡ଼ିଯାଇଛନ୍ତି-

 

ସେପଟେ ତାଙ୍କ ବିବେକ ତାଙ୍କୁ ମୁହୂର୍ତ୍ତଟାଏ ଛୁଟି ଦିଏନା । ପନ୍ଦର ଦିନର ଛୁଟି ତ ଦୂରର କଥା । ସେ ମହିଳା ପରପୁରୁଷଙ୍କ ସାଙ୍ଗରେ ମଟର ବିହ୍ଲାର କରେ, ସେ କ’ଣ ଭଲ ମହିଳା-? କିନ୍ତୁ ଯେ ପୁରୁଷ ପରସ୍ତ୍ରୀଙ୍କ ସାଙ୍ଗରେ ମଟରରେ ବୁଲାବୁଲି କରେ, ସେ ବା କିପରି ପୁରୁଷ-! ଦିନେ ତ ସେ ବାହାହେବେ । ସେଦିନ କ’ଣ ତାଙ୍କ ସ୍ତ୍ରୀ ତାଙ୍କୁ ବିଶ୍ଵାସ କରିବେ ? ଭବିଷ୍ୟତ ପାଇଁ କି ଗଭୀର ଅଶାନ୍ତିର ଖନ୍ଦା ଖୋଲା ରଖୁଛନ୍ତି ସେ । ସମଗ୍ର ବିବାହିତ ଜୀବନଟା ହିଁ ସେ ଖନ୍ଦାରେ ପଡ଼ି ଚୁରମାର ହେବ, ଯଦି ସମୟ ଥାଉ ଥାଉ ବ୍ରେକ୍ ନ କଷେ । ପନ୍ଦର ଦିନ ଛୁଟି ନେଲେ ମଧ୍ୟ ସେ ପ୍ରତ୍ୟେକଦିନ ଉପାୟ ଖୋଜନ୍ତି ପଳେଇବାର; କିନ୍ତୁ ପାରନ୍ତିନି ପଳାଇବାକୁ । ବାହାରୁ ବାଧା ନାହିଁ, ପହରା ନାହିଁ । କେହି ତାଙ୍କୁ ଧରିରଖିବେନି । ଥରେ ମୁହଁ ଖୋଲି କହିଲେ ହେଲା, “ମୋର କାମ ପଡ଼ିରହିଛି । ମୋତେ ଯିବାକୁ ହେବ, ରାଣୀ !” କିନ୍ତୁ ସେ ଟିକକ କହିବା ପରି ଇଚ୍ଛାଶକ୍ତି ଲୋପ ପାଇଥିଲା । କେବେହେଲେ ସେ ମୁହଁରେ ଆଣିପାରନ୍ତିନି ସେ କଥା । ଫାଲ୍‌ତୁ କଥା, କହନ୍ତି-। ଭାବନ୍ତି, ମଟର ଚଳାଇବାର ଶିଖୁଛନ୍ତି । ଏଇଟା କ’ଣ ଗୋଟାଏ କାମ ନୁହେଁ-

 

ଅସଲ କାରଣଟା ତାଙ୍କ ଅବଚେତନ ମନଗହନରେ ନିହିତ ଥିଲା । ସେଠାରେ ତାଙ୍କ ଇଚ୍ଛାଶକ୍ତିକୁ ଅବଶ କରି ରଖିଥିଲା ମନ୍ତ୍ରଶକ୍ତି । ଖରାପ ସ୍ତ୍ରୀଲୋକ ଏହି ଦୁଇଟି ଶବ୍ଦର ଯେପରିକି ଗୋଟାଏ ମନ୍ତ୍ରଶକ୍ତି ଥିଲା । ଉଚ୍ଚାରଣ କଲେ ହିଁ ମନ୍ତ୍ରଶକ୍ତିର କ୍ରିୟା ଆରମ୍ଭ ହେଉଥିଲା । ମନେମନେ ଉଚ୍ଚାରଣ କଲେ ମଧ୍ୟ ନିସ୍ତାର ନାହିଁ । ଖରାପ ସ୍ତ୍ରୀଲୋକ, ଖରାପ ସ୍ତ୍ରୀଲୋକ ଜପ କରୁ କରୁ ବିଶ୍ୱଜିତ୍ ତାଙ୍କ ନିଜ ଅଜ୍ଞାତସାରରେ ମନ୍ତ୍ରମୁଗ୍ଧ ଭୁଜଙ୍ଗ ପରି ବଶ ହୋଇଥିଲେ । ଏଥିପାଇଁ ଦାୟୀ କିଏ ? ଦାୟୀ ତାଙ୍କର ସେହି ରଙ୍ଗକଣା ଆଖି; ସେ ଆଖି ଇନ୍ଦ୍ରଧନୁର ସାତଟା ରଙ୍ଗ ଦେଖେନା । ରଙ୍ଗ କହିଲେ ବୁଝେ ଧଳା ଆଉ କଳା । ଧଳା ନ ଦେଖିବାକୁ ପାଇଲେ କଳା ଦେଖେ ।

 

ସେ ସମୟରେ ବିଶ୍ୱଜିତ୍‌ଙ୍କର ଯଦି କୌଣସି ସୁହୃଦ ଥା’ନ୍ତେ, ତା’ହେଲେ ତାଙ୍କୁ ତାଙ୍କର ନିଜ ଭୁଲ୍‍ହାତରୁ ବଞ୍ଚାଇଥାଆନ୍ତେ । ନିଜ ଭୁଲ୍‍ହାତରୁ ବଞ୍ଚିଥିଲେ ପରେ ସେ ନିଜ ଗୁଳିହାତରୁ ମଧ୍ୟ ବଞ୍ଚନ୍ତେ । କିନ୍ତୁ ସେପରି କୌଣସି ସୁହୃଦ୍ ନ ଥିଲେ ତାଙ୍କର । ମୁଁ ହେଲେ କହିଥା’ନ୍ତି ଯାହାକୁ ତୁମେ ଖରାପ ସ୍ତ୍ରୀଲୋକ ଭାବୁଛ, ସେ ଖରାପ ନୁହନ୍ତି । ସେଟା ତୁମର ଆତ୍ମପ୍ରତାରଣା । ଖରାପ ସ୍ତ୍ରୀଲୋକ ଭାବି ତୁମେ ତାଙ୍କ ପାଖରେ ଯାହା ଆଶା କରୁଛ, କାମନା କରୁଛ, କୌଣସି ଦିନ ତା’ ପୂର୍ଣ୍ଣ ହେବନାହିଁ । ବିଶ୍ୱଜିତ୍ ଅବଶ୍ୟ ରାଗିଯା’ନ୍ତେ, ଅସ୍ଵୀକାର କରନ୍ତେ ଯେ ତାଙ୍କର କୌଣସି କାମନା ଅଛି; କିନ୍ତୁ ଅସ୍ଵୀକାର କଲେ ହେବ କ’ଣ ? ପୁରୁଷମାତ୍ରକେ ସମସ୍ତଙ୍କର ଅବଚେତନ ମନର ଗୁହାରେ ଯେ ସବୁ ଅନ୍ଧ କାମନା ନିହିତ ଅଛି, ଖରାପ ସ୍ତ୍ରୀଲୋକଙ୍କର ବାସନା ପାଇଲାମାତ୍ରକେ ସେଗୁଡ଼ିକ ଚରିତାର୍ଥତା ପାଇଁ ଫାନ୍ଦ ବସାନ୍ତି । ସେ ଯଦି ଖରାପ ସ୍ତ୍ରୀଲୋକ ନ ହୋଇଥାଏ, ତେବେ ନିଜ ଫାନ୍ଦରେ ନିଜକୁ ହିଁ ପଡ଼ିବାକୁ ହୁଏ । ସେତେବେଳେ ମରଣ ଅନିବାର୍ଯ୍ୟ, ଯଦି କେହି ବେଳ ଉଣ୍ଡି ଉଦ୍ଧାର ନ କରନ୍ତି ।

 

ଶିଲଂଠାରୁ ଫେରି ବିଶ୍ୱଜିତ୍ ସଫର୍ କରିବାକୁ ବାହାରିବେ, ଏପରି ସମୟରେ ଟେଲିଗ୍ରାମ ଆସିଲା ରାଣୀ ପୁଣି ଆସୁଛନ୍ତି । ଆତଙ୍କ ଓ ଉଲ୍ଲାସ ଦୁଇ ପରସ୍ପର ବିରୋଧୀ ଭାବ ତାଙ୍କ ହୃଦୟରେ ତାଣ୍ଡବ ଆରମ୍ଭ କରିଦେଲା । ଥରେ ସେ ପଳେଇବା କଥା ଭାବିଲେ-ପଳେଇଯାଇ ଜଙ୍ଗଲରେ ଲୁଚିରହିବେ । ଥରେ ଭାବିଲେ ପଳେଇଯିବା ତ କାପୁରୁଷଙ୍କର କାମ ବିପଦର ସମ୍ମୁଖୀନ ହେବା । ଥରେ ମନେକରନ୍ତି, ମିଥ୍ୟା କହିବାଟା ଏ କ୍ଷେତ୍ରରେ ସତ୍ୟ କହିବା । ପାଲଟା ଟେଲିଗ୍ରାମ କରିବା ଦରକାର, ମୁଁ ଅସୁସ୍ଥ । ଥରେ ଭାବିଲେ, ସାହସ ଥିଲେ ସତ୍ୟ କରିବା ଉଚିତ । ତୁମେ ଖରାପ ସ୍ତ୍ରୀଲୋକ, ମୁଁ ତୁମ ସାଙ୍ଗରେ ଶିକାରକୁ ଯିବି ନାହିଁ । ମୋ ସ୍ତ୍ରୀ ରାଗିବ, ଯେତେବେଳେ ବାହାଘର ପରେ ଶୁଣିବ ।

 

ପାଲଟା ଟେଲିଗ୍ରାମ୍ କରିବା ନୋହିଲା । ପଳାଇଯିବା ନୋହିଲା । ଷ୍ଟେସନକୁ ଯାଇ ରାଣୀଙ୍କୁ ଅଭ୍ୟର୍ଥନା କଲେ ଅନ୍ୟାନ୍ୟ ଅଫିସରଙ୍କ ସାଙ୍ଗରେ ବିଶ୍ୱଜିତ୍ । ଏଥର ସେ ସ୍ଥିର କରିଥିଲେ ଶିକାରକୁ ଯିବା ସମୟରେ ଆହୁରି ଜଣେ ଦୁଇଜଣ ଅଫିସରଙ୍କୁ ସାଙ୍ଗରେ ଧରି ଯିବେ । ସେମାନେ ମଧ୍ୟ ରାଜି ଥିଲେ; କିନ୍ତୁ ଯାତ୍ରାକାଳରେ ଦେଖାଗଲା କାହାର ପୁଅ ବେମାର, କାହାର ଝିଅ ବେମାର, କାହାର ସ୍ତ୍ରୀଙ୍କର ଦେହ ଭଲନାହିଁ । ଅର୍ଥାତ୍ ଗୃହିଣୀଙ୍କର ହୁକୁମ ନାହିଁ । କୌଣସି ମହିଳା ତାଙ୍କ ସ୍ଵାମୀଙ୍କୁ ବିଶ୍ଵାସ କରି ପରସ୍ତ୍ରୀଙ୍କ ସାଙ୍ଗରେ ଶିକାର କରିବାକୁ ଛାଡ଼ିବେ ନାହିଁ । ଅଗତ୍ୟା ବିଶ୍ଵଜିତଙ୍କର ଆଉ ସାଙ୍ଗ ଜୁଟିଲେନାହିଁ । ହାତୀ ପିଠିରେ ବସିବାକୁ ହେଲା ରାଣୀଙ୍କ ସାଙ୍ଗରେ ତା’କୁହିଁ । ପାଖାପାଖି ବସି ଅଙ୍ଗ ସୁରଭି ପା’ନ୍ତି । କେବଳ ସୁରଭି ନୁହେଁ, ପରଶ ମଧ୍ୟ । ସେପରି ଅବସ୍ଥାରେ ପଡ଼ିଲେ ମୁନିଋଷି-ମାନଙ୍କର ମଧ୍ୟ ମନ ଟଳେ । ବିଶ୍ଵାମିତ୍ର ମୁନି ହେଲେ ମଧ୍ୟ ବିଶ୍ୱଜିତ ମୁନିଙ୍କଠାରୁ ଜିତେନ୍ଦ୍ରିୟ ହୋଇନଥାନ୍ତେ, ଏକଥା ମୁଁ ବାଜିରଖି କହିପାରେ । ବିଶ୍ଵଜିତ ମୁନି ବହୁ କଷ୍ଟରେ ଆତ୍ମସମ୍ବରଣ କଲେ । ହାତୀ ପିଠିରେ ଚଢ଼ିଛ କେବେ ? ଚଢ଼ା ଉତାର କରିଛ ? ସେତେବେଳେ ପାଖରେ ବସିଥିବା ଲୋକଟିକୁ କୋଳମାଣ୍ଡି ବୋଲି ଭୁଲ୍ କରିବା ସ୍ଵାଭାବିକ । କେବେ ପଡ଼ିଯିବା ଡରରେ, କେବେ ଅଚାନକ ଧକ୍‌କା ଖାଇ, କେବେ ହାତୀର ଅଙ୍ଗଭଙ୍ଗି ସାଥିରେ ମେଳ ରଖି, ହଲି ଦୋହଲି ମଣିଷ ଯେ ମଣିଷ ଉପରେ କେତେଥର ଟଳିପଡ଼େ, ତା’ର ହିସାବ ନାହିଁ । ଏଥିପାଇଁ କେହି ଅବଶ୍ୟ ଲଜ୍ଜିତ ହୁଅନ୍ତିନାହିଁ । କ୍ଷମା ମାଗନ୍ତି ନାହିଁ । ଏହା ସ୍ଵାଭାବିକ ।

 

ହଲ ଘର ଓ ଖାଇବା ଘର ମଝିରେ କବାଟଗୁଡ଼ିକ ଆଉଜା ଥିଲା ବୋଲି ଆମ୍ଭେମାନେ ନିଶ୍ଚିତ ମନରେ ଗପ ଶୁଣୁଥିଲୁ । ହଠାତ୍ ମଣିମୋହନ କହିଉଠିଲେ “ସର୍ବନାଶ ! କ’ଣ-କବାଟଟା ମେଲା ହୋଇଛି ଯେ ।”

 

ଘୋଷାଲ ପାଦ ଚିପି ଚିପି ଗଲା କବାଟ ପାଖକୁ । ଦୌଡ଼ିଆସି କହିଲା- “ମହିଳାମାନଙ୍କୁ ବିଶ୍ୱାସ ନାହିଁ । ବିଶ୍ଵାସ ନୈବ କର୍ତ୍ତବ୍ୟ ।”

 

ଷଡ଼ଯନ୍ତ୍ର କଲାବେଳେ ସିଧା ଧରାପଡ଼ିଲେ ଯେପରି ଚେହେରା ହୁଏ, ଆମ ସମସ୍ତଙ୍କର ଚେହେରା ହେଲା ସେହିପରି । ମୁହଁରେ କଥା ନାହିଁ, ଆଖିରେ ପଲକ ନାହିଁ, ହାତ ଗ୍ଲାସ ହାତରେ, କେବଳ ଚୁରୁଟ ଧୂଆଁ ଉଠୁଥାଏ ଚିମିନି ଧୂଆଁ ପରି ଅନ୍ତରୀକ୍ଷ ଛାଇ । ତା’ହେଲେ ଅନ୍ତରାଳରୁ ସେମାନେ ସମସ୍ତ ଶୁଣିଛନ୍ତି ।

 

କାକୁସ୍ଥ ହୋଇ ଆମେ ଜଣ ଜଣ କରି ହଲଘରକୁ ଚାଲିଲୁ । ଆହୁରି ପୂର୍ବରୁ ଯିବା ଉଚିତ୍ ଥିଲା, ଡେରି ହେଇଯାଇଛି ବୋଲି କ୍ଷମା ପ୍ରାର୍ଥନା କଲୁ । କାହାଣୀଟାର ଖିଅ ହଜିଗଲା ବୋଲି ମନେ ମନେ ମୁଁ’ ମୁଣ୍ଡପିଟି ହେଲି । କିଏ ଜଣେ ହସିଉଠିଲେ, ସାଙ୍ଗେ ସାଙ୍ଗେ ହସର ରୋଳ ଉଠିଲା । ହାଲୁକା ହୋଇଗଲା ଘରର ବାତାବରଣ ।

 

“ବାସ୍ତବିକ, ମହିଳାମାନେ ନ ଶୁଣିଲେ ଗପି ଆରାମ ନାହିଁ ।” ବନେଇ ଚୁନେଇକହିଲେ ପ୍ରଦୋଷ । “ଏମାନେ କ’ଣ ଗପ ଶୁଣି ଜାଣନ୍ତି, ନାଁ ଭଲପାଆନ୍ତି । ସିଏ ଯାହାର ପାନାହାର ନେଇ ବ୍ୟସ୍ତ । ଶୁଣନ୍ତୁ ଆପଣମାନେ, ବାକିତକ କହି ଶେଷ କରେ । ମୋତେ ଆଉ ଠା’କୁ ଯିବାକୁ ହେବ ।

 

ଗପ ପୁଣି ଆରମ୍ଭ ହେଲା । ଆମ ମୁହଁ ହସ ମୁହଁରେ ମିଳେଇଗଲା । ଗପଟା ତ ହସ ଗପ ନୁହେଁ । ଆମେ ପ୍ରତ୍ୟେକେ ବୁଝିପାରିଥିଲୁ ଟ୍ରାଜେଡ଼ୀ ବୀଜ ବୁଣାହୋଇଛି | ଯା’ ହେବାର ତା’ ହେବ । ସେଥିପାଇଁ ଆମ୍ଭମାନଙ୍କ କାହାରି ମନରେ ସୁଖ ନ ଥିଲା ।

 

ପ୍ରଦୋଷ କହିବାକୁ ଲାଗିଲେ–

 

ଏତେ ବେଳଯାଏଁ ମୁଁ ଗପୁଥିଲି ବେପରୁଆ ଭାବରେ । ପୁରୁଷଙ୍କ କାହାଣୀ ପୁରୁଷ ଢଙ୍ଗରେ । ଏବେ ମୋତେ ଭବ୍ୟତାର ମୁଖା ପିନ୍ଧିବାକୁ ହେବ । ନହେଲେ ମହିଳାମାନେ ମନେକରିବେ ମୁଁ ସେମାନଙ୍କୁ ଉପରପଡ଼ା ହୋଇ ଅପମାନ କରୁଛି । ନାଁ,ନାଁ, ଆପଣମାନେ ତ ମୁହଁ ଖୋଲି କିଛି କହିବେନି, କିନ୍ତୁ ଗପ ମଝିରେ ଉଠି ଚାଲିଯିବେ । ଯାହାହେଉ ଉପାୟ ନାହିଁ; ଶେଷ କରିବାକୁ ହେବ ତ ।

 

ବିଚରା ବିଶ୍ଵଜିତ୍ ! ଆସନ୍ତୁ ଆମେ ସମସ୍ତେ ମିଶି ତା’ ପାଇଁ ଅଶ୍ରୁପାତ କରିବା । ଆମ ଆଖିର ଲୁହର ତର୍ପଣ ପାଇଲେ ତା’ ଆତ୍ମା ତୃପ୍ତ ହେବ । ବିଚାରା ବିଶ୍ଵଜିତ୍ ! ତା’ର ସବୁଥିଲା; କିନ୍ତୁ ଏପରି ଜଣେ ବନ୍ଧୁ ନ ଥିଲା ଯେ ତା’କୁ ସତ୍ ପରାମର୍ଶ ଦେଇ ରକ୍ଷା କରିପାରନ୍ତା । ମୁଁ ଥିଲେ କହନ୍ତି, ନିଆଁ ନେଇ ଖେଳିବାକୁ ଚାହଁ ! ଖେଳ; କିନ୍ତୁ ନିଆଁକୁ ଖରାପବୋଲି ଭୁଲ୍ କରନା । ଯେ ନାରୀ ଖରାପ ନୁହେଁ, ତାକୁ ଖରାପ ବୋଲି ଭାବିଲେ ବିପଦରେ ପଡ଼ିବ । ଏପରିକି, ଯେ ନାରୀ ସତକୁସତ ଖରାପ ତାକୁ ମଧ୍ୟ ଖରାପ ଭାବିଲେ ଠିକ୍ ନୁହେଁ । ଖରାପ ଭାବିଲେ ଖରାପ ଆଡ଼କୁ ମନ ଯିବ । କେବେହେଲେ ମନକୁ ଫେରାଇ ପାରିବନି । ଏପରିକି, ପଳାଇଯାଇ ମଧ୍ୟ ବଞ୍ଚି ପାରିବିନି । ବଞ୍ଚିବାକୁ ଯଦି ଚାହଁ ତା’ହେଲେ ଜପ, ଭଲ ନାରୀ, ସହଜ ନାରୀ, ସ୍ଵାଭାବିକ ନାରୀ । ତା’ହେଲେ ମନ୍ତ୍ର ଶକ୍ତି ଠିକ୍ ବାଟରେ ଚାଳନା କରିବ । ସେ ବାଟ ବଞ୍ଚିବାର ବାଟ ।

 

ସେ ଯେ ଆତ୍ମସମ୍ବରଣ କରିବାକୁ ଯାଇ ଦାରୁଣ କଷ୍ଟ ପାଉଥିଲା, ରାଣୀ ତାହା ଜାଣିନଥିଲେ, ଜାଣିଥିଲେ ଶିକାର ସଉକ ସମ୍ବରଣ କରି ବିଦାୟ ନେଇଥା’ନ୍ତେ । ତାଙ୍କର ଥିଲା ଶିକାର ନିଶା । ମନଲାଖି ଶିକାରୀ ସାଥୀ ପାଇଲେ ଏ ନିଶା ଯେପରି ମେଣ୍ଟିବାକୁ ଚାହେଁନା । ସେ ବୟସରେ ବଡ଼ । ତାଙ୍କର ଏପରି କୌଣସି ଅପୂର୍ଣ୍ଣ କାମନା ନ ଥିଲା, ଯେଉଁଥିପାଇଁ ବିଶ୍ଵଜିତ୍‌ଙ୍କୁ ତାଙ୍କର ପ୍ରୟୋଜନ । ସେ ମୂଳରୁ ଭାବି ପାରିନଥିଲେ ଯେ, ତାଙ୍କ ସାଙ୍ଗରେ ମିଳାମିଶା କରି ଜଣେ ବିଲାତ ଫେରନ୍ତା ସମ୍ଭ୍ରାନ୍ତ ଯୁବକ ଏତେଦୂର ବିଭ୍ରାନ୍ତ ହୋଇପାରେ । ଏକଥା ତାଙ୍କ ମନରେ ଉଦୟ ହୋଇନି ଯେ ସେ ଖରାପ ସ୍ତ୍ରୀ ଲୋକ ବୋଲି ସଙ୍ଗ ଦୋଷରେ ବିଶ୍ଵଜିତ୍ ମଧ୍ୟ ଖରାପ ଲୋକ ହୋଇଉଠୁଛି । ଯାହା ସମ୍ଭବ ନୁହେଁ ତାହାକୁହିଁ ସମ୍ଭବ ବୋଲି ଭାବି ସେ କଷ୍ଟ ପାଉଛି । ସେ ବିଶ୍ଵାସ କରୁଥିଲେ ନିଜେ ଭଲ ତ ଜଗତ ଭଲ । ତାଙ୍କ ସମ୍ବନ୍ଧରେ ଜଗତ କ’ଣ ଭାବୁଛି ସେ ବିଷୟରେ ତାଙ୍କର ଭ୍ରୂକ୍ଷେପ ନ ଥିଲା ।

 

ରାଣୀ ଯେ ରୂପବତୀ ଥିଲେ ସେ କଥା ବୋଧହୁଏ କହିବାକୁ ଭୁଲିଯାଇଛି । ଦାକ୍ଷିଣାତ୍ୟର ରୂପର ଆଦର୍ଶ ଉତ୍ତରାପଥ ସାଙ୍ଗରେ ମେଳ ଖାଏନା । ଆମ୍ଭେମାନେ ଯଦି ସଂସ୍କାରମୁକ୍ତ ହୋଇ ନିରୀକ୍ଷଣ କରୁ ତା’ହେଲେ ଦାକ୍ଷିଣାତ୍ୟର ରୂପ ଆମର ନୟନରୋଚକ ହେବ-। ଅଜନ୍ତାର ଗୁହାଚିତ୍ର କାହାର ମନୋହରଣ ନ କରେ ! ଦାକ୍ଷିଣାତ୍ୟକୁ ମୁଁ ଯେତେଥର ଯାଇଛି ଦକ୍ଷିଣୀ ନାରୀମାନଙ୍କର ରୂପ ମୋତେ ମୁଗ୍‌ଧ କରିଛି । ଆପଣମାନେ ସେପରି ଚଙ୍ଗ ଚଙ୍ଗ ହୁଅନ୍ତୁ ନାହିଁ । ବାହା ଯେତେବେଳେ ହେବି, ସେତେବେଳେ ବଙ୍ଗାଳୁଣୀ ହେବି । ଆପାତତଃ ଯେ କେତୋଟି ଦିନ ସ୍ଵାଧୀନ ଅଛି, ସେ କେତୋଟି ଦିନ ତୈଲଙ୍ଗ ଲଳନାମାନଙ୍କର ରୂପ ବନ୍ଦନା କରେ-। ଯେପରି କଳା ସେମାନଙ୍କର ବର୍ଣ୍ଣ, ସେପରି କଳା ସେମାନଙ୍କର କେଶ, ସେପରି କଳା ଆଖି, ଆଉ ସେପରି କଳା ସେମାନଙ୍କର ଆଖିର କଜଳ । ନାନା ବର୍ଣ୍ଣର ଫୁଲ ସେମାନଙ୍କର କେଶରେ, ନାନା ରଙ୍ଗର ଶାଢ଼ି, ସେମାନଙ୍କର ଅଙ୍ଗରେ, ନାନା ରଙ୍ଗର ମଣିମାଣିକ୍ୟ ସେମାନଙ୍କର ଆଭରଣରେ । କଳାକୁ ପରାସ୍ତ କରିବାପାଇଁ ଆଉ ସବୁ ରଙ୍ଗ ଯେପରି କି ଚକ୍ରାନ୍ତ କରିଛନ୍ତି-। ସେମାନଙ୍କୁ ଦେଖିଲେ ମନେହୁଏ ସେମାନେ ରଙ୍ଗିଣୀ । ଚିକ୍‌କଣ କଳା ବୋଲି କୃଷ୍ଣଙ୍କର ଯେ ବର୍ଣ୍ଣନା ଅଛି, ସେମାନଙ୍କର ସେହି ବର୍ଣ୍ଣନା । କୃଷ୍ଣଙ୍କ ପରି ଆଶ୍ଚର୍ଯ୍ୟ ସେମାନଙ୍କର ଆକର୍ଷଣ-। ଆମର ରାଣୀ ମହାଭାରତର କୃଷ୍ଣାଙ୍କ ପରି ରୂପସୀ । କେତୋଟି ବିଶେଷଣ ଏଣୁତେଣୁ ହୋଇ ମୋ ମନକୁ ଆସୁଛି । ଉତ୍ତପ୍ତ, ମଦିର, ମାୟାମୟ, ସୁଠାମ, ବିଲୋଳ ।

 

ଥାଉ, ଆଉ ନୁହେଁ । ରାଣୀ ଯଦି ଦେଖିବାକୁ ଖରାପ ହୁଅନ୍ତେ, ବିଶ୍ଵଜିତ୍‌ ଏତେଟା ଉଦ୍ଦୀପ୍ତ ହୁଅନ୍ତାନାହିଁ । ଖରାପ ନାରୀ ଯଦି ଦେଖିବାକୁ ସୁନ୍ଦର ହୁଏ, ସୁନ୍ଦରୀ ନାରୀର ସ୍ଵଭାବ ଯଦି ଖରାପ ହୁଏ, ତା’ହେଲେ ତାହାର ଯେ ସମ୍ମୋହନ ତା’ ଦୂରନ୍ତ ଘୋଡ଼ା ପରି ଦୁର୍ବାର । ବିଖ୍ୟାତ ଘୋଡ଼ାସବାର ବିଶ୍ୱଜିତ୍ କେତେ ଦୁରନ୍ତ ଅଶ୍ଵ ଆକର୍ଷଣରେ ଉଦ୍ଦାମ ହୋଇଛି । ସେ ସବୁ ଥିଲା ଫାଷ୍ଟ ହର୍ସ । ଆଉ ଇଏ ହେଲେ, ମହିଳାମାନେ ମାଫ୍ କରିବେ, ମୋ ବିଚାରରେ ନୁହେଁ, ବଶ୍ଵଜିତ୍ ବିଚାରରେ, ଫାଷ୍ଟ ଓମ୍ୟାନ । ୟାଙ୍କର ଆକର୍ଷଣ ପ୍ରଳୟଙ୍କରୀ ।

 

ଫରେଷ୍ଟ ବଙ୍ଗଳାରେ ଦୁଇଜଣଙ୍କର ଦୁଇଟି ଘର । ମଝିରେ ଖାଇବା ଘର ଦୁଇଜଣଙ୍କର ଇଜିମାଲି । ଖିଆପିଆ ପରେ ସେମାନେ ବାରଣ୍ଡାରେ ଆରାମଚୌକି ପକେଇଗପ କରନ୍ତି । ତା’ପର ଯିଏ ଯାହା କାମରାକୁ ଶୋଇବାକୁ ଯାଆନ୍ତି । ଗଳ୍ପ କରୁ କରୁ ବେଶ୍ ଟିକିଏ ରାତି ହୋଇଯାଏ । ରାଣୀ କହନ୍ତି, “ଓୟେଲ ଡିଅର, ମୁଁ ଆଉ ଚେଇଁ ରହିପାରୁନି । କାଲି ଖୁବ୍ ପାହାନ୍ତାରୁ ଉଠିବାକୁ ପଡ଼ିବ, ମନେ ରହେ ଯେମିତି ।’’ ବିଶ୍ଵଜିତ୍ କହେ “ବେୟାରକୁ କହି ରଖିଛି, ରାତି ଥାଉ ଥାଉ ଡାକିବ ।”’ ସେତେବେଳେ ରାଣୀ କହନ୍ତି, “ସୁନିଦ୍ରା ହେଉ, ସୁଖ ସ୍ଵପ୍ନ ଦେଖ ।”’ ବିଶ୍ଵଜିତ୍ କହେ, “ତୁମେ ମଧ୍ୟ ।” ରାଣୀ ହସି କହନ୍ତି, “ମୁଁ ? ମୁଁ ସ୍ଵପ୍ନ ଦେଖିବି ମୋର ନୂତନତମ ବାଘକୁ ।’’ ବିଶ୍ୱଜିତ ଥଙ୍ଗେଇ ଥଙ୍ଗେଇ କହେ, “ଆଉ ମୁଁ ? ମୁଁ ସ୍ଵପ୍ନ ଦେଖିବି ମୋର-” କଦାପି ତା’ ମୁହଁରୁ ବାହାରେ ନାଁ, “ବାଘୁଣୀକୁ ।” ତା’ପରେ ଚାଲିଯାଏ ନିଜ ବଖରାକୁ ।

 

ଶିକାର କରିବାକୁ ଯେଉଁମାନେ ଯାଆନ୍ତି, ସେମାନେ ଜାଣନ୍ତି ହୁଏତ ଦିନେ ବାଘହାତରେ ପ୍ରାଣଯିବ । ବିଶ୍ଵଜିତର ମଧ୍ୟ ସେ ଜ୍ଞାନ ଥିଲା । କିନ୍ତୁ ସେ ଖାତିର କରେନାଁ । ଏହା-ପରଠାରୁ ତା’ମନେ ହେବାକୁ ଲାଗିଲା, ବାଘ ହାତରେ ନୁହେଁ, ବାଘୁଣୀ ହାତରେ । ସେ ଖାତିର କଲା ନାହିଁ । ଜୀବନରେ ତାହାର ଏକ ଘଡ଼ିସନ୍ଧି ବୋଲି ଉପସ୍ଥିତ ହୋଇଥାଏ । ଭବିଷ୍ୟତ କଥା ସେ ଆଉ ଭାବିବାକୁ ଚାହେଁନା, ଭାବିବାକୁ ଚାହେଁ କେବଳ ବର୍ତ୍ତମାନ କଥା, ବର୍ତ୍ତମାନ ତା’ କର୍ତ୍ତବ୍ୟ କ’ଣ ? ସେ ସୁଯୋଗ ତା’ ହାତମୁଠା ଭିତରକୁ ଆସିଛି, ସେ ସୁଯୋଗ କ’ଣ ଛାଡ଼ିବା ଉଚିତ ? ନାଁ ଭୋଗ କରିବା ଉଚିତ ? ଭୋଗ କରିବାକୁ ଯାଇ ହୁଏତ ମୂଳରୁ ଆଉ ବାହାଘର ହେବନି । ଆଉ କାହାକୁ ବାହାହେବା ଅନ୍ୟାୟ ହେବ । ଅଥଚ ଭୋଗ ନକରି ଯଦି ହାତଛଡ଼ା କରେ, ତେବେ ଆସିଲା କାହିଁକି ଏ ସୁଯୋଗ ତା’ ଜୀବନରେ ? ଆସିଲା କାହିଁକି ? କିଏ କହିଥିଲା । ଆସିବାକୁ ? ସେ ତ ଶିଲଂଠାରୁ ଫେରିଲାବେଳକୁ ଆମନ୍ତ୍ରଣ ଜଣାଇନି । ପରିଷ୍କାର ଭାଷାରେ କହିଥିଲା, ଗୁଡ଼୍‌ବାଇ । ତା’ ସତ୍ତ୍ୱେ ଯଦି ଆସେ, ତେବେ କାହିଁକି ଆସେ ? ୟେ କ’ଣ ଖାଲି ଶିକାର ପାଇଁ ଆସିବା ?

 

ଖରାପ ନାରୀ, ସୁନ୍ଦରୀ ନାରୀ ! କାହିଁକି ତୁମେ ଆସ ! ସୁନ୍ଦରୀ ନାରୀ, ଖରାପ ନାହିଁ, କାହିଁକି ତୁମେ ରହ ! ବେଶ୍ ବୁଝିପାରୁଛି ବିବାହ ଏ ଜୀବନରେ ଘଟିବାର ନୁହେଁ । ଅଦୃଷ୍ଟରେ ନାହିଁ-। କେହି ମୋତେ ବାହାହେବାକୁ ଚାହିଁବେନି, ଯେତେବେଳେ ଶୁଣିବେ ମୋର କୀର୍ତ୍ତି କାହାଣୀ-। ମୋ ଭବିଷ୍ୟତ ମୁଁ ତୁମପାଇଁ ବିସର୍ଜନ ଦେଲି । ତୁମେ କ’ଣ ମୋତେ ନିରାଶ କରିବ-? ନିରାଶ କଲେ ମଧ୍ୟ ମୁଁ ମରିଛି, ନ କଲେ ମଧ୍ୟ ମରିଛି । ବାଘୁଣୀ ହାତରେ ମୋର ପ୍ରାଣ ଯିବ-। ତୁମେ ଯଦି ମୋତେ ଶିକାର କର ତା’ହେଲେ ମୋର ବଞ୍ଚି ରହିବା ମଧ୍ୟ ମରି ରହିବା ।

 

ଦିନେ ବିଶ୍ଵଜିତ ଆରାମ ଚୌକିରୁ ଓହ୍ଲାଇ ରାଣୀଙ୍କ କୋଳରେ ମୁଣ୍ଡରଖି ବାରଣ୍ଡା ଉପରେ ଗୋଡ଼ ଲମ୍ବେଇ ବସିଲା । ସେ ତାଙ୍କ ମୁଣ୍ଡ ଟିପି ଦେଉ ଦେଉ କହିଲେ, “ମୁଣ୍ଡ ଧରିଚି ? ପୁଅର ଡଲିଂ !”’ ସେ ତାଙ୍କର ଗୋଟିଏ ହାତ ନିଜ ହାତ ଭିତରକୁ ଟାଣିନେଲା । ତା’ପରେ କ’ଣ ମନେକରି ଛାଡ଼ିଦେଲା । ରାଣୀ ବୁଝିପାରିଲେ ଏ ବ୍ୟଥା ମୁଣ୍ଡ ବ୍ୟଥାନୁହେଁ । ଯୌବନ ବେଦନା । ଏପରି ଯେ ହେବ, ସେ କଳ୍ପନା କରିନଥିଲେ । ଅଥଚ ନ ହେବାଇ ବିଚିତ୍ର । ରାଣୀ ତାଙ୍କର ହାତ ଘୁଞ୍ଚାଇ ନେବାର ଚେଷ୍ଟା କଲେନାହିଁ, କାଳେ ବିଶ୍ଵଜିତ ଦୁଃଖ ପାଇବ । ନିଜର ସର୍ବନାଶ ନ କରି ବନ୍ଧୁଙ୍କୁ ଯେତେ ଟିକକ ସୁଖଦେବା ସମ୍ଭବ ସେ ଟିକକ ଦେବାକୁ ତାଙ୍କର ଅନିଚ୍ଛା ନ ଥିଲା । ତା’ଠାରୁ ବେଶି ସେ କିପରି ଦେବେ ? ବିଶ୍ଵଜିତ୍ ବାହା ହୋଇପଡ଼ୁନି କାହିଁକି ? ସେ କ’ଣ ବାଧା ଦେଉଛନ୍ତି-?

 

ଏସବୁ କଥା ଖୋଲାଖୋଲି କହି ପକାଇଥିଲେ ଭଲ କରନ୍ତେ ରାଣୀ; କିନ୍ତୁ ସ୍ତ୍ରୀଲୋକ ସୁଲଭ ଲଜ୍ଜା ତା’ଙ୍କୁ ନିର୍ବାକ୍ କରିଥିଲା । ଫଳରେ ବିଶ୍ଵଜିତ ଏକେ ଏକେ ଅନେକ କିଛି ପାଇଲା । ଏକାଦିନକେ ନୁହେଁ, ଅନେକ ଦିନରେ । ସବୁ ସୁଖ ଯେତେବେଳକେ ପାଇଛି, ସେତେବେଳେ ଚରମ ସୁଖ କାହିଁକ ବାକି ରହିବ ? ଏହା ହେଲା ତା’ର ଅନୁକ୍ତ ଜିଜ୍ଞାସା । ଏହାର ଜବାବରେ ପାଇଲା ଅନୁଚ୍ଚାରିତ ଉତ୍ତର । ତା’ ହେବାର ନୁହେଁ । ସେ ବିଶ୍ଵାସ କଲାନାହିଁ ଯେଉଁ ରାଣୀ ଆଉ ସବୁ ଦେଇଥାନ୍ତି ସେ ସେହି ଟିକକ ଦେଇପାରନ୍ତେନି । ଇଚ୍ଛାଥିଲେ ଉପାୟ ଆସେ । ଇଚ୍ଛାନାହିଁ, ସେ କଥା କହ । କିପରି ହେବ, ମୁଁ ତ ରାଜାରାଜୁଡ଼ା ନୁହେଁ । ଅସମକକ୍ଷ ।

ଏ କଥା ଶୁଣି ରାଣୀ କହିଲେ, “ତୁମେ ଯେତେବେଳେ ବାହାହେବ ସେତେବେଳେ ଆପଣାଛାଏଁ ବୁଝିବ ଯେ ତୁମ ଜିନିଷ ଆଉ କାହାରିକୁ ଦେଇନପାରନ୍ତି । ଏହା କେବଳ ସ୍ଵାମୀଙ୍କ ପାଇଁ ।”

ନିର୍ଭୁଲ ଉତ୍ତର । ବିଶ୍ୱଜିତ୍ ସ୍ତ୍ରୀ ଯଦି ଏ ଜିନିଷ ଆଉ କାହାରିକୁ ଦିଅନ୍ତି, ତେବେ ସେ ତାଙ୍କୁ ନିଜ ହାତରେ ଗୁଳି କରିବ । ଏ ଜିନିଷ ଦୂରେଥାଉ, କୌଣସି ଜିନିଷ ନୁହେଁ । ସେ ସ୍ଵୀକାର କଲା ଯେ ରାଣୀ ଯାହା କହିଛନ୍ତି ତା’ ଠିକ୍ । ଅଥଚ ତା’ ଶିରା ଶିରାରେ ଯେଉଁ ନିଆଁ ଜାଳୁଥିଲା ତାହାର ମଧ୍ୟ ନିର୍ବାଣ ଦରକାର । ସେତେବେଳକୁ ତା’ର ଏପରି ଅବସ୍ଥା ଯେ, ସେ ଆଉ ଆତ୍ମସମ୍ବରଣ କରିପାରୁନଥାଏ, ଯଦିଚ ଜାଣେ ଏବଂ ମାନେ ଯେ ଆତ୍ମସମ୍ବରଣ କରିବା ଉଚିତ୍ ।

ବିଶ୍ଵଜିତର ଅଭ୍ରାନ୍ତ ବିଶ୍ଵାସ ଯେ ସେ ନାରୀ ଖରାପ ନାରୀ । ସେ ନିଜେ ମଧ୍ୟ କିଛି କମ୍ ଖରାପ ନୁହେଁ । ତା’ହେଲେ ସେ ଦୁଇ ଜଣକର ସମ୍ପର୍କର ନ୍ୟାୟସଙ୍ଗତ ପରିଣତି କ’ଣ । ଯେଉଁଟା ନ୍ୟାୟଶାସ୍ତ୍ର କହେ ସେଇଆ ତ ହେବ । ନାଁ ଯେଉଁଟା ଧର୍ମଶାସ୍ତ୍ର, କହେ ସେଇଟା ।

 

ପ୍ରଜ୍ଜ୍ଵଳିତ ଅନଳରେ ଦଗ୍‌ଧ ହେଉ ହେଉ ଏପରି ଏକ ମୁହୂର୍ତ୍ତ ଆସିଲା, ଯେତେବେଳେ ନ ଭାବି ନ ଚିନ୍ତି ବିଶ୍ଵଜିତ୍ କହିଲା, “ରାଣୀ, କାଲି ମୁଁ ବାଘ ଶିକାର କରିବାକୁ ଯାଇ ନିଜକୁ ଗୁଳି କରିବି । ତୁମେ ସେ ଦୃଶ୍ୟ ସହି ପାରିବନି । ଲୋକେ ହୁଏତ ତୁମକୁ ଦୋଷ ଦେବେ । ସମୟ ଥାଉ ଥାଉ ତୁମେ ସଦରକୁ ଫେରିଯାଅ ।”

 

ରାଣୀ ଶୁଣି ସ୍ତମ୍ଭିତ ହେଲେ । କହିଲେ, “ତୁମେ କ’ଣ ବାଉଳା ହେଲ ! ଏତେ ତୁଚ୍ଛ କାରଣରେ କେହି ଆତ୍ମହତ୍ୟା କରେ ? ଚାଲ, ତୁମେ ମଧ୍ୟ ସଦରକୁ ଚାଲ । ତୁମକୁ ମୁଁ ଶିଲଂ ନେଇଯାଇ ତୁମ ମନ ପସନ୍ଦ ଗୋଟିଏ କନ୍ୟା ସାଙ୍ଗରେ ବାହା କରାଇବି ।’’

 

ବିଶ୍ୱଜିତ୍ ସେ କଥା କାନକୁ ନେଲାନାହଁ । ଅଲଟିମେଟମ ଦେଲା । ମୁଁ ଯାହା ଚାହେଁ ତାହା ଆଜି ରାତି ମଧ୍ୟରେ ପାଇବି । ନ ହେଲେ କୌଣସି ଦିନ ନୁହେଁ । କାତର ସ୍ଵରରେ କହିଲା, “ଏବେ ତୁମ ହାତରେ ମୋର ଜୀବନ ମରଣ ।”

 

ରାଣୀ ତା’ ମୁହଁଆଡ଼କୁ ଅନାଇ ପାରୁନଥିଲେ । ପାଦଆଡ଼କୁ ଅନାଇ ଆଖିରୁ ଲୁହ ବୁହାଇଲେ । ମୌନଂ ସମ୍ମତି ଲକ୍ଷଣଂ ମନେକରି ସେ ତାଙ୍କୁ ପାଖକୁ ଟାଣିନେଲା । ସେ କଇଁ କଇଁ ହୋଇ କହିଲେ, “ବନ୍ଧୁ, କ’ଣ ମୋର ସର୍ବନାଶ କରିବ । ଏଇଆ ତୁମ ମନରେ ଥିଲା । ବିଚଳିତ ହୋଇ ବିଶ୍ଵଜିତ୍ କହିଲା, “ରାଣୀ ! ମୁଁ କ’ଣ ତୁମର ସର୍ବନାଶ କରିପାରେ ? ଥରେ ଅନାଅ ମୋଆଡ଼କୁ । ମୋତେ ଦେଖି କ’ଣ ମନେହୁଏ ମୁଁ କାହାର ସର୍ବନାଶ କରିପାରେ ? ତୁମେ କାଲି ସଦରକୁ ଚାଲିଯିବ । ମୋ କପାଳରେ ଯାହା ଅଛି ତାହା ହେବ ।”

 

ରାଣୀ ତା’ ଛାତିରେ ମୁଣ୍ଡ ରଖି ବହୁ ସମୟ ପର୍ଯ୍ୟନ୍ତ କାନ୍ଦିଲେ । କିନ୍ତୁ କଦାପି ତା’ମୁହଁରୁ କୁହାଇ ପାରିଲେ ନାହିଁ ଯେ ସେ ମଧ୍ୟ ତାଙ୍କ ସାଙ୍ଗରେ ସଦରକୁ ଯିବ । ଦୁଇଜଣଙ୍କ ଭିତରେ ଜଣଙ୍କର ମଧ୍ୟ ଆଖିରେ ନିଦ ନଥିଲା । ଅବଶେଷରେ ବିଶ୍ଵଜିତ୍ କହିଲା, “ଯାଏ, ମୋତେ ରାତି ପାହାନ୍ତାରେ ଉଠିବାକୁ ହେବ, ଜୀବନର ଶେଷନିଦ ଶୋଇନିଏ ।”’

 

ରାଣୀ ତାହାର କପାଳ ଚୁମ୍ବନ କରି କହିଲେ, “କାଲି ମୁଁ ତୁମକୁ ଆଖିରେଆଖିରେ ରଖିବି । କେଉଁଠାକୁ ଯିବାକୁ ଦେବିନାହିଁ ।”

 

ତହିଁ ଆରଦିନ ରାତି ପାହାନ୍ତା ହେବା ପୂର୍ବରୁ ବିଶ୍ଵଜିତ ବାହାରିପଡ଼ିଲା ଜଙ୍ଗଲକୁ । ରାତିରେ ତା’ର ନିଦ ହୋଇନି । ସାରା ଅଙ୍ଗରେ ଯୌବନ ଜ୍ଵାଳା । ଶୀତଳ ଜଳ ଏତେ ପାଖରେ, ତେବେ ମଧ୍ୟ ଏତେ ଦୂରେ । ତେବେ କ’ଣ ଏହା ଜଳ ନୁହେଁ, ମରୀଚିକା ? ଖରାପ ନାରୀ, ସୁନ୍ଦରୀ ନାରୀ, ମୁଁ କ’ଣ ତୁମକୁ ଚିହ୍ନିପାରିନି ? ସୁନ୍ଦରୀ ନାରୀ, ଖରାପ ନାରୀ, ତୁମେ କ’ଣ ମୋତେ ଭୁଲ୍ ବୁଝିବାକୁ ଦେଇଥିଲ ? କିନ୍ତୁ ବଡ଼ ଡେରି ହୋଇଗଲଣି । ମୁଁ ଯାହା ମୁହଁରେ କହେ ତାହା କାମରେ କରେ । ତୁମେ ସେ ଦୃଶ୍ୟ ସହ୍ୟ କରିପାରିବନି । ବିଦାୟ ।

 

ରାଣୀ ତାଙ୍କର ପ୍ରସାଧନ ସାରି ବାହାରକୁ ଆସି ଶୁଣିଲେ ବିଶ୍ଵଜିତ୍ ରମାନା ହୋଇଯାଇଛି । ତାଙ୍କର ଚାହା ପିଇବା ସେତିକି । ସେ ହାତୀ ସନ୍ଧାନ କଲେ । ହାତୀ ଥିଲା ତାଙ୍କୁ ସଦରକୁ ନେବାପାଇଁ । ସେ ହୁକୁମ ଦେଲେ, ସଦରକୁ ନୁହେଁ, ସାହେବ ଯେଉଁ ବାଟରେ ଯାଇଛନ୍ତି ସେଇ ବାଟରେ ଚାଲ । ସେ ବାଟ କାହାକୁ ଜଣାନଥିଲା । ସାହେବ ତ କାହାକୁ କହି ଯାଇନାହାନ୍ତି । ବୁଲି ବୁଲି ରାଣୀଙ୍କର ଡେରି ହୋଇଗଲା । ଦୂରରୁ କାନକୁ ଆସିଲା ବନ୍ଧୁକର ଆବାଜ । ଦିଗ ନର୍ଣ୍ଣୟ କରି ସେ ହାତୀ ଦୌଡ଼ାଇ ଦେଲେ । ପହଞ୍ଚି ଦେଖିଲେ ଜୀବନଦୀପ ଲିଭିଯାଇଛି ।

 

ଏମିତି କରି ତା’ର ଯୌବନଜ୍ଵାଳାର ଅବସାନ ହେଲା । ବିଚାର ବିଶ୍ଵଜିତ୍ । ରାଣୀଙ୍କୁ ବଞ୍ଚାଇବା ପାଇଁ ସେ ଖଣ୍ଡେ ଚିଠି ଲେଖି ରଖି ଯାଇଥିଲା ତା’ କାମରାରେ । ଫେରିଆସି ରାଣୀ ସେଟା ଆବିଷ୍କାର କଲେ । ଜାଣେନା କ’ଣ ଥିଲା ସେ ଚିଠିରେ । ରାଣୀ ସେ ଖଣ୍ଡକ ଟିକି ଟିକି କରି ଛିଣ୍ଡାଇ ନଆଁରେ ଫିଙ୍ଗିଦେଲେ ।

 

ପ୍ରଦୋଷଙ୍କର ଜମାନବନ୍ଦୀ ଶେଷ ହେଲାବେଳକୁ ମହିଳାମାନଙ୍କର ଆଖିରେ ଲୁହ । ଘୋଷାଲ ତ ଛୋଟ ପିଲାଙ୍କ ପରି ଗାଲରେ ହାତ ଦେଇ ଶୁଣୁଥିଲା । ବୋଧହୁଏ ଭାବୁଥିଲା ସେପରି ମଣିଷଙ୍କର ଏପରି ପରିଣାମ କ’ଣ ସତ୍ୟ ।

 

‘ସେ ରାଣୀ ତା’ ପରେ କ’ଣ କଲେ ?” ଜାଣିବାକୁ ଚାହିଁଲେ ମିସେସ୍ ମୌଲିକ ।

 

‘ରାଣୀ ତା’ପରେ ସନ୍ନ୍ୟାସିନୀ ହୋଇଗଲେ । ତାଙ୍କ ବେକର ଗୋଲକୋଣ୍ଡା ହୀରା ହାର ଖୋଲିଦେଲେ ସିଭିଲ୍ ସର୍ଜନଙ୍କର ମେମସାହେବଙ୍କୁ । ପାଞ୍ଚ ପ୍ରକାର ମଣି ଲାଗିଥିବା ତାଙ୍କର ପାଞ୍ଚ ଆଙ୍ଗୁଠିର ମୁଦି ପିନ୍ଧାଇ ଦେଲେ ପୁଲିସ୍ ସୁପରିଣ୍ଟେଣ୍ଡେଙ୍କର ମେମସାହେବଙ୍କୁ । ତାଙ୍କର ପ୍ଲାଟିନାମ ବ୍ରେସଲେଟ ଦେଇଦେଲେ ଫରେଷ୍ଟ କନ୍‌ଜରଭେଟରଙ୍କର ମେମସାହେବଙ୍କୁ । ତା’ ବୋଲି ବିଶ୍ଵଜିତର ତଳ ପାହିଆ କର୍ମଚାରୀ-ମାନଙ୍କର ସ୍ତ୍ରୀମାନଙ୍କୁ ମଧ୍ୟ ବଞ୍ଚିତ କଲେ ନାହିଁ । ସେମାନଙ୍କୁ ବାଣ୍ଟିଦେଲେ ନାକ କାନରେ ପିନ୍ଧିବାର ସକଳପ୍ରକାର ଅଳଙ୍କାର । ଆଉ ଶାଢ଼ିଗୁଡ଼ିକ ଦାନ କଲେ ଚାକର ବାକର-ମାନଙ୍କର ସ୍ତ୍ରୀମାନଙ୍କୁ ।”

 

“ତା’ପରେ ? ପ୍ରଶ୍ନ କଲେ ମୌଲିକଙ୍କ ଭଉଣୀ ମିସେସ ଘୋଷାଲ ।

 

“ତା’ପରେ ?” ଡେପୁଟି କମିଶନରଙ୍କର ଇ ମେମସାହେବ ନାହାନ୍ତି । ସେ ଚିରକୁମାର-। ସେ ହୁରି ପକାଇଦେଲେ । ସେତେବେଳେ ରାଣୀ ଯାଇ ମୁଲାକାତ କଲେ ଲାଟସାହେବଙ୍କର ପ୍ରାଇଭେଟ ସେକ୍ରେଟେରୀଙ୍କର ମେମସାହେବଙ୍କ ସାଙ୍ଗରେ । ଖବର ଆସିଲା ଡେପୁଟି କମିଶନର ଜଏଣ୍ଟ ସେକ୍ରେଟେରୀ ହୋଇଛନ୍ତି । ଅଯାଚିତ ପଦବୃଦ୍ଧି ।

 

ଏହା ପରେ ମହିଳାମାନଙ୍କର କୌତୂହଳ ଲକ୍ଷିତ ହେଲାନାହିଁ । ମଣିମୋହନ କହିଲେ, “ସେନ, ତୁମର ସେଇ ରାଣୀ ଜଣକ ମୋଟ ଉପରେ ଭଲ ସ୍ତ୍ରୀଲୋକ ନୁହନ୍ତି । ଯାହା ଦେଇପାରିବେନି ତା’ ଆଶା ଦେଇ ଲୋକଟାକୁ ମାଙ୍କଡ଼ ନାଚ ନଚେଇଲେ । ଲୋକଟା ଯେ ମଲା ତା’ପାଇଁ ଦାୟୀ ତୁମର ରାଣୀ ।”

 

“ମୋର ରାଣୀ ! ବେଶ୍ ଭାଇ, ବେଶ୍ ।” ପ୍ରଦୋଷ ମହିଳାମାନଙ୍କ ଆଡ଼କୁ ଅନାଇଲେ । “କିନ୍ତୁ, ରାଣୀ ଯଦି ଖରାପ ସ୍ତ୍ରୀଲୋକ ହୁଅନ୍ତେ, ଯାହା ଦେବା କଥା ନୁହେଁ ତାହାମଧ୍ୟ ଦେଇଥା’ନ୍ତେ-। ତା’ହେଲେ ଏ ଟ୍ରାଜେଡ଼ୀ ଘଟି ପାରନ୍ତା କି ?” ସେ ଅପିଲ୍ କଲେ ।

 

ଦେଖାଗଲା ରାଣୀଙ୍କ ବିରୁଦ୍ଧରେ ରାୟ ଦେଲେ ଜଣେ ଦୁଇଜଣ ଛଡ଼ା ଆଉ ସବୁ ପୁରୁଷମାନେ । ଆଉ ବିଶ୍ଵଜିତ୍ ବିରୁଦ୍ଧରେ ମହିଳାମାନେ ସମସ୍ତେ ।

Image

 

କାମିନୀକାଞ୍ଚନ

 

ଡାକ୍ତର କହିଲେ, “ଭଲ କଥା, ଆପଣଙ୍କ ପାଖରେ ମଡ଼ର୍ନ ଫିଲସଫିର ନୂଆ ବହିଥିଲେ ପଢ଼ିବାକୁ ଦେବେ ? ଆମ ଏ ମଫସଲ ସହରରେ ଆଉ କିଏ ଅଛନ୍ତି ! କାହା ଶରଣ ପଶିବ ।” ତାଙ୍କୁ ଖୁବ୍ ଚିନ୍ତିତ ବୋଧ ହେଉଥିଲା ।

 

ମୁଁ ମନେକରିଥିଲି ଡାକ୍ତରଙ୍କର ହଠାତ ଦାର୍ଶନିକ ହେବାର ସଉକ୍ ହୋଇଛି । ପରିହାସ କରି କହିଲି, “ବିଶ୍ଵ ରହସ୍ୟ ଭେଦ କରିବାକୁ ଚାହାଁନ୍ତି, ନାଁ କ’ଣ ?”

 

“ଆରେ ନାଃ ! ମୁଁ ସେ ସବୁର ପାଖ ମାଡ଼େନି । ଖାଏ-ପିଏ ଫୁର୍ତ୍ତିକରେ । ହେବ ଦିନେ ଆପଣଙ୍କ ସାଙ୍ଗରେ ତତ୍ତ୍ଵାଲୋଚନା ।”

 

“ତେବେ ବହି ନେଇ କରିବେ କ’ଣ ?”’

 

“ମୋ ପାଇଁ ନୁହେଁ । ଆମ ହସପିଟାଲକୁ ଗୋଟିଏ ଇଣ୍ଟରେଷ୍ଟିଂ କେସ୍ ଆସିଛି । କେସ୍‌ଟା ଇଣ୍ଟରେଷ୍ଟିଂ ନୁହେଁ । ମଣିଷଟି ଇଣ୍ଟରେଷ୍ଟିଂ । ବିଖ୍ୟାତ ବିଦ୍ଵାନ, ଅଥଚ ଆରଣ୍ୟକ ସନ୍ନ୍ୟାସୀ । ଆପଣ ହୁଏତ ତାଙ୍କ ନାଁ ଶୁଣିଥିବେ ।”

 

ମୁଁ ଚମତ୍‌କୃତ ହୋଇଥିଲି । ଜାଣିବାକୁ ଚାହିଁଲି କ’ଣ ନାଁ ।

 

“ଡାକ୍ତର ବଡ଼ୋଦେକର । ଏ ନାଁ’ ତାଙ୍କର ଗୃହସ୍ଥ ଆଶ୍ରମର । ଏବେ ସେ ସ୍ଵାମୀ ବିଦ୍ୟାନନ୍ଦତୀର୍ଥ ।’’

 

“କେଉଁ ବଡ଼ୋଦେକର ? ସେହି ଯିଏ ଅକ୍‌ସଫୋର୍ଡ଼ରେ ଥିଲେ ?”

 

“ସେଇ । ତା’ହେଲେ ଆପଣ ସବୁ ଜାଣନ୍ତି ଦେଖୁଛି ।”

 

ନାମ ଛଡ଼ା ଆଉ ବିଶେଷ କିଛି ଜାଣିନଥିଲି । କେବେ ସେ ସନ୍ନ୍ୟାସୀ ହେଲେ, କାହିଁକି ହେଲେ, ଜାଣିବାକୁ ଇଚ୍ଛାଥିଲା । ପଚାରିଲି, “କ’ଣ ହେଇଛି ତାଙ୍କର ? ଏଠାକୁ ଆସିଲେ କିପରି ?’’

 

ସାୟାଟିକା । ଚାଲନ୍ତୁ ନାଁ ଦିନେ ଦେଖିବାକୁ । କହିଲେ ଆଜି ନେଇଯାଇପାରେ । ମୁଁ ହସ୍‌ପିଟାଲକୁ ହିଁ ଯାଉଛି !”

 

ଆଗ୍ରହ ଥିଲା; କିନ୍ତୁ ସମୟ ନ ଥିଲା, କହିଲି ଆଉଦିନେ ଯିବି ।

 

କେତେଖଣ୍ଡ ବହି ବାହାର କରି ତାଙ୍କ ହାତରେ ଦେଲି । ବହିଗୁଡ଼ିକ ମଡ଼ର୍ଣ୍ଣ କିନ୍ତୁ ଫିଲସଫିର ନୁହେଁ । ତେବେ ମଧ୍ୟ ଡାକ୍ତର ସେଗୁଡ଼ିକ ନେଲେ । କହିଲେ, “ଧନ୍ୟବାଦ, ବଡ଼ ବିପଦରେ ପଡ଼ିଥିଲା । କିନ୍ତୁ-”

 

ସେ ଇତସ୍ତତଃ କରୁଥିଲେ । ମୁଁ ଟିକିଏ ଚାପ ପକେଇବାରୁ କହିଲେ, “ଗୋଟିଏ ନିଶା ତ ମେଣ୍ଟିଲା । ଆଉ ଗୋଟିଏ ମେଣ୍ଟିବ କିପରି ସେଇଆ ଭାବୁଛି ।”

 

ମୋତେ କୌତୂହଳୀ ଦେଖି ମୁରୁକି ହସିଲେ । “ଆପଣଙ୍କ ପାଖରେ ପ୍ରକାଶ କରିବାକୁ ସାହସ ହୁଏନାଁ । ହସ୍‌ପିଟାଲର ସୁନାମ ନ ହେବ; କିନ୍ତୁ କରେ କ’ଣ ? ସାଧୁସନ୍ନ୍ୟାସୀ ବେଳକୁ ନିୟମକାନୁନ ଖଟେନାଁ ।”

 

ମୋ କାନ ପାଖରେ ମୁହଁ ଆଣି ଆସ୍ତେ କରି କହିଲେ, “ଗଞ୍ଜେଇ ।”

 

ମୁଁ ହୋ ହୋ କରି ହସିଉଠିଲି । କହିଲି, “ତା’ପରେ ?”

 

ରୋଜ ରୋଜ ଯୋଗାଡ଼ କରେ କାହାଠୁଁ !” ସେ ପୁଣି ଚିନ୍ତାନ୍ଵିତ ହେଲେ ।

 

‘କାହିଁକି ? ସହରରେ କୌଣସି ଆଉ କେହି ସାଧୁସନ୍ନ୍ୟାସୀ ନାହାନ୍ତି ?” ମୁଁ ତାମସା କଲି ।

 

“ହୁଁ ।” ସେ ଆଉ ପଦେ ମଧ୍ୟ ନ କହି ଗାଡ଼ିରେ ଉଠିଲେ ।

 

ମୁଁ ବିସ୍ମିତ ହୋଇ ଭାବିବସିଲି, ଏ କି କାଣ୍ଡ । ଯେ ଅକ୍‌ସଫୋର୍ଡ଼ର ବିଶିଷ୍ଟ ବିଦ୍ଵାନ, ସେ ଆରଣ୍ୟକ ସାଧୁ । ଯେ ମଡ଼ର୍ଣ୍ଣ ଫିଲସଫିର ନୂଆ ବହି ପଢ଼ନ୍ତି, ସେ ଗଞ୍ଜିକା ସେବୀ । ଯାହାହେଉ, ସ୍ତ୍ରୀଙ୍କୁ ମିଳିଛି ବଙ୍ଗଳାଦେଶର ଗୋଟିଏ ପ୍ରାନ୍ତର, ଏକ ଅଖ୍ୟାତ ଛୋଟ ସହରରେ । ଦେଖିବାକୁ ଯିବାକୁ ପଡ଼ିବ । ଶୁଣିବାକୁ ହେବ ୟାଙ୍କ ବିଚିତ୍ର କାହାଣୀ ।

 

ଡାକ୍ତରଙ୍କୁ ଚିଠି ଲେଖି ଦିନେ ହସପିଟାଲରେ ହାଜର ହେଲି । ସାଧୁଜୀ ଶଯ୍ୟାଶାୟୀ ଥିଲେ । ଜେନେରାଲ ୱାର୍ଡ଼ର ଗୋଟିଏ କୋଣରେ । ଯେ ରୋଗୀ ଖର୍ଚ୍ଚ ଦେଇପାରିବିନି ତା’ପାଇଁ ଏହାଠାରୁ ଭଲ ବ୍ୟବସ୍ଥା ଆଉ କ’ଣ ହୋଇପାରେ ! ବିନା ଖର୍ଚ୍ଚର ରୋଗୀହେଲେ ମଧ୍ୟ ସମସ୍ତଙ୍କର ଦୃଷ୍ଟି ତାଙ୍କ ଉପରେ । ସେ କିଛ ମାତ୍ର ଅସୁବିଧା ବୋଧ କଲେ ସାଙ୍ଗେ ସାଙ୍ଗେ କେହି ନା କେହି ଦୌଡ଼ିଆସନ୍ତି ।

 

ମୋ କୁଶଳ ପ୍ରଶ୍ନର ଉତ୍ତରରେ ସେ କହିଲେ, “ଖୁବ୍ ଭଲ ଅଛି । ଏମାନେ ମୋତେ ରଜା ପରି ରଖିଛନ୍ତି ।”

 

ଡାକ୍ତର ତା’ ଶୁଣି ସବିନୟରେ କହିଲେ, “ଆମର କ୍ଷମତା ଥିଲେ ଆମେ ଆପଣଙ୍କୁ ବାଦଶା ପରି ରଖିଥା’ନ୍ତୁ । ଆଉ ଦିନ କେତେଟା ଟିକିଏ କଷ୍ଟଭୋଗ କରିବାକୁ ପଡ଼ିବ ।”

 

“କଷ୍ଟ ଭୋଗ କରିବି ବୋଲି ଘରଛାଡ଼ି ବାହାରିଛି । ଆପଣମାନେ ଯଦି କଷ୍ଟ ଭୋଗ କରିବାକୁ ନ ଦିଅନ୍ତି, ତା’ହେଲେ ସବୁ ବୃଥା ହେବ ।” ଏହା କହି ସେ କୌତୁକ ହାସ୍ୟ କଲେ ।

 

ଶୁଣିଲି ସେ ନିଜ ଦୋଷରେ ଏ ରୋଗ ଡାକିଆଣିଛନ୍ତି । ଯାଇଥିଲେ ପଦବ୍ରଜରେ ଜଗନ୍ନାଥ ଦର୍ଶନ କରିବାକୁ । ହରିଦ୍ଵାରଠାରୁ ଜଗନ୍ନାଥ । ହରିଦ୍ଵାରର ଉତ୍ତରରେ ଗୋଟିଏ ଗୁମ୍ଫା ଅଛି, ସେଠାରେ ସେ ଆଉ ତାଙ୍କର ଗୁରୁଭାଇମାନେ ରହୁଥିଲେ । ଟିହରି ମହାରାଜଙ୍କ କୃପାରେ ସେଠାରେ ଏବେ ବିଜୁଳି ଆଲୁଅ ହେଲାଣି । ପ୍ରାଚୀନ ଓ ଆଧୁନିକର ଏପରି ସମାବେଶ ଅନ୍ୟତ୍ର ବିରଳ । ଇଂରାଜୀ, ସଂସ୍କୃତ, ହିନ୍ଦୀବହି କାଗଜର ଅଭାବ ନାହିଁ । ତପସ୍ୟା ଦୃଷ୍ଟିରୁ ଆଦର୍ଶ ସ୍ଥାନ । ତୀର୍ଥୋପଲକ୍ଷ୍ୟେ ମଝିରେ ମଝିରେ ନିଷ୍କ୍ରମଣ କରିବାକୁ ପଡ଼େ । ପାରୁପର୍ଯ୍ୟନ୍ତ ପଦବ୍ରଜରେ ।

 

ପାଦରେ ଚାଲି କାଶୀ ପର୍ଯ୍ୟନ୍ତ ଆସିବାର ଅନୁମତି ମିଳିଥିଲା । ଖିଆଲ ହେଲା ଗୟା ଦେଖିବେ । ପାଦରେ ଚାଲିଲେ । ସେଠାରୁ ଫେରିଯାଇ ପାରିଥାନ୍ତେ; କିନ୍ତୁ ମନ ବଳିଲା ରଥଯାତ୍ରା ସମୟରେ ଜଗନ୍ନାଥଙ୍କୁ ଦେଖିବେ । ପୁଣି ପାଦରେ ଚାଲିଲେ । ନିଜ କ୍ଷମତା ଉପରେ ଅତିରିକ୍ତ ବିଶ୍ଵାସ ଯୋଗୁଁ ଏହି ବିପତ୍ତି । ପୁରୀ ହସପିଟାଲରେ ବେଶିଦିନ ରଖିଲେ ନାହିଁ ।

 

ଆହୁରି ଦୁଇ ତିନିଟା ହସପିଟାଲ ବୁଲି ଶେଷକୁ ଆସିଛନ୍ତି ଏଠାକାର ହସପିଟାଲକୁ । ଏମାନେ ମଧ୍ୟ ବେଶିଦିନ ରଖିବାକୁ ରାଜି ନୁହନ୍ତି । ରେଲଭଡ଼ା ସଂଗ୍ରହ କରି ବିହାରର କେଉଁଠାକୁ ଯାଇ ସେଠାକାର ହସପିଟାଲରେ ଭର୍ତ୍ତି ହେବେ । ପାଦରେ ଚାଲିବାର ଉପାୟ ନାହିଁ । ରେଳପଥରେ ହରିଦ୍ଵାରକୁ ଫେରିବେ । ତା’ପରେ ତାଙ୍କ ଗୁମ୍ଫାରେ ପଶିବେ ।

 

କହିଲେ, “ଏପରି କୌଣସି ଅଭିଜ୍ଞତା ନାହିଁ ଯାହାଠାରୁ କିଛି ନା କିଛି ଲାଭ ହୁଏନାଁ । ଏହି ଯେ ମୁଁ ଚଳତ୍‌ଶକ୍ତି ହରାଇ ଜଡ଼ପିଣ୍ଡପରି ପଡ଼ି ରହିଛି ଇଏ ବି ଭଲ । ଆପଣଙ୍କ ପରି ସଜ୍ଜନ ଆସିଛନ୍ତି ମୋତେ ଦେଖିବାକୁ । ବହି ପଠେଇ ଦେଇଛନ୍ତି, ପଢ଼ି ଆନନ୍ଦ ପାଉଛି । ସୋୟାଇଟସାରଙ୍କ ବହି ଏବେ ପ୍ରଥମ କରି ପଢ଼ୁଛି । ଅନେକଦିନର ବାସନା ପୂର୍ଣ୍ଣ ହେଲା ।”

 

ସୋୟାଇଟସାରଙ୍କ ସମ୍ବନ୍ଧରେ ଦି-ଚାରି କଥା ହେବାପରେ ମୁଁ ବିଦାୟ ନେଲି । କହିଲି, “ଏଠାରୁ ଚାଲିଯିବା ଦିନ ମୋ ଘରେ ଆହାରର ନିମନ୍ତ୍ରଣ ରହିଲା । ଖାଉ ଖାଉ ଆଳାପ କରିବା । ଆପଣଙ୍କର ଆରୋଗ୍ୟ କାମନା କରେ ।”

 

ସୋୟାଇଟସାରଙ୍କ ବହି ଆହୁରି ଖଣ୍ଡେ ଦି ଖଣ୍ଡ ଥିଲା । ପଠେଇ ଦେଲି ।

 

 

ପ୍ରାୟ ମାସକ ପରେ ସେ ମୋ ଘରକୁ ଆସିଲେ ରିକ୍‌ସା କରି । ତାଙ୍କୁ ଧରାଧରି କରି ଓହ୍ଲାଇବାକୁ ପଡ଼ିଲା, ନେବାକୁ ପଡ଼ିଲା ବସିବା ଘରକୁ । ବସିବା ଘର ମେଜିଆ ଏତେ ଖସଡ଼ା ଯେ ଜଣେ ଅତିଥି ଥରେ ଗୋଡ଼ ଖସି ପଡ଼ି ଯାଇଥିଲେ । ସେଇଥିପାଇଁ ତା’ଙ୍କୁ ହୁସିଆର କରିନେବାକୁ ପଡ଼ିଲା ।

 

ଜଜଙ୍କ କୋଠାର ବିଶେଷତ୍ୱ ଥିଲା ଚାରିପଟର ଖୋଲା ବାରଣ୍ଡା । ଯେମିତି ଫାଙ୍କା ସେମିତି ଓସାର । ଅଥଚ ଖସଡ଼ା ନୁହେଁ । ସ୍ୱାମୀଜୀଙ୍କୁ କହିବାରୁ ସେ ତତ୍‌କ୍ଷଣାତ୍ ରାଜି ହୋଇଗଲେ । ଦୁଇଜଣ ଯାଇ ବାରଣ୍ଡାରେ ଦୁଇଖଣ୍ଡ ଆରାମ ଚୌକି ଉପରେ ଦେହ ଢାଳିଦେଲୁ । ସେତେବେଳକୁ ସନ୍ଧ୍ୟା ଗଡ଼ିଗଲାଣି ।

 

କହିଲି, ‘‘ମୁଁ କିନ୍ତୁ ଆପଣଙ୍କୁ ସ୍ଵାମୀଜୀ ବୋଲି ଡାକିବିନି, ଡାକିବି ଡକ୍ଟର ବଡ଼ୋଦେକର ବୋଲି । ଏତେ ବଡ଼ ଜଣେ ଇନ୍‌ଟେଲେକ୍‍ଚୁଆଲଙ୍କର ଏହି ପରିଣତ ମୁଁ ମାନି ନେଇପାରୁନି ।”

 

ସେ ମଧୁର ହସିଲେ । କହିଲେ, ‘‘ସେ ସବୁ ପୂର୍ବଜନ୍ମପରି ଲାଗେ । ମନେପଡ଼ିଲେ ମଧ୍ୟ ମନକୁ ଆଣିବାକୁ ଚାହେନାଁ ।”

 

ଦାର୍ଶନିକ ଆଲୋଚନା କରୁ କରୁ ଯେତେଥର ମୁଁ ତାଙ୍କର ଗୃହସ୍ଥ ଆଶ୍ରମ କଥାପକାଏ ସେତେଥର ସେ କହନ୍ତି, ‘‘ସାଧୁମାନଙ୍କର ସେ ସବୁ କହିବା ମନା ।”

 

ତାଙ୍କ ପାଇଁ ଖଇ, କ୍ଷୀର, ଫଳମୂଳ, ମିଷ୍ଠାନ୍ନ ତିଆରି ଥିଲା । ସେହିଠାରେ ହିଁ ଟିପୟ ପକାଇ ଆହାରର ବ୍ୟବସ୍ଥା ହେଲା । ପଚାରିଲି, ‘‘ଆପଣଙ୍କର କ’ଣ ପ୍ରକୃତି ସମ୍ଭାଷଣ କରିବା ନିଷେଧ ?”

 

‘‘ନାଁ, ତା’ କାହିଁକି ହେବ । ଆମ୍ଭେମାନେ ଆଧୁନିକ ସନ୍ନ୍ୟାସୀ ।”

 

ସେତେବେଳକୁ ମୋର ଘରଣୀ ଆସିଲେ, ତାଙ୍କର ଆହାର୍ଯ୍ୟ ହାତରେ ଧରି ।

 

ଖାଉ ଖାଉ କହିଲେ, “ଗୃହସ୍ଥଙ୍କ ଘରେ କେତେଥର ଅତିଥି ହୋଇଛି । ପ୍ରକୃତ ଧର୍ମପରାୟଣତା ଦେଖିଛି ସାଧୁମାନଙ୍କ ଅପେକ୍ଷା ଗୃହସ୍ଥଙ୍କ ମଧ୍ୟରେ । କେବଳ ଧର୍ମ-ପରାୟଣତାହିଁ ନୁହେଁ, ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ।”

 

ମୁଁ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲି, ‘‘ତାହା କିପରି ସମ୍ଭବ । ଗୃହସ୍ଥମାନେ ଯେ କାମିନୀ କାଞ୍ଚନ ପାଶବଦ୍ଧ । ସେମାନେ ତ ମୁକ୍ତ ଜୀବ ନୁହନ୍ତି ।”

 

“ମୋ ଅଭିଜ୍ଞତା ଭିନ୍ନରୂପ ।” ସେ ଧୀରେ ଧୀରେ କହିଲେ, “ଗୁମ୍ଫାରେ ଯେଉଁମାନେ ରହନ୍ତି, ସେମାନଙ୍କ ସମ୍ବନ୍ଧରେ ବାହାର ଲୋକଙ୍କର ଧାରଣା ଯେତେ ଉଚ୍ଚ, ଅସଲରେ ସେମାନେ ସେତେ ଉଚ୍ଚ ନୁହନ୍ତି । ସେମାନଙ୍କର ମୂଲ୍ୟବୋଧ ବିକୃତ । କାମିନୀକାଞ୍ଚନ ତ୍ୟାଗ କରିଛନ୍ତି ବୋଲି ଯେଉଁମାନଙ୍କର ଗର୍ବ ସେମାନେ କାମିନୀକାଞ୍ଚନକୁ ହିଁ ସବୁଠାରୁ ମୂଲ୍ୟବାନ ମନେକରନ୍ତି ।’’

 

ଆମ୍ଭେମାନେ ଶୁଣୁଥିଲୁ । ସେ କହି ଚାଲିଲେ, ‘‘ଦି-ଓଳି ଯେଉଁମାନେ ଭୋଜନ କଥା ଭାବନ୍ତି, ପେଟ ନ ପୂରିଲେ ଯେଉଁମାନଙ୍କର ମନ ଖରାପ ହୁଏ, ସେମାନେ ମଧ୍ୟ ବଦ୍ଧ ଜୀବ । ତେବେ ସେମାନେ ଏକସ୍ଥାନରେ ଆବଦ୍ଧ ନୁହନ୍ତି । ସେମାନେ ଯେଉଁଠାକୁ ଖୁସୀ ବୁଲି ଯାଇପାରନ୍ତି-। ସେମାନଙ୍କର ସମ୍ପତ୍ତି ନାହିଁ । ସମ୍ପତ୍ତିର ମୋହ ସେମାନଙ୍କୁ ଟାଣି ରଖେନା । ଏହା ହିଁ ଯାହା ତଫାତ୍‌ ।

 

ମୁଁ କହିଲି, ‘‘ୟେ କ’ଣ ସାମାନ୍ୟ ତଫାତ୍‌ ?”

 

‘‘ସାମାନ୍ୟ ନୁହେଁ । ତା’ ବୋଲି ଏପରି କିଛି ଅସାମାନ୍ୟ ମଧ୍ୟ ନୁହେଁ । ମାନବଜୀବନର ଯେ ଦୁଇଟି ଅଭିଶାପ ଗୃହସ୍ଥକୁ ଜଳାଏ ସେ ଦୁଇଟା ସାଧୁଙ୍କୁ ମଧ୍ୟ ଜଳାଏ । ପବନ ଖାଇ କେହି ବଞ୍ଚେନା । ଅନ୍ତତଃ ଓଳିଏ ଆହାର ନ କଲେ ସାଧନାରେ ଅଗ୍ରସର ହୋଇ ହୁଏନା । ଅପର ଅଭିଶାପଟା କଥା ନ କହିଲି ଅବା ।

 

ମୋର ଘରଣୀ ଉଠିଗଲେ । ମୁଁ କହିଲି, ‘‘ତା’ହେଲେ ସାଧୁ ହୋଇ ଏପରି କି ପରିବର୍ତ୍ତନ ହେଲା । ଗୃହସ୍ଥ ଆଶ୍ରମକୁ ଫେରିଗଲେ କ’ଣ ଏମିତି କ୍ଷତି !”

 

ଫେରିଯିବାର ବାଟ ନାହିଁ । ଯିବାକୁ ମଧ୍ୟ ଚାହେଁନା । ତେବେ ସାଧୁ ହୋଇଛି ବୋଲି ମୁକ୍ତଜୀବ ହେଲିଣି ଏ ଅହଙ୍କାର ମୋର ନାହିଁ । କାହାରି ରହିବା ମଧ୍ୟ ଉଚିତ ନୁହେଁ ।”

 

ଆହାର ପରେ ଲକ୍ଷ୍ୟ କଲି ସେ ଆକୁପାକୁ କରୁଛନ୍ତି । ପଚାରିଲି, ‘‘ପାନ ଇଚ୍ଛା କରନ୍ତି କି ?”

 

‘‘ନାଁ ।”

 

‘‘ସିଗାରେଟ ?”

 

“ନାଁ, ଧନ୍ୟବାଦ ।”

 

କିଛିକ୍ଷଣ ପରେ ଜଣେ ଛାତ୍ର ଆସି ତାଙ୍କ ସାଙ୍ଗରେ ଦେଖାକରିବାକୁ ଚାହିଁଲା । ସେ କହିଲେ, ‘‘ଏଥର ମୋର ଟିକିଏ ନିର୍ଜନତା ଦରକାର । ଛାତ୍ରଟିକୁ ଆସିବାକୁ ଦିଅନ୍ତୁ ।”

 

ମୁଁ ଘୁଞ୍ଚିଗଲି । ଛାତ୍ରଟି ଆସିଲା । କ’ଣ ଗୋଟିଏ ଦେଇଗଲା ତା’ଙ୍କୁ । ସେ ସେଇଆ ନେଇ ଭୋଳ ହୋଇ ରହିଲେ । ଗନ୍ଧରୁ ବୁଝିପାରିଲି କ’ଣ ସେଟା । ଗଞ୍ଜେଇ ସୋସାଇଟିର ଭାଇସ୍-ଚେୟାରମ୍ୟାନ ଥିଲି । ସେ ଗନ୍ଧ ମୋର ଚିହ୍ନା । ଗଞ୍ଜେଇ ସୋସାଇଟି ଶୁଣି ଆପଣମାନେ ଭାବୁଥିବେ ଗଞ୍ଜୋଡ଼ମାନଙ୍କର ସଙ୍ଘ । ତା’ ନୁହେଁ । ଗଞ୍ଜେଇ ଚାଷୀ-ମାନଙ୍କର ସମବାୟ ।

 

ଗଞ୍ଜେଇ ଧୂଆଁରେ ଘର ଭରିଗଲା । ଘରଣୀ ତିଷ୍ଠି ନ ପାରି କହିଲେ, ‘‘ଅକ୍‌ସ-ଫୋର୍ଡ଼ର ଡକ୍‌ଟର୍‌ । ତାଙ୍କର ଏମିତ ସ୍ୱଭାବ ?”

 

ମୁଁ କହିଲି, ‘‘ଅକ୍‌ସଫୋର୍ଡ଼ର ଡକ୍ଟର୍‌ ଯେତେବେଳେ ଥିଲେ ସେତେବେଳେ ଥିଲେ । ଏବେ ଗୁମ୍ଫାବାସୀ ସାଧୁ । ରୋମକୁ ଗଲେ ରୋମାନମାନଙ୍କ ପରି ବ୍ୟବହାର କରିବାକୁ ହୁଏ ।”

 

ସେ ଅନୁମୋଦନ କଲେ ନାହିଁ । ସେତେବେଳେ ତାଙ୍କୁ ଖୋଲି କହିବାକୁ ହେଲା ଯେ, ମୁଁ ଦ୍ୱିତୀୟ ଅଭିଶାପ ହାତରୁ ଉଦ୍ଧାର ପାଇବା ପାଇଁ ସାଧୁମାନେ ସାଧାରଣତଃ ଏହି ତୃତୀୟ ଅଭିଶାପର ଆଶ୍ରୟ ନେଇଥା’ନ୍ତି । ଏଇଟା ମାର୍ଜନୀୟ ।

 

ଏହାପରେ ଏକ ସମୟରେ ସ୍ୱାମୀଜୀ ମୋତେ ଡାକି ପଠାଇଲେ । ଯାଇ ଦେଖେ ସେ ଉଦାସ ହୋଇ ବସି ରହିଛନ୍ତି । ଗଞ୍ଜେଇ ସରିଯାଇଛି । ଚିଲମ ଘୁଞ୍ଚାଇ ରଖିଛନ୍ତି ।

 

ମୁଁ ଚୁପ୍ କରି ନିଜ ଚୌକିରେ ଆସନ ନେଲି ।

 

ସେ ଆପଣାଛାଏଁ କହିଲେ, ‘‘ଡକ୍ଟର ବଡ଼ୋଦେକରଙ୍କୁ ଏପରି ଅବସ୍ଥାରେ ଦେଖି ଆପଣଙ୍କର ହୁଏତ ଚମକ ଲାଗୁଥିବ । ତାଙ୍କର ମଧ୍ୟ ଲାଗନ୍ତା, ଯଦି ତାଙ୍କ ଜୀବନ ଅନ୍ୟ ପ୍ରକାର ହୋଇଥା’ନ୍ତା । ବେଳଥିଲା ଯେତେବେଳେ ସାଧୁ ସନ୍ନ୍ୟାସୀମାନଙ୍କୁ ନେଇ ହସ ଥଟ୍ଟା କରିଛି । ଜାଣିନଥିଲି ଯେ ନିୟତି ମୋତେ ତାଙ୍କ ଭିତରୁ ଜଣେ କରିବ । ନିୟତିର ରସିକତା ଯାହାକୁ କହନ୍ତି-।’’

 

ନିଶା ଜମି ଉଠୁଥାଏ । ମନେ ନ ଥିଲା ଯେ ସାଧୁମାନଙ୍କର ଏସବୁ କହିବା ମନା ।

 

‘‘ଆପଣ କେବେ ଅକ୍‌ସଫୋର୍ଡ଼ ଯାଇଛନ୍ତି ?”

 

“ହଁ ।”

 

‘‘ମୋ କଲେଜର ନାଁ କ୍ରାଇଷ୍ଟଚର୍ଚ୍ଚ । କି ସୁଖରେ ଯେ ବିତିଛି ସେ କେତେ ବର୍ଷ । ଯୁଦ୍ଧ ପରେ ସେଠାକୁ ଯାଏ । ବଡ଼ ଘରର ପିଲା । ଟଙ୍କାର ଭାବନା ନ ଥିଲା । ଟଙ୍କା ନଥିଲେ ଅକ୍‌ସଫୋର୍ଡ଼କୁ ଯିବା ଭୁଲ୍ । ପ୍ରଥମ କେତେଟା ବର୍ଷ ପାର୍ଟି ଦେଇଛି, ପାର୍ଟିକୁ ଯାଇଛି, ମିଳାମିଶାର ଚୂଡ଼ାନ୍ତ କରିଛି । କିନ୍ତୁ ବରାବର ମୁଁ ଥିଲି ଆତ୍ମକୈନ୍ଦ୍ରିକ । ଚିନ୍ତା କରୁଥିଲି, ଚିନ୍ତା କରି ଯେ ଆନନ୍ଦ ପାଉଥିଲି ତାହାର ତୁଳନା ନାହିଁ । ରାତି ଉଜାଗର ରହି ବହି ପଢ଼ୁଥିଲି । ବହି ପଢ଼ି ଯେ ଆନନ୍ଦ ପାଉଥିଲି ସେ ମଧ୍ୟ ଅତୁଳନୀୟ । ସୁତରାଂ ମୋର ଝୁଙ୍କ୍ ହେଲା ଭଲ ପିଲାଙ୍କ ସାଙ୍ଗରେ ପ୍ରତିଯୋଗିତାରେ ଓହ୍ଲାଇ ଅଦ୍ୱିତୀୟ ହେବାକୁ । ହେଲି ଅଦ୍ୱିତୀୟ ।”

 

ମୁଁ ନୀରବରେ ଶୁଣୁଥାଏ । ବାଧା ଦେଲିନାହିଁ ।

 

“ମୋର ମୁରବିମାନଙ୍କର ଇଚ୍ଛାଥିଲା ମୁଁ ସିଭିଲ୍‌ ସର୍ଭିସରେ ଯୋଗଦାନ କରେ । କିନ୍ତୁ ଏତେ ଜଲ୍‌ଦି ଅକ୍‌ସଫୋର୍ଡ଼ ଛାଡ଼ିବାକୁ ମୋର ମନ ନ ଥାଏ । ସେଥିପାଇଁ ଜାଣିଶୁଣି ସିଭିଲ ସର୍ଭିସ ପରୀକ୍ଷାରେ ଖରାପ କଲି । ମୁରବିମାନେ କାବାହେଲେ, ରାଗିଲେ । ହୁକୁମ ଦେଲେ ବାରିଷ୍ଟରୀ ପଢ଼ିବାକୁ । ସେଥିରେ ମଧ୍ୟ ଦେଖାଗଲା ମୁଁ ଫେଲ୍ ।”

 

“କିନ୍ତୁ ଫେଲ୍ ହେବାର କୌଣସି ଦିନ କାହାକୁ ଦେଖେନି ।”

 

‘‘ହଁ, ଫେଲ୍ ହେବା କଷ୍ଟକର । ତା’ ପାଇଁ ମୋତେ ବେଶ୍ ମୁଣ୍ଡ ଖର୍ଚ୍ଚ କରିବାକୁ ପଡ଼ିଛି । ରୋମାନ ଆଇନ ପ୍ରଶ୍ନ ଉତ୍ତରରେ ଲେଖିବାକୁ ପଡ଼ିଛି ମେଟାଫିଜିକ୍‌ସ ।”

 

ମୁଁ ହସ ଚାପା ଦେଇପାରିଲି ନାହିଁ । ସେ ସେହିପରି ଉଦାସ ଭାବରେ କହି ଚାଲିଲେ, ‘ଡକ୍‌ଟରେଟ ପାଇ ଦେଶକୁ ଫେରିଲି; କିନ୍ତୁ ସରକାରୀ ଚାକିରି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲି । ସେତେବେଳକୁ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଦେଶର ହାଉଆ ବଦଳିଯାଇଛି-। ଗାନ୍ଧି ମହାରାଜ ଜେଲରେ । ପ୍ରାଇଭେଟ କଲେଜରେ କମ୍ ବେତନରେ କାମ ନେଲି-। ମୁରବିମାନେ ତା’ ଦେଖି ଭୀଷଣ ଖପା । ମୋ ପଛରେ ଯେ ବିପୁଳ ଅର୍ଥବ୍ୟୟ ହୋଇଛି ସେଇଟା ଯେ ଗୋଟିଏ ଇନ୍‌ଭେଷ୍ଟମେଣ୍ଟ ଏ ଜ୍ଞାନ ମୋର ନ ଥିଲା । ହେଲା ଯେତେବେଳେ ମୁରବିମାନେ ଶୁଣେଇ ଶୁଣେଇ ସେ କଥା କହିଲେ । ମା’ଙ୍କ ଉପରେ ଭାର ପଡ଼ିଲା ମୋ ପାଇଁ ବଡ଼ ଘରର କନ୍ୟା ଦେଖିବାକୁ । ଲୋକସାନ ଯେପରି ପୋଷେଇ ଯାଏ, ଏକ ଭାବରେ ନ ହେଉ ଅନ୍ୟ ଭାବରେ ।

 

‘‘ମୋର ଉଚ୍ଚାଭିଳାଷ ଥିଲା ମୁଁ ହେବି ଭାରତର ଅଦ୍ୱିତୀୟ ଦାର୍ଶନିକ । ମୋ କାମରେ ମୋତେ ସାହାଯ୍ୟ କରିବ ଏପରି କୌଣସି ସହଧର୍ମିଣୀ ପାଇଲେ ବାହାହେବାକୁ ଆପତ୍ତି ନ ଥିଲା । ଲଣ୍ଡନରେ ଜଣେ ଝିଅ ପଢ଼ୁଥିଲେ । ଆମ ସମାଜର କନ୍ୟା । ତାଙ୍କ ସାଙ୍ଗରେ ବିବାହ ହେଲେ ସେ ହୁଅନ୍ତେ ମୋର ଉପଯୁକ୍ତ ସଙ୍ଗିନୀ; କିନ୍ତୁ ସେମାନେ ସମ୍ଭ୍ରାନ୍ତ ନ ଥିଲେ, ସେମାନଙ୍କର ଟଙ୍କା ନ ଥିଲା, ସେମାନଙ୍କ ସାଙ୍ଗରେ ବନ୍ଧୁ ଘର କରିବାକୁ ମୋର ମୁରବିମାନଙ୍କର ଆପତ୍ତି ଥିଲା । କନ୍ୟାଟି ସୁନ୍ଦରୀ ନୁହନ୍ତି, ଆଉ ତାଙ୍କ ବୟସ ବୋହୂ ପିଲାଙ୍କ ଅପେକ୍ଷା ଟିକିଏ ଅଧିକ । ଏହି କାରଣରୁ ମା’ ତାଙ୍କ ଉପରେ ବିମୁଖ ହେଲେ । ମୁଁ ଦାର୍ଶନିକ ହେବାକୁ ଚାହେଁ ଶୁଣି ହିତୈଷୀମାନେ ଉତ୍କଣ୍ଠା ପ୍ରକାଶ କଲେ । ସେମାନେ ଏପରି କନ୍ୟା ଖୋଜିଲେ ଯେ ମୋତେ ସଂସାରୀ କରିବ, ଲକ୍ଷ୍ମୀମନ୍ତ କରିବ । ମୁଁ ସେତେବେଳକୁ ମୁହଁ ମୋଡ଼ିଦେଲି । କହିଲି ବାହା ହେବିନାହିଁ ।”

 

ତାଙ୍କର ସ୍ୱର କ୍ରମେ ବିକୃତ ହୋଇଆସୁଥିଲା । ଗଞ୍ଜେଇ ପିଇଲେ ଯା’ ହୁଏ ।

 

“ଏପରି ଭାବରେ ବର୍ଷ କେତେଟା କଟିଗଲା । ମା’ ଦେଖିଲେ ମୋତେ ସଂସାରୀ କରିବାର ଉପାୟ ନାହିଁ । ସେତେବେଳକୁ ବେମାର ପଡ଼ିଲେ । ଖୁବ୍ ସମ୍ଭବତଃ ବେମାରଟା ସ୍ୱେଚ୍ଛାକୃତ । ମୋତେ ତାର କରାହେଲା, ସେ ମୃତ୍ୟୁ ଶଯ୍ୟାରେ ମୋତେ ଦେଖିବାକୁ ଚାହାଁନ୍ତି । ବମ୍ବେଠାରୁ ଦୌଡ଼ିବାକୁ ହେଲା ବରୋଦା । ଯାଇ ଦେଖେ ସମସ୍ତେ ଆଖି ପୋଛୁଛନ୍ତି । ଡାକ୍ତର କୁଆଡ଼େ ଜବାବ ଦେଇଯାଇଛନ୍ତି । ମା’ଙ୍କ ଘରକୁ ଯିବା ମାତ୍ରକେ ସେ ଇଙ୍ଗିତରେ ପାଖକୁ ଡାକିଲେ-। ପାଖରେ ଥିଲା ଜଣେ ଅଚିହ୍ନା କନ୍ୟା । ତାଙ୍କର ଗୋଟିଏ ହାତ ସାଙ୍ଗରେ ମୋର ଗୋଟିଏ ହାତ ଏକତ୍ର କଲେ । ତା’ପରେ କେବଳ କାନ୍ଦିବାକୁ ଲାଗିଲେ । ମୋ ଭଉଣୀ ସେ ଘରେ ପଶି ମୋ କାନରେ କହିଲା, ମା’ଙ୍କୁ ଯଦି ବଞ୍ଚେଇବାକୁ ଚାହଁ, ତେବେ କୁହ, ମୁଁ ରାଜି । ମୁଁ ବୁଝିପାରିଲିନି କେଉଁଥିରେ ରାଜି । ଯନ୍ତ୍ରଚାଳିତ ପରି କହିଲି-ରାଜି । ସେପଟେ ଶଙ୍ଖ ବାଜିଉଠିଲା-। ସେତେବେଳକୁ ମୋର ଖିୟାଲ ହେଲା ଯେ ମୁଁ ବାହା ହେବାକୁ ରାଜି । ଥରେ ରାଜିହୋଇ ପୁଣି ପଛଘୁଞ୍ଚା ଦେଇ ହୁଏନା । ମା’ ସେ ଯାତ୍ରା ବଞ୍ଚିଗଲେ ! ମୁଁ ବାହା ହେଲି ।’’

 

ମୁଁ ମନଦେଇ ଶୁଣୁଥିଲି । କହିଲି, ‘‘ତା’ପରେ ?”

 

“ତା’ପରେ ? ତା’ପରେ ଯାହା ହୋଇଥାଏ । କେତେ ମାସ କଟିଲା ଉତ୍ସବରେ, ଆନନ୍ଦରେ । କନ୍ୟାଟି ସୁନ୍ଦରୀ, ସୁଶୀଳା । ମୋତେ ସୁଖୀ କରିବାକୁ ତାଙ୍କର ପ୍ରାଣପଣ ଚେଷ୍ଟା; କିନ୍ତୁ ଶିକ୍ଷିତା ନୁହନ୍ତି । ତାଙ୍କ ସାଙ୍ଗରେ କଥା କହି ଜଣେ ଇଣ୍ଟେଲେକ୍‌ଚୁଆଲ କିପରି ତୃପ୍ତ ହେବ ! ମୁଁ ଯେ କିଏ, ମୋର ଯେ କି କାମ ତାଙ୍କୁ ବୁଝେଇବା ବୃଥା । ଆମେ ଦୁହେଁ ଦୁଇ ଜଗତର ବାସିନ୍ଦା । ଏକ ସାଙ୍ଗରେ ବାସକରୁ; କିନ୍ତୁ କେହି କାହାକୁ ଚିହ୍ନୁନା । ଯାହେଉ ଦିନଗୁଡ଼ିକ ମନ୍ଦ କଟୁନଥିଲା । ମୋଟ ଉପରେ ଆମେ ସୁଖୀ ଦମ୍ପତି ଥିଲୁ । ତେବେ ମୁଁ ଯାହା ରୋଜଗାର କରୁଥିଲି, ସେଥିରେ ଅଣ୍ଟୁ ନ ଥାଏ । ସ୍ତ୍ରୀଙ୍କ ସମ୍ପତ୍ତିରେ ହାତ ଦେବାକୁ ମୋର ଘୃଣା ବୋଧ ହେଉଥାଏ । ସେଥିପାଇଁ ଜଣେ ମହାରାଜାଙ୍କ ପାଖରୁ ଯେତେବେଳେ ପ୍ରସ୍ତାବ ଆସିଲା ତାଙ୍କ କୁମାରମାନଙ୍କର ଗୃହଶିକ୍ଷକ ହେବାକୁ, ମୁଁ ସମ୍ମତି ଦେଲି । ବମ୍ବେ ଛାଡ଼ିବାକୁ ପଡ଼ିଲାନାହିଁ । ବମ୍ବେରେ ମହାରଜାଙ୍କର ପ୍ରାସାଦ ଥିଲା । ସେଠାରେ ରହି ସେମାନେ ପଢ଼ାପଢ଼ି କରୁଥିଲେ । ପଢ଼ାପଢ଼ି ଅବଶ୍ୟ ନାଁ’କୁ । ଖେଳ-କୁଦ ଆମୋଦ ପ୍ରମୋଦ ସହବତ୍ ଓ ସାମାଜିକତା ନେଇ ସେମାନେ ମଶଗୁଲ୍‌ । ମୁଁ ମୋର ନିଜ କାମପାଇଁ ଯଥେଷ୍ଟ ସମୟ ପାଉଥିଲି; କିନ୍ତୁ ରାଜ ପରିବାରର ସ୍ପର୍ଶରେ ଆସି ମୋର ସ୍ତ୍ରୀ ହୋଇଉଠିଲେ ସୋସାଇଟି ଓମ୍ୟାନ୍ । ଅବସର ସମୟରେ ଦର୍ଶନ ଚର୍ଚ୍ଚା କରିବି କ’ଣ, କୁନା-କୁନିଙ୍କୁ ସମ୍ଭାଳିବାକୁ ପଡ଼ୁଥିଲା । ଚାକରଙ୍କ ହାତରେ ଛାଡ଼ିଦେଇ ନିଶ୍ଚିନ୍ତ ହୋଇପାରୁନଥିଲି । ତା’ପର ଖର୍ଚ୍ଚ ଦିନକୁ ଦିନ ବଢ଼ି ଚାଲିଲା । ଅନୁଯୋଗ କଲେ ସେ କହୁଥିଲେ, ମୋ ଟଙ୍କାରେ ମୁଁ ବିବିଗିରି କରେ ତୁମ ଟଙ୍କାରେ ନୁହେଁ । ଏହା ଉତ୍ତରରେ ମୁଁ କହୁଥିଲି, ସେଇଆ ଯଦି କରିବ, ତେବେ ମୋତେ ବାହା ହେବାର ଦରକାର କ’ଣ ଥିଲା ? ସେ ସେତେବେଳେ ଜବାବ ଦେଉଥିଲେ, ଝିଅପିଲାମାନେ ବାହା ହୁଅନ୍ତି କାହିଁକ ? ଏହାର କୌଣସି ଜବାବ ମନକୁ ଆସୁ ନ ଥିଲା । ଆପଣ କହିପାରନ୍ତି, ଝିଅ ପିଲାମାନେ ବାହା ହୁଅନ୍ତି କାହିଁକି ?”

 

ମୁଁ ଥଙ୍ଗ ଥଙ୍ଗ ହୋଇ କହିଲି, ‘‘ଏମିତି ।”

 

‘‘ଉଁ ହୁଁ । ସେପରି ଏଡ଼େଇ ଗଲେ ଚଳିବ ନାହିଁ । ଯେତେ ଚିନ୍ତା କରିବେ ସେତେ ଗଳ୍‌ଦ୍‌ଘର୍ମ ହେବେ । ବହୁ ମନୀଷୀ ଏହାନେଇ ମୁଣ୍ଡ ଖର୍ଚ୍ଚ କରିଛନ୍ତି । କେହି କୌଣସି ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି । ନାଚାର ହୋଇ ନାରୀକୁ ଗାଳି ଦେଇଛନ୍ତି, ସେମାନଙ୍କର ଅପରାଧ ସେମାନେ କାମିନୀ । ଯେପରିକି ପୁରୁଷମାନେ କାମୀ ନୁହନ୍ତି । କାଞ୍ଚନକୁ ଯୋଡ଼ି ଦେଇଛନ୍ତି କାମିନୀ ସାଙ୍ଗରେ । ଯେପରିକି ଗୋଟିଏ ସାଙ୍ଗରେ ଅପରଟିର ହରିହର ସମ୍ପର୍କ । ସ୍ତ୍ରୀ ଯଦିଚ ମୋର ଟଙ୍କା ଖର୍ଚ୍ଚ କରୁନଥିଲେ, ତେବେ ମଧ୍ୟ ମୋର ଆତ୍ମସମ୍ମାନରେ ବାଧୁଥିଲା । ମୁଁ ଆପତ୍ତି କଲେ ସେ କହୁଥିଲେ, ତୁମେ ଯେତେବେଳେ ଅକ୍‌ସଫୋର୍ଡ଼ରେ ଥିଲ ସେତେବେଳେ ବାପ ଟଙ୍କା ଦି’ହାତରେ ଖର୍ଚ୍ଚ କରିଛ । ମନେକର ମୋ ବାପା ମୋତେ ଅକ୍‌ସଫୋର୍ଡ଼କୁ ନ ପଠାଇ ବାହା ଦେଇଛନ୍ତି । ଏପରି କି ଅନ୍ୟାୟ ମୁଁ କଲି, ଯାହା ତୁମେ କରିନାହଁ ? କଥାଟା ଉଡ଼େଇ ଦେବା ପରି ନୁହେଁ । ମୁଁ ବି ତ ବେଳକାଳରେ ସାମାଜିକତାର ଚୂଡ଼ାନ୍ତ କରିଛି । ମୋ ବୟସରେ ମୁଁ ଯାହା କରିଛି, ତାଙ୍କ ବୟସରେ ସେ ସେଇଆ କରୁଛନ୍ତି; ଅଥଚ ମୋତେ ଟିକିଏ ହେଲେ ଭଲଲାଗୁନାହିଁ । ମନେହେଉଥାଏ ଏହାର ଗୋଟିଏ ଜବାବ ଅଛି, ଯଦିଚ ମୁଣ୍ଡକୁ ଆସୁ ନ ଥାଏ କ’ଣ ଜବାବ । ପ୍ରାଚୀନମାନେ ହେଲେ ଗୋଟିଏ କଥାରେ ସାରି ଦେଇଥା’ନ୍ତେ । ନ ସ୍ତ୍ରୀ ସ୍ୱାତନ୍ତ୍ର୍ୟ ମର୍ହତି । ଆମେ ଆଧୁନିକମାନେ ସେଇଆ ପାରୁନାଁ । ଥୀସିସ ଲେଖୁ । ମୋର ଦାର୍ଶନିକ ଚିନ୍ତା ବାଟବଣା ହେଉଥିଲା ବୋଲି ମୋ ମନରେ କ୍ଷୋଭ ଜମୁଥିଲା ।”

 

ତାଙ୍କ କଣ୍ଠସ୍ୱର ବିକୃତ ହେଉ ହେଉ କ୍ରମଶଃ ଅସ୍ପଷ୍ଟ ହୋଇଆସୁଥାଏ । ମୁଁ କହିଲି ‘‘ଟିକିଏ ପାଣି ପିଇବେ ?

 

ସେ କହିଲେ, ‘‘ପାଣି ନୁହେଁ, କ୍ଷୀର କିମ୍ବା କୋକୋ ।”

 

କୋକୋ ପାଇଁ କହି ପଠାଇଲି ।

 

କୁମାରମାନଙ୍କୁ ଅକ୍‌ସଫୋର୍ଡ଼ ଦେବା କଥାବାର୍ତ୍ତା ଚାଲିଥାଏ । ମହାରାଜାଙ୍କ ଇଚ୍ଛା ମୁଁ ମଧ୍ୟ ସେମାନଙ୍କ ସାଙ୍ଗରେ ଯାଏ । ଅଭିଭାବକ ହୁଏ । ମୋର ମଧ୍ୟ ଇଚ୍ଛା ହେଉଥାଏ ଆଉ ଥରେ ଅକ୍‌ସଫୋର୍ଡ଼ ଯାଇ ଦାର୍ଶନିକମାନଙ୍କ ସାଙ୍ଗରେ ଯୋଗାଯୋଗ ସ୍ଥାପନ କରିବାକୁ । କିଏ କ’ଣ ଭାବୁଛନ୍ତି, କିଏ କ’ଣ ଲେଖୁଛନ୍ତି ସେ ସମ୍ବନ୍ଧରେ ଖବର ଅନ୍ତର କରିବାକୁ । ସେଠାରୁ କଣ୍ଟିନେଣ୍ଟ ବୁଲି ଆସିବାର ଅଭିଲାଷ ଥିଲା । କିନ୍ତୁ ସ୍ତ୍ରୀ ପୁତ୍ର କନ୍ୟାଙ୍କୁ ପଛରେ ରଖି ଯିବାକୁ କଷ୍ଟ ହେଉଥିଲା । ସାଙ୍ଗରେ ନେଇଯିବାର ଅର୍ଥ ସମ୍ବଳ ନଥିଲା । ତା’ହେଲେ ସ୍ତ୍ରୀଙ୍କର ଟଙ୍କା ନେବାକୁ ପଡ଼ିବ । ସେଥିରେ ମୋର ଆନ୍ତରିକ ଆପତ୍ତି ।”

 

କୋକୋ ଆସିଲା । ସେ ଆସ୍ତେ ଆସ୍ତେ କହିବାକୁ ଆରମ୍ଭ କଲେ, “ଏହା ଘେନି ସ୍ତ୍ରୀ’ଙ୍କ ସାଙ୍ଗରେ ଝଗଡ଼ା ହୋଇଗଲା । ମୁଁ ତାଙ୍କୁ ତାଙ୍କ ବାପ ଘରକୁ ପଠାଇଦେଲି । କହିଲି, ମୋର କାମ ଅଛି ବୋଲି ମୁଁ ବିଦେଶ ଯାଉଛି । ମୁଁ ମଉଜ କରିବାକୁ ଯାଉନି । ତୁମର କାମ ଥିଲେ ତୁମେ ମଧ୍ୟ ଯାଆନ୍ତ । ତୁମେ ତ ଘର କାମ କରିବନି, ପୁଅ ଝିଅଙ୍କୁ ଦେଖିବନି । ମୋ କାନ୍ଧରେ ଲଦିବ । ସତ୍ୟନାଶ ହେବ ମୋ କାମର । ତା’ହେଲେ ବିଦେଶ ଯିବା ବୃଥା । ସେ ଏହାର ଗୋଟିଏ ଟାଣ ଜବାବ ଦେଇଥିଲେ । କହିଥିଲେ, ‘ତୁମେ ଯେ ସେଠାରେ ବ୍ରହ୍ମଚାରୀ ପରି ରହିବ ଏକଥା ମୁଁ ବିଶ୍ୱାସ କରେନା । କାହିଁକି ତା’ହେଲେ ମୋତେ ଦଗ୍‌ଧି ମାରିବ ! ମୁଁ ତାଙ୍କୁ ଯେତେ କହେ, ଯେତେ ବୁଝାଏ, ସେ ସେତେ ଉନ୍ନତ୍ତ ହୁଅନ୍ତି । କିନ୍ତୁ କରେ କ’ଣ ? ମୋର ଉପାୟନଥିଲା ସପରିବାରରେ ବିଦେଶ ଯାତ୍ରାର । ଯାଇ ଦେଖିଲି ଯାହା ଭାବିଥିଲି ସେଇଆ । ଦାର୍ଶନିକ ଚିନ୍ତା ମୋ ଆବର୍ତ୍ତମାନରେ ଅନେକ ଦୂର ପର୍ଯ୍ୟନ୍ତ ଆଗେଇଲାଣି । ମୁଁ ସେହି ପରିମାଣରେ ପଛେଇ ପଡ଼ିଛି । ପ୍ରଚଣ୍ଡ ଖଟିବାକୁ ପଡ଼ିବ । ଖଟିବାକୁ ଲାଗିଲି ମଧ୍ୟ । ମାସ ପରେ ମାସ କଟିଗଲା ଅଗ୍ରସରମାନଙ୍କର ପଛ ଗୋଡ଼େଇବାରେ । ସ୍ତ୍ରୀଲୋକମାନେ ଏହାର କ’ଣ ମହତ୍ୱ ବୁଝିବେ ! କେବଳ ଚିଠି ଲେଖିବେ, ଚାଲିଆସ, କୁନାକୁ ଜ୍ୱର । ଚାଲିଆସ କୁନିକି ଆମାଶୟ । ଚାଲିଆସ ମୋର ମୁଣ୍ଡ ଖରାପ । ହୋଲଟ୍‌ବି ମୋର ସତୀର୍ଥ । ଏହି କେତେଟା ବର୍ଷରେ ସେ ଯେଉଁ ନାଁ’ କରିଛି ତା’ ଆଶ୍ଚର୍ଯ୍ୟ ହେଲାପରି । ଯେପରିକି ସେ ହଲଡ଼େନ୍‌ ଆଉ ମୁଁ ପି. କେ. ରାୟ । ମୋତେ ଅନୁକମ୍ପା ସହିତ ଦେଖେ । କୁସ୍ତିରେ ହାରିଯାଇଛି ମୁଁ, ଜିତିଛି ସେ । ସେଥିପାଇଁ ମୋ ପ୍ରାଣ ଅନୁକମ୍ପା । ପୁରୁଷଙ୍କର ଏ ଦୁଃଖ ନାରୀ ବୁଝିବ କ’ଣ ? ମୁଁ ଗୋଟିଏ ପେପର ଲେଖିଥିଲି । ହୋଲଟ୍‌ ବି ତା’ ଉପରେ ଆଖିବୁଲାଇ କହିଲା, ‘ତୁମେ ଗୋଟିଏ ରିପ୍ ଭ୍ୟାନ ଉଇଙ୍କଲ’ । ଏସବୁ ଥିଓରି କେବେଠୁ ଓଲଟିଯାଇଛି ।”

 

ବଡ଼ୋଦେକର ଦୀର୍ଘଶ୍ଵାସ ଛାଡ଼ି କହିଲେ, “ଜୀବନଟା ବ୍ୟର୍ଥ ଗଲା; କୌଣସି କାମରେ ଲାଗିଲାନାହିଁ । ହୋଲଟ୍‌ବି ଗରିବ ପିଲା । ବାହା ହେଇନି । ଅକ୍‌ସଫୋର୍ଡ଼ର ମାଟି କାମୁଡ଼ି କରି ପଡ଼ିରହିଛି କେବଳମାତ୍ର ଜ୍ଞାନାର୍ଜନ ପାଇଁ; ଜ୍ଞାନଭଣ୍ଡାରରେ ନିଜର ବୋଲି କିଛି ଦାନ କରିବାପାଇଁ । ଆଉ ମୁଁ ? ବାପ କଥାରେ ଘରକୁ ଫେରି, ମା’ କଥାରେ ବାହାହୋଇ, ସ୍ତ୍ରୀ-ମୁହଁ ଚାହିଁ ମହାରାଜାଙ୍କର ଗୃହଶିକ୍ଷକ ହେଲି । ହୋଲଟ୍‌ବି ଦିନେ ଆଲେକଜାଣ୍ଡାର କିମ୍ବା ବାରଟ୍ରାଣ୍ଡରସେଲଙ୍କ ସମକକ୍ଷ ହେବ । ଆଉ ମୁଁ ହେବି ପାଠ୍ୟ ପୁସ୍ତକ ରଚୟିତା । ଏକଥା ଭାବିଲା କ୍ଷଣି ଜୀବନଟା ବିସ୍ୱାଦ ହୋଇଉଠିଲା । ଦେଶରୁ ଯେତେବେଳେ ତା’ର ଗଲା-କୁନାର ଟାଇଫଏଡ୍, ଦେଖିବାକୁ ଚାହଁ ତ ଆକାଶପଥରେ ଉଡ଼ିଆସ, ବାଟ ଖର୍ଚ୍ଚ ପଠାଉଛି; ସେତେବେଳେ ଅବିଶ୍ୱାସ କଲି । ମା’ଙ୍କ ବେମାର ପରି ଏଟା ମଧ୍ୟ ଗୋଟିଏ ଅଭିନୟ । ମୋତେ ଏମାନେ କେହି ବିଖ୍ୟାତ ଦାର୍ଶନିକ ହେବାକୁ ଦେବେନାହିଁ । ଦେଶକୁ ଫେରାଇନେଇ କହିବେ, ବିଶ୍ଵବିଦ୍ୟାଳୟର ଚୌକି ଖାଲିହେଉଛି । ତଦ୍‌ବିର କର । ମୁଁ ଏ ଫାନ୍ଦରେ ଗୋଡ଼ ନ ଦିଏ । ଯେତେଦିନ ପାରେ ଅକ୍‌ସଫୋର୍ଡ଼ରେ ପଡ଼ିରହିବ-। ଟ୍ରାଙ୍କ-କଲ କରି ଖବର ନେଲି । ମନଟା ଘାଣ୍ଟିହେଲା । ଜୋର୍‌ କରି ମନକୁ ବୁଝାଇଲି, କାର୍ଲମାର୍କସଙ୍କର ମଧ୍ୟ ପୁତ୍ରବିୟୋଗ ହୋଇଥିଲା, ସେ ତା’ ବୋଲି ପଥଭ୍ରଷ୍ଟ ହୋଇନଥିଲେ-। ଦେଶକୁ ଫେରିଗଲେ ଯେ ସେ ବଞ୍ଚିବ, ସେଥିରେ ନିଶ୍ଚିୟତା କାହିଁ । ଏଥର ଫେରିଗଲେ କ’ଣ ଆଉ ଆସିପାରିବି ! ନାଁ, ଯିବିନି ।’’

 

ସନ୍ନ୍ୟାସୀଙ୍କ ଆଖିରେ ଲୁହ ଦେଖାଦେଲା । ଗାଢ଼କଣ୍ଠରେ କହିଲେ, ‘‘ମରିଗଲା । ଯିବା ପୂର୍ବରୁ ତା’ର ବିଶ୍ୱାସ ଥିଲା, ତା’ ବାପା ମେଘ ଉପର ଦେଇ ଉଡ଼ିଆସିବେ । ସେ ଆକାଶ ତଳେ ଶୋଇ ଅପଲକ ଦୃଷ୍ଟିରେ ଚାହିଁଥାଏ ଆଉ କ୍ଷଣକୁ କ୍ଷଣ କହେ-କାହିଁ, ବାପା କାହିଁ ! ବାପା ବାପା କରି ମରିଗଲା ପୁଅଟି । ଖବରଟା ଯେତେବେଳେ ପାଇଲି ସେତେବେଳେ ଯେ କି ଦୁଃଖ, ତା’ ମୁଁ କେଉଁଦିନ କାହାକୁ ବୁଝାଇପାରିବିନି । ଦୁଃଖ ସାଙ୍ଗରେ ଯୋଗଦେଇଥିଲା ଅପରାଧବୋଧ । ମନେହେଉଥିଲା, ମରିବା ଉଚିତ ଥିଲା ମୋର ହିଁ; ତା’ର ନୁହେଁ । ବଞ୍ଚିଥାଇ ମୁଁ କାହାର କ’ଣ ଉପକାର କରିବି ? ସେ ଯଦି ବଞ୍ଚିଥାଆନ୍ତା ଜଗତକୁ ଦେଇଯାଇଥା’ନ୍ତା କେତେ କ’ଣ ସମ୍ପଦ ! ଦର୍ଶନଶାସ୍ତ୍ରରେ ମୁଁ ଶାନ୍ତି ବା ସାନ୍ତ୍ୱନା ଖୋଜି ପାଇଲିନି । ମୃତ୍ୟୁରହସ୍ୟ ଭେଦ କରିବାର କ୍ଷମତା କୌଣସି ଦାର୍ଶନିକଙ୍କର ନାହିଁ । ଚିନ୍ତା ଏଠାରେ ଅକ୍ଷମ । ବୁଦ୍ଧି ଏଠାରେ ପରାସ୍ତ । ଦର୍ଶନ ଉପରେ ମୋର ବିତୃଷ୍ଣା ଆସିଗଲା । ଯଶ ପାଇଁ ଦର୍ଶନଚର୍ଚ୍ଚା ମୋ ପାଖରେ ପିଲାଖେଳ ପରି ଲାଗିଲା । ସଂକଟ ଆଲୋକରେ ନିଜକୁ ଚିହ୍ନିଲି । ମୁଁ ହୋଲଟ୍‌ବି ପରି ଜ୍ଞାନପାଇଁ ଜ୍ଞାନର ଉପାସକ ନୁହେଁ । ମୁଁ ଉଚ୍ଚାଭିଳାଷୀ । କିନ୍ତୁ କି ମୂଲ୍ୟରେ ?”

 

ସେ ଏଥର ପାଣି ମାଗିଲେ । ପିଇବା ପାଣି । ତାଙ୍କ ତଣ୍ଟି ଶୁଖିଯାଉଥିଲା ।

 

କହିଲେ, ‘‘ମହାରାଜାଙ୍କ ଚାକିରିରୁ ଇସ୍ତଫା ଦେଇ ଦେଶକୁ ଫେରିଲି । ଫେରିଆସି ଦେଖିଲି ସ୍ତ୍ରୀଙ୍କୁ ନେଇଯାଇଛନ୍ତି ପାଗଳାଗାରଦକୁ । ଝିଅକୁ କୋଳରେ ନେବାକୁ ଚାହିଁବାରୁ ଶାଶୁ ନେବାକୁ ଦେଲେନାହିଁ । କହିଲେ, ତୁମ ସାଙ୍ଗରେ ଆଉ କୌଣସି ସମ୍ପର୍କ ନାହିଁ । ତୁମେ ଯାହା, ଜଣେ ରାସ୍ତାର ଲୋକ ମଧ୍ୟ ସେଇଆ । ସେ ଝିଅ ପରକୋଳକୁ ଯିବ ନାହିଁ । ଝିଅଟାକୁ ସେମାନେ କ’ଣ ସେ ଶିଖେଇଥିଲେ, ସେ ମଧ୍ୟ ଥରେ ବାପା ବୋଲି ଡାକିଲାନାହିଁ; ମୁହଁ ବୁଲାଇନେଲା । ଅଥଚ ଏହି ଝିଅ ହିଁ ଥିଲା ମୋର ନୟନମଣି । ୟାକୁ କୋଳରେ ଧରି ମୁଁ ଦିନପରେ ଦିନ ଟହଲି ଟହଲି କଟେଇଛି । ରାତିରେ ଏ ଝିଅ କାନ୍ଦେ । ସେତେବେଳେ ଖଟ ପାଖକୁ ଯାଇ ମୁଁ ତା’ ମୁଣ୍ଡ ଦେହ ଆଉଁସିଦିଏ । ତା’ ମା’ ବିଛଣାରୁ ଉଠନ୍ତିନି । ତାଙ୍କ ନିଦ ସହଜରେ ଭାଙ୍ଗେନାହିଁ । ଭାଙ୍ଗିଲେ ବି ସେ ମୋତେ ହିଁ ତା’ ପା’ଖକୁ ପଠାଉଥିଲେ । ସେହି ଝିଅ ମୋତେ ଚିହ୍ନିପାରିଲା କି ନାହିଁ ସନ୍ଦେହ-। ଝିଅର ଅକୃତଜ୍ଞତାରେ ବିମର୍ଷ ହୋଇ ମୁଁ ରାଜା ଲୀୟରଙ୍କ ପରି ଗୃହତ୍ୟାଗକଲି । ନାନା ସ୍ଥାନ ବୁଲିଲି । କେତେ ସାଧକଙ୍କ ସାଙ୍ଗରେ ପରିଚୟ ହେଲା । ତା’ପରେ ଦିନେ ପାଇଗଲି ମୋର ଗୁରୁଙ୍କୁ । ସେ ମୋତେ ସଂସାରରେ ରହିବାକୁ ହିଁ ଉପଦେଶ ଦେଇଥିଲେ-ସ୍ତ୍ରୀଙ୍କର ସେବା କରିବାକୁ, ଝିଅର ଭାର ନେବାକୁ । ମୁଁ ତାଙ୍କର କଥା ଅନୁସାରେ ଚେଷ୍ଟା କରିଥିଲି କିଛି କାଳ-। ବୃଥା ଚେଷ୍ଟା । ଯେ ପାଗଳ ନୁହେଁ ତା’ ପାଗଳାମି ଭଲ କରିହୁଏନା । ସେ ସବୁ କଥା ଏତେ ଇଣ୍ଟିମେଟ ଯେ ଖୋଲି କହିବାପରି ନୁହେଁ । ଏପରିକି ଗୁରୁଙ୍କ ପାଖରେ ମଧ୍ୟ ନୁହେଁ । ସେ ଅନୁମାନରେ ବୁଝିଲେ; ତା’ପରେ ଦୀକ୍ଷା ଦେଲେ । ତା’ପରଠାରୁ ଏଗାର ବର୍ଷ ବିତିଗଲା । ସନ୍ନ୍ୟାସୀଙ୍କୁ ପରିତ୍ୟକ୍ତ ପରିବାରର ସଂବାଦ ନେବାକୁ ମନା । ମୁଁ ମଧ୍ୟ ନେଇନି । ସେମାନେ ମଧ୍ୟ ଦେଇନାହାନ୍ତି । ବଞ୍ଚିଛନ୍ତି କି ନାହିଁ ଜାଣେନା । ଥିଲେ କେଉଁଠି ଅଛନ୍ତି, ଶାଶୁଘରେ ନା ବାପଘରେ ତା’ ମଧ୍ୟ ଜାଣେନା-। ମୋର ବାପା-ମା’ ଆଗରୁ ଚାଲିଯାଇଥିଲେ । ସୁତରାଂ ଶାଶୁଘରେ ରହିବା ସମ୍ଭବ ନୁହେଁ-। ଝିଅର ବାହା-ବୟସ ହେଲାଣି । ଏହି ଆଶ୍ୱିନରେ ଅଠରରେ ପାଦଦେବ । ଆମ ସମାଜରେ ବାହା-ବୟସ କ୍ରମଶଃ ବଢ଼ୁଛି । ଆଶାକରେ ସେ ଯେତେଦିନ ପାରିବ, ବାଡ଼ୁଅ ରହିବ । ଭାବିବାକୁ କଷ୍ଟ ହୁଏ ଯେ ମୋ’ପରି ଗୋଟିଏ ଅପାତ୍ର ହାତରେ ପଡ଼ିବ । ତା’ ଅପେକ୍ଷା ଚିରକୁମାରୀ ରହିବା ଭଲ ।”

 

ଏହାପରେ ସେ ଭୋଳହୋଇ ଏଆଡ଼ୁ ସେଆଡ଼ୁ ବକିବାକୁ ଆରମ୍ଭ କଲେ । ତାଙ୍କୁ ବିରକ୍ତ କରିବାକୁ ସାହସ କଲିନାହିଁ । ରାତି ହୋଇଯାଇଥାଏ । ତାଙ୍କ ଟ୍ରେନ୍ ବାରଟାରେ । ତା’ ପୂର୍ବରୁ ସେ ଯଦି ଶୋଇପାରନ୍ତି ତେବେ ଭଲହେବ ।

 

ଏପରି ସମୟରେ ଡାକ୍ତରଙ୍କର ପାଟି ଶୁଣାଗଲା ବାହାରେ । ସେ ଆସିଥିଲେ ମୋର ନେଇ ସାଧୁଜୀଙ୍କୁ ଷ୍ଟେସନରେ ପହଞ୍ଚାଇଦେବାକୁ । ଷ୍ଟେସନ ଓ୍ୱେଟିଂ ରୁମ୍‌ରେ ତାଙ୍କର ବିଛଣା ବିଛାଯିବ । ସେଠାରେ ସେ ବିଶ୍ରାମ କରିବେ । ଧାନବାଦର ଟିକେଟ କଟା ହୋଇଛି । ସିଟ୍ ମିଳିଛି ସେଠାକାର ହସପିଟାଲରେ ।

 

ପୁଣି ତାଙ୍କୁ ଧରାଧରି କରି ଗାଡ଼ିରେ ବସେଇଦେବାକୁ ପଡ଼ିଲା । ଗାଡ଼ିରେ ଉଠିବା ମାତ୍ରକେ ପଚାରିଲେ, ‘‘ମୋ ଚିଲମ ? ମୋ ଚିଲମ କିଏ ନେଲା ?” ଚିଲମ ପାଇଁ ଦୌଡ଼ିବାକୁ ହେଲା ବାରଣ୍ଡାକୁ । ଚିଲମ ପାଇ ସେ ସ୍ୱର୍ଗ ହାତରେ ପାଇଲେ । ଯତ୍ନକରି ଆଲଖାଲ୍ଲା ପକେଟ ଭିତରେ ପୂରାଇଲେ । ତା’ପରେ ମୋଆଡ଼କୁ ଚାହିଁ ବିଖ୍ୟାତ ବିଦ୍ୱାନ୍ ବଡ଼ୋଦେକର କହିଲେ, ‘‘ବ୍ୟୋମ ବ୍ୟୋମ ! ବାବୁ ସାହେବ, ବ୍ୟୋମ ବ୍ୟୋମ ।”

 

ଗାଡ଼ି ଛାଡ଼ିଦେଲା ।

Image

 

ହାତର ଲକ୍ଷ୍ମୀ ପାଦରେ ଠେଲି

 

ଟେଲିଗ୍ରାମ୍ ଖଣ୍ଡକ ଯେତେବେଳେ ଆସିଲା ସେତେବେଳେ ମୁଁ ସେଠାରେ ଉପସ୍ଥିତ ଥିଲି । ମୋର ସମ୍ପାଦକ ବନ୍ଧୁ ଥାଉ, ନାଁ କହିବିନି-ସେଇଟା ଉପରେ ଥରେ ଆଖି ବୁଲେଇ ନେଇ ହଠାତ୍ ପାଟିକରି ଉଠିଲେ, ‘‘ୟ୍ୟାଁ ! ପରାଶର ମରିଗଲା !”

 

ତା’ପରେ ସେ ବେଲ୍ ଟିପି ବେୟାରା ଜରିଆରେ ସେ ଖଣ୍ଡକ ନିଉଜ୍ ଡିପାର୍ଟମେଣ୍ଟକୁ ପଠାଇଦେଲେ । ମୋଆଡ଼କୁ ଚାହିଁ କହିଲେ, “ଏବେ ଗୋଟିଏ ଶୋକସମ୍ବାଦ ଲେଖିବାକୁ ପଡ଼ିବ । ଯାହାହେଉ ଯୋଡ଼ିଜାଡ଼ି କିଛି ଗୋଟାଏ ଲେଖିବା ଦରକାର । କାହା ଉପରେ ଭାର ଦେଇପାରେ, ଭାବୁଛି ।”

 

ମୁଁ ବସି ବସି ତାଙ୍କର ଭାବାନ୍ତର ଲକ୍ଷ୍ୟ କରୁଥିଲି । ତାଙ୍କ ଆଖିରେ ପାଣିର ଆଭାସ ଥିଲା । କଳାଛାଇ ପଡ଼ିଥାଏ ତାଙ୍କ ମୁହଁରେ । ଆଘାତ ପାଇଛନ୍ତି, ସନ୍ଦେହ ନାହିଁ; କିନ୍ତୁ ସେପରି କେତେ ପାଇଛନ୍ତି । ଦି’ମିନିଟ ଭିତରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲେ । କହିଲେ, ‘‘ଶୋକ ସତ୍ୟ, ସମ୍ବାଦ ସତ୍ୟ, ତେବେ ମଧ୍ୟ ଶୋକସମ୍ବାଦ ସତ୍ୟ ନୁହେଁ । ଦେଶଲୋକ ତ ଜାଣନ୍ତିନି, ସେ କି ହଇରାଣ ନ ହେଇଛି ଏବଂ ନ କରିଛି । ସେପରି ଗୋଟିଏ ଜୀବନ ଅକାଳରେ ଶେଷ ହୋଇଗଲା ବୋଲି ହା-ହତୋସ୍ମି କରିବି, ନାଁ ମନେ ମନେ ପ୍ରାର୍ଥନା କରିବି-ଭାଇ, ଇହଲୋକରେ ତ ସୁଖୀ ହେଲନି, ପରଲୋକରେ ସୁଖୀ ହୁଅ ।”

 

ମୋର କୌତୂହଳ ଉଜ୍ଜୀବିତ ହୋଇଥାଏ । ପଚାରିଲି, ଆପଣ ତାଙ୍କୁ ଚିହ୍ନନ୍ତି ?”

 

‘‘ଚିହ୍ନେନି ? ମୋର ପିଲାଦିନର ସାଙ୍ଗ । ବଡ଼ଲୋକ ହେଲେ କ’ଣ ହେବ, ମୋତେ ଠିକ୍ ପିଲାଦିନ ପରି ଭଲପାଉଥିଲା । ମୋ ପାଖରେ ଥିଲା ତା’ର ଅବାରିତ ଦ୍ଵାର, ଅବାରିତ ହୃଦୟ-। ଲୋକେ କହନ୍ତି, ଟଙ୍କାରେ କ’ଣ ନ ହୁଏ । କ’ଣ ନହୁଏ, ସେ କଥା ତା’ ସାଙ୍ଗରେ ମିଶି ବୁଝିଛି-।”

 

ବେଶ୍ ଗୋଟାଏ କାହାଣୀ ପରି ଲାଗୁଥାଏ । କହିଲି, ‘‘ସେ ସବୁ କଥା ଲେଖୁଛନ୍ତି ତା’ହେଲେ ?”

 

‘‘କିଏ, ମୁଁ ! ପାଗଳ ହେଲେ ! ଶୋକସମ୍ବାଦର ଗୋଟିଏ ବନ୍ଧା ଛକ ଅଛି । ଯାହା ଲେଖିବାର ତାହା ମୋର ସହକାରୀମାନେହିଁ ଲେଖନ୍ତି । ମୁଁ କେବଳ ଯୋଗ୍ୟ ପାତ୍ରଙ୍କ ଉପରେ ଭାର ଦେଇଥାଏ । ପରାଶରର ଶୋକସମ୍ବାଦ ଲେଖିବାକୁ ହେଲେ ହରେନ୍‌କୁ ଦେଇ ଲେଖେଇବା ଭଲ । କାଲି ପଢ଼ିବେ ତା’ ଲେଖା ।” ଏହା କହି ସେ ଗୋଟିଏ ସ୍ଲିପ୍ ଲେଖି ହରେନ୍‌ବାବୁଙ୍କ ପାଖକୁ ପଠାଇଦେଲେ । ସେଥିରେ ଥିଲା କେତେଗୁଡ଼ିଏ ବାକ୍ୟାଂଶ-ବଡ଼ଲୋକ । ଦାତା । ଦେଶବତ୍ସଳ । ଗୁଣଗ୍ରାହୀ । ହରିଭକ୍ତ ।

 

ମୋତେ ହସ ମାଡ଼ୁଥାଏ । କହିଲି, ‘‘ହରେନ୍‌ବାବୁ ତାଙ୍କୁ ଚିହ୍ନନ୍ତି ?”

 

ସେ ଦିଆସିଲି କାଠି ଜଳେଇ କହିଲେ, ‘‘କେଉଁ କାଳେ ନୁହେଁ; କିନ୍ତୁ ଟାଇପ୍‌ଟା ତା’ର ଜଣାଅଛି । ଆପଣ ନିଶ୍ଚିନ୍ତ ରହନ୍ତୁ । ମୃତଙ୍କ ପ୍ରତି କୌଣସି ଅବିଚାର ହେବନାହିଁ । ତେବେ ତା’ ଜୀବନରୁ ଜୀବନଟା ବାଦ୍ ପଡ଼ିବ । ଦୈବାତ୍ ମୁଁ ତା’ ବନ୍ଧୁ ଓ ସାଙ୍ଗ । ନ ହେଲେ ମୁଁ ମଧ୍ୟ ହରେନ୍ ପରି ଛାଞ୍ଚରେ ଢାଳି ଶୋକସମ୍ବାଦ ଲେଖିଥା’ନ୍ତି । ଜୀବନବିହୀନ ଜୀବନୀ ।”

 

ଏଥର ମୁଁ ଶୁଣିବାକୁ ଚାହିଁଲି ଅସଲ ଘଟଣାଟା । ସେ କହିଲେ ଧୀରେ ଧୀରେ–

 

 

ଆମର ସେକେଣ୍ଡ ପଣ୍ଡିତ ଥିଲେ ତା’ ବାପା । କଥା-କଥାକୁ କହୁଥିଲେ ‘ଦାରିଦ୍ରଦୋଷୋ ଗୁଣରାଶିନାଶୀ ।’ ଉକ୍ତିଟା ତା’ ମନରେ ବସିଯାଇଥିଲା । ସେ ମୋତେ ତା’ ମନକଥା ଖୋଲି କହୁଥିଲା, ‘‘ଆଉ ଯାହା ହୁଏ ପଛକେ, ଗରିବ ଯେପରି ନ ହୁଏ ।” ସେଇ କାଳରୁ ତା’ର ‘ବୋଲି’ ଥିଲା-ଟଙ୍କାରେ କ’ଣ ନ ହୁଏ !

 

ଦେଖିବାକୁ ଶୁଣିବାକୁ ଭଲ, କିନ୍ତୁ ଏପରି କିଛି ସୁନ୍ଦର ନୁହେଁ ଯେ କେବଳ ସେଥିପାଇଁ କେହି ତାକୁ ଯାଚି ଘରଜୋଇଁଆ କରିବ । କିନ୍ତୁ ଆଶ୍ଚର୍ଯ୍ୟ, ସେଇଆ ହେଲା । କଲେଜରେ ଭର୍ତ୍ତିହେବାର ମାସ କେତେଟା ପରେ ବାପକୁ ନ କହି ଆମମାନଙ୍କୁ ଖବର ନଦେଇ ସେ କଲିକତାର ଏକ ବିଖ୍ୟାତ ବଂଶରେ ବାହା ହୋଇ ବସିଲା ଏବଂ ତାଙ୍କ ଘରେ ବସବାସ କଲା । ମେସ୍‌ରେ ତା’ ଜିନିଷପତ୍ର ପଡ଼ିରହିଲା ମୋ ଜିମାରେ । ଥରେ ଫେରିଆସି ଦେଖିଗଲା ନାହଁ ତା’ ମା-ବାପାଙ୍କ ଦାନ ।

 

ତା’ ସାଙ୍ଗରେ କଲେଜରେ ସାକ୍ଷାତ୍ ହେଲେ ସେ ମୁହଁ ତଳକୁ ପୋତିଦେଉଥିଲା, କଥା କହୁନଥିଲା । ଗୋଟିଏ ଗୋଟିଏ ଆଙ୍ଗୁଠିରେ ଗୋଟିଏ ଗୋଟିଏ ପ୍ରକାର ପଥର ଖଞ୍ଜାଯାଇଥିବା ମୁଦି । ପାଦରେ ଜରି ଚପଲ । ଅଙ୍ଗରେ ସଯତ୍ନ କୁଞ୍ଚିତ ଧୋତି ଓ ପଞ୍ଜାବି । କାଶ୍ମୀରୀ ଶାଲ । ବାହାପାଣି ପଡ଼ି ତା’ ଚେହେରାରେ ମଧ୍ୟ ଉନ୍ନତି ହୋଇଥିଲା । ସବୁ ତାକୁ ମନାଉଥିଲା । ଯେଉଁମାନେ ତାକୁ ଚିହ୍ନିନଥିଲେ, ସେମାନେ ଭାବୁଥିଲେ କୌଣସି ଜମିଦାରପୁତ୍ର ହେବ ପରା । ପଢ଼ାଶୁଣାରେ ପଣ୍ଡିତପୁତ୍ର ନଥିଲା । ତାକୁ ସମସ୍ତେ ମିଶି ପେଲାପେଲି କରି ମ୍ୟାଟ୍ରିକଟା ପାଶ କରାଇ ଦେଇଥିଲେ । ତା’ ମଧ୍ୟ ପ୍ରାୟ ଊଣେଇଶି ବର୍ଷ ବୟସରେ । ବାରମ୍ବାର ଫେଲ୍ ହେବା ପରେ ଯାଇ ମୋର ସହପାଠୀ ହୁଏ ।

ଦେଖୁ ଦେଖୁ ତା’ର ଢଙ୍ଗ ବଦଳିଗଲା । ତା’ ଚାଲିଚଳଣ ହୋଇଉଠିଲା ବୁନିୟାଦି ଘର ପରି । ଆମେ ଯେଉଁମାନେ ତାକୁ ଦୁର୍ଦିନରେ ଦେଖିଛୁ, ସେମାନେ ତାକୁ ତା’ ସୁଦିନରେ ଦେଖି ନିଜ ନିଜ ସ୍ମରଣଶକ୍ତି ଉପରେ ବିଶ୍ଵାସ ରଖିପାରିଲୁ ନାହଁ । ଆଉ ସମସ୍ତେ ତାକୁ ଏଡ଼େଇ ଚାଲିଲେ । ଦରକାର କ’ଣ ବଡ଼ଲୋକର ଘରଜୋଇଁଆଙ୍କ ସାଙ୍ଗରେ ବନ୍ଧୁତା କରିବା । ଏକମାତ୍ର ମୁଁ ତିଷ୍ଠି ରହିଲି ଶେଷ ପର୍ଯ୍ୟନ୍ତ । କାହିଁକି, ଜାଣେନାଁ । ବୋଧହୁଏ ସାମ୍ବାଦିକଙ୍କର ସହଜାତ ଔତ୍ସୁକ୍ୟବଶତଃ-। ମୋ ସାଙ୍ଗରେ ସେ କେବେହେଲେ ଅଭଦ୍ର ବ୍ୟବହାର କରିନି ।

କଲେଜ ପଢ଼ାପଢ଼ିରେ ତା’ ମନ ନଥିଲା । ଫେଲ୍ ହୋଇ ନାଁ ଖରାପ କରିବା ପୂର୍ବରୁ ସେ ମାନେ ମାନେ ଖସିଗଲା । ତା’ ଶ୍ଵଶୁରଘରର ଅନେକଗୁଡ଼ିଏ କାରଦାର ମଧ୍ୟରେ ଗୋଟିଏ ଥିଲା ଜାହାଜର ମାଲ୍ ଖଲାସ କାରବାର । ଷ୍ଟିଭେଡୋର ଫାର୍ମ । ପରାଶରର ଖିଆଲ ଗଲା ଷ୍ଟିଭେଡୋର ହେବାକୁ । କଲିକତା ବନ୍ଦରକୁ କୌଣସି ଜାହାଜ ଆସିଲେ ପରାଶର ଯାଇ ମାଲ୍ ଓହ୍ଲାଇବାର ବ୍ୟବସ୍ଥା କରୁଥିଲା । ଜାହାଜର ପେଟ ଖାଲି ହେଲେ ପୁଣି ଅନ୍ୟ ମାଲ୍ ବୋଝେଇ କରିବାର ଭାର ନେଉଥିଲା । ନିଜ ହାତରେ ତାକୁ କିଛି କରିବାକୁ ପଡ଼ୁନଥିଲା । ବହୁ ଲୋକବାକ ଥିଲେ । ସାହାବ ଇତ୍ୟାଦିଙ୍କ ସାଙ୍ଗରେ କଥା କହିବା ହିଁ ଥିଲା ତା’ର ପ୍ରଧାନ କର୍ମ । ଚରିତାର୍ଥତା ମଧ୍ୟ । ତା’ର ସ୍ଵପ୍ନ ଥିଲା ଜାହାଜରେ ଚଢ଼ିବା । ସେହି ସ୍ଵପ୍ନ ଏହିପରି ଭାବରେ ମେଣ୍ଟୁଥିଲା ।

ମୁଁ ଯେତେବେଳେ ବି. ଏ. ପାଶ୍ କରି ‘ବେଙ୍ଗଲୀ’ରେ କାମ କରୁଛି, ସେତେବେଳେ ଦିନେ ପରାଶର ଆସି ହାଜର । ମୁଁ ଭାବିଥିଲି କାଗଜରେ ନାଁ ଛପେଇବାର ଫିକର ନେଇଆସିଛି । ଏଇନେ ପକେଟରୁ ଗୋଟିଏ ଫଟୋ ବାହାର କରିବ । ତା’ ନୁହେଁ । ବିଚାରାର ମୁହଁରେ ଆଖିରେ ଆତଙ୍କ । ଚେହେରା ଓଦା କାଉ ଭଳିଆ । ସେ ଚାକଚକ୍ୟ ଆଉ ନାହିଁ । ଗୋଟିଏ ‘‘ରକ୍ଷାକର, ରକ୍ଷାକର’’ ଚେହେରା । କାରବାର ଫେଲ୍ ନା ବାବୁମାନେ ଲାଲବତି ଜାଳିଛନ୍ତି, ଘଟଣା କ’ଣ କିଏ ଜାଣେ !

‘‘ତୁ ମେସ୍‌କୁ କେତେବେଳେ ଫେରିବୁ ?” ସେ ଜାଣିବାକୁ ଚାହିଁଲା ।

“ଏଇ ଆଉ ଟିକିଏ ଗଲେ ।’’

“ଆଚ୍ଛା, ମୁଁ ସେତେବେଳ ଯାଏଁ ବସିଛି । ତୁ ଶୀଘ୍ର ଶୀଘ୍ର ସାରିନେ ।”

“କାହିଁକି, କିଛି କହିବୁ ?”

“ହଁ, ମୁଁ ଏବେଠୁଁ ତୋ ସାଙ୍ଗରେ ତୋ ମେସ୍‌ରେ ରହିବି ।”

କାବା ହେଲି ଶୁଣି । ତା’ ଜିନିଷପତ୍ର ଏ ଚାରିବର୍ଷରେ ବେଦଖଲ ହୋଇଥାଏ । କେହି ଖଟ, କେହି ତକିଆ, କେହି ଗଦି ଧାର ନେଇଥା'ନ୍ତି; ଫେରେଇ ନଥା’ନ୍ତି । ଏବେ ଆଉ ଗୋଟିଏ ସେଟ୍ ସଂଗ୍ରହ କରିବାକୁ ହେବ । କିନ୍ତୁ ବଡ଼ଲୋକର ଜୋଇଁର ଏ ପରିବର୍ତ୍ତନ କାହିଁକି ?

 

ହାତକାମ ପକାଇ ରଖି ଗଲି ତାକୁ ନେଇ ମେସ୍‌କୁ । ମୋ ଘରେ ସେ ମୋର ଗେଷ୍ଟ ହେଲା । ହଲହଲା ଶସ୍ତା ଖଟ ଉପରେ ସତରଞ୍ଜ ପାରି ଗୋଲ ତକିଆ ଉପରେ ମୁଣ୍ଡ ରଖି ପରାଶର କହିଲା, ‘‘ଆଃ, ବଞ୍ଚିଲି । ଆଜି ମୋର ସୁନିଦ୍ରା ହେବ ।”

 

ସେଦିନ ସେ ଖୋଲି କହିଲାନି, ମୁଁ ମଧ୍ୟ ଜୋର କଲିନି । ଦାମ୍ପତ୍ୟ-କଳହ ବୋଧହୁଏ । ବହ୍ୱାରମ୍ଭେ ଲଘୁକ୍ରିୟା । ଫେରିଯିବ ଦି’ ଦିନ ବାଦରେ । ଆମର ତ ସୌଭାଗ୍ୟ ହେଇନି । ମନେହେଲା କଳହରେ ମଧ୍ୟ ସୁଖ ଅଛି, ଯଦି ମନଲାଖି ଆଉଜଣେ ଥାଏ । କେଉଁଠି ସେ ଆଉ ଜଣେ, କେବେ ପାଇବି ତା’ ଦେଖା !

 

ପରାଶର କିନ୍ତୁ ମେସ୍‌ରେ ରହିଗଲା; ଶ୍ଵଶୁରଘରକୁ ଫେରିଗଲାନି । ଶୁଣିଲି ସେ ଅନ୍ୟ କେଉଁ ଷ୍ଟିଭେଡ଼ୋର କମ୍ପାନୀରେ ଠିକାଦାର କାମ କରୁଛି । ଶ୍ଵଶୁରଘର ସାଙ୍ଗରେ ବନ୍ଧୁ କାଟିଦେଇଛି-। ମୋର ସାମ୍ବାଦିକ କୌତୂହଳ ଜାଗିଉଠିଲା । ମୋ ଭିତରେ ଯେଉଁ ନିଜସ୍ଵ ସମ୍ବାଦଦାତା ଥିଲା ସେ ତାକୁ ଇନ୍‌ଟରଭିଉ କଲା ।

 

“ଆଚ୍ଛା, ଏ କଥା କ’ଣ ସତ,” ମୁଁ ତାକୁ ପ୍ରଶ୍ନ ପଚାରିଲି, ‘‘ଯେ ତୁ କୁଆଡ଼େ ତୋ’ ଶ୍ଵଶୁରଙ୍କ ଫାର୍ମର ପାଣ୍ଠି ତୋଷରପାତ କରି ପଳାଇଆସି ସେହି ଟଙ୍କାରେ ଠିକାଦାରୀ କରୁଛୁ ?”

 

ସେ ଚମକିଉଠିଲା-‘‘ଛି ଛି ! କେଉଁମାନେ ଏପରି କଥା ପ୍ରଚାର କରୁଛନ୍ତି ?”

 

ୟା ପରେ ସେ ଯାହା କହିଲା, ସେଥିରେ ମୋ ପ୍ଳୀହା ଚମକିପଡ଼ିଲା । ମୁଁ ତା’ ମୁହଁଆଡ଼କୁ ଚାହିଁ କାଲୁଆମାରିଗଲି । ସେ ଯାହା କହୁଛି ତା’ ଯଦି ସତ ହୋଇଥାଏ ତେବେ ତ ମଣିଷଟା ବଞ୍ଚିଛି ବୋଲି ଭଗବାନଙ୍କୁ ଧନ୍ୟବାଦ ଦେବାକୁ ହୁଏ ।

 

“ପରାଶର, ତୁ ଭୁଲ ଦେଖିଛୁ ! ଏହା କଦାପି ଠିକ୍ ହୋଇନପାରେ ।”

 

‘‘କାହିଁକି, ମୁଁ କ’ଣ ଅନ୍ଧାରକଣା ? ମୋ ବ୍ୟବହାର ଦେଖି କ’ଣ ମନେହୁଏ ମୁଁ ଆଖିରେ ଭଲ ଦେଖେନା ? ଚାଲ ମୋତେ ନେଇ ଚଷମା ଦୋକାନକୁ । ପରଖି ଦେଖୁ ମୋ ଦୃଷ୍ଟି ।”

 

‘‘କିନ୍ତୁ ବିରାଡ଼ିଟା ଯେ ମରିଗଲା ଏହା କ’ଣ ତୁ ନିଜ ଆଖିରେ ଦେଖିଛୁ ?”

 

‘‘ବିରାଡ଼ିଟା ଯନ୍ତ୍ରଣାରେ ଛଟପଟ ହେଇ ଘରୁ ଦୌଡ଼ି ବାହାରିଗଲା । ତା’ପରେ ଆଉ ମୁଁ ତାକୁ ଦେଖିନି । ବଞ୍ଚିଥିଲେ ସେମାନେ ହିଁ ସେଇଟାକୁ ମୋ ସାମନାକୁ ନେଇଆସନ୍ତେ ମୋର ଭୁଲ୍ ଧାରଣା ଦୂର କରିବାପାଇଁ । ତୁ ଯା’ନା, ଯାଇ ସେଇଟାକୁ ନେଇ ଆ’, ଯଦି ବଞ୍ଚିଥାଏ । ତା’ହେଲେ ମୁଁ ନାକ ଘଷି, ନିଜ ହାତରେ ନିଜ କାନ ମୋଡ଼ି ଶ୍ୱଶୁରଘରକୁ ଫେରିଯିବି; ତୋ ଭାଉଜ ଗୋଡ଼ ଧରି କହିବି ମୋତେ କ୍ଷମା ଦିଅ ।”

 

ଏହାପରେ କିପରି ଅବିଶ୍ଵାସ କରିବି ଯେ ବିଲେଇଟା ବିଷମିଶା ମାଛଭାତ ଖାଇ ମରିଯାଇଛି । କିନ୍ତୁ ଏପରିକି ପ୍ରମାଣ ଅଛି, ଯାହାଦ୍ୱାରା ସାବ୍ୟସ୍ତ ହୁଏ ଯେ ଅପରାଧଟା ଆଉ କାହାରି ନୁହେଁ, ସ୍ଵୟଂ ଭାଉଜଙ୍କର ?

 

“ଅଛି ନିଶ୍ଚୟ ପ୍ରମାଣ । ମୋର ସେପରି ଭୋକ ନ ଥାଏ, ମୁଁ ଖାଇବାକୁ ଚାହିଁନି ସେ ରାତିରେ । ମୋତେ ଏତେକରି ବଳାଇବାର ଦରକାର କ’ଣ ଥିଲା ! ଓଳିଏ ନଖାଇଲେ କ’ଣ ମଣିଷ ବଞ୍ଚେନା ! ‘ଆସ, ଉଠ, ମୋ ମୁଣ୍ଡ ରାଣ, ଦିଓଟି ମୁହଁରେ ଦିଅ, ତୁମେ ନ ଖାଇଲେ ମୁଁ ଖାଇପାରିବିନି’…କାହିଁକି, ଏତେ ସାଧ୍ୟ-ସାଧନା କାହିଁକି ? ଏଇଟା କାହାର ଲକ୍ଷଣ ?”

 

“ବୋଧହୁଏ ତୁ ସେଦିନ ରୁଷିକରି ଖାଇବା ବନ୍ଦ କରିଥିଲୁ ?”

 

‘‘ବା, ରୁଷିବାର କାରଣ ଥିଲେ ରୁଷିବିନି ! ବଡ଼ଲୋକ ଝିଅ ବାହାହୋଇଛି ବୋଲି କ’ଣ ରାଗିବାର ଅଧିକାର ନାହିଁ । ଯେକୌଣସି ଫାର୍ମକୁ ଗଲେ ମୋତେ ପାଛୋଟି ନେବେ । ମୁଁ କ’ଣ ବସି ବସି ଶ୍ଵଶୁରର ଅନ୍ନ ଧ୍ଵଂସ କରୁଛି, ନା ରୀତିମତ ମୁଣ୍ଡଝାଳ ତୁଣ୍ଡରେ ମାରି ଖାଉଛି ? ନା, ନା, କଥାଟା ବୁଝି ଦେଖ, ଅପମାନର ଭାତ ତୁ ହେଲେ ମୁହଁରେ ଉଠାନ୍ତୁ ?”

 

ମୋର କିନ୍ତୁ ବିଶ୍ୱାସ ହେଉନଥିଲା ଯେ ସ୍ଵାମୀଙ୍କ ଭାତରେ ବିଷ ମିଶାଇ ଖାଇବାକୁ ସାଧ୍ୟ ସାଧନା କରୁଥିଲେ ଭାଉଜ । ଜୀବନସାରା ବିଧବା ହେବା ଡର, ନିଃସନ୍ତାନ ହେବା ଡର, ଯେକୌଣସି ନାରୀକୁ ନିରସ୍ତ କରିବ, ଯଦି ଅବା ତା’ ମନରେ ପାପ ଥାଏ । ତା’ ଛଡ଼ା ପୂର୍ବରେ ତ କୌଣସି ଦିନ ଭାଉଜଙ୍କ ପ୍ରଶଂସା ଭିନ୍ନ ନିନ୍ଦା ଶୁଣିନି ।

 

“ପରାଶର, ତୁ ଭୁଲ୍ ବୁଝିଛୁ । ବିଷ ଯଦି କେହି ମିଶେଇଥାଏ ତେବେ ଭାଉଜ ସେ କଥା ଜାଣିନଥିଲେ । ସତେତ, ସ୍ଵାମୀ ନ ଖାଇଲେ ସ୍ତ୍ରୀ ବା ଖାଇବ କିପରି !”

 

‘‘ପ୍ରକାଶ୍ୟରେ ହୁଏନା ସତ୍ୟ, କିନ୍ତୁ ଗୋପନରେ ଏତେ କିଛି ଖିଆଯାଏ ଯେ ବାକି ଯା’ ରହେ ସେଟା ଲୋକ ଦେଖାଣିଆ । ସେ ଯଦି ସେ ରାତିରେ ଉପାସ ରହିଥାନ୍ତେ ତା’ହେଲେ ଏପରି କିଛି କ୍ଷତି ହୋଇନଥା’ନ୍ତା । ମଝିରୁ ବିଲେଇଟା ବଞ୍ଚିଯାଇଥା’ନ୍ତା । ତେବେ କିଏ ଜାଣେ, ବାପା, ଦୁଇ ଚାରିଦିନ ପରେ ପୁଣି ହୁଏତ ବିଷ ଦିଅନ୍ତା, ସେତେବେଳକୁ ହୁଏତ ବିଲେଇ ନ ଥାନ୍ତା, ଭୋକଦାଉରେ ମୁଁ ହୁଅନ୍ତି ବିଲେଇ ।”

 

ମୁଁ ଏଥର ତର୍କ କଲି, “ଆଚ୍ଛା, ନିଜେ ବିଧବା ହୋଇ ତାଙ୍କର କ’ଣ ଲାଭ କହିଲୁ ?”

 

“କାହିଁକି, ବିଧବା-ବିବାହରେ ତ ବାଧା କିଛି ନାହିଁ । ତାଙ୍କ ଘରେ ଥରେ ହେଇଛି । ମୋ ପରି ଅପାତ୍ରକୁ ସେମାନେ ଜୋଇଁ କରିଥିଲେ କାହିଁକି, ଜାଣୁ ? ସମାଜରେ ପତିତ ହୋଇଥିଲେ ବୋଲି ।”

 

ଏହାପରେ କହିବାର ଆଉ କ’ଣ ଥାଇପାରେ ! ମୋର ବିଶ୍ଵାସ ହେଲାନାହିଁ ଯେ ବିଷ ଦେଇଥିଲେ ଭାଉଜ । କିନ୍ତୁ ପରାଶରକୁ ବିଶ୍ୱାସ କରାଇବା ଶକ୍ତି ଯେ ଆଉ କେହି ଦେଇଥିଲେ । ତା’ର ସେ ବଦ୍ଧମୂଳ ଧାରଣା ଟଳିବାର ନୁହେଁ । ସମୟରେ ଟଳିପାରେ; ଏହା ବିଚାରି ମୁଁ ନିରସ୍ତ ହେଲି । ଆଦୌ କେହି ବିଷ ଦେଇଥିଲେ କି ନାହିଁ, ବିଲେଇଟା ବିଷ ଖାଇ ପଳେଇଥିଲା ନାଁ କଣ୍ଟା ବିନ୍ଧିବାରୁ ପଳେଇଥିଲା, ମରିଗଲା କି ଫେରାର ହେଲା, ଏ. ସବୁ ବିଷୟରେ ମଧ୍ୟ ମୁଁ ନିଃସନ୍ଦେହ ହୋଇପାରିନି ।

 

ପରାଶର ମୋ ମେସ୍‌ରେ ସ୍ଥାୟୀ ମେମ୍ବର ହେଲା । ମାସ ପରେ ମାସ, ବର୍ଷ ପରେ ବର୍ଷ ତାକୁ ସେଠାରେ ରହିବାର ଦେଖି ମୋର ମଧ୍ୟ ଧାରଣା ଜନ୍ମିଲା ଯେ ଶ୍ୱଶୁରଘରେ ତା’ ପ୍ରାଣ ନିରାପଦ ନୁହେଁ । ସେପଟେ ତା’ ଠିକାଦାରୀରେ ସେ ବେଶ୍ ଲାଭ ଦେଖାଇବାକୁ ଲାଗିଲା । ମେସ୍‌ର ଗୋଟିଏ ପୂରା ବଖରା ଏକେଲା ନିଜ ପାଇଁ ଭଡ଼ାନେଲା । ଏହା ନିୟମ ବିରୁଦ୍ଧ । କିନ୍ତୁ ଟଙ୍କାରେ କ’ଣ ନ ହୁଏ । ମାସକୁ ଗୋଟିଏ କରି ଭୋଜି ଦିଏ ମେସ୍‌ର ସମସ୍ତଙ୍କୁ । ତା’ଛଡ଼ା ଯିଏ ତା’ ଘରକୁ ଯାଉଥିଲା, ସେ ତା’ ସାଙ୍ଗରେ ଚାହା ପିଉଥିଲା । ଖାଲି କ’ଣ କପେ ଚାହା ! ଚପ୍ କଟଲେଟ, ଗୁଲଗୁଲା, ବାଇଗଣି, ଘୁଘୁନି, ଜିଲାପି ।

 

ଆଶ୍ଚର୍ଯ୍ୟ । ତା’ ଶ୍ଵଶୁରଘରୁ କେହି କେବେ ଆସିଲେନି ତାକୁ ଫେରେଇନେବା ପାଇଁ । ମୁଁ ତ ଆଶା କରିଥିଲି, ଭାଉଜ ନିଜେ ଥରେ ଆସିବେ । କାହିଁ, ସେପରି କିଛି ତ ଘଟିଲା ନାହିଁ । ଯେତେଦୂର ଜାଣେ, ସେ ଖଣ୍ଡେ ଚିଠି ମଧ୍ୟ ଲେଖିଲେନି ସ୍ଵାମୀଙ୍କ ପାଖକୁ । ଅଦ୍‍ଭୁତ !

 

କେତେବର୍ଷ ପରେ ପରାଶର ଜାହାଜ କାମରେ ବିଲାତ ଚାଲିଯାଏ । ବିଲାତରୁ ଫେରି ହେଷ୍ଣିଂସ ଅଞ୍ଚଳରେ ଫ୍ଲାଟ ନିଏ । ମୋ ସାଥିରେ ତା’ର କାଳେ ଭଦ୍ରେ ଦେଖାହୁଏ । କିନ୍ତୁ ମୋର ମେସ୍ ବାବୁମାନେ ତାକୁ ଏତେ ସହଜରେ ଛାଡ଼ିଲେନି । ତାଙ୍କ ଭିତରେ ଜଣଙ୍କର ଗୋଟିଏ ଅରକ୍ଷଣୀୟା ଭଉଣୀ ଥିଲା । ଦେଖିବାକୁ ଭଲ ନୁହେଁ; ମ୍ୟାଲେରିଆ ଶୀର୍ଣ୍ଣ, କିନ୍ତୁ ଅତ୍ୟନ୍ତ ସ୍ନିଗ୍‌ଧ ପ୍ରକୃତିର କଲ୍ୟାଣୀ ନାରୀ । ମୁଁ ତାକୁ ଦେଖିଛି । ଭଦ୍ରଲୋକ ମୋତେ ମଧ୍ୟ ଧରିଥିଲେ ତା’ ପାଇଁ । ମୁଁ କିନ୍ତୁ ଧରାଦେଇନି । ଆଜିଯାଏଁ ଝିଅପିଲାଙ୍କ ସାଙ୍ଗରେ ମୋର ‘ବଡ଼ଭାଇ’ ସମ୍ପର୍କ । ‘ଆଗୋ’ ସମ୍ପର୍କ ଏ ଜୀବନରେ ହେଲାନି ।

 

କନ୍ୟାଟିର ନାଁ ମଧ୍ୟ ପୁରୁଣାକାଳିଆ । ପରଶମଣି । ପରାଶର ସାଙ୍ଗରେ ନାଁ’ର ମେଳଥିଲା । କିଏ ଜାଣେ କାହିଁକି ପରାଶରର ତା’କୁ ପସନ୍ଦ ହୋଇଗଲା । ପରାଶର କହିଲା, “ବଡ଼ଲୋକର ଝିଅ ବାହାହୋଇ ଦେଖିଲି, ସେଥିରେ ସୁଖ ନାହିଁ । ସୁଖ ଯଦି ଚାହଁ ତ ଗରିବ ଘର ଝିଅ ବାହାହୁଅ । ଗୁଣ ଥିଲେ ହିଁ ଯଥେଷ୍ଟ । ରୂପରେ ଦରକାର ନାହିଁ । ଏଥର ମୁଁ ଆଶା କରିପାରେ ଯେ, ଦାମ୍ପତ୍ୟ ଜୀବନରେ ସୁଖୀ ହେବ ।”

 

ଆମ୍ଭେମାନେ କହିଲୁ, ‘‘ତଥାସ୍ତୁ ।”

 

ଧୁମ୍‌ଧାମ କରି ତା’ର ଦ୍ଵିତୀୟଥର ବାହାଘର ହୋଇଗଲା । ହେଷ୍ଟିସ୍ ଫ୍ଲାଟରେ ଅସୁବିଧା ହେବ ବୋଲି ଭାର୍ଯ୍ୟାକୁ ରଖିଆସିଲା ଗାଁ ଘରେ । କଲିକତାରେ ଘର ଖୋଜିବାକୁ ଲାଗିଲା ।

 

ସମ୍ପାଦକ କହୁ କହୁ ଉତ୍ତେଜିତ ହୋଇଉଠିଲେ–

 

କଲିକତାରେ ଘରଖୋଜା ଆଉ ସରେନା । ଦେଢ଼ବର୍ଷ ପରେ ସେହି ଭଦ୍ରଲୋକ ଦିନେ ମୋ ଘରେ ଆସି କବାଟ କିଳିଲେ । ମୋ ସାଙ୍ଗରେ ତାଙ୍କର ଗୋପନୀୟ କଥା ଅଛି ।

 

କି କଥା !

 

ପରାଶର ତା’ ଭାର୍ଯ୍ୟାକୁ କିଛିଦିନ ଗାଁ ଘରେ ରଖି ତା’ପରେ ପଠେଇଦେଲା ବାପଘରକୁ ପୋଖତି ହେବା ପାଇଁ । ପ୍ରସବପରେ ତାକୁ ଖବର ଦିଆଗଲା ସେ ଗୋଟିଏ ପୁତ୍ର-ସନ୍ତାନ ହୋଇଛି । ଖବର ଶୁଣି ସେ ନ ଗଲା ତା’ ବଂଶଧରକୁ ଦେଖିବାକୁ, ନ ନେଲା କୌଣସି ଖବର । କଲିକତାରେ ସେମାନଙ୍କୁ ଆଣି ରଖିବା ନାଁ’ ମଧ୍ୟ ଧରିଲାନି, ଗାଁ ଘରକୁ ପଠାଇବାର ପ୍ରସ୍ତାବ କଲାନାହିଁ । ଚିଠି ଲେଖିଲେ ଉତ୍ତର ଦେବାକୁ ଭୁଲିଗଲା । ସାକ୍ଷାତ କରିବାକୁ ଗଲେ ସମୟ ନାହିଁ ବୋଲି ଲେଉଟାଇଦେଲା । –ଏବେ କର୍ତ୍ତବ୍ୟ କ’ଣ ?

 

ଆରେ ! ମୋତେ ତା’ହେଲେ କ’ଣ କରିବାକୁ ହେବ ?

 

ମୋତେ ଯିବାକୁ ପଡ଼ିବ ପରାଶର ପାଖକୁ । ପଚାରିବାକୁ ପଡ଼ିବ-କ’ଣ ତା’ ଅଭିପ୍ରାୟ । ଏଡ଼େ ବଡ଼ ଠିକାଦାର, ତା’ର ଏପରି କ’ଣ ଟଙ୍କାର ଅଭାବ ଯେ ସ୍ତ୍ରୀଙ୍କୁ ମାସିକିଆ ଖର୍ଚ୍ଚ ପଠେଇପାରେନା । ପିଲାକୁ ମଣିଷ କରିବାକୁ କ’ଣ ପଇସା ଲାଗେନା ? ଡାକ୍ତର ବୈଦ୍ୟ ଡାକିବାକୁ ହୁଏନା ? ଆଉ କୌଣସି ବାପ ହେଲେ କେତେଥର ଦେଖିଆସନ୍ତା; ଦେଇଆସନ୍ତା ସୁନା, ଦାନା, ରେଶମ, ପଶମ । ଏପରି କିଛି ଦୂର ବାଟ ନୁହେଁ; ନଦିୟା ମେହେରପୁର । ନିତାନ୍ତ ଯଦି ସମସ୍ତ ନ ଥାଏ ପାର୍ସଲ କରି କ’ଣ ପାରନ୍ତା ନାହିଁ ?

 

ମୋ ମନରେ ମଧ୍ୟ ଖଟକା ଲାଗିଲା । ଇଏ କି ଅନାସୃଷ୍ଟି ବ୍ୟାପାର । ଦୌଡ଼ିଲି ପରାଶର ଘରକୁ । ସାଙ୍ଗରେ କାହାକୁ ନେଲିନି । ପରାଶର କହିପଠାଇଲା ସମୟ ନାହିଁ । ମୁଁ କହିପଠାଇଲି, ମୋ ହାତରେ ଖବରକାଗଜ ଅଛି । ସେତେବେଳେ ସୁନାପିଲା ପରି ବାହାରିଆସିଲା । କହିଲା, ‘‘କେହି ବୁଝିବେନି ମୋ ଦୁଃଖ । ତୁମେ କ’ଣ ବୁଝିବ ସନ୍ନ୍ୟାସୀ !’ ମୋତେ ବଚନ ଦେ, କାହାକୁ କହିବୁନି ।’’ ଏହା କହି ସେ ମୋଆଡ଼କୁ କାତରଭାବରେ ଅନାଇଲା ।

 

ବାଳ ଧଳା ହୋଇଆସୁଥାଏ । ଆଖିତଳେ କଳା । ମୁହଁର ଚମ ସେପରି ଟାଣ ଟାଣ ନୁହେଁ । ଦେଖିଚାହିଁ ମନେହେଲା ବୟସ ଦଶବର୍ଷ ବଢ଼ିଯାଇଛି । ଇଏ କ’ଣ ସେଇ ପରାଶର !

 

ମୁଁ ତାକୁ କଥାଦେଲି ଯେ ଆଉ କାହାକୁ କହିବନି ।

 

ସେତେବେଳକୁ ସେ ମୋତେ ତା’ ଦୁଃଖ କାହାଣୀ ଶୁଣେଇଲା । ସେ ଯେତେବେଳେ ତା’ ସ୍ତ୍ରୀକୁ ଗାଁ ଘରେ ଛାଡ଼ିଆସେ, ସେତେବେଳେ ସେଠାରେ ଥିଲା ତା’ ଛୋଟ ଭାଇ ବୀରେଶ୍ଵର । ସେକେଣ୍ଡ ପଣ୍ଡିତ ମହାଶୟଙ୍କର କାଳହେବା ପରଠାରୁ ବୀରେଶ୍ଵର ହିଁ ଗାଁଘରେ ରହି ଇସ୍କୁଲ ମାଷ୍ଟରୀ କରେ । ସେ ବାହାହେଇନି । ମା’ ସହିତ ତିନୋଟି ବିଧବା ଭଉଣୀ ଆଉ ସେମାନଙ୍କର ପିଲାଛୁଆ ନେଇ ସଂସାର । ପରାଶର ହିଁ ଖର୍ଚ୍ଚର ବେଶି ଅଂଶ ଯୋଗାଏ । ପରଶମଣି ଗରିବଘର ଝିଅ । ତା’ର ସେଠାରେ କଷ୍ଟ ହେବା କଥା ନୁହେଁ । ମାସ କେତେଟା ପରେ କଲିକତାରେ ବସା ଜୁଟିଲେ ସ୍ଵାମୀ ପାଖକୁ ଚାଲିଆସିବ । ସୁତରାଂ ଦିନ କେତେଟାର ମାମଲା ।

 

ତା’ କିଛିଦିନ ପରେ କଲିକତାରେ ଗୋଟିଏ ଘର ମିଳିଲା । ପରାଶର ଗଲା ସ୍ତ୍ରୀକୁ ଆଣିବାକୁ । କିନ୍ତୁ ଗାଁ ଘରେ ଯାଇ ଯାହା ଦେଖିଲା, ତା’ଦେଖି ତା’ ସାରା ଶରୀର ଜଳିଉଠିଲା । ଆଉ କେହି ହୋଇଥିଲେ ଗୋଟିଏ ହାଣ କାଟ ହୋଇଯାଇଥାନ୍ତା । କିନ୍ତୁ ସେ ଯେ ମା’ ପେଟର ଭାଇ ।

 

ମୁଁ ଭୀଷଣ ଶକ୍ ପାଇଲି–‘‘ସତ କହୁଛୁ !”

 

“ସତ ନୁହେଁ ତ କ’ଣ ମିଛ ?”

 

‘‘ନାଁ, ନାଁ, ତୋ ଆଖିର ଭୁଲ୍ ତ ହେଇପାରେ ।”

 

‘‘ସେହି ତୋର ଏକ କଥା । ତୋର କ’ଣ ମନେହୁଏ । ମୁଁ ଅନ୍ଧାରକଣା ! ଚାଲନା’ ମୋତେ ନେଇ ତୋ ଜଣାଶୁଣା କୌଣସି ଆଖି-ଡାକ୍ତର ପାଖକୁ । ଆଜି ଏହାର ଗୋଟିଏ ମୀମାଂସା ହୋଇଯାଉ ।”

 

ତା’ପରେ ସେ ଆହୁରି ଖୋଲି କହିଲା । ସେ ଯେତେବେଳେ ଘରେ ପହଞ୍ଚିଲା, ସେତେବେଳକୁ ରାତି ଦୁଇ । ଆଗରୁ ଖବର ଦେଇ ଯାଇନଥିଲା । କଲିକତାରୁ ଖିଆପିଆ ସାରି ନର୍ଥ ବେଙ୍ଗଲ ଏକ୍‌ସପ୍ରେସ ଧରିଥିଲା । ବାହାର କବାଟରେ ଡକାଡ଼କି କରି କାହାରି ସୋର-ଶବ୍ଦ ପାଇଲାନାହିଁ । ବାରିକବାଟ ବାଟେ ପଶିଲା । ଖୋଲା ମଧ୍ୟ ଥିଲା ସେ କବାଟ । ଯେଉଁ ଘରେ ତା’ ସ୍ତ୍ରୀ ଶୁଏ ସେ ଘରେ ତା’ର ଗୋଟିଏ ବିଧବା ଭଉଣୀ ମଧ୍ୟ ଶୁଏ । କିନ୍ତୁ ଟର୍ଚ୍ଚ ଆଲୁଅରେ ଦେଖାଗଲା, ଯିଏ ଶୋଇଛି ସେ ବିଧବା ଉଉଣୀ ନୁହେଁ; ସେ ତା’ର ଗୁଣଧର ଭାଇ ।

 

“ଅସମ୍ଭବ ।” ମୁଁ ବାଧାଦେଇ କହିଉଠିଲି, ‘‘ପରାଶର, ଏହା ତୋ ବିଭ୍ରମ ।’’

 

“ଆରେ ନାଁ, ମୁଁ କ’ଣ ମୋ ଭାଇ ଭଉଣୀ ଫରକ ବୁଝିପାରେନାଁ ? ହାଣମାର କରିବସିବି, ଏହି ଡରରେ ପାଦ ଚିପି ଚିପି ପୁଣି ସେ ବାରିଦୁଆର ବାଟେ ବାହାରିଗଲି । ଫେରନ୍ତା ଟ୍ରେନ ଧରି ପରଦିନ ଚାଲିଆସିଲି କଲିକତାକୁ । ଘର ଠିକ୍ କରିଥିଲି; କିନ୍ତୁ କାହାପାଇଁ ଘର ! ଘରଣୀ ଯେ ମୋର ନୁହେଁ ।”

 

ମୋର ମୋଟୁରୁ ବିଶ୍ୱାସ ହେଉନଥିଲା । କହିଲି, ‘‘ତୋ’ ଆଖି ଯଦି ଖରାପ ନ ହୁଏ, ତେବେ ତୋ’ ମୁଣ୍ଡ ଖରାପ । ରାଞ୍ଚିରେ ଯାଇ କିଛିଦିନ ରହ ।”

 

ପରାଶର ଏପରି କରୁଣଭାବରେ ମୋଆଡ଼କୁ ଚାହିଁଲା ଯେ, ମୋର ମାୟା ହେଲା । କିନ୍ତୁ ତା’ର ସେହି ଗଞ୍ଜୋଡ଼ ଗପ ବିଶ୍ଵାସ କରିବ କିଏ ! ଦୁନିଆରେ କେତେପ୍ରକାର ଲୋକ ଅଛନ୍ତି; କିନ୍ତୁ କାହାର ପ୍ରଥମ ପକ୍ଷ ଭାତ ସାଙ୍ଗରେ ବିଷ ମିଶେଇଦିଏ, ଦ୍ଵିତୀୟ ପକ୍ଷ ଦିଅର ସାଙ୍ଗରେ ଶୁଏ । ବାଛି ବାଛି ଏହି ଲୋକଟି ଉପରେ ପ୍ରଜାପତିଙ୍କର ବିପକ୍ଷପାତ !

 

ଆଉ ପରଶମଣିକୁ ତ’ ମୁଁ ଦେଖିଛି । ତା’ ପରି ଲକ୍ଷ୍ମୀମତି ନାରୀ କେବେ ଏ କାମ କରିପାରେ ! ଅସମ୍ଭବ, ଅଳୀକ, ଅବାସ୍ତବ, ଅସତ୍ୟ । ପରାଶରକୁ ମୁଁ ଡରାଇ କହିଲି, ‘‘ତୁମେ କ’ଣ ମନେକରିଛ, ବାପଧନ, ତୁମଠାରେ ଟଙ୍କା ଅଛି ବୋଲି ତୁମେ ଭଦ୍ର ଲୋକଙ୍କର ଭଉଣୀକୁ ବାହାହେଇ ସେପରି ଗୋଟିଏ ଅପବାଦ ଦେଇ ପାରିହେବ । ସେ କଥା ହୋଇନପାରେ । ତୁମର ତିନି ନମ୍ବର ବାହାଘର ମତଲବ ଆଞ୍ଚ କରିଛି ମୁଁ । ରହ, ଖବରକାଗଜ ଜରିଆରେ ଦାଣ୍ଡରେ ନଙ୍ଗଳା କରୁଛି ।”

 

ପରାଶର ମୋ ହାତ ଚିପିଧରି କାନ୍ଦ କାନ୍ଦ ହୋଇ କହିଲା, ‘‘ମୁଁ ତୋ’ ଦେହ ଛୁଇଁ ରାଣପକାଉଛି, ଭାଇ ! ତିନି ନମ୍ବର ବାହା କେଉଁଦିନ ହେଲେ କରିବି ନାହିଁ । ଲଣ୍ଡା କେତେଥର ବେଲଗଛ ତଳକୁ ଯାଏ । ମୋ ଭାଗ୍ୟରେ ସେ ସୁଖ ନାହିଁ ।”

 

ମୁଁ କଠୋର ସ୍ଵରରେ କହିଲି, ‘‘ତେବେ ଯାଅ, ସ୍ତ୍ରୀଙ୍କୁ ନେଇଆସ । ପିଲାଟାର କ’ଣ ଦୋଷ ! ତା’ ଜୀବନଟା ମଧ୍ୟ ନଷ୍ଟ କରିବ ତୁମେ ? ରହ ମଜା ଚଖାଉଛି ।

 

ପରାଶର ମୋ ଗୋଡ଼ତଳେ ପଡ଼ି କହିଲା, ‘‘ମାସକୁ ମାସ ସବୁ ଖର୍ଚ୍ଚ ଦେବାକୁ ରାଜି ଅଛି । କିନ୍ତୁ ଯିଏ ମୋର ନୁହେଁ, ତାକୁ ମୋ ପାଖରେ ରଖିପାରିବିନି । ରୋଜ ତାକୁ ଦେଖି ମୋ ଆଖିରେ ଭାସିବ ସେଇ ଦୃଶ୍ୟ । ରାଗରେ ସର୍ବଶରୀର ଜଳୁଥିବ । ସେଥିରେ ତାହାର ବି ମଙ୍ଗଳ ହେବନି, ମୋର ମଧ୍ୟ ନୁହେଁ ।”

 

ମୁଁ ତାକୁ ଅଭୟ ଦେଇ କହିଲି, “ନାଁ, ଭାଇ, ମୁଁ ତୋ ବିରୁଦ୍ଧରେ ଲେଖିବିନି । କିନ୍ତୁ ସେ ଯେ ତୋର ନୁହେଁ ଏ କଥା ତୁ କେମିତି ଜାଣିଲୁ ।”

 

‘‘ସେହି ଦୃଶ୍ୟ...” ସେ ଲାଜରେ ଅଧୋବଦନ ହେଲା ।

 

“ନ ହେଲେ ଧରିନେଲି ଯେ, ଥରେ ସେମିତି ଘଟିଛି । କିନ୍ତୁ ତା’ ପୂର୍ବରେ ଯେ ସବୁ ଘଟଣା ଘଟିଛି ତା’ ନାୟକ ତ ତୁ ନିଜେ । ସେସବୁ ଘଟଣା ଯେ ନିଷ୍ଫଳ ଯାଇଛି, ସେ କଥା ବା କିଏ ବିଶ୍ଵାସ କରିବ ?”

 

‘‘ମାନୁଛି ସନ୍ଦେହର ଅବକାଶ ଅଛି, କିନ୍ତୁ ସେଇଟା କାହିକିଁ ମୋ ଅନୁକୂଳରେ ଯିବନି-?”

 

‘ନା, ସେଇଟା ଯିବ ଶିଶୁ ଅନୁକୂଳରେ । ଆଇନ ମୁତାବକ ତୁ ତା’ ଜନକ; ନ୍ୟାୟଧର୍ମ ଅନୁସାରେ ମଧ୍ୟ ତୁ । ଯା, ତାକୁ ନେଇଆ, ପାଖରେ ରଖ, ସ୍ଵୀକାର କର । ତା’ ମା’କୁ ମଧ୍ୟ । ଯା’ ହେବାର ହେଲାଣି । ଯଦିଚ ମୁଁ ବିଶ୍ଵାସ କରେନି ଯେ ସେପରି କିଛି ଘଟିଛି ।”

 

ପରାଶର କିନ୍ତୁ ମୋ ପ୍ରସ୍ତାବରେ ରାଜିହେଲାନି । କହିଲା, ‘‘ପୁଅ ମୋ ଭାଇର; ସେ କଥା ଭାବି ମୁଁ ତାକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ପୁଅ-ମା’କୁ ମଧ୍ୟ ଜୀବନସାରା ସାହାଯ୍ୟ କରିଯିବି; କିନ୍ତୁ ଘରେ ପୂରେଇବିନି ।”

 

ଆପାତତଃ ଗୋଟିଏ ମୋଟା ରକମର ଚେକ୍ ଆଦାୟ କରି ମେସ୍‌କୁ ଫେରିଲି । ଭଦ୍ରଲୋକଙ୍କର ହାତକୁ ଦେଇ କହିଲି, “ପରାଶର ମାସକୁ ମାସ ଖର୍ଚ୍ଚ ପଠାଇବ । ଏହା ତା’ର ନିଦର୍ଶନ ।”

 

ସେ ଅପମାନ ବୋଧ କଲେ । କିନ୍ତୁ ଚେକ୍ ଟଙ୍କା ଉଠାଇ ଭଉଣୀକୁ ଦେଲେ । ପରଶମଣି ଯେତେବେଳେ ବୁଝିପାରିଲା ଯେ ସ୍ଵାମୀ ତାକୁ ନେବ ନାହିଁ, ତା’ ପୁଅକୁ ମଧ୍ୟ ସ୍ଵୀକାର କରିବ ନାହିଁ, ସେତେବେଳେ ଦିନେ ସେ ପାଣିରେ ବୁଡ଼ି ମରିଗଲା । ଆଉ ପୁଅ ମଣିଷ ହେବାକୁ ଲାଗିଲା ମାମୁଙ୍କ ଅନ୍ନରେ । ସେ ପରାଶରର ସାହାଯ୍ୟ ପ୍ରତ୍ୟାଖ୍ୟାନ କଲେ । ସେ ମଧ୍ୟ ବୁଝିପାରିଥିଲେ ପରାଶରର ମନୋଭାବ ।

 

ଏହି ଦୁର୍ଘଟଣା ପରେ ଷୋହଳ ସତର ବର୍ଷ କଟିଗଲା । ପରାଶର ଫୁଲିଉଠିଲା ଯୁଦ୍ଧ-ବଜାରରେ । ଦାନ ଖଇରାତ୍ କରି, ଅନ୍ନଚ୍ଛତ୍ର ଖୋଲି ସେ ଜଣେ ମାନ୍ୟଗଣ୍ୟ ଲୋକ ବୋଲି ଗଣତି ହେଲା । ଲାଟପ୍ରାସାଦରୁ କଂଗ୍ରେସ ଅଫିସ୍ ପର୍ଯ୍ୟନ୍ତ ସବୁଠାରେ ତା’ ସ୍ଥାନ ଅଛି । କେଉଁଠାର ଏକ ବୈଷ୍ଣବ ସମ୍ମିଳନୀ ତରଫରୁ ତାକୁ ଭକ୍ତିରତ୍ନାକର ଉପାଧି ଦିଆଗଲା । ଟଙ୍କାରେ କ’ଣ ନ ହୁଏ । ବଙ୍କିମଚନ୍ଦ୍ର, ମୁଚିରାମ ଗୁଡ଼ର ଜୀବନଚରିତ ଲେଖିଥିଲେ; ମୁଁ ମଧ୍ୟ ପରାଶର ଜୀବନଚରିତ ଲେଖିପାରିଥା’ନ୍ତି ।

 

ପିଲାଟିର ଯେତେବେଳେ ଷୋହଳ ସତର ବର୍ଷ ବୟସ ହେଲା, ସେତେବେଳେ ସେ କଲିକତାକୁ ଆସିଲା ମାମୁଙ୍କ ସାଙ୍ଗରେ । ଦେଖିଲି ତାକୁ । ଦେଖି ବଡ଼ ଭଲ ଲାଗିଲା । ଏଭଳି ନିଷ୍ପାପ ଚେହେରା ତା’ର, ନାଁ’ଟି ମଧ୍ୟ ‘ପବିତ୍ର’ । ଭଦ୍ରଲୋକ ତାକୁ କଲେଜରେ ଭର୍ତ୍ତି କରିଦେଲେ । ରଖିଲେ ନିଜ ପାଖରେ । ଏହା ଭିତରେ ମୁଁ ସେଠାରୁ ଉଠିଯାଇଛି । ମୋର ଉନ୍ନତି ହେଇଛି । ମେସରେ ରହିବା ସୁନ୍ଦର ଦିଶେନା । ବାହା ହେଇନି; କିନ୍ତୁ ଅଲଗା ବସା କରିଛି । ମୁଁ ମଝିରେ ମଝିରେ ପରାଶର ଘରକୁ ଯାଏ । ଦିନେ ପବିତ୍ରକୁ ନେଇଗଲି । ଭାବିଥିଲି ପରାଶରର ପିତୃ-ହୃଦୟ ତରଳିବ । କିନ୍ତୁ ସେ ତା’ଆଡ଼କୁ କାଠ ପରି ଅନାଇ ରହିଲା; ଯେପରିକି କିଛି ଆଖିକୁ ଦିଶୁନାହିଁ । ପବିତ୍ରର ଯଥେଷ୍ଟ ସଂସାରଜ୍ଞାନ ହୋଇଥାଏ । ସେ ଯେ କି ଭୟଙ୍କର ଆଘାତ ପାଇଲା ତା’ କଳ୍ପନା କରିବାକୁ ମଧ୍ୟ କଷ୍ଟ ହୁଏ । ଯେପରିକି ସେ ମନେ ମନେ କହୁଥାଏ, ମା’ ଧରଣୀ, ଦ୍ଵିଧା ହୁଅ !

 

ଏପରି ସୁନ୍ଦର ପିଲାଟି ଦିନକୁ ଦିନ ମଉଳିପଡ଼ିଲା । କ’ଣ ହେଇଥିଲା ଜାଣେନାଁ । ଦିନେ ଶୁଣିଲି ଯେ ସେ ମରିଯାଇଛି । ଭଦ୍ରଲୋକ ଶୋକରେ ପାଗଳ ପରି ହୋଇଯାଇଛନ୍ତି । ମୋର ଇଚ୍ଛାହେଲା ପରାଶରକୁ ମାରି ଫାଶି ପାଏ ।

 

ଗଲି ତାକୁ ଖବରଟା ଦେବାକୁ । କ’ଣ ଲାଭ ହୁଅନ୍ତା ଭାବି ଦେଖିନି । ଟିକିଏ କେଞ୍ଚାଦେବି, ବ୍ୟଙ୍ଗ କରିବି-ଏହାଛଡ଼ା ଆଉ ଅନ୍ୟ ଉଦ୍ଦେଶ୍ୟ ନ ଥିଲା ।

 

କିନ୍ତୁ ଯାହା ଘଟିଲା ତା’ ଅଭାବନୀୟ । ପରାଶର ପ୍ରଥମଟା କାବା କାବା ହେଇ ବସିରହିଲା । ତା’ପରେ ହାଉହାଉ କରି କାନ୍ଦି ପକାଇଲା । ମୁଁ ଟିକିଏ କୋମଳ ସ୍ଵରରେ କହିଲି, “ପୁତୁରା ପାଇଁ ମଡ଼ା କାନ୍ଦଣା କାନ୍ଦି ହେବ କ’ଣ ?”

 

“କିଏ ଜାଣେ ଭାଇ !” ସେ କାନ୍ଦୁ, କାନ୍ଦୁ, କହିଲା, ‘‘ଯଦି ମୋର ହିଁ ହୋଇଥାଏ । ମୋର ଏକମାତ୍ର ପୁଅ, ମୋର ଏକମାତ୍ର ସନ୍ତାନ ।”

 

ମୁଁ ବିଦ୍ରୂପ କରି କହିଲି, ‘'ଏକୋଇର ବଳା ବିଶିକେଶନ ।”

 

ସେ ବୁଝିପାରିଲାନି ଯେ ସେଟା ବିଦ୍ରୂପ । କାନ୍ଦି କାନ୍ଦି କହିଲା, ‘‘ମୋର ଏକୋଇର ବଳା ବିଶିକେଶନ ।”

 

ତାକୁ ଆକ୍ରମଣ କରି ସ୍ୟାଟାୟାର ଲେଖିବି ଭାବିଥିଲି; କିନ୍ତୁ ତା’ ଛାତିଫଟା କାନ୍ଦ ଶୁଣି ମୋ ନିଜ ଆଖିକୁ ପାଣି ଆସିଯାଇଥିଲା । ବାପ ତ ହେଇନି କେବେ, ବାପ-ଦୁଃଖ ମୁଁ କ’ଣ ବୁଝିବି । ପୁତ୍ରଶୋକ ଯେ କେତେବଡ଼ ଶକ୍ତିଶେଳ ତା’ ସେଦିନ ପ୍ରତ୍ୟକ୍ଷ କଲି । ଆଉ ମନେ ମନେ କହିଲି, “ଭାଗ୍ୟକୁ ମୋ ପୁଅ ନାହିଁ । ନ ହେଲେ ମୁଁ ଶକ୍ତିଶେଳରେ ମରିଯାଇଥା’ନ୍ତି ।”

 

 

ସମ୍ପାଦକଙ୍କ ବିବରଣୀ ଶେଷ ହେଲା । ତାଙ୍କ ଆଖିପାଣି ଆଉ ସେ ସମ୍ଭାଳି ରଖିପାରିଲେନି । ଚଶମା ଖୋଲି ରୁମାଲ ନେଇ ପୋଛିଲେ ।

 

ମୁଁ କହିଲି, “ଆପଣ ବେଶ୍ ମନଗଢ଼ା କଥା କହିପାରନ୍ତି ଦେଖୁଛି ।”

 

“କାହିଁକି, ଏଇଟା କ’ଣ ମନଗଢ଼ା ଗଳ୍ପ ପରି ଲାଗିଲା ।’’ ସେ ବେଲ୍ ଟିପି ଚାହା ବରାଦ କଲେ ।

 

“କିନ୍ତୁ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଛି ମୋତେ । ପରାଶରବାବୁ କ’ଣ ତୃତୀୟଥର ବାହାହେଲେ-?”

 

‘‘ନାଁ, ହୋଇନି । ସ୍ତ୍ରୀଲୋକଙ୍କ ଉପରେ ତା’ର ଆଉ ବିଶ୍ଵାସ ନ ଥିଲା ।”

 

“କିନ୍ତୁ ଦୋଷଟା ଯେ ସ୍ତ୍ରୀଲୋକମାନଙ୍କର, ତା’ର ଏକମାତ୍ର ସାକ୍ଷୀ ତ ପରାଶରବାବୁ ସ୍ଵୟଂ । ସେ ଯେ ଅନ୍ଧାରକଣା ନ ଥିଲେ ସେ କଥା କିଏ କହିବ ?”

 

‘‘ରାତିରେ କେତେଥର ତା’ ଘରକୁ ଯାଇଛି, ତା’ କୋଠାକୁ ଯାଇଛି । ପ୍ରକାଣ୍ଡ ପ୍ରାସାଦ କରିଥିଲା ବାଲଗଞ୍ଜ ପାର୍କରେ । କାହିଁ, କେଉଁଦିନ ତ ମନେହେଇନି ଯେ ସେ ଅନ୍ଧାରକଣା । ଦୂରଦୃଷ୍ଟି, ନିକଟଦୃଷ୍ଟି ଦୁଇଟାଯାକ ପ୍ରଖର ଥିଲା ।”

 

‘‘ତା’ହେଲେ କ’ଣ ଆପଣ କହିବାକୁ ଚାହାନ୍ତି, ପରାଶରବାବୁ ଯାହା ଦେଖିଥିଲେ ତାହା ହିଁ ସତ ? ମାତ୍ର ଜଣକ ସାକ୍ଷ୍ୟ ଉପରେ ନିର୍ଭର କରି ଦି-ଦି’ ଜଣ ନାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ହେବ । ଗୋଟିଏ ନିରୀହ ଶିଶୁକୁ ମଧ୍ୟ ସନ୍ଦେହ କରିବାକୁ ହେବ !”

 

“ଆହା, ମୋତେ ପ୍ରଶ୍ନକରି କ’ଣ ହେବ ! ମୋର ମଧ୍ୟ ସେହି ପ୍ରଶ୍ନ; କିନ୍ତୁ ପରାଶର ଯେ ତା’ ଭ୍ରାନ୍ତ ଧାରଣା ପାଇଁ କେତେ କଷ୍ଟ ପାଇଛି, ସେ କଥା ମୁଁ ନିଜ ଆଖିରେ ଦେଖିଛି । ବୃନ୍ଦାବନରେ ତା’ର ଅକାଳମୃତ୍ୟୁ ପରେ ଏକଥା କିପରି କୁହାଯାଇପାରେ ଯେ ଲୋକଟା ଜାଣିଶୁଣି ଅପରର ସର୍ବନାଶ କରିଛି !”

 

“ଆପଣ ଆପଣଙ୍କ ବନ୍ଧୁଙ୍କ ପଟ ହୋଇ କହିବେ ତ ।” ମୁଁ ତର୍କ କଲି, ‘‘ମୋର ମନେହୁଏ ଲୋକଟା କଞ୍ଚା-ମିଛୁଆ । ମୋର ଗୋଟିଏ ଥିଓରି ଅଛି ।”

 

“କହିବାହେଉ ।

 

‘‘ମୋର ଥିଓରି ହେଉଛି, ଲୋକଟା ଥିଲା ନପୁଂସକ ।”

 

“ହା ହା !” ସମ୍ପାଦକ ହସିଉଠିଲେ-“ତା’ହେଲେ ପୁଅଟି କାହାର ?”

 

ମୁଁ ଅପ୍ରସ୍ତୁତ ହୋଇ ଜିଭ କାଟିଲି । ଚିଡ଼ିଯାଇ କହିଲି, ‘‘ତା’ହେଲେ ଲୋକଟା ଗୋଟିଏ ସ୍କାଉଣ୍ଡେ୍ଲ; ଗୋଟିଏ ପଶୁ । ତା’ ଶୋକସମ୍ବାଦ ଲେଖି କାହିଁକି କାଗଜ କଳଙ୍କିତ କରିବେ ।”

 

ସମ୍ପାଦକ କହିଲେ, ‘‘ମୁଁ ଏ ରହସ୍ୟର କୁଳ ପାଇନି । କିଏ ଯେ ଦୋଷୀ, କିଏ ଯେ ନୁହେଁ ଭଗବାନ ଜାଣନ୍ତି; ଯଦି ଥା’ନ୍ତି । ଯେ ଲୋକଟା ମରିଗଲା, ତା’ ଜୀବନର ଭଲ ଆଡ଼ଟା ଦେଖେଇବା ସଭ୍ୟସମାଜର ରୀତି । ସେଥିପାଇଁ ଶୋକସମ୍ବାଦରେ ନିନ୍ଦାବାଦ ନଥାଏ । କିନ୍ତୁ ଅସଲ କାହାଣୀଟା ତ ଆପଣ ଶୁଣିଲେ । ଦେଖନ୍ତୁ, ଯଦି ରହସ୍ୟଭେଦ କରିପାରନ୍ତି ।”

Image

 

ଲ୍ୟାଭେଣ୍ଡର

 

ସନ୍ଧ୍ୟାଟା ବେଶ୍ ଆନନ୍ଦରେ କଟିଲା । ଭଦ୍ରଲୋକ ସ୍ଵୟଂ ଇଂରାଜୀ ଗୀତ ବୋଲି ଶୁଣାଇଲେ । ହସ ଗୀତ, କିନ୍ତୁ ନିହାତି ହସ ନୁହେଁ; ଫଲ୍‌ଗୁଧାର ପରି ପ୍ରଚ୍ଛନ୍ନ ଥିଲା ଗୋଟିଏ କରୁଣ ମଧୁର ସୁର । ଆଉ ତାଙ୍କ ଘରଣୀ ଶୁଣାଇଲେ ସେକାଳର ରବୀନ୍ଦ୍ର ସଙ୍ଗୀତ । ‘ମାୟାର ଖେଲା’ରେ ସେ ଅଭିନୟ କରିଥିଲେ ପ୍ରଥମ ବୟସରେ । ତାହାର ହିଁ ଅବିସ୍ମରଣୀୟ ଅବଶେଷ । ଆଉ ତାଙ୍କର ଦୁଇ କନ୍ୟା ଶୁଣାଇଲେ ମୀରା-ଭଜନ, ଦିଲୀପ କୁମାରଙ୍କ ଭଙ୍ଗିରେ ।

 

ତା’ପରେ ସେମାନେ ଚାରିଜଣ ମିଳି ଗାଇଲେ ଅତୁଲପ୍ରସାଦଙ୍କର ମନମତାଣିଆ ଗୀତ ‘ଉଠ ଗୋ ଭାରତଲକ୍ଷ୍ମୀ’ । ମନେ ମନେ ମୁଁ ମଧ୍ୟ ତାଙ୍କ ସାଙ୍ଗରେ ମିଶିଗଲି ।

 

ଦେଶବନ୍ଦନାର ରେଶ ଯେତେବେଳେ ନିଃଶେଷ ହୋଇଆସିଲା ସେତେବେଳେ ମୁଁ ଧୀରେ ଧୀରେ ବିଦାୟ ନେବାକୁ ଉଠିଲି । ଆସିଥିଲି ତାଙ୍କ ଘରେ ‘କଲ’ କରିବାକୁ, ପରିଚୟ ଦେବାକୁ ଓ ନେବାକୁ । ଭଦ୍ରଲୋକ ସେଠାକାର କଲେଜର ପ୍ରିନ୍‌ସିପାଲ । ଆଉ ମୁଁ ଭ୍ରାମ୍ୟମାଣ ଭ୍ୟାକେଶନ ଜଜ୍ ।

 

“ଇଏ କ’ଣ ! ଆପଣ ଖାଇଯିବେନି ?” “କହିଲେ ଭଦ୍ରମହିଳା-“ଆପଣଙ୍କ ପାଇଁ ସବୁ ପ୍ରସ୍ତୁତ ।”

 

ଆଶ୍ଚର୍ଯ୍ୟ ହୋଇ କହିଲି, “କିନ୍ତୁ ତେଣେ ସର୍‌କିଟ୍ ହାଉସରେ...”

 

‘‘ମୁଁ ଆଗରୁ ମନାକରିପଠାଇଛି ।”

 

ଖାଲି ତାହା ନୁହେଁ । ଏହା ଭିତରେ ସେ ମୋର ପେଟ ଖବର କାଢ଼ି ନେଇସାରିଲେଣି । ମୁଁ ଯେ ନିରାମିଷ ଖାଏ, ଏ କଥା ମଧ୍ୟ ତାଙ୍କର ଅଜଣା ନୁହେଁ । ମୋର କୌଣସି ବାହାନା ଖଟିଲା ନାହିଁ; ବସିବାକୁ ହିଁ ପଡ଼ିଲା ପୁଣି ।

 

ଖାଇବା ଟେବୁଲରେ ଦେଖିଲି ଭଦ୍ରଲୋକ ଖୁସିଗପର ରାଜା । ମଣ୍ଡଗୋମରୀ କ’ଣ କହିଥିଲେ ଚର୍ଚ୍ଚିଲକୁ । ଚର୍ଚ୍ଚିଲ କ’ଣ କହିଥିଲେ ତା’ ଉତ୍ତରରେ । ଏସବୁ ତ ଶୁଣିବାକୁ ହେଲା, ତା’ ଉପରେ ଶୁଣିବାକୁ ପଡ଼ିଲା ଷ୍ଟାଲିନ କିପରି ହରାଇଦେଇଥିଲେ ଚର୍ଚ୍ଚିଲକୁ ଭୋଜନ-ପ୍ରତିଯୋଗିତାରେ । ସେ ଭାରି ମଜାକଥା । ତାଙ୍କ ପରି ରସେଇ ରସେଇ କହି ପାରିବିନି, ଗଳ୍ପଟା ନଷ୍ଟ କରିବି । ଥାଉ, କହିବିନି ।

 

ଆହାରାନ୍ତେ ସାଙ୍ଗେ ସାଙ୍ଗେ ଯିବା ନିଷେଧ; ଟିକିଏ ଡେରି କରିବାକୁ ହୁଏ । ବସିବାଘରର ଗୋଟିଏ କୋଣରେ ବିଶାଳ ବୁକ୍ ସେଲ୍‌ଫ ଥିଲା । ସେଠାକୁ ଯାଇ ବହିପତ୍ର ଘଣ୍ଟାଘଣ୍ଟି କରିବାକୁ ଲାଗିଲି । ଇଂରାଜୀ ଓ ଫରାସୀ ବହି ଅଧିକାଂଶ । କେତେ କାଳର ପୁରୁଣା ବହି । ଆଜିକାଲି ସେ ସବୁ ବହି ଦେଖିବାକୁ ମଧ୍ୟ ମିଳେନାଁ । ଦେଖୁ ଦେଖୁ ଗୋଟିଏ ବହି ଭିତରୁ ବାହାରିପଡ଼ିଲା ଗୋଟିଏ ଲ୍ୟାଭେଣ୍ଡର ପଲ୍ଲବ । ଶୁଖି ମୁଡ଼ୁମୁଡ଼ୁ ହୋଇଯାଇଛି । ହାତଦେଲେ ଗୁଣ୍ଡ ହୋଇଯିବ ।

 

ଭଦ୍ରଲୋକ ମୋ ପାଖରେ ଠିଆହୋଇଥିଲେ । ମୋ ହାତରୁ ଲ୍ୟାଭେଣ୍ଡର ପଲ୍ଲବ ପଡ଼ିବାକୁ ଯାଉଛି ଦେଖି ହାଁ ହାଁ କରିଉଠିଲେ । ଅପ୍ରସ୍ତୁତ ହୋଇ ଓହ୍ଲାଇ ରଖିଲି ବହିଟା । ସାଙ୍ଗେ ସାଙ୍ଗେ ସେ ସେଖଣ୍ଡିକ ଘୁଞ୍ଚାଇ ରଖିଲେ ଏକାବେଳକେ ହାତ ପହୁଁଚ ବାହାରେ । ଗୋଟିଏ ଟୁଲ୍ ସାହାଯ୍ୟରେ ।

 

ହଠାତ୍ ତାଙ୍କର ଏ ବ୍ୟବହାରରେ ମୁଁ କାବା ହୋଇଯାଇଥିଲି, ସେ ତା’ ବୁଝିପାରିଥିଲେ-। ସେଥିପାଇଁ ମୋର ହାତ ଦୁଇଟି ଧରି କ୍ଷମା ମାଗିଲେ । ସେତେବେଳକୁ ତାଙ୍କ ଦୁଇଆଖିର ଚାହାଣି ଯେପରି ହୋଇଗଲା ତା’ ଚିରଦିନ ମୋର ମନେରହିବ । କିପରି ଯେ କରୁଣ ଆଉ କାତର ଆଉ ତୃଷିତ । ଆବେଗପୂର୍ଣ୍ଣ କଣ୍ଠରେ କହିଲେ, ‘‘ଆପଣ ଏବେ ମଧ୍ୟ ଯୁବକ । ଦୀର୍ଘ ଜୀବନ ପଡ଼ିରହିଛି ଆପଣଙ୍କ ସାମନାରେ । ଆଉ ମୁଁ ବିଗତ-ଯୌବନ । ମୋର ଜୀବନ ମଧ୍ୟ ଶେଷ ହୋଇଆସିଲା ।”

 

କାହିଁକି ସେକଥା କହିଲେ ଭାବୁଛି । ସେ କହିବାକୁ ଲାଗିଲେ, ‘‘ମୋ ଜୀବନରେ ଯାହା ଯାଇଛି ତାହା ଯାଇଛି, ତା’ ଆଉ ଫେରିଆସିବନି । ସେହି ଯେ ଲ୍ୟାଭେଣ୍ଡର, ସେ ଯଦି ଧୂଳି ହୋଇ ଧୂଳି ସାଙ୍ଗରେ ମିଶିଯାଏ ତା’ହେଲେ ଆଉ ଏ ଜୀବନରେ ଲ୍ୟାଭେଣ୍ଡର ଉପହାର ପାଇବିନି ।’’

 

ଏଥର କ୍ଷମା ମାଗିବା ପାଳି ମୋର । କହିଲି, “ମୋତେ କ୍ଷମା ଦେବେ । ବୁଝିପାରିନଥିଲି । ନ ବୁଝି ଅପରାଧ କରିଛି ।”

 

“ନାଁ, ନାଁ, ଅପରାଧ କେଉଁଥିପାଇଁ । କହିବାକୁ ଗଲେ ମୋର ହିଁ ଅପରାଧ, ମୁଁ ସେଟା ଅତିଥିଙ୍କ ହାତରୁ ଛଡ଼ାଇନେଇଛି । କ୍ଷମା କରିବେ ତ ?” ରୁଦ୍ଧ କଣ୍ଠରେ ଆବେଦନ କଲେ ।

 

ମୁଁ ତାଙ୍କ ସ୍ତ୍ରୀଙ୍କ ପାଖରୁ ବିଦାୟ ନେବାକୁ ଗଲି । ଭଦ୍ରମହିଳା କଫି ତିଆରି କରୁଥିଲେ । ଶୁଣିପାରିନଥିଲେ ଆମର କଥାବାର୍ତ୍ତା । ତାଙ୍କ ହାତରୁ କଫିପିଆଲା ନେଇ ଢୋକେ ପିଇ ଶୁଭରାତ୍ରି ଜଣାଇଲି ତାଙ୍କୁ ଓ ତାଙ୍କର କନ୍ୟାମାନଙ୍କୁ । ଭଦ୍ରଲୋକଙ୍କ ଆଡ଼କୁ ଫେରିବା ମାତ୍ରକେ ସେ କହିଲେ, ‘‘ଚାଲନ୍ତୁ, ଆପଣଙ୍କୁ ଆଗେଇ ଦେଇଆସେ ।”

 

ଆଗେଇଦେବାକୁ ଯାଇ ସେ ମୋ ସାଙ୍ଗରେ ସର୍‌କିଟ୍‌ ହାଉସ ପର୍ଯ୍ୟନ୍ତ ଚାଲି ଚାଲି ଗଲେ । ବେଶି ଦୂର ନୁହେଁ, ତା’ହେଲେ ମଧ୍ୟ ପ୍ରତ୍ୟାଶା ବାହାରେ । ସର୍‌କିଟ୍ ହାଉସରେ ପହଞ୍ଚି ମୁଁ କହିଲି, ‘ଧୃଷ୍ଟତା ମାଫ୍ କରିବେ । ସାରା ସନ୍ଧ୍ୟାବେଳଟା ମନେହେଉଥିଲା ଆପଣ ଖୁବ୍ ସୁଖୀ; କିନ୍ତୁ ସେହି ଲ୍ୟାଭେଣ୍ଡର ଘଟଣା ପରେ ଅନ୍ୟରକମ ମନେହେଉଛି । ସେଇଟା ନ ଘଟିଥିଲେ ଭଲ ହୋଇଥାଆନ୍ତା ।

 

ସେ ଟିକିଏ ବିଶ୍ରାମ କରିବେ ବୋଲି ବସିଲେ । ଧୀରେ ଧୀରେ କହିଲେ, ‘‘ସୁଖ ଅନେକ ପ୍ରକାରର ଅଛି । ଏକପ୍ରକାରର ସୁଖ ଆଜି ଆପଣ ଦେଖିଲେ । ସତ, ତା’ ପରି ସୁଖ ନାହିଁ; କିନ୍ତୁ ସେ ମଧ୍ୟ ତା’ ପରି ନୁହେଁ-ସେହି ଯେ ଲ୍ୟାଭେଣ୍ଡର ଉପହାର ପାଇବା ପରି ।”

 

ମୁଁ ତାଙ୍କୁ ଟିକିଏ ତେଜେଇଦେଲି । ସେ କହିଲେ, ‘‘ଶୁଣିବାକୁ ଚାହୁଁଛନ୍ତି ସେ କଥା ?”

 

କହିଲି, ‘‘ଆପଣଙ୍କର ଯଦି ଆପତ୍ତି ନ ଥାଏ ।”

 

ସେ ଗିଲାସେ ପାଣି ମାଗିନେଲେ । ପାଣି ରହିଲା ତାଙ୍କ ହାତପାଖରେ । ମଝିରେ ମଝିରେ ତଣ୍ଟି ଓଦାକରିନିଅନ୍ତି ଆଉ ଗଳ୍ପ କହିଚାଲନ୍ତି ।

 

 

ଦି’ ଆଖି ମୁଦି ଦୁଇ ଆଖି ଉପରେ ଦୁଇହାତ ରଖି ଟେବୁଲ ଉପରେ କହୁଣି ଭରାଦେଇ ବସିଲେ ପ୍ରଥମେ ପ୍ରଥମେ ସବୁ ଅନ୍ଧାର ଦିଶେ । ତା’ପରେ କ୍ରମେ କ୍ରମେ ଟିକିଏ ଟିକିଏ କରି ଫୁଟିଉଠେ ସନ୍ଧ୍ୟାର ଶୁକ୍ରତାରା । ସନ୍ଧ୍ୟାର ଶୁକ୍ରତାରା ପରି ଶୁଭ୍ର ସୁନ୍ଦର ଗୋଟିଏ ମୁହଁ । ଶୁଭ୍ର ସୁନ୍ଦର…ଶୁଚି । ଅନ୍ଧକାରରେ ସେଇ ଗୋଟିଏ ମାତ୍ର ତାରା ।

 

ତା’ ସାଙ୍ଗରେ ମୋର ଦେଖାହୁଏ ପଚିଶ ବର୍ଷ ପୂର୍ବେ । ଲଣ୍ଡନରେ ସେତେବେଳେ ଆମ ବଙ୍ଗାଳୀ ସମାଜର ଗୋଟିଏ ପ୍ରଧାନ କେନ୍ଦ୍ର ଥିଲା ବେଲସାଇଜ ପାର୍କରେ ସିଷ୍ଟର ଓ ମିସେସ୍ ତରଫଦାର୍‌ଙ୍କ ବସା । ପ୍ରତି ଶନିବାର ଦିନ ସନ୍ଧ୍ୟାରେ ସେମାନେ ରିସିଭ କରୁଥିଲେ । ସମସ୍ତେ ଅବଶ୍ୟ ସବୁ ଶନିବାରେ ଯାଉନଥିଲେ; କିନ୍ତୁ ଅନ୍ୟ କେଉଁଠାରେ ଏନ୍‌ଗେଜମେଣ୍ଟ ନ ଥିଲେ ମୁଁ ଅନ୍ତତଃ ଅଧଘଣ୍ଟା ପାଇଁ ହାଜିରା ପକେଇ ଆସୁଥିଲି ।

 

ଏପରି ଏକ ସନ୍ଧ୍ୟାରେ ତା’ ସାଙ୍ଗରେ ମୋର ଦେଖା । ମିସ୍ ତରଫଦାର୍‌ଙ୍କ ବାନ୍ଧବୀ ବୋଲି ତା’ ପରିଚୟ । ଶୁଣିଲି, ବେଡ଼ଫୋର୍ଡ଼ କଲେଜରେ ପଢ଼େ । ଶନିବାରଟା ପ୍ରାୟଶଃ ତରଫଦାର୍‌ମାନଙ୍କ ସାଙ୍ଗରେ କଟାଏ । ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତା’ ମିୟାଦ । ସାଧାରଣତଃ ଛଅଟା ଭିତରେ ଫେରିଯାଏ; କିନ୍ତୁ ସେଦିନ କାହିଁକି, କେଜାଣି ଆଠଟା ପର୍ଯ୍ୟନ୍ତ ଅଟକି ରହିଥିଲା ।

 

ମୁଁ ଉଠୁଛି ଦେଖି ମିସେସ୍ ତରଫଦାର୍ କହିଲେ, “ବରୁଣ, ତୁମକୁ ଗୋଟିଏ କାମ ଦେବି, କିଛି ମନେକରିବନି ତ ?”

 

“କାମ ଦେବେ, ସେ ତ ମୋର ସୌଭାଗ୍ୟ ମାଉସୀ ! କିଛି ମନେକରିବି କାହିଁକ ?”

 

‘‘ତା’ ହେଲେ ଶୁଣ । ଏହି ଯେ ପୁରବୀକୁ ଦେଖୁଛ, ୟାକୁ ପହଁଚାଇଦେବା ଆମର ଦାୟିତ୍ଵ ! ଆଜି ଏହାର ଖୁବ୍ ଡେରି ହୋଇଯାଇଛି । ତୁମେ ଯଦି ଦୟାକରି ପହଞ୍ଚାଇ ଦିଅ, ତା’ହେଲେ...”

 

‘‘ଚିରକୃତଜ୍ଞ ହେବେ ତ ? ଆଚ୍ଛା, ମୁଁ ଏହି ସୁଖକର କର୍ତ୍ତବ୍ୟ ସ୍ଵୀକାର କରୁଛି ।”

 

ସେଠାରେ ଆହୁରି କେତେଜଣ ଗ୍ୟାଲେଣ୍ଟ ଯୁବକ ଥିଲେ । ସେମାନେ କେବଳ ଥଟ୍ଟାତାମସା କରିଜାଣନ୍ତି; କିନ୍ତୁ ହାତର ତାସ୍ ପକାଇ ଜଣେହେଲେ ଉଠିବେନି । ବସି ବସି ଦି’କଥା ଶୁଣେଇଦେଲେ ମୋତେ । ମୁଁ ତାଙ୍କ କଥାରେ କାନ ନଦେଇ ପୁରବୀକୁ ତା’ର ଫରକୋଟ ପିନ୍ଧିବାକୁ ସାହାଯ୍ୟ କଲି ଓ ବାହାରକୁ ଯିବା କବାଟ ଖୋଲିଧରିଲି ।

 

ସେଦିନ ବେଶ୍ ବର୍ଷା ପଡ଼ୁଥାଏ, ମନେଅଛି । ଛତା ଥିଲା ମୋ ସାଙ୍ଗରେ । ଟେକି ଧରିଲି ତା’ ମୁଣ୍ଡ ଉପରେ । ତା’ ଛତା ସେ ସାଙ୍ଗରେ ଆଣିବାକୁ ଭୁଲିଥିଲା । ଫେରିଯାଇ ନେଇଆସିବା ପରି ସମୟ ନ ଥିଲା । ବେଲ୍‌ସାଇଜ ପାର୍କ ଟିଉବ୍‌ ଷ୍ଟେସନରେ ତାକୁ ଟ୍ରେନ ଧରିବାକୁ ପଡ଼ିବ ।

 

ଷ୍ଟେସନ୍‌ରେ ପହଞ୍ଚି ପୁରବୀ କହିଲା, ‘‘ଆପଣଙ୍କୁ ଆଉ କଷ୍ଟ କରିବାକୁ ହେବନି । ଏ ଟିକକର ମଧ୍ୟ ଦରକାର ନ ଥିଲା । ତେବେ ଆପଣ ଏପଟକୁ ଆସୁଥିଲେ ବୋଲି ମାଉସୀ ଆପଣଙ୍କୁ ଏ କାମ ଦେଲେ । ତାଙ୍କ ମତରେ ଲଣ୍ଡନ ରାସ୍ତାରେ ବିଦେଶିନୀ ଝିଅପିଲାଙ୍କର ଏକେଲା ଚଲାବୁଲା କରିବା ଉଚିତ ନୁହେଁ ଏତେ ରାତିରେ ।”

 

ମୁଁ କହିଲି, ‘‘ମାଉସୀଙ୍କର ସାଂସାରିକ ଅଭିଜ୍ଞତା ଆପଣଙ୍କଠାରୁ ବେଶି ।”

 

ସେଦିନ ମୁଁ ତାକୁ ବେଡ଼ଫୋର୍ଡ଼ କଲେଜ ପର୍ଯ୍ୟନ୍ତ ପହଞ୍ଚାଇଦେଲି । ବାଟରେ ତା’ ସାଙ୍ଗରେ କେତେ ପ୍ରକାର କଥାବାର୍ତ୍ତା ହେଲା । ଭାରି ଭଲ ଲାଗିଲା, ତା’ ସଙ୍ଗ, ତା’ ସ୍ୱଭାବ । ମୋର ଧାରଣା ଥିଲା, ଆମ ଦେଶର ସୁନ୍ଦରୀ କନ୍ୟାମାନଙ୍କର ଅଳ୍ପ ବୟସରେ ବିବାହ ହୋଇଯାଏ-। ବିବାହ ଯେଉଁମାନଙ୍କର ହୁଏନା, ସେମାନେ ହିଁ ଅଧିକ ପଢ଼ାଲେଖା କରନ୍ତି ଓ ତାଙ୍କ ମଧ୍ୟରେ କେହି କେହି ବିଲାତ ପର୍ଯ୍ୟନ୍ତ ଆସନ୍ତି । ପୁରବୀକୁ ଦେଖି କିନ୍ତୁ ମୋର ସେ ଧାରଣା ବଦଳିଗଲା-। ସେ ଡେଣାକଟା ପରୀ ନ ହେଲେ ମଧ୍ୟ ତା’ ରୂପ ଦି’ଦଣ୍ଡ ଚାହିଁ ଦେଖିଲାପରି ।

 

ସେଦିନ ବସାକୁ ଫେରି ସାରା ରାତି ତା’ କଥା ଭାବିଛି ଓ ତାକୁ ସ୍ଵପ୍ନ ଦେଖିଛି । ମନେହେଉଛି ତା’ ସାଙ୍ଗରେ ପରିଚୟ ଗୋଟିଏ ଆକସ୍ମିକ ଘଟଣା ନୁହେଁ । ଅଛି ଏହା ପଛରେ ଗ୍ରହତାରାଙ୍କ ଚକ୍ରାନ୍ତ । ନ ହେଲେ କାହିଁକି ବା ସେ ଆଠଟା ପର୍ଯ୍ୟନ୍ତ ଅଟକି ରହିଥାନ୍ତା; ଏତେ ଲୋକ ଥାଉ ଥାଉ ମୋତେ ବା କାହିଁକି ତା’ ପାର୍ଶ୍ଵରକ୍ଷୀ ହେବାକୁ ପଡ଼ିଲା ? ଅଦୃଷ୍ଟ ଆମ ଦୁହିଁଙ୍କୁ ଏକ ସୂତ୍ରରେ ଗୁନ୍ଥିବାକୁ ଚାହେଁ; ତା’ ଛଡ଼ା ଆଉ କ’ଣ ଏହାର ବ୍ୟାଖ୍ୟା ?

 

ପର ଶନିବାର ପାଇଁ ଉତ୍କଣ୍ଠିତ ହୋଇ କିପରି ଯେ ସାତଟା ଦିନ ପାରହେଲି ତା’ର ହିସାବ ନାହିଁ । ଟିକିଏ ସଅଳ ସଅଳ ଯାଇ ଦେଖେ ବାହାରିବା ପାଇଁ ପୁରବୀ ତିଆର ହୋଇ ବସିଛି-। ମାଉସୀ କହିଲେ, ‘‘ବରୁଣ, ତୁମ କଥା ପଡ଼ିଥିଲା; କିନ୍ତୁ ଆଜି ଆଉ ତୁମକୁ କଷ୍ଟ ଦେବିନି । ତୁମେ ଦୂର ବାଟରୁ ଆସିଲ, ଟିକିଏ ବିଶ୍ରାମ କର, କିଛି ଖାଅ । ଜିତେନ୍ ପୁରବୀ ସାଙ୍ଗରେ ଯାଉ-।”

‘‘ନା ମାଉସୀ, କାହାକୁ ଯିବାକୁ ହେବନି ମୋ ସାଙ୍ଗରେ । ଏବେ ତ ଛ’ଟା ବାଜିଲା ।” ପୁରବୀ ଏକା ହଁ ଯିବାକୁ ଉଦ୍ୟତ ।

ପୁଳେ ଚିନାବାଦାମ ମୁହଁରେ ପୂରାଇ, ଗଦାଏ ଚକୋଲେଟ ପକେଟରେ ଭରି ଗାଉଁ ଗାଉଁ କରି ମୁଁ କହିଲି, ‘‘ମୋର ଖାଇବା ଶେଷ, ମାଉସୀ ! ମୁଁ ହିଁ ଯାଉଛି ୟାଙ୍କ ସାଙ୍ଗରେ ।”

ଜିତେନ୍ ମୋ ଦଶା ଦେଖି ହସିପକାଇଲା । ରୁମାଲ ଦେଇ ମୋର ଦି’ଟା ହାତବାନ୍ଧି କହିଲା, “ଚାଲ, ତୁମକୁ ପୁଲିସରେ ଦେଇଆସେ ଚୋରିମାଲ ସହ ।”

ମାଉସୀ କହିଲେ, “ଚୋରିମାଲ ମାନେ କ’ଣ ଚକୋଲେଟ, ନାଁ...“ପୁରବୀ ଆଡ଼କୁ ଇଙ୍ଗିତ କଲେ ।

କେତୋଟି ଶନିବାର ପରେ ପୁରବୀ ସହିତ ମୋର ସମ୍ପର୍କ ଆଉ ପାଞ୍ଚଜଣ ମାନିନେଲେ-। ପୁରବୀ ମୋର girl, ମୁଁ ତା’ର beau; ଆମର ବିବାହ ହେବ ଦିନେ ନା ଦିନେ-। ଉତ୍ସାହ ଆସିଲା ମାଉସୀଙ୍କ ପାଖରୁ; କିନ୍ତୁ ପୁରବୀ ଏ ବିଷୟରେ ନୀରବ । ସେ କିନ୍ତୁ ମୋ ସାଙ୍ଗରେ ହିଁ ମିଶେ ସବୁଠାରୁ ବେଶି, ମୋ ସାଙ୍ଗରେ ଥିଏଟରକୁ ଯାଏ, ବସ୍‌ର ଉପର ମହଲାରେ ବସି ସହର ବୁଲିଆସେ । ଅଥଚ ମୋ ସାଙ୍ଗରେ ଏପରି ଗୋଟିଏ ଦୂରତ୍ଵ ରଖିଚାଲେ ଯେ ମୁଁ କାବା ହୋଇଯାଏ ତା’ ବ୍ୟବହାର ଦେଖି । ଆଉ ପାଞ୍ଚଜଣ ମୋତେ ମନେ ମନେ ହିଂସା କରୁଛନ୍ତି; କିନ୍ତୁ ମୁଁ କ’ଣ ସେମାନଙ୍କର ହିଂସାର ଯୋଗ୍ୟ ?

ଭାବିଥିଲି ପୁରବୀକୁ ସିଧାସଳଖ ପଚାରିବି; ମୋ ସହିତ ଏନ୍‌ଗେଜମେଣ୍ଟ ସମ୍ବନ୍ଧରେ ତା’ର ମତ କ’ଣ ! କିନ୍ତୁ କେବେହେଲେ ସେ କଥା ମୋ ମୁହଁରୁ ବାହାରିଲା ନାହିଁ । ଶେଷକୁ ଖଣ୍ଡେ ଚିଠିଲେଖି ସାତ ପାଞ୍ଚ ଭାବି ଡାକରେ ଦେଲି ।

ଜୀବନରେ ସେଇ ମୋର ପ୍ରଥମ ପ୍ରେମପତ୍ର । ସେଥିରେ ତା’କୁ କ’ଣ ବୋଲି ସମ୍ବୋଧନ କରିଥିଲି, ଶୁଣିବେ ? –ଏନ୍‌ଜେଲ' ବୋଲି । କହିବା ବାହୁଲ୍ୟ ଚିଠିଖଣ୍ଡିକ ଇଂରାଜୀରେ ଲେଖା ।

ପୁରବୀ ତା’ର ଉତ୍ତର ବି ଦେଲାନାହିଁ ।

ପରେ ଯେଉଁଦିନ ଦେଖାହେଲା ଜାଣିବାକୁ ଚାହିଁଲି ଚିଠିଖଣ୍ଡିକ ତା’ ହାତରେ ପଡ଼ିଲା କି ନାହିଁ । ତା’ ମୁହଁ ଆରକ୍ତ ନ ହୋଇ ରକ୍ତଶୂନ୍ୟ ହୋଇଗଲା, ‘‘ତୁମେ କ’ଣ ଜାଣିନଥିଲ ଯେ ମୁଁ ହଷ୍ଟେଲ୍‌ରେ ରହେ । ଆଉ କେବେ ସେ କାମ କରିବନି ।”

ପ୍ରଥମ ପତ୍ରର ଏହି ପରିଣାମ ପରେ ଦ୍ୱିତୀୟ ପତ୍ର ଲେଖିବାକୁ ମୋର ସାହସ ହୋଇନି-। ଦରକାର କ’ଣ ଏନ୍‌ଗେଜମେଣ୍ଟ ପ୍ରସଙ୍ଗ ଉଠେଇ ? ବାକ୍ୟରେ ନ ହେଉ, କାର୍ଯ୍ୟରେ କ’ଣ ଆମେ ଏନ୍‌ଗେଜ୍‌ଡ଼ ନୋହୁଁ ? ପୁରବୀ ମୋତେ କଥା ଦେଇନାହିଁ, ମୁଁ ମଧ୍ୟ ଦେଇନି ତାକୁ; କିନ୍ତୁ ଆମେ ତ ପରସ୍ପରର ମନ ବୁଝୁ । ତେବେ ଆଉ କ’ଣ ? ଲୋକଟା ମୁଁ କୃତିମତାର ପକ୍ଷପାତୀ ନୁହେଁ ।

ଏନ୍‌ଗେଜ୍ଡ଼ ନ ହୋଇ ମଧ୍ୟ ଆମେ ଏନ୍‌ଗେଜ୍‌ଡ଼ ବୋଲି ବନ୍ଧୁ ମହଲରେ ଗୃହୀତ ହେଲୁ । ତେବେ ଆପଣା ଭିତରେ ଠିକ୍ ଏନ୍‌ଗେଜ୍‌ଡ଼ର ଅଧିକାର ପାଇଲୁ ନାହିଁ । ଚୁମ୍ବନ କରିବାକୁ ଯାଇ ଅଦୃଶ୍ୟ ବାଧା ଅନୁଭବ କରିଛି । ଏନ୍‌ଜେଲକୁ ଚୁମ୍ବନ କରିବାକୁ ସାହସ ହେଇନି । ଯଦି ସେ କିଛି ମନେକରେ । ଯଦି କହେ, ‘‘ମୁଁ କ’ଣ ଏତେ ସୁଲଭା ? ମୋତେ ତୁମେ କ’ଣ ବୋଲି ଭାବିଲ-?”

ଆପଣଙ୍କୁ ଖୋଲି କହିବାରେ ଦୋଷ ନାହିଁ । ଆମର ପ୍ରେମ ସମ୍ପୂର୍ଣ୍ଣ ପ୍ଲେଟୋନିକ । ତା’ ବୋଲି କମ୍ ସତ୍ୟ ବା କମ୍ ଗଭୀର ନୁହେଁ । ତାକୁ ଦେଖିବାକୁ ନ ପାଇଲେ ମୋର ପ୍ରାଣ ବାହାରିଯାଉଥିଲା; ଦେଖାହେଲେ ପ୍ରାଣ ଫେରିଆସୁଥିଲା । ତା’ ଆଖିରେ, ମୁହଁରେ ଯାହା ଲକ୍ଷ୍ୟ କରିଛି ତା’ ମୋ ସଙ୍ଗ ପାଇ ସହଜ ଆନନ୍ଦ । ସେ ଆଉ କାହାଆଡ଼େ ଫେରିକରି ମଧ୍ୟ ଅନାଉଁ ନ ଥିଲା । ମୋ ଆଖିରେ ଆଖିପଡ଼ିଲେ ତା’ ଆଖିତାରା ଜଳିଉଠୁଥିଲା । ଅନେକ ସମୟରେ ଭାବିଛି ଏହା କ’ଣ ପ୍ରେମ, ନାଁ ଏକପ୍ରକାର ବନ୍ଧୁତା ? କିନ୍ତୁ ପରୀକ୍ଷାରେ ଯାଞ୍ଚକରି ଦେଖିଛି ପ୍ରେମ ନିଶ୍ଚୟ । ଥରେ ବେଲସାଇଜ ପାର୍କକୁ ଯାଇନି । ସେ ଦୌଡ଼ିଆସିଥିଲା ହାଇଗେଟକୁ ମୋ ବସାରେ ଖବର ନେବାପାଇଁ ।

ସେ ଯୁଗରେ ମିଳାମିଶା ଏପରି ଅବାଧ ନ ଥିଲା । ସେଥିପାଇଁ ମୋ ବସାକୁ ତା’ର ଦୌଡ଼ିଆସିବା କହିଲେ କେତେ ପର୍ଯ୍ୟନ୍ତ ତ୍ୟାଗ ସ୍ଵୀକାର ଓ ବିପଦବରଣ ବୁଝାଏ, ତା’ ଏକାଳର ପୁଅଝିଅଙ୍କର କଳ୍ପନାତୀତ । ମୋର ଲ୍ୟାଣ୍ଡଲେଡ଼ୀ ତ ସ୍ତମ୍ଭିତ । ପରେ ମୋତେ କହିଥିଲେ, ‘‘କନ୍ୟାଟି ଦେଖୁଛି ପ୍ରାଣମୂର୍ଚ୍ଛା ହୋଇ ପ୍ରେମରେ ପଡ଼ିଛି ତୁମର । ଆହା ! କି ମଧୁର ଝିଅଟି ।”

ସେ ମୋ ପାଇଁ ଗୋଟିଏ ସ୍କାର୍ଫ ବୁଣି ଉପହାର ଦେଇଥିଲା । ସେଟା ଲ୍ୟାଣ୍ଡଲେଡ଼ୀଙ୍କର ନଜର ଏଡ଼ି ନ ଥିଲା । ବୁଢ଼ୀ କହିଲେ, ‘‘ଏହା ପରି ଉପହାର ତୁମର କ’ଣ ଅଛି ଦେବାର ? ବଜାରରୁ କିଣି ଦେବାକୁ ଯେକୌଣସି ଲୋକ ପାରେ ।”

କହିଲି, ‘‘ମୁଁ ତ ବୁଣି ଜାଣେନା । ଅଙ୍କନ ମଧ୍ୟ ଜାଣେନି ମୋଟେ । ମୁଁ ଆଉ କ’ଣ ଦେଇପାରେ ?”

 

ବୁଢ଼ୀ କହିଲେ, ‘‘ତୁମେ ତ ବେଶ୍ ରାନ୍ଧିପାର ଦେଖେଁ । ରାନ୍ଧି ଖୁଆଉନ କାହିଁକି ତାକୁ ?”

 

ଚମତ୍କାର ଆଇଡ଼ିଆ । ପର ଶନିବାରଦିନ ନିମନ୍ତ୍ରଣ କଲି ପୁରବୀକୁ । ସେ ଖୁସି ହୋଇଆସିଲା । ଏବେଠାରୁ ପ୍ରାୟଶଃ ଶନିବାର ଦିନ ତା’ର ନିମନ୍ତ୍ରଣ ଥାଏ ମୋ ସାଙ୍ଗରେ ମଧ୍ୟାହ୍ନ-ଭୋଜନର । ତା’ପରେ ମାଉସୀଙ୍କ ଘରକୁ । ରନ୍ଧାଟା ଅବଶ୍ୟ ଏକତରଫା ନୁହେଁ । ସେ ମଧ୍ୟ ଯୋଗଦେଉଥିଲା । କି ଯେ ଆନନ୍ଦ ପାଇଛି ସେଇ କେତେ ମାସ ! ଯେତେ ତା’ ସାଙ୍ଗରେ ମିଶିବାର ସୁଯୋଗ ପାଏ, ସେତେ ବୁଝିପାରେ ତା’ ସାଙ୍ଗରେ ଯଦି ବିବାହ ହୁଏ ତେବେ ସାରା ଜୀବନଟା କଟିଯିବ କେତେଟା ମାସ ପରି ।

 

ପୁରବୀ କିନ୍ତୁ ବାହାଘର କଥା ଭୁଲରେ ମଧ୍ୟ ମୁହଁକୁ ଆଣେନା । କଥା ଉଠିଲେ ଏଡ଼େଇଯାଏ । ମୁଁ ଯଦି କହେ, ଆମ ଦି’ଜଣଙ୍କର ଏହି ଆନନ୍ଦକୁ ଜୀବନବ୍ୟାପୀ କରିବାକୁ ହେଲେ ବାହା ନ ହେଇ ଉପାୟ କ’ଣ, ସେ କହେ, ଆଚ୍ଛା ବାହା-ପାଗଳ ବୁଢ଼ା ଯା’ ହେଉ ।

 

କିଛିଦିନ ପରୀକ୍ଷା ନେଇ ମହାବ୍ୟସ୍ତ ଥିଲି । ଦେଖାହେଇନି । ପରୀକ୍ଷା ପରେ ତରଫଦାର୍ ମାଉସୀ କହିଲେ, ‘‘ଏଥର ତ ଦେଶକୁ ଫେରିବାର ସମୟ ହୋଇଆସିଲା ତୁମର । ତା’ ପୂର୍ବରୁ ଟିକିଏ ବୁଲାବୁଲି କରିବନି ?”

 

ମୁଁ ମଧ୍ୟ ସେହି କଥା ଭାବୁଥିଲି । କଣ୍ଟିନେଣ୍ଟ ବୁଲିବାକୁ ଚାହେଁ । କିନ୍ତୁ ପୁରବୀ କ’ଣ ଯିବାକୁ ରାଜିହେବ ? ସେ ନ ଗଲେ ମୁଁ ଯାଏ କିପରି ? ତା’ ପାଖାପାଖି ରହିବାକୁ ହେବ ଯେ । ପୁରବୀର ପଢ଼ାପଢ଼ି ଆହୁରି ବର୍ଷେ ବାକି । ସେ ଆପାତତଃ ଦେଶକୁ ଫେରୁନାହିଁ । ଏକା ଫେରିବାକୁ ହେବ ମୋତେ । ସେଥିପାଇଁ ଏ ଦୁଇମାସ ତା’ ପାଖାପାଖି ରହିବା ଏତେ ଜରୁରୀ । କଣ୍ଟିନେଣ୍ଟ ବୁଲିବା ଅବଶ୍ୟ ମୋର ଅନେକ ଦିନର ବାସନା । କିନ୍ତୁ ଦୁଇଟା ମଧ୍ୟରେ ଗୋଟାଏ ଯଦି ବାଛିନେବାକୁ ହୁଏ, ତେବେ ପୁରବୀର ପାଖାପାଖି ରହିବା ଆହୁରି ଜରୁରୀ ।

 

ପୁରବୀ କାନକୁ ଗଲା ଏ କଥା । ସେ କହିଲା, “ବୁଢ଼ା, ଏ ତୁମର ନୂଆ ଏକ ପାଗଳାମୀ-। ପୁଣି କେବେ ଏ ଦେଶକୁ ଆସିବ ! ହୁଏତ ଏ ଜୀବନରେ ନୁହେଁ । ଏ ସୁଯୋଗ ହାତଛଡ଼ା କଲେ ପସ୍ତେଇବ ପଛରେ । ଯାଅ, କଣ୍ଟିନେଣ୍ଟ ଦେଖିନିଅ ।”

 

ଡରଡ଼ର ହୋଇ କହିଲି, ‘‘ତୁମେ ଗଲେ ମୁଁ ଯାଆନ୍ତି ।”

 

ସେ ହସିଲା । ‘‘ପଢ଼ିନ ରବି ଠାକୁର କ’ଣ ଲେଖିଛନ୍ତି ? ପତି ପୁଣ୍ୟରେ ସତୀର ପୁଣ୍ୟ ନ ହେଲେ ଖର୍ଚ୍ଚ ବଢ଼େ ।”

 

ପଢ଼ିଛି ! ସତରେ, ଗୁରୁଦେବ ଯଦି ଆଉ କିଛି ନ ଲେଖି ଖାଲି ସେଇ ଗୋଟିଏ ଧାଡ଼ି ଲେଖିଥାଆନ୍ତେ ତା’ହେଲେ ମଧ୍ୟ ତାଙ୍କୁ ନୋବେଲ ପୁରସ୍କାର ଦେବା ଉଚିତ୍ ହୁଅନ୍ତା । ସେହି ଗୋଟିଏ ଉକ୍ତିର ଦାମ ଲକ୍ଷେ ଟଙ୍କା । ଧାର କରଜ କରି କୌଣସିମତେ ଜଣଙ୍କର କନ୍‌ଟିନେଣ୍ଟ ବୁଲା ଚାଲିପାରେ । ଦି’ଜଣଙ୍କ ପାଇଁ କାହା ପାଖରେ ହାତ ପତେଇବି ?

 

ସେ ଯେ ମୋତେ ପତି ବୋଲି ସ୍ଵୀକାର କରିନେଲା, ଏଥିପାଇଁ ମୋ ଆନନ୍ଦର ସୀମା ରହିଲାନି । ତା’ ଦୃଷ୍ଟି ସାଙ୍ଗରେ ଦୃଷ୍ଟି ମିଳାଇ, ଦେଖିଲି ଆନନ୍ଦଟା ପାରସ୍ପରିକ ।

 

କହିଲି, ‘‘ପତିଙ୍କ ପୁଣ୍ୟରେ କାମ ନାହିଁ । ମୁଁ ଯିବିନି । ଶେଷ ଦୁଇଟା ମାସ ସତୀ ପାଖାପାଖି ରହିବି ।”

 

ତା’ର ଦୃଷ୍ଟି ପ୍ରଦୀପ ଥର ଥର ହୋଇ ଥରିଲା । ସେ କହିଲା, ‘‘ମୁଁ ଯାଉଛି ମେରିୟନ ସାଙ୍ଗରେ ଗାଁ ଘରେ ରହିବାକୁ; ତା’ ଅତିଥି ହୋଇ । ତୁମେ ରହିବ କେଉଁଠି ?

 

ସତେ ତ ! ମୁଁ ରହିବି କେଉଁଠି ? ଆଉ ରହିବାକୁ ଭଲଲାଗିବ କାହିଁକି ପକ୍‌କା ଦି’ମାସ-? ସେଟା ସ୍ତ୍ରୀଲୋକମାନେ ପାରନ୍ତି । ଆମେ ପୁରୁଷ, ଆମେ ସୁଦୂରର ପିପାସୀ ।

 

ଗଲି କନ୍‌ଟିନେଣ୍ଟ ବୁଲି । ଏକା ଏକା ଭଲଲାଗେନା, ଦଳ ଜୁଟାଇ ନେଲି । ହୋ-ହୋ କରି ଆମେ କେତେଜଣ ଯୁବକ ଆଜି ଏଠାକୁ କାଲି ସେଠାକୁ ଯାଉ । ଖର୍ଚ୍ଚ ବଞ୍ଚେଇବା ପାଇଁ ଟ୍ରେନରେ ରାତି କଟାଉ, କିମ୍ବା ସରଇରେ ଅଥବା ହସପିସରେ । ଏଇଥିପାଇଁ କହନ୍ତି ପଥି ନାରୀ-ବିବର୍ଜିତା । ପୁରବୀକୁ ସାଙ୍ଗରେ ଆଣିଥିଲେ ଅଧେଫୁର୍ତ୍ତି ବାଦ ପଡ଼ନ୍ତା । ଜୀବନଟା ସେହି ପରିମାଣରେ ନୀରସ ହୁଅନ୍ତା । କେଉଁଠି କାଫେ, କେଉଁଠି କାବାରେ, କେଉଁଠି ଚୋର ଡାକୁଙ୍କ ଆଡ଼୍‌ଡ଼ା । ମୁଁ ଓ ମୋର ଥ୍ରି ମସ୍କୋଟିଅର୍ସ୍ ମିଶି କେତେଥର ବିପଥର ସନ୍ଧାନ କରିଚୁ । ବିପଦରେ ପଡ଼ିଚୁ ମଧ୍ୟ । ଦୈବକୁ ରକ୍ଷା ପାଇଚୁ । ସେ ସବୁ ଥିଲା ଗୋଟାଏ ବୟସର କଥା । ସେ ସବୁଦିନ ଆଉ ଫେରିବନି ।

 

ଫ୍ରାନ୍‌ସରୁ ଜର୍ମାନୀ, ଜର୍ମାନୀରୁ ଅଷ୍ଟ୍ରୀୟା, ଅଷ୍ଟ୍ରୀୟାରୁ ସୁଇଜରଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡରୁ ଇଟାଲୀ, ଇଟାଲୀରୁ ପୁଣି ଫ୍ରାନ୍‌ସ ହୋଇ ଇଂଲଣ୍ଡ । ପୁରବୀ ପାଇଁ ଇଂଲଣ୍ଡକୁ ଫେରିବା କଥା; ନ ହେଲେ କୌଣସି ଦରକାର ନଥିଲା ।

 

ବିଦାୟ ନେବାକୁ ଗଲି ଇଷ୍ଟବୋର୍ଣ୍ଣ । ସେଠାରେ ସେ ତରଫଦାରମାନଙ୍କର ଅତିଥି । ମୋତେ ଦେଖି ତା’ର ଦୃଷ୍ଟି ପ୍ରଦୀପ ଉଜ୍ଜ୍ୱଳ ହେଲା । କହିଲା, ‘‘ଖୁବ୍ ମଉଜ କଲ ?”

 

ସତରେ ଖୁବ୍‌ ମଉଜ କରିଥିଲି; କିନ୍ତୁ ସତ୍ୟ ଗୋପନ କରିବା ହିଁ ବୋଧହୁଏ ସୁବୁଦ୍ଧି । କହିଲି, ‘‘କୁଆଡ଼େ ଆଉ ମଉଜ କଲି ? ତୁମେ ତ ନଥିଲ ।”

 

ସେ ହସି ହସି କହିଲା, ‘‘କଥାଟା ପତି ପରି ହେଲା । ଆଦର୍ଶ ପତି ପରି ।”

 

ଧରାପଡ଼ିଗଲି । ମୁହଁରେ ଆଉ ସଫେଇ ଯୋଗେଇଲା ନାହିଁ । କହିଲି, ‘ତୁମେ କିନ୍ତୁ ଶୁଖିଯାଇଚ ।”

 

ସେ ଈଷତ୍‌ କୁପିତ ହୋଇ କହିଲା, “ବରୁଣ, ଥାଉ । ପତିପଣିଆ ଯଥେଷ୍ଟ ହେଲାଣି ।”

 

ସମୁଦ୍ରକୂଳରେ ବସି ଦୁଇଜଣ ଦୁଇଜଣଙ୍କୁ ହୃଦୟ ଖୋଲି ଦେଖାଇଥିଲୁ ସେହିଦିନେ । ଗୋଧୂଳି ଯେପରିକି ସରିଯିବାକୁ ଚାହେଁନା । ଶରତ୍‌ ଗୋଧୂଳି ।

 

କହିଲି, ‘‘ପୁରବୀ, ତୁମ ଉପରେ ନିର୍ଭର କରୁଛି ମୋ ଜୀବନର ସୁଖ ସାର୍ଥକତା । ତୁମେ ଯଦି ମୋତେ ବାହା ନ ହୁଅ, ତା’ହେଲେ ଯେ ମୁଁ ବଞ୍ଚିବିନି ତାହା ନୁହେଁ; କିନ୍ତୁ ଜୀବନରେ ମୋର ସୁଧା ରହିବନି; ସୁଧା ବଦଳରେ ରହିବ ସୁରା । ହୋ ହୋ, ଉତ୍ତେଜନା ମଧ୍ୟରେ ନିଜକୁ ମତେଇ ରଖିବା, ତୁମକୁ ଭୁଲି ରହିବା ପାଇଁ । ଯେପରି ଏହି ଦୁଇମାସ କଟିଲା ।”

 

ସେ ବହୁସମୟ ନୀରବ ରହିଲା । ତା’ପରେ କ୍ଷୀଣ କଣ୍ଠରେ କହିଲା, ‘‘ତୁମେ ବାହା ହେଇନା’, ବିବାହିତ ଜୀବନ ଭିତରଦେଇ ଯାଇନା, ସେଥିପାଇଁ ବିବାହ ତୁମ ପାଖରେ ଗୋଟିଏ ସୁଖସ୍ଵପ୍ନ । ମୋ ପାଖରେ ମଧ୍ୟ ଦିନେ ସୁଖସ୍ଵପ୍ନ ଥିଲା; ଏବେ କିନ୍ତୁ ଦୁଃସ୍ୱପ୍ନ ।”

 

ମୁଁ ଚମକିପଡ଼ିଲି । ଏ କ’ଣ ଶୁଣୁଛି ! ତା’ହେଲେ କ’ଣ ସେ ବିବାହିତା !

 

“ହଁ, ଯା ଭାବିଛ । ଏତେଦିନ ତୁମକୁ କହିନି । କହିବାର ସମୟ ଆସିନି । ଆଜି ନ କହିଲେ ନୁହେଁ । ମୋତେ ବାହା ହେବାକୁ ପଡ଼ିଛି, ବାହାଘର ଭିତରଦେଇ ଯିବାକୁ ପଡ଼ିଛି । ଚାହିଁଲେ ସବୁ ଖୋଲି କହିପାରେ; କିନ୍ତୁ କ’ଣ ହେବ ମଇଳା ଘାଣ୍ଟି । ଜାଣିନିଅ ଯେ ମୋର ସୁଖସ୍ଵପ୍ନ ଭାଙ୍ଗିଯାଇଛି । ଯାହା ଅନୁଭବ କରିଛି, ସେଥିରୁ ମୋର ଏହି ବିଶ୍ଵାସ ଜନ୍ମିଛି ଯେ ବାହା ପରେ ମଣିଷର ପତନ ହୁଏ । ଦୁଇବର୍ଷ ପରେ ଦିନେ ହିସାବ କରି ଦେଖିଲି ଯେ ମୁଁ ଛୋଟ ହୋଇଯାଇଛି, ମୋ ସ୍ଵାମୀ ମୋ’ଠାରୁ ଛୋଟ । ତାଙ୍କ ପାଖରୁ ଚିରବିଦାୟ ନେଇ ଚାଲିଆସିଲି ଏ ଦେଶକୁ । କିଛି ସ୍ତ୍ରୀଧନ ଥିଲା । ପଢ଼ାପଢ଼ି କରୁଛି, ପାଶ୍ କଲେ ଚାକିରି ପାଇବି ଆଶାକରେ । ସ୍ଵାମୀଙ୍କୁ ଅନୁମତି ଦେଇଆସିଛି ପୁଣି ବାହା ହେବାକୁ, ସେ ହୋଇସାରିଛନ୍ତି ।’’

 

ହତବାକ୍ ହୋଇ ଶୁଣୁଥିଲି । ଏହା କ’ଣ ସତ, ନାଁ ମୋତେ ଭୁଲେଇବା ପାଇଁ ସ୍ତୋକବାକ୍ୟ । ସିଧାସଳଖ କହିପାରନ୍ତା ମୋତେ ବାହା ହେବାକୁ ତା’ର ଇଚ୍ଛା ନାହିଁ, ମୁଁ ତା’ର ଅଯୋଗ୍ୟ । କିନ୍ତୁ ଏ ସବୁ ମନଗଢ଼ା କଥା କାହିଁକି ? ମୋ ଆଖିରେ ଧୂଳି ପକାଇବା କ’ଣ ଏତେ ସହଜ ?

 

‘‘ବାହା ହୋଇଥିଲେ । ତୁମ ନାଁ ହୋଇଥାଆନ୍ତା ମିସେସ୍ ଅମୁକ । କିନ୍ତୁ ତା’ତ ନୁହେଁ । ମିସ୍ ଚୌଧୁରୀ ତୁମ ନାଁ ।”

 

“ସେଇଟା ମୋର କୁମାରୀ ଅବସ୍ଥାର ନାଁ । ଇଉନିଭର୍ସିଟି କାଗଜପତ୍ରରେ ସେହି ନାଁ ଥିଲା । ଏଠାରେ ନାଁ’ ଲେଖେଇବାବେଳେ କାଗଜପତ୍ର ବଦଳିନି । ସହପାଠିନୀମାନେ ଜାଣନ୍ତି ମୁଁ ମିସ୍ ଚୌଧୁରୀ । ମଣିକା ସେହି ନାଁ ତା’ ଘରେ ପ୍ରଚାର କରିଦେଇଛି । ସମସ୍ତେ ସେହି ନାଁରେ ଡାକନ୍ତି । ସିନ୍ଥିରେ ସିନ୍ଦୂର ଦେଇ ତା’ର ପ୍ରତିବାଦ କରିନି । କାହିଁକି ବା କରିବି ? ବିବାହ ତ ମୋର ସରିଯାଇଛି । ମୁଁ ତ ଆଉ ବିବାହିତା ନୁହେଁ ।”

 

ମୋ ଛାତି ଫଟେଇ କୋହ ଉଠୁଥିଲା । ଆଉ ଟିକିଏ ହେଲେ ଆଖି-ବନ୍ଧ ଭାଙ୍ଗି ଭସେଇ ନେଇଯାଆନ୍ତା । କିନ୍ତୁ ଦଳେ ବିଦେଶୀଙ୍କ ସାମନାରେ କାନ୍ଦିପକାଇବି, ମୁଁ କ’ଣ ଏତେ ନରମ ?

 

ମୂକ ପରି ବାଲୁବାଲୁ ହେଇ ଅନେଇ ରହିଲି ତା’ ମୁହଁକୁ । ସେ କହିବାକୁ ଲାଗିଲା, “ମୁଁ ତୁମକୁ ଠକିବାକୁ ଚାହିଁନି, ଠକିନି । ତୁମେ ମୋତେ ଭଲପାଅ, ମୁଁ ତୁମକୁ ଭଲପାଏ । ଆମର ପ୍ରେମ ଆମକୁ ଉନ୍ନତ କରିଛି । ହିସାବ ନିକାଶ କଲେ ଦେଖିବ ତୁମେ ଓ ମୁଁ କେହି କାହାରିକୁ ଛୋଟ କରିନାହୁଁ, ଛୋଟ ହୋଇନାହୁଁ । ଦି’ଜଣଙ୍କର ହିଁ ଉଚ୍ଚତା ବଢ଼ିଯାଇଛି ।”

 

ମୁଁ ତା’ ସ୍ଵୀକାର କଲି । କିନ୍ତୁ ମୋର ଯେ ସ୍ଵପ୍ନର ସୌଧ ଭୁଶୁଡ଼ି ପଡ଼ିଲା । ଗୋଟିଏ ଦିନର ପଦେ ମୁହଁର କଥାରେ ଏଡ଼େବଡ଼ ପରିକଳ୍ପନାର ପରିସମାପ୍ତି ହେବ-ଏଇଟା କିପରି ମାନିନେବି ! କ୍ଷୋଭ ଆଉ ଅଭିମାନ ମୋତେ ବିଦ୍ରୋହୀ କରିଥିଲା ।

 

“ତୁମେ ଯଦି ଚାହଁ”, ସେ ମଧୁର ସ୍ଵରରେ କହିବାକୁ ଲାଗିଲା, “ତେବେ ଆମର ବର୍ତ୍ତମାନର ଏହି ବନ୍ଧନ ଚିରଦିନ ପାଇଁ ହୋଇପାରେ । ମୁଁ ବି ବାହାହେବିନି; ତୁମେ ମଧ୍ୟ ବାହାହେବନି । ଏହି ଇଂଲଣ୍ଡରେ କାମଦାମ ଖୋଜିନେବା ଦୁଇଜଣ । ଏମିତି ପାଖାପାଖି ରହିବା । ଏହାପରି ଭଲପାଉଥିବା । ଏହାଠାରୁ ମଧୁର ସମ୍ପର୍କ ଆଉ କ’ଣ ହୋଇପାରେ ? କିନ୍ତୁ ମୁଁ ତୁମକୁ କହିବିନି ଏହାକୁ ଚିରନ୍ତନ କରିବାକୁ । ମୁଁ ଜାଣେ, ତୁମେ ସୁଖସ୍ଵପ୍ନ ଦେଖୁଛ । ମୋତେ କେନ୍ଦ୍ର କରି ଯେତେ ନୁହେଁ, ବିବାହକୁ କେନ୍ଦ୍ର କରି ସେତେ । ଯାଅ ତେବେ, ବାହାହୁଅ ଗୋଟିଏ ମନଲାଖି ନାରୀ । ସୁଖୀ ହୁଅ । ମୋର ଅନ୍ତରର ପ୍ରାର୍ଥନା-ତୁମେ ସୁଖୀ ହୁଅ ।”

 

ଏହା ପରେ ଆମର ବିଦାୟ । ବିଦାୟ ଦିନ ସେ ମୋତେ ଖଣ୍ତିଏ ବହି ଉପହାର ଦେଲା, କବିତା ବହି; କ୍ରିଷ୍ଟିନା ରୋଜେଟିଙ୍କର । ସେଥିରେ ଖୋସାଥିଲା ଗୋଟିଏ ଲାଭେଣ୍ଡର ପଲ୍ଲବ ।

 

ଗଳ୍ପ ଶେଷ ହୋଇଯାଇଥିଲା ବୁଝିପାରିନି । ଜାଣିବାକୁ ଚାହିଁଲି-’‘ ତା’ ପର ?”

 

“ତା’ ପର ?” ଭଦ୍ରଲୋକ କ’ଣ କହିବେ ଖୋଜି ପାଇଲେନି । “ତା’ପରେ ମୁଁ ସୁଖୀ ହେଲି, ସଫଳ ହେଲି । ଦେଖିଲେ ତ କିପରି ସୁଖୀ ପରିବାର ମୋର ? ଚାକିରିଟା ମଧ୍ୟ ସୁଖର ଚାକିରି । ଅଜସ୍ର ବହି କିଣେ ଆଉ ପଢ଼େ । ଗୀତ ଶୁଣେ ଆଉ ବୋଲେ । ପିଲାମାନେ ମଝିରେ ମଝିରେ ହଟହଟା କରନ୍ତି; ଧର୍ମଘଟ କରିବେ ବୋଲି ଡରାନ୍ତି । ମୁଁ ମଧ୍ୟ ଡରାଏ ଇସ୍ତଫା ଦେବି ବୋଲି । ମୋ ଦିନ ତ ପ୍ରାୟ ସରିଆସିଲା । ଆସନ୍ତା ବର୍ଷ ରିଟାୟାର କରିବି । କେଉଁଠି ବସିବି, କହିପାରିବେ ? କଲିକତାରେ ଯେଉଁ ଗହଳି ।”

 

ରାତି ହେଉଥାଏ । ସେପଟେ ଭଦ୍ରମହିଳା ନିଶ୍ଚୟ ଘନ ଘନ ଘଡ଼ି ଦେଖୁଥିବେ । କେବଳ ଗୋଟିଏ ପ୍ରଶ୍ନ ଥିଲା । ପୂରବୀ ଦେବୀଙ୍କର କ’ଣ ହେଲା ?

 

“ବିଲାତରେ ରହିଗଲା–ଏବେ ମଧ୍ୟ ସେଠାରେ ଅଛି । ବଡ଼ଦିନ ସମୟରେ କାର୍ଡ ପଠାଏ; କାର୍ଡ଼ ପାଏ ।”

Image

 

Unknown

ଅଭିମନ୍ୟୁର ବ୍ୟୂହ

 

ସମବୟସୀ ବନ୍ଧୁବାନ୍ଧବ ସମସ୍ତଙ୍କର ଗୋଟିଏ ଗୋଟିଏ କରି ବିବାହ ହୋଇଗଲା; ହୋଇନି ଖାଲି ଭୌମିକର । ପଇଁତ୍ରିଶ ଗଲା, ଚାଳିଶ ଗଲା, ପଇଁଚାଳିଶ ମଧ୍ୟ ଯାଏ ଯାଏ । ଆମେ ତ ଏକପ୍ରକାର ଆଶା ଛାଡ଼ିଦେଇ ବସିପଡ଼ିଛୁ । ଏମିତି ସମୟରେ ଆସିଲା ହଳଦିଆ ରଙ୍ଗର ତୁଲଟ କାଗଜ ଉପରେ ଚତୁରାନନ ଅଙ୍କିତ ନିମନ୍ତ୍ରଣପତ୍ର ।–କାହାର ବିବାହ ? ନାଁ, ଭୌମିକର । ଭୌ-ମି-କ-ର ! ବି-ବା-ହ ! କେତେ ମିନିଟ ଲାଗିଲା ବିସ୍ମୟର ଘୋର କଟିବାକୁ ।

 

ସତକୁ ସେଇଆ । ନିମନ୍ତ୍ରଣ କରିଛନ୍ତି ଶ୍ରୀ ଷଷ୍ଠୀଚରଣ ଦେବଶର୍ମା । ତାଙ୍କ ଭ୍ରାତୁଷ୍ପୁତ୍ର ଶ୍ରୀମାନ ଷୋଡ଼ଶୀ ଚରଣଙ୍କ ମଧ୍ୟମ ପୁତ୍ର ଆୟୁଷ୍ମାନ୍ ସାବିତ୍ରୀଚରଣଙ୍କର ଶୁଭ ବିବାହ ଅମୁକ ଦିନ ଅମୁକ ଘଣ୍ଟାରେ ଅମୁଳ ସ୍ଥାନରେ ସମ୍ପନ୍ନ ହେବ । “ଅତଏକ ମହାଶୟ, ସବାନ୍ଧବ ମମାଳୟେ ଆଗମନକରତଃ… ।” କନ୍ୟାର ନାମ, କନ୍ୟାର ପିତାଙ୍କ ନାମ ଓ ନିବାସର ଉଲ୍ଲେଖ ଥିଲା ନିଶ୍ଚିତ; କିନ୍ତୁ ସେସବୁ ମୁଁ ଲକ୍ଷ୍ୟ କରିନି । ପତ୍ରଖଣ୍ଡିକ ଡ୍ରୟରରେ ରଖି ମୁଁ ଭାବି ବସିଲି । ଭାବିଲି ଏବଂ ହସିଲି । ଗୋଟିଏ ପ୍ରବାଦ ଅଛି ଓଡ଼ିଆରେ । ରହିସହି କହିଲେ ଏପରି ହେବ-’ ପତିହୀନାମାନେ ସେଇ ତ ପତି ଗ୍ରହଣ କରନ୍ତି, ମିଛଟାରେ ବୟସ ଗଡ଼େଇ ମରନ୍ତି ।

 

ଭୌମିକ ପାଖରେ ବାହାଘର ପ୍ରସଙ୍ଗ ଉଠାଇଲେ ସେ କହେ, “ବାହା ତ ନୁହେଁ, ଅଭିମନ୍ୟୁର ବ୍ୟୂହ । ପ୍ରବେଶପଥ ଖୋଲା, ନିର୍ଗମନର ପଥ ରୁଦ୍ଧ ।” ସେଇ ଭୌମିକ ଶେଷକୁ ଅଭିମନ୍ୟୁ ହେବାକୁ ଚାଲିଲା । ବରଯାତ୍ରୀରେ ଯିବାକୁ ପଡ଼ିବ ମୋତେ । ହାତରେ କାମ ଥିଲା । ବିଭାଘର ଦିନ ଯାଇପାରିନଥିଲି । ଚୌଉଠି ଦିନ ଯାଇ ଦେଖେ ବରକୁ ଘେରି ଜମେଇ ବସିଛନ୍ତି ବାରିଷ୍ଟର ବନ୍ଧୁମାନେ । ଯେଉଁସବୁ ବିଲାତି ରସିକତାମାନ ହେଉଥାଏ ତା’ ଆଉ କରିବା ପରି ନୁହେଁ-। ଗୋଟିଏ କୋଣରେ ଆସନ ନେଇ ନିରୀକ୍ଷଣ କଲି ବିଚାରାର ଦଶା । ଅଭିନନ୍ଦନ ଯୋଗ୍ୟ ନୁହେଁ, ସମବେଦନାର ଯୋଗ୍ୟ । ସପ୍ତରଥୀ ବେଷ୍ଟିତ ଅଭିମନ୍ୟୁ ପରି ।

 

ମଝିରେ ତାକୁ ଟିକିଏ ଏକେଲା ପାଇ ପଚାରିଲି, “କି ହେ, କଥା କ’ଣ କହିଲ ! କାହିଁକି ଏତେଦିନ ନ କଲ ? କାହିଁକି ବା କଲ ହଠାତ୍ ଏତେ ବେଶୀ ବୟସରେ ?”

 

“ଏହାର ଉତ୍ତର ଦେବାକୁ ହେଲେ କହିବାକୁ ପଡ଼ିବ ଗୋଟିଏ କାହାଣୀ । ମୋର ନୁହେଁ, ମୋର ଗୁରୁଙ୍କର । ଆଜି ନୁହେଁ, କହିବି ଆଉଦିନେ ।”

 

“ଆଚ୍ଛା, ତା’ହେଲେ ନିମନ୍ତ୍ରଣ ରହିଲା ତୁମର ଓ ତୁମ ଉତ୍ତରାଙ୍କର । ଆସ ଦିନେ ଆମଆଡ଼େ । ସନ୍ଧ୍ୟାରେ ହିଁ ସୁବିଧା ।”

 

ଉତ୍ତରାକୁ ସାଙ୍ଗରେ ନେଇ ନୁହେଁ, ଏକା ଅଭିମନ୍ୟୁ ଆସିଥିଲା ଦିନେ ମୋ ସାଙ୍ଗରେ ଗପସପ ହେବାକୁ । ସେଦିନ ଭୌମିକ ଯାହା କହିଥିଲା, ତାହା ଯଥାସମ୍ଭବ ସ୍ମରଣ କରି ଲେଖୁଛି ।

 

ସେ କାଳର ଜଣେ ନାମଜାଦା ବାରିଷ୍ଟର ଥିଲେ ବିଜଲୀବିକାଶ ବକ୍‌ସୀ । ବିଲାତରୁ ଫେରି ଭୌମିକ ହୁଏ ତାଙ୍କ ଜୁନିଅର । ସେ ତାକୁ ଶିଷ୍ୟ ପରି ଭଲପାଉଥିଲେ, ବିଶ୍ଵାସ କରୁଥିଲେ ପୁତ୍ର ପରି । ବକ୍‌ସୀଙ୍କ ମୃତ୍ୟୁ ହୁଏ ଅଳ୍ପ କେତେଦିନର ରୋଗ ଭୋଗରେ । ଅସୁସ୍ଥତା କଥା ଶୁଣି ଭୌମିକ ଯାଏ ଦେଖାକରିବାକୁ । ଶଯ୍ୟାଶାୟୀ ବକ୍‌ସୀ କହିଲେ, “ଭୌମିକ, ଏଥର ବୋଧହୁଏ ମୁଁ ବଞ୍ଚିବିନି । ଯିବା ପୂର୍ବରୁ ଗୋଟିଏ କଥା କହିଯିବାକୁ ଚାହେଁ । କେତେଥର କହିବାକୁ ଚାହିଁଛି; କିନ୍ତୁ କହିନି କାହାକୁ ।”

 

ଭୌମିକ ମନେକରିଥିଲା କୌଣସି ପ୍ରଫେସନାଲ ସିକ୍ରେଟ । ମୁହଁ ପାଖରେ କାନ ଡେରି ଅପେକ୍ଷା କଲା । ବକ୍‌ସୀ କ୍ଷଣକାଳ ଇତସ୍ତତଃ କଲେ; ତା’ ପରେ ଧୀରେ ଧୀରେ କହିଲେ, “ଭୌମିକ ! ମଣିଷ ସମାଜରେ ଗୋଟିଏ ପ୍ରଥା ଅଛି-ସାଙ୍ଘାତିକ ପ୍ରଥା । ଅଥଚ ସମ୍ମାନିତ । ଏ ପ୍ରଥା ପୀଡ଼ନରେ କେତେ ଜୀବନ ଯେ ବିପର୍ଯ୍ୟସ୍ତ ହୋଇଛି, ବ୍ୟର୍ଥ ହୋଇଛି ! ତେବେ ମଧ୍ୟ ଏହା ବିରୁଦ୍ଧରେ ପଦେହେଲେ କଥା କହିବେନି କେହି । କେତେ ଦୁଃଖ, କେତେ କଷ୍ଠ ଏହି ପ୍ରଥା ଯୋଗୁଁ-। କେତେ ଯନ୍ତ୍ରଣା, କେତେ ଜ୍ଵାଳା । ତଥାପି ମଧ୍ୟ ପଦେ କଥା କହିବାର ଉପାୟ ନାହିଁ-।”

 

ଭୌମିକ ବୁଝିପାରୁନଥାଏ କେଉଁ ପ୍ରଥା କଥା ହେଉଛି । ସଂକୋଚରେ ଜାଣିବାକୁ ଚାହିଁଲା, “କେଉଁ ପ୍ରଥା, ସାର୍ ?”

 

ବକ୍‌ସୀ ଧଇଁ ପେଲି ପେଲି କହିଲେ, “ବିବାହ ।’‘

 

ଭୌମିକ ନିଜ କାନକୁ ବିଶ୍ୱାସ କରିପାରୁନଥିଲେ–‘‘କେଉଁ ପ୍ରଥା, ସାର୍ ?”

 

ବକ୍‌ସୀ ଉତ୍ତର କଲେ ନାହିଁ । କେବଳ ଅସହାୟ ପରି ଆକାଶମାର୍ଗକୁ ଅନାଇଁ ରହିଲେ-

 

ଭୌମିକ ଯେତେଦୂର ଜାଣେ, ବକ୍‌ସୀଙ୍କ ପାରିବାରିକ ଜୀବନ ସୁଖର ଥିଲା । ଧର୍ମପରାୟଣା ପତ୍ନୀ, ଦୁଇ ଉପଯୁକ୍ତ ପୁତ୍ର, ସୁପାତ୍ରରେ ସମର୍ପିତା ରୂପଗୁଣବତୀ ତିନି କନ୍ୟା । କାହିଁକି ତା’ହେଲେ ସେ ଏପରି କଥା କହିଲେ ? କିଏ ଜାଣେ, କାହିଁକି ? ବକ୍‌ସୀଙ୍କ ପର କଥାଟା ଭୌମିକ ମନରେ ବିନ୍ଧିହୋଇ ରହିଲା ।

 

ବକ୍‌ସୀଙ୍କର ସତୀର୍ଥ ଓ ସୁହୃଦ ଥିଲେ ମାନସଗୋବିନ୍ଦ ଭଟ୍ଟ । ସମକାଳୀନ ବାରିଷ୍ଟର ଓ ପ୍ରତିବେଶୀ । ଭୌମିକ ଦିନେ କଥାଟା ତାଙ୍କ କାନରେ ପକେଇଲା । ଯଦି ସେ କିଛି ଆଲୋକପାତ କରିପାରନ୍ତି ।

 

ଭଟ୍ଟ କିଛି କାଳ ସ୍ତମ୍ଭିତ ହୋଇ ରହିଲେ । ବିଶ୍ଵାସ କରିପାରୁନଥିଲେ ଯେ ବକ୍‌ସୀ ସେ କଥା କହିଯାଇଛନ୍ତି । କହିବାକୁ ହେଲେ ତାଙ୍କୁ ନ କହି ଭୌମିକକୁ କହିବା ଅର୍ଥ ?

 

“ଭୌମିକ”...କହୁ କହୁ ତାଙ୍କ ମୁଖ ଉଜ୍ଜ୍ୱଳ ହୋଇଉଠିଲା ।

 

ଆବିଷ୍କାର ପୁଲକରେ ଉଚ୍ଛ୍ଵସିତ ହୋଇ ଭଟ୍ଟ କହିଲେ, “ଭୌମିକ, ଆଲୋକପାତ ମୁଁ କରିବି କ’ଣ । ତୁମେ ହିଁ କଲ । ଏତେଦିନ ମୁଁ ଭୁଲ୍ ବୁଝିଥିଲି । ଭାବିଥିଲି ବକ୍‌ସୀର ଦୁଃଖ ତା’ ବ୍ୟବହାରିକ ଜୀବନର ବ୍ୟର୍ଥତା । ଏବେ ଦେଖୁଛି ତା’ ନୁହେଁ । ହୁଁ, ଗୋଟିଏ ଧନ୍ଦାର ଜବାବ ମିଳିଗଲା । ଠିକ୍ । ଏଇଥର ସବୁ ପାଣି ପରି ସରଳ ।”

 

ଭଟ୍ଟ ଚୂରୁଟରେ ନିଆଁ ଲଗାଇ କହିଲେ, “ବକ୍‌ସୀକୁ ମୁଁ ପ୍ରାୟ କହୁଥିଲି, ତୁମପରି ଭାଗ୍ୟବାନ କିଏ ! ରାଣୀପରି ସ୍ତ୍ରୀ, ରାଜପୁତ୍ର ପରି ପୁଅମାନେ, ରାଜକନ୍ୟା ପରି ଝିଅମାନେ । ବଡ଼ ବଡ଼ କୋଡ଼ିଏ ହଜାରୀ ପଚିଶ-ହଜାରୀ ମନସବ୍‌ଦାରମାନଙ୍କର ମଧ୍ୟ ଏପରି ଭାଗ୍ୟ ହୁଏନା । ଆଉ ତୁମେ ତ ମାତ୍ର ତିନି ହଜାରୀ । ତୁମର ଏତେ ସୌଭାଗ୍ୟ !”

 

ଭୌମିକ କହିଲା, “ସାର୍, ଆପଣଙ୍କର ସମୟ ନଷ୍ଟ କରୁନି ତ ?”

 

“ଆରେ ନାଁ, ନାଁ ! ବସ । ତୁମେ ସବୁ ଏକାଳର ପିଲାମାନେ ବାହା ହେବନି ଏକ ହଜାରୀ ମନସବ୍‌ଦାର ନ ହେଲେ । ଏହା ତ ଏତେଦିନ ଜାଣିଥିଲି । ଏବେ କ’ଣ ଶୁଣୁଛି ବକ୍‌ସୀ ଜବାନୀରେ ? ଏଁ ! ବାହା ହିଁ ହେବନି କେବେ ! କମ୍ୟୁନିଜମ !”

 

ଖିଦମଦ୍‌ଗାର ପେଗ ନେଇଆସିଲ । ଭୌମିକ ମଧ୍ୟ ବାଦ୍ ଗଲା ନାହିଁ । ଗଲା ଓଦା ହେଲା । ସ୍ମରଣଶକ୍ତି ତେଜିଲା । ଭଟ୍ଟ କହିଲେ, “ବଡ଼ ଭଲ ପିଲା ଥିଲା ବକ୍‌ସୀ । ଯେପରି ପଢ଼ାରେ, ସେହିପରି ଚରିତ୍ରରେ, ସେହିପରି ଚେହେରାରେ । ସେ ଯେତେବେଳେ ବିଲାତ ଯାଏ ବାରିଷ୍ଟରୀ ପଢ଼ିବାକୁ, ତା’ ପୂର୍ବରୁ ତା’ର ବିବାହ ହୋଇସାରିଥାଏ । ମୋର ମଧ୍ୟ । ଆମେ ଦୁଇ ବିରହୀ ଯକ୍ଷ ଗୋଟିଏ ଘରେ ବସି ପତ୍ରଦୂତ ପଠାଉଥିଲୁ ଓ ଆଇନ ଆଲୋଚନା କରୁଥିଲୁ । ଦୁଇଜଣଙ୍କର ଥିଲା ଦୁଇଟା ଶୋଇବାଘର; କିନ୍ତୁ ଗୋଟିଏ ମାତ୍ର ବସିବାଘର ।”

 

“ଥରେ ହେଇଥିଲା କ’ଣ”, ଭଟ୍ଟ ସ୍ଵର କମାଇ କହିଲେ, “କହିବିନି କାହାକୁ । ତା’ ପତ୍ରଦୂତ ମୋ ଲଫାଫାରେ, ଆଉଁ ମୋ ପତ୍ରଦୂତ ତା’ ଲଫାଫାରେ ଚାଲିଯାଏ । ସେତେବେଳେ ଆମର କାହାରି ଖିଆଲ ହୋଇନି, ହେଲା ଯେତେବେଳେ ଜବାବ ଆସିଲା ଦୁଇ ଯକ୍ଷିଣୀଙ୍କ ପାଖରୁ-। ସେ ଏକ ହୁଲୁସ୍ତୁଲ କାଣ୍ଡ । ଏବେ ମଧ୍ୟ ଦେହ ଶୀତେଇଉଠେ । ତା’ ପରଠାରୁ ଏକସାଙ୍ଗରେ ବସି ଚିଠି ଲେଖିବାର ପାଠ ଉଠିଗଲା । ସେ ଯାହା ଶୋଇବାଘର କିଳି ଲେଖୁଥିଲୁ । ଖାଲି ତା’ ନୁହେଁ; ଯେ ଯାହା ନିଜ ଚିଠି ଡାକରେ ଦେଇ ଆସୁଥୁଲୁ ।

 

ଭୌମିକ ମୁହଁ ବୁଲାଇ ଆଢ଼ୁଆଳରେ ହସିବାକୁ ଲାଗିଲା ।

 

“ଅଥଚ ମୋ ଭଳି ବନ୍ଧୁଙ୍କୁ ମଧ୍ୟ ସେ ତା’ ପାରିବାରିକ ଅଭିଜ୍ଞତା କହି ଗଲା ନାହିଁ । ବୟସ ହେଲେ ମଣିଷ ମନକଥା ଖୋଲି କହିବାକୁ ଭୁଲିଯାଏ ପ୍ରାଣର ବନ୍ଧୁଙ୍କୁ ବି । ଆଉ ଆମର ପ୍ରଫେସନଟା ମଧ୍ୟ ଏପରି ଯେ ବନ୍ଧୁ, ମଧ୍ୟ ବନ୍ଧୁର ପ୍ରତିଦ୍ୱନ୍ଦ୍ୱୀ । ଶୁଣିଛ ବୋଧହୁଏ ସୁଜୟ ଚାଟାର୍ଜିଙ୍କ କୀର୍ତ୍ତି ! ଚିଫ୍ ଜଷ୍ଟିସ ଡିନରକୁ ଡାକିଛନ୍ତି, ତେବେ ବି ଯିବନି । କାରଣ ବେବୀ ପାଳିତକୁ ମଧ୍ୟ ଡାକିଛନ୍ତି । ଅଥଚ ମାମଲାଟା ଚିଫ୍‌ଙ୍କ ପାଖରେ ନୁହେଁ । ପ୍ୟାଙ୍କରିଜଙ୍କ ପାଖରେ । ବେବୀ ସାଙ୍ଗରେ ତା’ର ବିବାଦ ଏପରି ଏକ ସ୍ତରରେ ଯାଇ ପହଞ୍ଚିଛି ଯେ, ସେମାନେ ସେମାନଙ୍କର ଚିରଦିନର ବନ୍ଧୁତା ମଧ୍ୟ ଭୁଲିଯାଇଛନ୍ତି । ତା’ ବକ୍‌ସୀ କାହିଁକି କହିବ ତା’ର ଅନ୍ତରଙ୍ଗ ଅଭିଜ୍ଞତା ।”

 

ଏହାପରେ ସେ ବକ୍‌ସୀଙ୍କର ପ୍ରଫେସନାଲ ଜୀବନର ଉତ୍‌ଥାନ ପତନର ଇତିହାସ ବିବୃତ କଲେ । ବକ୍‌ସୀଙ୍କର ପ୍ରଧାନ ଗୁଣ ଥିଲା ସେ ମାମଲା କାଗଜପତ୍ର ଟିକିନିଖି କରି ପଢ଼ୁଥିଲେ; କୌଣସି ଅଂଶ ବାଦ୍ ଦେଉନଥିଲେ । ସୁତରାଂ ତଥ୍ୟ ସମ୍ବନ୍ଧରେ ସେ ଥିଲେ ସର୍ବଶୋଭାବରେ ଜାଣିବାବାଲା । ତାଙ୍କର ଦ୍ଵିତୀୟ ଗୁଣ ସେ ଆଇନ ସମ୍ବନ୍ଧରେ ଯେତେ ପ୍ରକାର ପ୍ରଶ୍ନ ଉଠିପାରେ, ପ୍ରତ୍ୟେକଟିର ଉତ୍ତର ବହି ଦେଖି ଦେଖି ଲେଖି ରଖୁଥିଲେ ଓ ସ୍କୁଲଛାତ୍ରଙ୍କ ପରି ଘୋଷୁଥିଲେ । ସୁଆଲ କରିବାକୁ ଉଠି ସେ ବେଶୀ ସମୟ ନେଉନଥିଲେ, ସେଥିପାଇଁ ମାନନୀୟ ବିଚାରପତିମାନଙ୍କର ସମୟ ବଞ୍ଚୁଥିଲା । ଏ ହେଲା ତାଙ୍କର ତୃତୀୟ ଗୁଣ । ତାଙ୍କର ବାଗବିନ୍ୟାସ ମଧ୍ୟ ଥିଲା ବଡ଼ ବଡ଼ କୋଉଁସୁଲିମାନଙ୍କ ପରି ଧୀର ଗମ୍ଭୀର । ବାଚାଳତା, ରସିକତା, କଥା କଟାକଟି ପାଇଁ ସେ ବିଖ୍ୟାତ ନ ଥିଲେ । ତାଙ୍କର ପୋଷାକ-ପରିଚ୍ଛଦ ଥିଲା ସାଧାରଣ; କିନ୍ତୁ ସଫାସୁତୁରା । ଚେହେରା ମାର୍ଜିତ ଓ ଆଚରଣ ସହୃଦୟ । ଏହିସବୁ ଗୁଣର ସମାବେଶରେ ସେ ଦଶବର୍ଷର ପ୍ରାକ୍‌ଟିସ୍‌ରେ ଜଣେ ଉଦୀୟମାନ ନେତା ବୋଲି ଚିହ୍ନିତ ହେଲେ ।

 

ଏପରି ସମୟରେ ହାଇକୋର୍ଟର ଜଜ୍ ହେବାପାଇଁ ତାଙ୍କ ପାଖକୁ ପ୍ରସ୍ତାବ ଆସିଲା । ଏତେ କମ୍ ବୟସରେ କେହି ଜଜ୍ ହୋଇଛନ୍ତି ବୋଲି ଶୁଣାଯାଏନା । ସେ ଅଭିଭୂତ ହେଲେ । ତାଙ୍କର ନିଜର ଖୁବ୍ ଇଚ୍ଛା ବାର୍ ଠାରୁ ବେଞ୍ଚକୁ ଉନ୍ନୀତ ହେବାପାଇଁ; କିନ୍ତୁ ଘର ଲୋକଙ୍କର ଇଚ୍ଛା ଆଉ କିଛି ଦିନ ଯାଉନା । ଆଗେ ପାଞ୍ଚହଜାରୀଠାରୁ ଦଶ ହଜାରୀ ହେବାକୁ ପଡ଼େ, ତା’ପରେ ପନ୍ଦରହଜାରୀ, ତା’ପରେ ଯଦି ଘୋଡ଼ାଦୌଡ଼ର ଘୋଡ଼ା ପରି ଦମ୍ ନେବାକୁ କଷ୍ଟ ହୁଏ ତା’ହେଲେ ଜଜ୍ ହୋଇ ନିଃଶ୍ଵାସ ମାରିବାର ସମୟ ଠିକ୍ ସେତେବେଳକୁ । ଭଟ୍ଟ ତାଙ୍କୁ ସେଇ ପରାମର୍ଶ ହିଁ ଦେଇଥିଲେ । କହିଥିଲେ, “ସେତେବେଳକୁ ଜଜ୍ ସାହେବମାନଙ୍କୁ ଗୋଟିଏ ଖାନା ଦେବ, ଆଉ ମୋତେ ଟିକିଏ ଠାରିଦେବ । ମୁଁ ସେମାନଙ୍କ ସାଙ୍ଗରେ କଥା କହିବି । ତୁମକୁ କହିବାକୁ ହେବନି ।’’

 

ବକ୍‌ସୀ ଜଜ୍ ହେଲେନାହିଁ; ସବିନୟରେ ପ୍ରତ୍ୟାଖ୍ୟାନ କଲେ । କିନ୍ତୁ ଏହା ପରେ ପରେ ଦେଖାଗଲା ତାଙ୍କ ଆୟ କମିବାକୁ ଲାଗିଲା । ଅନେକଦିନ ପର୍ଯ୍ୟନ୍ତ ଚାରି ହଜାରରେ ପଡ଼ିରହିଲା । ତା’ପରେ ତିନି ହଜାରକୁ ଓହ୍ଲାଇ ସ୍ଥିର ହେଲା । ଦ୍ଵିତୀୟଥର ଜଜ୍ ହେବାର ପ୍ରସ୍ତାବ ଆସିଲା ନାହିଁ ତାଙ୍କ ଜୀବନରେ । ଦୁଃଖ ତାଙ୍କର ଭୁଲିବାର ନୁହେଁ । ପଛ ଘୋଡ଼ାସବୁ ଆଗକୁ ଚାଲିଗଲେ, ଉପରକୁ ଉଠିଗଲେ; ମୁହଁ ମାଡ଼ି ପଡ଼ିରହିଲା ବକ୍‌ସୀ ।

 

“ଭୌମିକ !” ଚୂରୁଟ ଟାଣୁ ଟାଣୁ କହିବାକୁ ଲାଗିଲେ ଭଟ୍ଟ, “ସତକୁସତ ମୁଁ କାବା ହେଇଛି । ବକ୍‌ସୀ ଯଦି ବଞ୍ଚିଥାଆନ୍ତା ତାକୁ ମୁଁ ବୁଝେଇ କହନ୍ତି ଯେ ଦୋଷଟା ବିବାହର ନୁହେଁ; ଦୋଷଟା ତା’ ନିଜର । ଏହି ଯେ ମୁଁ ଜଜ୍ ହେଇନି, କେହି କୋଉଦିନ ପ୍ରସ୍ତାବ ମଧ୍ୟ କରିନାହାନ୍ତି, ତା’ବୋଲି କ’ଣ ମୁଁ ହତାଶ ହୋଇ ବ୍ୟବସାୟରେ ଅବହେଳା କରିଛି ? ଇୟଂ ମ୍ୟାନ, ଆଉ ଯା’କର, ପ୍ରାକ୍‌ଟିସରେ ଅବହେଳା କରନା ।”

 

ଏହା କହି ଭୌମିକ ଆଡ଼କୁ ହାତ ବଢ଼ାଇଦେଲେ । ଉଠିବାର ସଙ୍କେତ । ଭୌମିକ ବିଦାୟ ନେଇ ଚାଲିଯାଉଥିଲା; ତାକୁ ପଛରୁ ଡାକି କହିଲେ, “ଭଲ କଥା, ବକ୍‌ସୀ ସମ୍ବନ୍ଧରେ ଆହୁରି କିଛି ଜାଣିବାକୁ ଚାହଁ ତ’ ତା’ର ବାଲ୍ୟବନ୍ଧୁ ସବ୍ୟସାଚୀଙ୍କୁ ଖୋଜି ବାହାର କର । ବାବୁ ସବ୍ୟସାଚୀ କୁଶାରୀ । କେଉଁଠି କାମ କରନ୍ତି ଜାଣେନା, ଶୁଣିଛ ସ୍କୁଲ ମାଷ୍ଟର ।”

 

ଧନ୍ୟବାଦ ଜଣେଇ ଭୌମିକ ଆଗେଇ ଯାଉଥିଲା; ସେ ପୁଣି ପଛରୁ ଡାକିଲେ । କହିଲେ, “ମୋର ମନେହୁଏ ବକ୍‌ସୀ ତୁମକୁ ଓୟାର୍ନିଂ ଦେଇଯାଇଛନ୍ତି ବାହା ନ ହେବାକୁ । ସେଟା ସିରିଏସଲି ନିଅନି । ଆମ ପ୍ରଫେସନରେ ସକ୍‌ସେସ୍‌ଫୁଲ ହେବାକୁ ହେଲେ ଦୁଇଟି କାମରେ ବିଚକ୍ଷଣତା ଦେଖାଇବାକୁ ପଡ଼େ । ଏକ ଶ୍ଵଶୁର ନିର୍ବାଚନ, ଦୁଇ ସିନିଅର ନିର୍ବାଚନ । ବକ୍‌ସୀ ନାହିଁ, କିନ୍ତୁ ମୁଁ ତ ଅଛି ।”

 

ଦିନାଜପୁରର ‘ବାବୁ’ ସବ୍ୟସାଚୀ କୁଶାରୀ ବକ୍‌ସୀଙ୍କର ବାଲ୍ୟବନ୍ଧୁ ଥିଲେ । ମଝିରେ ମଝିରେ କଲିକତାକୁ ଆସିଲେ ବକ୍‌ସୀ ସାଙ୍ଗରେ ଦେଖାକରୁଥିଲେ । ଦେଖାହେଉଥିଲା ରାତିରେ କାମଦାମ ସରିଲେ । ଆରାମ ଚୌକିରେ ଦେହ ଢାଳିଦେଇ ଘଣ୍ଟା ପରେ ଘଣ୍ଟା କଟି ଯାଉଥିଲା ନିରୋଳା ବାରଣ୍ଡାରେ ।

 

ବକ୍‌ସୀଙ୍କ ମୃତ୍ୟୁ-ସମ୍ବାଦ ପାଇ କୁଶାରୀ ଅତିଶୟ ବିସ୍ମିତ ହେଲେ । କେହିହେଲେ ତାଙ୍କୁ ଦୟାକରି ଜଣାଇନାହାନ୍ତି ଯେ ବକ୍‌ସୀ ମରଣାପନ୍ନ ପୀଡ଼ିତ । ଜଣାଇବେ କିପରି, ବକ୍‌ସୀ ଚାଲିଗଲେ ଚାରିଦିନର ନୋଟିସରେ । ଶୁଦ୍ଧଘର ସମୟକୁ ସେ କଲିକତାକୁ ଆସିଲେ । ଭୌମିକ ତାଙ୍କ ସନ୍ଧାନରେ ଥିଲା । ତାଙ୍କୁ ନିଜ ପରିଚୟ ଦେଇ କହିଲା, “ମିଷ୍ଟର ବକ୍‌ସୀ ମୋତେ ପୁଅ ପରି ସ୍ନେହ କରୁଥିଲେ । ଯିବାବେଳେ ମୋତେ ବିଶ୍ଵାସ କରି ଗୋଟିଏ କଥା କହିଯାଇଛନ୍ତି, ଯାହା ଆଉ କାହାକୁ କୌଣସି ଦିନ କହିନାହାନ୍ତି ।”

 

କୁଶାରୀ କହିଲେ, “ତା’ହେଲେ କ’ଣ ମୋର ଶୁଣିବା ଉଚିତ୍ ହେବ ?”

 

ଭୌମିକ କହିଲେ, “ଶୁଣିଲେ ହୁଏତ ଆପଣ କିଛି ଆଲୋକପାତ କରିପାରନ୍ତେ ।”

 

କୁଶାରୀ କହିଲେ, “ସେଥିରେ କାହାର କ’ଣ ଲାଭ ହେବ ?”

 

ଭୌମିକ କହିଲା, “ତା’ଉପରେ ଜଣକର ବାହା ହେବା ନହେବା ନିର୍ଭର କରୁଛି ।”

 

“ଓଃ ଏପରି କଥା !” କୁଶାରୀ ଆର୍ଦ୍ର ସ୍ଵରରେ କହିଲେ, “ଆଚ୍ଛା ।”

 

ଭୌମିକ ତାଙ୍କୁ ଖାଇବାପାଇଁ ନିମନ୍ତ୍ରଣ କଲେ । ସେ ଟିକିଏ ଇତସ୍ତତଃ କଲେ । ତା’ପରେ ଖୋଲି କହିଲେ, “ଆପଣମାନେ ହେଲେ ସାହେବ, ଆମେ ହେଲୁ ବାବୁ । ଟେବୁଲ ମ୍ୟାନର୍ସ ଜାଣୁନା । ହୁଏତ ଭୁଲରେ ହାତ ଲଗାଇ ଖାଇଦେବି । ଦରକାର କ’ଣ ଆପଣମାନଙ୍କର ହସର ଖୋରାକ ଯୋଗେଇ ?”

 

ଭୌମିକ ତାଙ୍କୁ ଅଭୟ ଦେଲା ଯେ, ଖାଇବା ପିଇବା ଦେଶୀ ଧରଣର ହେବ । ସେତେବେଳେ ସେ ରାଜି ହୋଇଗଲେ । ଦିନ କ୍ଷଣ ସ୍ଥିର ହେଲା ।

 

ଯଥାକାଳରେ ଭୌମିକ ଶୁଣାଇଲା ବକ୍‌ସୀଙ୍କ ପାଖରୁ ଯାହା ଶୁଣିଥିଲା ।

 

ତାହା ଶୁଣି କୁଶାରୀ ଜଣାଇଲେ ସେ ନିଜେ ଯେତେଟିକେ ଜାଣିଥିଲେ ।

 

ବିଜଲୀ ମୋର ପିଲାଦିନର ବନ୍ଧୁ । କୃତୀ ହେଲେ ଲୋକେ ତାଙ୍କର ଅକୃତୀ ବନ୍ଧୁମାନଙ୍କୁ ଭଲପାଆନ୍ତି । କିନ୍ତୁ ବିଜଲୀ ମୋତେ କେବେହେଲେ ମନେକରିବାକୁ ଦେଇନାହିଁ ଯେ ସେ ବଡ଼ଲୋକ ବାରିଷ୍ଟର ଓ ମୁଁ ଗରିବ ଗୁରୁ ମହାଶୟ । କହୁଥିଲା ‘ଏମାନେ ମୋର ସୁଦିନର ବନ୍ଧୁ । ଦୁର୍ଦ୍ଦିନରେ କେହି ମୋ ପାଖରେ ଠିଆହେବେ ନାହିଁ । କିନ୍ତୁ ତୁ ମୋର ଚିରଦିନର ବନ୍ଧୁ ।’ ଅନେକ ଦୁଃଖରେ ସେ ସେକଥା କହିଥିଲା ।

 

ଆମେ ଦୁହେଁ ଏକସାଙ୍ଗରେ ଏନଣ୍ଟ୍ରାନ୍‌ସ ପାଶ୍‍ କଲୁ । ତା’ପରେ ସେ ଭର୍ତ୍ତି ହେଲେ ପ୍ରେସିଡ଼େନ୍‌ସୀ କଲେଜରେ, ଆଉ ମୁଁ ରିପନ୍‌ରେ । ମୁଁ ସ୍ୱଦେଶୀ ଆନ୍ଦୋଳନରେ ଝାସ ଦେଇ କେଉଁଠାକୁ ଅତଳତଳ ହେଇଗଲି, ଆଉ ସେ ବି. ଏ. ପାଶ୍ କରି ବାହାହୋଇ ବିଲାତ ଗଲା । ବାରିଷ୍ଟର ହେବାପାଇଁ । ମୁଁ ଜେଲରୁ ବାହାରି ବେସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ାଇବା ଭାରନେଲି: ଆଉ ସେ ବିଲାତରୁ ଫେରି ହାଇକୋର୍ଟ ବାରରେ ଦମ୍ଭ ହୋଇ ବସିଲା । ଏଥିପାଇଁ ତା’ ଉପରେ ମୋର ଅଭିମାନ ଥିଲା । କିନ୍ତୁ ଦିନେ ଗୋଟିଏ କେସ୍‌ରେ ଗୁଡ଼େଇ-ଗୁଡ଼େଇ ହୋଇ ତା’ ଦ୍ଵାରସ୍ଥ ହେଲି । ସେତେବେଳେ ତା’ର ଯା’ ପରିଚୟ ପାଇଲି ସେଥିରେ ମୋର ଅଭିମାନ ପାଣି ଫାଟିଗଲା । କହିଲା, “ଦେଶ ପାଇଁ ତୁ ସର୍ବସ୍ଵ ଦେଲୁ, ତୋର ନିଜର ବୋଲି କ’ଣ ଅଛି ଯେ ଓକିଲ ବାରିଷ୍ଟରଙ୍କୁ ଦେବୁ ? ଆଉ କାହିଁକି ବା ଦେବୁ ? ଦେଶ ପାଖରୁ ସେମାନେ ଏତେ ନେଉଛନ୍ତି; ଦେଶକୁ ତା’ବଦଳରେ ଦେଉଛନ୍ତି କ’ଣ ? ଦିଅନ୍ତୁନା କିଛି ଅସୁଲ ତୋ’ କାମ କରିଦେଇ !”

 

ବିଜଲୀ ମୋତେ ଶ୍ରଦ୍ଧା କରୁଥିଲା ମୋର ତଥାକଥିତ ଦେଶସେବା ପାଇଁ । କହୁଥିଲା, ଦେଶ ତ କଲିକତା ନୁହେଁ, ଦେଶ ପଲ୍ଲୀଗ୍ରାମରେ । କଲିକତା ହେଉଛି ହାଫ୍ ବିଲାତ । ଜୀବିକା ପାଇଁ ଏଠାରେ ପଡ଼ି ରହିଛି, ଜୀବନଯାତ୍ରାର ମାନ ବଢ଼େଇଦେଇଛି, ନ ହେଲେ ତୋ ସାଙ୍ଗରେ ଜୁଟି ଦେଶସେବା କରନ୍ତି, ସବ୍ୟ ! କହିବାକୁ ଗଲେ ତୁ ଯେ କାମ କରୁଛୁ, ସେ କାମ ମୋର । ଆଉ ମୁଁ ଯେ କାମ କରୁଛି ସେ କାମ ମୋର ପରିବାରର ।

 

ଥରେ ଗୋଟାଏ ଆଶ୍ଚର୍ଯ୍ୟ ଘଟଣା ଘଟେ । ବିଜଲୀ ପାଖକୁ ଚିଠି ଆସେ ହାଇକୋର୍ଟର ଜଜ୍ ହେବାପାଇଁ । ମୋତେ ଟେଲିଗ୍ରାମ କରି କଲିକତାକୁ ଅଣାଇ ପଚାରେ, ସବ୍ୟ, ତୋର କ’ଣ ପରାମର୍ଶ ? ମୋର ତ ମନେହୁଏ ଜଜ୍ ହେଲେ ଦେଶପାଇଁ ମୁଁ କିଛି କରିପାରନ୍ତି ।

 

ମୁଁ ତ ମୁସ୍କିଲରେ ପଡ଼ିଗଲି । ଶୁଣିଲି ସମସ୍ତେ ତାକୁ ଓଲଟା ପରାମର୍ଶ ଦେଉଛନ୍ତି । ସେଥିଲାଗି ନୈତିକ ସମର୍ଥନ ପାଇଁ ମୋତେ ଡାକିପଠାଇଛି ।

 

ସେଦିନ ସେ ମୋତେ ଯେଉଁସବୁ କଥା କହୁଥିଲା, ସେ ସବୁ ଆଉ କେବେ କାହାକୁ କହିନି । ଆପଣଙ୍କୁ ମଧ୍ୟ କହନ୍ତି ନାହିଁ; କିନ୍ତୁ ଦେଖୁଛି ଆପଣଙ୍କୁ ସେ ବିଶ୍ଵାସ କରିଛି । ତା’ ଛଡ଼ା ଏହା ଉପରେ ଆପଣଙ୍କର ବାହାହେବା ନହେବା ନିର୍ଭର କରୁଛି । ମାଫ୍ କରିବେ, ‘ଆପଣଙ୍କର’ ନ କହି କହିବା ଉଚିତ ଥିଲା ‘ଜଣକର’ ।

 

ସେଦିନ ଯାହା ଶୁଣିଥିଲି ତା’ ଏପରି ଅପୂର୍ବ କଥା ଯେ, ଏବେ ମଧ୍ୟ ମୋର ପରିଷ୍କାର ମନେଅଛି । ସେ କହୁଥିଲା, ‘ସବ୍ୟ, ମୋର ଧାରଣା ଥିଲା ମୋର ଯୋଗ୍ୟତା ଦ୍ଵାରା ମୁଁ ମାସକୁ ପାଞ୍ଚହଜାର ଟଙ୍କା ରୋଜଗାର କରୁଛି । କିନ୍ତୁ କିଛିଦିନ ହେଲା ସେ ଧାରଣା ଟଳମଳ କରୁଛି । ମନେହେଉଛି ବାହାରୁ ଆସି ଦଳେ ବଣିକ ଏ ଦେଶ ଦୋହନ କରୁଛନ୍ତି । ଦୋହନର ଭାଗ ହେଉଛନ୍ତି ଦେଶୀ ବଣିକମାନଙ୍କୁ । ଦେଶୀ ବଣିକ‌ମାନଙ୍କଠୁ ବଖରା ପାଉଛୁ ଆମେ ଆଇନଜୀବୀମାନେ । ଆଉ ଆମଠାରୁ ଭାଗ ପାଉଛନ୍ତି ଆମର ପରିବାର-ପରିଜନ । ଲୁଟିର ଭାଗ ମିଠା ଲାଗୁଛି ବୋଲି ଭାର୍ଯ୍ୟା କହୁଛି ଆହୁରି ରୋଜଗାର କର; ଏବେ ତୁମର ଦଶ କୋଡ଼ିଏ ହଜାର ରୋଜଗାର ବେଳ, ବର୍ତ୍ତମାନ କାହିଁକି ଚାରି ହଜାର ନେଇ ତୁଷ୍ଟ ହେବ ? ଘରଣୀ ଯେ କଥା କହୁଛି ସେହି କଥା ହିଁ କହୁଛନ୍ତି ଭାଇ ଭଉଣୀ, ଶଳା ଶାଳୀ, ଆତ୍ମୀୟ କୁଟୁମ୍ବ । ଏପଟେ ମୁଁ ଯେ ବିବେକର ବୋଝ ବୋହି ଦିନକୁ ଦିନ ନଇଁପଡ଼ୁଛି, ତା’ କ’ଣ କେହି ଲକ୍ଷ୍ୟ କରୁଛି ? ଟଙ୍କା ଦେଖିଲେ ତାଙ୍କର ଲୋଭ ବଢ଼ିଯାଏ । ଆଉ ମୋ ମନରେ ଖଟକାଲାଗେ ୟେ କ’ଣ ମୋର ହକ୍ ପାଉଣା ? ସତେ କ’ଣ ମୁଁ ଏହାର ଯୋଗ୍ୟ ? ନାଁ ଏଇଟା ଅସଲରେ ଏକପ୍ରକାର ଲୁଟିର ବଖରା ?

 

ବିଜଲୀକୁ ମୁଁ ପରାମର୍ଶ ଦେଲି, ଯେଉଁଥିରେ ତୁମର ବିବେକର ଜ୍ଵାଳା କମେ, ସେଇଆ କର । ସେ କହିଲା, ତା’ହେଲେ କାଲି ଲେଖି ଜଣାଇଦେବ ଜଜ୍ ହେବାକୁ ମୁଁ ରାଜି ।

 

ଗୋଟିଏ ରାତି ଭିତରେ କ’ଣ ଯେ ଘଟିଗଲା ଜାଣେନା, ପରଦିନ ଚିଠି ଗଲା-ନାରାଜ ।

 

ବର୍ଷ କେତେଟା ପରେ ଯେତେବେଳେ ତା’ ସାଙ୍ଗରେ ଏକଥା ନେଇ ଆଲୋଚନା ହୁଏ, ସେ କହେ-ସାରା ରାତି କର୍ଟେନ ଲୋକଚର ଶୁଣି ଅତିଷ୍ଠ ହୋଇ ସ୍ଥିର କଲି ଜଜ୍ ଚାକିରି ନେବିନି; କିନ୍ତୁ ଚାରି ହଜାରରୁ ବେଶି ରୋଜଗାର ମଧ୍ୟ କରିବିନି । ଏହି ସିଦ୍ଧାନ୍ତ ଏତେଦିନ ମାନିଆସିଛି । ଏବେ ମନେହେଉଛି ଆଉ ହଜାରେ କମ୍ କରିବା ଉଚିତ୍ । କାହିଁକି ନାଁ ଘରଣୀ ତ’ ମୋ ସାଙ୍ଗରେ ରହନ୍ତିନି, କାହା ପାଇଁ ଏତେ ରୋଜଗାର କରିବି ?

 

କହୁଛ କ’ଣ ? ସ୍ତ୍ରୀ ତୁମ ପାଖରେ ରହନ୍ତିନି ?

 

ନା, ଭାଇ ! ସେ ଯେତେବେଳେ ଶୁଣିଲେ ଯେ, ମୁଁ ସ୍ଵଇଚ୍ଛାରେ ମୋର ଆୟ ଚାରି ହଜାର ନିର୍ଦ୍ଦିଷ୍ଟ କରିଛି ସେତେବେଳେ ସେ କାନ୍ଦିପକାଇଲେ । କହିଲେ, ଯଦି ଜାଣନ୍ତି ଯେ ତୁମର ତା’ଠାରୁ ବେଶୀ କ୍ଷମତା ନାହିଁ ତା’ହେଲେ କିଛି ମନେକରନ୍ତିନି । କିନ୍ତୁ ଅଛି ତୁମର କ୍ଷମତା, ପାର ତୁମେ ଦଶ-ହଜାରକୁ ଉଠି । ତୁମେ ଯଦି ଏ ବୟସରେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାର ତା’ହେଲେ ବୁଢ଼ା ବୟସରେ ତୁମର ସଞ୍ଚୟ କହିଲେ କିଛି ନ ଥିବ, ଆୟ ତ ବୁଢ଼ା ବୟସରେ କମୁ କମୁ ହଜାରେ କି ପାଞ୍ଚଶହରେ ଠେକିବ ! ଏହା ଯଦି ତୁମ ମନରେ ଥିଲା, ତେବେ ବାହାହେଲ କାହିଁକି ? ପୁଅ-ଝିଅର ବାପ ହେବାକୁ ଗଲ କାହିଁକି ? ମୋର ଯା’ ହେବାର ହେବ, ହୁଏତ କବାଟ କିଳି ଦିଅଁ ଦେବତା ନେଇ ପଡ଼ିରହିବି; କିନ୍ତୁ ପିଲାମାନଙ୍କର ଭବିଷ୍ୟତ କ’ଣ ହେବ ? ଝିଅମାନଙ୍କର ବାହାଘର ହେବ କିପରି ? ପୁଅମାନଙ୍କୁ ବିଲାତ ପଠେଇବନି ନାଁ କ’ଣ ?

 

ଏହାର ଉତ୍ତରରେ ତୁମେ କ’ଣ କହିଲ ?

 

କହିଲି ବହୁତ କଥା । କହିଲି, ମୋର କ୍ଷମତା ସମ୍ବନ୍ଧରେ ତୁମର ଭୁଲ୍ ଧାରଣା ଅଛି ବୋଲି ତୁମେ ଭୁଲ୍ ବୁଝୁଛ । ବାସ୍ତବରେ ମୋର କ୍ଷମତା ସେତେ ଦୂର ପର୍ଯ୍ୟନ୍ତ ନୁହେଁ । ଆଜିକାଲିର ଏ ସମାଜ-ବ୍ୟବସ୍ଥା ଯଦି ବଦଳିଯାଏ, ତା’ହେଲେ ଓକିଲ ବାରିଷ୍ଟରଙ୍କ ଆୟ କେବେହେଲେ ଏତେ ବେଶି ହୋଇନପାରେ । ଏ ବ୍ୟବସ୍ଥା ବଦଳିବ ହିଁ ବଦଳିବ । ସେତେବେଳେ ଦେଖିବ ଚାରିହଜାର ଟଙ୍କା ମୋଟେ କମ୍ ଟଙ୍କା ନୁହେଁ । ପୁଅମାନେ ଯଦି ବିଲାତ ଯିବାକୁ ଚାହାଁନ୍ତି, ତେବେ ନିଜ ଚେଷ୍ଟାରେ ଯିବେ । ଝିଅମାନେ ଯଦି ବାହାହେବାକୁ ଚାହାଁନ୍ତି, ତେବେ ନିଜ ଚେଷ୍ଟାରେ ହେବେ । ନଚେତ୍ ପଢ଼ାଶୁଣା କରି କାମଦାମ କରିବେ ।

 

ତା’ପରେ ?

 

ତା’ପରେ ସେ ଶକ୍ ପାଇ ହତବାକ୍ ହେଲେ । ଦିନାକେତେ କଥା କହିଲେନି । ଦିନେ ଦେଖେଁ, ସେ ମୋ ହାତରେ ନେଥାଏ ଚାବି ଧରେଇଦେଇ ଗୋଡ଼ ଛୁଇଁ ପ୍ରଣାମ କରୁଛନ୍ତି । ପଚାରି କୌଣସି ଜବାବ ପାଇଲିନି । ବାପଘରୁ ଗାଡ଼ି ଆସି ତାଙ୍କୁ ନେଇଗଲା । ସେହି ଯେ ସେ ଗଲେ, ତା’ପରେ ଆଉ ତାଙ୍କର ଆସିବାର ନାଁ ନାହିଁ । କେତେଥର ଲୋକ ପଠାଇଛି, ନିଜେ ଯାଇଛି; କିନ୍ତୁ ତାଙ୍କର ସେଇ ଏକ କଥା । ବୁଢ଼ା ବୟସରେ ଖାଇବି କ’ଣ ? ଶ୍ଵଶୁର ମହାଶୟ ମୋତେ ଛୋଟ ପିଲା ପରି ହିତୋପଦେଶ ଶୁଣାଇଦେଲେ । କହିଲେ, ପୁରୁଷର ପ୍ରଥମ କର୍ତ୍ତବ୍ୟ ତା’ ସ୍ତ୍ରୀ ପୁତ୍ରକନ୍ୟାଙ୍କ ପ୍ରତି । ଆଗେ ସେଟା କର, ତା’ପରେ ବିବେକର ଦାବି ମାନିବ । ଶ୍ଵଶୁରପୁଅ କହିଲେ, ବିବେକ, ବିବେକ କରୁଛ, ବିବେକ କ’ଣ ତୁମର ଏକା ଅଛି, ଆଉ କାହାର ନାହିଁ ? ବିବେକ ଅଛି ବୋଲି ତା’ ବଡ଼ ବଡ଼ କୌଁ ସୁଲୀମାନେ ମଦପିଇ ତା’ହାତରୁ ଉଦ୍ଧାର ପାଆନ୍ତି, ପୁଣି କେହି କେହି ଆଉ ଗୋଟିଏ ମ-କାର ଯୋଡ଼ିଦିଅନ୍ତି । ସେମାନଙ୍କର ସ୍ତ୍ରୀମାନେ ଏକଥା ବୁଝନ୍ତି, ସେଥିପାଇଁ କ୍ଷମା କରନ୍ତି । କିନ୍ତୁ ବୁଝିପାରନ୍ତନି, କ୍ଷମା କରନ୍ତନି ତୁମପରି ପାଗଳଙ୍କୁ । ତୁମେ ଯଦି ଯଥେଷ୍ଟ ଗୋଲଡ୍ ମୋହର କମାଅ, ତା’ହେଲେ ତୁମର ସାତ ଖୁନ୍ ମାଫ୍ । ନ ହେଲେ ତୁମେ ହଜାର ଭଲ ମଣିଷ ହେଲେ ମଧ୍ୟ ତୁମର ମାଫ୍ ନାହିଁ, ବିଜୁ !

 

ଅଦ୍ଭୁତ୍ ! ଅଦ୍ଭୁତ୍ ! ତା’ପରେ ?

 

ତା’ପରେ ଶାଶୁ-ଠାକୁରାଣୀ କହିଲେ, ଠିକ୍ ଏହିପରି ହୋଇଥିଲା ମୋର ବଡ଼-ଭାଇଙ୍କର, ସେ ଆଳିପୁର ବାର୍‍ର ପ୍ରଧାନ । ସେ ଗୁରୁଙ୍କ ପାଖରେ ଦୀକ୍ଷା ନେଇ ଶାନ୍ତି ପାଇଲେ । ଗୁରୁ କହିଲେ, ବାପା, ତୁମେମାନେ ହେଲ ଗୃହୀ; ଆଉ ଆମେମାନେ ହେଲୁ ସନ୍ନ୍ୟାସୀ । ଆମବେଳେ ଯାହା ନିୟମ, ତୁମବେଳେ କ’ଣ ସେଇଆ ? ରହିପାରିବ ତୁମେମାନେ କାମିନୀ ତ୍ୟାଗ କରି ? ଯଦି ନପାର ତେବେ କାଞ୍ଚନ ତ୍ୟାଗ କରି ବଞ୍ଚିବ କିପରି ? ଆଶ୍ରିତମାନଙ୍କୁ ବଞ୍ଚେଇବ କିପରି ? ହେ ପରନ୍ତପ, କ୍ଷୁଦ୍ର ହୃଦୟ ଦୌବଲ୍ୟ ତ୍ୟାଗକର । ମୁଁ ତୁମକୁ ଆଦେଶ କରୁଛି, ଯାଅ ଅକାତରରେ ଅର୍ଥ ଉପାର୍ଜନ କର । ଉଦ୍‌ବୃତ୍ତ ଧନ ସାଧୁ-ସେବାରେ ବ୍ୟୟ କର । ମୁଁ ତୁମକୁ ସର୍ବପାପରୁ ମୁକ୍ତ କରିବି । ମା ଶୁଚ ।

 

ଚମତ୍କାର ! ଚମତ୍କାର ! ତା’ପରେ !

 

ତା’ ଅର୍ଥ ଲୁଟିଭାଗ ଗୁରୁଙ୍କୁ ମଧ୍ୟ ଦେବାକୁ ହେବ । ତା’ହେଲେ ନିର୍ବିବେକ ହୋଇ ଲୁଟି ଧନ ପକେଟରେ ଭରିପାରିବ । ଶୁଣ୍ଢିକୁ ଦେଲେ ମନେହେବ ପାପ କରୁଛି, ରାଣ୍ଡୀକୁ ଦେଲେ ମନେହେବ ମହାପାପ କରୁଛି; କିନ୍ତୁ ଗୁରୁଙ୍କୁ ଦେଲେ ମନେହେବ ସର୍ବପାପରୁ ମୁକ୍ତ ହେବାପାଇଁ ଇନ୍‌ସିଓର କରୁଛି । ମୋ ବୟସ୍ୟମାନଙ୍କ ଭିତରେ କେତେ ଜଣ ଗୁରୁବାଦୀ ଅଛନ୍ତି । ଦେଖିଛି ଗୁରୁଙ୍କ ଗୋଡ଼ତଳେ ବସି ସେମାନେ ତତ୍ତ୍ଵ କଥା ଶୁଣୁଛନ୍ତି । ସେହି ପରମ ପୁରୁଷ ସେମାନଙ୍କର ବିବେକକୁ ନିର୍ବେଦ କରିବାପାଇଁ ଯେଉଁସବୁ ବାଣୀ ଶୁଣାଉଛନ୍ତି ସେ ସବୁ ତାଙ୍କ ପାଖରେ ଅମୃତ ସମାନ । କିନ୍ତୁ କରିବି କ’ଣ, ଅଜ୍ଞେୟବାଦୀ ମୁଁ; ମୋର ତ ଏତେ ସହଜରେ ପରିତ୍ରାଣ ନାହିଁ । ମୋର ଉପାର୍ଜନ ଚାରି ହଜାରରୁ ତିନି ହଜାରକୁ ଖସିଆସିବାକୁ ଚାହେଁ । ସେଥିରେ ମୋତେ ତ ଅଣ୍ଟେନି, ଗୁରୁଙ୍କୁ ଦେବି କ’ଣ ?

 

ଏହାପରେ ବିଜଲୀ ମୋତେ ଆଉ ଗୋଟିଏ ଖବର ଦିଏ । କହେ, ଦିନେ ଦେଖେ ଜଣେ ସାଧୁବାବା ଆସି ହାଜର । କହିଲେ ସେ ଗୁରୁ । ସେତେବେଳେ ମୁଁ ଜାଣିନଥିଲି ଯେ ସେ ମୋର ସ୍ତ୍ରୀଙ୍କର ଗୁରୁ । ଜାଣିଥିଲେ ହୁଏତ ଆଦର ଆପ୍ୟାୟନ କରିଥାନ୍ତି, ଯଦିଚ ଶିଷ୍ୟ ହୋଇନଥାନ୍ତି । କିନ୍ତୁ ଅଜ୍ଞାନତାବଶତଃ ମୁଁ ତାଙ୍କ ସାଙ୍ଗରେ ଟିକିଏ ରୁକ୍ଷ ବ୍ୟବହାର କଲି । ତର୍କ କରୁ କରୁ କହିଦିଏ, ଭାରତବର୍ଷରେ ସାଧୁ ସନ୍ନ୍ୟାସୀମାନଙ୍କର ଲେଖାଯୋଖା ନାହିଁ । ଗତ ତିନି ଚିରି ହଜାର ବର୍ଷରେ ଅନ୍ତତଃ ତିନି ଚାରି କୋଟି ସାଧୁ-ସନ୍ଥ ଜନ୍ମ ନେଇଛନ୍ତି । ଜଣକ ନାଁ କହିପାରିବେ କି ଯେ ସତୀଦାହ ପ୍ରଥା ଉଠାଇଦେବାକୁ ଚାହୁଁଥିଲେ ? ଆଉ ଯିବି କେଉଁଠାକୁ ! ସାଧୁଜୀ ମୋତେ ଦଶ କଥା ଶୁଣାଇଦେଲେ । ମୁଁ ମ୍ଳେଚ୍ଛ ! ମୁଁ ହିନ୍ଦୁ ଧର୍ମ ଧ୍ଵଂସ କରିବାକୁ ଆସିଛି । ଭାବିଥିଲି ଘଟଣାଟି ଏଇଠି ଶେଷ ହେଲା । ତା’ନୁହେଁ । ଦିନ ଦୁଇଟା ପରେ ମୋ ସ୍ତ୍ରୀ ଲେଖି ପଠାଇଲେ, ତୁମେ ମୋ ଗୁରୁଙ୍କୁ ଅପମାନ କରି ତଡ଼ିଦେଇଛ । ମୁଁ ନିଜ ଅପମାନ ସହିପାରେ; ଗୁରୁଙ୍କ ଅପମାନ ସହି ନ ପାରେ । ମୁଁ ଏହା ଉତ୍ତରରେ ଲେଖିଲି, ଏତେ କାଳ ଜାଣିଥିଲି ପତି ପରମ ଗୁରୁ । ଏବେଠାରୁ ଜାଣିଲି ଗୁରୁ ପରମ ପତି । କି କୁକ୍ଷଣରେ ସେ କଥା ଲେଖିଥିଲି । ଦିନ କେତେଟା ପରେ ଖବର ଆସିଲା ମୋ ସ୍ତ୍ରୀ ତୀର୍ଥ କରିବାକୁ ଚାଲିଯାଇଛନ୍ତି ତାଙ୍କ ଗୁରୁଙ୍କ ସାଙ୍ଗରେ ଦଳବଳ ସହ ।

 

ସର୍ବନାଶ ! ତା’ହେଲେ ତୁମେ କରୁଛ କ’ଣ ?

 

କରିବାର ଅଛି କ’ଣ ? ମୋ ଆଡ଼ୁ ନୀତି-ସ୍ଵୀକାର ନ ଦେଖେଇଲେ ସେ କ’ଣ ଫେରିବେ ଯେ ଫେରାଇ ଆଣିବାକୁ ଯିବି ! ମୁଁ ତିନି ହଜାରକୁ ଓହ୍ଲାଇଛି ଓ ଯେଉଁ ଦୁଇଟି ସନ୍ତାନ ମୋ ସଂସାରରେ ମଣିଷ ହେଉଛନ୍ତି, ସେମାନଙ୍କୁ ସୁଶିକ୍ଷା ଦେଉଛି । ଦିନେ ଯଦି ସେମାନେ ଠିଆହୁଅନ୍ତି ତେବେ ଶିକ୍ଷା ଜୋରରେ ଠିଆହେବେ, ବିତ୍ତ ବଳରେ ନୁହେଁ; ବୁଜୁରୁକି * ଜୋରରେ କଦାପି ନୁହେଁ ।

 

ମୁଁ ବିଜଲୀକୁ ମୋର ନୈତିକ ସମର୍ଥନ ଜଣାଇଲି । ତେବେ ଭାବିଚିନ୍ତି ପରାମର୍ଶ ଦେଲି ସ୍ତ୍ରୀଙ୍କ ସାଙ୍ଗରେ ସନ୍ଧି କରିବାକୁ । ବାହା ଯେତେବେଳେ ହୋଇଛି, ସେତେବେଳେ ଟିକିଏ କେଉଁଠି କେମିତି ନିତି ସ୍ଵୀକାର କରିବାକୁ ବି ପଡ଼ିବ ନିଶ୍ଚୟ । ତା’ ଶୁଣି ସେ ଜଳିଉଠିଲା । ନିତି ସ୍ଵୀକାର କରିବାକୁ ପଡ଼ିବ ବାହାହୋଇଛି ବୋଲି ? ଏକଥା ଜାଣିଥିଲେ ବାହା ହିଁ ହୁଅନ୍ତି ନାହିଁ । ସନ୍ଧି ! ସନ୍ଧି ଯଦି ନ କରନ୍ତି ତେବେ ମୋର ସ୍ଥାନ ହୁଅନ୍ତା ହାଇକୋର୍ଟ ବେଞ୍ଚରେ, ଚିଫ୍ ଜଷ୍ଟିସଙ୍କର ପାର୍ଶ୍ଵରେ । ରାଜ୍ୟର ଯେତେ ଖଣ୍ଡିଙ୍କ ସହିତ ମୁହାଁମୁହିଁ ହେବାକୁ ପଡ଼ନ୍ତାନି ।

 

ବର୍ଷେ ଖଣ୍ଡେ ପରେ ପୁଣି ଯେତେବେଳେ ତା’ ସାଙ୍ଗରେ ଦେଖାହୁଏ ସେତେବେଳେ ଶୁଣେ ଭାଉଜ ଫେରିଛନ୍ତି; କିନ୍ତୁ ପୂଜାଘରେ ଦିନତମାମ କାଟନ୍ତି, ରାତିରେ ଅସିଧାର ବ୍ରତ । କହନ୍ତି, ସାମାଜିକତା କରିବି ଯେ, ରସଦ କାହିଁ ? ଯେଉଁମାନେ ପାର୍ଟିକୁ ଆସିବେ ସେମାନଙ୍କୁ କ’ଣ ଖାଇବାକୁ ଦେବି; ଯେଉଁମାନଙ୍କ ପାର୍ଟିକୁ ଯିବି ତାଙ୍କୁ କ’ଣ ଉପହାର ଦେବି; କ’ଣ ପିନ୍ଧି ବାହାରିବି ଲୋକଙ୍କ ଆଗକୁ ? ତିନି ହଜାର ଟଙ୍କାରେ କ’ଣ ହୁଏ ?

 

ଭୌମିକ ଏତେକଥା ଜାଣିନଥିଲା । ତା’ଧାରଣା ବକ୍‌ସିଙ୍କର ବ୍ୟବସାୟ ମାନ୍ଦା ଚାଲିଥିବାରୁ ମନରେ ଦୁଃଖ ଥିଲା । ଏହା ଯେ ଗୋଟାଏ ରାଜ୍ୟ ଆବିଷ୍କାର ! ମଣିଷ ସ୍ଵଇଚ୍ଛାରେ ତା’ର ପ୍ରାକ୍‌ଟିସ କମେଇଦିଏ, କମାଇଦେଇ ସ୍ତ୍ରୀଙ୍କର ବିରାଗଭାଜନ ହୁଏ । କୁଶାରୀକୁ ପଚାରିଲା, “ଆଚ୍ଛା, ଏ କଥା କ’ଣ ସତ ଯେ ସେ ହାଇକୋର୍ଟକୁ‌ ଦ୍ୱିତୀୟ ଥର ଜଜ୍ ହେବାର ପ୍ରସ୍ତାବ ପ୍ରତ୍ୟାଶା କରିଥିଲେ; କିନ୍ତୁ ତାଙ୍କର ପ୍ରଥମ ସୁଯୋଗ ହିଁ ତାଙ୍କର ଶେଷ ସୁଯୋଗ ଥିଲା ଏବଂ ଫଳରେ ତାଙ୍କର ମନ ଭାଙ୍ଗିଗଲା ? ଶରୀର ମଧ୍ୟ ?”

କୁଶାରୀ କହିଲେ, “କିପରି ସତ ହେବ ? ସାନପୁଅ ଜନ୍ମପରେ ଭାଉଜ ତାକୁ ବାରମ୍ବାର କହିଲେ, ଜଜ୍ ହେବାକୁ ଚାହିଁଥିଲ, ଯାଅ, ସେଇଆ ହୁଅ । ଏଥର ମୁଁ ବାଦୀ ହେବିନି । କିନ୍ତୁ ସେତେବେଳକୁ ତା’ର ପ୍ରତ୍ୟୟ ଜନ୍ମିଥିଲି ଯେ ଜଜ୍‌ମାନେ ମଧ୍ୟ ସାମାଜିକ ବ୍ୟବସ୍ଥା କଲ୍ୟାଣରେ ଧନବାନ୍ ନ ହେଲେ ଏତେ ଆୟ ତାଙ୍କର ପ୍ରାପ୍ୟ ନୁହେଁ । ଏତେ ବ୍ୟୟ ମଧ୍ୟ ଅନାବଶ୍ୟକ ବା ଅନୁଚିତ୍ । ଯେ ଖାନା ଦିଏ, ସେ କ’ଣ ନିଃସ୍ଵାର୍ଥ ଭାବରେ ଦିଏ, ନାଁ ସେଇଟା ତା’ ସ୍ଵାର୍ଥସିନ୍ଧି କୌଶଳ ? ତୁମେ ତାକୁ ଲେଉଟି ଖାନା ଦେଲେ ସେ କ’ଣ ତୁମର ବାଜେ ଖର୍ଚ୍ଚ ନୁହେଁ; ଅଥଚ ନ ଦେଲେ ମଧ୍ୟ ମନ ଭିତରେ କଣ୍ଟା ଖଚ୍‌ଖଚ୍ କରେ । ଯା’ସାଙ୍ଗରେ ଏତେକାଳ ଖାନା-ପିନା କରିଆସିଛ, ସେ ଯଦି ଡିନରକୁ ଡାକେ ତା’ହେଲେ ସିଧାସଳଖ ନାଁ କହି ହୁଏନା । କହିବାକୁ ପଡ଼େ ଡାକ୍ତରଙ୍କର ହୁକୁମ ନାହିଁ, ଗ୍ୟାଷ୍ଟିକ ଅଲସର ଅଛି କିମ୍ବା ଗୁରୁଙ୍କର ନିଷେଧ, ମନ୍ତ୍ର ନେଇଛି । ୟା’ଠାରୁ ଜଜ୍ ନହେବା ଭଲ ।

ବିଜଲୀ ତରଫରୁ ତିଳେ ମାତ୍ର ଯୋଗାଡ଼ ନ ଥିଲା । ତା’ର ଜଣେ ବାରିଷ୍ଟର ବନ୍ଧୁ ଥିଲେ; ଏବେ ମଧ୍ୟ ଅଛନ୍ତି, ମାନସଗୋବିନ୍ଦ ଭଟ୍ଟ । ସେ ଉଦ୍ୟୋଗୀ ହୋଇ ନିଜ ଘରେ ଖାନା ଦେଲେ । କଥାଟା ଇଙ୍ଗିତ ଆକାରରେ ଚିଫ୍ ଜଷ୍ଟିସଙ୍କ କାନରେ ପକାଇଲେ । ଆଡ଼ଭୋକେଟ ଜେନେରାଲ ସେଠାରେ ଥିଲେ । ସେ ବିଜଲୀକୁ ଧରିନେଇ ଚିଫ୍‌ଙ୍କ ପାଖରେ ବସାଇଦେଲେ, ନିଜେ ଘୁଞ୍ଚିଯାଇ ବସିଲେ ବିଜଲୀ ଚୌକିରେ । କିନ୍ତୁ ବୃଥା ଚେଷ୍ଟା । ବିଜଲୀ ତ ମିଥ୍ୟା କହିବନି । ପ୍ରଶ୍ନ ଉତ୍ତରରେ କହିଲା, ମୋର ଆୟ ପୂର୍ବରୁ ପାଞ୍ଚ ହଜାର ଥିଲା, ଏବେ ତିନି ହଜାର । ତା’ ଶୁଣି ଆଡ଼ଭୋକେଟ ଜେନେରାଲ୍ ଭ୍ରୂକୁଟି କଲେ । ଭଟ୍ଟ ତାଙ୍କ ମୁହଁକଥା କାଢ଼ିନେଇ କହିଲେ, ଇଉ ମୀନ ଆଗେ ତିନି ହଜାର ଥିଲା, ଏବେ ପାଞ୍ଚ ହଜାର ।’ ବିଜଲୀ ମୁଣ୍ଡ ହଲେଇଲା । ୟାପରେ ଦିନେ ଚିଫ୍ କହିଥିଲେ ଆଡ଼ଭୋକେଟ ଜେନେରାଲଙ୍କୁ-ମାନୁଛି ବକ୍‌ସୀଙ୍କ ପରି ବିଦ୍ୱାନ କ୍ୟାଲକାଟା ବାରରେ ଖୁବ୍ ବେଶି ନାହାନ୍ତି । କିନ୍ତୁ ଯାହାଙ୍କର ଆୟୁ ପଡ଼ିଯାଇଛି, ପଡ଼ି ପଡ଼ି ତିନି ହଜାରକୁ ପହଞ୍ଚିଲାଣି, ତାଙ୍କୁ ଚାରି ହଜାର ଦେଲେ ଅପାତ୍ରରେ ଦାନ ହୁଏ । ହୀ ଇଜ ନଟ୍ ଓ୍ୱାର୍ଥଇଟ୍ । ବକ୍‌ସୀଙ୍କ ପାଇଁ ମୁଁ ଦୁଃଖିତ । ତାଙ୍କୁ ଯେତେବେଳେ ଜଜ୍ ହେବାକୁ ନିମନ୍ତ୍ରଣ କରାହୋଇଥିଲା, ସେତେବେଳେ ସେ ପ୍ରତ୍ୟାଖ୍ୟାନ କରିବାକୁ ଯାଇଥିଲେ କାହିଁକି ?

ଅସଲରେ ସେଇଠି ହେଲା କଣ୍ଟକ । ପ୍ରତ୍ୟାଖ୍ୟାନ ଯେ କରେ ସେ ପୁଣି ଅନୁଗ୍ରହ ଚାହେଁ କେଉଁ ମୁହଁରେ । ବିଜଲୀ ଶୁଣି ରାଗରେ ଜଳିଉଠିଲା । ଅନୁଗ୍ରହ ସେ ମାଗିନି । କିଏ ଯେ ତା’ପାଇଁ ମାଗିଛି, ସେ କଥା ମଧ୍ୟ ସେ ଜାଣେନା । ଭାଉଜ ଶୁଣି କହିଲେ, ସେତେବେଳେ ତ କେହି ଏପରି କଥା କହିନାହାନ୍ତି ଯେ ପ୍ରତ୍ୟାଖ୍ୟାନ କର । ମୁଁ କେବଳ କହୁଥିଲି, ସବୁରି କଲେ କ’ଣ ହୁଏ-। ହେଲେ ମୋର କେଉଁ କଥାଟି ତୁମେ ଶୁଣ ଯେ, ସେଇ କଥାଟିକୁ ଗୁରୁବାକ୍ୟ ବୋଲି ଶୁଣିଲ; ଶୁଣିବାମାନେ ପ୍ରତ୍ୟାଖ୍ୟାନ କରି ବସିଲ ? ହାୟହାୟ ! ଏବେ ମୋର କୋଡ଼ପୋଛା ପୁଅର କ’ଣ ହେବ ! ଏପରି ଯା’ର ବାପ ସେ କ’ଣ କେବେ ମଣିଷ ହେବ, ନାଁ ମୁକ୍ତିଆର ହେବ, ନାଁ ପ୍ଲିଡ଼ର ହେବ ! ଯାଉ ସେତେବେଳକୁ ମୁଁ ସଂସାରରେ ରହିଲେ ସିନା ! ଗୁରୁ ହେ, କେବେ ମୋତେ ଉଦ୍ଧାର କରିବ ? କେବେ ଭ୍ରମର ପାଦପଦ୍ମରେ ସ୍ଥାନ ଦେବ ?

ବିଜଲୀ ତେଣେ ପ୍ରାୟ ନାସ୍ତିକ ହୋଇଉଠିଥିଲା । ଗୁରୁ ତା’ଆଖିରେ ଗୋଟିଏ ଗୁରୁତର ଉପଦ୍ରବ । ସେ ଯେତେବେଳେ କୋର୍ଟକୁ ଯାଏ, ସେତେବେଳେ ତା’ଆଖିରେ ପଡ଼େନି; କିନ୍ତୁ କାନକୁ ଯାଏ ଯେ ଗୁରୁ ମହାରାଜ ଆସିଥିଲେ । କିନ୍ତୁ ଏହାନେଇ ଗୋଟିଏ ଅନର୍ଥ ସୃଷ୍ଟି ହେଉ, ଏହା ସେ ଚାହୁଁନଥିଲା । ଏକେତ ଆର୍ଥିକ ବିଷୟରେ ସ୍ଵାମୀ-ସ୍ତ୍ରୀ ଭିତରେ ମନାନ୍ତର, ତା’ଉପରେ ପାରମାର୍ଥିକ ବିଷୟ ନେଇ ବିରୋଧ ଗୁରୁତର ହେଲେ ପାରିବାରିକ ଶାନ୍ତିଭଙ୍ଗ ଅନିବାର୍ଯ୍ୟ । ଗୁରୁଙ୍କୁ ଅର୍କଚନ୍ଦ୍ର ଦେବାପାଇଁ ତା’ ହାତ କୁଣ୍ଡେଇ ହେଉଥାଏ; କିନ୍ତୁ ସେ ଭଲଭାବରେ ଜାଣିଥିଲା ଯେ ଗୁରୁଙ୍କ ଗଳାରେ ହାତ ଅର୍ଥ ସ୍ତ୍ରୀଙ୍କ ବେକରେ ହାତ । ସେଥିପାଇଁ ସେ ଗୁରୁ ମହାରାଜାଙ୍କୁ ଏଡ଼େଇ ଯାଉଥିଲା । କହୁଥିଲା, ପାଗଳା କୁକୁରକୁ ଏଡ଼େଇ ଚାଲେ, ପାଗଳା ଷଣ୍ଢକୁ ମଧ୍ୟ । ସେହିପରି ଏହି ସରୁ ଗୁରୁତର ଆପଦମାନଙ୍କୁ ।

ଭାଉଜଙ୍କର କିନ୍ତୁ ବିଶ୍ଵାସ, ସଂସାରଟା ଯେ ଚାଲିଛି ସେଇଟା ମହାରାଜ କୃପା କରି ଚଲାଇ ନେଉଛନ୍ତି ବୋଲି; ନ ହେଲେ ଘନ ହଜାର ଟଙ୍କାରେ କ’ଣ ସଂସାର ଚାଲେ ? ଏପରି ପରମ କାରୁଣିକଙ୍କ ପାଇଁ ଯଦି କିଛି ଖର୍ଚ୍ଚ କରିବାକୁ ହୁଏ ତେବେ କ’ଣ ତା’ର ହିସାବ ରଖାଯାଏ ! ବଜାରରେ ଯଦି କିଛି ଧାର କରଜ କମିଯାଏ, ତା’ହେଲେ କ’ଣ ସ୍ଵାମୀଙ୍କୁ ଜଣାଇବାକୁ ଅଛି ! ନିଜ ଗହଣା ବିକି ଶୋଧ କରିହେବ ଯଦି ଆଉ କୌଣସି ଉପାୟ ନ ଥାଏ । ଭାଉଜଟି ଖୁବ୍‌ ସରଳ; ଯଦିଚ ବେଶ୍ ସଂସାରୀ । କେତେ ଧାନରେ କେତେଚାଉଳ ଠିକ୍ ଜାଣୁଥିଲେ । ଖାଲି ଚିହ୍ନି ନ ଥିଲେ ତାଙ୍କର ସ୍ଵାମୀଙ୍କୁ ଆଉ ତାଙ୍କ ଗୁରୁଙ୍କୁ ।

ଦିନେ ଏକ ପାଉଣାଦାରଙ୍କର ବିଲ୍ ପାଇ ବିଜଲୀର ତ ଚକ୍ଷୁ ସ୍ଥିର । ପ୍ରାୟ ଦୁଇହଜାର ଟଙ୍କାର ସରଞ୍ଜାମ କିଣା ହୋଇଛି ଗୁରୁ ମହାରାଜଙ୍କର ଆଶ୍ରମ ସଜେଇବା ପାଇଁ । ଆଧୁନିକ ଗୁରୁ, ତାଙ୍କର ଆଧୁନିକ ଆଶ୍ରମ । କୌଚ, ସୋଫା, ଗଦିଲଗା ଚୌକି ଏସବୁ ଯଦି ନ ଥାଏ ତେବେ ବଡ଼ ବଡ଼ ଆଟର୍ଣ୍ଣି ବାରିଷ୍ଟର ବ୍ୟବସାୟୀ ମୁତସୁଦ୍ଧି, ବିଶେଷ କରି ସେମାନଙ୍କର ସହଧର୍ମିଣୀମାନେ ବସିବେ କେଉଁଠି ? ଛିଣ୍ଡା ମସିଣାରେ ? ତା’ହେଲେ କଲିକତା ଉପକଣ୍ଠରେ ଆଶ୍ରମ ସ୍ଥାପନାର ସାର୍ଥକତା କେଉଁଠି ? ଯେଉଁଠି ଯେପରି, ସେଠି ସେପରି । କଲିକତା କଲିକତା, ଝିନେଦା ଝିନେଦା-। ଗୁରୁଙ୍କର ପ୍ରୟୋଜନ ଗୁରୁତର, ଏହା ଉପରେ ନିର୍ଭର କରୁଛି ତାଙ୍କର ଗୁରୁପଣିଆ-। ଏଇଥିପାଇଁ ସେ ଦିନ ଦିନ ଧରି ତତ୍ତ୍ଵକଥା ଶୁଣାଇ ଆସିଥିଲେ ।

ବିଜଲୀ ବୁଝିପାରିଲା ଏ ବିଲ୍ ମିଟାଇ ନ ଦେଲେ ତାକୁ ଛୋଟ ଅଦାଲତକୁ ଦୌଡ଼ାଦୌଡ଼ି କରିବାକୁ ହେବ । ଆଉ ମିଟାଇଦେଲେ କରିବାକୁ ହେବ ବଡ଼ ଅଦାଲତକୁ ଦୌଡ଼ାଦୌଡ଼ି । କାହିଁକି ନା, ସେ ଟଙ୍କାଟା ରୋଜଗାର କରିବାକୁ ହେବ । ଏଥିପାଇଁ ପୁଣି ସଲିସିଟରମାନଙ୍କୁ ଖୋସାମତ କରିବାକୁ ପଡ଼ିବ । ତାଙ୍କର ବନ୍ଧା କେତେ ଘର ମହକିଲ ଥିଲେ; ସେମାନେ ହଁ ଏତେକାଳ ତା’ହାତରେ ମାମଲା, ସମର୍ପି ଦେଇଥିଲେ, ଅବଶ୍ୟ ସଲିସିଟରେ ମାରଫତ୍ । ଏବେ ନୂଆ ମହକିଲ ଖୋଜିବାକୁ ପଡ଼ିବ । ହଇରାଣ !

ସ୍ତ୍ରୀକୁ କହିଲା, ଦୟାକରି ମୋତେ କହ ଏପରି ବିଲ୍ ଏହି ଶେଷ, ନାଁ ଏହି ପ୍ରଥମ ?

ସ୍ତ୍ରୀ କହିଲେ, ଜାଣିବା କେମିତି ? ହିସାବ ତ ରଖିନି ।

 

ସର୍ବନାଶ ! ତା’ହେଲେ ଦୁଇ ହଜାର ଟଙ୍କାରେ ହେବ କ’ଣ ? ଆହୁରି ଟଙ୍କା ଯୋଗାଡ଼ କରିବାକୁ ହେବ । ଚାମଚାଗିରି କରିବାକୁ ହେବ । ଟାଉଟର ଲଗାଇବାକୁ ପଡ଼ିବ ।

 

କାହିଁକି ? ମୋର ଗହଣା ବିକିଦେଲେ ଚଳିବନି ? ଦଉଛି ଆଣି ତୁମକୁ ।

 

ବିଜଲୀ ସେଠାରୁ ଦୌଡ଼ି ଚାଲିଗଲା । ପୁଲିସର ଡେପୁଟି କମିଶନର ଆଇଚ ତା’ ବନ୍ଧୁ । ଆଇଚକୁ ସବୁ କଥା ଖୋଲି କହିଲା । ଗୁରୁଙ୍କୁ କଲିକତାରୁ ଘୁଞ୍ଚାଇବା ଦରକାର; ନ ହେଲେ କେତେ ଗୃହସ୍ଥଙ୍କର ସଂସାର ଛାରଖାର ହେବ । ଆଇଚ କହିଲା, ବକ୍‌ସୀ ତୁମ ପାଇଁ ମୋର ଦୁଃଖ ହେଉଛି । କିନ୍ତୁ ତୁମେ କ’ଣ ଜାଣନା ଯେ ପୁଲିସ ଅଫିସରଙ୍କ ମଧ୍ୟରେ ଅନେକଙ୍କ ଗୁରୁ ଅଛନ୍ତି ? ଜଣକ ନାଁ’ କହିପାରେ, ଦଣ୍ଡବିଧି ଆଇନର ଏମିତି ଧାର ନାହିଁ ଯା’କୁ ସେ ଭାଙ୍ଗିନାହାନ୍ତି । ତେବେ ମଧ୍ୟ ତାଙ୍କର ଏପରି ମୁରବିଜୋର ଯେ ଆମ୍ଭେମାନେ ତା’ର ବାଳ ବି ବଙ୍କା କରିପାରୁନା । ଫୌଜଦାରୀ ସୋପର୍ଦ୍ଦ କଲେ ତୁମେମାନେ ତାକୁ ଖଲାସ କରାଇଦେବ । ଓକିଲ ବାରିଷ୍ଟରମାନଙ୍କ ଭିତରେ ମଧ୍ୟ ତାଙ୍କ ଶିଷ୍ୟ ଅଛନ୍ତି । ଯାଅ ଯାଅ, ବିଲଟା ମାନେ ମାନେ ଦେଇଦିଅ । ରୋଜଗାର କରିବ ଦି’ଦିନରେ । ହାଇକୋର୍ଟ ରାସ୍ତାରେ ସୁନାରୁପା ବିଞ୍ଚା ହୋଇଛି । ଦି’ହାତରେ ଗୋଟାଅ । ହାଇକୋର୍ଟ ତ ନୁହେଁ, ଆଲିବାବା ଗୁହା । ଆଲିବାବା ପରି ଓହ୍ଲାଇଯାଅ, ଗୋଟେଇ ଆଣ । ତେବେ ହଁ, ବାହାରିବା ବାଟ ଖୋଲା ପାଇଲେ ହେଲା । ଏକ ସି. ଆର ଦାସ ହିଁ ପାଇଥିଲେ ।

 

ମୁଁ ସେତେବେଳକୁ ଅସହଯୋଗ ଆନ୍ଦୋଳନରେ ଝାସଦେଇଛି । ଗୌଡ଼ୀୟ ସର୍ବବିଦ୍ୟାୟତନରେ ପଢ଼ାଏ । ଓୟେଲିଂଟନ ସ୍କୋରରେ ମୋର ଆସ୍ଥାନ । ବିଜଲୀ ଆସି ମୋ ସ୍ଥାନରେ ହାଜର । କହିଲା, ମୁଁ ମଧ୍ୟ ସି. ଆର. ଦାସ ପରି ପ୍ରାକ୍‌ଟିସ ଛାଡ଼ିଦେବି ।

 

ଆରେ ନାଁ ନାଁ । ସେ କ’ଣ ଗୋଟେ କଥା । ମୁଁ ତାକୁ ନିରସ୍ତ କଲି । ଭାଉଜଙ୍କୁ ଯାଇ କହିଲି, ବିଜୁ ତ ଚିତ୍ତରଞ୍ଜନଙ୍କ ପରି ଫକୀର ହେବାକୁ ଯାଉଛି । କେମିତି ରୋକିବେ ରୋକନ୍ତୁ । ସେ ଯଦି ସ୍ଵେଦେଶୀ କରି ଜେଲକୁ ଯାଏ, ତା’ହେଲେ ସଂସାରଟା ଚଲେଇବ କିଏ ? ଗୁରୁମହାରାଜ-?

 

ସେ ଶୁଣି ହତଭମ୍ବ ହେଲେ । ତାଙ୍କ ଗୁରୁ ମଧ୍ୟ ତାଙ୍କୁ ଏ ବିପଦରୁ ରକ୍ଷା କରିପାରିବେନି-। ସେ ଭାବି ଦେଖିଲେ ସ୍ଵାମୀଜୀଙ୍କ ଠାରୁ ସ୍ଵାମୀ ହିଁ ବଡ଼ । ଗୁରୁ ତ କେବଳ ଗୁରୁ । ପତି ପରମଗୁରୁ-

 

କୌଣସିମତେ ଯୋଡ଼ା ଯୋଡ଼ି କରି ମିଟେଇଦିଆଗଲା ସମସ୍ୟା । ବିଜଲୀକୁ ଜେଲ ଯିବାକୁ ପଡ଼ିଲାନି, ଖୋସାମତୀ କରିବାକୁ ପଡ଼ିଲାନି, ଟାଉଟର ଲଗେଇବାକୁ ପଡ଼ିଲାନି । ସ୍ତ୍ରୀଙ୍କ ନାମରେ ଡାକଘରେ କିଛି ଜମିଥିଲା, ସେଇ ପ୍ରଥମ ଯୌବନର ଏକାଉଣ୍ଟ, ସ୍ଵାମୀ-ସ୍ତ୍ରୀ କାହାରି ମନେ ନଥିଲା । ଆପାତତଃ ଗୋଟିଏ ବିଲ୍ ତ ମିଳିଲା । ପରେ ଦେଖାଯିବ ଆଉ କୌଣସି ବିଲ୍ ଆସିଲେ । ଆସିଲେ ଭାବିବା ।

 

କିନ୍ତୁ ସେମାନଙ୍କର ଦାମ୍ପତ୍ୟ ସମ୍ପର୍କ ଆଉ ଯୋଡ଼ି ହେଲାନି । ବିଜଲୀର ସବୁବେଳେ ଡର, ଏହିରେ ! ଆଉ ଗୋଟିଏ ବିଲ୍‌ ! ଏଟା ପାଞ୍ଚ ହଜାର ଟଙ୍କାର ! ଏଥର ଗଲି ! ଭାଉଜଙ୍କର ସବୁ ସମୟରେ କ୍ଷୋଭ, ସାମାନ୍ୟ ଦି’ହଜାର ଟଙ୍କା, ଟିକିଏ ଚେଷ୍ଟା କଲେ ଦି’ଦିନରେ ସଂଗ୍ରହ କରିହୁଏ, ଧର୍ମପୁତ୍ର ଯୁଧିଷ୍ଠିର ସେତକ କରିବେନି । ଗଲା ମୋର ସାରା ଜୀବନର ସଞ୍ଚୟ । ଆଉ କ’ଣ କେବେ ଏତେ ଟଙ୍କା ଠୁଳହେବ ? ପୁଅ ମୋକ୍ତିଆର ହେବ, ଝିଅ ମୋହରୀର ଘରେ ପଡ଼ିବ । ହାଏରେ କପାଳ !

 

ଜେଲ୍ ବୁଲିଆସି ଦେଖେ ବିଜଲୀର ବଡ଼ଝିଅର ବାହାଘର ନିମନ୍ତ୍ରଣ । ଆଟର୍ଣ୍ଣି ଘରେ । ଖର୍ଚ୍ଚ ଟିକିଏ ବେଶି ହେଲା ସତ । ସ୍ତ୍ରୀଙ୍କୁ ଖୁସି କରିବାପାଇଁ ବିଜଲୀକୁ କିଛି କରଜ କରିବାକୁ ପଡ଼ିଲା-। ବନ୍ଧକ ଦେବାକୁ ପଡ଼ିଲା ପୈତୃକ ଭଦ୍ରାସନ, ହୁଗ୍‌ଲୀ ଜିଲ୍ଲାରେ । ବର୍ଷ କେତେଟା ବାଦ୍ ମଝିଆ ଝିଅର ବାହାଘର । ଶ୍ଵଶୁରବଂଶ ଜାହାଜର ଷ୍ଟିଭେଡ଼ୋର । କଲିକତା କୋଠାର ଏକାଂଶ ବନ୍ଧକ ନ ଦେଇ ଉପାୟ ନ ଥିଲା । ଏହି ତ କିଛିଦିନ ପୂର୍ବେ ସାନଝିଅର ବାହାଘର ହୋଇଗଲା । ଶେୟାର ମାର୍କେଟର ବ୍ରୋକର ସେମାନେ । ବିଜଲୀର ଶେୟାର ଯା’କିଛି ଥିଲା ଝିଅ ନାଁରେ ଜୋଇଁ ନାଁରେ ଲେଖେଇ ନେଲେ । ବଡ଼ପୁଅର ଗୋଟିଏ ବଡ଼ ଚାକିରି ଜୁଟିଛି, ବିଲାତି ତମାଖୁ ବ୍ୟବସାୟରେ-। ସାନପୁଅ କଲେଜରେ ପଢ଼େ । ବାପର ପ୍ରାକ୍‌ଟିସ ସେ ହିଁ ଦିନେ ପାଇବ । ପୁରୁଣା ମହକିଲମାନଙ୍କ ସାଙ୍ଗରେ ଦେଖାସାକ୍ଷାତ୍‌ କରି ହିତୈଷୀମାନେ ଏହି ପ୍ରକାର ଗୋଟିଏ ବନ୍ଦୋବସ୍ତ କରୁଛନ୍ତି-

 

କୁଶାରିଙ୍କ ଜମାନବନ୍ଦୀ ଶେଷ ହେବାପରେ ଭୌମିକର ଜେରା ଆରମ୍ଭ ହେଲା ।

 

“ତେବେ ଯେ ଆପଣ କହୁଥିଲେ ଦୁଇଟି ସନ୍ତାନକୁ ମିଷ୍ଟର ବକ୍‌ସୀ ନିଜ ହାତରେ ମଣିଷ କରୁଥିଲେ । କେଉଁ ଦୁଇଟିଙ୍କୁ ?”

 

“ବଡ଼ପୁଅକୁ ଆଉ ବଡ଼ଝିଅକୁ । କିନ୍ତୁ ସେ ଆଉ କେତେଦିନ ! ସେମାନଙ୍କ ମା’ ସେମାନଙ୍କର ଭାରନେଲେ । ସକାଳବେଳା କଞ୍ଚାବୁଟ ଚୋବେଇ ବିଚରାମାନଙ୍କର ଯା’ କଷ୍ଟ ହୋଇଥିଲା, ସବୁ ପୋଷେଇଗଲା । ରୁଟି ଲହୁଣୀ, କେକ୍ ବିସ୍କୁଟ ଖାଇଲେ; ତା’ ସାଙ୍ଗକୁ ପ୍ରଚୁର ଦେଶୀ ମିଠେଇ ସିଂଡ଼ା କଚୁରି । ଇଙ୍ଗବଙ୍ଗ ଆଉ କାହାକୁ କୁହନ୍ତି । ଏଟା ବି ଖାଇବି ସେଟା ମଧ୍ୟ ଖାଇବି । ବିଜଲୀ ଗୁରୁକୁଳ ଆଦର୍ଶରେ ଶିକ୍ଷା ଦେଉଥିଲା । ଭାଉଜ ଦେଲେ ଗୁରୁଭଗିନୀ କୁଳ ଆଦର୍ଶରେ ।”

 

“ଭୌମିକ ଆଶ୍ଚର୍ଯ୍ୟ ହୋଇ କହିଲା, “ସ୍ତ୍ରୀଙ୍କ ଉପରେ ତାଙ୍କର ଟିକେହେଲେ ଜୋର୍ ନ ଥିଲା । ଅଥଚ ଏତେ ଶକ୍ତି ମଣିଷ ସେ ଥିଲେ ।”

 

କୁଶାରୀ ଦୀର୍ଘଶ୍ଵାସ ପକାଇ କହିଲେ, “ଶକ୍ତି ବି ଥିଲା, ନରମ ବି ଥିଲା । କହୁଥିଲା, ପିଲାମାନେ ଯଦି ବାପାଙ୍କ ଶିକ୍ଷାଠାରୁ ମା’ଙ୍କ ଶିକ୍ଷା ବେଶି ପସନ୍ଦ କରନ୍ତି, ତା’ହେଲେ ମୁଁ ତାଙ୍କୁ କିପରି ବୁଝାଇବି ସେ ମା’ଙ୍କ ଶିକ୍ଷା କୁଶିକ୍ଷା ? ତା’ହେଲେ ମା’ଙ୍କୁ ସେମାନେ ଶ୍ରଦ୍ଧା କରିବେ କିପରି-? ଆଉ ଝିଅମାନେ ତ ସଚରାଚର ମା’ଙ୍କ ଶିକ୍ଷା ହିଁ ନେଇଥାନ୍ତି । ବାପାଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ କେତେ ଟିକେ ! ମୋଟି କଥା”, କୁଶାରୀ ଯୋଗକଲେ, “ସ୍ତ୍ରୀଙ୍କ ସାଙ୍ଗରେ ସେ ଆଦି ପ୍ରଶ୍ନ ନେଇ ବିରୋଧ ଚାଲୁଥିଲା ସେ ପ୍ରଶ୍ନ ଉପରେ ଜୋର ଦେବାକୁ ହେଲେ ଅନ୍ୟ ପ୍ରଶ୍ନମାନଙ୍କ ଉପରୁ ଚାପ ଘୁଞ୍ଚାଇ ନେବାକୁ ପଡ଼େ । ମାମଲାରେ ଆପଣମାନେ କ’ଣ କରନ୍ତି ?”

 

ଭୌମିକର ମନେପଡ଼ିଗଲା ଯେ ପୁଅଝିଅମାନଙ୍କର ପ୍ରସଙ୍ଗ ଆସି ମୂଳ କାହାଣୀଟାକୁ ଚପେଇପକେଇଛି । ପଚାରିଲା, “ଜେଲରୁ ଆସି ଆପଣ ଆଶି ବଡ଼ଝିଅର ବାହା ଦେଖିଲେ । ଆଉ କିଛି ଦେଖିଲେ କି ?’’

 

‘‘ଦେଖିଲି ଗୁରୁଙ୍କ ପ୍ରଭାବ ଅନେକ ପରିମାଣରେ କମିଛି । ତେବେ ଧର୍ମଚର୍ଚ୍ଚା । ଯେପରି କି ସେପରି । ବିଜଲୀର ସେଥିରେ ଆପତ୍ତି ନ ଥିଲା । ସେ କହୁଥିଲା ସ୍ତ୍ରୀଙ୍କ ପାଖରେ ସ୍ଵାମୀଙ୍କର ସଠିକ୍ କାମନା ଚାରୋଟି । ଏକ ଇନ୍ଦ୍ରିୟ ସୁଖ । ଦୁଇ ସନ୍ତାନ ସୁଖ । ତିନି ଗୃହ-ସୁଖ । ଚାରି ସଙ୍ଗସୁଖ । ଇନ୍ଦ୍ରିୟ ସୁଖ ଯଥେଷ୍ଟ ହୋଇଛି, ଆଉ ଚାହେଁନା । ସନ୍ତାନସୁଖ ଯା’ପାଇଛି ତା’ ଯଥେଷ୍ଟଠାରୁ ଅଧିକ । ବାକି ରହିଲା ଗୃହ ସୁଖ ଆଉ ସଙ୍ଗ ସୁଖ । ଏ ଦୁଇଟି ସୁଖ ମୋର ହୋଇପାରନ୍ତା ଯଦି ସ୍ତ୍ରୀଙ୍କ ସର୍ତ୍ତରେ ରାଜି ହୁଅନ୍ତି । ଆମେ ଦୁହେଁ ଏକଇ ଧର୍ମଶାଳାରେ ଅଛୁଁ, ୟାକୁ ଯଦି ଗୃହସୁଖ କହିବ, କହ । କିନ୍ତୁ ସଙ୍ଗସୁଖ କିପରି କହିବ ? ସେ କ’ଣ ମୋର ସଙ୍ଗିନୀ, ନା ମୁଁ ତା’ ସଙ୍ଗୀ ?”

 

ଭୌମିକ ଠିକ୍ ଏହି କଥା ଜାଣିବାକୁ ଚାହିଁଥିଲା । ଜାଣି ତା’ର ସଂଶୟ ଭଞ୍ଜନ ହେଲା । କହିଲା, “ଧନ୍ୟବାଦ, ଅନେକ ଧନ୍ୟବାଦ । ଏଥର ମୋତେ ଭାବି ଦେଖିବାକୁ ହେବ, କରିବି କି କରିବିନି ବାହା !”

 

କୁଶାରୀ କହିଲେ, “କରିବେନି କାହିଁକି, ନିଶ୍ଚୟ କରିବେ । ଜଣଙ୍କର ଗୋଟିଏ କାହାଣୀ ଶୁଣି ଆଶାକରେ ବିବାହ ଉପରେ ବିମୁଖ ହେବେ ନାହିଁ । ବିବାହ ସୃଷ୍ଟି ହୋଇଛି ଲକ୍ଷ ଲୋକଙ୍କ ହିତ ପାଇଁ । ମାତ୍ର ଜଣଙ୍କର ସୁଖ ପାଇଁ ନୁହେଁ । ବିଜଲୀ ମୋର ବନ୍ଧୁ ହେଲେ କ’ଣ ହେବ, ମୁଁ ତା’ ସାଙ୍ଗରେ ଏକମତ ନୁହେଁ । ସେ ମାଗିଥିଲା ଗୋଟିଏ ନୁହେଁ, ଦୁଇଟି ନୁହେଁ, ଚାରି ଚାରିଟା ସୁଖ । ମୁଁ ତ ତା’ର ଯେକୌଣସି ଗୋଟିଏ ପାଇଲେ ଭାଗ୍ୟ ମାନନ୍ତି ।”

 

‘‘ସେ କି କଥା ! ଆପଣ ତା’ହେଲେ ଗୋଟିଏ ମଧ୍ୟ ପାଇନାହାନ୍ତି ।”

 

“ନା, ମିଷ୍ଟର ଭୌମିକ ! ମୋ ବିବାହ ସୁଖ ପାଇଁ ନୁହେଁ, ହିତ ପାଇଁ । ସମସ୍ତଙ୍କର ଯହିଁରେ ମଙ୍ଗଳ, ମୋର ମଧ୍ୟ ସେଥିରେ ମଙ୍ଗଳ । ଏଇଆ କରି ଜୀବନଟା କଟିଗଲା । ଏଥର ସ୍ଵରାଜଟା ଦେଖିଯାଇପାରିଲେ ହେଲା ।”

 

ସେ ବିଦାୟ ନେଲେ । ଭୌମିକ ଶୁଣିବାକୁ ପାଇଲେ ସେ ଆପଣା ମନକୁ ମନ ସ୍ଵଗତୋକ୍ତି କରୁଛନ୍ତି, “ଅଭିମନ୍ୟୁର ବ୍ୟୁହ । ପ୍ରବେଶ ବାଟ ଖୋଲା; ନିର୍ଗମ ପଥ ବନ୍ଦ ।”

 

ଭୌମିକର ମୁହଁରୁ ବକ୍‌ସୀଙ୍କର ଜୀବନୀ ଶୁଣି ମୁଁ ବ୍ୟଥିତ ହୋଇଥିଲି । କହିଲି, “ଇଏ ତ ଗଲା ତୁମର ଏତେଦିନ ବାହା ନ ହେବା କାରଣ । କିନ୍ତୁ ଏତେକାଳ ପରେ ହଠାତ୍ ବାହାହେବା କାରଣଟା ତ କହିଲନି ।”

 

‘‘ହାହା ହୋହୋ ।” ସେ ହସିଉଠିଲା । କହିଲା, “ତାହେଲେ ତୁମକୁ ଆଉ ଗୋଟିଏ କାହାଣୀ ଶୁଣେଇବାକୁ ହେବ । ଆଜି ତା’ର ସମୟ ନାହିଁ । ସମୟ ହେଇନି ମଧ୍ୟ ।”

 

ମନଟା ଭାରାକ୍ରାନ୍ତ ଥିଲା । ଚଳେଇଲି ନାହିଁ । ଭୌମିକ ନିଜେ କହିଲା, “ସବୁ ଜିନିଷର କ’ଣ ସବୁବେଳେ କାରଣ ଥାଏ ? ଅନ୍ତତଃ ବିବାହ ସେପରି ଜିନିଷ ନୁହେଁ । ଏ ଜିନିଷ କାହିଁକି ହୁଏ, କେବେ ହୁଏ, କାହା ସାଙ୍ଗରେ କାହାର ହୁଏ, ଏ ସବୁ ପ୍ରଶ୍ନର କୌଣସି ଉତ୍ତର ନାହିଁ ଜାଣିବ । ହୋଇଛି, ଇଏ ହେଲା ସାରକଥା । ବାକିଟା ପରେ ଦିନେ ଶୁଣିବ ।”

Image

 

ରାଣୀ ପସନ୍ଦ

 

ଲଞ୍ଚ୍ ମିଳିଲା ବହୁତ ଦିନ ଅପେକ୍ଷା କରି । କେତୋଟି ପରିଦର୍ଶନ କାମ ବାକି ଥାଏ । ବର୍ଷ ସରିବା ଆଗରୁ ଇନ୍‌ସ୍‌ପେକସ୍‌ନ୍ ଶେଷ ହେବା ଦରକାର । ଦୁଇପଟେ ନଈକୂଳ ଦୃଶ୍ୟ, ଆଗରେ ନାଲିମାଟି ଅଞ୍ଚଳର ପାହାଡ଼ଧାଡ଼, କର୍ଣ୍ଣଫୁଲି ବୁକୁରେ ଲଞ୍ଚରେ ଭାସିବାକୁ ଜାଣେନାଁ କି ରୋମାଣ୍ଟିକ ନ ଲାଗିବ । ସାଙ୍ଗରେ କାଗଜ କଲମ ନେଇଥିଲି । ବହୁକାଳ ପରେ କବିତା ଲେଖିବି-। ସହଯାତ୍ରୀ କହିଲେ ଲଞ୍ଚର ସାରଙ୍ଗ, ସୁଖାନି । ଆଉ ତା’ର ଦଳବଳ ଆଉ ମୋର ଚପରାସୀ ଖାନସାମା । ସେମାନଙ୍କ ଉପରେ କଡ଼ା ହୁକୁମ ଥିଲା କେହି ଯେପରି ମୋ ପାଖକୁ ନ ଆସନ୍ତି-

 

ଡେକ ଚୌକିରେ ବସି ନଙ୍ଗର ଉଠାଇବା ଦେଖୁଛି, ଧଇଁସଇଁ ହୋଇ ଦୌଡ଼ିଆସିଲେ ଦାରୋଗା ସାହେବ । ହାତରେ ଖଣ୍ଡିଏ ଚିଠି । ଘଟଣା କ’ଣ ! ଫେର କେଉଁଠି କଅଣ ହେଲା ! ମୋତେ କଅଣ ଏମାନେ ଷ୍ଟେସନ ଛାଡ଼ିବାକୁ ଦେବେନି ! ଚିଠି ଖଣ୍ଡ ଖୋଲି ଦେଖାଗଲା ତା’ ନୁହେଁ-। କଲିକତାରୁ ଜଣେ ଉଚ୍ଚପାହ୍ୟା ପୁଲିସ କର୍ମଚାରୀ ଆସିଛନ୍ତି । ତାଙ୍କୁ ମଧ୍ୟ ଯିବାକୁ ହେବ ରାଉଜାନ । ସେ ଯଦି ମୋ ସାଙ୍ଗରେ ଯାଆନ୍ତି, ତାହେଲେ କଅଣ ମୋର ଖୁବ୍ ଅସୁବିଧା ହେବ ନ ହେଲେ ତାଙ୍କୁ ଦିନେ ଚନ୍ଦ୍ରଗ୍ରାମରେ ବସିରହିବାକୁ ହେବ । ପୁଲିସ ଲଞ୍ଚ କାଲି ଫେରିବାର କଥା ଅଛି-

 

ଅସୁବିଧା ତ ନିଶ୍ଚେ ହେବ । ମାତ୍ର ସେ କଥା କଅଣ ଲେଖନୀ ମୁନରେ ଜଣେଇ ହୁଏ । ସରିଗଲା ମୋ କବିତା ଲେଖିବା । ମନେ ମନେ ଚଉଦପୁରୁଷ ଉଦ୍ଧାର କଲି; କିନ୍ତୁ ଦାନ୍ତ ଦେଖେଇ ହସି କହିଲି, “ଏ ତ ମୋର ପରମ ସୌଭାଗ୍ୟ ।” ଦାରୋଗା ସାହେବ ଗୋଇଠିରେ ଗୋଇଠି ପିଟି ଲମ୍ବା ଚଉଡ଼ା ସଲାମ କଲେ । ମୁଁ ଶୋଇ ଶୋଇ ଭାବିବାକୁ, ଲାଗିଲି, ଆପତ୍ତି କଲେ କଅଣ ଏମିତି ଅଭଦ୍ରତା ହୁଅନ୍ତା । କଅଣ ଏମିତି ଜରୁରୀ କାମ ଯେ ଲଞ୍ଚ ପାଇଁ ଦିନେ ବସିରହିଲେ ଅପୂରଣୀୟ କ୍ଷତି ହେବ ।

 

ଶିଷ୍ଟାଚାରରେ ଖାନ୍ ବାହାଦୁରଙ୍କର ଯୋଡ଼ି ମିଳିବା କଷ୍ଟକର । ସେ କଅଣ କହି ଯେ ମୋତେ କୃତଜ୍ଞତା ଜଣାଇବେ ବଙ୍ଗଳା ଭାଷାରେ ଶବ୍ଦ ଖୋଜି ପାଇଲେ ନାହିଁ । ଇଂରାଜୀ ଓ ଉର୍ଦ୍ଦୁର ଆଶ୍ରୟ ନେଲେ । ପଞ୍ଜାବୀ ମୁସଲମାନ । ବୟସରେ ଅନେକ ବଡ଼ । ନିଶଦାଢ଼ି ରଖନ୍ତି ନାହିଁ ବୋଲି କିଛିଟା କମ୍ ବୟସ୍କ ପରି ଲାଗେ । ଖୁସିବାସି ଦିଲଦାରିୟା ମିଞ୍ଜାସର ଲୋକ । ଏହା ମଧ୍ୟରେ ଖବର ନେଇ ଜାଣିଛନ୍ତି ଯେ, ମୁଁ ଜଣେ ସାହିତ୍ୟିକ । କହିଲେ, ‘‘ଆପଣଙ୍କ ସାଙ୍ଗରେ ଆଳାପ କରିବା ମୋର ବହୁଦିନର ବାସନା । ସେ ଆଳାପ ଯେ ଏପରି ଭାବରେ ହେବ କିଏ ଜାଣିଥିଲା ! ସତକୁସତ ମୋର ଟିକିଏ ବି ଇଚ୍ଛା ନ ଥିଲା ଆପଣଙ୍କ ନିର୍ଜନତା ଭଙ୍ଗ କରିବାକୁ । ମୁଁ ତ ଦିନେ ବସିରହିବାକୁ ହିଁ ଚାହିଁଥିଲି; ମାତ୍ର ଏସ୍ ପି. ମୋତେ ଠେଲି ପଠେଇଦେଲେ ଆପଣଙ୍କ ସାଙ୍ଗରେ ଲଞ୍ଚରେ । ଶୁଣିଛନ୍ତି ବୋଧହୁଏ ଖବରଟା ?”

 

ମୁଁ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲି, ‘‘କାହିଁ, ନାହିଁ ତ । କେଉଁ ଖବର ?”

 

‘‘ଖୁବ୍ ଖରାପ ଖବର ।” ଭଦ୍ରଲୋକ ମୋ କାନ ପାଖରେ ମୁହଁ ଆଣି କହିଲେ, ‘‘ତା’ ନ ହେଲେ ସାର ଟ୍ରଙ୍କକଲ ପାଇ ସିଧା କଲିକତାରୁ ଦୌଡ଼ିଆସେ ? ଆରେ ଛି ଛି । ଶେମଫୁଲ ! ବେଶରମ୍ * !”

 

ମୁଁ ରୀତିମତ ଉତ୍ସୁକ ହୋଇଉଠିଥିଲି । ଜାଣେ ଖାନ୍‌ବାହାଦୁର ଆପଣାଛାଏଁ କହିବେ, ଦେଖେଇ ହେଲି ଯେପରିକି ପର କୁତ୍ସାରେ ମୋର କିଛିମାତ୍ର ରୁଚି ନାହିଁ ।

 

“ଆପଣମାନେ ସାହିତ୍ୟିକ, ଆପଣମାନେ କଥା କଥାକେ କହନ୍ତି, ସତ୍ୟ ଶିବ ସୁନ୍ଦର । କିନ୍ତୁ ମୋର ଏହି ପଇଁଚାଳିଶ ବର୍ଷର ଅଭିଜ୍ଞତା କହୁଛି, ଯାହା ସତ୍ୟ ତାହା ସୁନ୍ଦର ନୁହେଁ । ଯାହା ସୁନ୍ଦର, ତାହା ଶିବ ନୁହେଁ । ମୁଁ ଯଦି କେଉଁଦିନ କିତାବ ଲେଖେ, ମୁଁ କଅଣ ଲେଖିବି, ଶୁଣିବେ ? ଲେଖିବି, ସୁନ୍ଦରୀ ନାରୀ ପ୍ରାୟଶଃ ହିଁ ଖରାପ ହୁଅନ୍ତି, ଖରାପ ନାରୀ ପ୍ରାୟଶଃ ହିଁ ସୁନ୍ଦର ହୁଅନ୍ତି ।” ଏହା କହି ଖାନ୍ ବାହାଦୁର ହୋ-ହୋ ହୋଇ ହସିଉଠିଲେ ।

 

ହସିଲି ମୁଁ ମଧ୍ୟ । କିନ୍ତୁ, ସଙ୍ଗେ ସଙ୍ଗେ ଏ କଥା ବି କହିଲି, ‘‘ଆମ ବଙ୍ଗଳା ଦେଶରେ ନୁହେଁ କିନ୍ତୁ ।”

 

ଭଦ୍ରଲୋକ ବ୍ୟଙ୍ଗ କରି କହିଲେ, ‘‘ନାଁ ବଙ୍ଗଳା ଦେଶରେ ନୁହେଁ । ବଙ୍ଗଳା ଦେଶରେ କାମ କରୁ କରୁ ବାଳ ପାଚିଗଲା ଦାଦା ! ଆଉ ଏଇ ଯେ ରାଇଜାନ ଯାଉଛି….”

 

“ରାଇଜାନ ।”

 

‘‘ରାଇଜାନ ଯାଉଛି, ଏଇଟା କଅଣ ବଙ୍ଗଳା ଦେଶ ବାହାରେ !”

 

“ଆଳାପ ଦେଖୁ ଦେଖୁ ବେଶ୍ ଜମିଉଠିଲା । ମୁଁ ମୋର’ ଖାନ୍‌ସାମାକୁ ଡାକି ପଠାଇବାରୁ ସେ କହିଉଠିଲେ, ‘‘ଆରେ ନାଁ, ନାଁ, ଦାଦା ! ଆପଣ ମୋର ମେହମାନ ।”

 

ମୁଁ କିପରି ତାଙ୍କ ମେହମାନ ହେଲି ? ଲଞ୍ଚ ତ କହିବାକୁ ଗଲେ ମୋର । କିନ୍ତୁ କିଏ ଶୁଣେ କାହା କଥା । ଉପର ବେଳାର ଚାହା ଅର୍ଡ଼ର ସେ ଦେଲେ । ଲକ୍ଷ୍ୟ ସେତେବେଳକୁ ସଦର ଘାଟ ଛାଡ଼ିଦେଇଛି ।

 

ପାଖକୁ ପାଖ ଲଗାଇ ଦୁଇଖଣ୍ଡ ଡେକ” ଚେୟାର ପକାଇ ଆମେ ମୌଜକରି ବସିଲୁ । ଖାନ୍ ବାହାଦୁର କହିବାକୁ ଲଗିଲେ, “ଯିଏ ସିଏ ଲୋକ ନୁହେଁ, ଦାଦା ! ଗୋଟିଏ ସର୍କଲର ଇନ୍‌ସପେକ୍‌ଟର । ଦିନେ ମୁଁ ଭାର ଏସ୍. ପି. ଥିଲି । ତା’ କାମ ଦେଖି ତାରିଫ କରିଛି । ପ୍ରମୋସନ ପାଇଁ ସୁପାରିସ କରିଛି । ମୁଣ୍ଡ ପାଗଳା ନୁହେଁ, କବି ନୁହେଁ-ମାଫ କରିବେ ଧୃଷ୍ଟତା । ସଚ୍ଚରିତ୍ର ବୋଲି ସୁନାମ ଥିଲା ତା’ର । ଏପରି ମଣିଷ କ’ଣ ନାଁ ଚାକିରିର ମାୟା ଛାଡ଼ି ପୁଅଝିଅଙ୍କ ଆଡ଼କୁ ନ ଅନାଇ-ବିବି ନାହିଁ, ନ ହେଲେ ଆହୁରି ଅବଶୋଷକି ବାତ୍ ହୋଇଥାଆନ୍ତା-ଏପରି ମଣିଷ କୁଆଡ଼େ ଏକାବେଳକେ ଉଭାନ୍ !”

 

‘‘ଉଭାନ !” ମୁଁ ଚମକିପଡ଼ିଲି ।

 

“ଆଉ କହୁଛନ୍ତି କାହିଁକି ଲଜ୍ଜାର କଥା ।” ଖାନ୍ ବାହାଦୁର ରେଶମୀ ରୁମାଲ ଦେଇ ମୁହଁ ପୋଛିଲେ, ଆଖି ପୋଛିଲେ । ‘‘ଯାଇଥିଲା ଖୁଣି ମାମଲା ତଦନ୍ତ କରିବାକୁ । ବର୍ମୀ ସ୍ତ୍ରୀଲୋକ, ସାର୍ ସଇତାନକା ଲଡ଼କୀ । ତୁ ବଙ୍ଗାଳୀ ମୁସଲମାନ, ତୋ ବରାତକୁ ସୁହାଇବ କାହିଁକି । ବାହାହୋଇ ଆଣିଥିଲା ରେଙ୍ଗୁନରୁ । ଯେ ଲୋକ ଖୁଣ୍ ହୋଇଛି ତା’ କଥା କହୁଛି । ସେପରି ରୂପସୀ କୁଆଡ଼େ ବର୍ମାରେ ମଧ୍ୟ ନାହିଁ । ସଉତୁଣୀ ଅଛି ଦେଖି ସାଙ୍ଗେ ସାଙ୍ଗେ ଖସମ* ବେକରେ ଛୁରି ଦେଲା ।”

 

ମୁଁ ଉତ୍କର୍ଣ୍ଣ ହୋଇ ଶୁଣୁଥିଲି । କାହିଁ; ଏ ମାମଲା ତ ମୋ ପାଖକୁ ଆସିନି ।.

 

‘‘ଯା କହୁଥିଲି । ଯାଇଥିଲା ତଦନ୍ତ କରି । ଦାରୋଗା ତଦନ୍ତ କରୁଥାଏ । ତେବେ ସ୍ତ୍ରୀଲୋକଟି ବଙ୍ଗଳା ବୁଝେନା ବୋଲି ଇନ୍‌ସପେକ୍ଟରଙ୍କୁ ମଧ୍ୟ ଯିବାକୁ ପଡ଼ିଥିଲା । ସେଇ ତଦନ୍ତ ହିଁ ତା’ର କାଳ ହେଲା । ଦିନେ ଯାଏ, ଦୁଇଦିନ ଯାଏ, ତଦନ୍ତ ଆଉ ସରେନା । ଶେଷ କାଣ୍ଡରେ ଦେଖାଗଲା ଆସାମୀ ନାହିଁ କି ଅଫିସର ନାହିଁ...ହୋହୋ ହାହା !”

 

ହସ କଥା ନୁହେଁ । ନାରୀହରଣ ମାମଲାରେ ମୁଁ କେଉଁଦିନ କାହାକୁ ଛାଡ଼ିନି । ମୁଁ ଟିକିଏ ଗରମ ହୋଇ କହିଲି, “ଏତେଦିନ ଆପଣମାନେ କରୁଛନ୍ତି କ’ଣ ? କାହିଁକି ତାକୁ ଗିରଫ କରାହୋଇନି ? ଏ କେବଳ ଡିପାର୍ଟମେଣ୍ଟର ବ୍ୟାପାର ନୁହେଁ, କୋର୍ଟ ବ୍ୟାପାର ମଧ୍ୟ ।”

 

ଖାନ୍ ବାହାଦୁର ଟିକିଏ କଠିନ ହୋଇ କହିଲେ, “କୋଟ୍ ବ୍ୟାପାର କି ନା ସେଇଟାଇ ତ ପ୍ରଶ୍ନ । ସ୍ତ୍ରୀଲୋକ ବିଧବା, ସୁତରାଂ ଫୁସୁଲେଇବା ଅଭିଯୋଗ ତିଷ୍ଠେନାଁ । ତା’ର ବୟସ ହୋଇଛି, ସୁତରାଂ ହରଣ ଅଭିଯୋଗ ଲାଗୁହେବନି । କେଉଁ ଧାରାରେ ଆପଣ ତାକୁ ଅପରୋଧୀ କରିବେ, ଶୁଣେ !”

 

ମୁଁ ନିରୁତ୍ତର । ସେ ବଙ୍କା ହସ ହସି କହିଲେ, “ୟାପରେ ଯଦି ସେମାନେ ବାହା ହୋଇଯାଆନ୍ତି ? ନାଁ ସାର, ଏତେ ସହଜ ନୁହେଁ । ଚାକିରିରୁ ସମସ୍ତେ ବରଖାସ୍ତ କରିପାରିବେ, କଲିକତା ପୁଲିସ ଦପ୍ତରରୁ ସେ ବ୍ୟବସ୍ଥା ହେବ । ମାତ୍ର ମୁର୍ଦ୍ଦାର ଉପରେ ଖଣ୍ଡା ଆଘାତ କରିବାପାଇଁ ଆପଣଙ୍କ ହାତ କୁଣ୍ଡେଇ ହେଲେ ମଧ୍ୟ ତା’ ପୂର୍ବରୁ ଆଇନଟା କିଏ ମନଦେଇ ପଢ଼ିବାକୁ ପଡ଼ିବ ।”

 

ସତ କଥା । ବଡ଼ ମାଛଟା ବନ୍‌ସିରୁ କାଟି ପଳାଇଲେ ଯେମିତି କଷ୍ଟ ହୁଏ, ସେମିତି କଷ୍ଟ ହେଲା ମୋର । ଖାନ୍ ବାହାଦୁର କିନ୍ତୁ ଏଥିପାଇଁ ଦୁଃଖିତ ନୁହନ୍ତି । କହିଲେ, “ଶୁଣାଯାଉଛି ସେମାନେ ପାର୍ବତ୍ୟ ଚଟ୍ଟଗ୍ରାମରେ ଲୁଚିଛନ୍ତି । ସେଠାରୁ ବର୍ମା ଚାଲିଯିବେ ପାଦଚଲା ବାଟରେ । ତା’ପରେ କେତେଦିନ ରୂପସୀଙ୍କ ଅନୁଗ୍ରହ ରହିବ କିଏ ଜାଣେ ? ଲୋକଟାକୁ ମାଙ୍କଡ଼ନାଚ ନଚେଇ ଦିନେ ଯିବେ* କରିବ କି ଗୋଇଠା ମାରିବ, ଖୋଦା ଜାଣନ୍ତି । ସୁନ୍ଦର ମୁହଁ ଦେଖିଲେ ମୁଁ ଦୂରରୁ ସଲାମ କରି ବାଟକାଟେ ।”

 

ଆଇନ ବହି ମୋ ସାଙ୍ଗରେ ନ ଥିଲା । ସେଥିପାଇଁ ଜୋର କରି କହିପାରୁନଥିଲି ଯେ ଆସାମୀକୁ ଯଦି କେହି ଫେରାର ହେବାକୁ ସାହାଯ୍ୟ କରେ, ଆଇନରେ ତା’ର ସଜା ଅଛି । ମନେ ମନେ ଆସ୍ଵସ୍ତି ବୋଧ କଲି । ତାହା ଲକ୍ଷ୍ୟ କରି ଉଦ୍ରଲୋକ କହିଲେ, “ଯାହା ଦିନକାଳ ହେଲାଣି, ଆପଣ ବୋଧହୁଏ ଭାବୁଥିବେ, ମୁଁ ପୁଲିସ ବୋଲି ପୁଲିସ ପାଇଁ ମୋର ଅନୁକମ୍ପା, ମୁଁ ମୁସଲମାନ ବୋଲି ମୁସଲମାନ ପାଇଁ ମୋର ଅନୁକମ୍ପା । ସତ କହୁଛି, ତା’ ନୁହେଁ । ମୁଁ ମରଦ ବୋଲି ମୋର ଅନୁକମ୍ପା ମରଦଙ୍କ ପାଇଁ । ସ୍ତ୍ରୀଲୋକଟା ହିଁ ନରହରଣ କରିଛି ।”

 

ଏ କଥା ଶୁଣି ମୋ ଭିତରେ ସେ ଫେମିନିଷ୍ଟ ଥିଲା, ସେ ପ୍ରତିବାଦ ନ କରି ରହିପାରିଲା ନାହିଁ । ସେ କହିଲା, ‘‘ଯା ଭିତରେ ଟୋପାଏ ମାତ୍ର ସିଭାଲରୀ ଅଛି ସେ କେବେହେଲେ ନାରୀକୁ ଦୋଷ ଦେଇନପାରେ; ଦୋଷ ସବୁବେଳେ ପୁରୁଷର । ତେବେ କେଉଁ କ୍ଷେତ୍ରରେ କାହାର ଦୋଷ ନୁହେଁ-ନିୟତିର ।”

 

“ହଁ, ହଁ । ଏ ବାତ୍ ଠିକ୍ । ନୀୟତିର ।” ଖାନ୍ ବାହାଦୁର ପ୍ରୀତ ହୋଇ କହିଲେ “ଠିକ୍ ଏହିପରି ନିୟତିର ଖେଳ ଦେଖିଛି ମୋର ପ୍ରଥମ ଯୌବନରେ । ମୋର ଏକବନ୍ଧୁଙ୍କ ଜୀବନରେ । ବନ୍ଧୁଟି ହିନ୍ଦୁ । ଆପଣ ହୁଏତ ମନେକରୁଥିବେ, ଏ କି କଥା ! ହିନ୍ଦୁ କେବେଠାରୁ ମୁସଲମାନର ବନ୍ଧୁ ହେଲା କିନ୍ତୁ ଆଜିକାର ଏଇ କଦର୍ଯ୍ୟ ଆବହାଉଆ କୋଡ଼ିଏ ବର୍ଷ ପୂର୍ବରେ ନ ଥିଲା । ମହାଯୁଦ୍ଧ ଶେଷରେ ଆମେ ଦୁହେଁ ଯେତେବେଳେ ମିଲିଟରୀରୁ ଖଲାସ ହୋଇ ପୁଲିସ ଚାକିରି ପାଇଲୁ, ସେତେବେଳେ କିଏ ହିନ୍ଦୁ କିଏ ମୁସଲମାନ ! ଆହା, ସେ ସବୁଦିନ କଅଣ ଆଉ ଫେରିବନି ।”

 

କଣ୍ଠରେ ତାଙ୍କର ଆନ୍ତରିକତାର ସୁର । ସ୍ମୃତି ସଡ଼କ ବାଟେ ସେ କୋଡ଼ିଏ ବର୍ଷ ପଛକୁ ଚାଲିଗଲେ; ସେଠି ସଞ୍ଚିତ ଥିଲା ପୁରାତନ ମଦିରା । ଅନ୍ୟମନସ୍କ ଭାବରେ କହିଲେ, “ଘଟଣାଟା କେତେ କାଳର ପୁରୁଣା । ମୋର ତ ମନେ ନଥିଲା । ହଠାତ୍ କେମିତି ମନେପଡ଼ିଗଲା । ଏଇତ, ବେଶ ପରିଷ୍କାର ମନେପଡ଼ୁଛି । ଦେଖୁ ଦେଖୁ ସବୁ ଉଜ୍ଜ୍ୱଳ ହୋଇଉଠୁଛି ।”

 

ତାଙ୍କ ଆଡ଼େ ଆଖି ଫେରାଇଲି । ସେ କଅଣ ସେଇ ମଣିଷ ନାଁ ଆଉ କିଏ । ଜଣେ ନଓଜଓ୍ୱାନ ଅର୍ଦ୍ଧଶୟାନ ହୋଇ ସ୍ଵପ୍ନ ଦେଖୁଛି । ହୁ ହୁ କରି ବହିଆସୁଛି ପବନ । ପବନକୁ ଠେଲି ଠେଲି ଛୁଟିଚାଲିଛି ଲଞ୍ଚ । ଜଳ ଦୁଇଭାଗ ହୋଇ ଚିରି ଚିରି ଯାଉଛି କଟା ଲୁଗା ପରି । ଲହରୀ ପଡ଼ିରହୁଛି ପଛକୁ । ଲହରୀ ଦୋଳା ଲାଗିଉଠୁଛି ପଡ଼ୁଛି ପଛେଇ ଯାଇଥିବା ସାମ୍ପାନ* ।

 

ଖାନ୍ ବାହାଦୁର କହିବାକୁ ଲାଗିଲେ ।

 

ମେହେରବାନ ସିଂ ରାଜପୁତ ଘରାନା । ମୋ ପୂର୍ବପୁରୁଷ ମଧ୍ୟ ରାଜପୁତ ଥିଲେ । ଯେ ଯାହା କହୁ ପଛକେ, ରକ୍ତର ଡାକ ବୋଲି କିଛି ଗୋଟିଏ ଅଛି । ରାଜପୁତଙ୍କ ସହିତ ମୁଁ ଯେତେ ଆତ୍ମୀୟତା ବୋଧକରେ ଏ ଦେଶରେ ମୁସଲମାନମାନଙ୍କ ସାଙ୍ଗରେ ସେତେଟା ନୁହେଁ । ତା’ ବୋଲି ହିନ୍ଦୁ ଧର୍ମରେ ମୋର ବିଶ୍ଵାସ ନାହିଁ । ଧର୍ମ ସମ୍ବନ୍ଧରେ ମୁଁ ଖାଣ୍ଟି ମୁସଲମାନ । ସେତେବେଳକୁ ଏଇ ସାରଙ୍ଗ ସୁଖାନ ଚପରାସୀ ଖାନସାମା ମୋର ନିଜ ଲୋକ । ଆଉ ମେହେରବାନ ସିଂ ମୋର ଜଣେ ଦୋସ୍ତ ମାତ୍ର ।

 

କିନ୍ତୁ ସେଭଳି ଦୋସ୍ତ ସେ ସବୁ ଦିନରେ ମୋର ଆଉ କେହିନଥିଲେ । ରୋଜ ଆମର ଦେଖାସାକ୍ଷାତ ହୁଏ । ଆଉ ଘଣ୍ଟା ପରେ ଘଣ୍ଟା କଟିଯାଏ ଖୁସି ଗପ ଆଉ ଦିବାସ୍ଵପ୍ନରେ । ଖେଳ କୁଦ ସଉକ ଥିଲା ଦୁଇଜଣଙ୍କର । ଶିକାର ନିଶା ଦୁଇଜଣଙ୍କର । ସେତେବେଳେ ସିନେମା ନଥିଲା ଆଜିକାଲି ପରି । ଆମର ଯେଉଁଠି ଚାକିରି ସେଠି ମଝିରେ ମଝିରେ ସିନେମା ଆସୁଥିଲା କିଛିଦିନ ପାଇଁ । ସେ କେତେଦିନ ଆମେ ଦୁହେଁ ସାଥିହୋଇ ସିନେମା ଦେଖିବାକୁ ଯାଉଥିଲୁ । ତାମସା ଦେଖୁଥିଲୁ । ଅନ୍ୟାନ୍ୟ ଅଫିସରମାନଙ୍କ ପରି ଆମେ ଗୀତ ଶୁଣିବାକୁ ବାଈଜୀ ଘରକୁ ଯାଉନଥିଲୁ-। ଦୁଇଜଣଯାକ ଥିଲୁ ପିଉରିଟାନ କିସମର ଲୋକ । ତାହାର ବାହାଘର କଥାବାର୍ତ୍ତା ଚାଲିଥାଏ-। ମୋ ବିବି ସେତେବେଳେ ବାପ ଘରେ । ସେ ଚାହେଁ ଶିକ୍ଷିତା ଝିଅ । ସେ କାଳରେ ଝିଅପିଲାଙ୍କର ପଢ଼ାଲେଖାର ଚଳନ ନ ଥିଲା ।

 

ଏଣେ ହୋଇଛି କଅଣ, ପଞ୍ଜାବର ସେଇ କ୍ୟାଣ୍ଟନ୍‌ମେଣ୍ଟ ସହରଟିରେ ଜଣେ ମିଲିଟାରୀ କଣ୍ଟ୍ରାକ୍ଟର ଥିଲେ । ତାଙ୍କର ବହୁଲକ୍ଷ ଟଙ୍କା । ଆମେ ଯେତେବେଳେ ସେଠାକୁ ଯାଉ, ସେତେବେଳକୁ ସେ କାଳହେଲେଣି । ତାଙ୍କ ସମ୍ପତ୍ତିର ଅଧେ ପଡ଼ିଛି ତାଙ୍କ ବଡ଼ଭାର୍ଯ୍ୟାଙ୍କ ଭାଗ୍ୟରେ, ଅଧେ ତାଙ୍କ ସାନଭାର୍ଯ୍ୟାଙ୍କ ଭାଗ୍ୟରେ । ବଡ଼ଭାର୍ଯ୍ୟା ଥାଏ ଦିଅଁ ଦେବତା ନେଇ । ଆଉ ସାନଭାର୍ଯ୍ୟା ଥାଏ ଆମୋଦ-ପ୍ରମୋଦ ନେଇ । ଦୁଇଜଣଙ୍କ ଭିତରୁ ଜଣଙ୍କର ବି ବାଲବଚ୍ଚା ହୋଇନି । ସେ ଯା’ ମହଲରେ ରହନ୍ତି । ନିଜର ଦାସ-ଦାସୀ, ନିଜର ଗାଡ଼ି-ଘୋଡ଼ା । ବିଲକୁଲ ଅଲଗା ବନ୍ଦୋବସ୍ତ । ଲୋକେ କହନ୍ତି ବଡ଼ରାଣୀ ଛୋଟରାଣୀ; କାରଣ ସ୍ୱାମୀଙ୍କର ରାଜା ଉପାଧି ଥିଲା ।

 

ଆମେ ଯେତେବେଳେ ସେଠାକୁ ଯାଉ ସେତେବେଳେ ସମସ୍ତଙ୍କ ମୁହଁରୁ ଶୁଣୁ ସୂରଜଭାନ ଯେପରି ସୁନ୍ଦରୀ, ସେପରି ସୁନ୍ଦରୀ କିଏ କେଉଁଠି ଦେଖିନାହାନ୍ତି । କିନ୍ତୁ ସୁନ୍ଦରୀ ହେଲେ ହେବ କ’ଣ, ତା’ର ଚାଲିଚଳନ ସେପରି ସୁବିଧାର ନୁହେଁ । ସେ ପର୍ଦ୍ଦା ମାନେନି । କ୍ଲବକୁ ଯାଏ । ସାହେବମାନଙ୍କ ସହିତ ନାଚେ । ଷ୍ଟେସନର ଯେତେ ଅଫିସର ସମସ୍ତଙ୍କୁ ଡାକି ପାର୍ଟି ଦିଏ । କେହି ତାଙ୍କୁ ଦୁଇଥର ଏକା ଶାଢ଼ି ପିନ୍ଧିବା ଦେଖିଛି ବୋଲି ଶୁଣାଯାଏ ନାହିଁ । ତା’ର ଜୋତା ଖୁବ୍ କମରେ ଦୁଇଶ’ ତିନିଶ’ ଜୋଡ଼ା ହେବ । ସେ କୁଆଡ଼େ ଦୁଧସର ଲଗାଏ, ଆଉ ଦୁଧକୁଣ୍ଡରେ ଗୋସଲ କରେ । ଆଉ ସେଇ ଦୁଧ କୁଆଡ଼େ ପରେ ବଜାରରେ ବିକ୍ରି ହୁଏ ।

 

ଜୋର ଗୁଜବ, ସେ ଯା’କୁ ଥରେ ସୁ-ନଜରରେ ଦେଖେ ତା’ର କୌଣସି କାମନା ଅତୃପ୍ତ ରଖେନା-ସେ ଯେ ହେଉ ପଛକେ । ତା’ ପାଖରେ ଜାତି ବିଚାର ନାହିଁ, ସେ ଧନ ଚାହେଁନାଁ, ଉପହାର ଚାହେନା । କେବଳ ତା’ର ପସନ୍ଦ ହେଲେ ହେଲା । ପସନ୍ଦ କିନ୍ତୁ ସହଜରେ ହୁଏନା ।

 

ଜଏନ କରିବାର ଦି’ ତିନି ହପ୍ତାହ ପରେ ମୋ ନାଁରେ ମଧ୍ୟ ସୂରଜ୍‌ଭାନ ନିମନ୍ତ୍ରଣ ପତ୍ର ଆସିଲା । ଗାର୍ଡେନ ପାର୍ଟିର ନିମନ୍ତ୍ରଣ । ମେହେରବାନକୁ ପଚାରି ଜାଣିଲି ତା’ ନା’ରେ ବି ଆସିଛି । କିନ୍ତୁ ସେ ଯିବନି । କାହିଁକି ଯିବନି ? କାରଣ, ସେ ସେପରି ସ୍ତ୍ରୀଲୋକର ସଂସ୍ରବ ରଖିବାକୁ ଚାହେଁନା ।

 

ମୁଁ ରସିକତା କରି କହିଲି, ‘‘ଏକ ଜାତି ଆମ୍ବ ଅଛି, ତା’ ନାଁ ରାଣୀ ପସନ୍ଦ । ତୁମର ମନହୁଏ ନାଁ ରାଣୀ ପସନ୍ଦ ହେବାକୁ ?”

 

ମୁଁ ତ ଆମ୍ବ ନୁହେଁ । ମୋର ଆତ୍ମସମ୍ମାନ ଅଛି । ଚିରଦିନ ପସନ୍ଦ କରିଆସିଛି ପୁରୁଷ । ପସନ୍ଦର ଅଧିକାର ପୁରୁଷର । ଏହା ବେଳକୁ ତା’ ନୁହେଁ ! ସୂରଜ୍‌ଭାନ ମୋତେ ଆଖିଦେଇ ଯାଞ୍ଚ କରିବ ! ଆଉ କିଏ ଜାଣେ ହୁଏଇ ମୋତେ ନା-ପସନ୍ଦ କରିବ ।” କହୁ କହୁ ତା’ ରକ୍ତ ଗରମ ହୋଇଉଠିଲା !

 

‘‘କାହିଁକି, ସ୍ଵୟମ୍ବର ତ’ ରାଜପୁତମାନଙ୍କର ହିଁ ପ୍ରଥା ।’’

 

‘‘ହଁ କିନ୍ତୁ ସ୍ଵୟମ୍ବରରେ ଯେଉଁମାନେ ନା-ପସନ୍ଦ ହେଉଥିଲେ, ସେମାନେ ଲଢ଼େଇ କରି କାଢ଼ି ନେଉଥିଲେ । ତା’ ଛଡ଼ା କାହା ସାଙ୍ଗେ କାହାର ତୁଳନା ! କେଉଁଠି କୁମାରୀଙ୍କ ସ୍ଵୟମ୍ବର, ଆଉ କେଉଁଠି ବିଳାସିନୀର ଲୀଳାମୃଗୟା !”

 

ମେହେରବାନକୁ ଆଉ ଏକଥା ନେଇ ବିରକ୍ତି କଲିନାହିଁ । ମୁଁ ଏକେଲା ହିଁ ଗଲି । ହଁ ସୁନ୍ଦରୀ ଅଟେ ସୂରଜ୍‌ଭାନ୍ । କି ପ୍ରକାରେ ତା’ର ବର୍ଣ୍ଣନା ଦେବି । ମୁଁ ତ ଆପଣଙ୍କ ପରି କବି ନୁହେଁ-। ଅନ୍ଧାର ରାତିରେ ବାଣ ଫୁଟିଲେ ଯେପରି ଆକାଶ ଉଜ୍ଜ୍ୱଳ ହୁଏ, ନାନା ବର୍ଣ୍ଣ ତାରା ଫୁଟିଉଠେ, କ୍ଷଣକାଳ ପାଇଁ ଭୁଲିଯାଏ ସେ ଯାହା ଦେଖୁଛି ତାହା ବାରୁଦ, ଗନ୍ଧକ, ସୋରା ଇତ୍ୟାଦିର ଖେଳ, ସେପରି ବହୁଜଣଙ୍କ ଗହଣରେ ସୂରଜ୍‌ଭାନର ଉଦୟ । ପ୍ରତ୍ୟେକେ ବେଶ୍ କିଛିଟା ଆତ୍ମସଚେତନ ହେଲେ । ଦର୍ପଣ ଥିଲେ ମୁହଁ ଦେଖିନିଅନ୍ତେ । କେ ଜାଣେ ମୁଖଶ୍ରୀ ରାଣୀ ପସନ୍ଦ କି ନା !

 

ତା’ପରେ ଯେତେଥର ନିମନ୍ତ୍ରଣ ପାଇଛି, ସେତେଥର ଯାଇଛି । ରାଣୀ ପସନ୍ଦ ହେବାକୁ ନୁହେଁ, ସେଇ ବାଣ ଫୁଟିବା ଦେଖିବାକୁ; କିନ୍ତୁ ମୁଷ୍କିଲ ହେଲା ମେହେରବାନକୁ ନେଇ । ସେ ନ ପାରେ ଯାଇ, ନପାରେ ରହି, ନପାରେ ବଦଳି ହୋଇ ପଳାଇବାକୁ । ତା’ର ଗର୍ବ ତାକୁ ଯିବାକୁ ଦିଏନା । ତା’ର କୌତୂହଳ ତାକୁ ରହିବାକୁ ଦିଏନା । ତା’ର କର୍ତ୍ତବ୍ୟବୋଧ ତା’କୁ ପଳାଇବାକୁ ଦିଏନି । ମୁଁ ବୁଝିପାରେ ଯେ ସେ ଛାଟିପିଟି ହେଉଛି ଘରକୁ ଯାଅ । ସାଦୀ କର ।’’ ସେ ଚୁପ୍‌କରି ଶୁଣେ ଉତ୍ତର କରେନାଁ ।

 

ଦିନେ ସୁରଜ୍‌ଭାନ୍ ମୋତେ ପଚାରିଲେ, ‘‘ଆଚ୍ଛା ମେହେରବାନ ସିଂ ଆପଣଙ୍କର ବନ୍ଧୁ ନାଁ ? ସେ କାହିଁକି ଆସନ୍ତିନି । ଆପଣ ତାକୁ ଆଣିପାରନ୍ତିନି ?’’

 

ମୁଁ କୌଣସି ମତେ ବାଟକାଟେ । ସତକଥା କହିବି କେମିତି ? ସଦା ସତ୍ୟକଥା କହିବା, ପାଠ୍ୟ ପୁସ୍ତକରେ ଶୋଭାପାଏ । କିନ୍ତୁ ଫେରିଯାଇ ମେହେରବାନ୍‌କୁ ଖୋଲି କହିଲି । ସେକଥା ଶୁଣି ସେ କିପରି ଏକପ୍ରକାର ଆସ୍ଵସ୍ତି ବୋଧକଲା । ଖୁସି ହେବ, ନାଁ ରାଗିଯିବ, ନାଁ କଅଣ କରିବ ବୁଝିପାରିଲା ନାହିଁ । ମୋତେ ଛାଡ଼ି ତ ବୁଲିବାକୁ ବାହାରିଗଲା ।

 

ପର ଥର ସୁରଜ୍‌ଭାନ୍ ପାର୍ଟିରେ ଦେଖେ ମେହେରବାନ୍ ହାଜର । ମୁଁ ହିଁ ପରିଚୟ କରାଇଦେଲି । ଦର୍ପଣ କେଉଁଠି ପାଇବି ? ଥିଲେ ଖଣ୍ଡେ ଆଣି ଦିଅନ୍ତି । ତେବେ ତା’ର ଦରକାର ହେଲାନାହିଁ । ସୂରଜଭାନ୍ ଆଖି ତ ଆଇନା । ସେଇ ସୁନ୍ଦର କଳା ଆଖିରେ ମେହେରବାନ୍ ଦେଖିବାକୁ ପାଇଲା ତା’ର ନିଜର ଆରକ୍ତ ମୁହଁ । ଏକ ଦୁଇ ସେକେଣ୍ଡ ଭିତରେ କେତେବଡ଼ ଗୋଟିଏ ଘଟଣା ଘଟିଗଲା । କେହି ଜାଣିପାରିଲେ ନାହିଁ ମୋ ଛଡ଼ା ।

 

ମେହେରବାନ୍‌କୁ ମୁଁ ଚିଡ଼େଇବାକୁ ଚାହିଁଥିଲି, ମାତ୍ର ସାହସ ହେଲା ନାହିଁ । ତା’ ଚେହେରା ଦେଖି ପଛଘୁଞ୍ଚା ଦେଲି । ସେ କଳପରି କରିଯାଏ । ଡିଉଟି ବଜେଇଯାଏ । ପୂର୍ଣ୍ଣମାତ୍ରାରେ । ମୋ ସହିତ ମିଳାମିଶାର ବିରାମ ନାହିଁ, ତେବେ ମଧ୍ୟ ଭିତରେ ଭିତରେ ବଦଳିଯାଉଥାଏ । ନିଜେ ଯାଚି ମୋତେ କିଛି କହିଲେ ଶୁଣେ । ଉପରପଡ଼ା ହୋଇ କିଛି କହେନାଁ ।

 

ତା’ର ସର୍ବଶରୀର ଉନ୍‌ମୁଖ ହୋଇ ରହିଛି ଜଣକପାଇଁ । ସମସ୍ତ ମନ ପଡ଼ିରହିଛି ତା’ପାଖରେ; ଅଥଚ ସେ ସ୍ୱୀକାର କରିବନି । ମୁହଁରେ କହିବ ଅନ୍ୟକଥା । କହିବ, ‘‘ମୁଁ ତାକୁ ଘୃଣା କରେ । ତା’ର ଅଙ୍ଗ ଦୂଷିତ । ସେ ଗୋଟିଏ ଗଣିକା ଛଡ଼ା ଆଉ କ’ଣ ! ଟଙ୍କା ନିଏନା, ଏଇଆ ଯାହା ଫରକ । ମୋର ଯଦି ଇଚ୍ଛାହୁଏ ମୁଁ ସିଧାସଳଖ କୌଣସି ଜଣେ ବେଶ୍ୟା ପାଖକୁ ଯିବି । ସେଠାରେ ମୋର ପସନ୍ଦ ଖଟିବ । ମୁଁ ଦାମ ଦେଇ ଭେଟ କରିବି । କେଉଁ ଦୁଃଖରେ ସୁରଜ୍‌ଭାନ୍ ଦୁଆରକୁ ଯିବି ? ହେଲେ, ସେଇ ମୋତେ ପସନ୍ଦ କରିବ, ସେଇ ଦାମ ଦେଇ ଭୋଗ କରିବ । ମୁଁ କଅଣ ରାଣୀ ପସନ୍ଦ’’

 

ଏପରି କେତେ ଯେ ଲେକ୍‌ଚର ଶୁଣିବାକୁ ପଡ଼ୁଥିଲା ମୋତେ ଦିନ ପରେ ଦିନ । ତା’ ଭିତରେ ଗୋଟିଏ ଦ୍ୱନ୍ଦ୍ୱ ଚାଲିଥାଏ । ସେ ମୋଟଉପରେ ଶାନ୍ତି ପାଉନଥାଏ । ମୋ ପାଖରେ ସ୍ୱୀକାର କରିବନି ଯେ ସେ ଆକୃଷ୍ଟ ହୋଇଛି । ମୁଁ ବୁଝେ ସବୁ, ମାତ୍ର ଜାଣିବାକୁ ଦିଏନା ଯେ ମୁଁ ବୁଝେ । ମୁଁ କହେ, ‘‘କେହି ତୁମକୁ ସାଧ୍ୟସାଧନା କରୁନାହାନ୍ତି ଯିବାକୁ । ତୁମେ ନଗଲେ ଯେ କିଏ କ’ଣ ମନେକରିବ, ତା’ ବି ନୁହେଁ । ସୁରଜ୍‌ଭାନ୍ ଯେମିତ ସମସ୍ତଙ୍କୁ ନିମନ୍ତ୍ରଣ କରେ ସେମିତ ତୁମକୁ ମଧ୍ୟ କରେ । କାହାକୁ ତା’ର ପସନ୍ଦ, କାହାକୁ ନୁହେଁ, ସେଟା କ’ଣ ସେ ପ୍ରକାଶ୍ୟରେ ବିଜ୍ଞାପନ ଦଏ-? ସେ ସବୁ ଠାରରେ ଠିକ୍ ହୋଇଯାଏ । ଅନେକ ରାତିରେ କୌଣସି ଏକ ସଙ୍କେତସ୍ଥଳୀରେ ତା’ର ଗାଡ଼ି ଆସି ଠିଆହୁଏ । କୌଣସି ଜଣକୁ ଉଠାଇନେଇ ଅଦୃଶ୍ୟ ହୁଏ । କେହି ଲକ୍ଷ୍ୟ କରନ୍ତି କି ନା’ ସନ୍ଦେହ । ତା’ ପରେ ଫେରସ୍ତ ଦେଇଯାଏ ଆଉ ଏକ ସ୍ଥାନରେ ।’’

 

‘‘ପାଜି ମାଇକିନିଆ ! ବଦ୍‌ମାସ ମାଇକିନିଆ ।’’ ମେହେରବାନ୍ ଗରମ ହେଇଉଠି ଗାଳିମନ୍ଦ କରେ । ‘‘ତାକୁ ମାଇକିନିଆ, ଶଇତାନ ମାଇକିନିଆ ।’’ ଆଉ ଯା’ ଯା’ କହେ ତା’ ଅଶ୍ରାବ୍ୟ ଅଶ୍ଳୀଳ ।

 

ମୁଁ ପ୍ରତିବାଦ କରେ, ‘‘ତୁମର ତ କୌଣସି ଲୋକସାନ କରିନି । ତୁମେ କାହିଁକି ଇତର ଭାଷାରେ ଆକ୍ରମଣ କରୁଛ ? ଏହା କି ପ୍ରକାର ଭଦ୍ରାମି ?’’

 

ଦିନ କେତେଟା ପରେ ମେହେରବାନ୍ କହିଲା, ‘‘ସେଦିନ ଯେ କହୁଥିଲ ସବୁ ଠରାଠରିରେ ଠିକ୍ ହୋଇଯାଏ, କି ଠାର ? ବଜାରରେ ଖଣ୍ଡିଏ ଚଟି ବହି ମିଳେ ସେଥିରେ ଏକପ୍ରକାର ଠାର ଅଛି ।’’

 

ମୁଁ କହେ, “ତୁମର ସେଥିରେ ଦରକାର କଅଣ ? ତୁମେ ତ ଯାଉନା । ନାଁ ଯାଉଛ ?’’

 

‘‘ମୁଁ ଯିବି ସେ ଖାନିକୀଟା ଘରକୁ ? ଅସମ୍ଭବ । ମୋ ନାଁ’ ମେହେରବାନ୍ ସିଂ ଆମେ ହେଲୁ ଚୌହାନ ରାଜପୁତ । ଅବସ୍ଥା ଦୋଷରେ ପୁଲିସରେ ଚାକିରି କରିବାକୁ ପଡ଼ିଛି । ସେଥିପାଇଁ କ’ଣ ଅଧଃପତନକୁ ଯିବାକୁ ପଡ଼ିବ । ଶେଷରେ ତୁମେ ବି ମୋତେ ଭୁଲ୍ ବୁଝିଲ ! ତୁମେ ରାଠୋର ବଂଶଧର !’’

 

କଅଣ ଆଉ କରେ ! ଚୁପଚାପ ଶୁଣିଯାଏ । ଲୋକଟା ଦିନକୁ ଦିନ ବାୟା ହୋଇଉଠୁଛି-! ଯା’ କରିବାକୁ ତା’ ପ୍ରାଣ ଚାହେଁ, ତା’ କଲେ ତା’ ମାନ ଯାଏ । ଆଉ କି ଦୁର୍ବାର ଆକର୍ଷଣ ସେଇ ସୁନ୍ଦରୀ ନାରୀର, ସେଇ ମନ୍ଦ ନାରୀର ! ସେ ଯାହାକୁ କାମନା କରିବ ତାହାକୁ ହିଁ ପାଇବ-। ଚୁମ୍ବକ ଭଳି ଟାଣିନେଇଯିବ ଲୁହାକୁ ।

 

ମୋର ଭାଗ୍ୟ ଭଲ ଯେ, ମୋତେ ଚାହିଁନି; କିନ୍ତୁ ମେହେରବାନ୍ ଯେପରିକି ଗୁଣି କରିଛି-। ବଶୀକରଣ ବୋଲି ଗୋଟିଏ ବିଦ୍ୟା ଅଛି, ତା’ର ବିଶ୍ଵାସ କରୁନଥିଲା । କ୍ରମେ ବିଶ୍ୱାସ ହେଲା-। ମେହେରବାନ୍ ମୋର ପାଖ ବସାରେ ରହୁଥିଲା । ତା’ ଗତିବିଧି ଉପରେ ଲକ୍ଷ୍ୟ ରଖିଲା । ରାତି ଦଶଟାରେ ବାହାରିଯାଏ । ଶେଷ ରାତିରେ ଫେରେ । ଆଲୁରୁ ବାଲୁରୁ ଚେହେରା । ପାଗଳ ପରି ଚାହାଣି । କଥାବାର୍ତ୍ତାରେ ଠିକଣା ନାହିଁ । କଅଣ ଯେ ବକେ ଇଆଡ଼ୁ ସିଆଡ଼ୁ । ବୁଝିପାରେ ଖାଲି ଅଶ୍ଳୀଳ ଶବ୍ଦଗୁଡ଼ିକ । ବୋଝ ବୋଝ ଅଶ୍ଳୀଳ କଥା । ହିସାବ କରି ଦେଖିଲି ଦିନକୁ ଦିନ ବଢ଼ୁଛି ସେଗୁଡ଼ିକର ସଂଖ୍ୟା ।

 

ଇଚ୍ଛା ହେଉଥାଏ, ତା’ ଘରକୁ ଖବର ଦେଇ ଅଭିଭାବକମାନଙ୍କୁ ଡକେଇ ଆଣିବାକୁ । ଏବେ ମଧ୍ୟ ବେଶି ଦୂର ଗଡ଼ିନି । ଯା’ ଘଟିବାର ଘଟିନି । ଏ ବଦଖିଆଲ ଏକାଦିନକେ କଟିଯିବ ସୁନ୍ଦରୀ କନ୍ୟା ଦେଖି ବାହାଦେଲେ । ତା’ପର ଶିଆଲକୋଟରୁ ବଦଳି ହୋଇ ଲାହୋର ବା ଅମୃତସର ଚାଲିଗଲେ ସୁରଜ୍‌ଭାନ୍ ଠିକ୍ ବାଣ ପରି ଲିଭିଯିବ । କିନ୍ତୁ ମେହେରବାନ୍‌ର ଅଭିଭାବକ ଖବର ଦେବାକୁ ମୋର ସାହସ ହୁଏନା । ଯଦି ସେ ରାଗିଯାଏ । ମଣିଷଟା ସେ ସାଧାରଣତଃ ଭାରି ଥଣ୍ଡା; କିନ୍ତୁ ରାଗିଲେ କାଣ୍ଡ-ଜ୍ଞାନ ଲୋପ ପାଏ ।

 

ଏହାପରେ ଯେଉଁଦିନ ମୁଁ ସୁରଜ୍‌ଭାନ୍ ପାର୍ଟିକୁ ଗଲି, ସେଦିନ ମେହେରବାନ୍ ମଧ୍ୟ ଯାଇଥିଲେ । ସେଦିନ ଠରାଠରି ସବୁ ଠିକ୍ ହୋଇଗଲା ।

 

 

ଦିନ କେତେଟା ପରେ ମୁଁ ପରେଡ଼୍ ପାଇଁ ପୋଷାକ ପିନ୍ଧୁଛି, ମେହେରବାନ୍ ସିଂ ଆସି ବାଧାଦେଲା । ତା’ର ଆଖିରେ, ମୁହଁରେ, ପ୍ରତି ଅଙ୍ଗରେ ଜୟର ଉଲ୍ଲାସ । ତଥାପି ବିଷାଦର ଭଙ୍ଗ କରି କହିଲା, “ମୁଁ ମରିଯାଇଛି !’’

 

ମୁଁ ଅନୁମାନ କଲି ଏହାର ଅର୍ଥ କଅଣ । ତା’ହେଲେ ମଧ୍ୟ ଡରିଯାଇ କହିଲି, ‘‘କାହିଁକି ? କଅଣ ହେଲା !’’

 

“ମୁଁ ରାଣୀ ପସନ୍ଦ ବନିଯାଇଛି ।’’ ସେ କରୁଣ ସ୍ଵରରେ କହିଲା ।

 

“ହଁ !’’ ମୁଁ ଗମ୍ଭୀର ଭାବରେ କହିଲି, ‘‘କାମଟା ଭଲ ହେଇନି । ତା’ର ପ୍ରମାଣ ତୁମେ ପରେଡ଼ ଫାଙ୍କୁଛ । ଏପରି କଲେ ଚାକିରି ରଖିପାରିବନି ।’’

 

ସେ ଦୀର୍ଘଶ୍ୱାସ ଛାଡ଼ିଲା । “ମୁଁ ଅସହାୟ । ମୋର ନିୟତି ମୋତେ କେଉଁଠିକି ଟାଣିନେଇ ଯାଉଛୁ । ତୁମେ ତ ମୋର ବନ୍ଧୁ, ତୁମେ ମୋତେ ଗୋଟିଏ ପରାମର୍ଶ ଦେଇପାର ?’’

 

“କି ପରାମର୍ଶ ?’’ ତା’ ପାଇଁ ସମବେଦନାରେ ମୋର ଦିଲ୍ ଦରଦ ହୋଇଥାଏ ।

 

“ମୁଁ ଦାମ ଦେବାକୁ ଚାହେଁ ।’’ ସେ ଥରି ଥରି କହିଲା, ‘‘ନ ଦେଲେ ମୁଁ ବାନ୍ଦା ପାଲଟିଯିବି-। ମୋର ଇଜ୍ଜତ ରହିବନି ।”‘

 

ମୁଁ ଭାବି ଭାବି କହିଲି, ‘‘ତା’ର ଅଭାବ କଅଣ ଯେ ସେ ତୁମଠାରୁ ଟଙ୍କା ନେବ ? ଆଉ ଉପହାର ତୁମେ ପଚାଶ ଟଙ୍କାର ଦେଲେ ସେ ପାଞ୍ଚ ହଜାର ଟଙ୍କାର ଦେବ ।’’

 

“ମୁଁ ଲକ୍ଷେ ଟଙ୍କା ଦେବି ।’’ ସେ ତେଜରେ କହିଲା । ‘‘ମାତ୍ର କେଉଁଠି ପାଇବି ଲକ୍ଷେ ଟଙ୍କା ? ତୋଷରଖାନା ଚଢ଼ଉ କରିବି ? କେଉଁ ଟ୍ରେଜେରି ଲୁଟ୍‌କଲେ ହୁଅନ୍ତା ନାହିଁ ?’’

 

ମୁଁ ତା’ର କଥାବାର୍ତ୍ତା ଶୁଣି ଆତଙ୍କିତ ହେଲି । ସେଇଦିନ ତା’ ଘରକୁ ଚିଠି ଲେଖିଦେଲି । ଅବଶ୍ୟ ଦେଖିଚାହିଁ । ତା’ ଉପରେ କଡ଼ା ନଜର ରଖିବାକୁ ପଡ଼ିଲା । କାଳେ ଲୁଟ୍‌ତରାଜ କରିବ । ପରେଡ଼ ଫାଙ୍କିବା ପାଇଁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲା । ଡାକ୍ତରଙ୍କୁ ମୁଁ କହିଆସିଲି ହସପିଟାଲରେ ଭର୍ତ୍ତି କରିବାକୁ । ଅବଶ୍ୟ ସବୁ କଥା ଖୋଲି କହିନି ।

 

ତା’ ବଡ଼ଭାଇ ଦୌଡ଼ିଆସିଲେ ତାକୁ ଘରକୁ ନେବାପାଇଁ । ଛୁଟି ନ ପାଇଲେ ସେ ଯିବ କେମିତି ? ଛୁଟି ପାଇଁ ଦରଖାସ୍ତ ଦେବାକୁ ପଡ଼ିଲା । ଯେତେଦିନ ମଞ୍ଜୁରି ନ ଆସିଛି ସେତେଦିନ ସବର୍ କରିବାକୁ ପଡ଼ିବ । ଏହା ଉପରେ ଗୋଟିଏ ବିଚିତ୍ର ଘଟଣା ଘଟିଲା । ଦିନେ ସକାଳୁ ଉଠି ଶୁଣିଲା ମେହେରବାନ୍ ସିଂ ଉଭାନ । ଖବର ନେଇ ଜାଣିବାକୁ ପାଇଲି ସୂରଜ୍‌ଭାନ୍ ମଧ୍ୟ ଉଭାନ ।

 

ହୁରି ପଡ଼ିଗଲା ସହରଯାକ । ସୂରଜଭାନ ଯେଉଁମାନେ ଭକ୍ତ ସେମାନେ କୁହାକୁହି ହେଲେ, ହାୟ ! ହାୟ ! ସାମନ୍ୟ ଗୋଟାଏ ପୁଲିସବାଲା ପାଇଁ କୁଳରେ କାଳି ଲେପିଲା । ଆଉ ମେହେରବାନ୍‌ର ଯେଉଁମାନେ ବେଗଦାର ସେମାନେ କୁହାକୁହି ହେଲେ, ହାୟ ! ହାୟ ! ସାମୟିକ ଗୋଟିଏ ମୋହ ଲାଗି ସାର ଜୀବନର କେରିଅର୍ ନଷ୍ଟ କଲା !

 

କେବଳ କେତେଜଣ ଲୋକ ରସାଇ ରସାଇ କହିଲେ ରାଜକନ୍ୟା ଆଉ ଅର୍ଦ୍ଧରାଜତ୍ଵ ପାଇଲେ ଆମେ ବି ଉଭାନ ହୋଇଯାଆନ୍ତେ । ଆଉ ସୂରଜଭାନ୍ କମ୍ ବୁଦ୍ଧିମତୀ ନୁହେଁ । ଟୋକା ଯେମିତି ଖାନଦାନି ସେମିତି ସୁପୁରୁଷ ।

 

ମୋର ମନଟା ବଡ଼ ଖରାପ ହୋଇଗଲା । ବଡ଼ଭାଇ ଯେତେବେଳେ କାନ୍ଦି କାନ୍ଦି ଫେରିଗଲେ, ସେତେବେଳେ ମୁଁ ବି ତାଙ୍କ ସାଙ୍ଗରେ କିଛିବାଟ ଯାଏଁ ଗଲି । ସେ କହିଲେ, “ଅଦୃଷ୍ଟ !’’ ମୁଁ କହିଲି, ‘‘କିସମତ୍ ।’’ ଆମେ ହିନ୍ଦୁ ମୁସଲମାନ ସହମତ । ଯାହା ନସୀବ୍‌ରେ ଅଛି ତାହା ଘଟିବଇ ଘଟିବ ।

 

ମାସ ପରେ ମାସ ବିତେ । ମେହେରବାନ୍‌ର ଖବର ମିଳେନାଁ ସେପଟେ ସୁରଜ୍‌ଭାନ୍ ମହଲ ଅନ୍ଧାର । ତା’ କର୍ମଚାରୀମାନେ କହିପାରନ୍ତି ନାହିଁ ସେ କେଉଁଠି । ମୁଁ ମୋର ଡିଉଟିରେ ମନୋଯୋଗ ଦେଲି ।

 

ବର୍ଷକ ପରେ ମେହେରବାନ୍‌ର ପତ୍ତା ମିଳିଲା । ସେ ସେତେବେଳେ ଆଜମୀର ଶରିଫରେ । ମୋତେ ଲେଖିଛି ଆଜମୀର ଯାଇ ତୀର୍ଥ କରିବାକୁ । ବୁଝିପାରିଲି ମୋର ପରାମର୍ଶ ଲୋଡ଼ା । ଛୁଟି ନେଇ ଆଜମୀର ଗଲି ଜେୟାରତ କରିବାକୁ । ମେହେରବାନ୍ ମୋତେ ଧରିନେଇଗଲା ତା’ କ୍ଵାଟରକୁ । ଦେଖିଲି ବେଶ୍ ଅଛନ୍ତି ସେ ଦୁହେଁ । ବଧୂ ସାଜି ସୁରଜ୍‌ଭାନ୍ ଖୁବ୍ ଲାଜକୁଳୀ ହୋଇଛି । ମୋ ସାମନାରେ ମଧ୍ୟ ଅଧାପର୍ଦ୍ଦା ।

 

ମେହେରବାନ୍ ପାଖରୁ ଯାହା ଶୁଣିଲି ତାହା କହୁଛି ।

ଶିଆଲକୋଟଠାରୁ ପଳାଇ ସେମାନେ ନାନା ଜାଗାକୁ ଗଲେ । ଯେଉଁଠାକୁ ଯାଏ ସେଠାରେ କଥା ଉଠେ, ତୁମର ପରିଚୟ କ’ଣ ? ସ୍ଵାମୀ-ସ୍ତ୍ରୀ ? ଏହାର ଉତ୍ତରରେ । ସୁରଜ୍‌ଭାନ୍ କହେ, ହଁ । କିନ୍ତୁ ମେହେରବାନ୍ ମୁହଁ ବନ୍ଦ ରଖେ । କଦାପି ତା’ ମୁହଁରୁ ବାହାରେନି ଯେ ସେମାନେ ସ୍ୱାମୀ-ସ୍ତ୍ରୀ । ତା’ର ଅସତ୍ୟ ନୁହେଁ, ଅପ୍ରିୟ ମଧ୍ୟ । ଅଥଚ ସେପରି ଗୋଟାଏ ପରିଚୟ ନ ଦେଲେ ଘର ମିଳେନା, ଚାକିରି ମିଳେନା, ସାହାଯ୍ୟ ମିଳେନା, ସମାଜ ମିଳେନା । ତା’ହେଲେ ରହିବାକୁ ପଡ଼ିବ ଯାଇ ବଜାରରେ । ସେପରି ପ୍ରସ୍ତାବରେ ସୁରଜ୍‌ଭାନ୍ ଜଳିଉଠିବ । ସେ ବି କମ୍ ଗର୍ବିତା ନୁହେଁ । ସେ କଅଣ ବଜାରର ବେଶ୍ୟା ?

ତା’ପର ଯେଉଁଠିକି ଯାଆନ୍ତି, ଶେଷରେ ସେଠି ଜଣାଜଣି ହୋଇଯାଏ ଯେ ସେମାନେ ବିବାହିତ ଦମ୍ପତି ନୁହନ୍ତି । ଦଳେ ଯୁବକ ଜୁଟନ୍ତି ଭାଗନେବାକୁ । ସୌନ୍ଦର୍ଯ୍ୟ ଏପରି ଏକ ସାମଗ୍ରୀ ଯେ ଭାଗ ନ ଦେଇ ଭୋଗ କରିବାକୁ ଗଲେ ସହ୍ୟ କରିବେ ନାହିଁ । ଟେକାମାରି ତଡ଼ିବେ । ପୁଲିସ ପାଖକୁ ନାଲିସ କରିବ ଯାଅ, ପୁଲିସ ଚାହିଁବ ବିବାହର ପ୍ରମାଣ । ନ ହେଲେ ମୋଟା ଟଙ୍କା ଲାଞ୍ଚ । ମେହେରବାନ୍ ହୃଦୟଙ୍ଗମ କଲେ ଯେ ଏକା ଭୋଗ କରିବାକୁ ହେଲେ ଖାଲି ଦଖଲ ନୁହେଁ; ସ୍ୱତ୍ୱ ରହିବା ଦରକାର । ସୁରଜ୍‌ଭାନ୍ ଯେ ତା’ର ବିବାହିତା ପତ୍ନୀ, ଏହାର ଦଲିଲ ଦାଖଲ କରିବାକୁ ହେବ ।

ରାଜପୁତର ପୁଅ ବାହାହେବ ପୁଣି ବଣିଆଘର ବିଧବାକୁ ! ଯଦି ଅବା ସେ ସତୀ ନାରୀ ହୋଇଥାଆନ୍ତା, ଛାତି ଫାଟି କାନ୍ଦ ଆସେ । ସହଜରେ ତ ତା’ ମୁଣ୍ଡ ତଳକୁ । ଏହାପରେ କଅଣ ମାଟି ସାଙ୍ଗରେ ମିଳେଇଯିବନି । ମେହେରବାନ୍ ଭାବି ଦେଖିଲା ପଳାଇବାର ବାଟ ନାହିଁ । ଚାକିରି ତ’ ଜୁଟିବନି, ଗାଁ’କୁ ଫେରି ଚାଷ କରିବାକୁ ଗଲେ ମଧ୍ୟ ଦି’ଓଳି ଅଭିଭାବକଙ୍କ ତିରସ୍କାର ଶୁଣିବାକୁ ହେବ । କିଏ ଅବା ତାକୁ ବାହାହେବ ସେତେବେଳେ । ବାହା ନ ହେଲେ ସ୍ତ୍ରୀ ସହବାସର ଉପାୟ କ’ଣ ? ତେବେ କଅଣ ସେ ଏଇ ବୟସରେ ସନ୍ନ୍ୟାସୀ ହେବ ?

ଯଦି ନ ପଳାଏ ତେବେ ଦୁଇଟି ବାଟ । ଏକ ବାହା, ଦୁଇ ଭାଗ । ଦୁଇଟାରେ ମେହେରବାନ୍‌ର ସମାନ ବିତୃଷ୍ଣା । ଆଉ ସୂରଜ୍‌ଭାନ‌ର ? ମେହେରବାନ୍‌ର ବିଶ୍ଵାସ, ଦୁଇଟାରେ ହିଁ ସୁରଜ୍‌ଭାନ୍‌ର ସମାନ ତୃଷ୍ଣା ।

ଭାଗ ସେ ପ୍ରାଣ ଥାଉ ଥାଉ ଦେଇପାରିବନି । ତା’ ଅପେକ୍ଷା ମରଣ ଭଲ । ତା’ହେଲେ ବାକି ରହେ-ବିବାହ । ବିବାହ କଥାହେଲେ ତା’ ଆଖିରେ ଜୁଆର ଆସେ, ତା’ ହୃଦୟ ହା-ହା-କାର କରେ । ତା’ର ଜାତି କୁଳ ଗର୍ବ, ତା’ର ପୌରୁଷର ଦର୍ପ, ତା’ର ନୀତିବୋଧ ଭୀଷଣ ଧକ୍‌କା ଖାଇ ଚୂର୍ଣ୍ଣ-ବିଚୂର୍ଣ୍ଣ ହୁଏ ।

ବାଧ୍ୟ ନ ହେଲେ ସେ ଆଦୌ ସେ କାମ କରିନଥାଆନ୍ତା । ବିବାହ ! ବିଧବାକୁ ବିବାହ ! ବଣିଆଘରେ ବିବାହ ! ଅସତୀକୁ ବିବାହ ! ବାଧ୍ୟହେଲା ଭାଗୁଆଳିଙ୍କର ଦାବି ଏଡ଼ିବା ପାଇଁ । ଅବିଭକ୍ତ ସ୍ଵତ୍ଵରେ ସ୍ଵତ୍ଵବାନ ହେବାପାଇଁ ।

ବିବାହ ପରେ ଆଇନ ଜାରି କଲା, ପର୍ଦ୍ଦାନସୀନ ହେବାକୁ ପଡ଼ିବ ।

ସୂରଜ୍‌ଭାନ୍ ଏଥିପାଇଁ ପ୍ରସ୍ତୁତ ନ ଥିଲା । ମାତ୍ର ବାହାଘର ପାଇଁ ସେ ମନେମନେ କୃତାର୍ଥ ବୋଧ କରୁଥିଲା । ରାଜପୁତ୍ର ତାକୁ ବାହାହେବ-ଏ ଯେ ତା’ର ଶୈଶବର ସ୍ଵପ୍ନ । ଏପରି ଅଲୌକିକ ଘଟଣା ଯଦି ବା ଘଟିଲା ତେବେ ତା’ ପାଇଁ କିଛି କଷ୍ଟ ସହିବାକୁ ହିଁ ପଡ଼ିବ ।

 

ସ୍ତ୍ରୀକୁ ପର୍ଦ୍ଦା ଭିତରେ ପୂରାଇ ଏଥର ମେହେରବାନ୍ ନିଶ୍ଚିନ୍ତ ହେଲା । ଏହାପରେ ତାକୁ ଜୀବିକା ଚେଷ୍ଟା ଦେଖିବାକୁ ପଡ଼ିବ । ଏଥିପାଇଁ ପଞ୍ଜାବ ବାହାରକୁ ଯିବା ସ୍ଥିରକଲା । ସେଠାରେ ଲୁଚିବାର ଦରକାର ନାହିଁ । ସିଧାସଳଖ ଆତ୍ମପରିଚୟ ଦେଇହେବ । ବୁଲି ବୁଲି ହାଜର ହେଲା ଆଜମୀରରେ । ତା’ର ଜଙ୍ଗୀ ରେକର୍ଡ଼ ଦେଖାଇ ରେଳବାଇରେ କାମ ପାଇଲା । ଦରମା ବେଶି ନୁହେଁ; ମାତ୍ର ନିଜ ଅନ୍ନ ।

 

ଏଠାରେ ଦେଖାଗଲା ନୂଆ ଏକ ସମସ୍ୟା । ରେଳବାଇ କାମରେ ମାସକୁ କୋଡ଼ିଏ ଦିନ ସଫର କରିବାକୁ ପଡ଼େ । ସ୍ତ୍ରୀଙ୍କୁ ସାଙ୍ଗରେ ଧରି ବୁଲିବା କଠିଣ l ଏକେଲା ରଖିଗଲେ ମଧ୍ୟ ଭାବନା । ସେପରି ଖଣ୍ଡେ ସାତ ରଜାର ଧନ ମାଣିକଟିଏ ଯା’ ଘରେ, ସେ ଯଦି ବାହାରେ ବାହାରେ ରାତି କଟାଏ, ତା’ହେଲେ କିଏ ହୁଏତ ମଉକା ପାଇ ସିନ୍ଧି କାଟିବ । ଆଉ ଥାନା ଖାତାରେ ଲେଖାହେବ ଗହଣା ଲୁଗା ଆସବାବପତ୍ର ଚୋରିଯାଇଛି । ଅସଲରେ କଅଣ ଚୋରିଗଲା ତାହା ତ ଲେଖିଲାଭଳି କଥା ନୁହେଁ ! ଯାହାର ଚୋରିଗଲା ସେ ସେତେବେଳକୁ ସଫରରେ ।

 

ମେହେରବାନ୍ ତା’ହେଲେ କଅଣ କରିବ ? ଘର ସମ୍ଭାଳିବ ନାଁ ବାହାର ସମ୍ଭାଳିବ । ଭାର୍ଯ୍ୟା ସମ୍ଭାଳିବ ନାଁ ଚାକିରି ସମ୍ଭାଳିବ ! ସୂରଜ୍‌ଭାନ୍‌ର ସେପରି କିଛି ସମସ୍ୟା ନାହିଁ । ତାକୁ ଦେଖିଲେ ମନେହୁଏ ସେ ଗୋଟାଏ ସ୍ଥିତି ପାଇଛି । ସେ ରାଜପୁତ୍ରର ସ୍ଵପ୍ନ ଦେଖିଥିଲା, ରାଜପୁତ୍ର ମିଳିଛି । କିନ୍ତୁ ମେହେରବାନ୍ କଅଣ ଏଇଆ ଚାହିଁଥିଲା ! ଏଇ ସ୍ଵପ୍ନ ଦେଖିଥିଲା !

 

ମୋର ଡକରା ଆସିଲା ଏପରି ସମୟରେ ଆଜମୀରରେ ପରାମର୍ଶ ଦେବାକୁ ।

 

ସେମାନେ ବାହା ହୋଇଛନ୍ତି ଶୁଣି ସତକୁସତ ଖୁସି ହୋଇଥିଲି । ମୁଁ ମୁସଲମାନ, ମୋର ସେପରି କିଛି ସଂସ୍କାର ନ ଥିଲା । ମେହେରବାନ୍ ରାଗିବ ବୋଲି ସେ ପରାମର୍ଶ ପ୍ରଥମରୁ ଦେଇନଥିଲି । ଏବେ ସେ ମୋର ବିନା ପରାମର୍ଶରେ ଯାହା କରିଛୁ ତାହା ଠିକ୍ କରିଛି; କିନ୍ତୁ ଏଇ ଈର୍ଷା-କାତରତାର ଅର୍ଥ ମୁଁ ବୁଝେନାଁ । ଏଇ ସନ୍ଦେହ କାତରତାର । ଯାହା ସଙ୍ଗେ ସାରା ଜୀବନ ଘର କରିବ, ତାକୁ ପଦେ ପଦେ ଅବିଶ୍ଵାସ କଲେ ଚଳିବ କିପରି ?

 

ଏହାର ଉତ୍ତରରେ ମେହେରବାନ୍ କହିଲା, “ସେ ଯେ ଭୀଷଣ ସୁନ୍ଦରୀ । ସୁନ୍ଦରୀ ନ‌ ହେଲେ ସନ୍ଦେହ କରନ୍ତି ନାହିଁ । କୁତ୍ସିତ ହେଲେ ବିଶ୍ଵାସ କରିବା ସହଜ ହୁଅନ୍ତା ।”

 

ବୁଝାଗଲା ସୌନ୍ଦର୍ଯ୍ୟକୁ ହିଁ ତା’ର ଡର । ଏ ଡର କେମିତି ଭାଙ୍ଗିବ ? ସାତ ଆଠଟି ସନ୍ତାନ ହେଲେ ? ଦୁଶ୍ଚିକିତ୍ସ୍ୟ ସ୍ତ୍ରୀରୋଗରେ ଭୋଗିଲେ ? ଯୌବନ ଅପଗତ ହେଲେ ? କିନ୍ତୁ ଏସବୁର ସେତେବେଳକୁ ବହୁତ ଡେରି । ସୁରଜ୍‌ଭାନ୍‌ ଆମର ସମବୟସ୍କା । ଅକାଳରେ ସ୍ଥବିରା ହେବାପାଇଁ ତା’ର କିଛି ମାତ୍ର ତ୍ଵରା ନ ଥିଲା ।

 

ମୁଁ କହିଲି, “ଭାଇ, ଯା କର ପଛକେ, ସ୍ତ୍ରୀଙ୍କର କୁରୂପ କାମନା କରନି । ତୁମମାନଙ୍କର କୌଣସି ଦେବତା ଯଦି ତୁମର ପ୍ରାର୍ଥନା ପୂରଣ କରନ୍ତି, ତେବେ ଭୋଗିବାକୁ ପଡ଼ିବ ତୁମକୁ ।”

 

ଦେଖିଲି ତା’ର ମତିଗତି ସୁବିଧାଜନକ ନୁହେଁ । ଏସିଡ୍ ଦେଇ ପୋଡ଼ିଦେଇ କୁତ୍ସିତ କରାଯାଇପାରେ କି ନାହିଁ ଭାବୁଥିଲା । ଏପରି ଭାବରେ ଘଟାଇବ ଯେପରି ଗୋଟିଏ ଆକସ୍ମିକ ଘଟଣା । ମୁଁ କଡ଼ା ସ୍ଵରରେ ଶାସନ କଲି । ଭିତରେ ଥରିଉଠିଲି । କହିଲି, “ତା’ ହେଲେ ତୁମେ ଛାଡ଼ପତ୍ର ଦିଅ । ନ ହେଲେ ଛଡ଼ାଛଡ଼ି ହୋଇଯାଅ ।”

 

ସେ ସେକଥା କାନକୁ ନେଲାନି । କହିଲା, “ପୁଲିସ ଚାକିରିରେ ରହିଥିଲେ ଦରମା ଓ ପେନ୍‌ସନ ମିଶି ମୁଁ କେତେଲକ୍ଷ ଟଙ୍କା କମେଇପାରିଥାଆନ୍ତି । ଖର୍ଚ୍ଚ ବାଦ୍‌ଦେଲେ ମୋର ମୋଟ ସଞ୍ଚୟ ହୁଅନ୍ତା ଏକଲକ୍ଷ ଟଙ୍କା । ସେଇ ଲକ୍ଷେ ଟଙ୍କା ମୁଁ କହିବାକୁ ଗଲେ ଯୌତୁକ ଦେଇଛି । ମାଗଣା ନେଇନି । ତେବେ କାହିଁକି ମୁଁ ଛାଡ଼ପତ୍ର ଦେବି ? ଆଉ ଛଡ଼ାଛଡ଼ି କଅଣ ? ନିୟତି ଆମକୁ ଏକ ସୂତ୍ରରେ ଗୁନ୍ଥୁଛି ।”

 

ହଠାତ୍ ମୋର ବୁଦ୍ଧି ଖୋଲିଗଲା । କହିଲି, “ଆଚ୍ଛା, ସେ ଯଦି ତୁମକୁ ଲକ୍ଷେ ଟଙ୍କା ଫେରସ୍ତ ଦିଏ, ତେବେ ତୁମେ ତାକୁ ଛାଡ଼ପତ୍ର ଦେବକି ?”

 

ମେହେରବାନ୍ ଏକଦମ କାବା ହୋଇଗଲା । ଜୁଳୁଜୁଳୁ କରି ଅନେଇ ରହିଲା ମୋଆଡ଼େ । କଅଣ ଭାବିଲା କେଜାଣି ? କହିଲା, “ଥଟ୍ଟା କରୁଛ ?”

 

“ନାଁ । ଥଟ୍ଟା ନୁହେଁ ।” ମୁଁ ଦୃଢ଼ତାର ସହିତ କହିଲି, “ଏହା ଏକମାତ୍ର ସମାଧାନ ।”

 

“ତୁମେ ଯଦି ତାକୁ ସେ କଥା କୁହ, ମେହେରବାନ୍ ଆର୍ତ୍ତସ୍ଵରରେ କହିଲା, “ସେ ସତକୁସତ ଲକ୍ଷେ ଟଙ୍କା ଫିଙ୍ଗି ଦେବ । ତା’ହେଲେ ମୁଁ ତା’ ପାଖରେ କିଣା ହୋଇ ରହିବି । ରାଣୀ ପସନ୍ଦ ।”

 

ତା’ ମନକଥାଟି ଏହି ଯେ, ସୂରଜ୍‌ଭାନ୍ ତା’ ମାଲିକ ହେବନାହିଁ । ସେ ହେବ ସୂରଜ୍‌ଭାନ୍‌ର ମାଲିକ । ତା’ ଛଡ଼ା ସୂରଜ୍‌ଭାନ୍ ସୁନ୍ଦରୀ ନାୟିକା ନ ହୋଇ ହେବ କୁରୂପା ବଧୂ । ତା’ହେଲେ ଯାଇ ସେ ନିଶ୍ଚିନ୍ତ ହେବ, ନିରୁପଦ୍ରବ ହେବ; କିନ୍ତୁ ସୂରଜ୍‌ଭାନ୍‌କୁ ସେ କଥା ମୁହଁ ଫିଟାଇ କହିପାରେନାଁ ।

 

ଖ୍ୱାଜା ସାହେବଙ୍କ ଦରଘାରେ ନଜରାନା ଦେଇ ବତି ଦେଇ ମୁଁ ଆଜମୀରଠାରୁ ଚାଲିଆସିଲି । ତା’ର କିଛି ଦିନ ପରେ କାବାହୋଇ ଦେଖିଲି ଯେ ସୂରଜ୍‌ଭାନ୍‌ର ମହଲ ଆଲୁଅରେ ସଜା ହୋଇଛି । କଥା କଅଣ ? କଥା କଅଣ ? ରାଣୀ ଫେରିଆସିଛନ୍ତି । ଆଉ କେହି ସାଙ୍ଗରେ ଆସିଛି କି ? ନାଁ, ଆଉ ତ’ କେହି ଆସିନାହାନ୍ତି ।

 

 

ଖାନ୍ ବାହାଦୁର କହିଚାଲିଲେ । “ତା’ପରେ ମେହେରବାନ୍ ସାଙ୍ଗରେ ଆଉ ଦେଖାହୋଇନି କି ଚିଠି ଲେଖାଲେଖି ହୋଇନି । ପଞ୍ଜାବରୁ ମୁଁ ବି ବଙ୍ଗଳାକୁ ବଦଳି ହେଲି । ବଦଳି ହେଲି ଠିକ୍ ନୁହେଁ, ଗୋପନୀୟ ବିଭାଗରେ ନିଯୁକ୍ତି ହେଲି । ସେଇଦିନଠାରୁ ଏ ପ୍ରଦେଶରେ ଅଛି । ମୁଁ ଯେତେଦୂର ଜାଣେ, ଏଇଠି ଶେଷ ।”

 

“ଏଇଠି ଶେଷ ।” ମୋର କୌତୂହଳ ନିବୃତ୍ତ ହେବାକୁ ଚାହେଁନା । “କୁହନ୍ତୁ କୁହନ୍ତୁ, ୟା ପରେ କଅଣ ହେଲା ? ସୂରଜ୍‌ଭାନ୍‌ର କଅଣ ହେଲା ? ମେହେରବାନ୍‌ର କଅଣ ହେଲା ?”

 

ଲଞ୍ଚ ପାଣି କାଟି କାଟି ଚାଲୁଥାଏ । ପାଣି ଛିଟା ଉଡ଼ିଆସି ଲାଗୁଥିଲା ଆମ ଦେହରେ । କେତେବେଳେ ହେଲା ଚା ପାନ ସାଙ୍ଗ ହୋଇଛି । ଡିନର ଅର୍ଡ଼ର ଦେଇଛି ମୁଁ । ଖାନ୍ ବାହାଦୁର ମୋର ମେହମାନ ।

 

“ଆଉ, ଦାଦା ! କହି ସୁଖ ନାହିଁ । ମଣିଷ ଚିହ୍ନୁ ଚିହ୍ନୁ ବୁଢ଼ା ହୋଇଗଲି । କିନ୍ତୁ ସେତେବେଳେ ଚିହ୍ନିପାରୁନଥିଲି । ସେଥିପାଇଁ ସ୍ତମ୍ଭିତ ହୋଇଥିଲି ।”

 

“କାହିଁକି ? କାହିଁକି ?” ମୋର କୌତୂହଳ ଆଉ ବାଗ ମାନୁ ନ ଥାଏ ।

 

“ଲୋକଟା ସତକୁସତ ଯାଇଥିଲା ସ୍ତ୍ରୀ ମୁହଁରେ ଏସିଡ଼୍ ପକାଇବାକୁ । ଟୋପାଏ ପଡ଼ିଥିଲା ତା’ ଗାଲରେ କି ବେକରେ । ସେ ଯୋଗୁଁ ସୂରଜ୍‌ଭାନ୍ ଆଉ ପାର୍ଟି ଦିଏନା, ବାହାରେନା; କିନ୍ତୁ ଖୁବ୍ ବେଶି କ୍ଷତି ହୋଇନି । ସୂରଜ୍‌ଭାନ୍ ସାଙ୍ଗରେ ପ୍ରାୟ ଲକ୍ଷେ ଟଙ୍କାର ଜହରତ୍ ଥିଲା । ସମସ୍ତ ମେହେରବାନ୍ ହାତରେ ଧରାଇଦେଇ ସେ ଏକା ଦୌଡ଼କେ ରେଳ ଷ୍ଟେସନରେ ହାଜର ହେଲା । ତା’ପରେ ସିଧା ଶିଆଲକୋଟ ।”

 

ମୁଁ ଘୃଣାରେ କାନରେ ହାତଦେଲି । ଆଉ ଶୁଣିବାକୁ ରୁଚି ନ ଥାଏ ।

 

“ମେହେରବାନ୍ ଜହରତ୍ ସମ୍ଭାଳିବାକୁ ବ୍ୟସ୍ତ । ଗୋଡ଼ାଇ ଯିବ କିପରି ? କେଉଁଟା ବେଶି ମୂଲ୍ୟବାନ ? ଜହରତ୍ ନା ଔରଜ୍ ? କାର୍ଯ୍ୟକାଳରେ ଦେଖାଗଲା ଜହରତ୍ ।” ଖାନ୍ ବାହାଦୁର ଖେଦୋକ୍ତି କଲେ । ମନେହେଲା ତାଙ୍କ ସହାନୁଭୂତି ଔରତ୍ ପ୍ରତି । ହାତଟା ଟିକିଏ କୋହଳ କଲି ।

 

କିନ୍ତୁ ସେଟା ମୋର ଭୁଲ୍ ।

 

ଅନ୍ଧାର ମାଡ଼ିଆସୁଥାଏ । ପହଞ୍ଚିବାକୁ ଡେରି ଅଛି । ଖାନାର ମଧ୍ୟ ଡେରି । ଗଳ୍ପଟା ସରିଗଲେ କଅଣ ନେଇ ରହିବୁ ଆମେ ? କାନରୁ ହାତ ଘୁଞ୍ଚାଇନେଲି ।

 

ଖାନ୍ ବାହାଦୁର କହିଲେ, “ଠିକ୍ ହୋଇଛି, ସାର୍ । ଅଳ୍ପକେ ଯାଇଛି । ଘଟଣା ତ ଏମିତି ଗୋଟିଏ ମାତ୍ର ଦେଖିଲି ନାହିଁ । ମେହେରବାନ ଦିନେ ତା’କୁ ଖୁନ୍ କରିପାରନ୍ତା । ସୁନ୍ଦରୀମାନେ ଚଞ୍ଚଳା ହୋଇଥାଆନ୍ତି । ଦିନେ ହୁଏତ ଟିକିଏ ଚଙ୍ଗ ଚଙ୍ଗ କରନ୍ତା ଆଉ ସାଙ୍ଗେ ସାଙ୍ଗେ ଜାନଟା ହରାନ୍ତା । ବଞ୍ଚିଯାଇଛି ଏହା ଯଥେଷ୍ଟ । ଏସିଡ଼ର ଦାଗ ଲାଗି ସୌନ୍ଦର୍ଯ୍ୟର ଯଦ୍ୟପି ଟିକିଏ ହାନି ହୋଇଥାଏ, ସେଟା ମନେକରନ୍ତୁ, ତା’ର-ପାପର ଶାସ୍ତି ।”

 

ମୁଁ କିଛି କହିଲି ନାହିଁ । ପାପତତ୍ତ୍ଵରେ ମୋର ଆସ୍ଥା ନ ଥିଲା । ପାପର ଶାସ୍ତି ପୁଣି ପାପୀ ଦେବ, ଏହା ମୋର ଅସହ୍ୟ । ମେହେରବାନ ମଧ୍ୟ କମ୍ ପାପୀ ନୁହେଁ ।

 

‘ବିଚାର କରି ଦେଖିବେ”, ଖାନ୍ ବାହାଦୁର୍ କହିବାକୁ ଲାଗିଲେ, “ନାରୀର କଅଣ ଏପରି କ୍ଷତି ହେଲା ! କ୍ଷତି ଯାହାହେଲା ତାହା ପୁରୁଷର । ସେଇ ଜହରତ୍ କଅଣ ତା’ର କ୍ଷତିପୂରଣ ? ସେ କ୍ଷତି ଅପୂରଣୀୟ । ଚାକିରିରେ ରହିଥିଲେ ସେ ଏତେବେଳକୁ ଡି.ଆଇ.ଜି. ନ ହେଲେ ଏ.ଆଇ.ଜି. ହୁଅନ୍ତାଣି । ହାୟ, ହାୟରେ ତକ୍‌ଦିର ! ନସୀବରେ ଯାହା ଅଛି ସେଇଆ ତ ହେବ ! ଆଉ ସେଇ ରେଳବାଇ କାମଟା ରଖିପାରିଲା କାହିଁ ? ଲକ୍ଷ ଟଙ୍କାର ଜହରତ୍ ପାଇ ମୁଣ୍ଡ ବୁଲିଗଲା । ସାଦି କରିବସିଲା ସେଇ ଜହରତ୍ ଯୌତୁକ ଦେଇ । ରାଜପୁତାନାର ମହାସମ୍ଭ୍ରାନ୍ତ ସରଦାର ପରିବାରରେ-। ସେମାନେ ତାକୁ ଇଂରାଜର ନୌକରୀ କରିବାକୁ ଦେଲେ ନାହିଁ । ଦେଶୀୟ ରାଜ୍ୟର ଫୌଜରେ ଭର୍ତ୍ତି କରିଦେଲେ । ସେଥିରେ ପଦ ଛଡ଼ା ଆଉ କଅଣ ଅଛି, ସାର୍ !”

 

ମୁଁ ଗୁମ୍ ହେଇ ବସିଥିଲି । କଅଣ କହିବି ଭାବି ପାରୁନଥିଲି ।

 

“ଏଣେ ଆମ ଇନ୍‌ସପେକ୍ଟରଙ୍କର କଅଣ ହେଉଛି । ଦେଖାଯାଉ । ଇଏ ଆଉ ଏକ ରାଣୀ ପସନ୍ଦ । ସ୍ତ୍ରୀ-ଲୋକଟି କୁଆଡ଼େ ଅପରୂପା ସୁନ୍ଦରୀ । ସୁନ୍ଦରୀ ହେଲେ ମନ୍ଦ ହେବ, ଏଥିରେ ଆଶ୍ଚର୍ଯ୍ୟ ହେବାର କଅଣ ଅଛି ? ଯିଏ ଯେତେ ମନ୍ଦ ସିଏ ସେତେ ସୁନ୍ଦରୀ ।” ଦୀର୍ଘଶ୍ଵାସ ଛାଡ଼ିଲେ ଖାନ୍ ବାହାଦୂର୍ ।

Image

 

ନିଜ କଥା

 

କିଛିଦିନ ହେଲା ଚିଠି ପରେ ଚିଠି ଆସୁଛି ମୋ ଜୀବନ ସମ୍ବନ୍ଧରେ ଜିଜ୍ଞାସା ଘେନି । ଏକାବେଳକେ ସମସ୍ତଙ୍କର ଚିଠିର ଉତ୍ତରଦେଲେ ସମୟ ବଞ୍ଚେ । ସମୟ ଅର୍ଥ ଆୟୁ । ସେଇଥିପାଇଁ ଏଇ ପ୍ରବନ୍ଧ ।

 

ମୋର ପୂର୍ବପୁରୁଷମାନଙ୍କର ନିବାସ ଥିଲା ହୁଗୁଲୀ ଜିଲ୍ଲାର କୋତରଂ । ଆକବର ବାଦଶାଙ୍କ ଅମଳରେ ତୋଡ଼ରମଲ୍ଲଙ୍କ ସାଙ୍ଗରେ ସେମାନେ ଓଡ଼ିଶାକୁ ଆସନ୍ତି ଭୂମିରାଜସ୍ଵ ନିର୍ଣ୍ଣୟ କରିବାକୁ । ବାଲେଶ୍ଵର ଜିଲ୍ଲାରେ ଭୂସମ୍ପତ୍ତି ଲାଭ କରି ବସବାସ କରନ୍ତି । ସେମାନେ ଦକ୍ଷିଣ ରାଢ଼ୀ କାୟସ୍ଥ ଘୋଷ, ମାତ୍ର ବଂଶ ପଦବୀ ଖାନ୍ । ହୁଗ୍‌ଲୀ ଜିଲ୍ଲା ସାଙ୍ଗରେ ସମ୍ପର୍କ ହଜିଯାଏ । ଗୋଟି ଗୋଟି କରି ଅନ୍ୟାନ୍ୟ ପଦବୀମାନ ଆମର ବଂଶଗତ ହୁଏ । ଏବେମଧ୍ୟ ଆମେମାନେ ମହାଶୟ ବଂଶ ବୋଲି ପରିଚିତ । ମହାଶୟମାନେ ବାଲେଶ୍ଵର ଜିଲ୍ଲାର ନାନା ସ୍ଥାନରେ ଶାଖା ସ୍ଥାପନ କଲେ, କଟକ ଜିଲ୍ଲାରେ ମଧ୍ୟ । ଯେଉଁ ଶାଖାଗୋଟିକ ରାମେଶ୍ଵରପୁର ଗାଁ ନାମରେ ପରିଚିତ ସେଇ ଶାଖାରେ ମୋର ଜନ୍ମ । ଭାଇଭଗାରି ବିବାଦରେ ସର୍ବସ୍ଵାନ୍ତ ହୋଇ ମୋର ପିତାମହ ଶ୍ରୀନାଥ ରାୟ (୧) ଦେଶାନ୍ତରୀ ହେଲେ । ମୋର ପିତା ନିମାଇଁଚରଣ ରାୟ ସ୍କୁଲ ପଢ଼ାପଢ଼ି ଶେଷ କରିବା ପୂର୍ବରୁ ବ୍ରିଟିଶ ସରକାରଙ୍କ ଚାକିରି ନେଇ ଅନୁଗୋଳକୁ ଗଲେ । ସେଠାରୁ ଗଲେ ଢେଙ୍କାନାଳ ରାଜ୍ୟକୁ ରାଜ୍ୟସରକାରଙ୍କ ଚାକିରି ନେଇ ।

 

ଢେଙ୍କାନାଳ ରାଜ୍ୟର ରାଜଧାନୀ ଗଡ଼ ଢେଙ୍କାନାଳରେ ମୋର ଜନ୍ମ । ସେତେବେଳେ ସେଠାରେ ରେଳବାଇ ଷ୍ଟେସନ ନ ଥିଲା, ଚାରିପଟେ ପାହାଡ଼ ଆଉ ଜଙ୍ଗଲ । ନିକଟବର୍ତ୍ତୀ ସହର ନା କଟକ । ସେସବୁ ଦିନରେ କଟକ ଯିବାକୁ ହେଲେ ବଳଦଗାଡ଼ିରେ ବାଘ ଭାଲୁଙ୍କର ଦୃଷ୍ଟି ଏଡ଼ି କୋଡ଼ିଏ-ବାଇଶ ମାଇଲ ଯିବାକୁ ପଡ଼ୁଥିଲା । କଟକରେ ମୋର ମାମୁଁଘର । ମୋର ମା’ ହେମନଳିନୀ କଟକ ପ୍ରସିଦ୍ଧ ପାଲିତ ବଂଶର କନ୍ୟା (୨) । ପାଲିତମାନେ କଟକକୁ ଆସନ୍ତି ବ୍ରିଟିଶ ଅମଳରେ ମୁଁ ଯେତେଦୂର ଜାଣେ । ବଙ୍ଗଳା ଦେଶ ସହିତ ଏମାନଙ୍କର ସମ୍ପର୍କ ରାୟ ବଂଶଠାରୁ ଘନିଷ୍ଠ । ରାୟମାନେ ଯେପରି ପୁରୁଣାକାଳିଆ ପାଲିତମାନେ ସେହିପରି ଏକାଳିଆ । ମୋ ଭିତରେ ପ୍ରାଚୀନ ଓ ଆଧୁନିକତାର ସମାବେଶ ଏହିପରି ଭାବରେ ଘଟିଛି ।

 

ମୋର ଜନ୍ମଦିନ ଇଂରାଜୀ ମତରେ ୧୫ ମାର୍ଚ୍ଚ ୧୯୦୪ । ଶାକ୍ତବଂଶ ଭିତରେ ଯଦିଚ ବୈଷ୍ଣବ ପ୍ରଭାବ ପ୍ରବେଶ କରିଥିଲା ତେବେ ମଧ୍ୟ ଆମର ପାଞ୍ଚ ଭାଇଭଉଣୀଙ୍କ ପ୍ରଥମ ଚାରିଜଣଙ୍କ ନାମକରଣ ଶାକ୍ତ ପଦ୍ଧତିରେ, କେବଳ ସାନ ଭଉଣୀ ନାଁ ବୈଷ୍ଣବ ପଦ୍ଧତିରେ (୩) । ଶାକ୍ତ ଓ ବୈଷ୍ଣବ ଦୁଇ ଧର୍ମ ପ୍ରଭାବରେ ମୁଁ ବଢ଼ିଉଠିଛି । ଢେଙ୍କାନାଳ ରାଜସରକାରରେ ସେତେବେଳେ ନାନା ଦିଗରୁ କର୍ମଚାରୀ ସଂଗ୍ରହ ହେଉଥାନ୍ତି, ଅତିଥି ଅଭ୍ୟାଗତ ଆସୁଥିଲେ ନାନା ଅଞ୍ଚଳରୁ । ମୁସଲମାନ, ଖ୍ରୀଷ୍ଟାନ ଓ ବ୍ରାହ୍ମ ବନ୍ଧୁମାନଙ୍କ ସାଙ୍ଗରେ ମୋ ପିତା ଓ ପିତୃବ୍ୟମାନେ ମୋତେ ଶୈଶବକାଳରୁ ପରିଚିତ ହେବାକୁ ଦେଇଥିବାରୁ ଧର୍ମ ସମ୍ବନ୍ଧରେ ମୋର ରକ୍ଷଣଶୀଳତା କ୍ଷୟପ୍ରାପ୍ତ ହୁଏ ।

 

ମୋର ଜୀବନର ପ୍ରଥମ ସତରବର୍ଷ କଟିଛି ଢେଙ୍କାନାଳରେ (୪) । ଏଥିମଧ୍ୟରେ ପୁରୀ ଓ କଟକକୁ ଯାଇଛି ମାତ୍ର କେତେଥର; କିନ୍ତୁ ବଙ୍ଗଳା ଦେଶକୁ ଆସିନାହିଁ । ଛୋଟ ଗୋଟିଏ ସ୍ଥାନରେ ସତର ବର୍ଷ ବିତିଲେ ଯାହା ହୁଏ-ମୋ ଭିତରେ ଶେଷଆଡ଼କୁ ପଳାତକ ପ୍ରବୃତ୍ତି ପ୍ରବଳ ହୋଇଥିଲା । ଆମେରିକାକୁ ପଳେଇବି ସ୍ଥିରକରି ବାହାରିଥିଲି; କିନ୍ତୁ କଲିକତାରୁ ଫେରିଯାଇ କଟକ କଲେଜରେ (୫) ଭର୍ତ୍ତି ହୁଏ । କଟକରେ ଦୁଇବର୍ଷ ରହି ପୁଣି ସେହି ପଳାୟନୀ ପ୍ରବୃତ୍ତିର ପ୍ରେରଣାରେ ପାଟନାକୁ ଯାଏ । ପାଟନାରେ ଚାରିବର୍ଷ ବିତାଇ (୬) ପୁଣି ସେହି ପଳାୟନୀ ପ୍ରବଣତାବଶତଃ ବିଲାତ ଯାଏ (୭), ବିଲାତରେ ଦୁଇବର୍ଷ ନାଁକୁ ଲଣ୍ଡନରେ ରହିଲେ ମଧ୍ୟ କାର୍ଯ୍ୟତଃ ଇଉରୋପର ନାନା ଦେଶରେ ବୁଲେ । ବିଲାତରୁ ଫେରି ବଙ୍ଗଳା ଦେଶରେ ନିଯୁକ୍ତ ହୁଏ (୮), କିନ୍ତୁ ଏମିତି ମୋର ଭାଗ୍ୟ ଯେ କେଉଁଠାରେ ଦୀର୍ଘଦିନ ରହିପାରିନି । ଦେଢ଼ କି ଦୁଇବର୍ଷ ଯାଉ ନ ଯାଉଣୁ ବଦଳି ।

 

ମୋର ଭ୍ରମଣର ରସଦ ମୋତେ ହିଁ ଯୋଗାଡ଼ କରିବାକୁ ପଡ଼ୁଥିଲା I କିପରି ରୋଜଗାର କରିଥାନ୍ତି ଯଦି ପଢ଼ାଶୁଣାରେ ମନଦେଇ ବୃତ୍ତି ପାଇନଥାନ୍ତି । ସେଥିପାଇଁ ପଢ଼ାଶୁଣାରେ ମନଦେବାକୁ ବାଧ୍ୟ ହୋଇଛି, ନହେଲେ ପଢ଼ାଶୁଣାରେ ମୋର ମନ ଲାଗିନଥାନ୍ତା (୯) । ଶୈଶବରୁ ମୁଁ ଯାହା ଖୋଜିଛି ତା’ ନାଁ । ହେଲା ରସ । ଯେ ଯାହା ଚାହେଁ ସେ ତାହା ପାଏ, ଯଦି ଦାମ୍ ଦିଏ, ଯଦି କଷ୍ଟ ସହେ, ଯଦି ଦୁଃଖପାଇଁ ପ୍ରସ୍ତୁତ ହୁଏ । ରସ ଚାହିଁଛି, ରସ ପାଇଛି ବୋଲି ଦିନେ ରସ ପରଶି ପାରିଛି । ରସର ଲେଖନୀ ଧରି ରସ ଛୁଞ୍ଚିଛି । ସେଦିନ ମୋତେ ଜଣେ ବଙ୍ଗାଳୀ ନର୍ତ୍ତକ କହିଲେ, ଓଡ଼ିଶାରେ ଯେମିତି ରସ ଅଛି ଭାରତର ଆଉ କେଉଁଠି ସେମିତି ନାହିଁ । ମୁଁ ସେକଥା ସ୍ଵୀକାର କରେ । ରସର ଶିକ୍ଷା ମୁଁ ଅନେକଙ୍କ ପାଖରୁ ନେଇଛି; କିନ୍ତୁ ରସର ଦୀକ୍ଷା ପାଇଛି ଓଡ଼ିଶା ପାଖରେ । ଜୀବନର ପ୍ରଥମ ଉଣେଇଶ ବର୍ଷ ଭିତରେ (୧୦) । ଏବଂ ତା’ପରେ ମଧ୍ୟ । ଏକଦା ମୁଁ ଓଡ଼ିଆ ଭାଷାର କବି ଥିଲି । ମୋର କବିତା ‘ଉତ୍କଳ ସାହିତ୍ୟ’ରେ ମାସକୁ ମାସ ଛପା ହେଉଥିଲା ।

 

ବିଲାତରୁ ଫେରିଆସିବାର ବର୍ଷକ ପରେ (୧୧) ଆକସ୍ମିକ ଭାବରେ ମୋର ବିବାହ । ମୋର ପତ୍ନୀଙ୍କ ନାମ ଅ୍ୟାଲିସ ଭାର୍ଜିନିୟା ଅର୍ନଡ଼ର୍ଫ (୧୨) । ସେ ଆମେରିକାର ଟେକ୍‌ସାସ୍ ପ୍ରଦେଶର କନ୍ୟା । ସଂଗୀତ ସନ୍ଧାନରେ ଭାରତବର୍ଷକୁ ଆସିଥିଲେ ୧୯୩୦ ସାଲରେ । କିଛିଦିନ ପରେ ଫେରିଯାଇଥାନ୍ତେ । ମୁଁ ତାଙ୍କୁ ବନ୍ଦିନୀ କଲି । ପିଲାଦିନେ ଆମେରିକାକୁ ପଳେଇଯିବାର କଳ୍ପନା ଥିଲା । କଳ୍ପନା ଥିଲା ସେ ଦେଶକୁ ଯାଇ ଭାଗ୍ୟପରୀକ୍ଷା କରିବି । ତା’ ତ ନୋହିଲା । ଅବଶେଷକୁ ଆମେରିକା ଆସିଲା ମୋର ଘର ସମ୍ଭାଳିବାକୁ । ଯିଏ ଯାହାକୁ ଚାହେଁ ସିଏ ତାହାକୁ ପାଏ, ଏକ ଭାବରେ ନ ହେଲେ ଅନ୍ୟ ଭାବରେ । ଆମମାନଙ୍କର ତିନି ପୁତ୍ର, ଦୁଇ କନ୍ୟା (୧୩) । ମଧ୍ୟମ ପୁତ୍ରଟିକୁ ଅକାଳରେ ହରାଇଛି (୧୪) ।

 

ମୋର ସାହିତ୍ୟିକ-ଜୀବନ ସହିତ ପାଠକମାନଙ୍କର ପରିଚୟ ଦୀର୍ଘକାଳର । ମୋର ବୟସ ଯେତେବେଳେ ଷୋହଳ ସେଇ ସମୟରେ ‘ପ୍ରବାସୀ’ରେ ମୋର ଗୋଟିଏ ଲେଖା ଛପା ହୁଏ । ଟଲଷ୍ଟୟଙ୍କର ଗୋଟିଏ କାହାଣୀର ଅନୁବାଦ । ସେହି ବୋଧହୁଏ ମୋର ପ୍ରଥମ ପ୍ରକାଶିତ ରଚନା । ତା’ପରେ ଓଡ଼ିଆ ଓ ବଙ୍ଗଳା ଦୁଇ ଭାଷାରେ ଏପରିକି ଇଂରାଜୀରେ ମଧ୍ୟ, ମୋର ପ୍ରଥମ ବୟସର ବହୁ ରଚନା ପ୍ରକାଶିତ ହୁଏ; କିନ୍ତୁ, ନାମ ଯଶ ହେଲା ଯେଦିନ ‘ବିଚିତ୍ରା’ରେ ‘ପଥେ ପ୍ରବାସେ’ ନାମାଙ୍କିତ ଭ୍ରମଣ କାହାଣୀର ଆରମ୍ଭ । ତା’ ପରଠାରୁ ଏକାଦିକ୍ରମେ ଏହି ଊଣେଇଶ ବର୍ଷରେ (୧୫) ଛୋଟବଡ଼ କରି ଊଣେଇଶ-କୋଡ଼ିଏ ଖଣ୍ଡ ବହି ଲେଖିଛି; କିନ୍ତୁ ବହି ଲେଖିବା ମୋର ପେଶା ନୁହେଁ । ନିଶା ମଧ୍ୟ ନୁହେଁ । ମଝିରେ ବର୍ଷ କେତେଟା ଲେଖା ଛାଡ଼ିଦେଇ ଦେଖିଛି-ନ ଲେଖିଲେ ମଧ୍ୟ ଚଳେ । କୌଣସି ପ୍ରକାର ଲେବୁଲ ଦେହରେ ଲଗାଇବାକୁ ମୁଁ ଭଲପାଏନା । ମୁଁ ଯେ ଜଣେ ଲେଖକ ଏଇଟା ମଧ୍ୟ ଗୋଟିଏ ଲେବୁଲ । ସେଥିପାଇଁ ମଝିରେ ମଝିରେ ଏଇଟାକୁ ଟାଣି ଛିଣ୍ଡାଇପକାଏ । ଦେଖେ ଏହାର ଆଉ କେତେଟିକକ ଲାଗିରହେ । ବାରମ୍ବାର ଟଣା-ଛିଣ୍ଡା କରି ବୁଝିପାରିଛି ଯେ ମୁଁ ଅନିବାର୍ଯ୍ୟ ରୂପରେ ଲେଖକ । ଅର୍ଥାତ୍ ଚେଷ୍ଟାକଲେ ମଧ୍ୟ ମୁଁ ଲେଖା ବନ୍ଦ କରିପାରିବି ନାହିଁ; କିନ୍ତୁ ଲେଖା କେମିତି କରିପାରିବ । ସେହି ଚେଷ୍ଟା ହଁ କରୁଛି । ଲେଖା ନେଇ ଊଣେଇଶ ବର୍ଷ ଧରି ଯେଉଁ ପରୀକ୍ଷା କରିଛି, ତାହା ବିବରଣ ଦେବାକୁ ଗଲେ ଖଣ୍ଡିଏ ପୂର୍ଣ୍ଣାଙ୍ଗ ବହି ଲେଖିବାକୁ ପଡ଼ିବ । ଦିନେ ଲେଖିବି । ଆଜି କେବଳ ଏତିକି କହି ଶେଷ କରିବି ଯେ ମୁଁ ପ୍ରଥମତଃ ଜୀବନଶିଳ୍ପୀ, ଦ୍ଵିତୀୟତଃ ଲିଖନ ଶିଳ୍ପୀ । ଲେଖାକୁ ମୁଁ ଦ୍ଵିତୀୟ ସ୍ଥାନ ଦିଏ । ତା’ ବୋଲି ଅବହେଳା କରେନାହିଁ । ଯଥାସମ୍ଭବ ଯତ୍ନକରି ଲେଖିଥାଏ ।

 

(୧୯୪୭) ଅନ୍ନଦାଶଙ୍କର ରାୟ

 

(୧) ଲେଖକଙ୍କର ପିତାମହୀଙ୍କ ନାମ ଦୁର୍ଗାମଣି ରାୟ । ସେ ‘ସେନ’ ବଂଶର କନ୍ୟା ।

 

(୨) ଲେଖଙ୍କର ମାତାମହ ଚନ୍ଦ୍ରନାଥ ପାଲିତ ଏବଂ ମାତାମହୀ ରାଧାରାଣୀ ଓରଫ ରାଧାରାଣୀ ପାଲିତ । ସେ ‘ବୋସ’ ବଂଶର କନ୍ୟା ।

 

(୩) ଅନ୍ନଦାଶଙ୍କର, ଅଭୟାଶଙ୍କର, ରାଜରାଜେଶ୍ଵରୀ, ଆଜୟାଶଙ୍କର, ବ୍ରଜେନ୍ଦ୍ର ମୋହିନୀ ।

 

(୪) ୧୯୦୪ ଠାରୁ ୧୯୨୧ ମସିହା ।

 

(୫) ଭେନଶା କଲେଜ, କଟକ । ଆଇ. ଏ. ପରୀକ୍ଷାର୍ଥୀ ଛାତ୍ର । ୧୯୨୧ ଠାରୁ ୧୯୨୩ ।

 

(୭) ପାଟନା କଲେଜ, ପାଟନା । ବି.ଏ. ଏବଂ ଏମ. ଏ. ପରୀକ୍ଷାର୍ଥୀ ଛାତ୍ର । ୧୯୨୩ ଠାରୁ ୧୯୨୭ ।

 

(୭) ଆଏ. ସି. ଏସ୍. ଟ୍ରେନିଂ ପାଇଁ । ୧୯୨୭-୧୯୨୯ ।

 

(୮) ମୁର୍ଶିଦାବାଦ ଜିଲ୍ଲାରେ ବହରମପୁର ସହର । ଆସିଷ୍ଟେଣ୍ଟ ମ୍ୟାଜିଷ୍ଟ୍ରେଟ ।

 

(୯) ଲେଖକ ଅବିଭକ୍ତ ବିହାର ଓ ଓଡ଼ିଶା ପ୍ରଦେଶର ଏକମାତ୍ର ବିଶ୍ଵବିଦ୍ୟାଳୟରୁ (ପାଟନା) ଆଇ. ଏ. ପରୀକ୍ଷାରେ ପ୍ରଥମ ବିଭାଗରେ ପ୍ରଥମ ଏବଂ ବି. ଏ. ପରୀକ୍ଷାରେ ଇଂରାଜୀ ସାହିତ୍ୟରେ ଅନର୍ସ ନେଇ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଦଖଲ କରି ସ୍ଵର୍ଣ୍ଣ ପଦକ ପାଇଥିଲେ । ଇଂରାଜୀରେ ଏମ. ଏ. ପରୀକ୍ଷା ଦେବା ପୂର୍ବରେ ୧୯୨୭ ମସିହାର ଇଣ୍ଡିଆନ ସିଭିଲ ସର୍ଭିସ୍‌ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବାରେ ଅଭୂତପୂର୍ବ ସାଫଲ୍ୟ ଲାଭକରି ୨୩ବର୍ଷ ବୟସ୍କ ଅନ୍ନଦାଶଙ୍କର ଟ୍ରେନିଂ ପାଇଁ ବିଲାତ ଚାଲିଗଲେ ଏବଂ ତାଙ୍କର ଓଡ଼ିଶାରେ ବସବାସ କରିବାର ମିଆଦ ପକାପକି ଭାବରେ ଶେଷହେଲା । ଓଡ଼ିଶା ମାଟିରେ ଜନ୍ମଲାଭ କରି ଯେ ଚାରିଜଣ କୃତି-ସନ୍ତାନ ଆଇ. ସି. ଏସ୍ ହୋଇପାରିଥିଲେ, ତାଙ୍କ ଭିତରେ ଅନ୍ନଦାଶଙ୍କର ଅନ୍ୟତମ । ଅନ୍ୟ ତିନିଜଣ ହେଲେ ନୀଳମଣି ସେନାପତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ କୃପାସିନ୍ଧୁ ମିଶ୍ର ।

 

(୧୦) ୧୯୦୪ ଠାରୁ ୧୯୨୩ । ଅର୍ଥାତ୍ ଜନ୍ମଠାରୁ ଉଚ୍ଚଶିକ୍ଷା ନିମନ୍ତେ ପାଟଣାକୁ ଯିବା ସମୟ ପର୍ଯ୍ୟନ୍ତ ।

 

(୧୧) ୧୯୩୦ ମସିହା ।

 

(୧୨) ବିବାହୋତ୍ତରେ ନାମ ଲୀଳା ରାୟ ।

 

(୧୩) ପୁଣ୍ୟଶ୍ଳୋକ, ଚିତ୍ରକାମ, ଜୟା, ଆନନ୍ଦରୂପ ଏବଂ ତୃପ୍ତି ।

 

(୧୪) ଚିତ୍ରକାମ ।

 

(୧୫) ଏଠାରେ ଲେଖକ ୧୯୨୮ ଠାରୁ ୧୯୪୭ ଏହି ଊଣେଇଶ ବର୍ଷର ଉଲ୍ଲେଖ କରିଛନ୍ତି । ଅର୍ଥାତ୍ ‘ପଥେ ପ୍ରବାସେ’ ଲେଖିବାକୁ ଆରମ୍ଭ କରିବା ଦିନଠାରୁ ଆଲୋଚ୍ୟ ପ୍ରବନ୍ଧ ଲେଖିବା ଦିନ ପର୍ଯ୍ୟନ୍ତ; କିନ୍ତୁ ୧୯୮୧ ଶେଷ ହେଲାବେଳକୁ ଲେଖକଙ୍କ ପ୍ରକାଶିତ ଗ୍ରନ୍ଥ ସଂଖ୍ୟା ଏକଶହ ଟପିଗଲାଣି । ଲେଖାରେ ଅଖଣ୍ଡ ମନୋନିବେଶ କରିବେ ବୋଲି ଲେଖକ ୧୯୫୧ ମସିହାରେ ମାତ୍ର ୪୭ବର୍ଷ ବୟସରେ ଅକାଳରେ ପଦତ୍ୟାଗ କରି ଅବସର ଗ୍ରହଣ କଲେ । ସେତେବେଳେ ସେ ପଶ୍ଚିମବଙ୍ଗ ସରକାରଙ୍କର ଜୁଡ଼ିସିଆଲ୍ ସେକ୍ରେଟେରି ଓ କଲିକତା ହାଇକୋର୍ଟର ଲିଗାଲ୍ ରିମେମବ୍ରାନସର ଥିଲେ ।

Image